Nityananda Nandi

Tragedy Classics

3  

Nityananda Nandi

Tragedy Classics

ସୁର.. 'ମା'

ସୁର.. 'ମା'

5 mins
250


 


ଝିଅ ରୁ ବୋହୂ, ବୋହୂ ରୁ ମାଆ, ମା ରୁ ଜେଜେମା। ଅନେକ ଦୂର ହେଲେ ବି କାଲି ପରି ଲାଗେ ସବୁ ଘଟଣା। 

ଚୁଲି ଫୁଙ୍କି ଫୁଙ୍କି ଜୀବନର କିଛି ଅଂଶ ନିଆଁ ସାଥିରେ ଜଳି ପୋଡ଼ି ପାଉଁଶ ହୋଇଯାଏ। ବାକିଥିବା ଅଳ୍ପ ଜୀବନକୁ ବେଶ୍ ଅନୁଭବ କରନ୍ତି କ୍ରିଷ୍ଣାବେଣୀ ଏକ ଭିନ୍ନ ରୂପରେ। ବର୍ଷେ ହେବ, ସେ ଆଉ ଚୁଲି ଫୁଙ୍କନ୍ତି ନାହିଁ। ଗ୍ୟାସ ଚୁଲାରେ ରୋଷେଇ କରନ୍ତି।  ପୁଅ ମାନେ ମୋବାଇଲ ଫୋନଟିଏ ଦେଇଛନ୍ତି ବୋଉ କୁ।

 

କେତେ ଆଦରରେ ବୋଉ ନାଁ ରଖିଥିଲେ କ୍ରିଷ୍ଣାବେଣୀ। କ୍ରିଷ୍ଣା ବେଣୀ ରୁ ସୁର..ମା। ମାଜିଘଷି ହୋଇଯାଏ ସମୟ ସାଥିରେ ଜୀବନଟା। ସେମିତି ନାଆଁଟା ବି ଅପଭ୍ରଂଶ ହେବାଟା ଅତି ସାଧାରଣ କଥାଟିଏ। କ୍ରିଷ୍ଣାବେଣୀ ଙ୍କ ସାନ ପୁଅ ସୁରେନ୍ଦ୍ର। ଅତି ସୁନ୍ଦର ଗୁଲୁ ଗୁଲୁଆ ଛୁଆଟିର ମାଆ ହେବାର ସୌଭାଗ୍ୟ ଅର୍ଜନ କରି କ୍ରିଷ୍ଣାବେଣୀରୁ ସୁର.. ମା ହେବାକୁ ବେଶି ସମୟ ଲାଗି ନ ଥିଲା। ସମୟ ବିବର୍ତ୍ତନର ମୁକ ସାକ୍ଷୀ, ଜୀବନର ଅନେକ ସର୍ତ୍ତ ଦ୍ରବିଭୂତ ହୋଇଯାଏ କାହାଣୀ ଭିତରେ। ସମୟ ବି ହିସାବ ରଖେନି ଏତେ କଥା ..


ମାରାତ୍ମକ ଯକ୍ଷ୍ମା ରେ ଆକ୍ରାନ୍ତ ହୋଇ ସୁରେନ୍ଦ୍ର ପ୍ରାଣତ୍ୟାଗ କରିବା ପରେ ବି ସାଇ ପଡ଼ିଶା , ଗାଆଁ ରେ ସମସ୍ତେ ସୁର..ମା ବୋଲି ଏବେ ବି ଡାକନ୍ତି। ସୁର ନାଁ ଶୁଣିଲେ କଲିଜାଟି ପଥର ହୋଇ ଯାଏ। ବାରଣ୍ଡାରେ ଏ ପଟରୁ ସେ ପଟ ଯାଏ ଅନାନ୍ତି ସେ, ସୁର ଦୌଡ଼ି ଦୌଡ଼ି ତା ଆଡକୁ ଆସୁନି ତ। ବଞ୍ଚିଥିଲେ ସେ କୋଉ ନା କୋଉ ସହରରେ କଲେକ୍ଟର ହୋଇ ଥାଆନ୍ତା। ବଡ ପୁଅ ଗୁଆଲିଆର ରେ ଇନକମ୍ଟ୍ୟାକ୍ସ ଅଫିସର। ସାନପୁଅ ତହସିଲଦାର ରାଇରଙ୍ଗପୁର ତହସିଲ ରେ।

ସବୁ ବଦଳି ଯାଏ ସମୟ ସାଥିରେ , କେତେ ପଦଚିହ୍ନ ବିଲୁପ୍ତ ହୋଇଯାଏ ପୃଥିବୀ ପୃଷ୍ଠରେ, ଆଉ କିଛି ହୃଦୟରେ ଛାପି ଯାଏ।

ସ୍ବଭାବ, ଚରିତ୍ର ତ ଜନ୍ମରୁ ପରିପକ୍ଵ। ବଦଳେନି ସମୟ ସାଥିରେ। କ୍ରିଷ୍ଣାବେଣୀ ବୋହୂ ହୋଇ ଆସିବା ପରେ ପ୍ରତିଦିନ ଘର ଆଗରେ ଝୁଟି ଦେଉଥିଲେ, ସକାଳ ହେଲେ ଗୋବର ପାଣି ଛିଞ୍ଚୁ ଥିଲେ ଘର ଅଗଣାରେ। ମାଣବସା ଗୁରୁବାର ହେଲେ ଅଗଣା ସାରା ରଙ୍ଗ ବେରଙ୍ଗର ଝୁଟି ଆଙ୍କୁଥିଲେ ସେ ।ସଂଜ ହେଲେ ସଂଜଦାନୀ ଦେଇ ଶଙ୍ଖ ଫୁଙ୍କୁ ଥିଲେ ପଶ୍ଚିମ ଆକାଶ କୁ ମୁହଁ କରି। ଆଜି ସୁର.. ମା ଠିକ୍ ସେମିତି । ସୂର୍ଯ୍ୟ ଉଦୟଠୁ ସୂର୍ଯ୍ୟାସ୍ତ ଭିତରେ ଦିନଚର୍ଯ୍ୟା କଣ୍ଠସ୍ଥ। ଭୁଲ ହେବାର ପ୍ରଶ୍ନ ଉଠୁନି। କ୍ରିଷ୍ଣାବେଣୀ ରୁ ସୁର..ମା ଏକ ଲମ୍ବା ଅନୁଭବ। ଖାଲି ନାଆଁ ବଦଳିଛି ସିନା, ସ୍ବଭାବ କିନ୍ତୁ ବଦଳିନି।


ତା ବାଦେ ସେ ଆଡୁ ସାନ ବୋହୂର ଫୋନ, ଆମ ଜିନିଆର କାଲି ଠୁ ପରୀକ୍ଷା, ମଙ୍ଗଳା ଠାକୁରାଣୀ ପାଖରେ ପୂଜା ଦେଇ ଆସିବ। ବଡ ପୁଅର ଫୋନ ,ମାଆ ! ଟୁକୁନା ର କାଲି ଠୁ ଜେ ଇ ଇ ମେନ୍ ପରୀକ୍ଷା। ତାରିଣୀ ପାଖକୁ ନଡ଼ିଆ ପଠେଇବୁ। ଯେମିତି ନାତି, ନାତୁଣୀ ଙ୍କ ପୂଜା ଠିକା ନେଇଛନ୍ତି ଜେଜେମା।

ବସ ଡ୍ରାଇଭର କୁ ନଡ଼ିଆ ବଢେଇ ଦେଇ ହାତ ଯୋଡ଼ି ଛିଡା ହୋଇ ରହନ୍ତି ବସ ଯିବା ପର୍ଯ୍ୟନ୍ତ। କାହାକୁ ଆଉ ସମୟ ନାହିଁ ପୂଜା ପାଇଁ। ଜେଜେମାଙ୍କର ଆନନ୍ଦ ସେଇଥିରେ, ନାତି ନାତୁଣୀ ଙ୍କ ପାଇଁ ବ୍ୟସ୍ତତା କିଛି ସମ୍ଭାବନା ସୃଷ୍ଟି କରେ ନିଃସଙ୍ଗ ଜୀବନରେ। ନିଶବ୍ଦ ମରୁଭୂମି ଠାରୁ ବି ଅନେକ ବଡ଼ ସେମାନଙ୍କ ନିସଂଗତା।

ଯେତେ ଡ଼ାକିଲେ ନା ବଡ ପୁଅ ପାଖକୁ ଯାଆନ୍ତି ସୁର..ମା, ନା ସାନ ପୁଅ ପାଖକୁ। 

ଅନେକ ଦିନପରେ ପୁଅ ମାନଙ୍କ ପାଖକୁ ଯିବା ପାଇଁ ରାଜି ହୋଇଛନ୍ତି ବୋଉ । ଏଥର ପୁଅମାନଙ୍କ କଥାକୁ ଆଉ ଟାଳି ପାରିଲେ ନାହିଁ ସେ। ସାନ ବୋହୁ କହିଲା ବୋଉ ! ଶିବ ରାତ୍ରିରେ ଆମେ ଆସୁଛୁ, ତମକୁ ନେଇଯିବୁ, ଧୀରେ ଧୀରେ ତମକୁ ଗାଆଁ ଛାଡ଼ିବାକୁ ହେବ, ବୁଢ଼ୀ ହେଲଣି, ଗାଆଁରେ ତମ କଥା ଆଉ ବୁଝିବ କିଏ। ପ୍ରଥମେ ଆମ ଘରକୁ ଆସିବ ନା ଭାଇ ଘରକୁ , ଭାଇଙ୍କ ସାଥିରେ କଥା ହୋଇ କି କହିବି। ତମେ ପ୍ରସ୍ତୁତ ହୋଇ ଥାଅ...ବୋଉ


ପୁଣି ଦିନେ ଫୋନ ଆସିଲା , ସାନ ବୋହୂ ପାଖରୁ

ବୋଉ ! ଜିନିଆ ଭାରି ରାଗୁଛି, ଟୁକୁନା ବି ରାଗୁଥିଲା ତମ ଉପରେ। ଟୁକୁନା କହୁଥିଲା, ଜେଜେମା ଭଲକି ଗାଧୁଏନି, ଗନ୍ଧ ଆସେ ତା ଦେହରୁ, ତାକୁ ମୁଁ ଜମାରୁ ଆମ ଘରକୁ ଡାକିବିନି।

ହା ହା କରି ହସୁଥିଲେ ସୁର..ମା

ତାଙ୍କ ଦେହରେ ଶଙ୍କା ପଶିଲା, ପରୋକ୍ଷ ଭାବରେ ମୋତେ ଆଉ ଯିବାକୁ ବାରଣ କରୁ ନାହାନ୍ତି ତ, ମୋ ପୁଅ ମାନେ !!

ମା ମନ ଭାରି ପତଳା, ସବୁ ଭୁଲିଯାଆନ୍ତି ମୁହୂର୍ତ୍ତକ ମଧ୍ୟରେ।


ମାଆ ଦେହର ଗନ୍ଧ ଛୁଆଙ୍କ ପାଇଁ ଚନ୍ଦନ ପରି ମହକେ, ମା'ର କାନି ପଣତ କୁ ବାର ବାର ଆଘ୍ରାଣ କରିବାର ଇଚ୍ଛା ପିଲା ମାନଙ୍କୁ ପାଗଳ କରେ ବୋଲି ସୁର..ମା ଶୁଣି ଥିଲେ ପିଲା ଦିନେ। ସମୟ ସାଥିରେ ସବୁ ବଦଳି ଯାଏ ବୋଧେ... ମାଆ ରୁ ଜେଜେମା, ସତରେ କଣ ଦେହର ଗନ୍ଧ ବଦଳି ଯାଏ !!!


ଶିବ ରାତିକୁ ଆଉ ଦଶ ଦିନ। ଗାଆଁରେ ପ୍ରତିବର୍ଷ ମେଳା ବସେ। ପୁଅ ବୋହୂ ପାଖକୁ ଯିବ, ଖୁସିର ସୀମା ନାହିଁ।

ମାସେ ପରେ ଫେରିବା ବେଳକୁ ଚାଉଳରେ ପୋକ ଲାଗିଯିବ ବୋଲି ଗାଆଁ ମୁଣ୍ଡରେ ରହୁଥିବା ନେପାଳୀ ବୁଢ଼ାକୁ ପାଞ୍ଚ କିଲୋ ଚାଉଳ ଦେଇ ଆସିଲେ। ଗରିବ କୁ ଦାନ ଦେଲେ ଧର୍ମ ହୁଏ, ସେଥିପାଇଁ ବୋଧେ ଚାଉଳ ଦେଇଆସି ବହୁତ ଖୁସି ଥିଲେ ସୁର.. ମା। ମଞ୍ଜି ବଡି ସାନ ବୋହୂର ପସନ୍ଦ, ରାଇରଙ୍ଗପୁର ପଠେଇବେ ବୋଲି ରାତିସାରା ବ୍ୟସ୍ତ। କଖାରୁ ମଞ୍ଜି ଚାଉଳ, ବିରି, ସବୁ ମାପ ଚୁପ କରି ପାଣିରେ ବତୁରାଇ ରାତି ଶେଷରେ ଶୋଇବାକୁ ଗଲେ ସେ।

ଟୁକୁନା ପାଇଁ ଖଜୁରୀ ଗୁଡ଼ରେ ରାଶି ଲଡୁ। ଭାରି ପ୍ରିୟ ଟୁକୁନା ର। ଗୁଆଲିଅର ପଠେଇବେ।

 

ଆଉ ଦୁଇଦିନ ପରେ ଶିବ ରାତ୍ରି। ସାନପୁଅ ରାଇରଙ୍ଗପୁର ମଫସଲିଆ ଜାଗା ବୋଲି ଶୁଣିଛନ୍ତି ସେ। ଘର ପିନ୍ଧା ପାଞ୍ଚୋଟି ଶାଢ଼ୀ ବେଗ ଭିତରେ ରଖିଲେ। ପୁଅ ଘରେ ଯା କିଛି ପିନ୍ଧିଲେ ବି ଚଳିବ। ସାନ ବୋହୂ ସେମିତି କିଛି ମନରେ ନିଏନି।

ଶୁଣିଛି ଗୁଆଲିଅର ବହୁତ ବଡ଼ ସହର। ବଡ ବୋହୂ କିଛି କହିଦେଲେ ଭାରି ବାଧିବ। ଗନ୍ଧ କର୍ପୁର ଦିଆ ପାଞ୍ଚୋଟି ଶାଢ଼ୀ ବାକ୍ସରୁ କାଢି ଅଲଗା ଗୋଟେ ବେଗ ଭିତରେ ରଖିଲେ ସୁର.. ମା । ଯିବା ସମୟରେ ଶାଢ଼ୀ ବାଛିବାକୁ ଆଉ ସମୟ କୋଉଠୁ ହେବ !!! ଆଗରୁ ପ୍ରସ୍ତୁତ ସେ। କିଏ ଜାଣେ କାହା ଘରକୁ ଯିବାକୁ ହେବ ?

ପାଖ ଘର ଶିବା ବୋଉ ସାଥିରେ ଭାରି ମିଳାମିଶା । କହିଲେ ଦେଖ ! ମୁଁ ମାସେପାଇଁ ପୁଅ ବୋହୂ ଘର କୁ ଯାଉଛି। ଆମ ଘର ଚାବି ତୋ ପାଖରେ ରହିବ। କାହାକୁ କହିବୁନି !! ତୋତେ ଖାଲି ବିଶ୍ବାସ କରେ ବୋଲି ଚାବି ଦେଇ ଯାଉଛି। ମୋ ରାଣ, ସବୁଦିନ ଭିତରକୁ ଆସି ତୁଳସୀ ମୂଳରେ ପାଣି ଦେଇଯିବୁ, ବାସ୍। ଗାଆଁ ରେ ପ୍ରାୟ ସମସ୍ତଙ୍କୁ କହି ସାରିଛନ୍ତି ସୁର..ମା, ପୁଅ ବୋହୂ ପାଖକୁ ବୁଲିଯାଉଛନ୍ତି ସେ, ମାସକ ପାଇଁ। କୋଉ ପୁଅ ପାଖକୁ ଯିବେ କିନ୍ତୁ ଠିକ୍ ହୋଇନି।

***"****

ଆଜି ଶିବରାତ୍ରି, ପୁଅ ଝିଅ ସମସ୍ତେ ଆସିଛନ୍ତି ଗାଆଁ କୁ।

ସୁର.. ମା ଙ୍କ ଖୁସି କହିଲେ ନ ସରେ। ବାହାରକୁ ଯିବେ ବୋଲି ପାଳ ମାଟି ରେ ମୁଣ୍ଡ ଧୋଇ ଖରାରେ ବସିଛନ୍ତି ସେ।

ରାଇରଙ୍ଗପୁର ପହଞ୍ଚି ଜିନିଆ କୁ ସରପ୍ରାଇଜ ଦେବେ ବୋଲି ତା ପାଇଁ କିଣିଥିବା ଟିକିଲି, କ୍ଲିପ୍ ଓ ଚୁଡି ବେଗ ଭିତରେ ଛୁପେଇକି ରଖିଛନ୍ତି। 

ରାତିରେ କେତେ ରକମର ଖାଇବା ବନେଇଲେ ସୁର..ମା। ନିମ୍ବ ବାଇଗଣ, ଶିମ୍ବ ଭଜା, ବଡି ଚୁରା, କାନ୍ଦୁଲ ଡାଲି, ଅନେକ କିଛି। ପୁଣି ଚୁଲିରେ, ଘର ମଝି ଅଗଣାରେ, ଖୋଲା ଆକାଶ ତଳେ। ସମସ୍ତେ ଆଜି ସାଥିରେ ବୋଲି ଚୁଲି ଫୁଙ୍କା କଷ୍ଟ ଭିତରେ ସମ୍ପର୍କର ନିଆରା ଅନୁଭବକୁ ସେ ଗୋଟାଉ ଥିଲେ । ଅତିକ୍ରାନ୍ତ ବୟସରେ କିଛି କଷ୍ଟ ଆନନ୍ଦ ଦିଏ ମନରେ। ଚୁଲି ରନ୍ଧା ଭାରି ସୁଆଦିଆ ବୋଲି ସମସ୍ତଙ୍କୁ ବୁଝାଉଥିଲେ ସୁର... ମା। ତାଙ୍କ କଥା ଶୁଣି ହସି ହସି ଗଡୁଥିଲେ ସମସ୍ତେ।

ଖାଇ ସାରି ସମସ୍ତେ ଗପିଲେ ସୁର... ମା ଙ୍କ କୋଠରୀ ଭିତରେ। ଗପୁ ଗପୁ ଟୁକୁନା ଆଉ ଜିନିଆର ପାଦରେ ଗରମ ରସୁଣ ତେଲ ଲଗାଉଥି ଲେ ସୁର.. ମା। ବୋଉ ! କାନ୍ଥରେ କଣ ସବୁ ଲେଖି ଛ କହିଲ । 

୪/୩ ମାନେ ମାର୍ଚ୍ଚ ଚାରି ତାରିଖରେ ଟୁକୁନା ର ଜନ୍ମଦିନ। ୧୧/୭ ମାନେ ଜୁଲାଇ ଏଗାର, ଜିନିଆ ର ଜନ୍ମଦିନ। ଆଉ ଏଇ ବୁଢ଼ୀ ବୟସରେ କଣ ମନେ ରହୁଛି, ତାରିଖ ଦେଖିଲେ ସେମାନଙ୍କ ଜନ୍ମଦିନ କଥା ମନେ ପଡେ, ଶିବ ମନ୍ଦିର ଯାଇ ପୂଜା ଦେଇ ଆସେ। ଦୁଇ ବୋହୂଙ୍କ ଆଖି ଛଳ ଛଳ ହୋଇ ଆସିଲା , ବୋଉର କଥା ଶୁଣିକି।

ସୁର..ମା ଭାରି ଅଭିମାନୀ, ଯିବା ନେଇ କାହାକୁ ପଚାରି ଲେ ନାହିଁ। ମୁଁ କାହିଁକି ପଚାରିବି ? ମୁଁ କୋଉଠିକି ଯିବି ସେମାନେ କୁହନ୍ତୁ !!

ରାତିରୁ ଉଠି ପୁଅ ବୋହୂ ଟୁକୁନା ଟ୍ରେନ ଧରି ଗୁଆଲିଅର ଚାଲିଗଲେ। କିଛି ବି କହିଲେନି।

ସକାଳୁ ଉଠି ସାନ ପୁଅ ଜିପ୍ ରେ ବସିଲାଣି, ରାଇରଙ୍ଗପୁର ଯିବ ବୋଲି। ବୋହୂ ବି ପାଖରେ ବସିଛି। ଜୋର୍ ଜବରଦସ୍ତ କରି କଳା ଟିପା ଲଗେଇ ଦେଲେ ଜିନିଆ ର କପାଳରେ।

ଜେଜେମା ଏ କଣ କଲ !!! 

ବାୟାଣୀ, ଏତେ ସୁନ୍ଦର ମୁହଁ ଟି !! କାହାରି ନଜର ଲାଗିବ ନାହିଁ । 

ଦୌଡ଼ି ଗଲେ ଘର ଭିତରକୁ। ଚୁଡି, ଟିକିଲି ପାଉଚ କୁ ଧରେଇ ଦେଲେ ଜିନିଆ କୁ। ଜିନିଆ ହସି ଦେଇ କହିଲା ଥେଙ୍କ୍ ୟୁ ଜେଜେମା...


ସୁର..ମା ହସିଦେଲେ, କିଏ ତାଙ୍କ କାନ ପାଖରେ କହୁଥିଲା ଯେମିତି

ହସିଲେ ହିଁ ଦୁନିଆ ଜାଗାଟିଏ ଦିଏ, ଏମିତି ଲୁହ ପାଇଁ ଆଖି ଭିତରେ ବି ଜାଗା ନ ଥାଏ। ଇଚ୍ଛା ନ ଥାଇ ବି ହସିବାକୁ ହୁଏ।


ଧୂଳି ଉଡେଇ ଜିପ୍ ଟି ମାଡି ଚାଲିଥିଲା ଆଗକୁ। ସୁର.. ମା , ଭାଙ୍ଗି ଯାଇ ଖଣ୍ଡ ବିଖଣ୍ଡ ହେଉଥିବା ସ୍ବପ୍ନ କୁ ହିଁ ସାଉଁଟୁ ଥିଲେ ଜିପ ପଛରେ ଉଡୁଥିବା ଧୂଳି ଭିତରେ। କ୍ରିଷ୍ଣାବେଣୀ ରୁ ବିବର୍ତ୍ତିତ ସୁର.. ମା ଆହୁରି ଭାଙ୍ଗି ପଡ଼ିଲେ ବୟସର ଚାପରେ...ସତୁରୀ ବର୍ଷର ବୁଢ଼ୀ ବେଞ୍ଚ ଉପରେ ବସି ପଡ଼ି ଦୀର୍ଘଶ୍ୱାସଟିଏ ମାରିଲେ।

ହଉ, ଯାଆନ୍ତୁ ସମସ୍ତେ, ସୁର ର ସ୍ମୃତି କୁ ନେଇ ମୋତେ ଏଇ ଘରେ ବଞ୍ଚିବାକୁ ହେବ... କଳା ବିଲେଇ ପୁଅର ଜିପ ଆଗରେ ରାସ୍ତା କାଟିଲା। 

ମାଆ ତାରିଣୀ ! ମୋ ସାନ ପୁଅ ଭଲରେ ଭଲରେ ରାଇରଙ୍ଗପୁର ପହଞ୍ଚୁ, ନଡ଼ିଆଟିଏ ସହୁଛି ତୋ ନାଁରେ...



Rate this content
Log in

Similar oriya story from Tragedy