STORYMIRROR

Bhabesh Chandra Kar

Tragedy

2  

Bhabesh Chandra Kar

Tragedy

ସୁନାନଦୀର ମାୟା

ସୁନାନଦୀର ମାୟା

6 mins
444


ଆଜିକୁ ପାଖାପାଖି ପାଂଚବର୍ଷତଳର କଥା ।ସେତେବେଳେ ମୁଁ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ବାଂଶପାଳ ବ୍ଲକର ସିଂପୁର ଓ ତତ୍ ସଂଲଗ୍ନ କିଛି ପଂଚାୟତରେ ସ୍ଥାନୀୟ ଲୋକସଂଗଠନ ଆଂଚଳିକ ଭୂୟାଁପୀଢ ସଙ୍ଗଠନ ସହିତ ମିଶି ସତରଟି ଭୂୟାଁ ଗ୍ରାମରେ ଜଂଗଲ ଅଧିକାର ଆଇନ ଉପରେ ଜନସଚେତନତା ସୃଷ୍ଟି କରିବା ପାଇଁ କାମ କରୁଥାଏ । ମୋ ସହ କିଛି ସ୍ଥାନୀୟ ଯୁବକଯୁବତୀ ମଧ୍ୟ କାମ କରୁଥାନ୍ତି । ମୁଁ ଗଜିପୁର ଗାଁରେ ରହୁଥାଏ । ସବୁଦିନ ସକାଳୁ ସକାଳୁ ଆମେ ଚାଲିଚାଲି ନିକଟବର୍ତ୍ତି ଗାଁମାନଙ୍କୁ ଯାଉ । ଫେରୁଫେରୁ ସନ୍ଧ୍ୟା ହୋଇଯାଏ । ଅଧିକ କାମଥିଲେ ଆମେ ଯାଇଥିବା ଗାଁରେ ମଧ୍ୟ ରହିଯାଉଁ।

ତେବେ ଗଜପୁରରୁ ଅନ୍ୟ ଗାଁମାନଙ୍କୁ ଚଲା ରାସ୍ତାରେ ଯିବା ସମୟରେ ଏକ ନଦୀ ପଡେ ।ନଦୀର ସ୍ଥାନିୟ ନାମ ସୁନା ନଦୀ ।ପୁରୁଖା ଲୋକମାନେ ନଦୀ ଉପତ୍ୟକାରେ ସୁନାଥିବାରୁ ନଦୀର ନାମ ଏହିପରି ରଖାଯାଇଥିବାର କହନ୍ତି । ବର୍ଷାଦିନେ ବର୍ଷା ହୋଇ ଛାଡିଗଲା ପରେ ପରେ ନଦୀରେ କେତେ ଘଣ୍ଟାପାଇଁ ବଢିଆସେ । ତା ପରେ ପୁଣି ଯେଉଁ ଶୁଖିଲାକୁ ସେହି ଶୁଖିଲା ।ସବୁଦିନ ଆମେ ସେହି ବାଟଦେଇ ଯିବା ସମୟରେ ଦେଖୁ ଲୋକଟିଏ ନଦୀକୂଳର ଚିକିଟା ମାଟିକୁ ତାଡି ଗୋଟିଏ ମଟର ଟାୟାରରେ ଧୋଇବାରେ ବ୍ୟସ୍ତଥାଏ ।ଲୋକଟିର ଏଭଳି କାର୍ଯ୍ୟକଳାପ ଦେଖି ମନରେ କୌତୁହଳ ସୃଷ୍ଟି ହୁଏ ଲୋକଟି ମାଟିଗୁଡା ତାଡୁଛି କାହିଁକି ଓ ତାକୁ ପାଣି ମିଶାଇ କଟା ମୋଟର ଟାୟାରରେ ଧୋଉଛି କଣ ପାଇଁ ।ମନରେ ଉଙ୍କିମାରୁଥିବା ଏହିଭଳି ପ୍ରଶ୍ନସବୁକୁ ସାଥୀମାନଙ୍କ ନିକଟରେ ଉଠାଇଲେ ସେମାନେ କହନ୍ତି ସାର୍ ସେ ପରା ସୁନା ସଂଗ୍ରହ କରୁଛି ।ସେହି ଚିକିଟା ମାଟି ମଧ୍ୟରେ ସୁନା ଅଛି ।ସେମାନଙ୍କ ଏହି କଥା ମନକୁ ପାଏନି । ହସିଦେଇ ମୁଁ ପାହାଡ ଜଂଗଲଘେରା ମନୋରମ ପରିବେଶ ମଧ୍ୟରେ ନିଜକୁ ହଜାଇଦିଏ ।

ସେ ଦିନ ବର୍ଷା ହୋଇ ଛାଡିଯାଇଥାଏ ,ସାଥୀମାନେ ଅନ୍ୟ ଏକ କାମରେ ବ୍ୟସ୍ତ ଥିବାରୁ ମୁଁ ଏକୁଟିଆ ସେହି ରାସ୍ତା ଦେଇ ପାଖ ତଳବରଡା ଗାଁକୁ ଯାଉଥାଏ । ଦେଖିଲି ନଦୀ ନିକଟରେଥିବା ଏକ ମାଟିକୁଦର ତଳପାଖରୁ ସେହି ଲୋକଟି ଖୋଳୁଛି ଏବଂ ମାଟିସବୁକୁ ନେଇ କଟା ଟାୟାର ମଧ୍ୟରେ ରଖୁଛି ।ହାତରେ ସମୟ ଥିଲା । ତେଣୁ ତା ପାଖକୁ ଯାଇ ପଚାରିଲି ଭାଇ ଏ ଭଳି ମାଟି କାହିଁକି ଖୋଳୁଛନ୍ତି ଓ ତାକୁ ଟାୟାରରେ ପୁରାଇ ଧୋଉଛନ୍ତି କଣ ପାଇଁ? ସେ ମୋ ଅଡକୁ ବିରକ୍ତ ହେବାଭଳି ମୁଖଭଙ୍ଗି କରି ଚାହିଁଲା ଓ ପୁଣି କାମରେ ଲାଗିଲା । ମୁଁ ତାକୁ ବିରକ୍ତ କରିବାକୁ ଚାହୁଁନଥିଲି ।ତେଣୁ ତାକୁ କିଛି ନପଚାରି କେବଳ ନୀରବରେ ତାର କାମକୁ ଦେଖବାକୁ ସେଠାରେ ବସିପଡିଲି । ଲୋକଟି କଟାହୋଇଥିବା ଛୋଟିଆ ଟାୟାର ଖଣ୍ଡରେ ଜମାହୋଇଥିବା ମାଟିକୁ ପାଣି ପକାଇ ଚକଟିବାକୁ ଲାଗିଲା ଓ ପାଣିଭର୍ତ୍ତିକରି ପତଳା କାଦୁଅ ପାଣିକୁ ଚାଉଳ ଧୋଇବା ପରି ଟାୟାରରୁ ବାହାର କରିଦେଲା ।ସେ ଏହିଭଳି ପନ୍ଦର କୋଡିଏ ମିନିଟ କରିବା ପରେ ମାଟିସବୁ ପାଣିସହ ବାହାରିଗଲା । ଟାୟାରରେ ଚକମକ କରୁଥିବା କିଛି ଜିନିଷ ମୋର ନଜରକୁ ଆସିଲା ।ଟାୟାର ମଧ୍ୟରେ କିଛି ସୁନା ଚିକମିକ କରୁଥିଲା ।ଲୋକଟିର ନିକଟକୁ ଯାଇ ପଚାରିଲି ବାବୁ ତୁମ ନାମ କଣ? ଲୋକଟି ବିରକ୍ତିର ସହ ମୋତେ କିଛି ସମୟ ଚାହିଁ ରହିଲା । ତା ପରେ କହିଲା ମୋତେ ବାବୁ ଗାଁର ଲୋକମାନେ ମାୟା ବୋଲି ଡାକନ୍ତି । ମୁଁ ପଚାରିଲି ଆଛା ମାୟା ତୁମ ଘର କଣ ଏହି ପାଖ ଗାଁରେ । ସେ ଟାୟାରରୁ ଚିକଚିକ କରୁଥିବା ସୁନା ଭଳି ଜିନିଷସବୁକୁ ଗୋଟିଏ ଶାଳ ପତ୍ରରେ ରଖି ଗାମୁଛାରେ ବାନ୍ଧୁଥିବା ସମୟରେ କହିଲା ନା ଆମଘରଟା ସିଂପୁର ଭୂୟାଁ ସାହିରେ । ଦରବାର ଘର ଆଗକୁ କିଛିବାଟଗଲେ ପ୍ରଥମ ବାମହାତି ଘରଟା ମୋର । ତା ବର୍ଣନା ମୁତାବକ ମୁଁ ଜାଣିଗଲି ତା ଘରଟା କେଉଁ ଜାଗାରେ ବୋଲି । ସେହି ସମୟରେ ସେହିବାଟ ଦେଇ ତଳବରଡା ଗାଁର ପ୍ରଧାନ ଯାଉଥିଲେ । ତେଣୁ ମାୟାଠୁ ବିଦାୟ ନେଇ ତାଙ୍କ ସହ ତଳବରଡା ଗାଁ ଯାହାକି ସେଠାରୁ ଦଶ କିଲୋମିଟର ହେବ ସେଠାକୁ ଉଭୟ କଥାବାର୍ତ୍ତା ହୋଇ ଚାଲିିଲୁ ।

ଏହାପରେ ନଦୀପଠା ଦେଇ ଯିବା ସମୟରେ କିଛି ସମୟ ସେଠାରେ ବସେ ମାୟା ସହ ବିଭିନ୍ନ ବିଷୟରେ କଥାହୁଏ । ଥରେ କଥାହେଉହେଉ ପଚାରିଲି ମାୟା ଏ ସବୁ ଯଦି ସୁନା ଏହାକୁ କେଉଁଠି ବିକ । ସେ ହସି କରି କହିଲା କର ଆଗ୍ୟା ଏଗୁଡା ନେଇ ବାଂଶପାଳରେ ବଣିଆଁ ଦୋକାନରେ ଦେଇଦିଏ । ମୁଁ ପଚାରିଲି ସେ କଣ ପଇସା ଦିଏ । ହସି କରି ମାୟା କହିଲା କିଟା କହିବି । ବଣିଆଁ ମେତେ ପାଂଚ ହଜାର ଟଙ୍କା ଦିଏ । ମୁଁ ବାବୁ ମୁରୁଖ ଲୋକ ଓଜନ କଣ ମୁଁ ତ ଜାଣିନି । ତେଣୁ ସେ ଯାହାଦିଏ ମୁଁ ରଖେ । ମାୟାର ସ୍ତ୍ରୀ ଚିନାମାଳୀ ତା ପାଇଁ ଖାଇବାକୁ ନେଇ ଆସିଯାଇଥିଲା । ମୁଁ ତେଣୁ କଥା ସେହିଠାରେ ରଖି ଯିବାପାଇଁ ଉଠୁଛି ଏହି ସମୟରେ ମାୟାର ସ୍ତ୍ରୀ ମୋତେ ଦେଖାଇ ମାୟାକୁ କହୁଥିବାର ଶୁଣିଲି କାଲି ବିଶ୍ରି ଠାକୁରାଣୀଙ୍କ ପୂଜା ବାବୁଙ୍କୁ କହୁନ ଆସିବେ । ମାୟା କିଛି କହିବା ପୁର୍ବରୁ ମୁଁ କହିଲି ହଁ ମୁଁ ନିଶ୍ଚୟ କାଲି ସନ୍ଧ୍ୟାବେଳେ ତୁମଘରକୁ ଯିବି । ତା ପରଦିନ ସନ୍ଧ୍ୟାବେଳେ ମାୟା ଘରେ ଗଜିପୁର ଗାଁର ଦେହୁରୀ ବୈରାଗୀ ଭାଇଙ୍କ ସହ ସିଂପୁର ଦରବାର ଘରେ ପହଂଚିଲି । ସେତେବେଳକୁ ଗାଁ ଦରବାରରେ ଧାଂଗଡା ଧାଂଗଡୀମାନେ ହାଣ୍ଡିଆ ପିଇ ଚାଂଗୁ ନାଚରେ ମାତିଥାନ୍ତି । ଭୋଗଦୋକାନ ଓ ଅନ୍ୟ ଦୋକାନ ସବୁ ଖୋଲିଥାଏ । ମୁଁ ମନେମନେ ମାୟାକୁ ଖୋଜୁଥାଏ । ସେହି ଗାଁର ଦେହୁରୀ ଗୋଟେ ଚେୟାର ଆଣି ଦେଲେ ମୁଁ ବସିବା ପାଇଁ । ମୁଁ ବସିବାକୁ ଯାଉଛି ମାୟା ଓ ତା ସ୍ତ୍ରୀ ଆସି ପହଂଚିଗଲେ । ଉଭୟ ମୋର ଦୁଇହାତକୁ ଧରି ଜୁହାରବୋ କହି ଜୁହାର କରିବା ପରେ ମାୟା କଥା ଆରମ୍ଭ କଲା ସାର୍

ଆପଣ ଆସିବେ ଏଇଟା ମୋର ହେତୁରେ ନଥିଲା । ଆପଣ ଆସିଲେ ବହୁତ ଭଲ କଲେ । ଟିକେ ଆମ ଭୂୟାଁମାନଙ୍କ ଆଜିର ପ୍ରସାଦ ହାଣ୍ଡିଆଟିକେ ହେଉ । ମୁଁ ହସି କରି ମନା କଲି ଓ ରାତିରେ ତୁମ ଘରେ ଖାଇବି ବୋଲି କହିଲି । ତୁ ବାବୁ ଆ ଆମ ଭୂୟାଁ ମାନଙ୍କ ସହ ଚାଂଗୁ ବାଡେଇବା ସହ ନାଚିବୁ କହି ମୋତେ ଚାଂଗୁ ବଜାଇ ନାଚ କରୁଥିବା ଧାଙ୍ଗଡାଧାଙ୍ଗଡୀ ମାନଙ୍କ ପାଖକୁ ନେଇଗଲା । ଜଣେ ଧାଙ୍ଗଡା ମୋତେ ଭିଡି ନେଉନେଉ ଗାଇ ଉଠିଲା "ଚାଂଗୁର କାଛେଣି ଚାଂଗୁର କାଛେଣି ,ଶୋଇଥିଲେ ବୋହୂ ଉଠିଆସିବ । ବସିଥିଲେ ବୋହୂ ଉଠିଆସିବ ।" ସେମାନଙ୍କ ସହ କିଛି ସମୟ ଚାଙ୍ଗୁନାଚ କରିବା ପରେ ମାୟା ଘରେ ପହଂଚିଲି । ମାୟାର ସ୍ତ୍ରୀ ଭାତ ,ରୁମାଡାଲି ବଇଂଗା ରାଇତା ଓ ବେଙ୍ଗଶାଗ କରିଥିଲା । ବହୁତ ଭୋକ ଲାଗୁଥିଲା । ଡେରି ନକରି ଖାଇ ବସି ପଡିଲି । ମୁଁ ଖାଉଛି ଏହି ସମୟରେ ମାୟାର ମା ଆସି ମୋ ନିକଟରେ ବସି ପଡିଲେ ଓ ମୋ ପିଠି ଆଉଁସି କହିଲେ ହଁ ବାବୁ ଭାତ୍ ଖାଇଦେ "ଭାତ୍ ଖାଇଲେ ମଣୁଷପଣିଆଁ ହେଏ । ମୁଁ କିଛି ବୁଝି ନପାରି ମାୟାର ମୁହଁକୁ ଚାହିଁଲି । ସେ ହସିକରି କହିଲା ମୋ ବୋଉ କହୁଛି ଭାତ ଖାଇଲେ ମଣିଷ ପଣିଆଁ ଆସେ । ଓହୋ କହି ମୁଁ ଖାଇବାରେ ମନ ଦେଲି । ଖାଦ୍ୟ ବହୁତ ସ୍ବାଦିଷ୍ଟ ଥିଲା । ଖାଇସାରି ପାଣି ପିଇ ଉଠୁଛି ମାୟାର ବୋଉ କହିଲେ ପୁଅ ଆମ ଭୂୟାଁମାନଙ୍କ ଖାଦ୍ୟ ପେଟକୁ ଗଲାତ । ମୁଁ କହିଲି ନା ନା ଖାଇବାଟା ବହୁତ ଭଲ ଲାଗିଲା । ସେ ବୁଝିଲେକି ନାହିଁ ମୁଁ ଜାଣିନି କିନ୍ତୁ କହିଲେ ଖୁଦ୍ ଭଜା ରାଜାକେ ନେହିଁ ଚଲବା । ମାୟା ଦଉଡିଆ ଖଟରେ ବିଛଣା ପକାଇ ଦେଇଥିଲା । ମୁଁ ବିଶ୍ରାମ ନେଲି ।

ସେହି ଦିନଠାରୁ ମାୟା ଓ ତାର ପରିବାର ସହ ମୋର ଘନିଷ୍ଠତା ବହୁତ ବଢିଗଲା । ସମୟ ମିଳିଲେ ସୁନାନଦୀ ପାଖରେ ମାୟା ସହିତ କଥାହୁଏ ଓ ବେଳେବେଳେ ତା ଘରକୁ ମଧ୍ୟ ଯାଏ । ଗୋଟେ ବର୍ଷ ମକରରେ ମଧ୍ୟ ମାୟା ଘରେ ଅତିଥି ମଧ୍ୟ ହୋଇଥିଲି । ତାର ଦଶ ବର୍ଷର ପୁଅ ଭୀମା ପାଇଁ ଡ୍ରେସ ନେଇ କରି ଯାଇଥିଲି । ପୁରା ପରିବାର କୃତ୍ୟକୃତ୍ୟ ହୋଇ ଯାଇଥିଲେ । ତାର ଛଅ ମାସପରେ ମୋର ଅନ୍ୟତ୍ର ବଦଳି ହୋଇଗଲା । ତେଣୁ ସେ ଅଂଚଳରୁ ମୋତେ ବିଦାୟ ନେବାକୁ ହେଲା । ଆସିବା ପୁର୍ବଦିନ ମାୟା ଘରକୁ ଯାଇଥିଲି । ମୁଁ ସେଠାରୁ ବିଦାୟ ନେଉଛି ଶୁଣି ପିଲାଙ୍କ ପରି କାନ୍ଦି ପକାଇଲା ମାୟା । ମୁଁ ତାକୁ ବୁଝାଇ କହିଲି ମାୟା ମୁଁ କେନ୍ଦୁଝର ଛାଡିନି । ତୁମେ ଯେତେବେଳେ ଚାହିଁବ ଏଠାରେ କାମ କରୁଥିବା ଆମ ସାଥିମାନଙ୍କ ହାତରେ ଖବର ଦେଲେ ମୁଁ ନିଶ୍ଚୟ ଆସିବି । ତା ଛଡା ମୋର ମୋବାଇଲ ନମ୍ବର ଗୋଟେ ଖାତାରେ ଲେଖିକରି ଖାତାଟା ତୁମକୁ ଦେଇ ଯାଉଛି ଇଛାହେଲେ କାହା ଫୋନରୁ ମୋ ନମ୍ବର ଲଗାଇ କଥାହେବ । ମୋତେ ଗୋଟେ ମିସକଲ ଦେଲେ ମୁଁ କଲବ୍ୟାକ୍ କରିବି । ତା ପର ଦିନ ତା ଘରୁ କେନ୍ଦୁଝର ଆସିଲି ।

ତାପରେ ପାଳଲହଡା,ବଣେଇଁ ଓ ଝାରସୁଗୁଡା ଜିଲ୍ଲା ମୋର କାର୍ଯ୍ୟ କ୍ଷେତ୍ର ହୋଇଗଲା । କାର୍ଯ୍ୟବ୍ୟସ୍ତତା ମଧ୍ୟରେ ବୁଡି ରହି ମାୟା କଥା ପୁରା ଭୁଲିଗଲି । ଦିନକର କଥା ମୁଁ ପାଳଲହଡାର ଜମରଡିହି ଗାଁରେ ପାହୁଡି ଭୂୟାଁମାନଙ୍କର ପାରମ୍ପରିକ ଅନୁଷ୍ଠାନ ଭୌମ୍ୟ ସମାଜର ଏକ ବୈଠକରେ ଥାଏ । ଏହିସମୟରେ ଗଜିପୁରର ଜୟନ୍ତୀର ଫୋନ କଲ୍ ଆସିଲା । ଫୋନ ରିସିଭ୍ କରିବା ପରେ ଯାହାଶୁଣିଲି ମୁଁ ସ୍ତବଦ ହୋଇଗଲି ।ଜୟନ୍ତୀ କହୁଥିଲା ସାର୍ ମାୟା ନଷ୍ଟ ହେଇଗଲା । ମୁଁ ପଚାରିଲି କିପରି ।କଣ ତାର ଦେହ ଖରାପ ଥିଲା । ଜୟନ୍ତୀ ତାର ଉତ୍ତରରେ କହିଲା ନା ସାର୍ ମାୟା ନଦୀକୂଳରେ ମାଟି ଖୋଳୁଥିବା ସମୟରେ ମୁଣ୍ଡ ଉପରେ ଥିବା ଏକ ବିଶାଳ ମାଟିଖଣ୍ଡ ତା ଉପରେ ପଡିବାରୁ ସେ ତା ତଳେ ଚାପି ହୋଇ ମରିଗଲା । ଆଖିରୁ ଦୁଇଠୋପା ଲୁହ ଆପେ ଆପେ ଗଡିଗଲା । ଫୋନ କାଟି କାର୍ଯ୍ୟକ୍ରମରେ ମନଦେଲି କିନ୍ତୁ ମନଟା ଭଲ ଲାଗୁ ନଥାଏ । ସୁନ୍ଦରଗଡ ଜିଲ୍ଲାରୁ ଆସିଥିବା ଭୂୟାଁ ପୀଢର ମହାସର୍ଦ୍ଦାର ବିଲୁଆ ଭାଇ ମୋର ବିଷର୍ଣତା କାରଣ ପଚାରିବାରୁ ନା କିଛି ନାହିଁ ମୋର ଜଣେ ଅତି ନିଜର ଲୋକ ନଷ୍ଟ ହୋଇଗଲେ କହି କଥାଟାକୁ ଆଡେଇଗଲି ।ତାର ଦୁଇଦିନ ପରେ ଜଣେ ସାଥିଙ୍କସହ ସିଂପୁର ବାହାରିଗଲି ।

ମାୟା ଘରେ ପହଂଚୁ ପହଂଚୁ ଦିପହର ହୋଇଗଲା ।ଦାଣ୍ଡରେ କିଛି ସମୟ ଠିଆହେବା ପରେ ମାୟାର ବୋଉ ଜଂଗଲ ଯାଇଥିଲେ ଆସି ପହଂଚିଲେ ।ଆମକୁ ଦେଖି ଘର ଭିତରକୁ ଡାକିଲେ ।ଘରେ ଦଉଡିଆ ଖଟିଆରେ ବସିବା ପରେ ମାୟାର ମା କାନ୍ଦକାନ୍ଦ ହୋଇ କହିବା ଆରମ୍ଭ କଲେ ।ବାବୁ ସବୁଦିନପରି ସେ ଦିନ ମଧ୍ୟ ପୁଅ ସୁନା ନଦୀକୁ ଗଲା ମାଟିତାଡି ଧୋଇ ସୁନା ଆଣିବା ପାଇଁ ।ପୁଅ ମାଟି ଖୋଳୁଥିବା ସମୟରେ ଉପରେଥିବା ମାଟିଖଣ୍ଡଟା ତା ଉପରେ ଲଦିହୋଇଗଲା ।ଚାପିହୋଇ ସେ ତା ତଳେ ରହିଗଲା ।ସେତେବେଳେ ସେଠି କେହି ଲୋକବାକ ନଥିଲେ ।ପୁଅର ତାତଳେ ଜୀବ ଚାଲିଗଲା ।ମାୟାର ସ୍ତ୍ରୀ ପାଖରେ ପୁଅ ଭୀମାସହ ଠିଆହୋଇଥାଏ । କଣ କହି ସେମାନଙ୍କୁ ସ୍ବାନ୍ତନା ଦେବି ବୁଝିପାରୁନଥାଏ । ମୋ ମନକୁ ଗୋଟିଏ କଥା ଆସୁଥାଏ ସୁନାନଦୀରେ ଥିବା ସୁନା ପ୍ରତି ମାୟାର ଆହେତୁକ ମାୟା ତାର ଅକାଳ ମୃତ୍ୟୁର କାରଣ ହେଲାନିତ । ଜୀବନସଂଗ୍ରାମରେ ପେଟ ଚାଖଣ୍ଡକ ପାଇଁ ସଂଗ୍ରାମ କରି କେତେଯେ ମାୟା ଅକାଳରେ ଝରିପଡୁଛନ୍ତି ତାର ଇଅତ୍ତା ନାହିଁ ।ସମୟ ହୋଇଯାଇଥିଲା ଯିବାର ।ମାୟାର ମାକୁ ତିନି ହଜାର ଟଙ୍କା ତାର ଶୁଦ୍ଧକ୍ରିୟାରେ ଖର୍ଚ୍ଚ କରିବା ପାଇଁ ଦେଲି ।ସେ କିନ୍ତୁ ଟଙ୍କା ଗ୍ରହଣ ନକରି କହିଲେ ବାବୁ ମୁଁ ପଇସା କିଟା କରିବି ।ମୋର ଗୋଟିଏ ପୁଅ ଚାଲିଗଲା କିନ୍ତୁ ଆଉଗୋଟେ ପୁଅ ତୁତ ଅଛୁ । ମୁଁ ହତବାକ୍ ହୋଇଗଲି । ଦଶାହ କ୍ରିୟାକୁ ଆସିବାର କଥାଦେଇ ମାଙ୍କୁ ପ୍ରଣାମ କରି କେନ୍ଦୁଝର ବାହାରିଲି ।


Rate this content
Log in

Similar oriya story from Tragedy