Satyabati Swain

Inspirational

2  

Satyabati Swain

Inspirational

ସୁନା

ସୁନା

6 mins
173



ସମୟ ଦୌଡ଼ୁଛି,ତା ସହ ବୟସ ବି । ବର୍ତ୍ତମାନ ଜୀବନ ସର୍ବସ୍ବ ଦାର୍ଶନିକ ତତ୍ତ୍ୱ ଖାଲି ଆଗକୁ ଦୌଡ଼ ମନ ମାନେନି । ସେ ବାରମ୍ବାର ଦୌଡେ ପଛକୁ;ଶରୀର ,ପାଦ ବର୍ତ୍ତମାନରେ ଆଗକୁ ଚାଲୁଥାନ୍ତି,ବେକଠାରୁ ଭାଙ୍ଗି ମୁହଁ,ଆଖି ,ହୃଦୟ ଚାଲନ୍ତି ପଛକୁ ବେଳେବେଳେ । ସେଇ ପଛକୁଚାହିଁବାରେଥାଏ ଅଜସ୍ର ଆନନ୍ଦ,ଅମାପ ଖୁସି । ମିଠା ମିଠା ଯନ୍ତ୍ରଣା । ଆବେଗ ଓ ଖୁସି ଭର୍ତ୍ତୀ ଦରଜ । ଅବଶ୍ୟ କେତଟା କ୍ଷତରୁ ରକ୍ତ ଝରେ ଉଖାରି ହୋଇଗଲେ । ଲାଗେ କିନ୍ତୁ ହାଲକା ।


ମୁଁ ସେପରି ନାମୀ ଦାମୀ ବ୍ୟକ୍ତିତ୍ୱ ଟିଏ ନୁହେଁ । ନାହିଁ ମୋର ଲବ୍ଧ ପ୍ରତିଷ୍ଠା, କ୍ଷମତା । କିନ୍ତୁ ମୋ ଚାରିପାଖ ଲୋକ କୁହନ୍ତି ମୁଁ କୁଆଡେ ଭଲ ମଣିଷଟିଏ,ପାଠୋଇ ଟିଏ । କ୍ୟାରିଅର ସବୁଥିରେ ପ୍ରଥମ ଶ୍ରେଣୀ । ମୋ ବେଶ ଭୁଷା,କଥାବାର୍ତ୍ତାରେ ଓଡ଼ିଆ ବାସ୍ନା । ଦେଖେଇ ହେବା ଗୁଣ କି ଚରଣେ ଦେଖି ଭରଣେ କହିବା ପରି ମାନସିକତା ନାହିଁ । ଖୁବ୍ ଚୁପ୍ ଚାପ୍ । ହସ ମୋତେ କେବେ ଭଲ ପାଇଛି ମୁଁ ଜାଣିନି । ଏଇଥି ପାଇଁ ଯେ ପିଲା ମନରେ ଅନେକ ପ୍ରିୟ ମଣିଷଙ୍କୁ ସବୁ ଦିନ ହଜେଇ ଦେବା ଦୁଃଖର ପାହାଡ଼ ତଳେ ଅଣ ନିଃଶ୍ଵାସୀ ମୁଁ । ନିଜକୁ ଯୁଆଡେ ଚାହେଁ ଏକା ହିଁ ପାଏ । ଏଣୁ ନିର୍ଜନତା ଓ ନୀରବତା ମୋର ପ୍ରିୟ ବନ୍ଧୁ । ନିଜ ମନ ଖୁସି କରିବା ପାଇଁ ଗପ କବିତା ଲେଖେ । ସେଇ ଗପ କବିତାଙ୍କ ସହ ମୁଁ ଅତି ସହଜ ହୋଇପାରେ ଅନ୍ୟମାନଙ୍କ ଅପେକ୍ଷା । ସାଇକେଲରୁ ସ୍କୁଟି ପର୍ଯ୍ୟନ୍ତ ଚଳାଇ ପାରେ । ମୁଁ ସେଇ ସମୟ କଥା କହୁଛି ;ଯେଉଁ ସମୟରେ ମୋ ଗାଁ ଦାଣ୍ଡରେ ଚିକିଟା ଆଣ୍ଠୁଏ କାଦୁଅ ପାଣି ଥିଲା । ଯେଉଁ ସମୟରେ ସାଇକେଲ ଟିଏ ଝିଅ ଚଳାଇଲେ ଲୋକେ କହୁଥିଲେ ଅଣ୍ଡିରି ଚଣ୍ଡି । ଝିଅ ଓ ପୁଅ ମନୋଭାବ ଅତି ଉତ୍କଟ ।


ଅବଶ୍ୟ ଗାଁ ରେ ନଥିଲୁ ଆମେ । କଲିକତା ଗଙ୍ଗା ଧାର ଉପରେ ଦୁଇମହଲାର ଉପର କ୍ୱାଟରରେ ଆମେ ରହୁଥିଲେ ବି ଆମ ଗାଁ ସଭ୍ୟତା,ସଂସ୍କାର ସବୁ ଖୁନ୍ଦି ଖା ନ୍ଦି ବନ୍ଧା ହୋଇଥିଲା ମୋ ବୋଉ ପଣତରେ ।


ସେଥିପାଇଁ ବୋଧେ ଗାଁ ର ସବୁ ଲକ୍ଷ୍ମଣଗାର ପାରି ହୋଇ ରେଭେନ୍ସା ରେ ପହଂଚିବାରେ ସଫଳ ହୋଇଥିଲି । ଏହା ପଛରେ ଗୋଟିଏ ଘଟଣା ଓ ଗୋଟିଏ ହାତ ଥିଲା ।


ମୋର ସ୍ପଷ୍ଟ ମନେ ଅଛି ଥରେ ମୋ ବୋଉ କୋଇଲା ଆଞ୍ଚରେ ରୋଷେଇ କରୁଥାଏ । ମୋ ବୟସ ସେତେ

ବେଳେ କେତେ ଜାଣିନି । ଖେଳୁଥାଏ ବୋଉ ପାଖେ । ବାପା ଆସି ବୋଉକୁ କହିଲେ"ଏ ବୁଇଟି ଆମ ସବୁ ଛୁଆଠାରୁ ରୋଗୀଣା,ନା ପସନ୍ଦ,ମେଘ ଭଳିଆ ରଙ୍ଗ । ଅବଶ୍ୟ ପରେ ମୋ ରଙ୍ଗ ଫିଟିଥିଲା । ତାକୁ ଟିକେ ପଢା ପଢି କରାଅ"ବାପା ଆଲମ୍ ବଜାର ଜୁଟ୍ ମିଲ୍ ର ଜେନେରେଟର ଅପରେଟର ଥିଲେ । ଯାହା ଏବେ ଜଣେ ଇଞ୍ଜିନିୟରର କାମ । ବାପା ଆମ ଗାଁର ସବୁଠାରୁ ବଡ଼ ପଢୁଆ ଥିଲେ । ମୋ ଦୁଇ ଭାଇ ଓ ଦୁଇ ଭଉଣୀ ସହ ଜେଜେ ରୁହନ୍ତି ଗାଁ ରେ । ବୋଉର ହାର୍ଟ ରୋଗ ଥିଲା । ଏଣୁ ସେ କଲିକତା ଡାକ୍ତର ଖାନାରେ ମାସକୁ ଥରେ ନିଶ୍ଚିନ୍ତ ଚେକ୍ ଅପ୍ ହୁଏ । ଯେଉଁଥି ପାଇଁ ମୋ ଜନ୍ମ ଓ ପାଞ୍ଚ ବର୍ଷ କଟିଛି ସେଇଠି ।


ବାପାଙ୍କ ସେଇ କେଇପଦ ପଦ କଥା ମୋ ପାଇଁ ବେଦ ବାକ୍ୟ ହେଇଗଲା । କାରଣ ପାଞ୍ଚ ଭାଇ ଭଉଣୀରେ ମୁଁ ସବା ସାନ । ସମସ୍ତେ ତକ ତକ ଗୋରା ସାହେବ ଛୁଆ ପରି । ମୁଁ ମେଘୁଆ ରଙ୍ଗ ପୁଣି ନହକା ବେତ ପରି । ରୋଗୀଣା ବି । ସେଦିନ କାଇଁକି କେଜାଣି ପାଠ ଗୋଟିଏ ଏମିତି ଜିନିଷ ତାକୁ ପଢିଲେ ମୁଁ ଗୋରା ନହେଲେବି ଗୋରା ଦିଶିବି!! ସୁନ୍ଦର ଦିଶିବି!!ମୋ ଭାଇ ଭଉଣୀ ସଂଗେ ମିଶି ପାରିବି!!ଏକଥା ମୋ ପିଲା ମନକୁ ଆନ୍ଦୋଳିତ କଲା ।


ବାସ!!ଆଉ ପଛକୁ ଚାହିଁନି ମୁଁ । ପାଠକୁ ଖୋଜିଲି ଦିନ ରାତି । ଜୋବୋଡି ଧରିଲି କଷି କରି । ଆପେ ଆପେ

ବିନା ଦିଗ୍ଦର୍ଶନରେ ମୋତେ ପାଞ୍ଚ ବର୍ଷ ହେଲା ବେଳକୁ ପଞ୍ଚମ ପାଠ ସରିଥିଲା ପୁଣି ଘରୋଇ ଭାବେ । ବାପା ଓ ବୋଉ ପଢ଼ାଉଥିଲେ । ଅବଶ୍ୟ ଆମ ପଡିଶା ଘର ସୁକୁମାର ମିତ୍ର ଦା ମୋତେ ବଙ୍ଗଳା ଶିଖାଇବାରେ ସାହାଯ୍ୟ କରିଥିଲେ । ବୋଉର ବାରମ୍ବାର ଦେହ ଖରାପ ହେବାରୁ ମୋ ବଡ଼ ଭାଇ ଠିକ୍ ଅଠର ବର୍ଷ ପୁରୁ ପୁରୁ ବାହା କରି ଦିଆ ଗଲା । ବୋହୁ ଟି କଣ ଘରେ ଏକା ରହିବ? ଏଣୁ ବୋଉ ଗାଁ କୁ ଆସିଲା । ତା ସହ ମୁଁ ବି ।

ଗାଁ ସ୍କୁଲରେ ମୋ ନାଁ ଲେଖା ଗଲା । ବାପା ମଝିରେ ମଝିରେ ଆସି ବୋଉକୁ ଚେକ୍ ଅପ୍ ପାଇଁ ନିଅନ୍ତି । ମୁଁ ବି କଲିକତାରୁ ଗାଁ ହୋଇ ହୋଇ ବିରକ୍ତ ଲାଗେ । କିନ୍ତୁ ବୋଉକୁ ଛାଡି ରହି ପାରେନି । ରାତିରେ ବୋଉ ମୋର ନିହାତି ଦରକାର । ଛାତି ଦରାଣ୍ଡି କଙ୍ଗାରୁ ଛୁଆ ପରି ତା ପେଟ ସନ୍ଧିରେ ନ ପଶିଲେ ମୋତେ ନିଦ ହୁଅନି ।


ବୋଉ ବାପାଙ୍କୁ କୁହେ ବୁଇ ତାର ସବୁ ବହି ପଢି ସାରିଲାଣି । ଉଦାସ ଲାଗୁଛି ସେଇ ପୁରୁଣା ବହି ଧରି । ବାପା ମୋତେ ଟେଷ୍ଟ କରନ୍ତି ସେ ବୋଉ ଠାରୁ ମୋ ପଢା କଥା ଶୁଣି । ବାପା ଯାହା ପଚାରିଲେ ମୁଁ ଠିକ୍ ଠିକ୍ ଉତ୍ତର ଦେଇଦେଉଥିଲି । ବାପା କାବା ହୋଇ ପଚା

ରିଲେ ତୁ ଏସବୁ କେମିତି ଶିଖିଲୁ ସ୍କୁଲରେ ତ ପଢା ହୋଇ ନଥିବ ଏସବୁ । ବର୍ଷ ସରିବାକୁ ଆହୁରି ଛଅ ମାସ ବାକି ଅଛି !


ମୁଁ କହିଲି ଆପଣଙ୍କ ଠାରୁ,ଆପଣଙ୍କ ପାଇଁ ।


ବୋଉକୁ କହୁ ନଥିଲେ" ମୁଁ ମେଘ ରଙ୍ଗୀ, ସବୁ ପିଲାଙ୍କ ଠାରୁ ଆପଣଙ୍କର ଅସୁନ୍ଦର ଝିଅ, ପାଠ ପଢିଲେ ସୁନ୍ଦର ହେଇଯିବି ମୋ ଭାଇ ଭଉଣୀଙ୍କ ପରି ଦେଖା ଯିବି" । ସେଇଥି ପାଇଁ ମୁଁ ପାଠ ପଢୁଛି । ଆପଣ ଯେଉଁ ଯାଏ କହିବେ ସେ ଯାଏ ପଢିବି ।


ବାପା ମୋ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । କୋଲେଇ ନେଇ କାନ୍ଦି ପକାଇଲେ ।


ସେ ବୋଧେ ଅନୁତାପ କରୁଥିଲେ ମୋରି ଆଗେ ମୋ ନିକମା ଗୁଣ ପ୍ରକାଶ କରିଥିବାରୁ । କିନ୍ତୁ ତୋତେ ତ ଅଢେ଼ଇ ବର୍ଷ ବି ପୁରି ନଥିଲା ! କେମିତି ବୁଝିଲୁ ପୁଣି ମନେ ରଖିଲୁ ଏ କଥା ! ବାପାଙ୍କ ଆଖିରୁ ଧାର ଧାର ଲୁହ ଗଡୁଥିଲା ଖୁସିରେ ଆଉ ଦୁଃଖରେ ବି । ଖୁସିରେ ଏଇଥିପାଇଁ ଯେ ଗୁଣର ଝିଟିଏ ଈଶ୍ବର ଦେଇଛନ୍ତି ତାଙ୍କୁ;କାନ୍ଦୁଥିଲେ ହୁଏତ ଏଇଥି ନେଇ ଯେ ମୋ ପିଲା ମନରେ କେଉଁଠି ଆଘାତ କରିଛନ୍ତି ସେ ।


ତା ପରଠାରୁ ପାଠ ହିଁ ମୋ ଜୀବନର ଶେଷ୍ଠ ବନ୍ଧୁ ହୋଇଗଲା । ବାପା ବି ମୋତେ ଉତ୍ସାହିତ କଲେ । ରାମାୟଣ,ମହାଭାରତ ସମସ୍ତ ଶିକ୍ଷଣୀୟ କାହାଣୀ ମୋତେ ଶିଖାଇଲେ । ପଞ୍ଚମଠାରୁ ଏମ୍ ଏ ଯାଏ ସବୁଥିରେ ବୃତ୍ତି ପାଇଲି । ବାପା ବେଶୀ ଖୁସି ହେଲେ ଯେଉଁଦିନ ମୁଁ ଦଶମ ମେଟ୍ରିକ ପରୀକ୍ଷାରେ ବୟାନବେ ଶତକତା ନମ୍ବର ରଖି ପାସ କଲି । ସେତେବେଳେ ବିନା ଟିଉସନ ବିନା ଗାଇଡ଼ ରେ ବୟାନବେ ଶତକଡା ନମ୍ବର ଗୋଟେ ବଡ଼ ସଫଳତାରେ ଗଣା ହେଉଥିଲା ।


ଥରେ ବାପା କାଳିଦାସ ଗପ କହିଥିଲେ ମୋତେ । ମହା ମୁର୍ଖରୁ ସେ କେତେ ବହି ଲେଖିଲେ!!"ମୁଁ କଣ କିଛି ଲେଖି ପାରିବି ବାପା !"କୋମଳ ଜିଜ୍ଞାସାରେ ପଚାରିଥିଲି ମୁଁ ।


ବାପା କହିଲେ ହଁ କାଇଁକି ପାରିବୁ ନାହିଁ । ମୋ ସୁନା ଝିଅ ସବୁ ପାରିବ...ସୁନା !ବାଃ ମୁଁ ଏହା ଭିତରେ ବାପାଙ୍କ ମେଘ ରଙ୍ଗୀ ଝିଅଟି ସୁନା ରଙ୍ଗ ହୋଇଯାଇଛି !! ସୁ....ନା...ବାପାଙ୍କ ସବୁଠାରୁ ଗେଲ୍ହା । ଘଡ଼ିଏ ନଦେଖିଲେ ବାପା ବଣା ହୋଇ ଯାଉଥିଲେ ମୋ ପାଇଁ ।


ମୁଁ ବଣା ହୋଇ ଯାଉଥିଲି ପାଠ ପାଇଁ । ବିନା ଟିଉ

ସନରେ ଶ୍ରେଣୀରେ ଦୁଇଶହ ଚାଳିଶି ପିଲାଙ୍କ ମଧ୍ୟରେ ପ୍ରଥମ ହେଉଥିଲି । ଖେଳରେ ବି ଚମ୍ପିୟାନ । ଘରୁ ବାହାର ଯାଏ ସବୁଠି ମୋର ଆଦର । ଘର ଠାରୁ ହାଇସ୍କୁଲ ବହୁ ଦୂର । ବାପା ହିଁ ମୋତେ ସାଇକଲ ଶିଖାଇ ସ୍କୁଲ ପଠାଇଲେ । ଏଥିପାଇଁ ବହୁତ ଅପମାନିତ ହୋଇଛନ୍ତି । ସେ ଝିଅ ପିଲାଟାକୁ ଅଣ୍ଡିରାଙ୍କ ପରି ସାଇକେଲ ଶିଖାଉଛନ୍ତି ବୋଲି ବହୁତ କଥା ବି ଶୁଣି ଛନ୍ତି । ମୋତେ କିନ୍ତୁ କୁହନ୍ତି "ତୁ କାହା କଥା ଶୁଣୁ ନା ମୁଁ ପା ଅଛି" ।


ସେତେ ବେଳେ ଶିକ୍ଷକଙ୍କୁ ଭାରି ସମ୍ମାନ । ବାପାଙ୍କ ଇଚ୍ଛା ମୁଁ ପାଠ ପଢି ଜଣେ ଭଲ ଶିକ୍ଷକ ହେବି । ଯଦିଓ ଅଲଗା ଚାକିରୀ କରିବାର ମୋ ପାଖେ ଯୋଗ୍ୟତା ଥିଲା କେବଳ ବାପାଙ୍କ ମନ ଖୁସି ପାଇଁ ଆଜି ମୁଁ ଜଣେ ଶିକ୍ଷକ । ପ୍ରଥମ ଶିକ୍ଷକ ସମ୍ମାନ ପାଇଛି ବି । ସବୁଦିନ କିଛି କିଛି ଲେଖା ଲେଖି କରୁଛି ମଧ୍ୟ ।


ବାପା ତ ମୋତେ ମେଘରୁ ସୁନା କରିଦେଲେ । କିନ୍ତୁ ଏଇ ମେଘ ରଙ୍ଗୀ ଝିଅଟିର ଭଲ ପଢ଼ା କି ତାଙ୍କ ଇପ୍ସିତ ଚାକିରି କରି ପ୍ରଥମ ମାସର ଦରମା ତାଙ୍କ ହାତରେ ଥୋଇବାର ସୁଖ ମୋ କପାଳରେ ନଥିଲା । ବାପା ବୋଉ ଦୁହେଁ ଡକା ଡ଼କି ହୋଇ ମୋତେ ଭାଇ ଭାଉଜଙ୍କ ପାଖେ ଛାଡି ଚାଲି ଯାଇଥିଲେ । ଯେତେବେଳେ ଯେଉଁ ସୌଭାଗ୍ୟ ମିଳିଛି ଆକାଶକୁ ଅନାଇଁ କହିଛି ବାପା! ବୋଉ ହେଇ ଦେଖ ଏଇଟି ମୋତେ ଆଜି ମିଳିଛି । ସେ ସାର୍ଟିଫିକେଟ ,ଟ୍ରଫି କି ଅର୍ଥ ରାଶି । ଏପରିକି ମୋର ପିଲା ଜନ୍ମ ହେଲା ବେଳେ ବି ପିଲା ଟେକି କହିଛି ଦେଖ ବାପାବୋଉ! ଏ ମୋତେ ଆଜି ମିଳିଛି । ସବୁ ଖୁସିରେ ସବୁ ଦୁଃଖରେ ମୁଁ ସେମାନଙ୍କୁ ଖୋଜିଛି ଓ ମୋ ପ୍ରାଣ ଭୋ ଭୋ ହୋଇଛି ।


ପୁଣି ଧକ୍କା!

 

ମୁଁ ଅତ୍ୟଧିକ ବାପା ପରି ଭଲ ପାଉଥିବା ଭାଉଜ ଓ ପରେ ପରେ ଭାଇ ହାର୍ଟ ଆଟାକ୍ ରେ ବାପା ବୋଉଙ୍କ ପାଖକୁ ଚାଲି ଗଲେ । ବାପା କମ୍ ବୟସରେ ସେଇ ହାର୍ଟ ଆଟାକ୍ ରେ ଆମକୁ ଛାଡି ଯାଇଥିଲେ । ବୋଉ କେବଳ ତା ରୋଗ ପାଇଁ ମରିଥିଲା । ଏଇ ହାର୍ଟ ଆଟାକ୍ କଥା ଶୁଣିଲେ ମୋ ଭିତରେ "ଭୂମି କମ୍ପ" ହୁଏ ।

 

ମୁଁ ଆଜି "ଏଇଠି" ବାପା କେବଳ ଆପଣଙ୍କ ପାଇଁ । ନାହାଁନ୍ତି ଆପଣ ସଶରୀରରେ;କିନ୍ତୁ " ଅଛନ୍ତି " ମୋ ଆତ୍ମାରେ,ହୃଦୟରେ । ସେମିତି ରହିବ ମୋ ଯୁଇ ଜଳିବା ପର୍ଯ୍ୟନ୍ତ । ଏବେ ଯାଏ ବି ଆପଣଙ୍କ ହାପ ସ୍ବେଟର୍ ଟି ସାଇତି ରଖିଛି । ସିମେଣ୍ଟ କଲର୍ । ତାକୁ ଛୁଇଁଲେ ଆପଣକୁ ଛୁଇଁ ହୋଇଯାଏ ।


ମୋ ପିଲାଙ୍କୁ ପଢେଇଲା ବେଳେ, ବାପା ! ତୁମେ ଭାରି ମନ ପଡ଼ ।



Rate this content
Log in

Similar oriya story from Inspirational