STORYMIRROR

Biswanath Nayak

Tragedy

3  

Biswanath Nayak

Tragedy

ସୁନା କଙ୍କଣ ------

ସୁନା କଙ୍କଣ ------

15 mins
192


ଆଷାଢ଼ ମାସ। ଚୁଲି ଉପରେ ବସିଥିବା ଭାତ ହାଣ୍ଡିଟାକୁ ଚଟୁରେ ଗୋଳେଇ ଦେଇ ଦୁଆରକୁ ଆସି ଆକାଶକୁ ଚାହିଁଲା ସେବତୀ।

ସୂର୍ଯ୍ୟ ଆସି ମୁଣ୍ଡ ଉପରେ ହେଲେଣି। ଆକାଶରେ ଭାସୁଥିବା କଳା ବାଦଲଟା ଯୋଗୁ ପାଗଟା କୋହଲିଆ ଜଣା ପଡିଲେବି ମେଘୁଆ ଖରାଟା ଟାଇଁ ଟାଇଁ କରି କାଟୁଛି। ସକାଳ ପହରୁ ହଳ ନେଇ ଗଉରା ବିଲକୁ ଯାଇଛି ଯେ ଏଯାଏ ଦେଖାନାହିଁ। ସେବତୀର ମନଟା ଗୋଳେଇ ଘାଣ୍ଟି ହେଉଥିଲା। ସକାଳୁ ଦିମୁଠା ଭଲରେ ଖାଇଥିଲେ ଏତେ ଚିନ୍ତା କରିବାକୁ ପଡି ନଥାନ୍ତା। ଚାଷ ଜମି ପାଖକୁ ଯିବା କଥା ପଡ଼ିଲେ ଭୋକ ଶୋଷ ସବୁ ଭୁଲିଯିବେ ସିଏ। ଖାଇବାକୁ ବାଧ୍ୟ କଲେ କହିବେ ,ମାଟି ପରା ଆମର ମା। ସେ ବର୍ଷସାରା ଆମକୁ ଦାନା ଯୋଗାଉଛି । ତେଣୁ ତା ସେବାରେ ଅବହେଳା କଲେ କ'ଣ ଚଳିବ?  

ଚୁଲି ଭିତରକୁ ଜାଳଟା ଦେଇ ବାରି ପଟରେ ହମାଳୁଥିବା ଗାଈଟା ଆଗରେ ନଡ଼ା ପକାଇବାକୁ ଚାଲିଗଲା ସେବତୀ। ଏକଣ? ପଦୁଅଁ ପୋଖରୀ ପଟରୁ ଘଡ଼ଘଡ଼ି ମାରି କଳା ହାଣ୍ଡିଆ ମେଘଟା ଉଠେଇ ଆସିଲାଣି। ବଳଦ ଦି'ଟା ଓଦା ହୋଇଯିବେ। ହଳ ଫିଟେଇ ଚାଲି ଆସିଲେ ହୁଅନ୍ତାନି। ଗାଈଟାକୁ ଗୁହାଳ ଘରେ ବାନ୍ଧି ଦେଇ ଦାଣ୍ଡ ପିଣ୍ଢାକୁ ଆସି ଗଉରାର ଆସିବା ବାଟକୁ ଚାହିଁ ରହିଲା ସିଏ। ଘଡ଼ଘଡ଼ିଟାଏ ମାରିଲା ବେଳକୁ ତା ଛାତିରୁ ଦଲକାଏ ନିଆଁ ଖସି ପଡୁଥାଏ। ମନେମନେ ଠାକୁରଙ୍କୁ ଡାକୁଥାଏ, ହେ ପ୍ରଭୁ! ଭଲରେ ଭଲରେ ଇଏ ଆସି ଘରେ ପହଞ୍ଚନ୍ତୁ। ଏତିକି ବେଳେ ପୋଖରୀ ହୁଡ଼ା ବାଙ୍କ ନିକଟରେ ଗଉରାର ପାଟି ଶୁଣି ସେ ଟିକେ ଆଶ୍ବସ୍ତ ହେଲା। 

    ବଳଦ ଦି'ଟାଙ୍କୁ ଗୁହାଳେ ବାନ୍ଧି ଗଉରା କହିଲା, ବୁଝିଲ , ଧୂମାଳିଆ ପବନରେ ମେଘଟା ଉଡ଼ିଗଲା। ତୁଚ୍ଛାଟାରେ ମୁଁ ଏତେ ବେଳାବେଳି ହଳଟାକୁ ଫିଟେଇ ଆଣିଲି। ସେବତୀ କହିଲା,ତୁମକୁ ବେଳ ବୋଧେ ଜଣା ଯାଉନାହିଁ।ଦିନ ପରା ଦି'ଟା ବାଜିବ। ଗାଧୁଆ ପାଧୁଆ ସାରି ଖାଇବ ଆସ। 

     ଗଉରାର ଖାଇବା ଥାଳି ପାଖରେ ବସି ସେବତୀ କହିଲା, ବୁଝିଲ, ତୁମ ସାଙ୍ଗ ହରିଆ ଆଜି ହାଇଦ୍ରାବାଦରୁ ଆସିଛନ୍ତି। ତାଙ୍କ 

ସ୍ତ୍ରୀ ମାଳତୀ ପାଇଁ ହଳେ ସୁନା କଙ୍କଣ ଆଣିଛନ୍ତି। ଭାରି ସୁନ୍ଦର ହୋଇଛି। ଆଜି ଗାଧୋଇବା ବେଳେ ପୋଖରୀ ଘାଟରେ ମାଳତୀ ମୋତେ ସେ କଙ୍କଣ ଦେଖାଉଥିଲେ। 

କାଇଁ ତୁମର କଣ ସେ କଙ୍କଣ ଦେଖି ଲୋଭ ‌ହେଉଛି ନା କ'ଣ? ସେବତୀ କିଛି ନକହି ଚୁପ୍ ରହିଲା।

ଗଉରା ସେବତୀର ମନକଥା ବୁଝି ପାରୁଥିଲା।ତା ପାଇଁ ସୁନା କଙ୍କଣ ଦିପଟ ଆଣିବାକୁ ତା'ର ବି ଅନେକ ଦିନରୁ ଇଚ୍ଛା। ହେଲେ ସେ କଣ କରିବ ? ଏତେ କମ ରୋଜଗାର ଭିତରେ କଙ୍କଣ କିଣିବା କଥା ମନ ଭିତରକୁ ଆସିଲେ ତା ମନଟା କେମିତି ଆପେ ଆପେ ଦବିଯାଏ। ସା‌ହିର ଅନ୍ୟ ଝିଅ ବୋହୂ ମାନଙ୍କ ହାତରେ ସୁନାର କଙ୍କଣ ଦେଖିଲେ ସେବତୀ କଥା ଭାବି ତା ମନ ଭିତରଟା କେମିତି ଗୋଳେଇ ଘାଣ୍ଟି ହୋଇଯାଏ। ପାଣି ଚୁଡ଼ି ଚାରିପଟ ହାତରେ ପିନ୍ଧି ଥିଲେବି ସେବତୀର ହାତଟା ଗଉରା ଆଖିକୁ କେମିତି ଫୁଙ୍ଗୁଳା ଫୁଙ୍ଗୁଳା ଦେଖାଯାଏ। କାହିଁକି ନା ସେବତୀ ବାହା ହୋଇ ଆସିଲା ବେଳେ ତା ବାପଘରୁ ଯେଉଁ ସୁନା କଙ୍କଣ ଦିପଟ ପିନ୍ଧିକରି ଆସିଥିଲା ଚାଷ ପାଇଁ ସାହୁକାର ଠାରୁ ଆଣିଥିବା ଋଣ ଟଙ୍କା ଶୁଝିବା ପାଇଁ ଗଉରା ତାକୁ ବିକ୍ରି କରି ଦେଇଥିଲା ଏବଂ ସୁବିଧା ଦେଖି ତାକୁ କଙ୍କଣ ଦିପଟ କିଣିଦେବ ବୋଲି ମଧ୍ୟ କହିଥିଲା। କିନ୍ତୁ ତା ପାଖରେ ପଇସା ହେଉ ନଥିଲା କି ସେ ସେବତୀକୁ ଦେଇଥିବା କଥା ରଖି ପାରୁ ନଥିଲା। ବରଂ ଅଭାବ ଭିତରେ ସବୁବେଳେ ଆଜି କାଲି କହି ଦିନ ଗଡ଼େଇ ଚାଲିଥିଲା। ଏକେତ ସେ ନିଜେ ତା ପାଇଁ କିଛି ସୁନା ଜିନିଷ ତିଆରି କରି ନଥିଲା ଓଲଟି ତା ବାପଘରୁ ଆଣିଥିବା ଜିନିଷକୁ ନିଜ ଅସୁବିଧା ପାଇଁ ବିକ୍ରି କରି ଦେଇଥିଲା। ସେଥିପାଇଁ ସେବତୀ କିଛି ନ କହିଲେ ବି ଗଉରାକୁ ଭାରି ଦୋଷୀ ଦୋଷୀ ଲାଗୁଥିଲା। 

    ଭାତ ଗୁଣ୍ଡାଟା ହାତରେ ଧରି ଏହି କଥା ଭାବୁ ଭାବୁ ସେବତୀର ଡାକରେ ଭାବନା ରାଜ୍ୟରୁ ଫେରି ଆସିଲା ସିଏ।

ଖାଇବା ଛାଡ଼ି କଣ ଏତେ ଭାବୁଛ ଯେ? 

ତୁମ ପାଇଁ କଙ୍କଣ ତିଆରି କରିବା କଥା ଭାବୁଥିଲି ଯେ ହେଲେ କଣ କରିବି? ଅଭାବ ତ କେବେହେଲେ ମୋ ପିଛା ଛାଡୁନି।ହେଲେ ତୁମେ ଜମା ମନ ଉଣା କରନା। ଠାକୁରଙ୍କ ଦୟାରୁ ଏ ବର୍ଷ ଯଦି ଭଲ ଫସଲ ହୁଏ ତାହେଲେ ମୁଁ ନିଶ୍ଚୟ ତୁମ ପାଇଁ ସୁନା କଙ୍କଣ ଦିପଟ ତିଆରି କରି ଦେବି। କଥାଟା ଶୁଣି ନଶୁଣିଲା ପରି ସେବତୀ ଚୁପ୍ ରହିଲା। କାରଣ ତା କଙ୍କଣ ବିକ୍ରି ହେବା 

ପରଠାରୁ ଗଉରାଠୁ ସେ ସବୁବେଳେ ଏଇ କଥା ହିଁ ଶୁଣି ଆସୁଥିଲା। ତା'କଥାରେ ଯେ ସେବତୀ ଖୁସି ନୁହେଁ ଏକଥା ଗଉରା ବୁଝି ପାରିଥିଲା। 

ଗାଈ ଓ ବଳଦ ଦି'ଟାଙ୍କୁ ଖାଇବାକୁ ଦେଇ ତାଙ୍କ ଆଗରେ ନଡ଼ା ଦିବିଡା ପକେଇ ସାରି ଗଉରା ଭାବିଲା ଟିକେ ହରିଆ ଘର ଆଡୁ ବୁଲି ଆସିବ। ଛ ମାସେ ହେଲା ତା ସହିତ ଦେଖା ହୋଇନାହିଁ। ଦି ଜଣ ଯାକ ଭାରି ସାଙ୍ଗ ଥିଲେ। ଗାଁ ରେ ଥିବା ବେଳେ ସବୁବେଳେ ଏକାଠି ବୁଲୁଥିଲେ। ସକାଳୁ ଉଠି ବିଲକୁ ଯିବାଠାରୁ ଆରମ୍ଭ କରି ସଞ୍ଜବେଳେ ଭାଗବତ ପଢ଼ିବା ପର୍ଯ୍ୟନ୍ତ କେହି କାହାଠାରୁ ଅଲଗା ହେଉ ନଥିଲେ। ସେ ହାଇଦ୍ରାବାଦ ଗଲା ଦିନ ଠାରୁ ଗଉରାଟା ଗାଁ ରେ ପୁରା ଏକୁଟିଆ ହୋଇ ଯାଇଛି। କାହା ସାଙ୍ଗରେ ବସେନି କି ‌ଉଠେନି। ତା'ର ଚାଷ ଭଲ ତ ସିଏ ଭଲ। ଏତେଦିନ ପରେ ସିଏ ଗାଁ କୁ ଫେରିଛି।ତାକୁ ଦେଖିଲେ ନିଶ୍ଚୟ ଖୁସି ହେବ। 

ସତକୁ ସତ ଗଉରାକୁ ଦେଖି ହରିଆ ଭାରି ଖୁସି ହେଲା। ସେ ତାଠାରୁ ଗାଁ ବିଷୟରେ ସବୁ ପଚାରି ବୁଝିଲା। ଦୁଇ ବନ୍ଧୁ ଅନେକ ସମୟ ଧରି ମନଖୋଲି ଗପିଲେ।ହରିଆ ତା'ର ପ୍ରତ୍ୟେକ କଥାରେ କେବଳ ହାଇଦ୍ରାବାଦ କଥା ହିଁ କହୁଥିଲା। ସହରର ମିଳୁଥିବା ସୁବିଧା ସୁଯୋଗ ତୁଳନାରେ ଗାଁ ରେ ଯେ କିଛି ସୁବିଧା ସୁଯୋଗ ନାହିଁ ଏହି କଥା ହିଁ ସେ କହିବାକୁ ଚାହୁଁଥିଲା। ଗଉରାକୁ କିନ୍ତୁ ସେକଥା ମୋଟେ ଭଲ ଲାଗୁ ନଥିଲା। 

କାହିଁକି ନା ଛଅ ମାସ ତଳେ ଯେଉଁ ହରିଆ ଏଇ ଗାଁ ର ପ୍ରଶଂସା 

କରିବାରେ ଶତ ମୁଖର ହୋଇ ଉଠୁଥିଲା ଆଜି ତା'ର ଏହି ଆକସ୍ମିକ 

ପରିବର୍ତ୍ତନ କୁ ଗଉରା ସହଜରେ ଗ୍ରହଣ କରି ପାରୁ ନଥିଲା।

ଏହି ସମୟରେ ହରିଆର ସ୍ତ୍ରୀ ମାଳତୀ ଦୁଇ ଜଣଙ୍କ ପାଇଁ ଜଳଖିଆ ଆଣିଲା।ତା ହାତରେ ନୂଆ କଙ୍କଣ ଦିଟା ଭାରି ସୁନ୍ଦର ଦିଶୁଥାଏ। ଜଳଖିଆ ଖାଇବା ଭିତରେ ସେ ସେବତୀର ବିକ୍ରି ହୋଇ ଯାଇଥିବା 

ସେହି ସୁନା କଙ୍କଣ ବିଷୟରେ ହିଁ ଭାବୁଥିଲା। 

ଘରକୁ ଯିବା ପୂର୍ବରୁ ସେ ହରିଆକୁ ତା ଘର ଆଡେ ଆସିବା ପାଇଁ କହିଲା। 

ହରିଆ କହିଲା, ହଉ।ସଞ୍ଜ ବେଳକୁ ଯିବି। 

ସଞ୍ଜବେଳେ ଭାଗବତ ପଢ଼ା ସରିବା ପରେ ଗଉରା କହିଲା ,ବୁଝିଲୁ ଆଜିକାଲି ପରିଶ୍ରମ ଅନୁସାରେ ଚାଷରୁ ବେଶୀ କିଛି ଲାଭ ହେଉନି । ଏମିତିରେ ଖାଇବା ପିଇବା ଓ ଚଳିବା ପାଇଁ ତ କିଛି ଅସୁବିଧା ନାହିଁ। କିନ୍ତୁ କଣ ଗୋଟେ ବଡ କାମ କରିବାକୁ ଚାହିଁଲେ କିଛି କରି ହେଉନି। ଏଇ ଦେଖୁନୁ, ଗଲା ବାତ୍ୟାରେ ଦକ୍ଷିଣ ପଟ ଘରଟା ଭାଙ୍ଗି ଯାଇଥିଲା। ପଇସା ଅଭାବରୁ ଏ ପର୍ଯ୍ୟନ୍ତ ସଜଡ଼ା ହୋଇ ପାରିଲା ନାହିଁ। 

ହରିଆ କହିଲା, ସେଇଥିପାଇଁ ତ ମୁଁ ସେତେବେଳେ ତୋତେ 

ହାଇଦ୍ରାବାଦ ଯିବା କଥା କହୁଥିଲି। ହେଲେ ତୁ କ'ଣ ମୋ କଥା ଶୁଣିଲୁ। ଓଲଟି ମୋ ଉପରେ ବିରକ୍ତ ହୋଇ କହିଲୁ ଜମି ଭାଗ 

ଦେଲେ ଲକ୍ଷ୍ମୀ ଛାଡ଼ିଯିବେ। 

 ଏବେ ବୁଝି ପାରୁଛୁ ତ ମୁଁ ଚାଷବାସ ବନ୍ଦ କରି ହାଇଦ୍ରାବାଦ କାହିଁକି ଗଲି? ମୁଁ ତ ପୁଣି ତୋ ସାଥିରେ ଚାଷ କରୁଥିଲି। ଯଦି ଚାଷରେ ଲାଭ ଥାଆନ୍ତା ମୁଁ କାହିଁକି ଗାଁ ଛାଡିଥାନ୍ତି କହୁନୁ।ଆଜି ବଳ ବୟସ ଅଛି ବୋଲି ଖଟି ପାରୁଛୁ।କାଲି ଯେତେବେଳେ ବଳ ହଟିଯିବ ଆଉ କଣ ପରିଶ୍ରମ କରିପାରିବୁ। ତାପରେ ଆଜି ତୁମେ ଦୁଇଜଣ ଅଛ। କାଲି ତୋର ପରିବାର ବଢିବ। ଖର୍ଚ୍ଚ ବଢିବ। ତୁ କ'ଣ ଏଇ ଚାଷ କାମ କରି ସାରା ପରିବାରର ଖର୍ଚ୍ଚ ତୁଲେଇ ପାରିବୁ ? 

 ଏବେ ବି ସମୟ ଅଛି। ବଳଦ ବିକ୍ରି କରି ଜମିତକ ଭାଗ ଲଗେଇଦେ। ଏଇଥର ମୋ ସହିତ ହାଇଦ୍ରାବାଦ ଚାଲ୍।ମୁଁ ଯେଉଁ କମ୍ପାନୀ ରେ କାମ କରୁଛି ସୁପରଭାଇଜରକୁ କହି ସେଠି ତୋତେ କାମରେ ଲଗେଇଦେବି। ଦେଖିବୁ ତୋର ଆଉ ପଇସାର ଅଭାବ ରହିବ ନାହିଁ। 

ସବୁକଥା ଶୁଣି ଗଉରା କିଛି ନ କହି ଚୁପ୍ ରହିଲା। 

ଅନତି ଦୂରରେ ବସିଥିବା ସେବତୀକୁ ଲକ୍ଷ୍ୟ କରି ହରିଆ କହିଲା ଦେଖ ଭାଉଜ! ମୁଁ ଯେତେ କହିଲେ ବି ସେ ତ ମୋ କଥା ଶୁଣୁନି। ତମେ ଟିକେ ତାକୁ ବୁଝାଅ। ସେ ହୁଏତ ତୁମ କଥା ମାନି ପାରେ ସେବତୀ କହିଲା ହଉ। ତମେ ତ ଏବେ ହାଇଦ୍ରାବାଦ ଯାଉନ। ମାଳତୀ କହୁଥିଲେ ତମେ ପନ୍ଦର ଦିନ ପରେ ଯିବ। ଯଦି ଯିବା କଥା ହୁଏ ତମେ ଯିବା ପୂର୍ବରୁ ମୁଁ ତାଙ୍କ ଠାରୁ ସବୁକଥା ବୁଝି ତମକୁ ଜଣେଇଦେବି। 

ଏତିକି ବେଳେ ଦଲକାଏ ଥଣ୍ଡା ପବନ ବହିବା ସହ ଆକାଶରେ 

ବିଜୁଳିଟା ମାରିବାରୁ ହରିଆ କହିଲା, ବର୍ଷାଟା ହେଲା ପରି ଲାଗୁଛି। ଭାଉଜ। ମୁଁ ଏବେ ଆସୁଛି। 

   ଭାଗବତ ବହିକୁ ଠାକୁର ଆସ୍ଥାନ ପାଖରେ ରଖି ବଳଦଙ୍କ ଆଗରେ ନଡ଼ା ପକେଇବାକୁ ଗଲାବେଳେ ଗଉରା ହାଇଦ୍ରାବାଦ ଯିବା କଥା ହିଁ ଭାବୁଥିଲା। ଚାଷରୁ ଲାଭ ହେଉନି ସତ କିନ୍ତୁ ବଳଦ ବିକ୍ରି କରି ଜମି ଭାଗ ଦେବା କଥାଟା ତା ମନକୁ କାହିଁକି ମୋଟେ ପାଉ ନଥିଲା।

କାନ୍ଧରେ ପକେଇଥିବା ନାଲି ଗାମୁଛାଟାକୁ କାଢି ଦୁଇ ବଳଦଙ୍କର 

ପିଠି ପୋଛି ଦେଲା ସେ। ସେମାନେ ତା ଉପରେ ମୁହଁ ଲଦି ତା 

ହାତକୁ ଚାଟିବାରେ ଲାଗିଥିଲେ। ସେମାନଙ୍କୁ ବିକିବା କଥା ଭାବିଲା

ବେଳକୁ ଗଉରା ଆଖିରେ ଦୁଇଟୋପା ଲୁହ ଜକେଇ 

ଆସିଥିଲା। 

ଖାଇସାରି ହାତ ଧୋଇବାକୁ ଗଲା ବେଳେ ଗଉରାକୁ ଚିନ୍ତିତ ଥିବା ଦେଖି ସେବତୀ କହିଲା, ତମେ ଏତେ ଚିନ୍ତା କରୁଛ କାହିଁକି? ହରିଆ ତ ଆମ ଭଲ ପାଇଁ କହୁଥିଲେ। ତମ ଇଚ୍ଛା ହେଲେ ତାଙ୍କ ସାଥିରେ ଯିବ ନହେଲେ ନାହିଁ। 

ଗଉରା କହିଲା, ସେ କଥା ଠିକ୍ ଯେ ହେଲେ ମୁଁ ଭାବୁଛି ମୋ ନିଜ ଜମି ଚାଷ କରିବା ଛାଡି ପଇସା ଲୋଭରେ ପର ଦୁଆରେ ମୁଣ୍ଡ ବିକ୍ରି କରିବି କାହିଁକି? ତାପରେ ଚାଷରେ ଲାଭ ହେଉନାହିଁ ବୋଲି ଭାବି ସମସ୍ତେ ଯଦି ଚାଷ ଛାଡ଼ିଦେବେ ତାହେଲେ ଖାଇବାକୁ ମିଳିବତ?

ଲାଭ କ୍ଷତି କଥା ଅଲଗା। ଚାଷ ହେଉଛି ମାଟି ମାଆର ସେବା।ମାଟି ମାଆର ସେବା କଲେ ଆମ ଦୁଇ ପ୍ରାଣୀଙ୍କ ପେଟ କେବେ ଅପୋଷା ରହିବନି। 

ସେବତୀ ଟିକେ ମୁରୁକି ହସି କହିଲା, କିନ୍ତୁ କିଛି ଦିନ ପରେ ଆମେ ତିନି ପ୍ରାଣୀ ହୋଇଯିବା ଯେ!

ଗଉରା କିଛି ନ ବୁଝି ସେବତୀ ମୁହଁକୁ ଚାହିଁ ରହିଲା।ସେବତୀର

ଇସାରାରୁ ସେ ବୁଝିଗଲା ଯେ ସେବତୀ ମା' ହେବାକୁ ଯାଉଛି।ମନେ ମନେ ଭାରି ଖୁସି ହେଲା ସେ। ଭାବିଲା, ଯାହାହେଉ ଏତେଦିନେ ଠାକୁରେ ତାଙ୍କ ଡାକ ଶୁଣିଛନ୍ତି।

ମେଘ ବାଆ ଦିନ। ହାଟକୁ ଯିବ ବୋଲି ଗଉରା ଶୀଘ୍ର ବିଲରୁ ହଳ ନେଇ ଚାଲି ଆସିଥାଏ। ପଖାଳ ଗଣ୍ଡେ ଖାଇ ଦାଣ୍ଡ ପିଣ୍ଡାରେ ସପଟା ପକେଇ ଶୋଇବାକୁ ଯାଉଛି ,ସନିଆ ବଣିଆ ସାମନାରେ ଥିବା ଆମ୍ବ ଗଛଟାରେ ସାଇକେଲଟାକୁ ଡେରି ଗଉରା ପାଖକୁ ଆସିଲା। 

ଗଉରା କହିଲା, କଥା କ'ଣ ସନିଆ ଭାଇ, ଏ ଉଦୁଉଦିଆ ଖରାବେଳଟାରେ କୁଆଡେ଼ ଆସିଲ? 

କଥା କ'ଣ କି? ଦି'ଘଣ୍ଟା ପାଇଁ ହଳ ଟିକେ ଦରକାର ଥିଲା। 

ଠିକ୍ ଅଛି। କାଲି ତ ମୋର କାମ ଅଛି। ତା ପରଦିନ ନେବ। 

ଆଚ୍ଛା ! କଣ ଏଇଥି ପାଇଁ ଆସିଥିଲ ନା ଆଉ କିଛି କାମ ଥିଲା ? 

  ନାଇଁ ମ। ଗୁରିଆ ବାରିକ ଝିଅର ବାହାଘର। ଶଙ୍ଖା ପାଇଁ ବରାଦ ଦେଇଥିଲା। ତା ଘରେ ଶଙ୍ଖା ଦେବାକୁ ଯାଉଥିଲି। ତୁମ ସହିତ ଦେଖା ହୋଇଗଲା ତ ? ହଳ କଥାଟା କହିବାକୁ ଅଟକି ଗଲି। 

ଆଚ୍ଛା କଙ୍କଣ ଦି'ପଟ ତିଆରି କଲେ କେତେ ପଇସା ଖର୍ଚ୍ଚହେବ ?

ଆଜିକାଲି ସୁନା ଦର ତ ଆକାଶ ଛୁଆଁ। ତଥାପି ଅତି କମରେ

ତିରିଶ ହଜାର ଟଙ୍କା ଖର୍ଚ୍ଚ ହେବ। କାହିଁକି , କଙ୍କଣ ଗଢେଇବ ନା କଣ?

ନାଇଁ ମ ଏମିତି ପଚାରୁଥିଲି। 

ସନିଆ ଗଲାପରେ ଗଉରାର ସୁନା କଙ୍କଣ କିଣିବା ଆଶାଟା ଧିରେ ଧିରେ ମଉଳି ଯାଉଥିଲା।ୟା ଭିତରେ ସୁନା ଦର ଯେ ଏତେ ବଢ଼ିଯାଇଛି ସେକଥା ତାକୁ ଜଣା ନଥିଲା।  

ତିରିଶ ହଜାର ଟଙ୍କା କିଏ ସେ କିଏ ! ହେଲେ ସେତେବେଳେ ସେ ତ ମାତ୍ର ଦଶ ହଜାର ଟଙ୍କାରେ ସେବତୀ ର କଙ୍କଣ ହଳକ ବିକ୍ରି କରି ଦେଇଥିଲା।  

  କିନ୍ତୁ ଏବେ ଏତେ ପଇସା ସେ ଆଣିବ କେଉଁଠୁ ? କାହିଁକି ସେ ତା କଙ୍କଣ ହଳକ ବିକ୍ରି କରୁଥିଲା ଯେ ! ହେଲେ ସେତେବେଳେ ତ ଅନ୍ୟ କିଛି ଉପାୟ ନଥିଲା। ସାହୁକାର ଟଙ୍କା ନ ଶୁଝିଥିଲେ ବନ୍ଧା ପଡ଼ିଥିବା ଚାଷ ଜମିତକ ତା ହାତରୁ ସବୁଦିନ ପାଇଁ ଚାଲି ଯାଇଥାନ୍ତା। ସେମାନେ ଦୁଇଓଳି ଦିମୁଠା ଖାଇବାକୁ ବି ପାଇ ନଥାନ୍ତେ। ତା'ର ତା ନିଜ ଉପରେ ଭାରି ରାଗ ହେଉଥିଲା। 

ତାହେଲେ କ'ଣ ଜମିତକ ଭାଗ ଲଗେଇ ଦେଇ ସେ ହାଇଦ୍ରାବାଦ ଚାଲିଯିବ ?ଏମିତି ଗୁଡ଼ାଏ ୟାଡୁ ସ୍ୟାଡୁ ଚିନ୍ତା କରି କିଛି ବୁଦ୍ଧି ବାଟ ପାଇଲା ନାହିଁ ଗଉରା। ସେବତୀ ଠାର ବ୍ୟାଗଟା ନେଇ ହାଟକୁ ଗଲା।

 ହାଟରେ ହରିଆ ସହିତ ଦେଖା ହେଲା।ଗଉରାକୁ ଚିନ୍ତିତ 

ଦେଖି ହରିଆ କହିଲା , କଥା କ'ଣ ? ମୁହଁଟା କାହିଁକି ଶୁଖେଇଛୁ?

କିଛି ନାହିଁ ଯେ ହାଇଦ୍ରାବାଦ ଯିବା କଥା ଭାବି ମନଟା ଟିକେ ବିଚଳିତ ଅଛି। କାହିଁକି ନା ହାଇଦ୍ରାବାଦ ଗଲେ ଜମି ଭାଗ ଦେବାକୁ ପଡ଼ିବ। ଭାଗଚାଷୀଙ୍କ ହାତକୁ ଜମି ଗଲେ ଜମିର ଅବସ୍ଥା ଯେ କ'ଣ ହୁଏ

ସେ କଥା ତ ତୁ ଭଲ ଭାବରେ ଜାଣିଛୁ ? 

ସେସବୁ କିଛି ନଭାବି ତୁ ମୋ ସହିତ ହାଇଦ୍ରାବାଦ ଚାଲ୍। ଛଅ ମାସ ସେଠାରେ କାମ କଲାପରେ ଯଦି ଭଲ ନ ଲାଗିବ ତାହେଲେ ଫେରି ଆସି ପୁଣି ଗାଁ ରେ ଚାଷ କରିବୁ। ଏଥିରେ ଅସୁବିଧା କଣ ଅଛି?

ହରିଆ କଥାଟା ଗଉରାର ମନକୁ ପାଇଲା। ଭାବିଲା ଛଅ ମାସ ସେଠାରେ କାମ କଲାପରେ କିଛି ପଇସା ହାତକୁ ଆସିଗଲେ ସେ ପୁଣି ଗାଁ କୁ ଫେରିଆସି ଚାଷ କରିବ। ମନକଥା ମନରେ ରଖି ସେ ଘରକୁ ଫେରିଲା।

ହାଇଦ୍ରାବାଦ ଯିବା କଥା ଗଉରା ଠାରୁ ଶୁଣି ସେବତୀ ପ୍ରଥମେ 

ନିଜକୁ ନିଜେ ବିଶ୍ଵାସ କରି ପାରିଲା ନାହିଁ। କାରଣ ହାଇଦ୍ରାବାଦ 

ଯିବା ପାଇଁ ସେ ତ ଗଲାଥର ତାକୁ ଅନେକ ବୁଝେଇ ଥିଲା। କିନ୍ତୁ ଗଉରା କିଛି ଶୁଣି ନଥିଲା। ତେଣୁ ସେବେଠାରୁ ସେ ଆଉ ସେ ବାବଦରେ ଗଉରାକୁ କେବେ ବି କିଛି କହୁ ନଥିଲା।

ସେ କହିଲା ମୁଁ ଯେତେବେଳେ କହୁଥିଲି ତୁମେ ତ ମୋ କଥା ଶୁଣିଲନି। ଏବେ ଯଦି ଯିବାକୁ ଚାହୁଁଛ ତାହେଲେ ଯାଅ। 

  ଯିବି ଯେ ହେଲେ ବଳଦ ବିକିବା ପାଇଁ ମୋର ଆଦୌ ଇଚ୍ଛା ନାହିଁ। କାହିଁକି ନା ଅଭାବରେ ପଡି ମୁଁ ସିନା ହାଇଦ୍ରାବାଦ ଯାଉଛି। କିନ୍ତୁ ଯଦି ସେଠାରେ କିଛି ଅସୁବିଧା ହୁଏ ତାହେଲେ ଗାଁ କୁ ଫେରିଲା ପରେ ମୁଁ ଚାଷ କରିବି କେମିତି ? 

ସେବତୀ କହିଲା, ଗଲାଥର ତୁମର ହାଇଦ୍ରାବାଦ ଯିବା କଥା ଶୁଣି ତୁମ ଦାଦାଙ୍କ ପୁଅ ରଘୁଆ ଜମି ବାଡ଼ି ଦାୟିତ୍ଵ ବୁଝାବୁଝି କରିବା କଥା କହୁଥିଲେ। ତାଙ୍କ ସହ କଥାବାର୍ତ୍ତା କରୁନ।

ଯାହାହେଉ ରଘୁଆ ଚାଷବାସ କାମ ବୁଝିବ ବୋଲି ପ୍ରତିଶ୍ରୁତି ଦେବାରୁ ଘରର ଅନ୍ୟ ସମସ୍ତ ଦାୟିତ୍ବ ଦାଦା ଓ ଖୁଡୀଙ୍କ ଉପରେ ନ୍ୟସ୍ତ କରି ଗଉରା ହରିଆ ସହିତ ହାଇଦ୍ରାବାଦ ଚାଲି ଯାଇଥିଲା। 

ସେବତୀ ସିନା ପଇସା ଲୋଭରେ ଗଉରାକୁ ହାଇଦ୍ରାବାଦ ଯିବା 

ପାଇଁ ଚାହୁଁଥିଲା କିନ୍ତୁ ସେ ଚାଲିଗଲା

ପରେ ଘରଟା ତାକୁ କେମିତି 

ଖାଁ ଖାଁ ଲାଗିଲା। ଦୁଃଖ କଷ୍ଟରେ ଚଳିବାଟା ତାକୁ ଯେତେ ବାଧୁ 

ନଥିଲା ଏକୁଟିଆ ରହିବାଟା ତା ଠାରୁ ତାକୁ ଅଧିକ ବାଧିଲା। 

କାରଣ ବୋହୂ ହୋଇ ଆସିଲା ପରଠାରୁ ସେ କେବେ ଏକୁଟିଆ 

ରହି ନଥିଲା। ଅବଶ୍ୟ ଗଉରା ନଥିବାରୁ ଚମ୍ପା ଖୁଡି ସବୁବେଳେ 

ତା'ର ଭଲମନ୍ଦ ବିଷୟରେ ବୁଝୁଥିଲେ। ଦୁଇ ଘରର ଖଞ୍ଜା ଲଗାଲଗି 

ହୋଇ ଥିବାରୁ ସେବତୀକୁ ଚଳିବା ପାଇଁ ବେଶି କିଛି ଅସୁବିଧା 

ହେଉ ନଥିଲା। 

   ୟା ଭିତରେ ଗଉରା ହାଇଦ୍ରାବାଦ ଯିବା ଦୁଇ ମାସ ହେଲାଣି। 

ପ୍ରତି ସପ୍ତାହରେ ଗଉରା ରଘୁଆ ପାଖକୁ ଫୋନ କରି ଘରର ଭଲ 

ମନ୍ଦ ବିଷୟରେ ବୁଝେ ଏବଂ ସେବତୀ ସହିତ ତା'ର ଦେହ'ପା ବିଷୟରେ ମଧ୍ୟ କଥା ହୁଏ। କିନ୍ତୁ ତା'ର କଥାବାର୍ତ୍ତାରୁ ସେବତୀକୁ ଲାଗେ ଯେମିତି ଗଉରା ସେଠି ଖୁସିରେ ନାହିଁ। 

ସେକଥା ପଚାରିଲେ ଗଉରା କଥାଟାକୁ ଟାଳିଦିଏ। କହେ, ନାଇଁ ମ, ସେମିତି କିଛି ନାହିଁ। ନୂଆ ଜାଗା ବୋଲି ଟିକେ ଖାପଛଡା ଲାଗୁଛି। କିଛି ଦିନ ପରେ ସବୁ ଠିକ୍ ହୋଇଯିବ। ସେବତୀ ଆଉ କିଛି ନକହି ଚୁପ୍ ରୁହେ। 

ଯେତେ ଲୁଚେଇଲେ ବି ଗଉରାକୁ ସେଠାରେ ଆଦୗେ ଭଲ ଲାଗୁ ନଥିଲା। ଖୋଲା ଆକାଶରେ ଉଡୁଥିବା ଚଢେଇକୁ ଧରି ଆଣି ପଞ୍ଜୁରୀ ଭିତରେ ବନ୍ଦ କରିଦେଲେ ତା'ର ଅବସ୍ଥା ଯାହା ହୁଏ ଗଉରାର ଠିକ୍ ସେହି ଅବସ୍ଥା ହୋଇଥିଲା। ଦିନଟାଏ ଗଲେ ତାକୁ ଯୁଗଟାଏ ଗଲା ଭଳି ଲାଗୁଥିଲା। କମ୍ପାନୀ ଭିତରେ ବାନ୍ଧି ହୋଇ ଆଠ ଘଣ୍ଟା କାମ କରିବାଟା ତା'କୁ ଭାରି ବାଧୁଥିଲା।

  କିନ୍ତୁ ଜମିରେ ସେ ତ ୟା ଠାରୁ ଅଧିକ ପରିଶ୍ରମ କରୁଥିଲା। 

ଖାଇବା ପିଇବାରେ ଠିକ୍ ଠିକଣା ରହୁ ନଥିଲା। କିନ୍ତୁ କାହିଁ ତା'କୁ 

ତ କେବେ ଏତେ ବାଧା ଲାଗୁ ନଥିଲା।ଏଠିତ ଚାଷ ତୁଳନାରେ ଭଲ ପଇସା ମିଳୁଛି। ଦିନକୁ ପାଞ୍ଚ ଶହ ଟଙ୍କା। କେବଳ ଯାହା ଆଠ ଘଣ୍ଟା ବାନ୍ଧି ହୋଇ ରହିବାକୁ ପଡୁଛି।ତେବେ ଏଠି ଏତେ ବାଧା ଲାଗୁଛି କାହିଁକି ? କାରଣଟା ଗଉରା ଅନୁମାନ କରି ପାରୁଥିଲା। 

   ଚାଷରୁ ଲାଭ ହେଉ ନଥିଲା ସତ କିନ୍ତୁ ସେଠି ସେ ତାର ମର୍ଜି ଅନୁସାରେ କାମ କରୁଥିଲା।ଏଠାରେ ପଇସା ମିଳୁଛି ସତ କିନ୍ତୁ ସ୍ଵାଧୀନତା ନାହିଁ ? ସେଥିପାଇଁ ତ ତାକୁ ଏଠି ଏତେ ବାଧୁଥିଲା। ତାକୁ ସମୟେ ସମୟେ ଲାଗେ ସତେ ଯେମିତି ପଇସା ଲୋଭରେ ସେ ତାର ସ୍ଵାଧୀନତା ବିକ୍ରି କରି ଦେଇଛି। 

ତାପରେ ବିଲରେ କାମ କଲା ବେଳେ ଗହୀର ମଥାରେ ଥିବା ଗହଳିଆ ଆମ୍ବ ତୋଟାରୁ ଭାସି ଆସୁଥିବା କୋଇଲିର କୁହୁ ତାନ 

ଶୁଣି ଦେଲେ ମନଟା ତା'ର ହାଲକା ହୋଇଯାଏ । ମଥା ନଇଁ ଆସୁଥିବା ପାଚିଲା ଧାନ କିଆରୀକୁ ଦେଖିଦେଲେ ଖୁସିରେ ତା ପେଟ ପୁରିଉଠେ। ସହରର ଏ କୋଳାହଳ ଓ ରୋଜଗାର କରୁଥିବା ମୁଠା ମୁଠା ଟଙ୍କା ଭିତରେ ସେ ଖୁସି ମିଳିବ କେଉଁଠୁ ? 

ରାତିରେ ଶୋଇଲା ବେଳେ ଏଇ କଥା ଭାବି ଭାବି ସେ ଦୀର୍ଘ 

ନିଶ୍ଵାସ ପକାଏ। ମନ ହୁଏ ଚାକିରୀ ଛାଡ଼ି ସାଙ୍ଗେ ସାଙ୍ଗେ ଗାଁ କୁ

ଫେରିଯିବାକୁ। କିନ୍ତୁ କମ୍ପାନୀ ସହିତ ଛଅ ମାସ ପାଇଁ ଚୁକ୍ତି ହୋଇ ଥିବାରୁ ତା ପୂର୍ବରୁ ଗାଁ କୁ ଯିବା ସମ୍ଭବ ନଥିଲା।   

ଆସନ୍ତା ସପ୍ତାହରେ ହରିଆର ଗାଁ କୁ ଯିବାର ଥାଏ। କମ୍ପାନୀ ପାଖରୁ ପାଇଥିବା ଟଙ୍କାରେ ସେବତୀ ପାଇଁ ସୁନା କଙ୍କଣ ହଳେ କିଣି ହରିଆ ହାତରେ ଗାଁ କୁ ପଠେଇବ ବୋଲି ସ୍ଥିର କଲା ଗଉରା। ଭାବିଲା କଙ୍କଣ ଦେଖି ସେବତୀ ଭାରି ଖୁସି ହେବ। 

ତା ପର ସପ୍ତାହ କଥା।ଗାଧୁଆ ତୁଠରେ ସେବତୀର ମାଳତୀ ସହ ଦେଖାହେଲା। ମାଳତୀ କହିଲା, ଇଏ କାଲି ରାତିରେ ଆସିଛନ୍ତି। ଶାଶୁଙ୍କର ବର୍ଷିକିଆ।କାମ ସାରି ତିନି ଦିନ ପରେ ଫେରିଯିବେ। 

ଆଜି ତୁମ ଘର ଆଡ଼େ ଯିବାକୁ କହୁଥିଲେ। 

ଆଉ ୟାଙ୍କ କଥା କ'ଣ କହୁ ଥିଲେକି ?

ଗଉରା ଭାଇ ୟାଙ୍କ ହାତରେ ତମ ପାଇଁ ଟଙ୍କା ଆଉ କଙ୍କଣ ହଳେ ପଠେଇ ଛନ୍ତି ବୋଲି କହୁଥିଲେ। ସେ ଗଲେ ସବୁ କଥା ତୁମ ଆଗରେ କହିବେନି। ସୁନା କଙ୍କଣ କଥା ଶୁଣି ସେବତୀ ଖୁସି ହୋଇ ଯାଇଥିଲା। ଭାବିଲା,ଯାହାହେଉଏତେ ଦିନ ପରେ ସେ ତାଙ୍କ କଥା ରଖିଲେ। 

   ଖରାବେଳେ ଗାଈଟାକୁ ଖାଇବାକୁ ଦେଇ ସାରି ସେବତୀ 

ନଡ଼ା ପକେଇ ଆସିଲା ବେଳକୁ ହରିଆର ପାଟି ଶୁଭିଲା। ପିଣ୍ଢା ଉପରେ ପଡ଼ିଥିବା ସପଟା ଉପରେ ବସି ହରିଆ କହିଲା ,ବୁଝିଲ ଭାଉଜ! ବୋଉର ବର୍ଷିକିଆ ପାଇଁ ଆସିଥିଲି।ଗଉରାର ଆସିବାକୁ 

ଇଛା ଥିଲା। ହେଲେ ଛଅ ମାସ ପୁର୍ବରୁ ସେ ତ ଆସି ପାରିବନି। ମୋତେ ବି ପ୍ରଥମ ଥର ଏମିତି ଛଅ ମାସ ରହିବାକୁ ପଡ଼ିଥିଲା। 

ମୋ ହାତରେ କିଛି ଟଙ୍କା ଆଉ ଏ କଙ୍କଣ ହଳକ ପଠେଇଛି।

 ନିଅ। 

ଟଙ୍କା ଆଉ କଙ୍କଣ ହରିଆ ହାତରୁ ନେଉ ନେଉ ସେବତୀ ପଚାରିଲା, ଆଉ ୟାଙ୍କ ଦେହ' ପା ସବୁ ଭଲ ଅଛିତ ? 

ସବୁବେଳେ ଯଦି ଗାଁ ମାଟିକୁ ମନେ ପକେଇ ଧରିଲା ଚଢ଼େଇ 

ଭଳି ବସି ରହିବ ତାହେଲେ ଦେହ କେମିତି ଭଲ ରହିବ କହୁନ ? ଗାଁ ଛାଡ଼ିବା ଦିନ ଠାରୁ ତା ମୁହଁରେ ମୁଁ ଦିନେ ହେଲେ ଟିକିଏ ବି ହସ ଦେଖିନି। ଯଦି ଛଅ ମାସ ଚୁକ୍ତି ନ ଥାନ୍ତା ମୁଁ ତ ଏଇଥର ତାକୁ ସାଙ୍ଗରେ ନେଇ ଆସିଥାନ୍ତି। 

କାଇଁ କଣ ଆଉ କିଛି ଅସୁବିଧା ହୋଇଛି କି?

ଅସୁବିଧା କିଛି ନାହିଁ ଯେ ହେଲେ ହସ ଖୁସିରେ ରହୁଥିବା ଲୋକଟା ଯଦି ସବୁବେଳେ ମୁହଁ ଶୁଖେଇ ବସିବ କାହାକୁ ଭଲ ଲାଗିବ ତମେ କହୁନ। 

ହରିଆ ଠାରୁ ଏକଥା ଶୁଣି ସେବତୀର ମୁହଁଟା ଶୁଖି ଯାଇଥିଲା। 

ତାକୁ ଲାଗୁଥିଲା ସତେ ଯେମିତି ପଇସା ଲୋଭରେ ସେ ଗଉରାକୁ ହାଇଦ୍ରାବାଦ ପଠେଇଛି। ତାକୁ ନିଜକୁ ଦୋଷୀ ଦୋଷୀ ଲାଗୁଥିଲା। କାରଣ ସେ ଜାଣିଛି ସେ ଯଦି ଜିଦ୍ କରି ମନା କରିଥାନ୍ତା ତାହେଲେ ଗଉରା କେବେ ଗାଁ ଛାଡି ହାଇଦ୍ରାବାଦ ଯାଇ ନଥାନ୍ତା।

ଏକଥା ଲକ୍ଷ୍ୟ କରି ହରିଆ କହିଲା , ତମେ ଆଉ ମନ ଦୁଃଖ କରନି ମ ଭାଉଜ। ଆଉ ତ ଦୁଇଟା ମାସ। ଚାହୁଁ ଚାହୁଁ କଟିଯିବ। ତାପରେ ଗଉରା ଗାଁକୁ ଫେରି ଆସିବ ନି। 

ହଉ଼। ଠାକୁରଙ୍କ ଦୟାରୁ ସେ କେମିତି ଭଲରେ ଭଲରେ ଗାଁ କୁ ଫେରି ଆସନ୍ତୁ। 

ହରିଆ ଗଲାପରେ ଚମ୍ପା ଖୁଡୀଙ୍କ ଡାକ ଶୁଣି ଘର ଭିତରକୁ ଗଲା ସେବତୀ।ଗଉରାର ଦେହ କଥା ଭାବି ତା ମନଟା କେମିତି ଗୋଳେଇ ଘାଣ୍ଟି ହେଉଥିଲା। ଯେଉଁ ସୁନା କଙ୍କଣ ପାଇଁ ସେ ଗଉରା ଉପରେ ମନେ ମନେ ସବୁବେଳେ ରାଗୁଥିଲା ସେହି କଙ୍କଣ ହାତରେ ଧରିଥିଲେ ବି ତାର କାହିଁକି ପିନ୍ଧିବାକୁ ଇଚ୍ଛା ହେଉ ନଥିଲା। କାହିଁକି ନା ସେ ଥିଲେ ସିନା ତା ହାତରେ କଙ୍କଣ ଦେଖି ଖୁସି ହୋଇଥାନ୍ତେ। ତଥାପି ଶ୍ରଦ୍ଧାରେ ଏତେ ଦୂରରୁ ପଠେଇଛନ୍ତି ଯେତେବେଳେ ନ ପିନ୍ଧିଲେ ସେ ମନଦୁଃଖ 

କରିବେ ଭାବି କଙ୍କଣ ହଳକ ହାତରେ ପିନ୍ଧି ଦେଲା ସେବତୀ। 

  ସେଦିନ କାମରୁ ଫେରି ଗଉରା କହିଲା, ବୁଝିଲୁ ହରିଆ! ଦେହଟା କାହିଁକି ମୋଟେ ଭଲ ଲାଗୁନି। ସବୁବେଳେ ଦେହଟା ଝିମ୍ ଝିମ୍ ହେଲା ପରି ଲାଗୁଛି। 

କଥାଟାକୁ ହରିଆ ହସରେ ଉଡେଇ ଦେଲା। କହିଲା, ବୁଝିଲୁ, ସବୁବେଳେ ଚିନ୍ତା କଲେ ଦେହ ହାତ ଝିମ୍ ଝିମ୍ ହେବନି ତ ଆଉ 

କ'ଣ ହେବ।

ହଉ ହେଲା,ଆଉ ତ ଦୁଇଟା ମାସ। ମୋ ଭଳି ଖାଇ ପିଇ ଖୁସିରେ କାମ କର। ଦେଖିବୁ ସବୁ ଠିକ୍ ହୋଇଯିବ।ତାପରେ ଗାଁ କୁ ଚାଲିଯିବୁ। ତୋ ଦ୍ଵାରା ଏ ଚାକିରି ବାକିରି କାମ ହେବନି। ତୋ ପାଇଁ ସେହି ଚାଷ କାମ ହିଁ ଭଲ। 

ହରିଆ ଯେତେ ଯାହା କହିଲେ ବି ଗଉରାର ଦେହଟା ତାକୁ ମୋଟେ ଭଲ ଲାଗୁ ନଥିଲା। ବିଶେଷ କରି ରାତି ଡ୍ୟୁଟି ଆଦୌ ତା ଦେହରେ ଯାଉ ନଥିଲା। ତା'ର ଖାଇବା ବି ଅଧାଅଧି କମି ଯାଇଥିଲା। ସବୁବେଳେ ତା'ର ମୁଣ୍ଡ ବୁଲେଇଲା ଭଳି ଲାଗୁଥିଲା।ଦିନକୁ ଦିନ ତା'ର ଶରୀର ବେଶୀ ଦୁର୍ବଳ ଦେଖାଯାଉଥିଲା।  

ପ୍ରଥମେ ପ୍ରଥମେ କଥାଟାକୁ ଏତେ ଗୁରୁତର ଭାବରେ ନ ନେଲେ

ମଧ୍ୟ ଗଉରାର ସ୍ଵାସ୍ଥ୍ୟ ଦେଖି ହରିଆର ଚିନ୍ତା ବଢି ଯାଇଥିଲା। କାରଣ ଯାହା ହେଲେବି ତା ଦାୟିତ୍ଵ ରେ ସେ ଗଉରାକୁ ସାଥିରେ ଆଣିଥିଲା। ତା'କୁ ଭଲରେ ଭଲରେ ନେଇ ଗାଁ ରେ ପହଞ୍ଚେଇ ଦେଲେ ତା'ର ଦାୟିତ୍ବ ଶେଷ। 

ତା ପରଦିନ ଦିନରେ ଡ୍ୟୂଟି ନଥାଏ। ହରିଆ ଗଉରାକୁ ନେଇ

ଡାକ୍ତର ପାଖକୁ ଗଲା। 

ପରୀକ୍ଷା କଲାପରେ ଉଚ୍ଚ ରକ୍ତଚାପ ଯୋଗୁ ଗଉରାର ମୁଣ୍ଡ ବୁଲାଉଛି ବୋଲି ଡାକ୍ତର କହିଲେ। ମାନସିକ ଦୁଶ୍ଚିନ୍ତା ହିଁଏହାର ପ୍ରଧାନ କାରଣ ଥିଲା। କିଛି ଦୁଶ୍ଚିନ୍ତା ନକରି ନିୟମିତ ଭାବରେ ଔଷଧ ଖାଇଲେ ଦେହ ଭଲ ହୋଇଯିବ ବୋଲି ଡାକ୍ତର କ‌ହିଲେ। 

ଆଜି ପର୍ଯ୍ୟନ୍ତ ତା ଜୀବନରେ ଔଷଧ କେବେ ଖାଇ ନଥିଲା ଗଉରା। ବାଧ୍ୟ ହୋଇ ଡାକ୍ତରଙ୍କ ପରାମର୍ଶ ଅନୁସାରେଔଷଧ ଆଣି ସେ ହରିଆ ସହ ବସାଘରକୁ ଫେରି ଆସିଲା। 

କାଳେ ସେବତୀ ଡରିଯିବ ବୋଲି ଭାବି ଏସବୁ କଥା ସେ ଘରକୁ ଜଣାଇଲା ନାହିଁ। ଫୋନରେ ସେବତୀ ଯେତେବେଳେ ତା ଦେହ କଥା ପଚାରେ 'ଭଲଅଛି' ବୋଲି କହି ସେ କଥାଟାକୁ

ଟାଳିଦିଏ। 

ଘରକୁ ଫେରିବାକୁ ଆଉ ମାତ୍ର ଆଠଦିନ ଥାଏ। ରାତିରେ ଡ୍ୟୁଟି କଲାବେଳେ ଗଉରାର ମୁଣ୍ଡଟା ହଠାତ୍ ଜୋର୍ ରେ ବୁଲାଇ ଦେବାରୁ ସେ କାମ ବନ୍ଦ କରି ବସା ଘରକୁ ଚାଲି ଆସିଲା। ଦିନ ଡ୍ୟୁଟି ଥିବାରୁ ହରିଆ ବସାଘରେ ଥାଏ। ଏକଥା ଶୁଣି ସେ ଖୁବ୍ ବ୍ୟସ୍ତ ହୋଇ ପଡ଼ିଥିଲା। 

ପରଦିନ ସକାଳେ ଡ୍ୟୂଟି ଥିବାରୁ କାମକୁ ବାହାରିଲା ବେଳକୁ ହରିଆ ଦେଖିଲା ସେତେବେଳ ଯାଏ ଗଉରା ଶେଯ ଛାଡିନି। ସେ ଆଶ୍ଚର୍ଯ୍ୟ ହେଲା। କାରଣ ସେ ତ ସବୁଦିନେ ତା ଆଗରୁ ନିଦରୁ ଉଠି ଯାଇଥାଏ। ଆଜି ଏତେବେଳ ଯାଏ ଶୋଇ ରହିଛିକାହିଁକି ? ବୋଧହୁଏ ଅତ୍ୟଧିକ

ପରିଶ୍ରମ ହେତୁ ନିଦ ଲାଗି ଯାଇଛି। 

ସେ ତା ପାଖକୁ ଯାଇ ତାକୁ ହଲେଇ ଦେଇ ଡାକିବାକୁ ଚେଷ୍ଟା କଲା। 

କିନ୍ତୁ ଏକଣ ? ଗଉରା ଯେତେ ଚେଷ୍ଟା କଲେ ବି ଶେଯରୁ ଉଠି ପାରୁନି କାହିଁକି ? 

ସେ ତାକୁ ଉଠେଇ ବସେଇବାକୁ ଚେଷ୍ଟା କଲା। ଦେଖିଲା ତା'ର ଡାହାଣ ପାଖ ହାତଗୋଡ ଦୁଇଟା ଯାକ କିଛି କାମ କରୁନି। ମୁହଁଟା ମଧ୍ୟ ବଙ୍କା ହୋଇ ଯାଇଛି। 

ସେ ଖନେଇ ଖନେଇ ହରିଆକୁ ଯାହାକିଛି କହିବାକୁ ଚେଷ୍ଟା କରୁଥିଲା ସେସବୁ ପରିଷ୍କାର ଭାବରେ ବୁଝି ହେଉ ନଥିଲା।ସେ କେବଳ ହରିଆର ମୁହଁକୁ ଚାହିଁ ଲୁହ ଗଡ଼େଇ ଚାଲିଥିଲା।ଗଉରାର ଏ ଅବସ୍ଥା ଦେଖି ହରିଆର ମୁଣ୍ଡ କିଛି କାମ କରୁ ନଥାଏ। ତଥାପି ଧୈର୍ଯ୍ୟ ଧରି ପାଖରେ ରହୁଥିବା କମ୍ପାନୀର‌ ଜଣେ ଲୋକ ହାତରେ ନିକଟରେ ରହୁଥିବା ଡାକ୍ତରଙ୍କୁ ସେ ଡକେଇ ପଠେଇଲା । ଡାକ୍ତର ଆସି ପରୀକ୍ଷା କଲାପରେ କହିଲେ ପାରାଲିସିସ୍। ଏହାର ଚିକିତ୍ସା ସମୟ ସାପେକ୍ଷ। ଉଚ୍ଚ ରକ୍ତଚାପ ହିଁ ଏହାର କାରଣ ଥିଲା। 

ପ୍ରାରମ୍ଭିକ ଚିକିତ୍ସା ପରେ କିଛି ଔଷଧ ପତ୍ର ଖାଇବାକୁ କହି ଗଉରାକୁ

ଗାଁ କୁ ନେଇଯିବା ପାଇଁ ପରାମର୍ଶ ଦେଲେ ଡାକ୍ତର। ଶାରୀରିକ ଅସୁସ୍ଥତା ଯୋଗୁ ଗାଁ କୁ ଯିବାପାଇଁ ଗଉରାକୁ କମ୍ପାନୀ ପକ୍ଷରୁ 

ମଧ୍ୟ ଅନୁମତି ମିଳି ଯାଇଥିଲା। କମ୍ପାନୀ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇ ଗଉରାକୁ ହରିଆ ସହିତ ଗାଁ କୁ ପଠେଇ ଦିଆଗଲା। 

ଯିବା ଆଗରୁ ହରିଆ ଏକଥା ରଘୁଆକୁ ଫୋନ୍ ରେ ଜଣେଇ ଦେଇଥିଲା। 

ସବୁକଥା ଜାଣିଲେ ସେବତୀ କାଳେ ଅଧୈର୍ଯ୍ୟ ହୋଇଯିବ ବୋଲି 

ଭାବି ରଘୁଆ କହିଲା, ବୁଝିଲ ଭାଉଜ! ଗଉରା ଭାଇର ଦେହଟା ହଠାତ୍ ଅସୁସ୍ଥ ହୋଇ ପଡିବାରୁ ହରିଆ ଭାଇ ତାଙ୍କୁ ସାଥିରେ ଆଣି 

ଗାଁ କୁ ଆସୁଛନ୍ତି। ସେମାନେ କାଲି ରାତି ସୁଦ୍ଧା ଆସି ଏଠାରେ ପହଞ୍ଚିଯିବେ।  

ସେବତୀ ଭାବିଲା ତିନି ଦିନ ତଳେ ସେ ତ ଭଲ ଅଛନ୍ତି ବୋଲି ଫୋନ୍ କରିଥିଲେ। ତାପରେ ଆଉ ଅଳ୍ପ ଦିନ ପରେ ତାଙ୍କର ତ ଆସିବା କଥା ।ହଠାତ୍ ଏମିତି କଣ ହେଲା ଯେ ହରିଆଙ୍କୁ ତାଙ୍କୁ ସାଥିରେ ଆଣି ଗାଁ କୁ ଆସିବାକୁ ହେଲା। ସେବତୀ କିଛି ବୁଝି ପାରୁନଥିଲା।

ଗଉରା କଥା ଭାବି ଭାବି ସେବତୀକୁ ଭୋକଶୋଷ ନଥାଏ।ତା'କୁ ଲାଗୁଥାଏ ରଘୁଆ ଯେମିତି ତା ଆଗରେ କିଛି କଥା ଲୁଚଉଛନ୍ତି।

ତା ପରଦିନ ସେବତୀର ମନ କେଉଁଥିରେ ଲାଗୁ ନଥିଲା। 

ସେ ଦିନ ସାରା ଖାଲି ଘରୁ ବାହାର ଓ ବାହାରୁ ଘର ହେଉଥାଏ। 

କାଲି ଯାହା ରଘୁଆଙ୍କ ପାଖକୁ ଫୋନ ଆସିଥିଲା ସେତିକି। ତାପରେ ଆଉ କିଛି ବି ଖବର ଅନ୍ତର ନାହିଁ। 

ଦିନ ଯାଇ ରାତି ହେଲା। ଭାଗବତ ପଢ଼ିସାରି ଗଉରାର ଶୁଭ 

ମନାସି ଠାକୁରଙ୍କ ପାଖରେ ମୁଣ୍ଡିଆ ମାରିଲା ସେବତୀ।ଗଉରାର

ପହଞ୍ଚିବା ଯେତେ ଡେରି ହେଉଥାଏ ତା ମନକୁ ସେତେ ପାପ ଛୁଉଁଥାଏ। 

ହଠାତ୍ ବାହାରେ ଗାଡ଼ି ଅଟକିବା ଶବ୍ଦ ଶୁଣି ସେ ବାହାରକୁ ଦୈାଡି ଆସିଲା। ଯାହା ଦେଖିଲା ସେ ନିଜ ଆଖିକୁ ନିଜେ ବିଶ୍ଵାସ କରି ପାରିଲା ନାହିଁ। ହରିଆ ଓ ରଘୁଆ ଦୁଇ ଜଣଯାକ ଗଉରାକୁ ଟେକି ଟେକି ଘର ଭିତରକୁ ଆଣୁଥିଲେ। ଏ କଣ ହୋଇଗଲା ବୋଲି ଭାବି ସେ ଭୋ ଭୋ ହୋଇ କାନ୍ଦି ଉଠିଥିଲା। 

ଘର ବାରଣ୍ଡାରେ ପଡ଼ିଥିବା ଖଟଟା ଉପରେ ଗଉରାକୁ ଶୁଆଇ

ଦେଇ ହରିଆ ସେବତୀ ଆଗରେ ସବୁକଥା କହିଲା। କିଛି ଦିନ

ଚିକିତ୍ସା କଲାପରେ ଗଉରା ଠିକ୍ ହୋଇଯିବ ବୋଲି ମଧ୍ୟ ତାକୁ

ଆଶ୍ଵାସନା ଦେଲା। 

କିନ୍ତୁ ସେବତୀ ର ମନ ମୋଟେ ବୁଝୁ ନଥିଲା। ତା ମୁଣ୍ଡ ଉପରେ 

ସତେ ଯେମିତି ଆକାଶଟା ଛିଡ଼ି ପଡ଼ିଥିଲା। ସାରା ଦୁନିଆଟା ତାକୁ ଅନ୍ଧାର ଦେଖା ଯାଉଥିଲା।ଏ ପରିସ୍ଥିତିରେ ସେ ଯେ କଣ କରିବ 

କିଛି ଜାଣି ପାରୁ ନଥିଲା। 

ଏକଥା ଶୁଣି ସାହି ପଡିଶାର ସବୁ ଲୋକ ଗଉରାକୁ ଦେଖିବାକୁ 

ଧାଇଁ ଆସିଥିଲେ ଓ ସେବତୀକୁ ମଧ୍ୟ ସାନ୍ତ୍ଵନା ଦେଉଥିଲେ।ସେ କିନ୍ତୁ କିଛି ଶୁଣିବା ଅବସ୍ଥାରେ ନଥିଲା। କେବଳ ଗଉରାର ଗୋଡ଼ ପାଖରେ ବସି ଲୁହ ଗଡ଼େଇ ଚାଲିଥିଲା।

ଗଉରା ଖଟଟା ଉପରେ ଆକାଶକୁ ଚାହିଁ ପଡ଼ି ରହିଥାଏ।ଖନେଇ ଖନେଇ ସେବତୀକୁ କହୁଥାଏ, ତୁମେ ଆଦୋୖ ବ୍ୟସ୍ତ ହୁଅନି। ମୁଁ

ଖୁବ୍ ଶୀଘ୍ର ଭଲ ହୋଇଯିବି। 

ସେବତୀକୁ ସାନ୍ତ୍ଵନା ଦେଲେବି ଗଉରାର ମନ ବୁଝୁ ନଥିଲା। 

ଭାବୁଥିଲା ସତରେ କ'ଣ ସେ ଭଲ ହୋଇଯିବ?ସତରେ କଣ ସେ ପୁଣି 

ହଳ ନେଇ ତା ଚାଷ ଜମି ପାଖକୁ ଯାଇ ପାରିବ ?

ସେବତୀ ମନରେ ମଧ୍ୟ ସେହି ପ୍ରଶ୍ନ ଉଙ୍କି ମାରୁଥିଲା।ସେ ଖଟ 

ଉପରେ ନିଶ୍ଚଳ ହୋଇ ଶୋଇ ରହିଥିବା ଗଉରା ଭିତରେ ଜମିରୁ 

ହଳ କରି ହସହସ ମୁହଁରେ ଫେରୁଥିବା ଅତୀତର ସେହି ଗଉରାକୁ ଖୋଜିବାକୁ ଚେଷ୍ଟା କରୁଥିଲା। କିନ୍ତୁ ସେ ଗଉରା ତ‌ ତା ପାଇଁ ସୁନା କଙ୍କଣ କିଣିବା ଲୋଭରେ ହାଇଦ୍ରାବାଦ ଯାଇ ସହରର ଭିଡ଼ ଭିତରେ କେଉଁଠି ହଜି ଯାଇଥିଲା। 

ୟା ଆଗରୁ ବି ଅନେକ ସଭ୍ୟ ଓ ଶିକ୍ଷିତ ଗଉରା ସୁନା କଙ୍କଣ ଲୋଭରେ ହାଇଦ୍ରାବାଦ ଭଳି ଅନେକ ଦୂର ସହରକୁ ଯାଇ ସେଠାରେ ଭିଡ଼ ଭିତରେ ହଜି ଯାଇଛନ୍ତି! ଆଜି ସେବତୀ ଭଳି ଚାଷୀ ପରିବାରର ଗୋଟିଏ ବୋହୂ ହାଇଦ୍ରାବାଦ ସହରର ଭିଡ଼ ଭିତରେ ହଜି ଯାଇଥିବା ଏହି ଗାଆଁର ଚଷାପୁଅ ଗଉରାକୁ ଖୋଜି ତା ଗାଁ ମାଟିକୁ ଫେରେଇ ଆଣି ପାରିବ ତ???

ଆଖିରୁ ବହି ଯାଉଥିବା ଲୁହକୁ ହାତରେ ପୋଛୁଥିଲା ସେ। ଦୁଇ ଟୋପା ଲୁହ ତା ହାତର ସୁନା କଙ୍କଣ ଉପରେ ପଡ଼ି ତଳକୁ ଗଡ଼ି

ପଡ଼ିଥିଲା। ଲାଗୁଥିଲା ସତେ ଯେପରି ସୁନା କଙ୍କଣ ଦିଟା ଅସହାୟ

ଭାବରେ ଶୂନ୍ୟକୁ ଚାହିଁ ଖଟ ଉପରେ ପଡ଼ି ରହିଥିବା ଗଉରା ପାଇଁ

ଦୁଃଖରେ ଲୁହ ଗଡ଼େଇ ଚାଲିଥିଲେ। 



Rate this content
Log in

Similar oriya story from Tragedy