ସୁନା ବୋହୂ - ଭାଗ-୨୬
ସୁନା ବୋହୂ - ଭାଗ-୨୬
【ଭାଗ-୨୬】
【 ପୂର୍ଵ ଭାଗରେ ଆପଣ ମାନେ ପଢିଥିଲେ, ଅନୁଙ୍କର ଅହଙ୍କାର ସାମ୍ନାରେ ଆଜି ମୋ ଭଲ ପାଇବା ସହ ବାପା ମାଆଙ୍କ ସମ୍ନାରେ ପ୍ରଥମ ଥର ପାଇଁ ଆଜି ନିଜକୁ ବହୁତ ଖରାପ ଲାଗୁଥାଏ । ଶେଷରେ ବାପାଙ୍କର କଠୋର ନିଷ୍ପତ୍ତିକୁ ମୁଣ୍ଡ ପାତି ସହିଯିବାକୁ ପଡିଲା । ସେମାନଙ୍କର କିଛି ଭୁଲ ନାହିଁ, ଅନୁଙ୍କୁ ଝିଅ ପରି ସ୍ନେହ ଶ୍ରଦ୍ଧା ଭଲ ପାଇବା ଦେଲା ପରେ ବି, ଅନୁ ନିଜର ଦାୟିତ୍ୱ ତୁଲାଇବା ବଦଳରେ ଆଜି ପରିବାରର ଇଜ୍ଜତକୁ ମାଟିରେ ମିଶେଇଦେଲେ । ..ଆଉ ଏବେ ଆଗକୁ】
ହୃଦୟରେ ଯେତେବେଳେ କୋହର କୂଳ ଯନ୍ତ୍ରଣାର ସୀମା ଡେଇଁ ଯାଏ, ସେତେବେଳେ ବେଶି କଷ୍ଟ ଲାଗେ । ବଞ୍ଚିବାର ନିଶା ବି ସରି ଆସେ । ଆଉ ଭୁଲ କି ଠିକକୁ ତର୍ଜମା କରିବା ସାହସ ବି ନ ଥାଏ । ଦୁନିଆଁରେ ମଣିଷ ଯେତେବେଳେ ସବୁ କିଛି ଅତି ଶୀଘ୍ର ପାଇ ଯାଏ ତାକୁ ହରେଇବାର ଦୁଃଖ କିଛି ବି ବୁଝା ପଡେ ନାହିଁ । ଆଉ ଯେତେବେଳେ ସେ ତାର ଅହଂକାରକୁ ଭାଙ୍ଗି ନିଜର ଭୁଲ ପାଇଁ ପଶ୍ଚାତାପ କରିବାକୁ ପ୍ରୟାସ କରେ ସେତେବେଳେ ତାର ସମସ୍ତ ପାପ ଆଉ ଭୂଲକୁ କ୍ଷମା କରି ଦିଆଯାଏ । ଈଶ୍ୱରଙ୍କର କହିବା ଅନୁସାରେ ଆତ୍ମା ଦେହ ଛାଡିବା ପୂର୍ଵରୁ ମଣିଷ ସମସ୍ତ ପାପ ପୂଣ୍ୟର ହିସାବ ବଞ୍ଚିଥିବା ଅବସ୍ଥାରେ ହିଁ ଭୋଗି ଥାଏ । ଆଉ ଏହା ସତ ଯେ ଏ ହାତର ପାପ କେବେ ଆର ହାତ ନିଏ ନାହିଁ । ଠିକ ସେମିତି ମଣିଷର ଗର୍ବ ଆଉ ଅହଂକାରର ପ୍ରେରଣାର ସ୍ରୋତ ଯଦି ସବୁ ସମୟ ପାଇ ଚୁପ ହୋଇଯାଏ । ତେବେ ଆପଣା ପଣର ଅନୁଭବ ହେବା ନିଶ୍ଚିତ । ଆଉ ଯେଉଁ ବିଶ୍ୱାସକୁ ଭାଙ୍ଗି ଦିଆଯାଇଥାଏ, ସେ ବିଶ୍ୱାସ ପାଇବା ପାଇଁ ଆଉ ଥରେ ବି ଅଗ୍ନି ପରୀକ୍ଷା ଦେବାକୁ ହୋଇଥାଏ । ଅନୁଙ୍କ ପାଇଁ ଆଉ ଆମ ଘରେ କାହାରି ମଧ୍ୟରେ ବି କିଛି ଆଲୋଚନା ହେଉ ନ ଥାଏ । ବାପାଙ୍କର ତାଗିଦ ପରେ, ସମସ୍ତେ ଚୁପ ଥିଲୁ । ଗୋଟେ ପଟେ ଘର ଲୋକଙ୍କର ଭଲ ପାଇବା ଆଉ ସମ୍ମାନର କଥା ତ ଅନ୍ୟ ପଟେ ପ୍ରେମିକାରୁ ପତ୍ନୀ ସାଜିଥିବା ମୋର ହୃଦୟର ମାନସୀଙ୍କର ଜୀବନରେ ଆସିଥିବା ବିପଦରୁ ମୁକ୍ତି କରିବାର ବାଟ ଖୋଜିବା ଭିତରେ ଆଜି ମୁଁ ନିଜେ ବାଟ ବଣା ହୋଇ ଯାଇଥିଲି। ବାପାଙ୍କର କଥାକୁ କାଟି ଲୁଚି ଛପି ଯାଇ ଅନୁଙ୍କୁ ଦେଖା କରି ଭଲ ମନ୍ଦ ବୁଝିବା ବି କରି ପାରୁନଥାଏ । ସେ ଦିନର ଆପମାନ ଯାହା ଅନୁ ପୋଲିସ ଷ୍ଟେସନରେ ଦେଇଥିଲେ ଆଉ କେଉଁ ମୁହଁ ନେଇ ଯିବି କିଛି ବି ବୁଝି ପାରୁ ନ ଥିଲି ।
ଅରୁ ମଝିରେ ମଝିରେ ଆସି ମତେ ବହୁତ ବୁଝେଇବା ସହ ସବୁ କିଛି ଠିକ ହେବା ଯାଏ ଧର୍ଯ୍ୟ ଧରି ଅପେକ୍ଷା କରିବା ପାଇଁ କହୁଥାନ୍ତି । ମୋ ମନ ଦୁଃଖର କଥା ବାପା ମାଆଙ୍କୁ ଜଣେଇ ଆଉ ବେଶି କଷ୍ଟ ଦେବା ପାଇଁ ଜମାରୁ ମୋର ଇଚ୍ଛା ନ ଥାଏ । ସେଥିପାଇଁ ମୁହଁରେ ହସ ରଖି ମୁଁ ଭିତରେ ନୀତି ଜିଇଁ ନିଜକୁ ମାରିବାକୁ ଚେଷ୍ଟା କରୁଥିଲି ।
ପରିବାରରେ ସମସ୍ତେ ମାନସିକ ସ୍ତରର ଆଘାତକୁ ଭୁଲି ଯାଇନଥିଲେ। ସମସ୍ତଙ୍କର ମୁହଁରୁ ସୁଖର ଛାୟା ବି ଅପ ସରି ଯାଇଥାଏ । ଏହା ଭିତରେ ଆଉ ଥରେ ହସର ଜୁଆର ସମସ୍ତଙ୍କର ମୁହଁରେ ଖେଳି ଯାଇ ସାରିଥିଲା । ଯେତେବେଳେ ଜେଜେ ମାଆ ବହୁତ ଦିନ ରୋଗ ଶଯ୍ୟାରେ ପଡିଲା ପରେ ଅରୁ ଆଉ ବୋଉଙ୍କର ଚିକିତ୍ସାରେ ଭଲ ହୋଇ ପୂର୍ଵ ଅବସ୍ଥାକୁ ଫେରି ଆସିଲେ । ଦିନେ ଦୁଇ ଦିନ ଭିତରେ ଜେଜେମାଆ କଥା କହିବା ସହ ଦେହକୁ ନିଜେ ନିଜେ ଚଳ ପ୍ରଚଳ କରି ପାରିବାର ଦେଖି ଆମେ ସମସ୍ତେ ବହୁତ ଖୁସି ହୋଇଗଲୁ ।
ଜେଜେମାଆ ବି ପରିବାରକୁ ଏତେ ପାଖରୁ ପାଇ ବହୁତ ଖୁସି ହୋଇ ଥିଲେ । ସମସ୍ତଙ୍କୁ ଦେଖିଲା ପରେ ଯେତେବେଳେ ଅନୁଙ୍କୁ ଖୋଜି ନ ପାଇ ସବୁ କିଛି ଅରୁଙ୍କ ଠାରୁ ଜାଣିଲେ, ପ୍ରଥମେ ମନ ଦୁଃଖ କରିଲେ ବି,ହସି କି କହିଲେ ଆରେ ମୁଁ ସୁସ୍ଥ ହୋଇ ସାରିଲେଣି । ଆଉ ତୁ ଭାବୁଛୁ ତୋ ସ୍ତ୍ରୀ ମୋ ହାତରୁ ଖସି ଯାଇଛି ନାହିଁ । ଏ ବୁଢ଼ୀର ଅଣ୍ଟା ସିନା ନଇଁ ଯାଇଛି କିନ୍ତୁ ତା ହାଡ଼ରେ ବି ଆଜି ବଳ ଅଛି । ଏତେ କରି ବୁଝେଇଲା ପରେ ସିଏ ଯଦି ନ ବୁଝି ପାରିଲା ତେବେ କେଉଁ ମେଡ଼ିସିନର ଅଭାବ ତାକୁ(ଅନୁ) ହେଉଛି ମତେ ଭଲ ଭାବରେ ଜଣା । ଏବେ ଯାହା ମୁଁ କହୁଛି ସବୁ ସେମିତି ହିଁ କର। ଅନୁ କଥା ମୋ ଉପରେ ଛାଡି ଦିଅ । ମୁଁ ବଞ୍ଚି ଥାଉ ଥାଉ ମୋ ପରିବାରରେ ସମସ୍ତେ ଦୁଃଖରେ ରହିବେ,ତାହା କେବେ ବି ସମ୍ଭବ ନିହେଁ । ପ୍ରିୟ (ବାପା) କୁଆଡେ ଗଲୁ ପଣ୍ଡିତଙ୍କୁ ଡ଼କା ଘରକୁ । ମୋର ତାଙ୍କ ସହ କଥା ଅଛି । ସେ ଚଣ୍ଡୀ (ଅନୁ) କି ମୋ ଠେଙ୍ଗୁଲୀ ହିଁ ସାବାଡ଼ କରିବାକୁ କାଫି ।
ମୋ କହିବା ଅନୁସାରେ ସବୁ ବ୍ୟବସ୍ଥା କର । ଜେଜେମାଆଙ୍କର ଅର୍ଡର ଶୁଣି ଆମେ ସବୁ ଛାନିଆ । ଜେଜେମାଆଙ୍କୁ ଖୁସି କରିବା ପାଇଁ ସମସ୍ତେ ଲାଗି ପଡିଥିଲୁ ।
****************
【ଅନ୍ୟ ଏକ ଦୃଶ୍ୟ 】
ପୋଲିସ ଷ୍ଟେସନରୁ କୋର୍ଟ ଭିତରେ ଅନୁଙ୍କର ସୁଖର ଦୁନିଆଁରେ ଯେମିତି କଳା ବାଦଲ ଘେରି ଯାଇଥିଲା । ନିଜର ଗର୍ବ ଆଉ ଅହଂକାରରେ ସେ ଯେଉଁ ପ୍ରତିହିଂସାପରାୟଣ ହୋଇ ନିଜର ଭୁଲ କି ଠିକ ବୁଝୁନଥିଲେ । ତାହା ଆଜି ତାଙ୍କୁ ବହୁତ କିଛି ଶିକ୍ଷା ଦେଇପାରିଛି ହାଜତରେ ।
ପୋଲିସ ଷ୍ଟେସନର ହାଜତ ଭିତରେ ଅନୁଙ୍କୁ ଦେଖା କରିବା ପାଇଁ ଶଶୁର (ଅନୁଙ୍କର ବାପା) ଯାଇଛନ୍ତି ।
:- ପିଲାଟି ଦିନରୁ ମୋର ଗୋଟେ ବୋଲି ଝିଅ, ତତେ ଅଲିଅଳିରେ ଏତେ ବଡ଼ କରିଥିଲି । ଆଜି କାହିଁକି ତୁ ଏତେ ଲୋଭ ଆଉ ଗର୍ବ କରୁଛୁ । କଣ ତୋ ପାଖରେ ଅଭାବ ଅଛି ? ସବୁ ଥାଇ ଆଜି କାହିଁକି କହ ତୁ ଅବାଟରେ ଚାଲି ଗଲୁ । ଯଦି କିଛି ଜାଣିଚୁ ପୋଲିସ ବାବୁଙ୍କୁ ସବୁ ସତ କହିଦେ । ଆମର ଟଙ୍କା ପଇସା କଣ ହେବ କହ । ମଣିଷର ଆତ୍ମସମ୍ମାନ ଆଉ ଇଜ୍ଜତ ବଡ଼ ହୋଇ ଥାଏ । ସବୁ ଦିନ ଖବର କାଗଜ ଆଉ ଟିଭିରେ ବ୍ୟାଙ୍କ ହେରା ଫେରି ଖବର ଶୁଣି ବହୁତ ଖରାପ ଲାଗୁଛି ।
ମୋ ମାଆଟା ପରା ତୁ ଯାହା ବି ଜାଣିଛୁ ସବୁ ଖୋଲି କି କହିଦେ । ଏତିକି କେବଳ ଏ ବୁଢା ବାପାଟାର ଅଳି ।
ଆପଣ ଏ କଣ କହୁଛନ୍ତି ବାପା, ମୋର କିଛି ବି ଦୋଷ ନାହିଁ । ପୋଲିସକୁ ସବୁ କହି ସାରିଲେଣି ହେଲେ ସେମାନେ ମତେ ଛାଡୁ ନାହାନ୍ତି । ଆପଣ ମାନେ ମୋ ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ। ମୋ ପାଇଁ ଆଜି ଆପଣଙ୍କ ଇଜ୍ଜତ ତଳେ ପଡି ଯାଇଛି । ମତେ କ୍ଷମା କରିଦିଅନ୍ତୁ । ମତେ ଆଉ ଜେଲର ଚାରି କାନ୍ଥ ଭିତରେ ରହିବାକୁ ଭଲ ଲାଗୁ ନାହିଁ । ପ୍ଲିଜ ମତେ ଏଠୁ ନେଇ ଯାଆନ୍ତୁ ବପା !!
ଜାଣିଛୁ ମାଆ"', ଝିଅ ବାହା ହେଲା ପରେ ତାର ଶାଶୁ ଘରେ ସୁଖରେ ରହିବାର ଜାଣିଲେ ତା ବାପାର ମନକୁ ଶାନ୍ତି ମିଳେ। ତା ବଦଳରେ ଯଦି ଝିଅ ହାଜତରେ ରୁହେ କେଉଁ ଜନ୍ମ କଲା ବାପା ମାଆ ଖୁସିରେ ରହିବେ କହ !
ଯଦି ବ୍ୟାଙ୍କର କୌଣସି ଭିତିରି କଥା ତତେ ଜଣା ଅଛି ତୁ ମାନି ଯା । ତୋର ଚାକିରୀର ଟଙ୍କା ପାଇଁ ଏ ବୁଢା କି ତୋ ସ୍ୱାମୀ କାହାର ବି ଲୋଭ ନାହିଁ । ସେଥିପାଇଁ ତୁ ଜମା ଚିନ୍ତା କର ନି । ଏ ବିପଦରୁ ଉଦ୍ଧାର କେମିତୁ ପାଇବୁ, ସେଇ ବାଟ ହିଁ ତୁ ଚିନ୍ତା କର ।
:- ବାପା ଘରକୁ ରାମ କି ତାଙ୍କର ପରିବାର ଲୋକେ କେହି ଖବର କି ବୁଲି ଆସିଥିଲେ କି ?
:- ନାଇରେ ମାଆ ", କେଉଁ ମୁହଁ ନେଇ ସେମାନେ ଆଉ ଆସିବେ କହ । ରାମଟା ଭାରି ଭଲ ପିଲା । ଆଉ ତାର ପରିବାରର ଲୋକ ମାନେ ବି ଭଲ । ସେମାନେ ଆସିଥିଲେ ତୋର ସବୁ କଥାକୁ ଭୁଲି ତତେ ସାହାଯ୍ୟ କରିବା ପାଇଁ କିନ୍ତୁ ମାଆ ଆଉ ଝିଅ ଦୁହେଁ ମିଶି ଯେଉଁ ଅପମାନ ଦେଲ, ସେମାନେ ଆଉ କେଉଁ ମୁହଁରେ ଆମ ପାଖକୁ ଆସିବେ । ତୋ ବୋଉ ସିନା ଗର୍ବରେ କହି ଦେଲା ସବୁକିଛିର ସମାଧାନ କରି ଦେବି ହେଲେ ଆମ ପାଖରେ ସେଥିକି ସାମର୍ଥ୍ୟ କି ମନରେ ସାହସ ନାହିଁ । ଏତେ ଦିନ ହେଲାଣି କିନ୍ତୁ ତୋ ପାଇଁ ବେଲ ବି ମୁଁ କରେଇ ପାରୁ ନାହିଁ । ଓକିଲ ମାନଙ୍କର ଡିମାଣ୍ଡ ଶୁଣି ଆଜି ମୋ ମନ ଭାଙ୍ଗି ଗଲାଣି । ଯାହା ପାଖକୁ ଯାଉଛି ସମସ୍ତେ କହୁଛନ୍ତି ବ୍ୟାଙ୍କରୁ ଏତେ ଟଙ୍କା ଲୁଟି ନେଲ ଆଉ ଆମକୁ କିଛି ମୋଟା ଅଙ୍କ ନ ମିଳିଲେ ବେଲ ହେବା ଭାରି କଷ୍ଟ ।
ସେ ଦିନ ମୁଁ ନ ଆସି ପାରିବାରୁ ତୋ ମାଆ ଆସି ଯେଉଁ କାରନାମା କରି ଦେଇ ଗଲା । ମୁଁ ଆଉ ଥରେ ସେମିତି ଘଟଣା ଘଟୁ କେବେ ବି ଚାହିଁବି ନାହିଁ । ତତେ ଦେଖିଲେ ଆଜି ତୋ ମାଆର କଥା ମନେ ପଡୁଛି । ତୁ ତ ଶିକ୍ଷିତ କିନ୍ତୁ ସେ ଅର୍ଧ ଶିକ୍ଷିତ ହୋଇ ବି ଚାକିରୀ ବାକିରି ନ କରି ମୋ ଟଙ୍କା ଆଉ ଚାକିରୀ ବଳରେ ପରିବାର ଠାରୁ ଅଲଗା କରି ଆଣିଲା ଯେ ଦୀର୍ଘ ପଚିଶ ବର୍ଷ ହେବ ମୁଁ ଆଉ ଗାଁ କି ମୋ ମାଆ ପାଖକୁ ଫେରି ପାରିଲି ନାହିଁ। ଆଜି ପୁତ୍ର ହୋଇ ନା କରି ପାରିଲି ମୋ ନିଜ ବାପା ମାଆଙ୍କର ସେବା ନା ତୋ ବୋଉ କରି ପାରିଲା ବୋହୂ ହେବାର କର୍ତ୍ତବ୍ୟ।
ଆଜି ବି ତୋ ବାପା ଏହି କୋହରେ ସବୁ ଦିନ ଛଟପଟ ହୋଇ ମରି ଚାଲିଛି । ଭଲ ପାଇ ବାହା ହୋଇଥିବାରୁ ମୁଁ ବି ମୋ ପରିବାର ପାଇଁ ଅଲୋଡ଼ା ହୋଇ ଗଲି । ମୋର ଆଶା ଆଉ ବିଶ୍ୱାସ ତୋ ମାଆ ଦେଖାଉଥିବା ବାଟରୁ ତୁ ଫେରିଆ ଅନୁ । ମୋ କଥାକୁ ବୁଝିବାକୁ ଚେଷ୍ଟା କରିବୁ !!ଏବେ ବି ସମୟ ଅଛିରେ ମାଆ ନିଜକୁ ବଦଳେଇ ଆଉ ଥରେ ଭୁଲ ବାଟରୁ ତୁ ଫେରି ଆସେ । ଦେଖିବୁ ତୋ ଜୀବନରେ ଆଉ ଥରେ ହସ ଖୁସି ଫେରି ଆସିବ । ପୋଲିସ ଆଉ କୋର୍ଟ କଚେରୀ ଦୌଡ଼ି ବା ପାଇଁ ଆଉ ଦେହରେ ବି ମୋର ବଳ ନାହିଁ ।
ମତେ କ୍ଷମା କରି ଦେବୁ ଲୋ ମାଆ, ମୋର ସବୁ ପ୍ରୟାସ ଆଜି ବିଫଳ ହୋଇଗଲା ।
ହାଜତରେ ଦେଖା କରିବାର ଅବଧି ସରି ଆସି ଥାଏ । ବାପାଙ୍କର ଲୁହ ଭିଜା ଆଖିରେ ଅନେକ ଦିନ ହେବ ଯେଉଁ ଅଗ୍ନି ହୃଦୟ ଭିତରେ ଜଳୁ ଥିଲା ତାହା ଆଜି ମତେ କହିଲା ପରେ ହୁଏତ ଟିକେ ଶାନ୍ତ ହୋଇଯାଇ ଥାଇପାରେ କିନ୍ତୁ ସେ ଅଲିଭା ଦାଗକୁ କଣ ବୋଉ ଚାହିଁଥିଲେ ଲିଭେଇ ପାରି ନ ଥାନ୍ତେ ?
:- ସେ ଯାହା ବି ହେଇ ଯାଉ, ଆଜିଯାଏ ମୁଁ ଯାହା ବି ଖୋଜିଛି ବାପା ସବୁ ଆଣି ମୋ ହାତରେ ଦେଇଛନ୍ତି । ହେଲେ ସେ ଯେ ମିଛ ହସର ନାଟକ କରୁଥିଲେ ଆଜି ଆଉ ବୁଝିବାକୁ ବାକି ନଥିଲା । ବାପାଙ୍କ ଠାରୁ ନିରାଶ ହେଲା ପରେ ମୁଁ ମୁଣ୍ଡ କିଛି ବି କାମ କରୁ ନ ଥିଲା । କଣ କରିବି କିଛି ବୁଝା ପଡୁ ନାହିଁ । ବାପା ବୋଉ ଦୁହେଁ ବି ମତେ ସାହାଯ୍ୟ କରି ପାରିବେ ନାହିଁ ବୋଲି କହିଦେଲେ ।
ଭରସା କରିବା ପାଇଁ ଆଉ କାହା ଉପରେ ବିଶ୍ୱାସ ବି ମୋର ନାହିଁ । ଯେଉଁ ମାନେ ମତେ ଏତେ ନିଜର ଭାବି ଦୌଡ଼ି ଆସିଥିଲେ ଆଜି ସେମାନଙ୍କର ବିଶ୍ୱାସକୁ ମୁଁ ହିଁ ଭାଙ୍ଗି ଦେଇଛି। ଏବେ କଣ କରିବି କିଛି ବୁଝି ପାରୁ ନାହିଁ !
କ୍ରମଶଃ........
