Gangadhar Nanda

Tragedy Inspirational

4.1  

Gangadhar Nanda

Tragedy Inspirational

ସୁଲୋଚନାଙ୍କ ସମସ୍ୟା

ସୁଲୋଚନାଙ୍କ ସମସ୍ୟା

6 mins
426



      'ମୁଁ ଯାଏଁ ଲୋ ମାଆ, ଝିଅଟାକୁ ମୋର ଭୋକ ହେବଣି !' ଗପ ବନ୍ଦ କରି ସୁଲୋଚନା ଦେବୀ ଉଠି ଠିଆହେଲେ । ମଝିରେ ମଝିରେ ଟିକିଏ ସମୟ ମିଳିଲେ ସେ ପଡିଶା ଘରର କୁନିବୋଉ ପାଖକୁ ଗପିବାକୁ ଚାଲିଆସନ୍ତି । କୁନିବୋଉ ସଂପର୍କରେ ସୁଲୋଚ଼ନା ଦେବୀଙ୍କର 'ବଡଯାଆ' ହେବେ । ସେ ଥିଲେ ବାଲ୍ୟବିଧବା । ଜଣେ ଦୂର ସଂପର୍କୀୟ ଭାଇର ଝିଅ କୁନିକୁ ପୋଷ୍ୟକନ୍ୟା ରୁପେ ଗ୍ରହଣ କରିଥିଲେ । ସେ ମଧ୍ୟ ଦୁଇ ବର୍ଷ ପରେ ମୃତ୍ୟୁବରଣ କଲା । ସେବେଠାରୁ କୁନିବୋଉର ପରିଚୟ ନେଇ ସେ ବଞ୍ଚିଛନ୍ତି । କାହାରି ଉପରେ ଅବଶୋଷ କିଛି ନାହିଁ । ସବୁବେଳେ ଖୁସି ଥାଆନ୍ତି । କିନ୍ତୁ ତାଙ୍କର ଗୋଟିଏ ବିଶେଷ ଗୁଣ ଚନ୍ଦ୍ରମାରେ କଳଙ୍କ ଭଳି ତାଙ୍କ ଲୋକପ୍ରିୟତାରେ କଳଙ୍କ ସୃଷ୍ଟି କରୁଥିଲା । ସେ ଥିଲେ ଅତ୍ୟନ୍ତ ସ୍ପଷ୍ଟବାଦୀନି । ଯେ କୌଣସି ବ୍ୟକ୍ତି ମୁହଁରେ ଅପ୍ରିୟ ସତ୍ୟ କହିବାକୁ ସେ କେବେ ପଛାନ୍ତିନି । 

      ଚିକିଏ ସମୟ ମିଳିଲେ ସୁଲୋଚନା ଦେବୀ ଓ କୁନିବୋଉ ଗପର ପସରା ଖୋଲି ବସିପଡନ୍ତି । ଦୁଇଜଣଙ୍କର ଯୋଡି ଭଲ ଜମେ। ସେଥିଲାଗି କେବେ ମନ କଷ୍ଟ ଲାଗିଲେ ସୁଲୋଚନା ଦେବୀ କୁନିବୋଉ ପାଖକୁ ଚାଲିଆସନ୍ତି । କିଛି ସମୟ କଥା ହୋଇଗଲେ ମନ ହାଲକା ଲାଗେ । ସୁଲୋଚନାଙ୍କର ପୁଅ ବୋହୁ, ନାତି ନାତୁଣୀଙ୍କୁ ନେଇ ସଂସାର । ଗତାନୁଗତିକ ଧାରାରେ ସଂସାର ଚାଲିଥାଏ । କେବଳ ମଝିରେ ମଝିରେ ବୋହୁ ସହ ସାମାନ୍ୟ ପାଟିତୁଣ୍ଡ ହୁଏ । କେତେବେଳେ ବୋହୁ ଏଣୁ ତେଣୁ ଦିପଦ କହିଦେଲେ ବୁଢୀ ମନ ଦୁଃଖ କରି କୁନିବୋଉ ପାଖକୁ ପଳେଇ ଆସେ । ପୁଅକୁ କହି କିଛି ଲାଭ ନାହିଁ । ସେ ବିଚରା ତା' ଧନ୍ଦାରେ ଦିନଯାକ ବ୍ୟସ୍ତ ରହୁଛି । ରାତିରେ ଘରକୁ ଫେରି ଟିକିଏ ଆରାମ କଲାବେଳେ, ତାର କ୍ଳାନ୍ତ ମୁହଁଟିକୁ ଚାହିଁଦେଇ ସୁଲୋଚ଼ନା ସବୁକଥା ପଛକୁ ପକେଇ ଦିଅନ୍ତି । ବୋହୁର ବ୍ୟବହାର ବିଷୟରେ କହି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି କରିବାକୁ ତାଙ୍କର ବିବେକ ବାଧା ଦିଏ । 'ମୋ ପୁଅ ଏମିତି ସବୁଦିନ ଭଲରେ ଘରକୁ ଆସୁଥାଉ ।' ମନରେ ଏକଥା ଭାବି ସୁଲୋଚ଼ନା ଠାକୁରଙ୍କୁ ହାତ ଯୋଡ଼ନ୍ତି । 

    ସୁଲୋଚନା ଦେବୀ ଓ ତା'ଙ୍କ ବୋହୁ ଭିତରେ ସମସ୍ୟା ସୃଷ୍ଟି କରୁଥାଏ ସୁଲୋଚ଼ନାଙ୍କର ସାନ ଝିଅ ଦୀପା । ଦୀପା ଆଜନ୍ମ ପାଗେଳୀ । ପୁଅ ଜନ୍ମର ପ୍ରାୟ ପାଞ୍ଚ ବର୍ଷ ପରେ ଦୀପାର ଜନ୍ମ । ବୟସ ତିରିଶ ଡେଇଁଲାଣି । କିନ୍ତୁ ନିଜ ନିତ୍ୟକର୍ମ କରିବାରେ ଅକ୍ଷମ । ନାଆଁ ଧରି ଡାକିଲେ ବି ଶୁଣେନି । ତା' ନାମ ଦୀପା ବୋଲି ହୁଏତ ତାକୁ ଜଣା ହିଁ ନାହିଁ । ଦୀପା ସବୁବେଳେ ଅଜ୍ଞାନ ଶିଶୁ ଭଳି ଖେଳଣା ସାଙ୍ଗରେ ଖେଳୁଥିବ । ଯେତେ ଡାକ୍ତର ବଇଦଙ୍କୁ ଦେଖେଇଲେ ମଧ୍ୟ କିଛି ଲାଭ ହେଲାନି । ସୁଲୋଚନା ଦେବୀ ଦୀପାର ସବୁ କାମ କରନ୍ତି । ଗାଧୋଇ ଦେବାଠାରୁ ଆରମ୍ଭ କରି ଖୁଆଇ ପିଆଇ ଦେବା ପର୍ଯ୍ୟନ୍ତ, ଦିନଯାକର ସକଳ କାମ ଏକମାତ୍ର ସୁଲୋଚନା କରନ୍ତି । ବୋହୁର କହିବା କଥା ହେଉଛି, ଦିନକୁ ଦିନ ଘର କାମ ବଳଉଛି । ତେଣୁ ଦୀପାକୁ ପାଗଳ ଡାକ୍ତରଖାନାରେ ଛାଡ଼ିଦେଲେ ଭଲ ହୁଅନ୍ତା । ଯାହାକିଛି ପଇସା ପଛେ ଦେବାକୁ ପଡ଼ୁ, ଦିଆଯିବ । ବୁଢୀ ଏମିତି ଦିନସାରା ସେ ପାଗେଳୀଟାର ସେବା କଲେ ଏପଟେ ଘର କାମ କେମିତି ହେବ ? ଦି ଦିଇଟା ନାତି ନାତୁଣୀଙ୍କର ବିଭିନ୍ନ ପ୍ରକାରର ସେବା ପାଇଟି କଥା କିଏ ବୁଝିବ ? ସୁଲୋଚ଼ନାଙ୍କୁ ଏଥିପାଇଁ ବେଳେ ବେଳେ କଡ଼ା କଥା ଶୁଣିବାକୁ ମିଳେ । 

    ଦୀପାର ପାଗଳ ଡାକ୍ତରଖାନା ଯିବା ପ୍ରସଙ୍ଗଟି, ସୁଲୋଚନାଙ୍କୁ ବୋହୁର କଡା କଥା କେତେପଦ ଅପେକ୍ଷା ଢେର ଅଧିକ କଷ୍ଟ ଦେଉଥିଲା । ନିଜ କର୍ମ ନିଜେ କରିବାକୁ ଅକ୍ଷମ ଥିବା ପିଲାଟା ଡାକ୍ତରଖାନାରେ କିପରି ଚ଼ଳିବ ? ବୁଢୀ ଏଇ କଥାଟିକୁ ସର୍ବଦା ଭାଳି ହେଉଥାଏ । ଅବଶ୍ୟ ଏମିତି ଭାଳିହେବା ପଛରେ ଲୁକ୍କାୟିତ ଥାଏ ବୁଢୀର ଗଭୀର ବାତ୍ସଲ୍ୟ ମମତା । ନିଜ ପାଖରୁ ଦୀପା ଦୂରେଇଯିବା କଥା ଭାବିଦେଲେ ବୁଢୀକୁ ଚତୁର୍ଦ୍ଦିଗ ଅନ୍ଧକାର ଦିଶୁଥାଏ । ଏସବୁ କେହି ନଜାଣିଲେ ମଧ୍ୟ କୁନିବୋଉ ଜାଣୁଥାନ୍ତି । ଦୁଇପଦ ସାନ୍ତ୍ବନା ଦେବା ଛଡ଼ା ସେ ଅବା ଆଉ କ'ଣ କରିପାରିବେ ?

     ଅବଶେଷରେ ବୋହୁର ଜିଦ ଆଗରେ ସୁଲୋଚନାଙ୍କର ଦୁର୍ବଳ ଆପତ୍ତି ହାର ମାନିଲା । ହାର ମାନିବାର ଆଉ ଗୋଟିଏ ବଡ କାରଣ ମଧ୍ୟ ଥିଲା । 'କୁନିବୋଉ କୁଆଡେ ମୋ ଶାଶୁଙ୍କୁ କୁମନ୍ତ୍ରଣା ଦେଇ ଆମ ଘର ଭାଙ୍ଗୁଛନ୍ତି' ବୋଲି ଅଭିଯୋଗ କରି ବୋହୁ ଭଲକରି ଦୁଇପଦ କୁନିବୋଉକୁ ଶୁଣାଇ ଦେଲା । ସେଦିନ ସନ୍ଧ୍ୟାବେଳେ ସୁଲୋଚ଼ନା ପୂର୍ବଭଳି କୁନିବୋଉ ପାଖକୁ ଯାଉ ଯାଉ ସେ ସ୍ପଷ୍ଟ ମନା କରିଦେଲେ । 

'ତୁ ଆଉ ଆଜିଠୁ ମୋ ଘରକୁ ଆସିବୁନି କି ମୋ ସଙ୍ଗେ କଥା ହେବୁନି । ତୁ ମୋ ପାଖକୁ ଆସୁଥିବାରୁ ତୋ ବୋହୁ ମୋତେ ଗାଳିଦେଲା ।' 

'ଅପା ! ତୁମକୁ ମୋ ରାଣ, ମୋତେ ତୁମ ପାଖକୁ ଆସିବାକୁ ମନାକରନି । ତୁମ ଗୋଡ ଧରୁଛି ।' ସୁଲୋଚନାଙ୍କର ସମସ୍ତ କାକୁତି ମିନତି ବ୍ୟର୍ଥ ହେଲା । ଏହାପରେ ସୁଲୋଚ଼ନାଙ୍କର ନିରବ ରହିବା ଛଡ଼ା ଆଉ କିଛି ଚାରା ନଥିଲା । ଏପଟେ ପୁଅ ମଧ୍ୟ ବୋହୁକୁ ସମର୍ଥନ କରି ଦୀପାକୁ ପାଗଳଖାନା ପଠାଇବାର ଯୋଜନାରେ ମନ ଦେଲା । ସେଦିନ ରାତିରେ ସୁଲୋଚନା, ଦୀପାକୁ ଧରି ଢେର କାନ୍ଦିଲେ । ପରଦିନ ସକାଳୁ ସମସ୍ତେ ଦୀପାକୁ ନେଇ ଟ୍ୟାକ୍ସିରେ ବସିଲେ । ଦୀପାର ଆବଶ୍ୟକୀୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ଗୁଡାଏ କଣ୍ଢେଇ ଭିତରୁ ତା'ର ଅତି ପ୍ରିୟ ଦୁଇ ତିନୋଟି କଣ୍ଢେଇକୁ ଗଣ୍ଠିଲିରେ ବାନ୍ଧି ସୁଲୋଚ଼ନା ଚୁପ ଚାପ ଆସି ଗାଡିରେ ବସିଲେ । ଅଧିକ ରାତି ପର୍ଯ୍ୟନ୍ତ କାନ୍ଦିଥିବାରୁ ଆଖିପତା ଫୁଲିଯାଇଛି । ପୁଅ ବୋହୁ ସବୁ ଦେଖି କିଛି ନଦେଖିଲା ଭାବ ନେଇ କଥାବାର୍ତ୍ତା ହେଉଛନ୍ତି । 

    ସେଠାରେ ପହଞ୍ଚି ଦୀପାକୁ ତା ପାଇଁ ଉଦ୍ଦିଷ୍ଟ କୋଠରୀକୁ ନିଆଗଲା । ସମସ୍ତ କାଗଜପତ୍ର କାମ ସରିଯିବା ପରେ ସମସ୍ତେ ଘରକୁ ଫେରିବା ପାଇଁ ପ୍ରସ୍ତୁତ ହୋଇ ଗାଡିରେ ବସିଲେ, କେବଳ ଦୀପା ବ୍ୟତୀତ । ସୁଲୋଚନା ଗାଡିରେ ବସିସାରି ଦୀପାର ଅନୁପସ୍ଥିତି ଜନିତ ଶୂନ୍ୟସ୍ଥାନଟିକୁ ଅପଲକ ଦୃଷ୍ଟିରେ ଦେଖିବା ସହିତ ଆଖିରୁ ଲୁହ ପୋଛୁଥିଲେ । ସେଦିନ ରାତିରେ ସୁଲୋଚନା ଦେବୀ ଅଖିଆ ଅପିଆ ଶୋଇଲେ । ପରଦିନ ସକାଳୁ ତାଙ୍କର ଶୋଇବା ଘର ଦ୍ଵାର ଖୋଲିବା ବିଳମ୍ବ ହେବାରୁ ବୋହୁ ଆସି ଦ୍ଵାରକୁ ସାମାନ୍ୟ ଠେଲିଦେଲା । ଦ୍ଵାର ଖୋଲିଗଲା । ଭିତର ପରିସ୍ଥିତି ଦେଖି ବୋହୁ କିଛି ସମୟ ସ୍ତବ୍ଧ ହୋଇ ଠିଆ ହୋଇ ରହିଲା । ପରେ ପରେ ଦଉଡି ଯାଇ ପୁଅକୁ ଉଠାଇଲା । ଉଭୟ ଏକତ୍ର ହୋଇ ଆସି ଦେଖୁଥିଲେ, ଦୀପା ଛାଡ଼ିଯାଇଥିବା ଖେଳଣା ସାଙ୍ଗରେ ସୁଲୋଚନା ଦେବୀ ଖେଳୁଥିଲେ । ଅଭିନୟ କରି କାହାକୁ ଗାଧୋଇ ଦେଉଥିଲେ ତ କାହାର ଚୁଟି ବାନ୍ଧିଦେଉଥିଲେ । ପୁଣି ସେମାନଙ୍କୁ ଖୁଆଇ ପିଆଇ ସାରି ଶୁଆଇ ଦେଉଥିଲେ ।

    ସୁଲୋଚନା ଦେବୀଙ୍କର ମୁଣ୍ଡ ଖରାପ ହୋଇଯିବା ଖବରଟି ବିଜୁଳି ବେଗରେ ଗାଁ ସାରା ବ୍ୟାପିଗଲା । ପୁଅ ବୋହୁ ମଧ୍ୟ ଯଥାସମ୍ଭବ ତତ୍ପରତା ଦେଖାଇ ତାଙ୍କୁ ଡାକ୍ତରଖାନା ନେବାର ବ୍ୟବସ୍ଥା କଲେ । ବିଶେଷ ଚିକିତ୍ସା ଉଦ୍ଦେଶ୍ୟରେ ସୁଲୋଚ଼ନା ଦେବୀଙ୍କର ଯଥାଶୀଘ୍ର ସେଠାରୁ ଦୀପା ପାଖକୁ ସ୍ଥାନାନ୍ତର ହୋଇଗଲା । ଭଲ ହୋଇ ସେଠାରୁ ଫେରିବା ସମୟ କିନ୍ତୁ ଅନିର୍ଦ୍ଦିଷ୍ଟ ଥିଲା । 

     ଏ ଘଟଣାର ପ୍ରାୟ ଏକ ସପ୍ତାହ ପରେ ଦିନେ କୁନିବୋଉଙ୍କର ସୁଲୋଚ଼ନା ଦେବୀଙ୍କୁ ଦେଖିବାକୁ ଇଚ୍ଛା ହେଲା । ସେତେବେଳକୁ ମନରୁ ରାଗ କମି ଆସିଲାଣି । 

'ହଇରେ ଗୋପିଆ ! ତୋ ଅଟୋରିକ୍ସାରେ ମୋତେ ଟିକିଏ ପାଗଳଖାନା ନେଇଗଲୁ । ତୋ ପାଉଣା ଯାହା ହବ ମୁଁ ଦେବି । ମୁଁ ଟିକିଏ ସେ ମାଆ ଝିଅ ଦୁଇଟାଙ୍କୁ ଦେଖିଆସେ ।' 

ପରଦିନ କୁନିବୋଉ ଡାକ୍ତରଖାନାରେ ପହଞ୍ଚିସାରି ପଚ଼ରା ପଚରି କରି ସୁଲୋଚନାଙ୍କୁ ଦେଖାହେଲେ । ଝରକା ପାଖରେ ଠିଆ ହୋଇ ଭିତରକୁ ଚାହିଁଲେ । ଭିତରେ ସୁଲୋଚନା ଦେବୀ ଝରକା ପାଖରେ ଠିଆ ହୋଇ ଗୋଟିଏ କଣ୍ଢେଇର ମୁଣ୍ଡ କୁଣ୍ଡେଇ ଦେଉଥିଲେ । ଟିକିଏ ଦୂରରେ ଦୀପା ବସି ରହି ମନକୁ ମନ କଥା ହେବାରେ ବ୍ୟସ୍ତ ଥିଲା । 

'ସୁଲୋଚନା ! ମୋତେ ଜାଣିପାରୁଚୁ ଟି ?' ଧିର ସ୍ଵରରେ କୁନିବୋଉ ପଚାରିଲେ ।

' . . . . .' ସୁଲୋଚନା ଗୋଟିଏ ଥର ଚାହିଁଦେଇ ପୂର୍ବଭଳି ନିଜ କାମରେ ମନ ଦେଲେ ।

'ଆଲୋ ମୁଁ ତୋ ଅପା କହୁଛି ବା । ଘର ମନା କଲି ବୋଲି ମୋ ଉପରେ ରାଗିଚୁ ?' 

'. . . . .' ସୁଲୋଚନା ପୂର୍ବ ଭଳି ନିରବ ଥିଲେ । ପଛରୁ ଜଣେ ନର୍ସ ଆସି କୁନି ବୋଉ କାନ୍ଧରେ ହାତ ରଖିଲେ । 

'ସେ ଆଉ ଆମ ସଂସାରରେ ନାହାଁନ୍ତି ମାଉସି । ଏବେ ତାଙ୍କର ଦୁନିଆଁ ଅଲଗା ; ସେ ଦୁନିଆଁ ଆମର ଏ ସଂସାର ଠାରୁ ବହୁତ ଦୂରରେ ।' ସାନ୍ତ୍ଵନା ଦେବା ସ୍ଵରରେ ନର୍ସ କହୁଥିଲେ ।

'ଏତେ ଦୂରରୁ ଆସି ଏମିତି ଫେରିଯିବି ?' କୁନିବୋଉ କ୍ଷୋଭର ସହ କହୁଥିଲେ, ' ଆଜି ପର୍ଯ୍ୟନ୍ତ ଆମେ ଦୁଇଜଣ କେତେ କଥା ହେଇଚୁ ! କେତେ ସୁଖ ଦୁଃଖ ବାଣ୍ଟିଚୁ ; ସେ କେମିତି ଏବେ ଚୁପ ରହିପାରୁଛି ? ଏ ସୁଲୋଚନା ! ମୋତେ କ୍ଷମା କରିଦେ । କ'ଣ ବି ଟିକିଏ କହିଦେ । ମୁଁ ଶୁଣିସାରି ଚାଲିଯିବି ।' 

'. . . . . ' ନିରବରେ କିଛି ମୁହୂର୍ତ୍ତ ଅତିକ୍ରାନ୍ତ ହୋଇଗଲା ।

'ତୁମେ ମୋ ଝିଅ ଦୀପା ସାଙ୍ଗରେ ଟିକିଏ ଦେଖା କରେଇ ପାରିବ ?' ସୁଲୋଚନା କହୁଥିଲେ ।

'ହଁ ହଁ ।' କୁନିବୋଉ ବଡ ଉତ୍ସାହ ସହକାରେ କହିଲେ, ' ସେ ପରା ତୋ ପଛରେ ବସିଚି ।'

ସୁଲୋଚ଼ନା ସେ କଥା ବୁଝିଲେ କି ନାହିଁ କିଛି ଜଣା ପଡିଲା ନାହିଁ ।

'ତୁମେ ମୋ ଅପା ପାଖକୁ ଗୋଟିଏ ଖବର ଦେଇପାରିବ ? ପୂର୍ବଭଳି ନିର୍ଲିପ୍ତ ସ୍ୱରରେ ସୁଲୋଚ଼ନା କହିଲେ ।

' ହଁ କହ ।' ମୁଁ ପରା ତୋ ଅପା । ତୋ ସାମ୍ନାରେ ଛିଡା ହେଇଚି । କୁନିବୋଉ ନିଜ ଆଖିରୁ ଲୁହ ପୋଛି କହିଲେ ।

'ତା'ଙ୍କୁ କହିବ, ସେ ମୋତେ ତା'ଙ୍କ ଦୁଆର ମନା କରିବେନି । ତା'ଙ୍କ ସାଙ୍ଗରେ କଥା ନହେଲେ ମୁଁ ବଞ୍ଚି ପାରିବିନି ।' ସୁଲୋଚନା ଏତକ କହିସାରି ହାତରେ ଧରିଥିବା କଣ୍ଢେଇର ମୁଣ୍ଡ ଆଉଁସିବାରେ ମନ ଦେଲେ । 

କୁନିବୋଉ କିଛି ସମୟ ସ୍ତବ୍ଧ ହୋଇ ଛିଡା ହେଲେ । ହଠାତ୍‌ ନିଜ ମୁଣ୍ଡଟାକୁ କାନ୍ଥରେ ପିଟିଦେଇ କହିଲେ, ' ହେ ଭଗବାନ ! କେଡେ ବଡ ଭୁଲଟାଏ ମୁଁ କରିଦେଲି !' 

     କୁନିବୋଉଙ୍କୁ ଯଥାସମ୍ଭବ ସାନ୍ତ୍ୱନା ଦେଇ ଗୋପିଆ ଘରକୁ ଆଣିଲା । ବାଟସାରା ଆଖିରୁ ଲୁହ ଗଡୁଥିଲା । ଗଡ଼ିଆସୁଥିବା ଲୁହକୁ ପୋଛିଦେବା ପାଇଁ ହାତ ଯାଉନଥିଲା । ସେମିତି ନିର୍ବାକ, ନିସ୍ପନ୍ଦ ଅବସ୍ଥାରେ ପଥର ଭଳି ଗାଡିରେ ବସି ଘରକୁ ଆସିଲେ । ନିଜ ଘରକୁ ଫେରିବା ପୂର୍ବରୁ କୁନିବୋଉ ସୁଲୋଚନା ଦେବୀଙ୍କ ଘର ବାରଣ୍ଡାକୁ ଉଠି ବୋହୁକୁ ଡାକିଲେ । କିଛି ସମୟ ପରେ ଦ୍ଵାର ଖୋଲିଲେ ବୋହୁ ।

' ଶୁଣ ବୋହୁ ! ତୋର ଭୁଲ ଠିକ୍ ବାଛିବାକୁ ମୁଁ ଏଠାକୁ ଆସିନି । ଜୀବନ ସାରା ଭଗବାନଙ୍କୁ ଡ଼ାକିଛି । ଅନେକ ଧର୍ମ କରିଛି । ମୋର ସମସ୍ତ ପୂଣ୍ୟ ବଦଳରେ ଆଜି ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି, ଜନ୍ମ ଜନ୍ମାନ୍ତର ଧରି ମୋ ଗର୍ଭରୁ ତୁମ ଭଳି ସନ୍ତାନ ଜନ୍ମ ନହୁଅନ୍ତୁ ।***

      ପରବର୍ତ୍ତୀ ଦୁଇ ଦିନ ପର୍ଯ୍ୟନ୍ତ କୁନିବୋଉକୁ ଗାଁ'ରେ କେହି ଦେଖିନାହାଁନ୍ତି । ଦୁଇଦିନ ପରେ ସେ ଘରୁ ପଚା ଗନ୍ଧ ବାହାରିବାରୁ କିଛି ଗ୍ରାମବାସୀ କବାଟ ଭାଙ୍ଗି ଭିତରେ ପଶିଲେ । ଭିତର ବାରଣ୍ଡାରେ ଠାକୁରଘର ଦିଗକୁ ମୁଣ୍ଡ ରଖି କୁନିବୋଉ ଶୋଇଥିଲେ । ପ୍ରାଣହୀନ ଶରୀରର ଦୁଇ ହାତ ମଧ୍ୟରେ କାଷ୍ଠ ବିଗ୍ରହ ରୁପରେ ବନ୍ଦୀଥାଇ ପ୍ରଭୂ ଶ୍ରୀ ଜଗନ୍ନାଥ ହସୁଥିଲେ ।

     କୁନିବୋଉର ମୃତ୍ୟୁ ରହସ୍ୟ, ସେ ଛୋଟିଆ ଗ୍ରାମଟିର ସମସ୍ତ ଗ୍ରାମବାସୀମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଯାଇଛି । 

** ସମାପ୍ତ **


      



Rate this content
Log in

Similar oriya story from Tragedy