Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Sanjeeb Kumar Nag

Tragedy

4.2  

Sanjeeb Kumar Nag

Tragedy

ସୁଇସାଇଡ଼ ନୋଟ୍

ସୁଇସାଇଡ଼ ନୋଟ୍

6 mins
521


ସେଦିନ ହାଡୁ ସାହୁର ସ୍ତ୍ରୀ ଧାନ କ୍ଷେତରେ ଘାସ ଉପାଡିଲା ବେଳେ ହଠାତ ପାଟି କଲା, " ଏ କିଏ ଅଛରେ ଧାଇଁ ଆସ, ଧାଇଁ ଆସରେ ଧାଇଁ ଆସ"। ଦେଖୁ ଦେଖୁ ଗାଁ ଯାକ ଲୋକେ ରୁଣ୍ଡ ହେଇଗଲେ। ଘର ପାଖରେ ହୋ ହଲ୍ଲା ଶୁଣି ପୂଜାର ନିଦ ଭାଙ୍ଗିଗଲା। ତରବରରେ ଘରୁ ବାହାରିଲା ବେଳକୁ, ଘର ଅଗଣାରେ ଲୋକଙ୍କ ଭିଡ଼। ସମସ୍ତେ ପୂଜାକୁ ଅନେଇଥାଆନ୍ତି ଏକ ପ୍ରଶ୍ନପୂର୍ଣ୍ଣ ଦୃଷ୍ଟିରେ। ପୂଜା କିଛି ବୁଝି ପାରୁନଥାଏ। ତାର ହୃଦୟ ସ୍ପନ୍ଦନ ବଢି ଚାଲିଥାଏ। ଏତିକି ବେଳେ କେହିଜଣେ ମହିଳା ତା ପାଖକୁ ଦୌଡ଼ି ଆସି କାନ୍ଦିବାରେ ଲାଗିଲା, "ଏ କଣ ହେଇଗଲା ଲୋ ମା? ତୁ ଘରେ ଥାଇ କେମିତି ଜାଣି ପାରିଲୁନି?" ପୂଜା କିଛି ବୁଝି ପାରୁନଥାଏ; ତା ଆଖି ଖାଲି ରାଜେଶକୁ ଖୋଜୁଥାଏ; ଏତେ ଲୋକ ଜମା ହେଇଛନ୍ତି ହେଲେ ସେ କାହାନ୍ତି? କେହିଜଣେ ଭିଡ ଭିତରୁ କହୁଥିଲା, "ପୋଲିସକୁ ଡାକ"। ଆଉ କିଏ କହୁଥିଲା, "କିଛି ତ ନିଶ୍ଚୟ ଘଟିଛି, ନହେଲେ ଇଏ ଏମିତି କରି ନଥାନ୍ତା"। ପୁଣି ଆଉ କିଏ କହୁଥିଲା, "ସେ ନିଜେ କରିଛି ନା, ଅନ୍ୟ କିଏ କରିଛି ପୋଲିସ ଯାଞ୍ଚ କଲେ ଜଣାପଡିବ"। ଏତିକି ବେଳେ ହଠାତ ତାର ନଜର ପଡ଼ିଗଲା ନିମ୍ବ ଗଛରେ ଝୁଲୁଥିବା ରାଜେଶର ଶବ ଉପରେ। କେହି କିଛି କହିବା ଆଗରୁ ବେହୋସ ହେଇ ତଳେ ପଡିଗଲା ପୂଜା।

ଆତ୍ମୀୟ ସ୍ୱଜନ ସମସ୍ତେ ପହଁଞ୍ଚିବା ପୂର୍ବରୁ ପୋଲିସ ଶବକୁ ଜବତ କରି ପୋଷ୍ଟମୋର୍ଟମ ପାଇଁ ନେଇଯାଇଥିଲା। ରାଜେଶର ପ୍ୟାଣ୍ଟ ପକେଟରୁ ମିଳିଥିବା ସୁଇସାଇଡ଼ ନୋଟ୍ ର ହାତଲେଖା ତଦାରଖ କରି ପୋଲିସ ତାହା ରାଜେଶର ନିଜସ୍ଵ ହାତଲେଖା ବୋଲି ନିଶ୍ଚିତ ହୋଇଯାଇଥିଲା। ଯୋଉଥିରେ କି ଲେଖାଥିଲା:-

"ରୋଗରେ ଛଟପଟ ହୋଇ ମରିବା ଅପେକ୍ଷା ଆତ୍ମହତ୍ୟା ଶ୍ରେୟସ୍କର ବୋଲି ମନେକରି ମୁଁ ସ୍ୱଇଚ୍ଛାରେ ମୃତ୍ୟୁକୁ ଆଲିଙ୍ଗନ କରୁଛି। ମୋର ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି, କେବଳ ମୁଁ ହିଁ ଦାୟୀ। ଜାଣତରେ ବା ଅଜାଣତରେ ଯଦି କାହା ମନକୁ କେବେ କଷ୍ଟ ଦେଇଛି ତେବେ କ୍ଷମା କରିଦେବେ। ଇତି, ଆପଣମାନଙ୍କର ରାଜେଶ ଓରଫ ରାଜୁ"।

ଘଟଣାଟିକୁ ପୋଲିସ ଆତ୍ମହତ୍ୟା ବୋଲି ଫାଇଲ କ୍ଲୋଜ କରିଦେଲେ। ରାଜେଶର ପରିବାରରେ ରାଜେଶ, ପୂଜା ଓ ତାଙ୍କର ଏକ ଶିଶୁ ପୁତ୍ର ବ୍ୟତୀତ ଅନ୍ୟ କେହି ନଥିଲେ। ରାଜେଶର ମୃତ୍ୟୁ ପରେ ପରିବାରର ଭରଣ ପୋଷଣ ପାଇଁ କେହି ନଥିବାରୁ ପୂଜା ଓ ତାର ପୁଅକୁ ପୂଜାର ବାପା ମାଆ ସାଙ୍ଗରେ ନେଇଗଲେ ନିଜ ଘରକୁ।

ପୂଜା ସ୍ୱାଭାବିକ ଅବସ୍ଥାକୁ ଫେରିନଥାଏ। ସଦାବେଳେ ପାଗଳୀଙ୍କ ପରି ମନେ ମନେ କଥା ହେଉଥାଏ। ବେଳେ ବେଳେ କଣ ଭାବେ କେଜାଣି, ମୁଲ କରି ମୁରୁକି ହସଟେ ହସି ଲାଜେଇ ଯାଏ। ରାତିରେ ତାକୁ ନିଦ ହୁଏନି। କିଛି ସମୟ ଆଖି ବନ୍ଦ କଲାପରେ ହଠାତ ଚିତ୍କାର କରି ଉଠିପଡ଼େ ଆଉ ଜୋରରେ କାନ୍ଦିବାକୁ ଲାଗେ। "ମାଆ, ମୋ ଶଙ୍ଖା କାହିଁ? ମୋତେ ମୋ ଶଙ୍ଖା ପିନ୍ଧେଇ ଦେ। ଦେଖୁଛୁ ଇଏ ମୋତେ କଣ କହୁଛନ୍ତି? ମୋ ସାମ୍ନାରେ ଛିଡା ହେଇ ହସୁଛନ୍ତି, ମତେ ପାଗଳୀ କହି ଚିଡାଉଛନ୍ତି।"

ଦେଖୁ ଦେଖୁ ବରଷଟେ ପୁରିଗଲା। ପୂଜା ଆଉ ଏବେ ପାଗଳୀଙ୍କ ଭଳି ହେଉନଥିଲା। ଛୋଟ ଛୋଟ କଥାରେ ରାଗୁ ନଥିଲା। ଅଭିମାନ କରୁନଥିଲା। ସେଦିନ ତା ମାଆ ମୁଣ୍ଡ କୁଣ୍ଡେଇ ଦେଲାବେଳେ ସେ କହିଲା:-

- ମାଆ, ମୁଁ ଆଉ ଏଠି ରହିବାକୁ ଚାହୁଁନି। ମୋତେ ମୋ ଘରେ ଛାଡ଼ି ଦେ। ସେଠି ବାବୁ ଓ ମୁଁ ଦୁଇଜଣ ରହିବୁ

- ଏକା କେମିତି ରହିବୁ ଲୋ ମାଆ

- ଏକା କେମିତି, ବାବୁ ଆଉ ମୁଁ ଦୁଇଜଣ ରହିବୁ। ଦୁଇଜଣ କେବେ ଏକା ହୁଅନ୍ତି?

- କେମିତି ଚଳିବୁ, କଣ କରିବୁ?

- ଆମ ନିଜ ଜମି ଅଛି ମାଆ, ଚାଷ ଜମି। ସମସ୍ତେ କହନ୍ତି ଭଲକରି ଚାଷ କଲେ ବର୍ଷଯାକ ଚାଉଳ ଡାଲିର ଅଭାବ ହେବ ନାହିଁ ବୋଲି।

ଆମ ଘରେ ବି ବହୁତ ଜାଗା ଅଛି, ବାଡ଼ିରେ ପନିପରିବା ଚାଷ କଲେ ଭଲ ହେବ। ସେ ଆମ ପାଇଁ ସବୁ ବ୍ୟବସ୍ଥା କରିଦେଇଛନ୍ତି ଲୋ ମାଆ।

ପିଜୁଳି ଗଛ, ପଣସ ଗଛ, ଅଁଳା ଗଛ, ଡାଲିମ୍ବ ଗଛ ସବୁ ଲଗେଇ ଦେଇଛନ୍ତି। ଆଉ ଜାଣିଛୁ ମୋ ଶ୍ବଶୁର ଆମ୍ବ ଗଛଟିଏ ବି ଲଗେଇ ଦେଇଛନ୍ତି। ସେ କାଳେ ଗଛ ଲଗେଇଲା ବେଳେ ଏଇଟା ମୋ ନାତି ପାଇଁ ଲଗଉଛି ବୋଲି କହିଥିଲେ। ତୁ ମୋ କଥା ଶୁଣୁଛୁ ନା ମାଆ?

- ହଁ ମାଆ, ସବୁ ଶୁଣୁଛି 

- ଆଉ ଜାଣିଛୁ, ୟାଙ୍କର କୁକୁଡ଼ା ରଖିବାର ବହୁତ ସଉକ ଥିଲା, ଆମ ଘରେ ବହୁତ ଜାଗା ଅଛି, କୋଡ଼ିଏ ପଚିଶି ଯୋଡ଼ା ପେଣ୍ଠି-ଗଞ୍ଜା ରଖିହେବ। କିଛି ଅସୁବିଧା ହେବ ନାହିଁ ଲୋ ମାଆ। ଆଉ ଶୁଣ ସବୁଠୁ ବଡ଼ କଥା, ବାବୁର ସ୍କୁଲରେ ମୁଁ ଯୋଉ ପାର୍ଟ ଟାଇମ୍ ପଢ଼ଉଥିଲି, ସେଠି ରେଗୁଲାର ପଢେଇବି।

କାନ୍ଦି କାନ୍ଦି ଘର ଭିତରକୁ ଚାଲିଗଲେ ଶକୁନ୍ତଳା ଦେବୀ। ମନେ ମନେ ଈଶ୍ୱରଙ୍କୁ ଡାକିଲେ, "ତୁମର କୋଟି କୋଟି ଧନ୍ୟବାଦ ପ୍ରଭୁ। ମୋ ଝିଅ ମାନସିକ ଅବସ୍ଥା ସମ୍ପୂର୍ଣ୍ଣ ଠିକ ହୋଇ ଯାଇଛି। ସେ ଆଉ ବିରକ୍ତ ହେଇ କାହାକୁ ଗାଳି କରୁନି। ଛୋଟ ଛୋଟ କଥାରେ ରାଗି ଯାଉନି। ଜଣେ ପରିପକ୍ୱ ମଣିଷ ଭଳି ବ୍ୟବହାର କରୁଛି। ହେ ପ୍ରଭୁ ବର୍ଷେ ଆଗରୁ ହେଲେ ମୋ ଝିଅକୁ ମାନସିକ ପରିପକ୍ଵତା ଦେଇଥାନ୍ତ, ଆଜି ତାର ଏଇ ଅବସ୍ଥା ହେଇନଥାନ୍ତା। ନା ସେ ବିଧବା ହେଇଥାନ୍ତା, ନା ମୋ ନାତି ବାପ ଛେଉଣ୍ଡ ହେଇଥାନ୍ତା।"

ଶକୁନ୍ତଳା ଦେବୀ ସେଦିନ ତାଙ୍କ ଗଡରେଜର ଲକରରୁ କାଢି ସେଇ ଚିଠିଟା ଚିରିଦେଇଥିଲେ, ଯୋଉଟା ସେ ପୂଜାର ବେଡ଼ରେ ତକିଆ ତଳେ ପାଇଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ରାତି ସେଇ ଚିଠିଟା ଲେଖି ପୂଜା ଶୋଇଥିବା ତକିଆ ତଳେ ରଖିଦେଇଥିଲା ରାଜେଶ। ପୂଜାକୁ ସେ ଚିଠି ବିଷୟରେ ତା ମାଆ କେବେ କିଛି କହିନଥିଲେ। ସେଇ ଦ୍ଵିତୀୟ ସୁଇସାଇଡ଼ ନୋଟରେ ଲେଖାଥିଲା:-

"ସ୍ତ୍ରୀ ପ୍ରତି ଜଣେ ସ୍ୱାମୀର ଯାହା ଯାହା ଦାୟୀତ୍ବ, ଯାହା ଯାହା କର୍ତ୍ତବ୍ୟ ଥାଏ, ମୁଁ ସବୁ କରିଛି। ସୁଖରେ, ଦୁଃଖରେ, ରୋଗରେ, ବିପଦରେ ସବୁବେଳେ ତମର ଯତ୍ନ ନେଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ମୋ ପାଇଁ ତମ ମନରେ ଟିକିଏ ସମ୍ମାନ ସୃଷ୍ଟି କରିପାରିଲିନି। ଆଉ କଣ କରିଥିଲେ ତମ ଦୃଷ୍ଟିରେ ଉତ୍ତମ ସ୍ୱାମୀ ହେଇଥାନ୍ତି କି? ଘର କାମରେ ତମର ଯଥା ସମ୍ଭବ ସାହାଯ୍ୟ କରୁଛି, ତମେ କହିବା ଆଗରୁ ତମର ଆବଶ୍ୟକୀୟ ଜିନିଷ ତମପାଇଁ ଆଣୁଛି, ଲୁଗାପଟା ଖାଦ୍ୟପେୟରେ କେବେ ଅଭାବ ରଖିନି। ଯେତେବେଳେ ଚାହୁଁଛ ସେତେବେଳେ ବିନା କୌଣସି ରୋକଠୋକରେ ଶପିଂ କରୁଛ। ତମ ବାପାମାଆଙ୍କୁ କେବେ ହତାଦର କରିନି। ତମ ଭାଇ ଭଉଣୀଙ୍କୁ ନିଜ ଭାଇ ଭଉଣୀ ଭଳି ସ୍ନେହ କରୁଛି। ପ୍ରତି ତିନି ଚାରିଦିନରେ ଘର ବାହାରର ଅଳିଆ ବି ମୁଁ ସଫାକରେ। ତମ ଦେହ ସାମାନ୍ୟ ଅସୁସ୍ଥ ଥିଲେ ବି ମୁଁ, ଘରର ସମସ୍ତ କାର୍ଯ୍ୟ ନିଜେ କରେ। ବାସନ କୁସନ ମାଜିବାଠୁ ଆରମ୍ଭ କରି ରୋଷେଇ କରିବା ପର୍ଯ୍ୟନ୍ତ। ରାତି କେବେ ତମେ ଉଠିଛ କି, ପୁଅକୁ ସୁସୁ କରେଇବାକୁ ଅବା ପାଣି ପିଏଇବାକୁ? ତମର ପାଦ ଘସିଛି, ମୁଣ୍ଡରେ ତେଲ ଲଗେଇଛି, ଉକୁଣୀ ଝାଡ଼ିଛି। କଣ କଣ ନ କରିଛି ତମ ପାଇଁ! ହେଲେ ତମେ? ତମେ କଣ କରିଛ ମୋ ପାଇଁ? କେବେ ମୋ ସାଥିରେ ବସି ମୋ ସ୍ୱାସ୍ଥ୍ୟ କଥା ଆଲୋଚନା କରିଛ? ମୁଁ ଯେତେବେଳେ ମୋ ଜୀବନର ଦୁଃଖ ବାଣ୍ଟିବାକୁ ଚାହିଁଛି, କେବେ ତାହା ଶୁଣିବାକୁ ଆଗ୍ରହ ପ୍ରକାଶ କରିଛ? କେବେ ମୋ ଉପରେ ଭରସା ରଖିଛ? ନା, ରଖିନ। ଗୋଟିଏ ଦିନ ଖାଲି ମୋତେ ସ୍ୱାମୀ ଭଳି ସମ୍ମାନ ଦେଇଥାନ୍ତ, ଗୋଟିଏ ଦିନ ଖାଲି ଆଖି ବନ୍ଦ କରି ମୋ ନିଷ୍ପତ୍ତିରେ ଭରସା ରଖିଥାନ୍ତ, ଗୋଟିଏ ଦିନ ଖାଲି ମୋତେ, ଏ ଘରର ମୁରବିର ଆସନରେ ବସେଇଥାନ୍ତ, ତେବେ ଆମ ଘର ସ୍ୱର୍ଗ ପାଲଟି ଯାଇଥାନ୍ତା। ମୁଁ ଯୋଉ ରୋଗରେ ପୀଡିତ, ସେଇ ରୋଗର ଅଧିକାଂଶ ରୋଗୀ ମାନସିକ ଦୁଶ୍ଚିନ୍ତାରେ ଛଅ ମାସ ବା ବର୍ଷେ ଭିତରେ ମରିଯାନ୍ତି। ତମକୁ ମୁଁ ବାରମ୍ବାର କହିଛି, ପ୍ଲିଜ ମୋତେ ମାନସିକ ଚାପ ଦିଅନି, ବହୁତ କଷ୍ଟରେ ନିଜକୁ ବୁଝେଇଛି, ବହୁତ କଷ୍ଟରେ ଏଇ ରୋଗସହ ବଞ୍ଚୁଛି, ବେଶୀ ମାନସିକ ଚାପରେ ରହିଲେ ମୁଁ ଆହୁରି ଅସୁସ୍ଥ ହୋଇପଡିବି ବୋଲି। ତଥାପି ତମେ ମୋ କଥା ଶୁଣିନ। ମୁଁ ସୁସ୍ଥ ସବଳ ଦିଶୁଛି ବୋଲି ମୋତେ ନିରୋଗୀ ଭାବୁଛ କି? ଡାକ୍ତରଖାନାରେ ଆଡ଼ମିଟ ହେଲେ ହିଁ ଏଇ ରୋଗର ମାରାତ୍ମକତା ବୁଝିପାରିବ ବୋଧେ। ଆରେ ସୁସ୍ଥ ସବଳ ସ୍ୱାମୀକୁ ବି କୌଣସି ସ୍ତ୍ରୀ ଏତେ ବିରକ୍ତ କରେନି, ଯେତିକି ତମେ ତମର ରୁଗ୍ଣ ସ୍ୱାମୀକୁ କରୁଛ। ତମେ ମତେ ଯେତେ ଯାହା କହିଲେ ବି ମୁଁ ବେଶୀ ସମୟ ତମ ସହ କଥା ନହେଇ ରହି ପାରେନି, ତେଣୁ ସବୁ ରାଗ ରୋଷ ଭୁଲି ପୁଣି ତୁମ ସହ କଥା ହୁଏ। ଏଥର କିନ୍ତୁ ଆଉ ସହି ପାରୁନି। କଣ କହିଲ ସେଦିନ! ତମ ପାପର ଫଳ ସ୍ୱରୂପ ତମେ ରୋଗାକ୍ରାନ୍ତ ହୋଇଛ ବୋଲି କହୁଥିଲ ନା! କୋଉ ପାପ କରିଛି ଗୋ? ସେଦିନ ମୋ ମନ ସମ୍ପୂର୍ଣ୍ଣ ଭାଙ୍ଗିଗଲା। ବଞ୍ଚିବାର ଇଚ୍ଛା କମିଗଲା। ଦିନ ଦ୍ଵିପହରରେ ମଶାଣୀକୁ ଯାଇ ମୋ ମାଆର ସମାଧୀ ପାଖରେ ଶୋଇ ବହୁତ କାନ୍ଦିଥିଲି। ମତେ ତୋ କୋଳକୁ ନେଇ ଯା ଲୋ ମାଆ, ମତେ ତୋ କୋଳରେ ମୁଣ୍ଡ ରଖି ଶୋଇବାକୁ ଇଚ୍ଛା ଲାଗୁଛି ବୋଲି ନେହୁରା ହୋଇଥିଲି। ତଥାପି କିଛି ସମୟ ପରେ ମନକୁ ବୁଝେଇ ଘରକୁ ଆସି ସ୍ଵାଭାବିକ ଆଚରଣ କରିଥିଲି। କିନ୍ତୁ କାଲି, କାଲି ତ ତମେ ସବୁ ସୀମା ଲଙ୍ଘି ଗଲ, ମୋ ସାମନାରେ ତମେ ମୋ ସ୍ୱାମୀ ମରିଗଲା ବୋଲି କହି ଚୁଡି ଉତାରିଦେଲ। ଛୋଟ ଛୋଟ କଥାରେ କିଏ କଣ ଏତେ ରାଗିଯାଏ? ନିଶ୍ଚୟ ତମର କିଛି ମାନସିକ ସମସ୍ୟା ଅଛି। ମୁଁ କହିଥିଲେ, ମୋତେ ପାଗଳ କହୁଛ ଭାବି ତମେ ଆହୁରି ଏକ କଳି ସୃଷ୍ଟି କରିଥାନ୍ତ। ତେଣୁ ମୁଁ କେବେ କହି ପାରିନି। ତମର କିନ୍ତୁ ମନେଥିବ ମୁଁ ପ୍ରତ୍ୟକ୍ଷ ଭାବେ ନହେଲେ ବି ପରୋକ୍ଷ ଭାବେ ଅନେକଥର କହିଛି। ପ୍ଲିଜ, ଏ ବିଷୟରେ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନେବ। ମୋ ପୁଅକୁ ମୋ ଲୋକମାନଙ୍କ ସହ ରଖିବ। ଉତ୍ତମ ସଂସ୍କାର ଦେବ। ହଁ ମୁଁ ଜାଣିଛି, ମୋ ଅନୁପସ୍ଥିତିରେ ତମର ବହୁତ ଅସୁବିଧା ହେବ; କିନ୍ତୁ ମୋ ପାଇଁ ଆଉ ଅନ୍ୟ ରାସ୍ତା ନାହିଁ। ବାଏ ସ୍ୱିଟ୍ ହାର୍ଟ। ଲଭ ୟୁ....."

ସେଦିନ ବାପଘରୁ ନିଜ ଘରକୁ ବାହାରିଲା ବେଳେ ପୂଜା ତା ମାଆଙ୍କ ପାଦ ଛୁଇଁ ପ୍ରଣାମ କରି କହିଲା, "ସେଇ କାଗଜ ତୁ ରଖିଛୁ ନା?



Rate this content
Log in

More oriya story from Sanjeeb Kumar Nag

Similar oriya story from Tragedy