The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Nityananda Nandi

Inspirational Others

2  

Nityananda Nandi

Inspirational Others

ସୁଇଗି ବିରିୟାନି

ସୁଇଗି ବିରିୟାନି

3 mins
186



ଅବସର ପରେ, ଜୀବନର ଦ୍ୱିତୀୟ ଅଧ୍ୟାୟକୁ ସୁରୁଖୁରୁରେ ବିତାଉଥାଆନ୍ତି ପ୍ରକାଶ ବାବୁ ଓ ରିତା । ସାରା ଦିନ ଜୀବନଦର୍ଶନ ନେଇ ଚର୍ଚ୍ଚା। ସମୟ କେମିତି କଟିଯାଉଥାଏ,ଜାଣି ପାରୁ ନ ଥିଲେ ସେମାନେ। ପୁଅ ବୋହୂ ଆମେରିକାରେ। ପ୍ରତିଦିନ ସନ୍ଧ୍ୟା ହେଲେ ଭିଡି଼ଓ କଲ କରନ୍ତି ପୁଅ ବୋହୂଙ୍କୁ, ଦୁଇ ଚାରି ମିନିଟ କଥା ବି ହୁଅନ୍ତି। ଖୁସି ଖୁସିରେ ଦିନ କାଟି ଯାଉଥାଏ।


ଆଜି ରବିବାର। 

ବୋଉଙ୍କୁ ରୋଷେଇରୁ ମୁକ୍ତି ଦେବା ପାଇଁ ପୁଅ ଆମେରିକାରେ ବସି ଦୁଇଟି ବିରିୟାନି ବୁକ କରିଥିଲା ସୁଇଗିରୁ। 

ଏଇଠି କିନ୍ତୁ ପ୍ରବଳ ବର୍ଷା ଲାଗି ରହିଛି, କେତେବେଳେ ଛାଡ଼ିବ କେଜାଣି। ଶୀତ ଦିନିଆ ବର୍ଷାରେ ଦେହ କମ୍ପି ଯାଉଛି। ରିତା ଦୁଇ କପ ଚା ନେଇ ବାରଣ୍ଡାକୁ ଆସିଲେ। ବସିଲେ ପ୍ରକାଶ ବାବୁଙ୍କ ପାଖରେ। ଗପସପରେ ମଜି ଗଲେ ଦୁଇଜଣ। 

ଆମେରିକାରେ ରାତି ବାରଟା। ପୁଅ ବୋହୂ ଶୋଇ ଯାଇଥିବେ , ସେମାନଙ୍କୁ ଡିଷ୍ଟର୍ବ କରିବା ଠିକ୍ ହେବନି। ସୁଇଗି ବୟ, ଯେତେବେଳେ ଆସିବ ଆସୁ। ରିତାଙ୍କୁ ବୁଝେଇଲେ ପ୍ରକାଶ ବାବୁ।


ପୁଅର ଫୋନ ଆସିଲା, 

"ବାପା ! ବିରିୟାନି ଟ୍ରାକ କରୁଥିଲି ! ସୁଇଗି ବୟ, ସ୍କୁଟି ନେଇ ଛିଡା ହୋଇଛି ଗୋଟାଏ ଜାଗାରେ। ଅଧାଘଣ୍ଟା ରୁ ବେଶି ହେବ। ବର୍ଷା ହେଉଛି ପ୍ରାୟ। ଫୋନ ରେସ୍ପୋଣ୍ଡ କରୁନି। ଟିକିଏ ଅପେକ୍ଷା କର,ଆସିଯିବ"। 


ବର୍ଷା ବଢି ବଢି ଚାଲିଛି। ଏଇଠି ଭୁବନେଶ୍ୱରରେ ଟିକିଏ ବର୍ଷା ହେଲେ ରାସ୍ତା ଉପରେ ଦୁଇ ଚାରୋଟି ଗଛ ଉପାଡି ଯିବା ନିତି ଦିନିଆ ଘଟଣା। ଅପର୍ୟାପ୍ତ ଭାବେ ଟ୍ରାଫିକ ଜାମ ହୁଏ। ହନ୍ତ ସନ୍ତ ଲାଗେ ଜୀବନଟା। ସବୁ କାମ ବିଳମ୍ବରେ ହୁଏ।


ଶୀତ ଦିନିଆ ବର୍ଷା, ଦାନ୍ତ କଟ କଟ ହେଉଛି।

 

ଚା'ର ଚୁସ୍କି ନେଉ ନେଉ ପ୍ରକାଶ ବାବୁ ରିତାଙ୍କୁ କହିଲେ, ଜାଣିଛ ! ଦୁଇଟି କବାଡି ଵାଲା ଛୁଆ, ବୟସ ନ, ଦଶ ଭିତରେ ହେବ, ସକାଳଠୁ ଏଇଠି ପ୍ଲାଷ୍ଟିକ ଡବା, ପଲିଥିନ ଗୋଟାଉଥିଲେ। ଏ ବର୍ଷାରେ କେଉଁଠି ଥିବେ କହିଲ !  

ରିତା କହିଲେ, ହଁ , ମୁଁ ବି ଦେଖିଥିଲି ସେମାନଙ୍କୁ। ସତରେ କେତେ କଷ୍ଟ ପାଉଥିବେ ! ସେମାନଙ୍କ ଘର ମାନେ କିଛି ନୁହଁ, ରାସ୍ତା ପାଖରେ ପଲିଥିନ ଟେଣ୍ଟ ହିଁ ସେମାନଙ୍କ ଘର । ଭାବୁଛି, ସେମାନେ କଣ ଘର ପହଞ୍ଚି ପାରିଥିବେ, ଏଇ ବର୍ଷାରେ।  

 

ହଁ, ବିଚରା ଛୋଟ ଛୋଟ ପିଲାଙ୍କ ଜୀବନର ଆରମ୍ଭ ଯେଉଁଠି, ଶେଷ ବି ସେଇଠି । ଦୁଃଖ ତ ସେମାନଙ୍କ ଜନ୍ମରୁ ସାଥି, ମୃତ୍ୟୁ ପର୍ଯ୍ୟନ୍ତ ସାହାରା ହିଁ ଦୁଃଖ, ଦୁଃଖ ଛାଡ଼ି କଣ ସେମାନେ ବଞ୍ଚି ପାରିବେ। 

ସୁଖର ଅର୍ଥ ବୁଝୁ ବୁଝୁ ହିଁ ଜୀବନର ଅପରାହ୍ନରେ ଉପନୀତ ହୋଇଯାଆନ୍ତି ସେମାନେ। ଅଳିଆ ଆବର୍ଜନା ଗୋଟାଉ ଗୋଟାଉ ସମୟ କେମିତି କଟିଯାଏ, ଜାଣି ପାରନ୍ତିନି। ଅଳିଆଗଦା ର ପାଖେ ପାଖେ ହିଁ ଜୀବନର ପରିପ୍ରକାଶ, ଅବହେଳିତ ଫୁଲ କଳିକା, ସମ୍ପୂର୍ଣ୍ଣ ପ୍ରସ୍ଫୁଟିତ ହେବା ଆଗରୁ ଝଡିଯାଆନ୍ତି ସେମାନେ।


ପ୍ରକାଶ ବାବୁ କହିଲେ ଦେଖ ରିତା ! ସେମାନେ ପ୍ଲାଷ୍ଟିକ, ପଲିଥିନ ଅଳିଆ, ଆବର୍ଜନା ଗୋଟେଇ ଗୋଟେଇ ନିଜର କୈଶୋରକୁ ହଜେଇ ଦିଅନ୍ତି ତା'ରି ଭିତରେ। ବେଗ ପୂରା ନ କରି ପାରିଲେ ତେଣେ ଖାଇବା ବନ୍ଦ, ଉପରେ ମଦୁଆ ବାପା ମାଙ୍କ ଅତ୍ୟାଚାର। କେବେ କେଉଁଠି ଗଣ୍ଡେ ଖାଇବାକୁ ଯଦି ମିଳିଯାଉଥିବ, ସେଇଟା ହିଁ ସେମାନଙ୍କ ସୌଭାଗ୍ୟ।


ଆମେରିକାରୁ ଫୋନ ଆସିଲା। ବାପା !" ଅଧା ଘଣ୍ଟା ହେବ , ସୁଇଗି ଡେଲିଭରି ଦେଇ ଯାଇଛି, କିଏ ଜଣେ ରିସିଭ କରିଛି, ତଳେ, ଗ୍ୟାରେଜ ପାଖରେ। ପାଇଲ ତ ?" ବାପା କହିଲେ, ଠିକ୍ ଅଛି, ତୁ ଶୋଇଯା, ଆମେ ତଳେ ଯାଇ ଦେଖୁଛୁ।


" କିଏ ରିସିଭ କଲା ? ", ପ୍ରକାଶ ବାବୁ ଓ ରିତା ଦୁହେଁ ଆଶ୍ଚର୍ଯ୍ୟ ହୋଇ ଗ୍ରାଉଣ୍ଡ ଫ୍ଲୋର କୁ ଓହ୍ଲେଇ ଆସିଲେ।

 

ଦେଖିଲେ, କାର ପାଖରେ ବସି ସେଇ ଦୁଇ ଜଣ କବାଡି ବାଲା ଛୁଆ ଗୋଟାଏ ଗୋଟାଏ ବିରିୟାନି ଧରି ମହା ଆନନ୍ଦରେ ଖାଇ ଚାଲିଛନ୍ତି, ନା ଡର ନା ଭୟ, ଯେମିତି ଅନେକ ଦିନରୁ ଖାଇ ନାହାନ୍ତି କିଛି। ... ପ୍ରକାଶ ବାବୁ ରିତାକୁ ଦେଖି ହସିଦେଲେ, ରିତା ବି ହସି ଦେଲେ ମହାଆନନ୍ଦରେ, ଏହାଠାରୁ ବଳି ତୃପ୍ତି କଣ ଥାଇପାରେ ! 


ଦୁଇଟି ଗରିବ ଛୁଆଙ୍କ ବିରିୟାନି ଖାଇବା ଦେଖି ଆତ୍ମସନ୍ତୋଷ ମିଳିଯାଇଛି ପ୍ରକାଶ ବାବୁ ଆଉ ରିତାଙ୍କୁ । ଅତି ପାଖରୁ ସାମୟିକ ସୁଖ ଟିଏ ଦେଖୁଥିଲେ ସେମାନେ। ଭାବୁଥିଲେ ସୁଇଗି ଵାଲା ସେଇ ପିଲା ମାନଙ୍କୁ ବିରିୟାନି ଧରାଇ ଦେଇ କହିଥିବ, ଉପରେ ଦେଇଦିଅ, ଲୋଭ ସମ୍ଭାଳି ନ ପାରି ସେମାନେ ଖାଇ ଦେଇଛନ୍ତି।


ସେମାନଙ୍କର ଭୁଲ କେଉଁଠି ?


ଆମେରିକାରୁ ପୁଅ ପାଖରୁ ପୁଣି ଫୋନ..... ପୁଅ କିଛି ପଚାରିବା ଆଗରୁ ରିତା କହିଲେ, ଜମାରୁ ବ୍ୟସ୍ତ ହେବୁନି, ବିରିୟାନି ମିଳିଗଲା, ବାସ୍ନା ତ ବହୁତ ସୁନ୍ଦର, ଦେଖାଯାଉ କଣ ହେଉଛି, ତୁ ଶୋଇଯା ପୁଅ ! ତମର ସେଆଡ଼େ କୁଆଡେ ବହୁତ ରାତି ହେଲାଣି, ବାପା କହୁଥିଲେ । ଫୋନ କାଟିଦେଲେ ରିତା। 


ପୁଅ କୁଆଡେ ଦୁଃଖ କରିବ ବୋଲି ଘଟଣା ଟିକୁ ଛୁପାଇ ଦେବା ପାଇଁ ପସନ୍ଦ କଲେ ସେମାନେ।


ପ୍ରକାଶ ବାବୁ କହୁଥିଲେ, ରିତା ! ଚାରି ପିସ ବ୍ରେଡ଼ ସେକି ଦିଅ, ଚା'ରେ ଡୁବାଇ ଡୁବାଇ ଖାଇନେବା। କାହିଁକି ଆଉ ରୋଷେଇ କରିବ ? ଅଧା ପେଟ ତ ଭରି ଯାଇଛି ଖୁସିରେ !

ହଁ ହଁ କେତେ ଭୋକିଲା ଥିଲେ ଦୁଇ ଭାଇ, ଥର କ ପାଇଁ ହେଉ ପଛେ ପେଟ ଭରି ଖାଇଲେ ତ !


Rate this content
Log in

More oriya story from Nityananda Nandi

Similar oriya story from Inspirational