ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ସୁଦୁରାର କାକରାଖିଆ

ସୁଦୁରାର କାକରାଖିଆ

3 mins
7.4K


ମଲିକ୍ ଶ୍ରୀ ପ୍ରାଣକୃଷ୍ଣ

ସୁଦୁରାର ଘର ଖଜିରା l ସେ ସବୁ କଥାରେ ଅଧୀରା l ପହଁରାଠାରୁ ଚଅଁରା ପର୍ଯ୍ୟନ୍ତ ସବୁଠି ପଡ଼େ ତା’ ହାଜିରା l ଥରେ ତାଙ୍କ ଗାଆଁରେ ଯାତରା ହେଲା l ମକରା, ହଗୁରା, ଫକୀରାକୁ ସେ ସାଙ୍ଗ କଲା l ମନ ଖୁସିରେ ଜାମାପେଣ୍ଟ ପିନ୍ଧିଲା l ପାଞ୍ଚ ଦଶ ଟଙ୍କା ହାତେଇଲା l ବାଡ଼ିପଟ ଦେଇ ବାହାରିଲା l

ସେ ଯାତରା ମଝିରେ ପହଞ୍ଚିଲା l ସେଠାରେ ଚକରା ସାହୁ ଦୋକାନ ଥିଲା l ସେ ଦୋକାନକୁ ଚାହିଁଲା l ତା’ଦୋକାନରେ ବହୁତ କାକରା ଥିଲା l କାକର ଦେଖି ସୁଦୁରାର ଟାକଳା ମନଟା ବିକଳ ହେଲା l

ସୁଦୁରା କହିଲା, ‘’ ଫକୀରାରେ !

ଚାଆଲେ ଖାଇବା କାକରାରେ

ଟା’ ପରେ ପଶିବା ଅପେରାରେ

ଆହା କି ମଜା ଏ ଯାତରାରେ !’’

ସେ ମକରା, ଫକୀରା, ହଗୁରାଙ୍କୁ ନେଇ ଚକରା ସାହୁ ଦୋକାନକୁ ଗଲା l କାକରା ଦେବାକୁ ବରାଦ ଦେଲା l ଚକରା ସାହୁ ଦେଇ ଦେଇ ଚାଲିଲା l

କାକରା ପରେ କାକରା

ଖାଇ ଚାଲିଥାଏ ସୁଦୁରା

ପକେଟରେ ଭରା ଖୁଚୁରା

ତେଣୁ ସରସ ଟା’ ଚେହେରା l

କାକରା ଖିଆ ସାରିଲା l ସେ ହାତ ମୁହଁ ଧୋଇ ଆସିଲା l ରୁମାଲରେ ମୁହଁ ପୋଛିଲା l ଠାଣିରେ ଚାହିଁଲା l କେତେ ହେଲା ବୋଲି କହିଲା l ଚକରା ସାହୁ ଖଡ଼ି ଧରିଲା l କାଠପଟା ପରେ ଗାର ଟାଣିଲା l ହିସାବଟା ଯୋଡ଼ି ବସିଲା l ହାତ ବଢ଼ାଇ ସେ ରହିଲା l ଟଙ୍କା ତେତିଶଟା କହିଲା l ସୁଦୁରା ପକେଟରେ ହାତ ଭରିଲା l ଖୁଚୁରା ପଇସା କାଢ଼ିଲା l ତାକୁ ସିଏ ଗଣି ବସିଲା l ଟଙ୍କା ଅଠରଟା ହୋଇଲା l ତହୁଁ ତାର ମୁଣ୍ଡ ଘୂରିଲା l

ମକରା, ଫକୀରା, ହଗୁରା

କହିଲେ ତେଣେ ସଲା ସୁତୁରା

କହିଲେ, ଟଙ୍କା ଦେଇ ଆ ସୁଦୁରା

ଆମେ ଯାଉଅଛୁ ଅପେରା l

ସୁଦୁରା ସେମାନଙ୍କୁ ନେହୁରା ହେଲା l ଟଙ୍କା ଅଠରଟା ଅଛି ବୋଲି କହିଲା l ସେମାନଙ୍କଠାରୁ ପାଇବା ଆଶାରେ ଚାହିଁଲା l ଚଟ୍ କିନି ମକରା ବୁଲି ପଡ଼ିଲା ତାର କେତେ ଟଙ୍କା ହେଲା ବୋଲି ପଚାରିଲା l ଚକରା କହିଲା- ଚାରି ଟଙ୍କା l ମକରା ଚାରିଟଙ୍କା ଦେଇ ପଳାଇ ଗଲା l ହଗୁରା ଆସିଲା l ତା ‘ ନିଜର ତିନି ଟଙ୍କା ଦେଇ ବାଟ ଧରିଲା l ଫକୀରା ଥିଲା ଥିଲା କହିଲା, ‘’ ସୁଦୁରା ! ତୁ ମୋତେ କାକରା ଖାଇବାକୁ ଡ଼ାକିଥିଲୁ l ପଇସା ତୁ ଦେବୁ l ମୁଁ ଯାଉଛି l ତେଣେ ଅପେରା ଆରମ୍ଭ ହୋଇଯିବ l ‘’ ସେ ଚାଲିଗଲା l

ଚକରା ସାହୁ ଟଙ୍କା ମାଗିଲା l ସୁଦୁରା ଧରିଥିବା ଅଠର ଟଙ୍କା ଦେଲା l ଚକରା ଗଣିଲା l ଆଉ ଆଠ ଟଙ୍କା ଦେବାକୁ କହିଲା l ସୁଦୁରା ମୁଣ୍ଡ ତଳକୁ କଲା l ନରମ ହୋଇ ଶରମ ବୋଳା ସ୍ଵରରେ କହିଲା, ‘’ ଆଉ ପଇସା ନାହିଁ l ‘’

ଚକରା ଯେମିତି ଏତିକି ଶୁଣିଛି, ସେ କି ଆଉ ସମ୍ଭାଳି ହୁଏ ? ସେ ସୁଦୁରାକୁ ଧମକ ଦେଲା l ହାତ ମୁଠା ମୁଠା କରି ଉଠି ଆସିଲା l ମେଘପଋ ଗର୍ଜନ କଲା l

ଘଟଣାଟି କ’ଣ ବୋଲି ଜାଣିବାକୁ ଲୋକେ ଜମା ହେଲେ l ଚକରାକୁ ଶାନ୍ତ କରାଇଲେ l ସୁଦୁରାଠୁଁ ସବୁକଥା ବୁଝିଲେ l ଖଜିରା ଗାଆଁର ପାକଲା ବୁଢ଼ା ପ୍ରବୀରା l ସେ ସୁଦୁରା ଠାରୁ ସବୁକଥା ଶୁଣି କହିଲେ –

‘’ ଆହାରେ ବିଚରା ସୁଦୁରା !

ଲୋଭରେ ଖାଇଲୁ କାକରା

କାକରା ନୁହେଁ ସେ ଖତରା

କଥା ହେଲା ବଡ଼ ନାକରା

ଏବେ ପାଇଲୁ ତୁ ଘୋଷରା

କାହାନ୍ତି ତୋ’ ସାଙ୍ଗ

ମକରା, ହଗୁରା, ଫକୀରା ?’’

ସୁଦୁରା ମୁଣ୍ଡ ତଳକୁ କଲା l ପ୍ରବୀରା କହିଲେ, ‘’ ଚକରାରେ ! ସୁଦୁରା ଥରୁଛି ଡ଼ରରେ l ତାକୁ ଏବେ ଛାଡ଼ି ଦେଏରେ ! ‘’

ଚକରା ସାହୁ ତ ବିଗିଡ଼ିଥିଲା l ସେ ଏଣୁ ତେଣୁ ବହେ ବକିଲା l ଶେଷରେ ସେ ଭାବି କହିଲା, ‘’ ଯଦି ଏଠାରେ ରହି ସେ ମୋର ଅଇଁଠା ବାସନତକ ମାଜି ସଫା କରି ଦେଇଯିବ ତେବେ ଆଠ ଟଙ୍କା ଛାଡ଼ି ଦେବି l

ଶେଷରେ ସୁଦୁରା ବାଧ୍ୟ ହେଲା l ଆଠ ଟଙ୍କା ପାଇଁ ଅଇଁଠା ବାସନ ସଫା କଲା l କାକରା ଖିଆର ମଜା ପାଇଲା l

ସେ ଆଉ ଅପେରା ଦେଖି ଯିବ କ’ଣ କାନମୁଣ୍ଡ ଆଉଁସି ଘରକୁ ଫେରିଲା l


Rate this content
Log in

Similar oriya story from Children