STORYMIRROR

Lopamudra Parida

Inspirational

3  

Lopamudra Parida

Inspirational

ସୁଆଦ

ସୁଆଦ

1 min
242

_ ବୋଉ ,ଆମର ଆଉ ଆଗ ଭଳିଆ ରନ୍ଧା ହଉନି ଜାଣିଲୁ ।କି ସୁଆଦିଆ ଲାଗୁଥିଲା ଆଗରୁ କହିଲୁ , ଆଙ୍ଗୁଠି ଚାଟି ଚାଟି ଖାଇଲେ ବି ଆହୁରି ମନ ଟାଣୁଥିଲା ।ପେଟ ପୁରିଲା ପରେ ବି ତମ ସମସ୍ତଙ୍କ ସ୍ନେହ ବୋଳା ହାତ ରନ୍ଧାରେ ଆଉ ଅଧିକାକି ଦି ଗୁଣ୍ଡା ଭାତ ଉଠି ଯାଉଥିଲା ।କେତେ ଝୁରି ହୁଏ ମୁଁ ଘର ଖାଇବା ତୁ କଣ ଜାଣିନୁ ।ବଡବୋଉ ହାତର ବେସର, ତୋ ହାତର ଖିରି, ଖୁଡୀର ଶାଗତିଅଣ, ଝିଲିର ସରୁ ସରୁ ଆଳୁଭଜା ଆଉ ବାପାଙ୍କର ବେଳିକିଆ ବରାଦଦିଆ କଖାରୁ ଫୁଲ ବରା ।କେତେ ନୟାନ୍ତ କରନ୍ତି ବାପା, ଦାଦା ତମକୁ ନା ଲୋ ବୋଉ ! 


 ବର୍ଷୁଟେ ପରେ ଘରକୁ ଲେଉଟିଥିବା ବିଦେଶୀ ଚାକିରିଆ ପୁଅ ଚୁଲିମୁଣ୍ଡେ ବସି ବୋଉ ପରଶା ଖାଉ ଖାଉ କହିଲା ।


ଏ ଭାବବିହ୍ୱଳତା ଗୁଣଟା ସ୍ଥାନ, କାଳ, ପାତ୍ର ମହତ୍ତ୍ଵ କଣ କିଛି ବୁଝେ ! ଉକୁଟି ଆସୁଥିବା ହୃଦୟ ରଙ୍ଗର ହସ ସବୁକୁ ଲହଡି ମାରି ପେଲି ଠେଲି ପକାନ୍ତି କୋହ ସବୁ ।


କିଛି ଉତ୍ତର ଫେରେଇ ପାରୁନଥିଲା ବୋଉ ।ବୋଧେ ଫୁଙ୍କାନଳୀର ଧୂଆଁ ଯୋଗୁଁ ନାକ କାନ ରୁନ୍ଧି ହେଇ ପଡୁଥିଲା ଆଉ ଆଖି ସାରା ଜକେଇ ଆସୁଥିଲା ସମୁଦ୍ରେ ଲୁଣି ଲୁହ ଏଇ ଜାଳ ଦାଉରୁ । 


ସେ ବି ଆଉ କିଛି ପଚାରୁନଥିଲା, ଚୁପ୍ ଚାପ୍ ଖାଇ ହାତ ପିଛୁଳେଇଲା ଆଉ ଭିତର ମେଲାରେ ଆକାଶ ମୁହାଁ ହେଇ ଗଡିପଡିଲା ।


ଗହଳ ଏକାର୍ଣ୍ଣବର୍ତ୍ତୀ ଘରମାନଙ୍କରେ ଏ ଭାଗବଣ୍ଟା କାଇଁ ହୁଏ ଯେ ? ନ ହେଲେ କଣ ହନ୍ତାନି? କାନ ଥିଲେ ସୁନା ନାହିଁ, ସୁନା ଥିଲେ କାନ ନାହିଁ । ନିୟତି ହଉ କି ଆପଣା ହସ୍ତେ ଜିଭା ଛେଦି ।


ଆକାଶ ସାରା ଏତେ ତାରା ଫୁଟି ଥାଏ ବୋଲି ସିନା ଜହ୍ନଟା ତୋଫା ଦିଶେ ।ଯଦି ତାରାମାନେ ନଥାନ୍ତେ ଏକୁଟିଆ ଜହ୍ନଟା ଭଲା କେତେ ହସିପାରନ୍ତା ! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational