ସତ୍ୟର ପଥ
ସତ୍ୟର ପଥ
ସତ୍ୟର ପଥ
ସୁଧାକର ରାଉତ
ଆୟୁଷ୍ ନବମ ଶ୍ରେଣୀରେ ପଢ଼େ । ଆଜି ପରୀକ୍ଷା ଫଳ ବାହାରୁଛି । ଏହାପରେ ସେମାନେ ଦଶମ ଶ୍ରେଣୀରେ ପଢ଼ିବେ । ତାକୁ ତା’ର ପାଠୋନ୍ନତି ତାଲିକା ଦିଆଗଲା । ସେଥିରେ ସେ ଗଣିତରେ ରଖିଥିବା ନମ୍ବର ଦେଖି ଆଶ୍ଚର୍ଯ୍ୟ ନ ହୋଇ ରହିପାରିଲାନି । ତାକୁ ୧୦୦ରୁ ୮୦ ନମ୍ବର ମିଳିଛି । ମାତ୍ର ସେ ଜାଣିଥିଲା , ଗଣିତରେ ତା’ର ଭଲ ହୋଇନଥିଲା । ସେ ହିସାବ କରି ଦେଖିଥିଲା , ସେ ଅତି ବେଶୀରେ ୩୦ ନମ୍ବର ରଖିପାରିବ । ତା’ ସାଙ୍ଗମାନେ ତା’ ନମ୍ବର ଦେଖି ବହୁତ ଖୁସି ହେଲେ । ଆୟୁଷ୍ ଏ ଭୁଲ୍ ନମ୍ବରରେ ଖୁସି ହୋଇ ପାରୁନଥିଲା । ସେ ସାଙ୍ଗମାନଙ୍କ ବାରଣ ସତ୍ତ୍ୱେ ଶ୍ରେଣୀ ଶିକ୍ଷକଙ୍କ ନିକଟକୁ ଯାଇ ତାକୁ ଠିକ୍ ନମ୍ବର ଦେବାପାଇଁ ଅନୁରୋଧ କଲା । ଶ୍ରେଣୀ ଶିକ୍ଷକ ସତ କହୁଥିବା ଏ ପିଲାଟିର କଥା ରଖି ତାକୁ ୩୦ନମ୍ବର ହିଁ ଦେଲେ ଆଉ କହିଲେ ଭୁଲ୍ରେ ଏପରି ହୋଇଯାଇଥିଲା । ଆୟୁଷ୍ ଘରକୁ ଫେରିଲା । ତା’ ମା’ ତା’ ପାଠୋନ୍ନତି ତାଲିକାରେ କଟାକଟି ହୋଇଥିବା ଦେଖି ତା’ର କାରଣ କହିଲେ । ଗଣିତରେ ମାତ୍ର ୩୦ନମ୍ବର ରଖିଥିବାରୁ ଗାଳି ମଧ୍ୟ ଦେଲେ । ଆୟୁଷ୍ ସବୁକଥା କହିଲା । ପୁଅ ସତ୍ପଥରେ ଯାଉଥିବାର ଜାଣି ସେ ବହୁତ ଖୁସି ହେଲେ । ଆୟୁଷ୍ କହିଲା- ମା’, ମୁଁ ଗତ ଖରାଛୁଟିରେ ଗାଁକୁ ଯାଇଥିଲି ଜେଜେଙ୍କ ପାଖକୁ ତମେ ସେ କଥା ଜାଣ । ସେଠି ଜେଜେ ମୋତେ ଗୋଟେ ଦୋକାନକୁ ପଠେଇଥିଲେ ଗୋଟିଏ ସାବୁନ୍ ଆଣିବା ପାଇଁ । ସାବୁନ୍ର ଦାମ୍ ଥିଲା ୨୦ଟଙ୍କା । ଜେଜେ ମୋତେ ୫୦ଟଙ୍କିଆ ନୋଟ୍ଟିଏ ଦେଇଥିଲେ । ମୁଁ ସାବୁନ୍ ଆଣିଲି । ଦୋକାନରେ ଗରାଖଙ୍କ ଭିଡ଼ ଥାଏ । ଦୋକାନୀ ଭୁଲରେ ତିରିଶ ଟଙ୍କା ପରିବର୍ତ୍ତେ ୫୦ଟଙ୍କା ଫେରାଇ ଦେଲା । ମୁଁ ମନ ଖୁସିରେ ତାକୁ ଆଣି ଜେଜେଙ୍କୁ ଦେଲି । ଜେଜେ ମୋ ଉପରେ ବହୁତ ଅସନ୍ତୁଷ୍ଟ ହେଲେ ଆଉ ସଙ୍ଗେ ସଙ୍ଗେ ସେ ଟଙ୍କା ଫେରାଇ ୩୦ଟଙ୍କା ଆଣିବାକୁ କହିଲେ । ମୁଁ ତାହା ହିଁ କଲି । ତା’ପରେ ଜେଜେ ମୋତେ ଶପଥ କରାଇଲେ , ଭବିଷ୍ୟତରେ ଏପରି କାର୍ଯ୍ୟ ନ କରିବା ପାଇଁ । ଆଜି ମୋର ସେହି କଥା ମନେ ପଡ଼ିଗଲା । ତେଣୁ ସାଙ୍ଗମାନଙ୍କ ଅନିଚ୍ଛା ସତ୍ତ୍ୱେ ମୁଁ ମୋ ନମ୍ବର ଠିକ୍ କରେଇ ଆଣିଲି । ମା’, ସେଥିରେ ଯେଉଁ ଆନନ୍ଦ ମିଳୁଛି , ତାହା କହି ହେବନି । ମା’ ଲୁହ ଛଳ ଛଳ ଆଖିରେ ନିଜ ପୁଅକୁ କୁଣ୍ଢାଇ ପକାଇଲେ ।