Madhu mita

Inspirational

4  

Madhu mita

Inspirational

ସତ୍ୟବାନ୍ ବ୍ରତ କଥା

ସତ୍ୟବାନ୍ ବ୍ରତ କଥା

4 mins
312


ତିନି ଥର ମ୍ୟାଚିଙ୍ଗ କରି ଆଣି ସାରିଲା ପରେ ମଧ୍ୟ ସାବିତ୍ରୀଙ୍କ ମନ ପାଉ ନ ଥିଲା । ଶୁଆ ରଙ୍ଗର ଧଡ଼ି ଆଉ ନାଲି ରଙ୍ଗର ଅଞ୍ଚଳ ସହିତ ଈଷତ୍ କମଳା ରଙ୍ଗର ସୁନେଲି ଶାଢ଼ୀ ତାଙ୍କର..ଆଉ ତା ସହିତ ମ୍ୟାଚ୍ କରି ଚୁଡି ଟିକେ ଆଣି ପାରୁ ନାହାନ୍ତି ସତ୍ୟବାନ୍..!!??


 ମନେ ମନେ ରାଗିବା ବନ୍ଦ କରି ପ୍ରକାଶ୍ୟରେ କହିଦେଲେ ସାବିତ୍ରୀ.. ଚିଡି ଯାଇ ସତ୍ୟବାନ୍ ପୁଣି ଦୋକାନକୁ ଯାଇ ଚୁଡି ବଦଳେଇ ଆଣିଲେ..


" ସହଜେ ଲକ୍ ଡାଉନ୍ ସମୟ । ଦୁଇ ଚାରିଟା ଦୋକାନ ଖୋଲା ହେଉଛି । ଆଉ ସେଥିରେ ଫଳ ଯାହା ରେଟ୍ ହେଲାଣି..ସେତିକି ପାଉନି ଯେ ଆହୁରି ଏ ଶାଢ଼ୀ ଚୁଡି ପ୍ରହସନ ଲାଗିଛି" କହି ପକାଇଲେ ସତ୍ୟବାନ୍..


" ହଁ..ପ୍ରହସନ ନୁହେଁ ତ ଆଉ କଣ?ଦିନ ସାରା ଉପାସ ରହି ତାଙ୍କ ପାଇଁ ପୂଜା କର ଆଉ ଇୟେ ଫଳ ଟିକେ ଆଣିଦେଲେ ବୋଲି ଆଉ ଟିକେ ମ୍ୟାଚିଂଗ ଚୁଡି ମଧ୍ୟ ଆଣି ପାରିବେନି..!!" ସାବିତ୍ରୀ ରୁଟି ତିଆରି କରୁ କରୁ କହିଲେ । 


" ଥାଉ..ଚାରିଥର ଗଲିଣି ବଜାରକୁ..ଫଳ ଆଣିଲେ ଶାଢ଼ୀ ନାହିଁ..ଶାଢ଼ୀ ଆଣିଲେ ବ୍ଲାଉଜ୍ ନାହିଁ..ଚୁଡି ନାହିଁ..ବିରକ୍ତ ଲାଗୁଛି ତମର ଏ ସାବିତ୍ରୀ ବ୍ରତ.."ପାଣି ଗ୍ଲାସ୍ ପିଉ ପିଉ ସତ୍ୟବାନ୍ କହିଲେ । 


" ଓହୋ..ବର୍ଷକୁ ଥରେ ଟିକେ ଶାଢ଼ୀ ଚୁଡି ଫଳ ଆଣିଦେବେ ଯେ କେତେ କଥା କହୁଛନ୍ତି..!!"ମୁହଁ ମୋଡ଼ି ସାବିତ୍ରୀ କହିଲେ । 


" ଏଥର ବଜାର ଅବସ୍ଥା ଯାହା ଯେମିତି ସେମିତି ପୂଜା କଲେ ଚଳି ଯାଆନ୍ତାନି..!!??ନା..ସେଇଟା କେମିତି ହେବ..?? ଯାହା ପାଟିରୁ ବାହାରିବ ଆଣିବାକୁ ହେବ ନା..!!??ଏଇ ଚୁଡି ଦେଖ.. ଦୁଇଶ ଟଙ୍କା । ଯେତେ ସବୁ ବକବାସ..କହିଲେ କହିବେ ତମ ଦୀର୍ଘ ଜୀବନ ପାଇଁ ଏସବୁ କରୁଛି ହେଲେ ଏମିତି ପ୍ରାଣ ଶୋଷିଦେବେ ଫାଲତୁ ଖର୍ଚ୍ଚ କରି କରି.."ସତ୍ୟବାନ୍ ପାଟି କଲେ..


କଥା ବଢି ବଢ଼ି ବହୁତ୍ ବଢ଼ିଗଲା..ଶେଷରେ ଦୁଇ ଜଣ କଥା ବନ୍ଦ କରି କିଛି ନ ଖାଇ ଶୋଇ ପଡ଼ିଲେ । 


ଭୋରରୁ ଉଠି । ସାବିତ୍ରୀ ଗଲା ରାତି କଥା ମନେ ପକାଇ ଦୁଃଖୀ ହୋଇଗଲେ । କଣ କରିବେ?ବ୍ରତ ତ କରିବାକୁ ହେବ..ଘରଦ୍ୱାର ସଫା କରି ନିଜେ ସ୍ନାନ ସାରି ଆସି ନୂଆ ଶାଢ଼ୀ ଚୁଡି ପିନ୍ଧି ତୁଳସୀ ପୂଜା କରିଲେ । ସତ୍ୟବାନ୍ ସେମିତି ଶୋଇ ଥାଆନ୍ତି । ମନ ସତରେ ଭାରି ଖରାପ୍ ଲାଗୁଥାଏ । ରାତିରେ ଯେତେ ପାଟିତୁଣ୍ଡ ହେଲେ ମଧ୍ୟ ଯେତେବେଳେ ସେ ଦେଖିଲେ ଭୋକରେ ସାବିତ୍ରୀ ଶୋଇଗଲେ..ମାନବିକତା ଦୃଷ୍ଟିରୁ ଖାଇବା ପାଇଁ କହିବା କଥା ନା ନାହିଁ??ତାଙ୍କର କଣ ଗଲା ଯେ?? ଏ ଓଷା ତ ନାରୀମାନଙ୍କର..ନିଜେ କଷ୍ଟ ସହି ସ୍ଵାମୀଙ୍କ ସୁଖ ପାଇଁ ସେମାନେ ଲାଗି ପଡନ୍ତି । ଆଉ ସ୍ୱାମୀ ...ଟିକେ ପୂଜା ଯୋଗାଡ଼ କରି ଖର୍ଚ୍ଚ କଥା ଶୁଣେଇ ଦିଅନ୍ତି । ଯାହା ହେଲେବି ଘରକାମ ଆଉ ରୋଷେଇ ତ କରିବାକୁ ହେବ । କାଲି ରାତିରୁ ଭୋକିଲା ଅଛନ୍ତି ସତ୍ୟବାନ୍..ଏଣୁ ସକାଳ ଜଳଖିଆ ଟା ତିଆରି କରି ପୂଜା ପାଇଁ ଆୟୋଜନ କରିବେ । ନ ହେଲେ ପୁଣି ମହାଭାରତ ହେଇଯିବ..


ଏହା ଭାବି ତରବରରେ ରୋଷେଇ ଘରକୁ ଗଲା ବେଳେ ଝୁଣ୍ଟି ପଡ଼ିଲେ ସାବିତ୍ରୀ ଓ ତଳେ ମୁହଁ ମାଡି ପଡିଗଲେ..


କିଛି ସମୟ ପରେ ଆଖି ଖୋଲିଲା ବେଳେ ଦେଖିଲେ ସତ୍ୟବାନ୍ ବିକଳ ହୋଇ କାହାକୁ ଫୋନ୍ କରୁଛନ୍ତି ଆଉ ପାଖରେ ନିଜେ ସାବିତ୍ରୀ ଶୋଇଛନ୍ତି..!!??


ତେବେ..!! ସେ ଆତ୍ମା ହୋଇଯାଇଛନ୍ତି ଆଉ ତାଙ୍କ ମୃତ୍ୟୁ ହୋଇଗଲାଣି??


ଏତିକି ଭାବିବା ବେଳେ ପୁରାଣ ବର୍ଣ୍ଣିତ ଯମରାଜ ଆସି ତାଙ୍କୁ ଏକ ରଥରେ ବସେଇ ସ୍ୱର୍ଗକୁ ନେଇଗଲେ । ସ୍ଵର୍ଗରେ ପହଞ୍ଚି ସାବିତ୍ରୀ ଦେଖିଲେ ମର୍ତ୍ତ୍ୟ ପରି ସେଠାରେ ମଧ୍ୟ ଦେବୀମାନେ ବ୍ରତ ପାଇଁ ପ୍ରସ୍ତୁତ ହେଉଛନ୍ତି । 


ସାବିତ୍ରୀ ଦେବୀ ଜଣେ ପତିବ୍ରତା ହୋଇଥିବାରୁ ଦେବତାମାନେ ତାଙ୍କ ଉପରେ ଖୁସି ଥିଲେ । ଚିତ୍ରଗୁପ୍ତ ଏକଥା ମଧ୍ୟ କହିଲେ ଯେ ସେ ତିନି ଥର ନିଜ ସ୍ୱାମୀଙ୍କୁ ମରଣ ମୁଖରୁ ଫେରାଇ ଆଣିଛନ୍ତି..


ଥରେ ଯେତେବେଳେ ସତ୍ୟବାନଙ୍କ ଜ୍ୱର ମୁଣ୍ଡକୁ ଚଢି ଯାଇଥିଲା ସାବିତ୍ରୀ ରାତି ସାରା ଅନିଦ୍ରା ରହି ପାଣି ପଟି ଦେଇ ବଞ୍ଚେଇଥିଲେ । ଆଉ ଥରେ ସତ୍ୟବାନଙ୍କ ଗାଡ଼ି ଦୁର୍ଘଟଣା ହେବାର ଥିଲା କିନ୍ତୁ ସାବିତ୍ରୀ ସେଦିନ ତାଙ୍କୁ ଜବରଦସ୍ତି ନିଜ ସହ ମନ୍ଦିର ନେଇଯାଇଥିବା ଯୋଗୁଁ ସେ ବଂଚିଗଲେ । ଆଉ ଥରେ ସେମିତି ତାଙ୍କ ଖାଦ୍ୟ ଗଳାରେ ଅଟକି ଯାଇ ମୃତ୍ୟୁ ହେବାର ଥିଲା କିନ୍ତୁ ସାବିତ୍ରୀ ଠିକ୍ ସମୟରେ ପଛ ପଟେ ଏକ ଶକ୍ତ ବିଧା ଦେଇ ପ୍ରାଣ ରକ୍ଷା କରିଥିଲେ । ଏସବୁ ଶୁଣି ସାବିତ୍ରୀ ବହୁତ୍ ଖୁସି ହୋଇଗଲେ । 


ଦେବତାମାନେ ତାଙ୍କୁ ଏଥର ପଚାରିଲେ ନିଜ ଇଚ୍ଛା କହିବାକୁ । ତାହା ପୂରଣ ହେଲେ ସେ ପୁନଃ ଏକ ନୂତନ ଶରୀରରେ ପ୍ରବେଶ କରିବେ..


ସାବିତ୍ରୀ ହାତ ଯୋଡ଼ି କହିଲେ.." ମୋର ଗୋଟିଏ ମାତ୍ର ଇଚ୍ଛା । ଥରେ କଣ ସତ୍ୟବାନ୍ ମୋତେ ମରଣ ମୁଖରୁ ଫେରାଇ ଆଣନ୍ତେ ନାହିଁ!!?? ପୁରୁଷ କଣ ନାରୀର ଜୀବନ ବଞ୍ଚେଇବାକୁ କେବେ ଚେଷ୍ଟା କରିବ ନାହିଁ..!!??ସବୁବେଳେ କଣ କେବଳ ସ୍ତ୍ରୀ ହିଁ ତ୍ୟାଗ କରି କଷ୍ଟ ସହି ଅହ୍ୟ ହେବା ପାଇଁ ବିକଳ ହେଉଥିବ..!!??ମୋର ଇଚ୍ଛା ମୋ ସ୍ୱାମୀ ମଧ୍ୟ ମୋ ପାଇଁ ବ୍ୟସ୍ତ ହୁଅନ୍ତେ..ମୋତେ ଫେରି ପାଇବାକୁ ଚେଷ୍ଟା କରନ୍ତେ..!!" 


ଅବଶ୍ୟ ଏପରି କଥା ଶୁଣି ସବୁ ଦେଵୀମାନେ ମଧ୍ୟ ସାବିତ୍ରୀଙ୍କ କଥାରେ ନିଜ ଆଗ୍ରହ ଦେଖେଇଲେ । ସତରେ ଏମିତି କଣ ହେବନି ଯେ ଦୁନିଆରେ ପତି ନିଜ ପତ୍ନୀକୁ ଫେରି ପାଇବାକୁ ନିଜର ସାମର୍ଥ୍ୟ ଦେଖାନ୍ତା..!!??ଦାମ୍ପତ୍ୟ ଜୀବନରେ ଏପରି ସାମଞ୍ଜସ୍ୟ ହେବା ନିହାତି ଆବଶ୍ୟକ । ଉଭୟେ ଉଭୟଙ୍କ ପରିପୂରକ । 


ଅତଏବ ସବୁ ଦେବଦେବୀ ସାବିତ୍ରୀଙ୍କ ସହ କ୍ଷୀର ସାଗରକୁ ବାହାରିଲେ । ଶ୍ରୀବିଷ୍ଣୁ ଙ୍କୁ ନିଜ ଅଭିପ୍ରାୟ ଜଣାଇଲେ । ସମସ୍ତଙ୍କ ଏକା ପରି ଆଗ୍ରହ ଦେଖି ବିଷ୍ଣୁ ଅଳ୍ପ ହସି କିଛି କହିବା ପୂର୍ବରୁ ହଠାତ୍ ସାବିତ୍ରୀଙ୍କୁ ଏକ ଶକ୍ତ ଧକ୍କା ଖାଇଲା ପରି ଲାଗିଲା ଓ ସେ ଆଖି ଖୋଲି ଦେଖିଲେ..


ନିଜ ଘର ଖଟରେ ନୂଆ ଶାଢ଼ୀ ନୂଆ ମ୍ୟାଚିଙ୍ଗ ଚୁଡି ପିନ୍ଧି ସକାଳେ ସଜେଇ ହେବା ପରି ଶୃଙ୍ଗାର ଯୁକ୍ତ ହୋଇ ଶୋଇଥିଲେ ସାବିତ୍ରୀ । ପାଖରେ ବସିଥିଲେ ସେ ସହରର ସବୁଠାରୁ ନାମୀ ଡାକ୍ତର ଡ.ଶ୍ରୀନିବାସ । ଆଉ ତାଙ୍କ ମୁଣ୍ଡ ପାଖରେ ବସିଥିଲେ ସତ୍ୟବାନ୍ । 


ଶୁଣୁଥିଲେ ସାବିତ୍ରୀ…


" ଚମତ୍କାର..!!"ଡ.ଶ୍ରୀନିବାସ କହିଲେ.." ମେଡିକାଲ୍ ଇତିହାସରେ ଏପରି ଘଟଣା ପୁରା ବିରଳ । ଏମିତି ପେସେଣ୍ଟ ମୃତପ୍ରାୟ ସାରା ଦିନ ରହିବା ପରେ ଚେତା ଫେରିବା ମୁଁ କେବେ ଦେଖିନି । ମିଷ୍ଟର ସତ୍ୟବାନ୍.. ଆପଣଙ୍କ ବିଶ୍ୱାସ ଜିତିଗଲା । ଆଜି ସକାଳୁ ଆପଣ ଯେମିତି ନିଜ ପତ୍ନୀ ଠିକ୍ ହୋଇଯିବେ ଭାବି ମୋର ପୁରା ଦିନର ଅଫିସିଆଲ୍ ପେମେଣ୍ଟ ଦେଇ ମୋତେ ଆଉ ମୋ ପୁରା ଷ୍ଟାଫଙ୍କୁ ଆଣି ନିଜ ଘରେ ଆଇ.ସି.ୟୁ. ପରି ବ୍ୟବସ୍ଥା କରି ବସେଇ ରଖିଥିଲେ ତାହା ସତ ହେଲା । ଆପଣଙ୍କୁ ସତରେ ମାନିବାକୁ ପଡ଼ିବ । ଆପଣ କିପରି ଏତେ ବଡ଼ ରିସ୍କ୍ ନେଲେ..!!??"


" ଡକ୍ଟର..ସାବିତ୍ରୀ ଆଗରେ ଏସବୁ ତୁଚ୍ଛ..!! ଆପଣଙ୍କ ଗୋଟିଏ ଦିନର ଫିସ୍ ସତୁରୀ ହଜାର ଟଙ୍କା କାହିଁକି ମୁଁ ମୋର ସବୁ କିଛି ଦେଇ ମଧ୍ୟ ସାବିତ୍ରୀଙ୍କୁ ଫେରାଇ ଆଣିବାକୁ କହିଥାନ୍ତି ଆପଣଙ୍କୁ..!!"ସତ୍ୟବାନ୍ କହିଲେ


" ସେ ଯାହା ବି ହେଉ..କିନ୍ତୁ ଆପଣ ସାରା ଦିନ ପାଣି ଟୋପାଏ ମଧ୍ୟ ପିଇ ନାହାନ୍ତି । ଟେକ୍ ସମଥିଙ୍ଗ..ମୁଁ ନର୍ସଙ୍କୁ କହି ଦେଉଛି.."ଡ.ଶ୍ରୀନିବାସ ନର୍ସଙ୍କୁ ଡାକି କହିଲେ । 


" ଡକ୍ଟର..ସାବିତ୍ରୀ..!!"ପଚାରିଲେ ସତ୍ୟବାନ୍..


" ସି ଇଜ୍ ନର୍ମାଲ ନାଓ । ମୁଁ ତ ଆଶ୍ଚର୍ଯ୍ୟ ହେଉଛି ଆଉ ବହୁତ୍ ଖୁସି ମଧ୍ୟ ଯେ ମୋତେ ଏମିତି ଏକ ରେୟାର କେଶ୍ ମିଳିଲା ଯେଉଁଠି ଏକ ଅସମ୍ଭବ ସମ୍ଭବ ହେଇ ପାରିଛି…"ହସି ହସି କହିଲେ ଡାକ୍ତର..


ଆଶ୍ଚର୍ଯ୍ୟ ହେଉଥିଲେ ସାବିତ୍ରୀ…ଗତକାଲି ଦୁଇଶ ଟଙ୍କାର ଚୁଡି ପାଇଁ ପାଟି କରୁଥିବା ତାଙ୍କ ସ୍ୱାମୀ ଆଜି ସତୁରୀ ହଜାର ଟଙ୍କା ଖର୍ଚ୍ଚ କରି ନିର୍ଜଳା ଉପବାସରେ ଅଛନ୍ତି କେବଳ ତାଙ୍କ ପାଇଁ..!!??ସେ ତାଙ୍କୁ ଏତେ ଭଲ ପାଆନ୍ତି..!!??


ହଠାତ୍ ତାଙ୍କର ମନେ ପଡିଗଲା ସତ୍ୟବାନ୍ ଗତକାଲି ରାତିରୁ କିଛି ବି ଖାଇ ନାହାନ୍ତି…!!??ସାବିତ୍ରୀଙ୍କ ଆଖି କୋଣରେ ଲୁହ ଜକେଇ ଆସିଲା ବେଳେ ସତ୍ୟବାନ୍ କହୁଥିଲେ..


" ନର୍ସ..ସାବିତ୍ରୀ କାଲି ରାତିରୁ ଭୋକରେ ଅଛନ୍ତି । ତାଙ୍କୁ ପ୍ରଥମେ କଣ ଡାଏଟ୍ ଦେଲେ ଠିକ୍ ହେବ..!!??"



Rate this content
Log in

Similar oriya story from Inspirational