ସତୀ
ସତୀ
ରାଜ୍ୟର ଗୋଟିଏ ପଛୁଆ ଜିଲ୍ଲା ରେ ବେଲାମ ବୋଲି ଗାଁ ଟିଏ । ଗାଁ ର ଲୋକସଂଖ୍ୟା ଶହେ ଧରିବକି ନା' ସନ୍ଦେହ । ତେବେ ଆଜିକାଲି ଯେଉଁଠି ଲୋକେ ସହରା ଭିମୁଖୀ ଆଉ ଗାଁ ଦାଣ୍ଡ ଖାଁ ଖାଁ ; ସେଇଠି ଆଜିକୁ ପ୍ରାୟ ଚାଳିଶ / ପଚାଶ ବର୍ଷ ଆଗରୁ ଶହେ ରୁ ଉର୍ଦ୍ଧ ପରିବାର ରହୁଥିଲେ । ଧାନ ଚାଷଟା ସାରିଦେଲେ ବାକି ଛଅ ମାସ ବିତିଯାଉଥିଲା ପର୍ବ ପର୍ବାଣୀ ଆଳରେ ଟିକଏ ହସ ଖୁସି ଆଉ ମଉଜ ଖୋଜିବାରେ । କେତେବେଳେ ରଜ ମଉଜ ତ କେତେବେଳେ ନାନାଦି ପୂଜା ମଉଜ । ତେବେ ଏହି ବେଲାମ ଗାଁର ମଉଜ କରିବା ପ୍ରକୃଷ୍ଟ ସମୟଟା ହେଲା ମକର ପର୍ବ । ଧୂମ୍ ଧାମ୍ ରେ ପାଳିତ ହୁଏ ଏ ମକର ପରବ । ଦେଶୀ ଖେଳ କୁଦ ପ୍ରତିଯୋଗିତା ସାଂଗକୁ ଘରେ ପିଠା ପଣା ଆଉ ତା ସାଂଗକୁ ମକର ମେଳଣ । ଏସବୁ ଭିତରେ ପ୍ରତି ବର୍ଷ ତିନିଦିନ ଧରି ହେଉଥିଲା ମୁକ୍ତାକାଶ ରଂଗମନ୍ଚରେ ନାଟକ ପରିବେଷଣ । ଆଉ ଏଥରର ନାଟକ ଥିଲା ସତୀ ସୀତା । ନାଁ ଟାରୁ ଜଣାପଡିଯାଉଥିଲା ଏଇଟା ରାମାୟଣ ଉପରେ ପର୍ଯ୍ୟବେସିତ । ତେଣୁ ସବୁ ଚରିତ୍ର ପାଇଁ ପାତ୍ର ଆବଶ୍ୟକ । ସମସ୍ତ ପାତ୍ରକଂ ଚୟନ ସରିଯାଇଥିଲେବି ସୀତା ଚରିତ୍ର କିଏ କରିବ ତା ଚୟନ ଏପର୍ଯ୍ୟନ୍ତ ହୋଇପାରିନାହିଁ । କାହିଁକିନା ସେତେବେଳର ରକ୍ଷଣଶୀଳ ସମାଜରେ ସୀତା ଚରିତ୍ରପାଇଁ ଝିଅଟିଏ ପାଇବା ଖୁବ୍ କଷ୍ଟ । ସେଥିପାଇଁ ଦୂର ଗାଁରୁ ଆସୁଥିଲା ରାଧା କିନ୍ନର ନାଟକ ଗୁଡିକରେ ନାରୀ ଚରିତ୍ର କରିବାକୁ । କିନ୍ତୁ ଏଥର ରାଧା ସୀତାର ଚରିତ୍ର କରିପାରିବନି । କାହିଁକିନା ରାଧା କୌଣସି ଏକ ବ୍ୟାଧିରେ ଶଯ୍ୟାଶାୟୀ । ତଥାପି ନାଟକର ସବୁ କଳାକାର ଅନୁରୋଧ କରିବାରୁ ରାଧା ଆଉ ଜଣକଂ ନାଁ ସୁପାରିସ କଲା ; ଆଉ ସିଏ ହେଲା ଜାନକୀ । ନୃତ୍ୟ ଗୀତ ଅଭିନୟରେ ନିପୁଣା । କିନ୍ତୁ ତା ନାଁଟା ଶୁଣି କଳାକାର ଭିତରୁ ଜଣେ କହିଲା " ହିଁ ହିଁ ହିଁ ! କାହା ନାଁ ତୁ କହିଲୁ ! ଲୋକେ ଆମକୁ ରଖିବେ ଟି ! ଆହା ! ତା ନାଁଟା ପରା ମୁହଁରେ ଧରିବାକୁ ଘୃଣା ଲାଗୁଛି " । ତା କଥାକୁ ଅନ୍ଧ ଭାବେ ସମର୍ଥନ କଲେ କିଛି କଳାକାର । ହେଲେ ନାଟକ ର ନିର୍ଦେଶକ କହିଲେ " ତାହା ହେଲେ ଆଉ କିଛି ଉପାୟ ଅଛି କି " ? " ଉପାୟ ନାହିଁ ବୋଲି ସେ ଜାନକୀ କୁ... ଛିଃ " ବୋଲି ପ୍ରତିବାଦର ସ୍ବର ଉଠିଲା ! କାହିଁକି ଜାନକୀ ନାଁ ଟାକୁ ଏତେ ଘୃଣା ? ଜାନକୀ ତ ସତୀ ; ପବିତ୍ର ! ହେଲେ କଥା କଣ କି ଏଇ ଯେଉଁ ଜାନକୀ କଥା କୁହା ଯାଉଛି ତାର ବେଲାମ ଆଉ ତା ଆଖପାଖର ସାତଖଣ୍ଡ ଗାଁରେ ଜଣେ ବାରାଂଗନା ର ପରିଚୟ । ବାହାଘର ର ଦିନ କେଇଟା ଭିତରେ ବୈଧବ୍ୟର ଯନ୍ତ୍ରଣା ଯେଉଁ ଯନ୍ତ୍ରଣାକୁ ନା ସମାଜ ବୁଝିଲା ନା ପରିବାର ! ସେଇଥିପାଇଁ ତ ବିଧବାର ପରିଚୟ ନେଇ ସେ ଉଭୟ ଶାଶୁ ଘର ଓ ବାପ ଘର ଅଲୋଡା ପରିଚୟରୁ ଅନେକ ବ୍ୟବଧାନରେ ନିଜର ଏକ ଭିନ୍ନ ପରିଚୟ ଗଢିଛି ; ପରିଚୟ ଜଣେ ବାରାଂଗନାର , ପରିଚୟ ଗୋଟିଏ ରୂପସୀ ରୂପଜୀବିର ! ସମୟ ପରିସ୍ଥିତି ଆଉ ଆବଶ୍ୟକତା ତାକୁ ସତୀ ଜାନକୀ ରୁ ଗଣିକା ଜାନକୀର ପରିଚୟ ଦେଲା । ଯେଉଁ ଲଜ୍ୟାକୁ ଭୂଷଣ କରି ସେ ଅବଳା ହୋଇପଡିଥିଲା ; ସେହି ଲଜ୍ୟା ରୂପି ଭୂଷଣକୁ ନିଜ ଗର୍ଭସ୍ଥ ଶିଶୁ ପାଇଁ ପରିତ୍ୟାଗ କରି ସେ ଆଜି ଅଲାଜୁକି ବାରାଂଗନାରେ ପରିଗଣିତ । ତେବେ ସେହି ବାରାଂଗନା ଆଜି ସତୀ ସୀତା ଚରିତ୍ର ରେ ଅବତୀର୍ଣ୍ଣ । ଉପାୟ ନାହିଁ କିଛି । ଜାନକୀ ମଧ୍ୟ ଏକମତ । କାହିଁକି ନହେବ ଯେ ! ଅସତୀ ପରା ସତୀ ଚରିତ୍ର ରେ ଅବତୀର୍ଣ୍ଣ ହେବ ! ଆଉ କିଛିଦିନରେ ନାଟକ ହେବ ପର୍ଯ୍ୟବେସିତ । ସମସ୍ତ କଳାକାର ଅଭ୍ୟାସରେ ବ୍ୟସ୍ତ । ଆଜି ରାତିରେ ନାଟକ ସତୀ ସୀତାର ହେବ ପର୍ଯ୍ୟବେସଣ । ଏତିକିବେଳେ ହଠାତ୍ ଖବର ଆସିଲା ଜାନକୀ ର ଆଠ ବର୍ଷର ଝିଅ ଦୁର୍ବ୍ୟବହାର ର ଶୀକାର । କରିଥିବା ଲୋକ ସମାଜ ଆଖିରେ ଜଣେଜଣେ ମାନ୍ୟଗଣ୍ୟ କିନ୍ତୁ ପରଦା ଆଢୁଆଳରେ ଜଣେଜଣେ ଅସାମାଜିକ ବ୍ୟକ୍ତି । ଖବର ପାଇ ଦୌଡିଗଲା ଜାନକୀ ଝିଅ ପାଖକୁ । ଦୁର୍ବ୍ୟବହାର ର କାରଣ ଥିଲା ନିଜେ ଜାନକୀ । କଥା କଣ କି ଜାନକୀ ସୀତା ଚରିତ୍ର ରେ ଅବତୀର୍ଣ୍ଣ ହେବା କଥା ଟା ଏ କାନ ରୁ ସେ କାନ ହୋଇ ଗାଁ ସାରା ପ୍ରଚାରିତ ହୋଇଯାଇଛି । ସମସ୍ତେ କହୁଛନ୍ତି ସେହି ଗୋଟିଏ କଥା " ସେ ଗଣିକା କରିବ ସତୀ ସୀତା ଚରିତ୍ର ! ଏହା କିପରି ସମ୍ଭବ ! ଅସତୀ କେବେ ସତୀ ହୋଇପାରେନା କି ସତୀ ଚରିତ୍ରକୁ ନ୍ୟାୟ ଦେଇପାରେନା " । ଯାହାର ପରାଭବ ଭୋଗିଲା ଜାନକୀର ଆଠ ବର୍ଷର ଝିଅ । ଏତେ ବଡ ଅଘଟଣ ଅଥଚ ସମାଜ ନୀରବ । ପୁଣି କିଛି ନିର୍ଲଜକଂ ମୁହଁରେ ଶୁଭୁଥାଏ ' ବେଶ୍ୟା ର ଝିଅ ବେଶ୍ୟା । ସେ କେବେଠୁ ସତୀ ହେଲା ମ ! ମା' ଗୁଣେ ଝିଅ ପରା ! କିନ୍ତୁ ଏ ବୟସରୁ ! ଛିଃ ଛିଃ ' ! ସମାଜ ଠିକ୍ ଏହିଭଳି କିଛି ମନ୍ତବ୍ୟ ସେଦିନ ବି ଦେଇଥିଲା ଯେଉଁଦିନ ପେଟ ଜ୍ବାଳା ପାଇଁ ଜାନକୀ ନିଜକୁ ଅନ୍ଧାରୀ ଗଳିର ନର୍କ ଭିତରକୁ ନିକ୍ଷେପ କରିଥିଲା । କଣ କରିଥାନ୍ତା ! ସବୁଆଡେ ତ କାମ ପିପାସୁ ଶାଗୁଣା ଗୁଡା ଘୁରିବୁଲୁଛନ୍ତି ! ମାଂସର ଗନ୍ଧ ପାଇଲେ କଳେବଳେ କଉଶଳେ ତାକୁ ଟାଣି ବିଦାରି ଖିନ୍ ଭିନ୍ କରିଦେଉଛନ୍ତି । ତେବେ ଏ ଘଟଣାରେ ନାଟକ ବନ୍ଦ ରହିବ । କିନ୍ତୁ ଜାନକୀ କହିଲା " ନା ! ଆଜିର ନାଟକଟା ନିଶ୍ଚୟ ହେବ । ଏ ଅସତୀ କରିବ ସତୀର ଚରିତ୍ର " !
ରାତି ହେଲା । ନାଟକ ଆରମ୍ଭ ହେଲା । ନା'ନାଦି ଟାହିଟାପରା ରେ ଆରମ୍ଭ ହେଲା ନାଟକ " ସତୀ ସୀତା " । ସତୀ ସୀତାକଂ ପ୍ରତ୍ୟେକଟି ଘଟଣାର ଖୁବ୍ ନିଖୁଣ ଅଭିନୟ କରୁଥିଲା ଜାନକୀ । ଶେଷ ଦୃଶ୍ୟରେ ସୀତା କୁଂ ରାମକଂର ସତୀତ୍ବ ପ୍ରମାଣ ର ପରାମର୍ଶ ! ସୀତା ରୂପି ଜାନକୀ ଟିକିଏ ରହିଯାଇ କହିଲା " ରାମ ! କି ରାମ ତୁ ! ଭୁଲ୍ କରିଥିଲା ସୀତା ତୋତେ ବିବାହ କରି ! କେତେ ପ୍ରମାଣ ଦରକାର ତା ସତୀତ୍ବର ! ଯଦି ସେ ପ୍ରମାଣ ମୁଁ ତୋତେ ମାଗିବି ? ଅନ୍ୟର କଥାରେ ନିଜ ସ୍ତ୍ରୀ କୁ ତ୍ୟାଗ କରି ସତୀତ୍ବର ପ୍ରମାଣ ମାଗୁଛୁ ! ସେ ଅବଳା ଅନ୍ତସତ୍ତ୍ବା ର କଣ କିଛି ଅଧିକାର ନଥିଲା ପ୍ରତିବାଦର ? କାହିଁକି କେଜାଣି ସୀତା ସେଦିନ ପ୍ରତିବାଦ କରିନଥିଲା ତାପ୍ରତି ହୋଇଥିବା ଅନ୍ୟାୟ ଉପରେ !! ଯଦି ସୀତା ସେଦିନ ପ୍ରତିବାଦ କରିଥାଆନ୍ତା ତାପ୍ରତି ହେଉଥିବା ଅନ୍ୟାୟର ; ତାହେଲେ ନାରୀ ଜାତିକୁ ନାଲି ଆଖି ଦେଖିବାକୁ ପଡୁନଥାନ୍ତା ! ସେଦିନ ଯଦି ରାମ ନାରୀର ଚରିତ୍ରକୁ ସନ୍ଦେହ ନକରି ତାକୁ ସମ୍ମାନ ଦେଇଥାନ୍ତେ ତାହେଲେ ବୋଧେ ସମାଜ ସବୁବେଳେ ନାରୀ ର କଣ୍ଠରୋଧ କରିବାକୁ ଆଗେଇଆସୁନଥାନ୍ତା ..." । ସେତିକିବେଳେ ଦର୍ଶକ ଭିତରୁ କେହିଜଣେ କହିଲା " ଆରେ ଜାନକୀ ! ତୋ ନିର୍ଲଜ ମୁହଁରେ ଆଉ ରାମ ନାମ ଧରନି । ତୋର ପରା ହଜାରେ ସ୍ବାମୀ " ! ଏହାଶୁଣି ଖୁବ୍ ଜୋର ହସିବାକୁ ଲାଗିଲା ଜାନକୀ । ହସିହସି କହିଲା " ବ୍ୟସ୍ତ ହୁଅନି ! ଆଜି ସୀତା ଅଗ୍ନି ପରୀକ୍ଷା ଦେଇ ସମାଜ ଆଗରେ ନିଜ ସତୀତ୍ବର ପ୍ରମାଣ ଦେବ ! କିନ୍ତୁ ମନେରଖ ସୀତା ପାତାଳି ହେବ ଆଉ ପାନ୍ଚାଳୀର ହେବ ଆଗମନ । ନିଜ ଲଜ୍ୟା ତ୍ୟାଗ କରି ଅଟ୍ଟହାସ୍ୟ କରୁଥିବ ପନ୍ଚ ପତିର ପାନ୍ଚାଳୀ । ଆଉ ସେତେବେଳେ ଏ ସମାଜ ମୂକ ଦର୍ଶକ ସାଜି ବାଧ୍ୟହେବ ତାକୁ ସତୀ କହିବାକୁ । ସିଏ ବଦଳାଇଦେବ ସତୀ ର ସଂଜ୍ଞା । ସବୁବେଳେ ନାରୀକୁଂ ଆଉ ଦେବାକୁ ପଡିବନି ସତୀତ୍ବର ଅଗ୍ନି ପରୀକ୍ଷା " !!! ଏତିକି କହି ପାଖରେ ଥିବା ମାଟି ତେଲ କୁ ନିଜ ଦେହରେ ଢାଳି ସେଥିରେ ଅଗ୍ନି ସଂଯୋଗ କରିଦେଲା ଜାନକୀ । କେହି କିଛି ବୁଝିବା ଆଗରୁ ଜଳିଯାଉଥାଏ ଜାନକୀ ହୁ ହୁ ହୋଇ ଆଉ ଚିତ୍କାର କରି କହୁଥାଏ " ଆଜି ପାଖରୁ ମୁଁ ବି ସତୀ ମୁଁ ବି ସତୀ..."