STORYMIRROR

Arjuni charan Behera

Classics Others

3  

Arjuni charan Behera

Classics Others

ଷଠୀପୂଜା

ଷଠୀପୂଜା

5 mins
464


ଆମ ହିନ୍ଦୁ ସଂସ୍କୃତିରେ ମଣିଷ ଜୀବନ ଯାତ୍ରାର ଭିନ୍ନ ଭିନ୍ନ ପର୍ଯ୍ୟାୟରେ ସଫଳ ଜୀବନ ଯାତ୍ରା ଓ ଭଗବତ କରୁଣା ପ୍ରାପ୍ତି ନିମନ୍ତେ ଭିନ୍ନଭିନ୍ନ ଦେଵୀ ଦେବତାଙ୍କ ପୂଜାର ପରମ୍ପରା ରହିଛି l ପରମ୍ପରା ଅନୁସାରେ ଶିଶୁଟିଏ ଜନ୍ମ ହେଲେ ସୁତିକାଗୃହରେ ପ୍ରଥମ ପୂଜା ହୋଇଥାଏ ମା' ଷଷ୍ଠୀ ଦେବୀଙ୍କର l ଲୋକ ଭାଷାରେ ତାଙ୍କୁ ଷଠୀ ଠାକୁରାଣୀ ଏବଂ ମାଆ ପୂଜା ହେଉଥିବା ସୁତିକା ଗୃହକୁ ଷଠୀଘର କୁହାଯାଏ l ଆଜି ଏ ପରମ୍ପରା ହଜି ଯାଉଥିଲେ ମଧ୍ୟ ଆମେ ସମସ୍ତେ ଆମର ସେହି ଷଠୀଘରକୁ ମନେ ରଖିଥାଉଁ l ଏ ଷଠୀଘରକୁ ମନେ ପକାଇ କବି ସଚ୍ଚି ରାଉତରାୟ ଛୋଟ ମୋର ଗାଆଁଟି କବିତାରେ ଲେଖିଛନ୍ତି :-

       ଛୋଟ ମୋର ଗାଆଁଟି,

   ଭୂଗୋଳ ପୋଥି ପତରେ ପଛେ

      ନ ଥାଉ ତା'ର ନାଆଁ ଟି l

   ମାଟିର ସେଇ ସରଗ ମୋର

  ସେଇଠି ଅଛି ମୋ ଷଠୀ ଘର,

    ଜଳିବ ପୁଣି ସେଇଠି ଶେଷେ

       ମୋହରି ଚିତା ନିଆଁଟି,

       ଛୋଟ ମୋର ଗାଆଁଟି l

ଶିଶୁ ଜନ୍ମ ହେବାର ଷଷ୍ଠ ଦିନରେ ଏହି ଷଠୀପୂଜା ବା ମାଆ ଷଷ୍ଠୀ ଦେବୀଙ୍କ ପୂଜା ହୋଇଥାଏ l ମା' ଷଠୀ ଦେବୀ ହେଉଛନ୍ତି ଜନ୍ମଦେବୀ,ଶିଶୁମାନଙ୍କ ରକ୍ଷାକର୍ତ୍ରୀ l ସେ ଦେବ ସେନାପତି କାର୍ତ୍ତିକେୟଙ୍କ ସହଯୋଗୀନି,ଦେବସେନା l ଶିଶୁ ମାନଙ୍କର ସେ ରକ୍ଷାକାରିଣୀ ହୋଇ ଥିବାରୁ ତାଙ୍କ ମୂର୍ତ୍ତିରେ ଦୁଇ ହାତରେ ସେ ଦୁଇଟି ଶିଶୁଙ୍କୁ ଧାରଣ କରିଥିବାର ଦେଖାଯାଏ l ତାଙ୍କର ବାହନ କୃଷ୍ଣ ମାର୍ଜାର ଏବଂ ନିବାସ ଅଶ୍ୱତ୍ଥ ବୃକ୍ଷ l ଶାସ୍ତ୍ରମତ ଅନୁସାରେ ମାଆ ଷଠୀ ଭର୍ତ୍ତାଙ୍କ ଚକ୍ଷୁରେ ସୁନ୍ଦରୀ ଓ ଯୁବତୀ ଏବଂ ଶିଶୁମାନଙ୍କ ରକ୍ଷିକାରୂପେ ମାତୃରୂପା, ଦୟାରୂପା, ରକ୍ଷଣ ରୂପା, ବୃଦ୍ଧ ରୂପା ତଥା ଯୋଗିନୀ ରୂପା ହୁଅନ୍ତି l ମା'ଷଠୀ ଶିଶୁର ଲଲାଟ ପଟରେ ତାର ଭାଗ୍ୟ ଲିଖନ କରି ଥାଆନ୍ତି ବୋଲି ବିଶ୍ୱାସ କରା ଯାଏ l ତେଣୁ ମହାପୁରୁଷ ଯଶୋବନ୍ତ ଦାସଙ୍କ ଟୀକା ଗୋବିନ୍ଦଚନ୍ଦ୍ରକୁ ଉଦ୍ଧାର କରି ଯୋଗୀନ୍ଦ୍ର ବିପ୍ର କହିଛନ୍ତି :-

    ଜନମ ଦେଇଛି ବୋଲିରେ କୁମର

    କରମ ତ ଦେଇ ନାହିଁ l

    ବିଧାତା ଲ‌ଲାଟ ପଟରେ ସେ ପୁଣି

    ଷଠୀ ଯାହା ଲେଖିଥାଇ l

ଏହି ପୂଜାରେ ସୂତିକାଗାରରେ ଶିଶୁଜନ୍ମର ଷଷ୍ଠ ଦିନରେ କାନ୍ଥରେ ଷଠୀ ମାତାଙ୍କ ବିଗ୍ରହ ଗଢ଼ା ଯାଇ ବା ପିତୁଳା ସ୍ଥାପନହୋଇ ପୂଜା କରାଯାଏ l ମାଆ ସୁପୁତ୍ରଦା ଏବଂ ସୁଖଦା l କୁହାଯାଏ ଶିଶୁ ମାନଙ୍କୁ ଷଠୀ ସର୍ବଦା ଜଗିରହି ଥାଆନ୍ତି ଓ ଶିଶୁ ଶୋଇ ପଡ଼ିଲେ ତାକୁ ଉଠାଇଦିଅନ୍ତି l ଶିଶୁମାନେ ଶୋଇଲା ବେଳେ ତାକୁ ସ୍ୱପ୍ନ ଦେଖାଇ ହସାନ୍ତି ଓ କନ୍ଦାନ୍ତି l ଏହି ଷଠୀ ପୂଜା ଅତିରିକ୍ତେ ମାଆଙ୍କର ପୂଜା ପ୍ରତି ଶୁକ୍ଳ ଷଷ୍ଠୀରେ ବିଶେଷତଃ ଭାଦ୍ର ଶୁକ୍ଳ ଷଷ୍ଠୀଦିନ ହୋଇଥାଏ ଯାହାକୁ ଷଠୀ ଓଷା କୁହା ଯାଏ lଏ ପୂଜାରେ ଶାଳଗ୍ରାମ ଶିଳାରେ, ଘଟରେ, ବଟ ମୂଳରେ ମାଆଙ୍କର ପୂଜା କରାଯାଇ ଥାଏ l ଧ୍ୟାନ ମନ୍ତ୍ରରେ ମାଆଙ୍କୁ 'ଶ୍ୱେତଚମ୍ପକବର୍ଣ୍ଣାଭା' ରତ୍ନ ଭୂଷଣ ଭୁଷିତା ଏବଂ ପବିତ୍ର ରୂପା ବୋଲି ବର୍ଣ୍ଣିନା କରା ଯାଇଛି

ଶିଶୁ ଜନ୍ମର ଷଷ୍ଠ ଦିନ ରାତ୍ରିରେ ସୂତିକା ଗୃହରେ ଷଷ୍ଠୀ ଦେବୀଙ୍କର ଯେଉଁ ପୂଜା ହୁଏ ତାକୁ ସୂତିକା ଷଷ୍ଠୀ ପୂଜା କୁହାଯାଏ l ପୂଜାରେ ପିଲାକୁ ବିଛା ଯାଇଥିବା ଗୋଟିଏ ଲୁଗା ଉପରେ ଶୁଆଇ ଷଷ୍ଠୀ ଦେବୀଙ୍କୁ ସମର୍ପଣ କରା ଯାଏ l ଏହି ପୂଜାରେ ପୁରୋହିତଙ୍କ ଆବଶ୍ୟକତା ନ ଥାଏ l ସାଧାରଣତଃ ଛଅ ଜଣ ପଡୋଶୀ ଅହ୍ୟ ବଧୂ ମିଳି ଏହି ପୂଜା କରି ଥାଆନ୍ତି l କିନ୍ତୁ ବୃହତ ଷଷ୍ଠି ଓଷା ପାଇଁ ମାଆଙ୍କ ପୂଜାର ବିଧାନ ବ୍ରହ୍ମବୈବର୍ତ୍ତ ପୁରାଣ ପ୍ରକୃତି ଖଣ୍ଡ ପ୍ରଥମ ଓ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି l ଦେବୀଙ୍କ ଅଷ୍ଟାକ୍ଷର ମନ୍ତ୍ର' ଓଁ ହ୍ରୀଂ ଷଷ୍ଠୀଦେବ୍ୟୈ ସ୍ୱାହା ' l

ଷଷ୍ଠୀ ପୂଜା, ଷଠିଘରା,ଷଠୀ ଦୁସେଇ ଓ ଷଷ୍ଠୀ ଦୁସେଇ ପୂଜା ନାମରେ ମଧ୍ୟ ଜଣା l ଶିଶୁ ଜନ୍ମର ପଞ୍ଚମ ଦିନରେ ପଞ୍ଚୁଆତି ଚାଉଳ ଭୋଗ ପ୍ରସ୍ତୁତ ହୁଏ l ପଞ୍ଚୁଆତି ପାଞ୍ଚ ଗୋଟି ଜିନିଷ ଯଥା ଗୁଡ଼ ମିଶା ମୁଢି,ବିରି, ମୁଗ, ବୁଟ ଓ ହରଡ଼କୁ ମିଶାଇ ପ୍ରସ୍ତୁତ କରା ଯାଇଥାଏ l ମାଆ ପଞ୍ଚୁଆତିକୁ ନିଜ ପାଟିରେ ପକେଇ ଖାଇ କୁଡ଼ୁ କୁଡ଼ୁ ଶବ୍ଦକୁ ଛୁଆର କାନରେ ଶୁଣାଏ l ଏହା କରିବା ଦ୍ୱାରା ଛୁଆର ଶ୍ରବଣ ଶକ୍ତିରେ କିଛି ଅସୁବିଧା ଅଛି କି ନାହିଁ ଜଣା ପଡ଼ିଥାଏ l ପୂଜାରେ ଉପସ୍ଥିତ ଥିବା ଅନ୍ୟ ମହିଳା ମାନେ ନିଜର ପଣତ କାନି ଦେଖାନ୍ତି l ସେମାନଙ୍କ କାନିରେ ପଞ୍ଚୁଆତି ପରଷି ଦିଆଯାଏl ଷଷ୍ଠ ଦିନ ଘର କାନ୍ଥରେ କାଦୁଅରେ ୬ଟି କଉଡ଼ି ଲଗାଯାଏ l ପ୍ରତି ପିଲା ପାଇଁ ଏହି କଉଡ଼ି ସ୍ଥାପନ କରାଯାଏ l ଏଥିରୁ ସେହି ଏନ୍ତୁଡ଼ିଶାଳରେ କେତେ ଗୋଟି ପିଲା ଜନ୍ମ ହୋଇଛନ୍ତି ତାହା ଜଣା ପଡ଼ି ଥାଏ l ପୂଜା ଦିନ ଉପସ୍ଥିତ ସମସ୍ତ ଅହ୍ୟ ବଧୂ ମାନେ ଶିଶୁଟିକୁ ସୁତିକା ଗୃହରେ ଧୀରେ ଧୀରେ ମାଲିସ କରିଥାନ୍ତି l ଷଷ୍ଠିଦେବୀଙ୍କୁ ଭୋଗ ସ୍ବରୁପେ ଭାତ,ଡାଲି,ମାଛ ଭଜା,ଚକୁଳି ପିଠା,ଦୁଇ ପ୍ରକାର ତରକାରୀ ଏମିତି ୬ ପ୍ରକାର ଭୋଗ ଅର୍ପଣ କରା ଯାଏ l ପୂଜା ଶେଷରେ ପଞ୍ଚୁଆତି ଓ ଭୋଗ ସାହି ପଡ଼ିଶାଙ୍କୁ ବଣ୍ଟାଯାଏ l କେହି କେହି ଭୋଜିଭାତ ଆୟୋଜନ ମଧ୍ୟ କରିଥାନ୍ତି l

ରାମାୟଣର କିମ୍ବଦନ୍ତୀ ଅନୁସାରେ ଦଶରଥଙ୍କର ସନ୍ତାନ ସନ୍ତତି ହେଉନଥିବାରୁ ତାଙ୍କ ରାଣୀମାନେ ଷଠୀ ପୂଜା କରି ପୁତ୍ରବତୀ ହୋଇଥିଲେ ଓ ପିଲା ମାନଙ୍କ ଜନ୍ମ ପରେ ଷଷ୍ଠ ଦିବସରେ ଷଠି ପୂଜା କରିଥିଲେ l

ଶ୍ରୀକ୍ଷେତ୍ରରେ ମା' ସରସ୍ବତୀଙ୍କ ମନ୍ଦିରରେ ଷଠୀ ଦେବୀ ଅଧିଷ୍ଠିତ ଅଛନ୍ତି l ଭାଦ୍ରବ ଶୁକ୍ଲ ଷଷ୍ଠୀ ଦିନ ମାଆଙ୍କର ଷଷ୍ଠୀ ପୂଜା ବିଶେଷ ଭାବରେ ପାଳନ କରାଯାଏ l କେହି କେହି ଏହାକୁ ଷଠୀ ବୁଢ଼ୀ ପୂଜା ବୋଲି କହିଥାନ୍ତି l

ଷଠୀ ଠାକୁରାଣୀ ନବ ଜାତକ ଶିଶୁର ଆୟୁଷ ନିର୍ଦ୍ଧାରିଣ କରିଥାନ୍ତି ବୋଲି ବିଶ୍ୱାସ କରା ଯାଏ l ତେଣୁ ମାଆ ସନ୍ତାନର ଦୀର୍ଘ, ନିରାମୟ ଜୀବନ କାମନାକରି ଷଠୀଠାକୁରାଣୀଙ୍କୁ ପୂଜା କରିଥାନ୍ତି l ଷଠୀ ମାତାଙ୍କୁ ପ୍ରାର୍ଥନା କରି କୁହାଯାଏ :-

ଓଁ ଷଷ୍ଠୀଦେବୀ ନାମସ୍ତୁଭ୍ୟଂ ସୂତିକଗୃହ ଶାୟିନି l

ପୂଜିତା ପରାୟା ଭକ୍ତ୍ୟା ଦୀର୍ଘାମାଯୁ ପ୍ରଯଚ୍ଛମେ ll

 ଦେବୀ ଭାଗବତ ଓ ବ୍ରହ୍ମବୈବର୍ତ୍ତ ପୁରାଣରେ ଷଷ୍ଠୀ ଦେବୀଙ୍କ ପୂଜା ବିଷୟରେ କଥାମାନ ଅଛିl ବ୍ରହ୍ମ ବୈବର୍ତ୍ତ ପୁରାଣରେ ଷଷ୍ଠୀଦେବ୍ୟୁପାଖ୍ୟାନମ୍ ନାମରେ ଏକ ଉପାଖ୍ୟାନ ରହିଛି l

 ଉପାଖ୍ୟାନ ଅନୁଯାୟୀ, ସ୍ୱାୟଂଭୁବ ମନୁଙ୍କ ପୁତ୍ର ଥିଲେ ରାଜା ପ୍ରୀୟବ୍ରତ ଏବଂ ପ୍ରୀୟବ୍ରତଙ୍କ ପତ୍ନୀ ଥିଲେ ମାଳିନୀ l ସେମାନେ ନିଃ ସନ୍ତାନ ଥିବାରୁ ପୁତ୍ରକାମେଷ୍ଟି ଯଜ୍ଞ କଲେ l ଦେବୀ ମାଳିନୀ ଗର୍ଭ ଧାରଣ କଲେ କିନ୍ତୁ ବାର ବର୍ଷ କାଳ ସେ ଗର୍ଭ ପ୍ରସବ ହେଲା ନାହିଁ l ଶେଷକୁ ତାଙ୍କ ଗର୍ଭରୁ ମୃତ ପୁତ୍ରଟିଏ ଜନ୍ମ ହେଲା l ରାଜା ପ୍ରିୟବ୍ରତ ଅତି ମନ ଦୁଃଖରେ ପିଲାଟିକୁ ନେଇ ସ୍ମଶାନ ଭୂଇଁ ଆଡ଼କୁ ଚାଲି ଥାନ୍ତି ତାଙ୍କର ଭେଟ ହେଲା ଦିବ୍ୟ ରଥରେ  ବସିଥିବା ଶ୍ୱେତବସନ ଓ ଦିବ୍ୟ ଭୂଷଣ ପରିହିତା ଜଣେ ଦିବ୍ୟ ନାରୀଙ୍କ ସହିତ l ସେ ନାରୀ ଜଣକ ତାଙ୍କୁ କହିଲେ ମୁଁ ବ୍ରହ୍ମାଙ୍କ ପୁତ୍ରୀ ଓ ସ୍କନ୍ଧ ଭାର୍ଯ୍ୟା ଦେବସେନା l ସେ ଆହୁରି କହିଲେ ମୁଁ ହେଉଛି ଷଷ୍ଠୀ ଦେବୀ ଏବଂ ସଢାନନ ସ୍କନ୍ଧଙ୍କ ଷଢ ଜଣ ମାତୃକା ମଧ୍ୟରୁ ଜଣେ l ମୋର ଭକ୍ତ ମାନଙ୍କୁ ମୁଁ ସନ୍ତାନ ପ୍ରଦାନ କରିଥାଏ l ଏହା କହି ସେ ରାଜା ପ୍ରିୟବ୍ରତଙ୍କ ହାତରୁ ସେ ମୃତ ପୁତ୍ରଟିକୁ ନେଇ ସ୍ୱର୍ଗ ଅଭିମୁଖେ ଯିବାକୁ ପ୍ରସ୍ତୁତ ହେଲେ l କିନ୍ତୁ ପ୍ରୀୟବ୍ରତ ତାଙ୍କୁ ବହୁତ ସ୍ତୁତି କରି ଏଥିରୁ କ୍ଷାନ୍ତ କଲେ ଏବଂ ତାଙ୍କୁ ତାଙ୍କର ପୁତ୍ର ଫେରାଇ ଦେବା କୁ ଅନୁରୋଧ କଲେ l ଦେବୀ ରାଜା ପ୍ରିୟବ୍ରତଙ୍କ ଉପରେ ସନ୍ତୁଷ୍ଟ ହୋଇ ତାଙ୍କର ପୁତ୍ରକୁ ଫେରାଇ ଦେବାକୁ ରାଜି ହେଲେ l କିନ୍ତୁ ସେ ଗୋଟିଏ ସର୍ତ୍ତ ରଖିଲେ, ମୁଁ ତୁମ ପୁତ୍ରକୁ ଫେରାଇ ଦେବି ଏହି ସର୍ତ୍ତରେ ଯେ ତୁମେ ମୋ ପୂଜାର ପ୍ରଚାର ପ୍ରସାର ତିନି ଲୋକରେ କରାଇବ l ପ୍ରିୟବ୍ରତ ଏଥିରେ ରାଜି ହେଲେ ଏବଂ ଷଠୀଦେବୀ ତାଙ୍କର ପୁଅକୁ ଜୀବନ ଦାନ ଦେଇ ଫେରାଇ ଦେଲେ l ମାଆ ସେହି ପୁଅର ନାଁ ଦେଇଥିଲେ ସୁବ୍ରତ l ମାଆଙ୍କ ପ୍ରସାଦରୁ ସୁବ୍ରତ ପରେ ଜଣେ ମହା ଧାର୍ମିକ,ସୁ ଶାସକ,ନୀତିବାନ ଓ ଆଦର୍ଶ ଚକ୍ରବର୍ତ୍ତୀ ସମ୍ରାଟ ହୋଇଥିଲେ l ପ୍ରିୟବ୍ରତ ମଧ୍ୟ ମାଆଙ୍କୁ ଦେଇଥିବା କଥା ଅନୁଯାୟୀ ତିନି ଲୋକରେ ଘୋଷଣାକଲେ ଷଷ୍ଠୀ ମାତାଙ୍କର ପୂଜା ପ୍ରତ୍ୟେକ ଶୁକ୍ଳ ଷଷ୍ଠୀରେ ହେବ l ନବ ଜାତ ଶିଶୁ ମାନଙ୍କର ଷଷ୍ଠ ଏବଂ ଏକୋଇଶି ଦିବସରେ ଏ ପୂଜା ଅନୁଷ୍ଠିତ ହେବ l ପିଲାଙ୍କ ମଙ୍ଗଳ ପାଇଁ ଯେତେ ପୂଜା କରା ହେବ ସେଥିରେ ଷଷ୍ଠୀ ଦେବୀଙ୍କ ପୂଜା ହେବ l ସେବେ ଠାରୁ ଷଷ୍ଠୀମାତାଙ୍କର ଏ ପୂଜା ହୋଇ ଆସୁଛି l

ବ୍ରହ୍ମବୈବର୍ତ୍ତ ପୁରାଣର ଏ ଉପାଖ୍ୟାନରୁ ପ୍ରତୀତ ହୁଏ ଶିଶୁ ମାନଙ୍କ ରକ୍ଷାକାରିଣୀ ଷଠୀ ମାତାଙ୍କ ପୂଜା କେଉଁ ଆଦିମ କାଳରୁ ହୋଇଆସୁଛି l ସେ ଏକାଧାରାରେ ସ୍କନ୍ଧ ଭାର୍ଯ୍ୟା ଓ ସ୍କନ୍ଧ ମାତା l କାର୍ତ୍ତିକେୟଙ୍କ ନିକଟରେ ମାତାଙ୍କ ମୂର୍ତ୍ତୀ ରହିଥିବା ଦେଖିବାକୁ ମିଳେ l

                     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics