ସର୍ବହରା
ସର୍ବହରା
ମୁଁ ଭୁବନ ବିଶ୍ବାଳ! ପରିଚୟ ମୋର ସର୍ବହରା! ଅରକ୍ଷିତ ବେସାହାରା! ତୃତୀୟ ବିଶ୍ୱର ଅଗ୍ରଣୀ କର୍ଣ୍ଣଧାର! ମୁଁ ମହାନାୟକ ମୋ ନିଜ କାହାଣୀର। ଏହି କ୍ରୁର ମତଲବୀ ଦୁନିଆରେ ଅହରହ ଲଢି ଲଢି ବଞ୍ଚିବାଟା ମୋର ଜନ୍ମଗତ ଅଧିକାର! ଜୀବନର ଶେଷ ଶ୍ବାସ ଥିବା ପର୍ଯ୍ୟନ୍ତ ଏଥିରୁ ମୋତେ ବଞ୍ଚିତ କରିବାପାଇଁ ଶକ୍ତି ନାହିଁ କାହାର, ଏପରକି ସ୍ଵୟଂ ଭଗବାନଙ୍କର ମଧ୍ୟ! କାରଣ ମୁଁ ନୁହେଁ ଦୟାର ପାତ୍ର କାହାର। ମେହନତି ଖଟିଖିଆ ମଜୁରିଆ ମୁଁ ଖଟିଖାଇବା ମୋର ପ୍ରବୃତ୍ତି, ଲୁଟିଖିଆ ନୁହେଁ ଯେ ମୁଁ ହେବି ଧର୍ମଭୀରୁ, ଭଗବାନଙ୍କ ଆଶ୍ରିତ! ମୁଁ ସ୍ଵୟଂ ନିଜର ଭାଗ୍ୟବିଧାତା!
ମୋ ପାଇଁ ସଭିଏଁ କାନ୍ଦନ୍ତି କିନ୍ତୁ ଟୋପାଏ ଲୁହ କାହାରି ଆଖିରୁ ବହେ ନାହିଁ। ମୋ ଭଳି ଶୋଷିତ ବଞ୍ଚିତ ପଦଦଳିତ ନିଷ୍ପେଷିତ ଲୋକଙ୍କ ପାଇଁ ସରକାରଙ୍କ ଅସଂଖ୍ୟ ଯୋଜନା ପ୍ରଣୟନ ହୋଇଛି କାଗଜପତ୍ରରେ ଅଥଚ ସୁଫଳ ମିଳେ ନାହିଁ। ପରାନ୍ନଭକ୍ଷୀ ଭ୍ରଷ୍ଟ ରାଜନେତା, ସରକାରୀ ଅଧିକାରୀ ଆଉ ଦଲାଲମାନେ ସବୁକିଛି ହରିଲୁଟ କରନ୍ତି ନିଜର ବିଶାଳକାୟ ଉଦର ପୂର୍ଣ୍ଣ କରିବା ପାଇଁ। ମୋ ଭଳି ସରଳିଆ ମଣିଷମାନଙ୍କ ପାଇଁ ଆଜି ବି ମୁଠାଏ ଭାତ ଅପହଞ୍ଚ। ମୌଳିକ ସୁବିଧା ସୁଯୋଗ ଦୂରନ୍ତ ସ୍ଵପ୍ନ। ସୁଖ ସଂଭୋଗ ଜାଦୁଗରର ଇନ୍ଦ୍ରଜାଲ।
ଅର୍ଥଶାସ୍ତ୍ରୀଙ୍କ ପ୍ରୟୋଗଶାଳାର ପରୀକ୍ଷିତ ବସ୍ତୁଟିଏ ମୁଁ। ବଜାରବାଦୀ ଅର୍ଥନୀତିରେ ମୁଁ ଆଉ ମନୁଷ୍ଯ ପଦବାଚ୍ୟ ହୋଇ ରହିନାହଁ ବରଂ ପାଲୋଟିଛି ଶ୍ରମ ଶକ୍ତିର ଜୀବନ୍ତ ଉତ୍ସ। ମୂଲର ବଜାରରେ ପେଟର ଭୋକ ମହଙ୍ଗା ଅଥଚ଼ ମୋ ପରି ମଣିଷର ଜୀବନ ବହୁତ ଶସ୍ତା! ଦେଶ ଗଢାହୁଏ ମୋର ରକ୍ତ ମାଂସ ସ୍ବେଦର ଅକାତର ବଳିଦାନରେ ମାତ୍ର ଏହି ଦେଶରେ ସବୁଠାରୁ ଅବହେଳିତ ଯଦି କେହି ଥାଏ ସେ ହେଉଛି ମୁଁ! କାରଣ ମୁଁ ସର୍ବହରା ଅରକ୍ଷିତ ବେସାହାରା। ମୋ ପାଇଁ କାହାର ଆନ୍ତରିକତା ନାହିଁ, କେବଳ ପ୍ରହସନର କୁସ୍ତିରେ ସଭିଏଁ ମଗ୍ନ।
ମାର୍କ୍ସବାଦ, ଲେଲିନବାଦ, ପୁଞ୍ଜିବାଦ, ସାମ୍ୟବାଦ, ସମାଜବାଦ, ଗାନ୍ଧିବାଦ, ସାଂସ୍କୃତିକ ରାଷ୍ଟ୍ରବାଦ ଏସବୁ ଅର୍ଥନୈତିକ ଅବା ସାମାଜିକ ସିଦ୍ଧାନ୍ତ ମୋ ବୁଝିବା ଶକ୍ତିର ପରିଧି ବାହାରର କଥା। ମୋ ପାଇଁ କେତୋଟି ଦୁର୍ବୋଧ୍ୟ କ୍ଲିଷ୍ଟ ଶବ୍ଦ ପୁଞ୍ଜ! ମୋର ସ୍ବାର୍ଥ ସୁରକ୍ଷା ପାଇଁ କେତେ ବାକ୍ ବିତଣ୍ଡା, କେତେ ଆନ୍ଦୋଳନ, କେତେ ରକ୍ତାକ୍ତ ସଂଘର୍ଷ ସଂଘଟିତ ହୋଇଛି ତାର ହିସାବ ନାହିଁ କାହା ପାଖରେ। କିନ୍ତୁ ସବୁକିଛି ବ୍ଯର୍ଥ ନିରର୍ଥକ। ପର୍ବତର ମୂଷିକ ପ୍ରସବ!
ଏ ଦେଶଟା ଆମର ଚାଲିଛି କେବଳ ଭାଷଣରେ। କିଛି ଭୁଲ୍ କହିଦେଲି କି? ନେତାମନ୍ତ୍ରୀଙ୍କ ଅନ୍ତଃସାର ଶୂନ୍ଯ ଫମ୍ପା ଭାଷଣରେ ପେଟ ପୁରେ ନାହିଁ କାହାର। ସେଥିପାଇଁ ଦରକାର ଆହାର। ବିନା ପରିଶ୍ରମରେ କାହାର ହାତଟେକା ଆହାର ଖାଇବା ମୋର ବିବେକ ବିରୁଦ୍ଧ କାର୍ଯ୍ୟ। ବହୁତ ଗୌର ଚନ୍ଦ୍ରିକା ହୋଇଗଲା। ଏବେ ଆସନ୍ତୁ ମୋ ଦୁଃଖର ଦରିଆକୂଳରେ ଟିକେ ବିଚରଣ କରିବା।
ଯେପରିକି ଆଗରୁ କହିଛି, ମୋର ନାମ ଭୁବନ ବିଶ୍ଵାଳ। ଘର କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ଧୋୟା ଅଞ୍ଚଳରେ। ଗାଁ ନାଁଟା ଉଲ୍ଲେଖ କଲେ ନିନ୍ଦିତ ହେବା ହିଁ ସାର ହେବ। ଗାଁ ସ୍କୁଲରୁ ମାଟ୍ରିକ ପାସ୍ କରିବା ପରେ ଅଡଶପୁର କଲେଜରେ ନାମ ଲେଖାଇ ପଢୁଥିବା ସମୟରେ ଘରର ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଥିଲା ଏକ ପ୍ରଳୟଙ୍କାରୀ ବାତ୍ୟା।
ଏହା ପର ବର୍ଷ ମହାବନ୍ୟାରେ ବାପା ଆର ପାରିକୁ ଚାଲିଗଲେ। ଘରେ ମାଆ ଆଉ ଚାରି ଭାଇ ଭଉଣୀ, ବଡ଼ ପୁଅ ହିସାବରେ ଘରର ସମସ୍ତ ଦାୟିତ୍ବ ପଡିଲା ମୋ ମଥାରେ। ଅଗତ୍ୟା ମୋର ପାଠରେ ଡୋରି ବନ୍ଧା ହେଲା। ସମସ୍ତେ ଯଦି ପାଠ ପଢି ବାବୁ ହେବେ ପୁଣି ମୂଲ ଲାଗିବ କିଏ? ଜମିବାଡ଼ି କିଛି ନାହିଁ, ହାତରେ କାମ ନାହିଁ, କେତେ ଦିନ ବା ଆଉ ଭୋକ ଉପାସରେ ହନ୍ତ ସନ୍ତ ହୋଇ ଦିନ କାଟିଥାନ୍ତୁ ?
ଗାଁ ଲୋକଙ୍କ ଜମିରେ ଖଟିଲେ ମଜୁରୀ ମିଳେନାହିଁ ଠିକ୍ ରେ। "ବାପା ଲୋ" "ଧନ ଲୋ" କହି ଡକା ହକା କରି ଖଟେଇବେ କିନ୍ତୁ ପାଉଣା ଦେଲା ବେଳକୁ ଘୁଷୁରି ମଙ୍ଗଳପୁର ଦେଖିବ! କିଛି ଦିନ ଗାଁରେ ମୂଲ ଲାଗିବା ପରେ ମୁଁ ଦାଦନ ଖଟିବାକୁ ଚାଲିଆସିଲି ଆମ ଗାଁର ଅନ୍ୟମାନଙ୍କ ସହ ହାଇଦ୍ରାବାଦର ଇଟାଭାଟିକୁ ଭିଟାମାଟିର ମୋହ ମାୟା ପରିତ୍ୟାଗ କରି। ଦିନକୁ ବାର ଚଉଦ ଘଣ୍ଟା ଧରି ହାଡ଼ଭଙ୍ଗା ଖଟଣିରେ ଗଢୁଥିଲୁ ଆମେ ବଡ଼ବଡ଼ିଆଙ୍କ ନଭଶ୍ଚୁମ୍ବୀ ଅଟ୍ଟାଳିକାର ଭିତ୍ତି।
ମାଳଭୂମିର ଇଟାଭାଟିରେ ଧାଡ଼ି କି ଧାଡ଼ି ଟିଣଘର ସବୁ ଆମର ସ୍ବର୍ଗ। ଗାଁର ଶାଗ ପଖାଳ ଥିଲା ଆମ ପାଇଁ ସାତ ସପନ! ଦରଫୁଟା ଭାତ ଆଉ ତେନ୍ତୁଳି ପକା ସମ୍ବର ଖାଇ ଖାଇ ମନଟା ବହୁତ କଷ୍ଟ ହୁଏ କିନ୍ତୁ କର୍ମକୁ ଆଦରି ଏକ ସୁନେଲି ଭବିଷ୍ୟତର ଆଶାରେ ସବୁ କିଛି ସହିବାକୁ ପଡ଼େ। ପ୍ରତିବାଦ କରିବାକୁ ଶକ୍ତି ନାହିଁ, କିମ୍ବା ଆଗ୍ରହ ବି ନାହିଁ। କାରଣ କାମ କରିବାକୁ ଏଠି ଲୋକ ହାଉ ଯାଉ, ହାତରୁ କାମଟା ଖସିଗଲେ ପେଟପାଟଣା ବିପଦରେ। ଯାହା ଯେମିତିବି ହେଉ ସବୁ କିଛି ଚାଲିଥିଲା ଗୋଟିଏ ରକମର ଠିକ୍ ଠାକ୍। ଗଣ୍ଡେ ଖାଇ ଏଠି ଦଣ୍ଡେ ଜିଇଁବାର ଅନନ୍ତ ପରୀକ୍ଷା। ମାସକୁ ମାସ ଠିକ୍ ସମୟରେ ମିଳୁଥିଲା ଦରମା। ଦଲାଲ ତାର ଦଲାଲି କାଟି ବାକି ଟଙ୍କା ଆମ ହାତରେ ଧରାଇଦିଏ। ଖିଆପିଆ ରହିବା ସବୁ ତ ମାଗଣାରେ, କଣ କେତେ ବା ଆଉ ଖର୍ଚ୍ଚ ହେବ? ବେଶ୍ ସଞ୍ଚୟ ହେଉଥିଲା ଆମର। ମଝିରେ ମଝିରେ ଘରକୁ ପଠାଉଥିଲୁ ଟଙ୍କା ମନି ଅର୍ଡ଼ରରେ। ସେତେବେଳେ ଖୁବ୍ ଗର୍ବିତ ଅନୁଭବ କରୁଥିଲି ମୁଁ!
ଦିନକୁ ଦିନ ବଢିବାରେ ଲାଗିଥିଲା ମୋ ଆଖିର ସ୍ବପ୍ନ ସବୁ। ହେଲେ ସେଇ ସ୍ବପ୍ନକୁ ସତେ ଯେମିତି କାହାର କଳା ନଜର ଲାଗିଗଲା! ତାସ୍ ଘରପରି ଭୁଷୁଡ଼ି ପଡିଲା କେଇଟା ମୂହୁର୍ତ୍ତରେ। ବିଦେଶରୁ ଆସିଥିବା ମହାମାରୀ କରୋନାର ପ୍ରଭାବରେ ସବୁ କିଛି ଠପ୍ ହୋଇଗଲା। ଅଚାନକ ଚାହୁଁ ଚାହୁଁ ଲାଗୁ ହୋଇଗଲା ସମଗ୍ର ଦେଶରେ ତାଲାବନ୍ଦ। ଅଖ ଚକ ସବୁ ବନ୍ଦ। ଆର୍ଥିକ ଗତିବିଧି ସବୁ ବନ୍ଦ। ନିର୍ମାଣ କ୍ଷେତ୍ରରେ ଅପରିକଳ୍ପନୀୟ ମାନ୍ଦାବସ୍ଥା।
ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡିଲା ଆମ ପରି ମେହନତି ମଣିଷର ପେଟପାଟଣା ଉପରେ। ଇଟାଭାଟି ବନ୍ଦ ହେବାରୁ ମାଲିକ ବକେୟା ଦରମା ପ୍ରଦାନ କଲା ନାହିଁ। ଖାଇବାକୁ ଦେବା ବି ବନ୍ଦ କରିଦେଲା। ଆମେ ସବୁ ତାକୁ କାକୁତିମନତି କଲୁ ଆମର ଝାଳବୁହା ମଜୁରୀ ଦେବା ପାଇଁ। ମଜୁରୀ ଟଙ୍କା ଦେବା ତ ଦୂର ବରଂ ନାଲିଆଖି ଦେଖାଇ ମାଡ଼ ମାରି ବାହାର କରିଦେଲା ତାର ସେଇ ଟିଣଘରୁ। ଜୀବନରେ ମାରି ଦେବାର ଧମକ ଦେଲା। ଯାହା ପାଇଁ ଆମେ ନିଜ ଜୀବନକୁ ବାଜି ଲଗାଇ କାମ କରୁଥିଲୁ ସେ କେତେଟା ଟଙ୍କା ପାଇଁ ଆମକୁ ରାସ୍ତାରେ ବସାଇଦେଲା। ଭାଗ୍ୟର ବିଡ଼ମ୍ବନା ନୁହେଁ ତ ଆଉ କଣ ଇଏ?
ଏହି ପୁଞ୍ଜିପତି ବୁର୍ଜ୍ଜୁଆଙ୍କ ପାଇଁ ଆମେ ଆଜୀବନ ବେଠି ଖଟୁ ନାମମାତ୍ର ପାଉଣାରେ। ଆମରି ରକ୍ତ ମାଂସ ସ୍ବେଦ ମେଦରେ ଗଢାହୁଏ ଏମାନଙ୍କ ବ୍ୟବସାୟିକ ସାମ୍ରାଜ୍ୟ। ମାତ୍ର ଆମର ଦୁଃଖ ଦୁର୍ଦ୍ଦିନରେ ଏମାନଙ୍କ ତୁଣ୍ଡରୁ ଆମ ପାଇଁ ଆହାଃ ପଦେ ସ୍ଫୁରେ ନାହିଁ। ସାହାଯ୍ୟର ହାତ ବଢାଇବା ତ ଦୂରର କଥା ବରଂ ଆମକୁ ଅସହାୟ କରି ଦାଣ୍ଡରେ ଭିକ ମାଗିବାକୁ ଛାଡିଦିଅନ୍ତି ଏହି ଅମଣିଷମାନେ। ସମସ୍ତ ମାନବିକ ପ୍ରବୃତ୍ତିକୁ ପାଦରେ ଦଳି ଦେଇ କେବଳ ଅର୍ଥ ରୋଜଗାର କରନ୍ତି ଆମ ପରି ମେହନତି ମଣିଷର ଶୋଣିତର ବିନିମୟରେ । ଏମାନଙ୍କ ଦ୍ବାରା ଆମେ ଚିରକାଳ ଶୋଷିତ ଅବହେଳିତ ଏବଂ ପଦ ଦଳିତ। କିନ୍ତୁ ଆମେ ନିରୁପାୟ। ଏମାନେ ହିଁ ଆମର ଅନ୍ନଦାତା! ଏହି ଭାବପ୍ରବଣତା ହିଁ ଆମକୁ ଦାସତ୍ୱର ଶୃଙ୍ଖଳରେ ବାନ୍ଧିଦେଇଛି।
ପାଖରେ ପଇସାଟିଏ ନାହିଁ, ପେଟରେ ଭୋକର ଦାଉ, ମଣିଷକୁ ଦାର୍ଶନିକ ହେବା ପାଇଁ ଆଉ କଣ ଦରକାର? କାହାକୁ ଦୋଷାରୋପ କରିବା ସହଜ ପନ୍ଥା ଅଟେ କିନ୍ତୁ ନିଜେ ନିଜକୁ ସଠିକ୍ ଭାବେ ପରିଚାଳନା କରିବା ବହୁତ କଷ୍ଟକର ବ୍ୟାପାର। ଚାହିଁଥିଲେ ଭୁଲ୍ ରାସ୍ତାରେ ପାଦ ଥାପି ଖୁବ୍ କମ୍ ସମୟ ମଧ୍ୟରେ ଢେର୍ ଅଗ୍ରଗତି ହାସଲ କରିପାରିଥାନ୍ତି ମୁଁ। କିନ୍ତୁ ବିବେକ ନାମକ ଶବ୍ଦଟି ସଦାସର୍ବଦା ମୋତେ ନିରୁତ୍ସାହିତ ଓ ଭୟଭୀତ କରିଛି ଏ ଦିଗରେ ଅଗ୍ରସର ହେବା ପାଇଁ।
ଅନେକ ଲୋକଙ୍କ ଦୁଆରେ ଠିଆ ହୋଇଛୁ ଏଇ ପ୍ରବାସ ମାଟିରେ କିଛି କାମ କରିବା ପାଇଁ, ସଭିଏଁ ଫେରାଇ ଦେଲେ ନାସ୍ତିବାଣୀରେ। ଭୋକର ସର୍ବଗ୍ରାସୀ ଦାଉ ଉଗ୍ର ରୂପ ଧାରଣ କରୁଥିଲା। ସବୁଆଡ଼ୁ କାମ କରିବା ପାଇଁ ନିରାଶ ହେଲା ପରେ ମନେପଡ଼ିଲା ଭିଟାମାଟି ଜଠରାଗ୍ନିର ଜ୍ବାଳାରେ। ସ୍ଥିରୀକୃତ ହେଲା ସ୍ପପ୍ନକୁ ଜଳାଞ୍ଜଳି ଦେଇ ଫେରିଯିବା ପାଇଁ ଭିଟାମାଟିକୁ। ହେଲେ ଏଇ ଫେରିବା ବି ଏତେ ସହଜ ନୁହେଁ।
ତାଲାବନ୍ଦ ଯୋଗୁଁ ଗାଡି ମଟର ରେଳ ଉଡ଼ାଜାହାଜ ସବୁ ଅଚଳ। ହଜାର ହଜାର ମାଇଲ କେମିତି ଯିବା ଗାଁକୁ? ସବୁ ଶୂନ୍ଯ, ମହାଶୂନ୍ୟ। କେବଳ ନେତାଙ୍କ ଭାଷଣ ଶୁଭୁଛି ଚାରିଆଡ଼େ। ନିଜ ବଦାନ୍ୟତାର ସ୍ପର୍ଦ୍ଧିତ ଚିତ୍କାର! ବିଜ୍ଞାପନ ମାଧ୍ୟମରେ ତୁହାକୁତୁହା ପ୍ରଚାର। ଲକ୍ଷ ଲକ୍ଷ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବାର ଯୋଜନା। ଅର୍ଥ ବଣ୍ଟନ କରିବା ପାଇଁ ନୀଳ ନକ୍ସା ପ୍ରସ୍ତୁତ। ହିତାଧିକାରୀଙ୍କ ମନରେ ଆଶାର ନୂତନ ସୂର୍ଯ୍ୟୋଦୟ। ତଥାପି ଗୋଟିଏ ସଂଶୟ, ସତେ କି ଏଇ ଟଙ୍କା ସେମାନଙ୍କ ହାତକୁ ମିଳିବ?
ଏଇ ତାଲାବନ୍ଦ କାହା ପାଇଁ ସର୍ବନାଶ ତ ଆଉ କାହାର ପୁଷମାସ! ମୋ ପରି ଖଟିଖିଆ ମଜୁରିଆ ପାଇଁ ତ ନିଶ୍ଚିତ ଭାବେ ସର୍ବନାଶ ଥିଲା। ଟାଉଟର ଲୁଟିଖିଆମାନଙ୍କ ତ ରୋଜଗାରର ନୂତନ ପନ୍ଥା ଖୋଲିଯାଇଛି। ଯିଏ ଯେମିତି ପାରିଲା ନିଜ ସୁବିଧା ଅନୁସାରେ ଲୁଟି ଚାଲିଛି। ବେପାରୀ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ସଭିଏଁ ବିଭୋର ଏହି ଡରର ମାହୋଲରେ ହାତ ଚିକ୍କଣ କରିବାରେ।
ସମୟ ବିତିବା ସହିତ ବଢୁଥିଲା ଯନ୍ତ୍ରଣା। ରାସ୍ତାରେ ବା ଆଉ କେତେଦିନ ରହିହେବ। ତେଣୁ ଚିନ୍ତା କଲି ମୁଁ ଫେରିବା ପାଇଁ ଗାଁକୁ ପାଦରେ ଚାଲି ଚାଲି! ଦିଇଟା ବ୍ଯାଗରେ ଯାହା କିଛି ଜିନିଷ ଥିଲା ମୋର। ପରିଶ୍ରମ କରିବାର ଅଭ୍ୟାସ ଓ ଅଭିଜ୍ଞତାକୁ ଆଧାର କରି ପାଦର ସାହାରାରେ ମୁଁ ଆରମ୍ଭ କଲି ଚାଲିବା। ଭିଟାମାଟି ଅଭିମୁଖେ ପଦଯାତ୍ରା। ନେତାମାନେ ନିର୍ବାଚନ ଆସିଲେ ଏମିତିକା ଷ୍ଟଣ୍ଟ୍ ସବୁ କରନ୍ତି। ଅବଶ୍ୟ ଶୀତତାପ ନିୟନ୍ତ୍ରିତ ବସ୍ ସେବାରେ ଲାଗିଥାଏ ସେମାନଙ୍କର।
ବହିରେ ପଢିଥିଲି ଦେଶ ବିଭାଜନ ସମୟର କଥା ପୁଣି ଶୁଣିଥିଲି ଜରୁରୀକାଳୀନ ପରିସ୍ଥିତିର କଥା। ହୁଏତଃ ଅନେକ ଲୋକ ଏହି ଦୁଇଟି ଘଟଣାର ପ୍ରତ୍ୟକ୍ଷ ଅନୁଭୁତି ଅଙ୍ଗେ ଲିଭେଇ ନଥିବେ। ସେତେବେଳେ ଲକ୍ଷ ଲକ୍ଷ ଲୋକ ଭାରତକୁ ଚାଲିଆସିଥିଲେ ନିଜ ପ୍ରାଣ ବଞ୍ଚାଇବାକୁ। ବଡ଼ ବିଭତ୍ସ ହୃଦୟ ବିଦାରକ ଦୃଶ୍ୟ ଥିଲା ସେସବୁ। ଏବେ ଯେମିତି ସେହି ଦୃଶ୍ୟ ପୁନର୍ବାର ଦେଖିବାକୁ ମିଳିଥିଲା। ଅନେକଙ୍କ ପାଇଁ ଏହି ଦୃଶ୍ୟର କିଛି ମହତ୍ତ୍ବ ନାହିଁ। କିନ୍ତୁ ମୁଁ ମର୍ମେ ମର୍ମେ ଅନୁଭବ କରୁଥିଲି। ସେମାନଙ୍କ ଦୁଃଖ ଦୁର୍ଦ୍ଦଶାକୁ ସ୍ମରଣ କରି କରି ମୁଁ ଚାଲୁଥିଲି ବାଟ ସ୍ବରାଜର। ଅଗ୍ରସର ହେଉଥିଲା ମୋର ପାଦ ସୁରାଜ ଆଡକୁ। ପ୍ରଚଣ୍ଡ ରୌଦ୍ରତାପରେ ହଜାର ହଜାର ମାଇଲ କେବଳ ମୋ ପରି ମେହନତି ମଣିଷଟିଏ ହିଁ ଚାଲି ପାରେ। ମୋ ପରି ଅସହାୟ ଲୋକଙ୍କ ପ୍ରାଣ ବିକଳରେ ସାମୁହିକ ପଳାୟନ ପୁଞ୍ଜି ଐରାବତମାନଙ୍କ ପାରିବାପଣିଆର ଜ୍ୱଳନ୍ତ ଉଦାହରଣ। ମୋ ପରି ଯୁବକଟେ ଅନୁଭବ କରୁଥିଲା ଦେଶ ସ୍ବାଧୀନ ହେବାର ଦୀର୍ଘ ସାତ ଦଶନ୍ଧି ପରେ ମଧ୍ୟ ଶ୍ରମଜିବୀର ଅକଥନୀୟ ଦୁର୍ଦ୍ଦଶାକୁ ଯେଉଁ ଶାସନ ବ୍ଯବସ୍ଥା ପ୍ରଶମିତ କରିପାରେ ନାହିଁ ତାହାକୁ ବିଶ୍ବଶକ୍ତି ବୋଲାଇବାକୁ କୌଣସି ନୈତିକ ଅଧିକାର ନାହିଁ।
ଅନ୍ଯମାନଙ୍କ ପରି ଯଦିଓ ସ୍ତ୍ରୀ ପିଲାଙ୍କ ବୋଝ ନଥିଲା ମୋହର ତଥାପି କ୍ଷୁଧାର ଦାଉରୁ ଜୀବନ ବଞ୍ଚାଇବାର ଗୁରୁଦାୟିତ୍ବ ଥିଲା। ଭୋକ ଶୋଷ ଭୁଲିଯାଇଥିଲି ମୁଁ। ପାଦରେ ଚାଲି ଚାଲି ଘୋରି ହୋଇଯାଇଥିଲା ହାୱାଇ ଚପଲ ହଳକ। ବାଟରେ ଶୁଣିବାକୁ ମିଳିଥିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା ଓ ରେଳ ଦୁର୍ଘଟଣାରେ ମୋ ଜାତି ଭାଇଙ୍କ ଅକାଳ ବିୟୋଗର କରୁଣ ସମ୍ବାଦ। ତଥାପି ଧେର୍ଯ୍ୟ ଧରି ମୁଁ ଚାଲୁଥାଏ ସୁରକ୍ଷିତ ରହିଥିବାର ଆଶ୍ବାସନାରେ।
ଜୀବନ ଆଉ ମରଣ ମଧ୍ୟରେ ଚାଲିଥିବା ଏହି ମହାସମରରେ ବିଜୟୀ ହେବାର ଦୁର୍ବାର ଈଛା ହିଁ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇ ଦେଉଥିଲା। ଜୀଇଁଲେ ଜୀଇଁବା ମରିଲେ ମରିବା ଯାହା ବି ନିଜ ଜନ୍ମମାଟିରେ ଚିରନିଦ୍ରା ଯିବାର ସୁଯୋଗ ହାତଛଡ଼ା କରିବାକୁ ଚାହୁଁନଥିଲି ମୁଁ। ନଦୀ ନାଳ ପାହାଡ଼ ଜଙ୍ଗଲ ସାରା ଚାଲି ଚାଲି ପାଦ ଫୁଲି ଯାଇଥାଏ ମୋର। ତଥାପି ବାଟ ସରିବାର ନାହିଁ। ଦେହ ଓ ମନ ଭୀଷଣ କଷ୍ଟ ପାଉଥିଲା ବେଳେ ସାଥିରେ ଥିବା ଗାଁ ପିଲାଙ୍କ ଠାରୁ ପେନ୍ କିଲର୍ ମେଡିସିନ୍ ଖାଇ ଚାଲିବାକୁ ପଡୁଥିଲା। କାରଣ ଚାଲିବା ଭିନ୍ନ ଆମର ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଥିଲା। ବେଳେ ବେଳେ ଲାଗୁଥିଲା କି ଆଉ ନୁହେଁ, ଏଇଠି ହିଁ ଉଡ଼ିଯିବ ପ୍ରାଣ ପକ୍ଷୀ। କିନ୍ତୁ ଭିଟାମାଟିର ଆକର୍ଷଣ ବଞ୍ଚାଇ ରଖିଥିଲା ଏଇ ପ୍ରାଣ!
ଦୀର୍ଘ ପନ୍ଦର ଦିନର ଅକ୍ଲାନ୍ତ ପରିଶ୍ରମ ପରେ ମୁଁ ପହଞ୍ଚିଲି ମୋ ଗାଁରେ। ଏଠି ବି ଦୁର୍ଦ୍ଦଶା ପିଛା ଛାଡି ନଥିଲା। ସରକାରଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ପ୍ରବାସୀ ଶ୍ରମିକ ଚଉଦ ଦିନର ସଙ୍ଗରୋଧରେ ରହିବାକୁ ବାଧ୍ୟ। ମୁଁ ବା ଏଥିରୁ ବାଦ୍ ପଡିଥାନ୍ତି କେମିତି? ମୋତେ ସଙ୍ଗରୋଧରେ ରହିବାକୁ ପଡିଲା ସ୍କୁଲରେ। ଯେଉଁ ସ୍କୁଲରେ ଦିନେ ପଢିବା ବେଳେ ପାଞ୍ଚ ଲୋକରେ ଜଣେ ହେବାକୁ ମୁଁ ସ୍ଵପ୍ନ ଦେଖୁଥିଲି ଆଜି ସେଇଠି ଲାଗିଥିବା ଅନ୍ନଛତ୍ରରେ ମୁଁ ବେସାହାରା ହୋଇ "ଛତରଖିଆ" ସାଜିଛି। ଲୋକଙ୍କ ଟାହିଟାପରା ଛିଛାକର ସବୁ ମୋ କାନରେ ପଡୁଥାଏ। ମିଡ଼ିଆରେ କେତେ ଚର୍ଚ୍ଚା ଆମକୁ ନେଇ, ଆମର ଘରବାହୁଡ଼ାକୁ ନେଇ।
ଘରପୁଅ ଆମେ ନିଜ ଘରକୁ ଫେରିବାରେ କାହିଁକି କାହାର ମୁଣ୍ଡ ବ୍ୟଥା? ଯେଉଁମାନଙ୍କ ପାଇଁ ବିଦେଶରୁ ଏଇ ମହାମାରୀ ଏ ଦେଶକୁ ଆସିଲା ସେମାନଙ୍କୁ ତ ପଦେ କହିବାକୁ କାହାର ଜିଭରେ ହାଡ଼ ନାହିଁ। ସରକାର ବାହାଦୁର ସେମାନଙ୍କୁ ରାଜକୋଷରୁ ଅର୍ଥ ବିନିଯୋଗ କରି ବାହାର ଦେଶରୁ ଉଡାଜାହାଜରେ ଆଣିବା ବେଳେ ତ କାହିଁକି କାହାକୁ ଲାଗୁନଥିଲା କି ଟିକସଦାତାମାନଙ୍କ ଝାଳବୁହା ଟଙ୍କାର ଅପବ୍ୟବହାର ହେଉଛି ବୋଲି? କେହି ପଦୁଟିଏ ବି କହିନଥିଲେ ସେତେବେଳେ। ସରକାର ଯଦି ସମସ୍ତଙ୍କ ପାଇଁ, ତେବେ କୁହ କିଆଁ ଏତେ ପାତର ଅନ୍ତର? ଯେଉଁମାନେ ଦେଶ ବାହାରୁ ଆସିଲେ ଜୀବନରେ କେବେ ବି ଭୋଟ ଦେଇନଥିବେ, ହେଲେ ଆମ ପାଇଁ ତ ଗଢ଼ାହୋଇଛି ଏଇ ସରକାର। ଆମରି ଭୋଟରେ, ଆମରି ଆକୁଣ୍ଠ ସମର୍ଥନରେ। ଆମରି ପରିଶ୍ରମର ଟିକସରେ ଚାଲେ ସରକାରଙ୍କ ଯୋଜନା ସବୁ। ଯଦି କିଛି ଅର୍ଥ ଆମର କଲ୍ୟାଣ ନିମନ୍ତେ ସରକାର ଖର୍ଚ୍ଚ କଲେ କାହାର କାହିଁକି ଗାତ୍ରଦାହ ହେଉଛି? କିଛି ଉତ୍ତର ଅଛିକି କାହା ପାଖରେ?
ଯେଉଁ ଜନ୍ମମାଟିକୁ ଆପଣାର ମଣି ଓ ମାଟିର ମଣିଷମାନଙ୍କୁ ଆତ୍ମୀୟ ସ୍ବଜନ ଭାବି ପ୍ରାଣ ରକ୍ଷା କରିବା ପାଇଁ ଚାଲି ଆସିଥିଲି ହଜାର ହଜାର ମାଇଲ ବାଟ ସେମାନେ ସମସ୍ତେ ହୋଇଯାଇଥିଲେ ସାତ ପର ମୋ ପାଇଁ। କରୋନା ଭୂତାଣୁର ଭୟରେ ପାଖ ମଡ଼ାଇ ଦେଲେ ନାହିଁ। ଏଠି ଗାଁରେ ରୀତିମତ ରାଜନୀତି ଚାଲିଛି ଆମକୁ ନେଇ। ଯେଉଁ ଗାଁ ସାଥୀମାନେ ମେଳା ମହୋତ୍ସବ ବିବାହ ବ୍ରତ ଯାନିଯାତ୍ରା ମେଲଣ ଝୁଲଣରେ ଚାନ୍ଦା ଆଦାୟ କରିବା ପାଇଁ ସର୍ବାଗ୍ରେ ଆମ ପରି ପ୍ରବାସୀଙ୍କୁ ବାରମ୍ବାର ସଶ୍ରଦ୍ଧ ତାଗିଦା କରୁଥିଲେ ଆଜି ସେହିମାନେ ଆମକୁ ସାମାଜିକ ବାସନ୍ଦ କରିବାକୁ ମସୁଧାରେ ବ୍ଯସ୍ତ। ଏସବୁ ଦେଖି ମୁଁ ଆଶ୍ଚର୍ଯ୍ୟଚକିତ ହୋଇ ମୋ ସରଳ ମନରେ ଭାବୁଥିଲି କେବଳ ପାର୍ଥିବ ସୁଖ ସୁବିଧା ଓ ଭୌତିକ ବସ୍ତୁର ମାଲିକାନା ହରାଇଥିବା ଲୋକ ସର୍ବହରା ନୁହେଁ ବରଂ ନିଜର ନିଜର ଲାଗୁଥିବା ମଣିଷମାନେ ଦୂରେଇ ଗଲେ ସେ ପ୍ରକୃତ ପକ୍ଷେ ସର୍ବହରା ହୋଇଯାଏ!
କତିପୟ ଦାୟିତ୍ୱହୀନ ପ୍ରବାସୀ ଶ୍ରମଜୀବୀଙ୍କ ପାଇଁ ସମଗ୍ର ମେହନତି ମଣିଷସମାଜକୁ ନିନ୍ଦିବା କେତେ ଦୂର ଯଥାର୍ଥ? ଯେଉଁ ଅକର୍ମା ବଡ଼ ବଡ଼ିଆଙ୍କ ପିଲାମାନେ ଆଜି ଯାଏଁ ବି ନିଜେ ରୋଜଗାର ନକରି ପୈତୃକ ଅନ୍ନ ଧ୍ବଂସ କରୁଛନ୍ତି ସେମାନେ ମଧ୍ୟ ଆମକୁ ଛିଗୁଲେଇକି କହୁଥାନ୍ତି ନାନାଦି କଥା ବାଟରେ ଘାଟରେ ସୋସିଆଲ ମିଡିଆରେ। ଆମ ଯୋଗୁଁ କାଳେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି! ଆମେ ତ ତୁମ ସୁଖରେ ଭାଗ ବସାଉନାହୁଁ, ତୁମ ଭାତଥାଳି ଛଡେଇ ନେଉନାହୁଁ ବଳ ପ୍ରୟୋଗ କରି, ତେବେ ତୁମେମାନେ କାହିଁକି ଆମ ପ୍ରତି ଏତେ ଅସହିଷ୍ଣୁ?
କେହି କେବେ ନିଜ ଖୁସିରେ ଭିଟାମାଟି ଘର ପରିବାର ପ୍ରିୟ ଜନଙ୍କୁ ଛାଡ଼ି ଦାଦନ ଖଟିବାକୁ ଯାଏନାହିଁ। ପରିସ୍ଥିତିର ତାଡ଼ନା ମଣିଷକୁ ବାଧ୍ୟ କରେ। ମେହନତି ମଣିଷ ଖଟିକରି ଦୁଇ ପଇସା ରୋଜଗାର କରେ ଆଉ ମୁଁ ସେଥିରୁ ଜଣେ। ସୁବିଧାବାଦୀ ହୋଇ ପରସ୍ବ ହରଣ ତ କରିନାହିଁ। ଚୋରି କି ଡକାୟତି ତ କରିନାହିଁ। ପରଜୀବୀ ହୋଇ କାହାର ରକ୍ତ ତ ଶୋଷି ନାହିଁ। ଗରିବଗୁରୁବାଙ୍କ କଷ୍ଟାର୍ଜିତ ଧନକୁ କରଗତ କରିନାହିଁ। ସେମାନଙ୍କ ପାଇଁ ଆସୁଥିବା ସରକାରୀ ସାହାଯ୍ଯ ବାଟମାରଣା କରିନାହିଁ। ଦିନେ ତ କାହା ପାଖରେ ହାତ ପାତି ନାହିଁ ମୁଁ।
ହେଲେ କାହିଁକି ଏ ଦୁନିଆଁ ମୋତେ "ଛତରଖିଆ" ବିଶେଷଣରେ ସଂବୋଧିତ କରୁଛି ଆଜି? ଭଲକରି ମନେରଖ ସମାଜର ବଡପଣ୍ଡାମାନେ, ମୁଁ ହୋଇ ପାରେ ଅରକ୍ଷିତ ବେସାହାରା ସର୍ବହରା କିନ୍ତୁ ଛତରଖିଆ ଆଦୌ ନୁହେଁ କି ଅମେରୁଦଣ୍ଡୀ ପରଜିବୀ ନୁହେଁ। ଏ ଝଡ଼ ବହିଗଲା ପରେ ମୁଁ ପୁଣି ସଗର୍ବେ ମଥା ଟେକି ବାଟ ଚାଲିବି ତୁମ ଆଖିରେ ଆଖି ମିଶେଇ। ହୁଏତଃ ତୁମ୍ଭେମାନେ ସେସବୁ କରିବାର ଯୋଗ୍ୟ ନଥିବ!
