Padmalaya Padhy

Inspirational

4  

Padmalaya Padhy

Inspirational

ସର୍ବେ ହୋଇଣ ଏକ ମୁଖ :

ସର୍ବେ ହୋଇଣ ଏକ ମୁଖ :

6 mins
283



--ତୁମ ଠାକୁର ମାନଙ୍କ ର ଗୋଟିଏ ଗୋଟିଏ ବ୍ରାଞ୍ଚ ତ ଥିବ ନା l ଗୋଟେ କାମ କର ସେଇଟା ଲିଷ୍ଟ କରି ପୂଜା ଘର କାନ୍ଥ ରେ ଲଗାଇଦିଅ ଯେ ଯାହାକୁ ଯୋଉ ବ୍ରାଞ୍ଚରେ କାମ ଥିବ ସେ ସେଇ ଠାକୁର ଙ୍କୁ ଡ଼ାକିବ l ଏହା ଥିଲା ସଫ୍ଟୱେର ଇଞ୍ଜିନିଅର ଅନୁଭବ ର ନିଜ ସ୍ତ୍ରୀ ସ୍ୱାତୀ ପ୍ରତି କଟାକ୍ଷ ତଥା ବିଚକ୍ଷଣ ମତାମତ l


--ମୋ ଭଗବାନ ମାନେ ତୁମକୁ ଝୁରି ବସି ନାହାନ୍ତି ଯେ ତୁମେ ମୁଣ୍ଡିଆ ନ ମାରିଲେ ସେମାନେ ଭାସି ଯିବେ l ବିଶ୍ୱାସେ ମିଳଇ ହରି l ଶ୍ରଦ୍ଧାର ଠାକୁର l ଶ୍ରଦ୍ଧା ଯାହାର ଭଗବାନ ତାହାର l


--ନା ନା କିଛି ନହେଲେ ବି କୋଉ ଭଗବାନ ଙ୍କ ର କୋଉ ଦିନ ଡିଉଟି ଅଛି ସେଇଟା ଲେଖି ଦିଅ l ନହେଲେ ଅନେକ ଅସୁବିଧା l ଏଇ ଦେଖ ଯେମିତି ସୋମ ବାର ଶିବଙ୍କୁ ଡାକିବା କଥା ତୁମେ ଯଦି ଶନିଙ୍କୁ ଡାକିଦେବ ସେ କଣ ଶୁଣିବେ ? କାହାର କେଉଁଦିନ ପୁଣି ଡିଉଟି ଥିବ ନା !!

ସ୍ୱାତୀ ଦେଖିଲା ଯେ ଜାଣି ଅବୁଝା ତାହାକୁ ବୁଝାଇ କି ଫାଇଦା ହେବ l ସେ ନିଜେ ଚାହିଁଲେ ହିଁ ବୁଝିବ l ନ ବୁଝିଲେ ବି କିଛି ଯାଏ ଆସେ ନାହିଁ l ଯେ ଯାହାର ବିଶ୍ୱାସ ନେଇକି ଚାଲିଥାଉ l ଭଗବାନ ତ ନିଜର ପ୍ରମାଣ ପତ୍ର ଧରି ବୁଲୁନାହାନ୍ତି ଯେ ଆସି ଗୋଟିଏ ମୂର୍ଖ ଆଗରେ ନିଜର ଅସ୍ତିତ୍ବ ପ୍ରମାଣ କରିବେ l 

ସକାଳ ହଉ ହଉ ଆରମ୍ଭ ହୋଇଯାଏ ସ୍ୱାତୀ ର ପୂଜା ପର୍ବ l ଫୁଲ ଧୂପ ଦୀପର ସମାରୋହରେ ଟିଙ୍ଗ ଟିଙ୍ଗ ଘଣ୍ଟି ଶବ୍ଦ l ରାତିରେ ୱାର୍କ ଫ୍ରମ ହୋମ କରି ଡେରିରେ ଶୋଇଥିବା ଅନୁଭବକୁ ଲାଗେ ଉଠିଯାଇ ସ୍ୱାତୀକୁ ଦି ଚଟକଣି ଲଗେଇ ଦିଅନ୍ତା l ଏ ମାଇକିନା କଣ ବୁଝିବ ଅଫିସ କାମ କ'ଣ ପଇସା କେମିତି ରୋଜଗାର ହୁଏ l ସାହିତ୍ୟ ଛାତ୍ରୀ ହୋଇ ବୁଝିବ କି ସଫ୍ଟୱେର ହାର୍ଡୱେର ର ଗୁଢ ତତ୍ତ୍ୱ l କାଲା ଆଗରେ ଯାହା ମୂଳା ଚୋବାଇବା କଥା l

କହୁଛି କଣ ନା ପରିସ୍ଥିତି ଗମ୍ଭୀର ହେଲେ କେବଳ ନାରାୟଣ ହିଁ ଏହି ପୃଥିବୀ କୁ ରକ୍ଷା କରି ପାରିବେ l ଆରେ ନାରାୟଣ ନାରାୟଣୀ ମାନେ ଯଦି ଉଦ୍ଧାର କରି ପକାଉଥାନ୍ତେ ତେବେ ତ ଏତେ ଓଷଦ ଏତେ ଭ୍ୟାକସିନ ବାହାରି ନଥାନ୍ତା l

ଏମିତି ନାରାୟଣ ଙ୍କୁ ଅହରହ ଖୋଜିବାରୁ ଅନୁଭବ କୁ ଦିନେ ବିରତି ମିଳିଗଲା ଯେଉଁଦିନ ସ୍ୱାତୀ ର କରୋନା ପଜିଟିଭ ବାହାରିଥିଲା ଏବଂ ସେ ଆଇସୋଲେସନ ରେ ରହିବାକୁ ଅଲଗା ରୁମ କୁ ଚାଲି ଯାଇଥିଲା l

ନିଜ ରୋଗ ଠାରୁ ବି ସ୍ୱାତୀ ଅଧିକା ବ୍ୟତିବ୍ୟସ୍ତ ହେଉଥିଲା ତାର ଠାକୁର ମାନଙ୍କ ବିଷୟରେ l ସେ ତ ଅଲଗା ରୁମ ରେ ରହିଯିବ ଓ ଖାଇବା ପିଇବା ସବୁ ତା ପାଖକୁ ଚାଲି ଆସିବ ହେଲେ ତା ଠାକୁର ମାନେ କେମିତି ଗାଧୋଇବେ ଓ ଖାଇବେ l ସେମାନଙ୍କୁ କିଏ ସଜବାଜ କରି ଧୂପ ଦୀପ ଦେବ ଓ ଭୋଗ ଲଗାଇବ ? ଅନୁଭବ ତ ସ୍ୱାତୀ ଯୋଗୁଁ ବାଧ୍ୟବାଧକତାରେ ପଡି ପୂଜା ଘରେ ପାଦ ଦେଇ ଥାଏ l ସୁତରାଂ ତା ପାଖରୁ କିଛି ଆଶା କରିବା ବୃଥା l

ଏଠାରେ ନାସ୍ତିକ ଆସ୍ତିକର ପ୍ରଶ୍ନ ଉଠୁନାହିଁ ଏଠାରେ ଆସି ଯାଉଛି ମଣିଷର ଭାବନା ଓ ଆବେଗ l ହଉ ଭଗବାନ ହିଁ ତ ସ୍ୱାତୀ କୁ ଦୂରେଇ ଦେଲେ l ସେ ସ୍ଵାତିର ମୁହଁ ଦେଖିବାକୁ ଚାହୁଁ ନାହାନ୍ତି ଯଦି ସ୍ୱାତୀ ଅବା କଣ କରି ପାରିବ l

ଏଣେ ପ୍ରଥମ ଥର ପାଇଁ ଅନୁଭବ ନିଜକୁ ଅତି ଅସହାୟ ମନେ କରୁଥିଲା l ସ୍ୱାତୀକୁ ଛାଡି ଯେ ସେ କେବେ ରହି ନଥିଲା ତାହା ନୁହେଁ l ଅନେକ ଥର ସ୍ୱାତୀ ବାପ ଘରକୁ ଗଲେ ଅନୁଭବ ଫ୍ଲାଟରେ ଏକୁଟିଆ ହିଁ ରହିଥାଏ l କିନ୍ତୁ ଆଜି ଭଳି ପରିସ୍ଥିତି କେବେ ଉପୁଜି ନଥିଲା l ଜୀବନ ଓ ମରଣ ଭିତରେ କେବେ ଦୋହଲି ନଥିଲା ସ୍ୱାତୀ l ସ୍ୱାତୀ କୁ ସାମ୍ନା ରେ ଦେଖି ପାରିବ ନାହିଁ ଓ କଥା ମଧ୍ୟ ହେଇ ପାରିବନି l ଖାଲି ଭିଡିଓ କଲରେ ଯାହା ଦେଖା ସାକ୍ଷାତ l

 କ୍ରମାଗତ ଗୋଟିଏ ସପ୍ତାହ ଧରି ଜ୍ୱର ରେ ପଡିବା ପରେ ସ୍ୱାତୀ ଆଉ କାଲି ରାତିଠାରୁ ଫୋନ ଉଠାଉ ନାହିଁ l ପ୍ରଥମେ ଅନୁଭବ ଭାବିଲା ଯେ ବୋଧେ ଶୋଇ ପଡ଼ିଥିବ ସକାଳେ ଦେଖିବ ଯାଇ l କିନ୍ତୁ ସକାଳେ ବି ଫୋନ ନ ଧରିବାରୁ ସ୍ୱାତୀ ର ରୁମ ବାହାରେ ଡାକିବାକୁ ପଡିଥିଲା l ହେଲେ ବି ଭିତରୁ କୌଣସି ଉତ୍ତର ଆସୁନାହିଁ l

ଅନୁଭବର ହାର୍ଟ ଆଟାକ ହେବା ଅବସ୍ଥା l ଏ ସମୟରେ କାହାକୁ ଡାକିବ ସାହାଯ୍ୟ ପାଇଁ ସ୍ୱାତୀ କୁ କୁଆଡେ ନେବ ପୁଣି l କବାଟ ଟି ଭାଙ୍ଗି ଦେବକି ? ତାହାକୁ ବି ଦୁଇ ଜଣ ମିଶିଲେ ଯାଇ ଭାଙ୍ଗିହେବ l କରୋନା ରୋଗୀର ଘର ଭିତରକୁ ଆସିବ କିଏ ? ଆଜି ପୁଣି ସପ୍ତାହାନ୍ତ ସଟ ଡାଉନ l ଗାଧୋଇ ପାଧୋଇ ସ୍ୱାତୀ ପାଇଁ ରୋଷେଇ କରିବାକୁ ବାହାରି ଥିଲା ଅନୁଭବ l ଆଉ କି ରୋଷେଇ କିଏ ଖାଇବ ଏବେ ? ସ୍ୱାତୀ ବଞ୍ଚିଥିବ ତ !

ଅନୁଭବ ଟଳ ଟଳ ହେଇ ତଳକୁ ଆସିଲା l ଦେହ ରେ ବଳ ନାହିଁଆଉ l ଗୋଡ଼ ଚଳୁନି l ସ୍ଵାତୀ କି ହରାଇବାକୁ ପଡିବ କି ଆଉ ? ସ୍ୱାତୀ ପାଖରେ ଆଉ କେତେ ସମୟ ବାକି ଥିବ ? ପାଖ ହସ୍ପିଟାଲ ର ଫୋନ ବି ଲାଗୁନାହିଁ l କିଛି ବୁଦ୍ଧି ଦିଶୁନି l ସଫ୍ଟୱେର ଜ୍ଞାନ କୌଶଳ ଏବେ କାମ ଦେବନି l ଅନୁଭବ ର କମ୍ପୁଟର ଜ୍ଞାନ କୌଶଳ , କଥା କଥାକେ ପ୍ରମାଣ ଖୋଜିବା ତଥା ତର୍କରେ ଅନ୍ୟକୁ ହରାଇ ଦେବାର ଯେଉଁ କେତୋଟି ଗୁଣ କିମ୍ବା ଦୁର୍ଗୁଣ ରହିଥିଲା ତାହା ଏବେ କାମରେ ଆସୁନାହିଁ l ଘର ଭିତରେ ଚାରି ପାଞ୍ଚ ଥର ଘୁରି ଆସିଲାଣି ସେ l କିଛି ବି ବୁଦ୍ଧି ଦିଶୁନି l

 ପୂଜା ଘର ପାଖେ ଗୋଟିଏ ସେକେଣ୍ଡ ପାଇଁ ପାଦ ଅଟକି ଯାଇଥିଲା l ସ୍ୱାତୀ ର ଠାକୁର ମାନେ ସପ୍ତାହେ ଧରି ପୂଜା ପାଇ ନାହାନ୍ତି l ଖାଲି ଧୂପ ବାସ୍ନା ଯାହା ଟିକିଏ ରୁମ ଭିତରେ ରହି ଯାଇଛି l ମୂର୍ତ୍ତି ମାନଙ୍କ ଉପରେ ପୁରୁଣା ଚନ୍ଦନ ର ଛାପ ଠାଏ ଠାଏ ଛାଡି ଆସିଲାଣି l ପୂଜା ଘଣ୍ଟିଟା ଗଡି ଯାଇଛି ଖଟୁଳି ତଳକୁ l ଠାକୁର ମାନଙ୍କ ପ୍ରତି ସ୍ୱାତୀ ର ଅହେତୁକ ମୋହ l ଅନୁଭବ କୁ ସ୍ୱାତୀ ଏତେ ଭଲ ପାଉ ନଥିବ ଠାକୁର ମାନଙ୍କୁ ଯେତିକି ଭଲ ପାଏ l ଶେଷକୁ ସେଇମାନେ ହିଁ….. ଆରେ ସେ କଣ ଭାବୁଛି ସକାଳୁ ସକାଳୁ ? ଠାକୁର ଙ୍କ ଅସ୍ତିତ୍ୱ ନାହିଁ ବୋଲି କହୁଥିବା ଅନୁଭବ ଏବେ ପୁଣି ସେଇ ଠାକୁର ମାନଙ୍କୁ ହିଁ ସ୍ୱାତୀ ନିମନ୍ତେ ଦାୟୀ କଲାଣି ? 

ଭିତରକୁ ଟିକେ ଟିକେ କରିଗଲା l ସ୍ୱାତୀ ଅଲଗା ରହିବା ଦିନ ଠାରୁ ରୁମ ଟି ସଫା ହୋଇନାହିଁ l ଅନୁଭବ କ'ଣ କରିବ ଏବେ l ପୂଜା କରିବା ଆସେନି l ହଁ କିନ୍ତୁ ସଫା କରା ଯାଇପାରେ l ମୂର୍ତ୍ତି ଓ ଫୋଟ ଗୁଡିକ ଉପରୁ ଶୁଖିଲା ଚନ୍ଦନ ସଫା କରି ଅଗରବତୀ ର ଗୁଣ୍ଡ ଝାଡ଼ି ଖଟୁଳି ଟି ଆଗ ପୋଛି ପକାଇଲା l ତା ପରେ ଆଉ କ'ଣ କରା

ଯାଏ ? ସେ ଆଉ କିଛି ଭାବି ପାରୁନି l ରୁମ ଟା ଏବେ ଭଲ ଦିଶୁଛି l କେମିତି ଗୋଟିଏ ମନ୍ଦିର ମନ୍ଦିର ଲାଗୁଛି l 

ନା ସ୍ୱାତୀ ନା ତାର ରୋଗ କିଛି ଆଉ ମନେପଡ଼ୁନି l ଏକ ଅଦ୍ଭୁତ ପ୍ରଶାନ୍ତି ଖେଳି ବୁଲୁଛି l ଆଉ… କଣ କରୁଥିଲା ସ୍ୱାତୀ... ଘିଅ ଢ଼ାଳି ଦୀପ ଦିଏ ତ l ଧୂପ.. ହଁ..ଦୀପ ଜଳାଇ ସବୁ ଠାକୁର ଙ୍କୁ ଥରେ ଥରେ ଆଳତି ବୁଲାଇ ଆଣିଲା ଏବଂ ତା ସାଙ୍ଗରେ ନିଜର ଅନଭ୍ୟସ୍ତ ହାତରେ ଘଣ୍ଟି ଟି ମଧ୍ୟ ଅନବରତ ବଜାଇ ଚାଲିଥିଲା l ଆଳତି ସରିଗଲା l

ଧୂପ ଓ ଘିଅ ବାସ୍ନା ରେ ପୂଜା ରୁମ ଟା ଅଲଗା ଅଲଗା ଲାଗୁଛି l ଲାଗୁଛି ସତେ ଯେପରି କିଏ ଜଣେ ଅନୁଭବ ର ମସ୍ତିଷ୍କଟି କୁ ସମ୍ମୋହନ ରେ ବାନ୍ଧି ପକାଇଛି l ଫୋଟୋ ଏବଂ ମୂର୍ତ୍ତି ଗୁଡିକ ଜୀବନ୍ତ ଲାଗୁଛନ୍ତି l ଯେପରିକି ସେମାନେ ସମସ୍ତେ ଅନୁଭବ ର ଆଳତି କୁ ମୂଲ୍ୟାଙ୍କନ କରି ନମ୍ବର ଦେବାକୁ ଯାଉଛନ୍ତି l ବିଚକ୍ଷଣ ବୁଦ୍ଧି ସମ୍ପର୍ଣ୍ଣ ଅନୁଭବ ଆଜି ଆଳତି ରେ ପାସ କି ଫେଲ ହେବ କେଜାଣି !

ମନକୁ ମନ ପ୍ରଳାପ କରୁଥିଲା ଅନୁଭବ l କୋଉଠି କିଏ ଅଛ ତୁମେ ମାନେ ? ମୁଁ ସିନା ଦୋଷୀ କିନ୍ତୁ ସ୍ୱାତୀ ତ କିଛି କରିନାହିଁ ? ମୁଁ ହେଉଛି ତୁମ ମାନଙ୍କ ର ଅସଲ ଅଭିଯୁକ୍ତ l ଯାହା କରିବା କଥା ମୋତେ କର l ଯେ ତୁମକୁ ନିଜର ସନ୍ତାନ ଭଳି ଆଦର ଯତ୍ନ କରୁଥିଲା ତା ଉପରେ କାହିଁକି ଦାଉ ସାଧୁଛ ? ତୁମେ ଅଛ କି ନାହଁ ମୁଁ ହିଁ ପ୍ରମାଣ ଚାହୁଁଥିଲି ? ମୁଁ ହିଁ ତୁମକୁ ଚାଲେଞ୍ଜ କରୁଥିଲି ନା ?

 ଆଜି ବି ମୋତେ ପ୍ରମାଣ ଦରକାର l ଆଜି ବି ମୁଁ ଚାଲେଞ୍ଜ କରୁଛି l ସତରେ ଯଦି ତୁମେ ଭଗବାନ ଅଟ ତୁମର ଏ ଧରା ପୃଷ୍ଠ ରେ କିଛି ହେଲେ ଅସ୍ତିତ୍ବ ଥାଏ ତେବେ ସ୍ୱାତୀ ସହିତ ମୋର ସମ୍ପର୍କ ସ୍ଥାପନ କରାଇ ଦିଅ ତେବେ ଯାଇ ମୁଁ ମାନିବି l ତୁମ ଅସ୍ତିତ୍ବ ର ପ୍ରମାଣ ମୋତେ ଦରକାର l ନହେଲେ କି ଭଗବାନ ତୁମେ l ଆଉ ହଁ ଜୀବନ ବଦଳରେ ଜୀବନ ଚାହିଁଲେ ମୁଁ ଦେବାକୁ ପ୍ରସ୍ତୁତ ଅଛି l ମୋତେ ନେଇ ଯାଇପାର l 

 ଆଜି ତା ହାତରେ କିଛି ବି ଶକ୍ତି ନାହିଁ l ଥିଲେ ଥିବ ସେଇ ଠାକୁର ମାନଙ୍କ ପାଖେ ଯୋଉ ମାନଙ୍କ ର ବ୍ରାଞ୍ଚ ସେ ଆଜି ଯାଏଁ ଜାଣି ପାରୁ ନଥିଲା l ଆଜି ଠାକୁର ମାନଙ୍କ ର ଗୋଟିଏ ବ୍ରାଞ୍ଚ….ଜୀବନ ଦାନ l ଅନୁଭବ ବାହାରି ପାରୁନାହିଁ l ମନ ହେଉଛି ସେଇ ପୂଜା ଘରେ ଶୋଇ ଯିବାକୁ l ହେଲେ ସ୍ୱାତୀର କଣ ହେଲା ? ହଠାତ ସ୍ୱାତୀ କଥା ମନକୁ ଆସିଲା l ଉଠି ବାହାରିଲା ପୁଣି l


ମୋବାଇଲ ଟା ଶୋଇବା ଘରେ ଅନବରତ ବାଜୁଛି l ଦେଖିଲା ବେଳକୁ ସ୍ୱାତୀ ର ଭିଡ଼ିଓ କଲ l ସ୍ୱାତୀ ଉଠୁ ଉଠୁ ଆଜି ଲେଟ ହେଇଗଲା l ଅନୁଭବ ର ଗୁଡ଼ାଏ ମିସ କଲ ଦେଖି ଏବେ ଫୋନ କରୁଛି l ଫୋନ ଉଠାଇ ସାରି କାନ୍ଦି ପକାଇଥିଲା ଅନୁଭବ l ସ୍ୱାତୀ ବି ଅନୁରୂପ ଭାବୁକ ହୋଇ ଉଠିଥିଲା l ଅନେକ ସମୟ ଉଭୟେ ନୀରବ ରହିବା ପରେ ଅନୁଭବ ଯାଇ ସ୍ୱାତୀ କୁ ଠାକୁର ମାନଙ୍କ ଦର୍ଶନ କରାଇଥିଲା l


ସ୍ୱାତୀ ପାଇଁ ଯେପରି ଗୋଟିଏ ବିସ୍ମୟ ଅପେକ୍ଷା କରିଥିଲା l ପୂଜା ଘରେ ଦୀପ ଜଳୁଥିଲା l ମୂର୍ତ୍ତି ଗୁଡିକ ସଫା ସୁତରା ହୋଇ ନୂଆ ନୂଆ ଲାଗୁ ଥିଲେ l ଏତେ ବଡ଼ ଘଟଣା ପରେ ସ୍ୱାତୀ ନିଜ କଷ୍ଟ ଭୁଲି ଯାଇ ଚା ପିଇବାକୁ ମାଗିଥିଲା l ଅନୁଭବ ବାହାରିଥିଲା ରୋଷେଇ ପାଇଁ l


ଦିନେ ଦୁଇ ଦିନ ପରେ ସ୍ୱାତୀ ପାଖରେ ରୋଗ ର ଲକ୍ଷଣ ଗୁଡିକ ଆଉ ନଥିଲା ଓ ଦୁଇ ସପ୍ତାହ ରେ ସେ ପୁଣି ଫେରି ଆସିଥିଲା ତାର ପ୍ରିୟ ଠାକୁର ମାନଙ୍କ ଗହଣ କୁ l ଏଥର କିନ୍ତୁ ପୂଜା ରେ ତାକୁ ଏକୁଟିଆ ବସିବାକୁ ପଡ଼ୁ ନଥିଲା l


Rate this content
Log in

Similar oriya story from Inspirational