ସପନଟା ପାଣି ଫାଟିଗଲା
ସପନଟା ପାଣି ଫାଟିଗଲା
ଆଲୋ ହେ ଚମ୍ପି,ଚମ୍ପି ଲୋ,ଡାକିଲେ ଶୁଣୁନୁ କାଇଁକି?ଆରେ ମାଧିଆ କାଇଁ ହଉଛୁ ଚମ୍ପି ଚମ୍ପି ,ଚମ୍ପି କ'ଣ ତୋର ଖାଉଛି କି?ସେଇ ଖାଇବାକୁ ଦେବା କଥା ତ,ତତେ କହୁଛି ତୁ ଶୁଣୁନୁ।କଣଟା କହୁଛୁ ଯେ,ତୁ ଖାଲି ମୋ ହାତ ଧରି ମୋ ଘରକୁ ମୋ ଘରଣୀ ହୋଇ ଆସେ,ଦେଖିବୁ ମୁଁ ତତେ କେତେ ଖାଇବାକୁ ଦେବି।ଉ..........ଯୋଉ ଘରଟି, ଚନ୍ଦର ସୂରୁଜଙ୍କର ଆତଯାତ ସେ ଘରେ କହିଲା କ'ଣ ନା ମୋ ଘର।
ତୁ ଖାଲି ମୋ କଥାରେ ରାଜି ହେଇଯା ଦେଖିବୁ ମୁଁ ସବୁ ଠିକ କରିଦେବି।ଦେଖୁନୁ ମୋ ସାଙ୍ଗ ଜଗୁଆ,ବିଜୁଆ ସମତେ ବାହା ହେଇ ସାରିଲେଣି, ମୁଁ ତତେ ଚାହିଁ ଚାହିଁ କଣ ବୁଢ଼ା ହେବି।ଓହୋ ଯୋଉ ଜଗୁଆ ସାଙ୍ଗ କଥା କହୁଛୁ ଟି ମଦପିଇ ଗାଁ ମୁଣ୍ଡ ବରଗଛ ମୂଳେ ଉପୁରୁକୁ ଆ ଟା କରି ଶୋଇ ଘଅଡ଼ ଘଅଡ଼ ଘୁଙ୍ଗୁଡ଼ି ମାରୁଥିଲା, କୁକୁର ଟାଏ ଆସି ଗୋଡ ଟେକି ତା ପାଟିରେ ପାଣି ଦେଇ ଦେଲା।ଆଲୋ ସେଇଠୁ କଣଟାଏ ହେଇଗଲା ଯେ। ତୁ ତ ସେଇଥିରୁ ଗୋଟିଏ, କିଏ ଜାଣିଛି ତୁ କେତେ ଥର ସେଇ ପାଣି ପିଇ,ଆତମାଟାକୁ ପବିତର କରି ସାରିବୁଣି। ସତ କହୁଛି ଲୋ ଚମ୍ପି, ମୋ ରାଣ,ତୁ ମୋ ଘରଣୀ ହେଲେ ମୁଁ ଜମାରୁ ମଦ ପିଇବିନି।ଦୁଇ ଜଣ ଆମେ ସଂସାର କରିବା, ଆମର ପିଲା ଛୁଆ ହବ ମଦପିଇ ବାକୁ ବେଳହେବ କେତେ ବେଳେ?
ମାଧିଆ କଥାରେ ଚମ୍ପିର ମନଟା କୁନ୍ଥୁ କୁନ୍ଥୁ ହେଇ ଟିକିଏ ଅଣେଇ ହେଲା। ହବନି କେମିତି ଯେ,ପାହାନ୍ତାରୁ ଉଠି ବାବୁମାନଙ୍କ ଘରେ ପାଇଟି କରିବାକୁ ନ ଗଲେ ପେଟ ପାଣି ପାଉନି। ନଣ୍ଡ ଭଣ୍ଡିଆ ହେଇ ଭୋରୁ ଉଠିବା ଟିକିଏ ଡେରି ହେଲେ ବାବୁଆଣୀ ମାନେ ଗେରେଗେରେ ହେବାଯାଏ, ମାଧିଆ କଥାରେ ରାଜି ହୋଇଗଲେ ଆଉ ଏତେ ନଣ୍ଡ ଭଣ୍ଡିଆ ଧାଇଁ ବିନି ବାବୁଆଣୀ ମାନଙ୍କ ଘରକୁ।
ମାଧିଆ ମତେ ସୁନୋ,ପାଉଡର, ବାସେନା ସାବେନି,ଅତର,ଛିଠପକା ଶାଢ଼ୀ ସବୁ ଆଣି ଦବ।ମିଶର ବାବୁଆଣୀଙ୍କ ଝିଅ ତାର ଗୋଟାଏ କୋଉ ପୁଅସାଙ୍ଗ ସାଙ୍ଗରେ ହାତ ଧରାଧରି ହେଇ ଫଟ ପଟିଆରେ ଛୁ ମାରିଲା ପରି ଆମେ ମାଧିଆର ମୋର ହାତ ଧରାଧରି ହେଇ ବଜାର ବୁଲିଯିବୁ। ଚମ୍ପି ଖୁସି ଟାଏ ହେଇଗଲା।ମାଧିଆ ଗୋଟାଏ ରିଲିଫ ତମ୍ବୁ ପାଲ ଆଣି ଚାଳରେ ବାନ୍ଧି ଖରା ବରଷାଙ୍କ ଅବାଧ ପ୍ରବେଶକୁ ବନ୍ଦ କଲା।ବାଉଁଶ ତାଟି କବାଟକୁ କାଢ଼ି କିରାସିନି ପଟାରେ କବାଟ ତିଆରିଲା।
ମାଧିଆ ସାଙ୍ଗରେ ଚମ୍ପିର ବାହାଘର ହେଇଗଲା। ମାଧିଆ ତାର କେତେଟା ସାଙ୍ଗକୁ ଡାକି,ଚିକେନ,ଭାତ କରି ଭୋଜି ଖୁଆଇଲା।ମନେ ମନେ ଭାରି ଖୁସି ହେଲା ମାଧିଆ।ଧୀରେ ଧୀରେ ଚମ୍ପିର ସପନଗୁଡାକ ପାଣି ଫାଟି ବାକୁ ଲାଗିଲା।ଗୋଟାଏ ଘୋଡ଼ା ମଦୁଆ,ମାଧିଆ ମଦ ଛାଡି ପାରିଲା ନାହିଁ। କେତେ ଆଉ ଭୋକ ଉପାସରେ ରହି ସପନ ଦେଖିବ? ସକାଳୁ ଖଡିକା ଝାଡୁ ମୁଠାଏ ଧରି ଝାଡୁ କରିବାକୁ ଦାଣ୍ଡ ଦୁଆରକୁ ଗଲାବେଳକୁ,ମାଧିଆ ମଦଖାଇ କୋଉଠି ରାତି ଯାକ ଥିଲା, ସକାଳୁ ଚମ୍ପି ଲୋ କହି ଘରକୁ ପଶି ଆସିଲା ବେଳକୁ, ହଇରେ ଯୋଗନୀଖିଆ କାଲି ରାତିରେ କୋଉ ଗାତରେ ପଶିଥେଲୁ କହି ,ଝାଡୁ ମୁଠାଟାରେ ଝାଡିଦେଇଗଲା ଯେ ମାଧିଆର ଦେହଯାକ ଫାଟି ଗାର ପଡିଗଲା।ଖଡିକା ଗୁଡିକ ଟିକି ଟିକି ହୋଇ ଭାଙ୍ଗିଗଲା।ଚମ୍ପି ମୁହଁ ଟାକୁ ଧାନ ଉସୁଆ ହାଣ୍ଡି ପରି କରି ଘର କଣରେ ବସି ଚିରା ତମ୍ବୁର ଫାଙ୍କରେ ସୂରୁଜଙ୍କୁ ଦେଖୁଥିଲା। ମାଧିଆ ଦେହର ପୋଡୁଥିବା କଷ୍ଟକୁ ସହି ନ ପାରି ଉ ଉ ହେଇ ଲୁହ ଗୁଡାକ ପୋଛି ପକଉଥେଲା।