Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Minakshi Samal

Tragedy


3  

Minakshi Samal

Tragedy


ସ୍ଵପ୍ନଭଙ୍ଗ

ସ୍ଵପ୍ନଭଙ୍ଗ

5 mins 306 5 mins 306

ଦୁଇ ମାସ ହେଇଗଲା ଚେମାର ଗାଁରୁ ସହରକୁ ଆସିବାର । ଗାଁ ପରିବେଶ ତାକୁ କୁଆଡେ ଭଲ ଲାଗୁନଥିଲା ଆଉ । ସହରର ଆକର୍ଷଣ ଭାରି ଟାଣୁଥିଲା ତାକୁ । ତାଙ୍କ ଗାଁର ହରିଆ ଭାଇ ବରା ଆଳୁଚପ୍ ଦୋକାନଟିଏ ଦେଇଛି ରୂପାଲି ଛକରେ । ତାକୁ ତେଲ ମାଲିସ କରିକରି ଏଥର ତା ସହିତ ଭୂବନେଶ୍ୱର ଆସିଛି ଚେମା । ଓଃ ହୋଃ । ଏତେ ଦିନ ପରେ ମଣିଷର ସପନ ସତ ହେଲା । ଗ୍ରାମ ଦେବତୀଙ୍କ ଉଦ୍ଦେଶ୍ୟରେ ହାତ ଟେକିଲା ଚେମା ।

ଦୁଇ ମାସ ହେଲା ହରିଆ ଭାଇକୁ ଦୋକାନ କାମରେ ସାହାଯ୍ୟ କରି କରି ପୁରା ସମୟ କଟୁଥିଲା ଚେମାର । ସାତ ସକାଳୁ ଉଠି ବିଭିନ୍ନ ଜଳଖିଆର ପ୍ରସ୍ତୁତିରେ ସାତଟା ବାଜୁବାଜୁ ଗ୍ରାହକ ମାନେ ଦୋକାନରେ ଭିଡ ଜମେଇ ଦେଉଥିଲେ । ବରା, ଆଳୁଚପ, ଉପମା, ଇଡଲୀ ଚଟଣୀର ପ୍ଲେଟ ଗୁଡିକୁ ଟେବୁଲ ଉପରେ ଥୋଉ ଥୋଉ ବାରଟା ବାଜିଯାଉଥିଲା । ଦଶ ବର୍ଷର ପିଲାଟିକୁ ଭୋକ କରିବଣି । ଯା’ ଖାଇଦବୁ ବୋଲି ହରିଆ ଭାଇ କେବେବି କହେନି । ଗରାଖ ନଥିଲେ କ'ଣ ଟିକେ ଚଟାପଟ ମୁହଁରେ ଦେଇଦିଏ ନହେଲେ ସେଇ ତିନିଟା ଚାରିଟା ହେଇଯାଏ ଖାଉ ଖାଉ । ପୁଣି କାମ ଆରମ୍ଭ ହୋଇଯାଏ ଆଉ ଶୋଇବାକୁ ଗଲା ବେଳକୁ ରାତି ବାର ଗୋଟାଏ ।

ମନ ଭିତରେ କେତେ ଆଶା ନେଇ ଆସିଥିଲା ଚେମା । ଫୁଲବାବୁ ହେଇ ବୁଲିବ, ସହରର ଗାଡି ଘୋଡା ଦେଖିବ, ରାତି ହେଲେ ରଙ୍ଗୀନ ଆଲୁଅରେ ସଜା ହୋଇଥିବା ଜାଗା ଗୁଡିକୁ ନିରେଖି ଦେଖିବ, ସହରୀ ଢଙ୍ଗ ଢାଙ୍ଗ ଶିଖିବ, ସହରୀ ଖାଦ୍ୟ ଖାଇବ ଇତ୍ୟାଦି ଇତ୍ୟାଦି ।

ମନଟା ଧିରେ ଧିରେ ମରି ଆସିଲାଣି । ସପନ ସବୁ ଫିକା ପଡି ଆସିଲାଣି । ସହରର ନିଶା ଧୀରେ ଧୀରେ ମୁଣ୍ଡରୁ ଖସି ଆସିଲାଣି । ଗାଁରେ ହେଣ୍ଡି ମାରି ବୁଲୁଥିଲା ବେଳେ ଖୋଜି ଖୋଜି ବୋଉ ତାର ଝାଳ ସରସର ଦେହକୁ ପୋଛି ଦଉଥିଲା ଆଉ ଟାଣି ଟାଣି ନେଇ ପିଣ୍ଡାରେ ବସେଇ ପଖାଳ କଂସାରୁ ଭାତ ଗୁଣ୍ଡା ଗୁଡିଖ ଖୁନ୍ଦେଇ ଖୁନ୍ଦେଇ ଖୁଆଇ ଦେଉଥିଲା । ଏଠି ପେଟର ଭୋକ ପେଟରେ ହିଁ ରହିଯାଉଛି । କେହି ପଚାରିବାର ନାହିଁ । ଗାଁର ସାଙ୍ଗ ସାଥି ମେଳରେ, ଖେଳ କୌତୁକରେ କେତେ ଆନନ୍ଦ ଥିଲା । ଗାଁରେ ରହି ତା ବା’ କୁ ତ ସାହାଯ୍ୟ କରି ପାରିଥାନ୍ତା । କେତେ ଥର ତାକୁ କହିଛନ୍ତି.. ଚେମାରେ ବଳଦ ଦି’ଟାଙ୍କୁ ଟିକେ ଯୋଚିଦେ । ସେ ଶୁଣିକି ନଶୁଣିଲା ପରି ଚାଲିଯାଏ । ଆଉ କେତେ ବେଳେ ବୋଉ ତା'ର କହେ...ଚେମା ତୁ ଆଜି ବିଲକୁ ଯାଇ ବାପାଙ୍କୁ ଖାଇବା ଦେଇ ଆସିବୁ । ଚେମା ଆଉ ବୋଉ କଥା କି ଶୁଣେ । ଦଉଡିକି ଦାଣ୍ଡ ଆଡେ ପଳାଏ । ଆଉ ଏଠି କାମ ପରେ କାମ । ଘଡିଏ ବି ଫୁରୁସତ ନାହିଁ । ଅଣ୍ଟା ପିଠି ଲାଗିଗଲେ ବି ଆହା ପଦେ କରିବାକୁ କି ଦେହମୁଣ୍ଡ ଟିକେ ଆଉଁଷି ଦବାକୁ କେହି ନାହାଁନ୍ତି । ଘରକୁ ପଶୁ ପଶୁ ବା' ତାକୁ ଆଗ ଡାକ ପକାଏ । ଯୋଉ ହରିଆ ଭାଇକୁ ଏତେ କାକୁତି ମିନତି କରି ଏଠିକି ଆସିଥିଲା ସେ ତ ଚବିଶି ଘଣ୍ଟା ତା ଉପରେ ନାଲିଆଖି ଦେଖାଉଛି, ଗଧ ଭଳି ଖଟଉଛି । କେତେଥର ନେହୁରା ହେଇ କହିଛି, ହରିଆ ଭାଇ ଟିକେ ଲିଙ୍ଗରାଜ ମନ୍ଦିର ନେଇକି ଚାଲ । ଠାକୁର ଦର୍ଶନ କରି ଆସିବା । ଆଜି କାଲି, ଆସନ୍ତା ରବିବାର କହି କହି ଦି’ ମାସ ହେଇଗଲା କିନ୍ତୁ ସେ ଠାକୁରଙ୍କ ଦର୍ଶନ କରି ପାରିଲାନି । ଭୂବନେଶ୍ୱର ବୁଲିବା ତା ପାଇଁ ସ୍ବପ୍ନ ଭଳି ଲାଗିଲା । ନୂଆ ନୂଆ ବେଳେ ତାକୁ ଲାଗୁଥିଲା ହଁ ମ’ ଏଇନେ ତ ଆସିଛି । ଧିରେ ଧିରେ ଗୋଟିକ ପରେ ଗୋଟିଏ ଜାଗା ହରିଆ ଭାଇ ନିଶ୍ଚୟ ଦେଖେଇ ଦବ । ହେଲେ ଗାଁର ହରିଆ ଭାଇକୁ ସେ ଏ ହରିଆ ଭାଇ ଭିତରେ ଖୋଜି ଖୋଜି କାହିଁ ପାଉନି । ଭୁଆଁ ବୁଲେଇ ବୁଲେଇ ଦି’ ମାସ କଟେଇ ଦେଲାଣି । ଲିଙ୍ଗରାଜ କିଏ ନା ସେ କିଏ ।

ଆଜି ସକାଳୁ କାହିଁକି କେଜାଣି ଚେମାର ଦେହଟା ଜମା ଭଲ ଲାଗୁନି । ମନ ତ ଭଲ ନଥିଲା ତା’ ସାଙ୍ଗରେ ଦେହଟା ଭଲ ନଲାଗି ତାର କଷ୍ଟଟା ଟିକେ ବଢିଯାଇଥିଲା । ମୁଣ୍ଡ ଭିତରଟା ଝିମଝିମ ହେଇଯାଉଥାଏ । ଗାଁ କଥା ମନେ ପଡିବାରୁ ରାତିରେ ନଖାଇ କାନ୍ଦି କାନ୍ଦି କେତେବେଳେ ଶୋଇଯାଇଥିଲା ସେ ଜାଣିନି । ଘରେ ଥିଲେ ଏତେବେଳକୁ ବୋଉ ତାର ଦେହରେ ମୁଣ୍ଡରେ ହାତ ବୁଲାଇ, ଗୋଡହାତ ଘଷିଦେଇ, ମଥାକୁ ଆଙ୍ଗୁଠି ଟିପରେ ଦବେଇ ଦବେଇ ମଜରା ଛଡେଇ ସାରନ୍ତାଣି । ଏଠି ତାକୁ ଆଡ ଆଖିରେ କେହି ଚାହିଁବାକୁ ନାହାଁନ୍ତି । ଭିତରୁ ଯେମିତି ତାର କୋହ ଉଠି ଆସୁଥିଲା । ତୁହାକୁତୁହା ମନେ ମନେ ଗୁଣୁଗୁଣୁ ହେଇ କହୁଥିଲା କାହିଁକି ମୁଁ ଆସିଲି ଏଠିକି । ମସ୍ତବଡ ଭୁଲଟିଏ କରିଛି ମୁଁ । ନା..ନା..ମୁଁ ଆଉ ଏଠି ରହି ପାରିବିନି । ହଠାତ ମୁଣ୍ଡ ବୁଲାଇଦେଲା ଜୋର୍ ରେ । ବାନ୍ତି ଦେଖାଇବାରୁ ଦୋକାନ ପଛପଟ ନଳା ପାଖରେ ଯାଇ ପେଟକୁ ଚାପି ବସିରହିଲା ସେ ।

ହରିଆ ଭାଇର ଡାକରେ ଧଡପଡ ହେଇ ଉଠି ବସିଲା ।

ଆରେ କ'ଣ କରୁଛୁ ଭିତରେ ପଶିକି ? ଗରାଖ ଆସିବା ବେଳ ହେଲାଣି ପରା ।

ହରିଆ ଭାଇ.. ଏ ହରିଆ ଭାଇ..ଗାଁ କଥା ଭା..ଆ...ରି ମନେ ପଡୁଛି । ମତେ ଟିକେ ଗାଁରେ ଛାଡିଦେଇ ଆସିବ?

ଆଇଁ....ଗାଁକୁ ଯିବୁ ତୁ । ଆରେ ତୁ ଗାଁକୁ ଯିବୁ । ଏତେ ତରତର କାହିଁକି । ଏଇତ କିଛି ଦିନ ହେଲା ଆସିଛୁ ।

ନା ହରିଆ ଭାଇ ମତେ ବୋଉ କଥା ଭାରି ମନେ ପଡୁଛି । ମତେ ଆଉ ଏଠି ରହିବାକୁ ଇଛା ହଉନି ।

ଆରେ ରହ ରହ । ଟିକିଏ ଧର୍ଯ୍ୟ ଧର । ଏକଥା କହି ହରିଆ କାହାକୁ ଗୋଟେ ଫୋନ କଲା । ଫୋନ କରିସାରି ଚେମାକୁ କହିଲା....ଆରେ ଚେମା ମୋ ପାଖରେ ତ ସମୟ ନାହିଁ ତତେ ଗାଁରେ ନେଇ ଛାଡିବାକୁ । ମୁଁ ମୋର ସାଙ୍ଗକୁ ଫୋନରେ କହିଦେଇଛି ସେ ତତେ ନେଇ ଆଜି ଗାଁରେ ଛାଡି ଆସିବ ।

ଖୁସିରେ ମନ କୁଣ୍ଢେମୋଟ ହୋଇଗଲା ଚେମାର । ଦେହ ଯେ ତାର ଖରାପ ଲାଗୁଥିଲା କ୍ଷଣିକେ ସେ ସେ କଥା ଭୂଲିଗଲା । ପନ୍ଦର ଦିନ ଆଗରୁ ଦୋକାନକୁ ମନୋହରୀ ଜିନିଷ ବିକାଳୀଟିଏ ଜଳଖିଆ ଖାଇବାକୁ ଆସିଥାଏ । ତା ପାଖରେ ନାନା ରକମର ଜିନିଷ ଦେଖି ଚେମାର ମନହେଲା ବୋଉ ପାଇଁ କିଛି କିଣିବାକୁ । କ’ଣ କିଣିବ ଭାବିଭାବି ମନେପକାଇଲା । ହଁ ଏଥର ତାର ମନେ ପଡିଗଲା । ବୋଉ ଥରେ ଗାଁ କାଚରା ପାଖରୁ ଦୁଇ ପଟ ନକଲି ସୁନାଚୁଡିର ଦାମ ମୁଲଉଥିଲା । କେତେ ଦାମ କାଚରା କହିଲା କେଜାଣି ବୋଉ ଆଉ କିଛି ନ କିଣି ଘରକୁ ଚାଲି ଆସିଥିଲା ।

ମଉସା! ଏଇ ସୁନା ରଙ୍ଗର ଚୁଡି ଦି'ଟା କେତେ ଟଙ୍କା?

କୋଡିଏ ଟଙ୍କା । କହିଲା ମନୋହରୀ ଦୋକାନୀ ବାଲା ।

ହରିଆ ଭାଇଠୁଁ ପାଇଥିବା ପଚାଶ ଟଙ୍କାରୁ କୋଡିଏ ଟଙ୍କା ନେଇ ବୋଉ ପାଇଁ ଚୁଡି ହଳକ କିଣି ଭାରି ଯତ୍ନରେ ତା ବ୍ୟାଗ ଭିତରେ ରଖିଦେଲା ।

ବ୍ୟାଗ ସଜାଡିବା ସମୟରେ ପୁଣି ଥରେ ଚୁଡି ଦୁଇଟିକୁ ଦେଖି ନେଲା ସେ ।

ହରିଆ ଭାଇ ପାଟି କଲା...ଆରେ ଚେମା ବାହାରିଲୁ ନା ନାହିଁ ।

ହଁ ବୋଲି କହି ବାହାରକୁ ବାହାରି ଆସିଲା ଚେମା । ହାତରେ ଧରିଥାଏ ତା ବ୍ୟାଗଟି ।

ନିଜର ବନ୍ଧୁ ବୋଲି କହୁଥିବା ଲୋକଟି ସହିତ ଚେମାକୁ ପଠାଇ ଦେଲା ହରିଆ । ମୁହଁରେ ତାର ଲାଗି ରହିଥିଲା କୁଟିଳ ହସର ଝଲକ ।

ଗାଁକୁ ଯିବାର ଖୁସିରେ ଖାଇବା ମଧ୍ୟ ଭୂଲି ଯାଇଥିଲା ଚେମା । ଷ୍ଟେସନରେ ଟ୍ରେନରେ ଚଢିବାକୁ ହରିଆ ଭାଇର ସାଙ୍ଗ କହିବାରୁ ସେ କହିଲା, ଆମ ଗାଁକୁ ତ ଟ୍ରେନ ଯାଏନି । ଆମେ ତ ବସ୍ ରେ ଯାଉ ।

ଲୋକଟି କହିଲା ଆରେ ଟ୍ରେନରେ ଅଧାରାସ୍ତା ଯାଇ ବାକି ରାସ୍ତା ବସ୍ ରେ ଗଲେ ଆମେ ସଅଳ ସଅଳ ତମ ଗାଁରେ ପହଞ୍ଚି ଯିବା । ଏଥର ଖୁସି ହେଲା ଚେମା । ଆଉ କୌଣସି ପ୍ରଶ୍ନ ନ ପଚାରି ବସିଗଲା ସିଟ୍ ରେ । ଝରକା ବାହାରୁ ତାକୁ ସବୁକିଛି ଭାରି ସୁନ୍ଦର ଲାଗୁଥାଏ । ଗଛଲତା, ଘରଦ୍ବାର ଟ୍ରେନର ଓଲଟା ଦିଗରେ ଦୌଡୁଥାନ୍ତି । ପ୍ରଥମ ଥର ପାଇଁ ଟ୍ରେନରେ ବସିଥାଏ । ଭାରି ମଜା ଲାଗୁଥାଏ ତାକୁ । ସୁଲୁସୁଲିଆ ପବନରେ ଆଖିପତା ମୁଦି ହେଇ ଆସିଲା ।

ନିଦ ଭାଙ୍ଗିଲା ବେଳକୁ ରାତି ହୋଇଯାଇଥାଏ । ମନେ ମନେ ଚେମା ଭାବିଲା । ଏମିତି କି ନିଦରେ ମୁଁ ଶୋଇଲି ଯେ ଦିନ ଯାଇ ରାତି ହେଇଗଲା ଜାଣି ପାରିଲିନି । ଶୋଇବା ଜାଗାରୁ ଉଠି ନିଜକୁ ଏକ ନିବୁଜ କୋଠରୀରେ ପାଇଲା ଚେମା । ଭୟ ପାଇଗଲା ସେ । ଦରଜା ପାଖକୁ ଆସି ଦେଖେ ତ ଦରଜା ବାହାରୁ ବନ୍ଦ । ପାଟି କରି ଡାକିଲା ଦରଜା ଖୋଲିବାକୁ ସେ । କିଛି ସମୟ ପରେ ଅଚିହ୍ନା ଲୋକଟିଏ ଦରଜା ଖୋଲିଲା । ହରିଆ ଭାଇର ସାଙ୍ଗକୁ ଏପଟ ସେପଟ ଅନେଇ ବହେ ଖୋଜିଦେଲା ସେ । କୋଉଠି ବି ଦେଖାଗଲାନି । ତାକୁ ଆଣିଥିବା ଲୋକଟିକୁ ଡାକିଦେବା ପାଇଁ ନେହୁରା ହେଲା ।

ସେଇ ଅନ୍ଧାରିଆ କୋଠରୀ ଭିତରକୁ ଚେମାକୁ ଧକ୍କା ଦଉ ଦଉ ଲୋକଟି ଚିଲ୍ଲେଇ ବାର ଶୁଣିଲା ଚେମା । ଆରେ ସେ ତ ତତେ ଏଇଠି ସବୁଦିନ ପାଇଁ ଛାଡି ଦେଇ ଯାଇଛି । ଏବେ ସବୁ ଦିନ ପାଇଁ ଏଇ ଯାଗାଟା ତୋର ଘର । ଚେମା ବୋଉ ପାଇଁ ଆଣିଥିବା ଚୁଡି ହଳକକୁ ଜାବୁଡି ଧରି ଥମ କରି ସେଇଠି ବସିଗଲା । ଆଖିରୁ ତାର ବୋହି ଚାଲିଥିଲା ଶ୍ରାବଣର ବାରି ଧାରା ।


Rate this content
Log in

More oriya story from Minakshi Samal

Similar oriya story from Tragedy