Ranjit Sahu

Tragedy

3  

Ranjit Sahu

Tragedy

ସନ୍ତକ

ସନ୍ତକ

4 mins
7.4K


ତୁମେ କହିଥିଲ ନା ବର୍ଷାରେ ଭିଜିଲା ପରେ ପରେ ତୁମକୁ ବହୁତ ଭଲ ଲାଗେ ମୋ ହାତର ସ୍ପର୍ଶଟି? ଆଉ ବର୍ଷାର ରିମଝିମ ଭିତରେ ମୋର 'ମଂଜିଲ' ଚଳଚ୍ଚିତ୍ରର 'ରିମ ଝିମ ଗିରେ ସାୱନ' ଗୀତ କୁ ଗୁଣୁ ଗୁଣୁ ହେଇ ଗାଇଯିବା? ତୁମ କପାଳରୁ ମୋ ଆଙ୍ଗୁଠିରେ ବର୍ଷା ବୁନ୍ଦା ଗୁଡିକକୁ ପୋଛିଦେବା I ପାହାଡ଼ ଉପର ମନ୍ଦିର ପାହାଚରେ ବସି ଘଡ଼ିଟିଏ ଦୂର ଆକାଶକୁ ଚାହିଁବା I ମୁଁ ଭୁଲିନାହିଁ ଏଯାଏଁ, ତୁମର ସେ ବର୍ଷାର ସମାପ୍ତିରେ ମିଛ ପ୍ରତୀକ୍ଷା I

ତାହା କେବଳ ତୁମର ଅଭିନୟ ଥିଲା; ବର୍ଷା କେତେ ବେଳେ ବନ୍ଦ ହେବ ତୁମେ ସେହି କଥା ଭାବୁ ନ ଥାଅ ! ମନଟା ତୁମର ତ ସଦା ବେଳେ ଚାହେଁ ବର୍ଷା ନ ସରୁ, ଆଉ ଖସଡ଼ା ପାହଚର ବାହାନା କରି ଆଉ କିଛି ସମୟ ମୋ ସହିତ ବସିଯିବ ସେହି ପାହାଚ ଉପରେ, ଦୂର ଦିଗବଳୟରେ ମେଘକୁ ନିରେଖି ନିରେଖି ! କଣ ମିଛ କହିଲି କି? ଜାଣେ ବହୁତ ନିନ୍ଦା ଅପବାଦ ଶୁଣିଛ ତୁମେ ମୋ ସାଥିରେ ମନ୍ଦିର ଯିବା ଯୋଗୁଁ I

ସାହି ପଡିଶାଙ୍କର ତାତ୍ସଲ୍ୟ, ଘର ଲୋକଙ୍କ ଆକଟ, ଆଉ ସାଙ୍ଗ ସାଥି ମାନକର ଉପଦେଶ, 'ଆରେ ୟାର! ଯଦି ବାହା ହେବାର ସାହସ ନାହିଁ ତାକୁ କହୁନୁ ରାକ୍ଷୀ ବାନ୍ଧି ଦେବ ତୋ' ହାତରେ ଏଥର ରାକ୍ଷୀ ପୁର୍ଣିମାରେ? ତା ପରେ ତୁ ଯେତେ ଯୁଆଡେ ବୁଲେ ଯାହା କରେ, କିଏ କଣ କହିବ କି ତୋତେ', ଏ ଯାଏଁ ମୋ କାନରେ ପ୍ରତିଧ୍ଵନିତ ହୁଏ ନୀରବ ରାତ୍ରିର ଅନ୍ଧାରରେ, ଯେତେବେଳେ ବିଜୁଳି ଚାଲିଯାଏ ଆଉ ସହରଟା ସାରା ନିସ୍ତବ୍ଧ ହୋଇଯାଏ ଘଡଘଡି ମାରିବା ପରେ ପରେ I ଏକାନ୍ତରେ କାହିଁକି କେଜାଣି ଟିଣ ଛାତରୁ ଗଡୁଥିବା ବର୍ଷା ପାଣି ଗୁଡାକରେ ସେ ସଂଗୀତ ଶୁଭେନି, ଯାହା ପାହାଡ଼ ଉପରେ ମନ୍ଦିରର ପାହାଚ ଉପରେ ଶୁଭେ !

ସେଦିନ ମଧ୍ୟ ଆଷାଢ଼ ରାତିଟିଏ ହୋଇ ଥିଲା, ଯାହା ପରେ ତୁମକୁ ଆଉ କେହି ଦେଖି ନାହାନ୍ତି I ମୋର ଦଶ ମଙ୍ଗଳା ପାଇଁ ଗାଁକୁ ଫେରିବା ତୁମକୁ କୁଆଡେ ପସନ୍ଦ ହେଲାନି ବୋଲି ସାହିର ମାଉସୀ ସମସ୍ତଙ୍କୁ କହି ବୁଲୁଛି ଆଜି ଯାଏଁ I

ଆଉ ତୁମ ସାଙ୍ଗ ଟୁନା ଏବେ ବି ମୋତେ ରାସ୍ତାରେ ଦେଖିଲେ କୋମେନ୍ଟ କରେ, 'ଏହି ଝିଅ ଲାଗି ପା ଆମ ଵପୁନା ଘରୁ ଫରାର ହେଇଗଲା I ନ ହେଲେ ଏହାର ବର ଠାରୁ ଆମ ଵପୁନା କେଉଁଥିରେ କମ ଥିଲା କି, ରୂପରେ ନ ଗୁଣରେ ? ହଁ, ଚାକିରୀଟିଏ କରି ନଥିଲା I କିନ୍ତୁ ଚାକିରୀ କୋଉ ମିଳି ନଥାନ୍ତା କି ଏତେ ଭଲ ଛାତ୍ରକୁ ? ଚାକିରିର ସାକ୍ଷାତ୍କାର ତ ବହୁତ ବଢିଆ କରିଥିଲା, ନଟୁ ମାଉସ କହୁଥିଲେ I '

ଆଜି ମଧ୍ୟ ସବୁ ଶୁଣେ ଆଉ ଅନୁଭବ କରେ ତୁମର ନୀବିଡତାକୁ ଏକାନ୍ତରେ I ଭଲପାଇବାର ଅର୍ଥକୁ ବୁଝିଛି ତୁମକୁ ଭଲପାଇ I ମୋ ବାପା ଆଉ ତୁମ ବାପା ଆଜି ମଧ୍ୟ ଚକିତ ତୁମେ କାହିଁକି ମୋତେ ବାହା ହେଲ ନାହିଁ ? କାହାର ତ କିଛି ଆପତ୍ତି ନଥିଲା ?

ସେମାନଙ୍କୁ ମୁଁ କିପରି ବୁଝେଇବି, କଣ କହି ସାଂତ୍ଵନା ଦେବି ? ତୁମର ଆୟୁଷ ମାତ୍ର କିଛି ଦିନର ବାକି ଥିଲା ଯେଉଁ ଦିନ ମୋ ବାହାଘର ସରିଥିଲା I ତୁମେ ଚାହୁଁଥିଲା ଅଜ୍ଞାତ ସ୍ଥାନରେ ଆଧ୍ୟାତ୍ମିକ ରୂପରେ ଜୀବନର ଶେଷ ମୁହୂର୍ତ୍ତ ଗୁଡିକ ସମାପ୍ତ କରିବା ଲାଗି I ଆଉ ସତ୍ୟତାକୁ ଗୋପନ ରଖିବା ନିହାତି ଜ଼ରୂରୀ ଥିଲା ତୁମ ପାଇଁ I ମୋତେ କହି ଦେଲ, ତାହା ତୁମର ମୋ ଉପରେ ଥିବା ବିଶ୍ଵାସ , ଭଲପାଇବା ଆଉ ମର୍ଯ୍ୟାଦାର ସଂକେତ ନୁହଁ ତେବେ ଆଉ କଣ?ତୁମେ ଚାହିଁ ନଥିଲ ତୁମ ଘରେ କେହି ଏ ଦୁଃଖଦ ସମ୍ବାଦକୁ ଜାଣନ୍ତୁ ସେଦିନ I ମୋ ବାହାଘର ଉପହାର ବାହାନାରେ କାର୍ଡ ଭିତରେ ଦେଇଥିବା ସେ ଚିଠିଟା ଆଜି ବି ସାଇତି ରଖିଛି ତୁମେ ଘରେ ଦେବା ପାଇଁ, ତୁମର ଅସୁସ୍ଥରେ ବିଷୟରେ କହିବାକୁ I

କିନ୍ତୁ ଏଯାଏଁ ସାହସ ପାଇ ନାହିଁ, କାରଣ ଆଜି ମଧ୍ୟ ଯେବେ ତୁମ ଘରକୁ ଯାଏ ମୋ ବର ସହିତ, ମୋତେ ତୁମ ଘରର ସଦସ୍ୟ ଭଳି ହିଁ ସମ୍ମାନ ମିଳେ I ମୋ ହୃଦୟ ଏମିତିରେ ଭାଙ୍ଗି ସାରିଛି ସମୟ, ଅନ୍ୟ କାହାକୁ ସତ କଥା କହି କାହିଁକି ବା ଦୁଃଖ ଦେବି ? ସମସ୍ତଙ୍କର ତୁମ ଵିପକ୍ଷରେ ଅନେକ ଅଭିଯୋଗ ଅଛି I କିନ୍ତୁ ଅପରପକ୍ଷରେ ସମସ୍ତେ ନିଜ ନିଜ ଜୀବନରେ ବ୍ୟସ୍ତ ଆଉ ଏକ ରକମର ସୁଖୀ ମଧ୍ୟ I ଜଣେ ମଣିଷର ଅନୁପସ୍ଥିତିରେ ଜୀବନ ସ୍ରୋତଟି ଆଜି ମଧ୍ୟ ବଦଳେନି ଏ ସମାଜରେ I ଆଉ ସମସ୍ତଙ୍କର ଲାଗି ସମ୍ଭବ ହୋଇ ନଥାଏ ଭୌତିକ ତତ୍ଵରୁ ପୃଥକ କରି ଭଲପାଇବାକୁ ସମୀକ୍ଷା କରିବା I ଆଜି ମଧ୍ୟ ପ୍ରେମକୁ ଶରୀର ସହିତ, ଯୋଡ଼ା ଯାଉଛି , କାମନା ସହିତ ଯୋଡ଼ା ଯାଉଛି ଆଉ ଦୈହିକ ପ୍ରକ୍ରିୟା ବିନା ଅସମ୍ପୂର୍ଣ୍ଣ ବୋଲି ଘୋଷଣା କରା ଯାଉଛି I ବଦଳୁଥିବା ସମାଜରେ ଆଜି ତୁମର ଭଲ ପାଇବାକୁ ନିଶ୍ଚୟ ପାଗଳାମୀର ଆଖ୍ୟା ମିଳି ଥାଆନ୍ତା I କାହାର ଆଉ ସେ ମନୋଭାବ ନାହିଁ ସାଂସାରିକ ପରିଭାଷାର ଊର୍ଦ୍ଧ୍ବକୁ ଯାଇ ପ୍ରେମକୁ ଅଲଗା ଦ୍ରୁଷ୍ଟିକୋଣାର ଦେଖିବାର I ନା କ୍ଷମତା ଅଛି ନା ଅଭିପ୍ରାୟ ଅଛି I ମୁଁ ମଧ୍ୟ ସମୀକ୍ଷା କରିବାକୁ ଚାହୁଁନି ତୁମର ପ୍ରେମକୁ I ତୁମର ଭଲ ପାଇବା ମୁଁ ବୁଝି ପାରୁଛି I ତାହାର ଆକଳନ ହୁଏତ ମୋ ଲାଗି ସମ୍ଭବ ନୁହେଁ I ଏତିକି ନିଶ୍ଚୟ ଖୁସି ଲାଗେ, ନିଷ୍ପାପ ମନରେ ତୁମର ମୋ ଲାଗି ଯାହା ଭାବନା ଥିଲା, ତାହା ନିଶ୍ଚୟ ଅଦ୍ଵିତୀୟ I

ସତ କହିବାକୁ ଗଲେ ମୁଁ ମଧ୍ୟ ବ୍ୟସ୍ତ ମୋ ସଂସାରରେ I ସୁଖୀ ମଧ୍ୟ ଏହି ପରିବାରରେ ତୁମର ପରାମର୍ଶ ମାନି ବାହା ହେଇଥିବାରୁ I ଖାଲି ଏ ବର୍ଷା ରାତି ଗୁଡ଼ାକରେ ଯେବେ ସିଏ ନଥାନ୍ତି, କାହିଁକି କେଜାଣି ତୁମ ଲେଖା ଚିଠି ଦୁଇଟି ଧରି ବସେ I ମୋତେ ଲେଖିଥିବା ଚିଠିଟି ବହୁତ ଥର ପଢେ, ବୁଝେ ଆଉ ଯାହା ବୁଝି ନ ପାରେ, ଛାଡି ଦିଏ I ତୁମ ବାପାଙ୍କୁ କଣ ଲେଖିଛ ମୁଁ ଜାଣେନି

; ସେ ଚିଠିଟା ଖୋଲିନି I ହୁଏତ କେଉଁ ଦିନ ଦେଇ ଦେବି I କିନ୍ତୁ ତୁମେ କହିବାକୁ କହିଥିବା ସବୁ କଥା କହି ଦେଇଛି I ତୁମେ ବୋଧେ ଜାଣିଥିଲ ମୁଁ ସାହସ ପାଇବିନି ଚିଠି ଦେବାକୁ ତୁମ ବାପାଙ୍କୁ !

ଗାଆଁକୁ ଆସିଲେ ମୁଁ ଯେ କୌଣସି ମତେ ତୁମ ବାପାଙ୍କୁ ଯାଇକି ଦେଖି ଆସେ ତୁମେ କହିବା ଅନୁଯାୟୀ I

ଖାଲି ଆଉ ଆଷାଢ଼ ମାସରେ ଆସିବାକୁ ଭଲ ଲାଗୁନି ଏ ଗାଆଁକୁ I ଆଉ ଭଲ ଲାଗୁନି ବର୍ଷା ଦିନରେ ପାହାଡ଼ ଉପରର ମନ୍ଦିରକୁ ଯିବାକୁ I ଆଜି କାଲି ଖସଡ଼ା ପାହାଚଟି ଆଉ ତଳକୁ ନ ଆସିବାର ବାହାନା ହେଇ ରହି ନାହିଁ, ନ ଯିବାର ବାହାନା ସାଜିଛି, ବର୍ଷା ଝରିଲେ ଏ ଗାଆଁରେ I ଆଉ ଗୋଟିଏ କଥା, ଆଜି କାଲି ଆଉ ଗୀତ ଗାଇବାକୁ ଭଲ ଲାଗୁନି, କିନ୍ତୁ ବର୍ଷା ହେଲେ ତୁମକୁ ଭଲ ଲାଗେ ବୋଲି, ସେ ଗୀତଟି ବଜେଇ ଦଉଛି ମୋ ଲାପଟୋପରେ I ତାହା ହେଇ ସାରିଛି ମୋ ଲାଗି ବର୍ଷା ରାତିର ସନ୍ତକ, ତୁମର ସନ୍ତକ I


Rate this content
Log in

Similar oriya story from Tragedy