ସନ୍ତାନ ମାନଙ୍କ ଦାୟିତ୍ଵ
ସନ୍ତାନ ମାନଙ୍କ ଦାୟିତ୍ଵ


ବାରିପଦା ରେଳଗାଡିରେ ମୁଁ ଥରେ ଭୁବନେଶ୍ୱରରୁ ବାଲେଶ୍ୱର ଫେରୁଥାଏ । ମୋ ପାଖ ସିଟରେ ଜଣେ ବୟସ୍କ ବ୍ୟକ୍ତି ପ୍ରାଏ ୭୫ ରୁ ୮୦ ବର୍ଷ ଭିତରେ ବୟସ । ମୁଖ ମଣ୍ଡଳରେ ବ୍ୟସ୍ତ ଓ ବ୍ୟଗ୍ରତାର ପ୍ରତିଛବି ସ୍ପଷ୍ଟ ବାରିହୋଇପଡୁଥିଲା । ମୁଁ ନିରବତାର ସହିତ ତାଙ୍କ ମୁହଁକୁ ଚାହିଁଲି । କିଛି ପଚାରିବା ପୂର୍ବରୁ ଅନେକ କିଛି ଭାବିଲି ।
ତଥାପି ପଚାରିଲି, ଆଜ୍ଞା ଆପଣ ବ୍ୟସ୍ତ ବିବ୍ରତ ଜଣାପଡୁଛନ୍ତି, କାରଣ କିଛି ଜାଣି ପାରିବିକି ଯଦି କିଛି ନ ଭାବନ୍ତି । ବ୍ୟକ୍ତି ଜଣକ ନିଜର ବ୍ୟଗ୍ରତାକୁ ଚାପିଦେଇ କିଛି କହିବାକୁ ଆରମ୍ଭ କଲେ । ବାବୁରେ ତମେ ତ ବହୁତ ସାନ, ତମର ବାପାମାଆ ଥିବେ ବୋଧହୁଏ! ମୁଁ ହଠାତ୍ ଚମକିପଡିଲି! ହଁ ଆଜ୍ଞା! ବାପା ମାଆ ଅଛନ୍ତି । କିନ୍ତୁ ମୁଁ ଆପଣଙ୍କ ଠାରୁ କିଛି ଶୁଣିବା ପାଇଁ ଇଛା ପ୍ରକାଶ କରୁଛି । ଆପଣଙ୍କର ଜୀବନର କିଛି ଅଙ୍ଗେଲିଭା କଥା, ହଉ ଠିକ୍ ଅଛି, ଆପଣ କହିଲେ ମୁଁ ସବୁ ଶୁଣିବାକୁ ଧୈର୍ଯ୍ୟ ରଖିବି । ବ୍ୟକ୍ତି (ଚକ୍ରଧର)ଜଣକ ନିଜ ଜୀବନର ସମସ୍ତ ଦୁଃଖ ଗୋଟେ ଚିଠି କାଢି ପଢିଲେ । ସେହି ଚିଠିଟି ଲେଖିଥିଲେ ତାଙ୍କ ଦୁଇ ପୁଅଙ୍କ ପାଖକୁ । ଚିଠିରେ ଲେଖା ହୋଇଥିବା କଥାଗୁଡିକ ହେଲା, ମୋର ପ୍ରିୟ ସୁରଜ ଓ ଅଜୟ, ତମ ଦୁଇଙ୍କ ପାଖରେ ମୋର ଅନେକ କିଛି କହିବାର ଅଛି, ଏ କଥା ନୁହେଁ ! ମୋ ଜୀବନର ସାଇତା ଅନୁଭୁତି । ମୋ ବୟସ ଅଧିକ ହେଲାଣି, ଯାହାକୁ ବୟସର ଶେଷ ପାହଚ କହନ୍ତି । ତମେ ବର୍ତ୍ତମାନ ଯେଉଁଠି ଅଛ, ଏ ଶେଷ ବୟସଟା ଚିହ୍ନିବା ତୁମମାନଙ୍କ ପାଇଁ ବହୁତ କଷ୍ଟକର ।
ଧୈର୍ଯ୍ୟର ସହିତ ମୋ କଥା ବୁଝିବାକୁ ହେବ । ଏ ବୟସରେ ସବୁ ଲୋକଙ୍କ ପରି ମୋର ବି ହାତ ଥରିବ, ମୋ ହାତ ଥରିଲେ ଧରିଥିବା ଘରର ଜିନଷ ପତ୍ର ହାତରୁ ପଡି ଭାଙ୍ଗିଯିବାର ସମ୍ଭାବନା ଅଧିକ । ଭାବି ନେବ ଯେ ବୟସର ସ୍ନାୟୁବିକ ଦୁର୍ବଳତା ଯୋଗୁ ଏ ସବୁ ହୁଏ । ସାଧାରଣତଃ ଏ ବୟସରେ ଆଖିର ଦୃଷ୍ଟିଶକ୍ତି ଓ ସ୍ମରଣଶକ୍ତି ମଧ୍ୟ ଅନେକ ମାତ୍ରାରେ କମିଯାଏ, ସେଥିପାଇଁ ଯଦି ନିଜର ଲୋକଙ୍କୁ ଚିହ୍ନିବାରେ ଭୁଲ ହୋଇଯାଏ, ତେବେ ମୋତେ ଭୁଲ ବୁଝିବ ନାହିଁ କି ଦୋଷାରୋପ କରିବ ନାହିଁ । ମୋ ଉପରେ ବିରକ୍ତି ଭାବ ପ୍ରକାଶ କରିବୁ ନାହିଁ । ବୟସର ପ୍ରାନ୍ତରେ ଶରୀରଟା ସତେଯେମିତି ନିଃସ୍ତବଧ ଓ ନିଃସଙ୍ଗ ପରି ଲାଗେ । ଶ୍ରବଣ ଶକ୍ତି ମଧ୍ୟ ବ୍ୟାପକ ପରିମାଣରେ କମିଯାଏ । କାନକୁ ବହୁତ କମ ଶୁଭାଯାଏ । ମୋତେ କାଲା ବୋଲି ଭାବିବ ନାହିଁ । ମୁଁ ଶୁଣିପାରିବା ଭଳି କଥା ହେଲେ ନିଶ୍ଚିତ ଭାବରେ ଶୁଣିବି । ମଣିଷର ପ୍ରତିଟି ଅଙ୍ଗ ତାର ସୁଦୃଢତାର ପରିଚୟ ଦେଇଥାଏ । ସାରା ଜୀବନର ଭାରାକ୍ରାନ୍ତକୁ ବହନ କରୁଥିବା ଗୋଡ ମଧ୍ୟ ଚଲା ବାଟରେ ଶତୃତା କରେ । ବୟସ ଯେତେ ବଢେ ମଣିଷ ପାଦର ଚାଲିବାର ଶକ୍ତି ମଧ୍ୟ ଦୁର୍ବଳ ଓ କ୍ରମଶଃ କମିକମି ଯାଏ ।
ଏ ବୟସରେ ମୋ ହାତଧରି ଚାଲିବାରେ ସାହାଯ୍ୟ କରିବୁ କାହିଁକିନା ତୋ ପିଲା ଦିନେ ମୁଁ ହାତଧରି ବାଟ ଚାଲିବା ଶିଖେଇଥିଲି । ଏ କଥା କେବେ ମନରୁ ପାଶୋରି ଦେବୁ ନାହିଁ ।
କଥାରେ ଅଛି ବାଳୁତ ସମୟ ଯେମିତି ବୃଦ୍ଧା ଅବସ୍ଥା ମଧ୍ୟ ଠିକ୍ ସେମିତି । ବାଲ୍ୟକାଳରେ ପିଲାଟି ଯେପରି ଭୁଲ କରେ, ବୃଦ୍ଧା ବୟସରେ ମଧ୍ୟ ଠିକ୍ ସେମିତି ଭୁଲ ହୁଏ । ପିଲାବେଳେ ଶିଶୁଟି ବିଛଣାରେ ପଡିରହି ଯେମିତି ସହାୟତାକୁ ଅପେକ୍ଷାରତ ଥାଏ, ଠିକ୍ ବୃଦ୍ଧା ଅବସ୍ଥାରେ ମଧ୍ୟ ବିଛଣା ଉପରେ ପଡିରହିବାକୁ ପଡେ । ଏ ସବୁ ତୋ କାର୍ଯ୍ୟରେ ବ୍ୟସ୍ତ ଥିଲେ ମଧ୍ୟ ସମୟ ବାହାର କରି ଆମ ପ୍ରତି ଧ୍ୟାନ ରଖିଥିବୁ । ସେ ସମୟରେ ଆମେ ଅନ୍ୟ କାହା ଉପରେ ବୋଝ ହେବାକୁ ଚାହିଁବୁ ନାହିଁ । ଅନ୍ୟମାନେ ସାହାଯ୍ୟ କରିବେ ସତ ହେଲେ ପଛରେ ଅନେକ କିଛି କହିହେବେ । ସେ ସମୟରେ ଏସବୁ ଶୁଣିବା ଆମକୁ ଭାରି ଦୁଃଖ ଦେବ ସୁରଜ ଓ ଅଜୟ । ଏ ଦୁନିଆକୁ କିମ୍ବା ସଂସାର ଛାଡିବା ପୁର୍ବରୁ ଆମ ନିକଟରେ ଭାଗବତ, ଗୀତା ପାଠ କରୁଥିବ, ସଂସାରରୁ ବିଦାୟ ପରେ ଯେଉଁ ନୀତି ନିୟମ ମାନିବାକୁ ପଡେ ତାହା ମାନିବୁ । ଏ ସବୁ କଲେ ପରିବାର ପ୍ରତି ବିପଦ ଆପଦ ଆସିବ ନାହିଁ । ଏସବୁ କଲେ ତୋ ପ୍ରତି କୌଣସି ପ୍ରକାରର ବିପଦ ଆସିବ ନାହିଁ । ଘରର ସମସ୍ତ ଜମିବାଡି କାଗଜ ପତ୍ର ପ୍ରତି ନଜର ରଖିଥିବୁ । ପାଖ ପଡୋଶୀଙ୍କ ସହ କୌଣସି ପ୍ରକାରର ଭେଦଭାବ ରଖିବ ନାହିଁ ।
ସେମାନେ ବିପଦ ଆପଦରେ ସହାୟତାର ହାତ ନିଶ୍ଚିତ ବଢାଇବେ । ତମେମାନେ ମଧ୍ୟ ସେମାନଙ୍କ ପ୍ରତି ସମ୍ମାନ ପ୍ରଦାନ କରିବ ।
ଆଜିର ସମାଜରେ ବୁଢା ବାପା ଓ ମାଆମାନଙ୍କ ଅବସ୍ଥା କହିଲେ ନସରେ । ମୋର ବୁଢା ବୟସରେ ପୁଅମାନଙ୍କର କେତେ ପରିମାଣରେ ଭକ୍ତିଭାବ ରହିବ ମୁଁ ଜାଣେନା । ତାଙ୍କର ଦାୟିତ୍ଵ ବୋଧ କେମିତି ରହିବ ମୋତେ ଜଣା ନାହିଁ ।
ଏମିତି କିଛି ମନ୍ତବ୍ୟ ଚିଠିରେ ଲେଖି ମୋ ଦୁଇ ପୁଅମାନଙ୍କୁ ପଠାଇଥିଲି । ଆଉ ମଧ୍ୟ ଲେଖିଥିଲି " ମୋ ପିତାମାତା ମୋ ଆଦର୍ଶ" । ଆରେ ବାପା ତମେ ମୋ କଥା ପୁରା ଶୁଣିଲ ତ? ହଠାତ୍ ମୁଁ କହିଲି ଆଜ୍ଞା ମୁଁ ଆପଣଙ୍କର ସବୁ କଥା ଶୁଣିଲି । କିନ୍ତୁ ଗୋଟେ କଥା ମୁଁ ଆପଣଙ୍କର ଚିଠିରେ ଜାଣିବାକୁ ପାଇଲି ଯେ " ମୋ ପିତାମାତା ମୋ ଆଦର୍ଶ" । ଏ ଉକ୍ତିଟି ଚିର ସ୍ମରଣୀୟ ହେବ । ଆପଣଙ୍କ ପରି ପିତାମାତା ମାନେ ଏ ସମାଜରେ ଏକ ଆଦର୍ଶ । ଆଜ୍ଞା ! ଆପଣଙ୍କ ଚିଠି ପଢି ସେମାନେ କିଛି ଉତ୍ତର ରଖିଥିବେ । ଏ ପର୍ଯ୍ୟନ୍ତ ମୁଁ ସେମାନଙ୍କ ଠାରୁ କିଛି ଉତ୍ତର ପାଇ ପାରିନାହିଁ । କଥାରେ ଅଛି ପିତାଙ୍କ କର୍ମର ପ୍ରଭାବ ସନ୍ତାନମାନଙ୍କ ଉପରେ ପଡିଥାଏ । ତେବେ କିଛି ସନ୍ତାନ ସନ୍ତତି ଅଛନ୍ତି, ଯେଉଁମାନେ ପିତାମାତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସଫଳତା ଓ ସୁଗାମୀ ହୋଇଥାନ୍ତି, ସେମାନେ ନିଜ ପିତାମାତାଙ୍କୁ ଆଦର୍ଶ ବୋଲି ମାନିବାକୁ ପ୍ରାଧାନ୍ୟତା ଦେଇଥାନ୍ତି । ଆଉ କହିଥାନ୍ତି " ମୋ ପିତାମାତା ମୋ ଆଦର୍ଶ" ।
ଆଜିର ସନ୍ତାନ ମାନେ କେତେ ଦାୟିତ୍ଵକୁ ଦାୟିତ୍ଵ ବୋଲି ଭାବୁଛନ୍ତି? ଆଉ କିଛି ଅଛନ୍ତି ଦାୟିତ୍ଵ ବୋଧକୁ ଦାୟିତ୍ଵ ବୋଝ ବୋଲି ଭାବୁଛନ୍ତି । ।