ପ୍ରଶାନ୍ତ କୁମାର ବେହେରା

Inspirational

5.0  

ପ୍ରଶାନ୍ତ କୁମାର ବେହେରା

Inspirational

ସଂଶୋଧିତ ମୋଟର ଯାନ ଆଇନ ଓ ସଚେତନତା

ସଂଶୋଧିତ ମୋଟର ଯାନ ଆଇନ ଓ ସଚେତନତା

9 mins
557



ସକାଳୁ ସକାଳୁ ଦେଖିଲି ଜଣେ ଲୋକ ମୁଣ୍ତରେ ହେଲମେଟ୍ ଦେଇ ଆମ ଘରକୁ ଆସିବା ପାଇଁ ଗେଟ୍ ଖୋଲି ଭିତରେ ପଶି ସାରିବା ପରେ ପୁଣି ଗେଟ୍ ଦେଉଛନ୍ତି l ନୂଆକରି ଲାଗୁ ହୋଇଥିବା ମୋଟର ଯାନ ଆଇନକୁ ଏତେ ସଚେତନ ହୋଇ ପାଳନ କରୁଥିବାରୁ ମୁଁ ଖୁବ୍ ଆଶ୍ଚର୍ଯ୍ୟ ମଧ୍ୟ ହୋଇଗଲି l ପାଖକୁ ଆସିବା ପରେ ଜାଣିଲି ସେ ମୋ ନିଜ ମଉସା l ବୟସ ୭୦ ବର୍ଷ , ନାମ ଚନ୍ଦ୍ରକାନ୍ତ ଦାସ l ଆମ ଘରଠାରୁ ମାତ୍ର କିଛି ଦୂରରେ ସେଇ ଗୋପାଳସାଗରରେ ଘର ଭଡାନେଇ ରହୁଛନ୍ତି l ସେମିତି ହେଲମେଟ୍ ପିନ୍ଧା ଅବସ୍ଥାରେ ଆସି ଚେୟାରରେ ବସି ପଡିଲେ l 


ମୁଁ କହିଲି , " ମଉସା ଆପଣ ହେଲମେଟ୍ ଟା ଖୋଲୁନାହାନ୍ତି ? "

ସେ କହିଲେ, " ନାଇଁ କାମ ଅଛି, ପଳେଇବି l ମୁଁ ପରା ଏଇ ଦୁଇଦିନ ତଳେ ୫୦୦ ଟଙ୍କା ଫାଇନ୍ ଦେଇଛି ଥାନାଛକରେ l ପାଖରେ ବୋଲି କଣ ଜିନିସପତ୍ର କିଣିବାକୁ ସାନବଜାର ଯାଇଥିଲି ବିନା ହେଲମେଟ୍ ରେ l ସେଠି ପୁଲିସ୍ ହାବୁଡରେ ପଡିଗଲି ପରା l ସେଇଦିନଠୁ ପାଖା ପାଖି ଯୁଆଡେ ଗଲେ ବି ଏଇ ହେଲମେଟ୍ ସହିତ l"


ମୁଁ ପୁଣି କହିଲି," ମଉସା ବେଳା ଭଲ l ମାତ୍ର ୫୦୦ ଟଙ୍କା ଦେଇଛନ୍ତି l ଅନ୍ୟଆଡେ ପରା ହଜାର ହଜାର ଟଙ୍କାର ଫାଇନ୍ କଟା ହେଉଛି l " 


ସେ କହିଲେ , " କାଇଁ ମୋର ଆଉ ସବୁ କାଗଜପତ୍ର ତ ଠିକ୍ ଅଛି l ଅଧିକ ଫାଇନ୍ କେମିତି କରିବେ ? କେବଳ ପଲ୍ୟୁସନ୍ ସାଟିଫିକେଟ୍ ଗତ ମାର୍ଚ୍ଚରୁ ପୁରି ଯାଇଛି l ସେଇ ଗୋଟିକ କରିଦେଲେ ଆଉ କିଛି ଅସୁବିଧା ନାହିଁ l "


ମୁଁ ଦେଖିଲି ମଉସାଙ୍କୁ ୭୦ ବର୍ଷ ହେଲେବି ସବୁ ନିୟମରେ ପୁରା ଅପଟୁଡେଟ୍ ଅଛନ୍ତି l ମୋ ବାଇକ୍ ପାଇଁ ମୁଁ କେବେ ପଲ୍ୟୁସନ୍ ସାଟିଫିକେଟ୍ କରିନି ଆଜିଯାଏ l କିନ୍ତୁ ସେ ପୂର୍ବରୁ ବି ତାକୁ କରିଛନ୍ତି l ଏବେ ସେଇ ସାଟିଫିକେଟ୍ କରିବାକୁ ଚାହୁଁଛନ୍ତି କିନ୍ତୁ ଏତେ ଭିଡ ସେଥିପାଇଁ କରି ପାରି ନାହାନ୍ତି l 


ମୁଁ ତାଙ୍କୁ ପଚାରିଲି, " ତାହେଲେ ମଉସା ସରକାରଙ୍କ ଏ ନିୟମ ଠିକ୍ ? " 


ସେ କହିଲେ, " ହଁ ପୁରା ଠିକ୍ , ଲୋକ ଯିଏ ମଦ ପିଇ ଗାଡି ଚଳାଉଛନ୍ତି , ନିଶାରେ ଧକ୍କାକରି ନିଜେ ତ ମରୁଛନ୍ତି ଆଉ ତା' ସହିତ କେତେ ନିରୀହ ଲୋକଙ୍କୁ ବି ମାରୁଛନ୍ତି l ଆଉ ଏ ହେଲମେଟ୍ ପିନ୍ଧିଲେ ଆମେ ସୁରକ୍ଷିତ ରହିବା l ତେଣୁ ନିୟମ କଡାକଡି ହୋଇଛି ଭଲ l କିନ୍ତୁ ଗାଡି ଦାମ୍ ଯେତିକି ହେବନି ତାଠାରୁ ଅଧିକ ଫାଇନ୍ କାଟିବା ନିହାତି ଭୁଲ୍ l "


ତେବେ ସେ ଯାହାହେଉ ମଉସା ବାହାରିବା ପୂର୍ବରୁ ମୋତେ ପଚାରିଲେ , ଆଛା ସେ ଯେଉଁ ୫୦୦ ଟଙ୍କାର ରସିଦ୍ କାଟିଛନ୍ତି ସେଥିରେ ତାରିଖ ଭୁଲ୍ ଲେଖିଛନ୍ତି l ଭବିଷ୍ଯତରେ କିଛି ଅସୁବିଧା ହେବ କି ? "


ମୁଁ କହିଲି, " ନାଇଁ , ଜୋରିମାନା ଆଦାୟ ବାବଦକୁ ମିଳୁଥିବା ରସିଦ୍ ର ପୁଣି ଭବିଷ୍ଯତ କଣ ? "


ସେ କିନ୍ତୁ ଖୁବ୍ ବ୍ୟସ୍ତହୋଇ ପକେଟରୁ ରସିଦ୍ ଗୋଟେ ଜରି ଭିତରୁ ( କାଳେ ବର୍ଷାରେ ଭିଜିଯିବ ) ବାହାରକରି ମୋତେ ଦେଖାଇଲେ l ଦେଖିଲି ତାଙ୍କ ପାଖରେ ଗାଡି କାଗଜପତ୍ର ସହିତ ଡ୍ରାଇଭିଙ୍ଗ୍ ଲାଇସେନ୍ସ୍ ଓ ସେଇ ଅବଧି ପୁରିଯାଇଥିବା ପଲ୍ୟୁସନ୍ ସାଟିଫିକେଟ୍ ଓ ଫାଇନ୍ ବାବଦକୁ ୫୦୦ ଟଙ୍କା ଦେଇ କାଟିଥିବା ରସିଦ୍ ସବୁ ରହିଛି l ଦେଖିବାରୁ ଜାଣିଲି ସେଇ ରସିଦ୍ ଚାଲାଣ୍ କଟା ମେସିନ୍ ରୁ ବାହାର କରାନଯାଇ ହାତ ଅକ୍ଷର ଲେଖା ରସିଦ୍ l ତଳେ ଯିଏ ରସିଦ୍ କାଟିଛନ୍ତି ତାଙ୍କ ଦସ୍ତଖତ ତଳକୁ ଠିକ୍ ତାରିଖ ଥିବା ସ୍ଥଳେ କେବଳ ଉପରେ ଗୋଟେ ମାସ ଆଗୁଆ ତାରିଖ ଲେଖା ଯାଇଛି l "


ମୁଁ ଦେଖୁଥିବା ଅବସ୍ଥାରେ ମଉସା ବ୍ୟସ୍ତ ହୋଇ କହିଲେ, ଥାନାକୁ ଯାଇ ଏଇ ତାରିଖକୁ ଠିକ୍ କରି ଆଣିବି କି ? " 


ମଉସା ଆମର ଜଣେ କେନ୍ଦ୍ର ସରକାରଙ୍କ ବିସଏନଲ୍ ବିଭାଗର ରିଟାୟଡ୍ କର୍ମଚାରୀ l ଆଇନକୁ ଯାହା କୁହନ୍ତି ଅକ୍ଷରେ ଅକ୍ଷରେ ପାଳନ କରିବା ଲୋକ l ମୁଁ କହିଲି," କିଛି ଆବଶ୍ୟକ ନାହିଁ ଥାନାକୁ ଯିବା l ସେଦିନ ବୋଧହୁଏ ବହୁତ ଲୋକ ଲାଇନରେ ଥିବେ ଫାଇନ ଦେବାକୁ ତେଣୁ ତରତର ହୋଇ ରସିଦ୍ କାଟିବା ବେଳେ ଏମିତି ଭୁଲ୍ ହୋଇଛି l ଏହାକୁ କ୍କରିକାଲ୍ ଏରର୍ ବୋଲି କୁହାଯାଏ l ଆପଣ ସେଥିପାଇଁ ଆଦୌ ବ୍ୟସ୍ତ ହୁଅନ୍ତୁନି l ଯାହା ଅସୁବିଧା ହେବ ମୁଁ ବୁଝିବି l " 


ମୋ ଠାରୁ ନିର୍ଭର ପ୍ରତିଶୃତି ପାଇବା ପରେ ମଉସାଙ୍କ ମନ ବୁଝିଲା ଏବଂ ସେ ତାଙ୍କ କାମରେ ସେମିତି ମୁଣ୍ତରେ ହେଲମେଟ୍ ପିନ୍ଧା ଅବସ୍ଥାରେ ଚାଲିଗଲେ l


ଭାରତ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନୂତନ ପରିବହନ ଆଇନ ଆଧାରରେ ଆମ ରାଜ୍ୟ ଓଡିଶାରେ ଚଳିତ ମାସ ଅର୍ଥାତ୍ ସେପ୍ଟେମ୍ବର୍ ୧ ତାରିଖରୁ ଯାନବାହାନ ପରିବହନ ଓ ଟ୍ରାଫିକ୍ ନିୟମ - ୨୦୧୯କୁ କଡାକଡି କରି ଲାଗୁ କରାଯାଇଛି l ଅବଶ୍ୟ ମଧ୍ୟପ୍ରଦେଶ, ପଞ୍ଜାବ ଆଦି ୫ଟି ରାଜ୍ୟ ଏଇ ନିୟମକୁ ଏପର୍ଯ୍ୟନ୍ତ ଲାଗୁ କରିନାହାନ୍ତି l ଯେଉଁ ରାଜ୍ୟ ମାନଙ୍କରେ ଏଇ ନୂତନ ନିୟମ ଲାଗୁ ହେଲା ସେଠାରେ ଉପୁଜୁଥିବା ପରିସ୍ଥିତିକୁ ନିୟମ ଲାଗୁ କରିନଥିବା ରାଜ୍ୟମାନେ ଖୁବ୍ ସତର୍କତାର ସହିତ ଦେଖୁଥିବେ ଆଉ ହଠାତ୍ ଲାଗୁ କରିନଥିବାରୁ ଖୁବ୍ ଖୁସି ବି ହେଉଥିବେ l


ଆମ ରାଜ୍ୟରେ ଏଇ ନିୟମ ଲାଗୁଲାଗୁ ଏମିତି କଡାକଡି ଆମ ପରିବହନ ବିଭାଗର ଓ ପୋଲିସ୍ ବିଭାଗର କର୍ମଚାରୀମାନେ କଲେ ଯେ ସାରା ଭାରତରେ ଓଡିଶା ଜୋରିମାନା ଆଦାୟରେ ଏକ ନମ୍ୱର ସ୍ଥାନ ଅଧିକାର କରିନେଲା l ବାଇକ୍ ଚାଳକଙ୍କ ଠାରୁ ୫୦୦ ଟଙ୍କାରୁ ଆରମ୍ଭ କରି ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ବାବଦକୁ ରସିଦ୍ କଟାଗଲା l ଭୁବନେଶ୍ବରରେ ଗୋଟେ ଅଟୋ ଚାଳକକୁ ୪୭,୫୦୦ ଟଙ୍କାର ଜୋରିମାନା କରାଯାଇ ରସିଦ୍ କାଟିଦିଆଗଲା l ସେ ମଦ ପିଇ ଗାଡି ଚଳାଉଥିଲା ଏବଂ ତା ଗାଡିର କୌଣସି କାଗଜପତ୍ର ଠିକ୍ ନଥିଲା l ତା ନିଜର ଡ୍ରାଇଭିଙ୍ଗ୍ ଲାଇସେନ୍ସ୍ ବି ନଥିଲା l ସେ ଧରାପଡିବା ପରେ ସିଧା ସିଧା କହିଲା, " ମୁଁ ଏଇ ସାତଦିନ ପୂର୍ବରୁ ୩୦ ହଜାର ଟଙ୍କାରେ ଏ ସେକେଣ୍ତହ୍ୟାଣ୍ତ୍ ଅଟୋକୁ କିଣିଛି l ଏତେ ଟଙ୍କା ଫାଇନ୍ କୋଉଠୁ ଆଣି ଦେବି ? ଗାଡି ରହୁ ପଛେ ମୁଁ ଟଙ୍କା ଦେଇ ପାରିବି ନାହିଁ l ତାକୁ ପୁଣି କହାଗଲା , " ଗାଡି ନ ନେଲେ ମଧ୍ୟ କେସ୍ ହେବ l " ସେ ବି ସିଧା କହିଲା, " କେସ୍ କର କି ଜେଲ୍ ରେ ପୁରାଅ, ଏତେ ଟଙ୍କା ମୋ ପାଖରେ ନାହିଁ l "


ଠିକ୍ ସେହିପରି ପଶ୍ଚିମ ଓଡିଶାରେ ଗୋଟେ ବାହାର ରାଜ୍ୟରୁ ଆସିଥିବା ଟ୍ରକ୍ ଓଭରଲୋଡିଙ୍ଗ୍ ଠାରୁ ଆରମ୍ଭକରି ବିଭିନ୍ନ ବାବଦକୁ ପାଖା ପାଖି ୮୦ ହଜାର ଟଙ୍କାର ଜୋରିମାନା ଦେଲା l କୌଣସି ଗୋଟିଏ ଗାଡିରୁ ଏତେ ଟଙ୍କା ଆଦାୟ କରିବା ବୋଧହୁଏ ସାରା ଭାରତରେ ରେକର୍ଡ ସୃଷ୍ଟି କରିଥିବ l 


ଅନ୍ୟ ରାଜ୍ୟରେ ଗୋଟେ ବାଇକ୍ ଉପରେ ୩୦ ହଜାର ଟଙ୍କାର ଜୋରିମାନା ବସାଯିବାରୁ ସେଇ ବାଇକ୍ ଚାଳକ ଜଣଙ୍କ ଏତେ ମାତ୍ରାରେ ରାଗିଗଲେ ଯେ , ସେଇ ବାଇକ୍ ର ତେଲ ଟାଙ୍କିରୁ ପେଟ୍ରୋଲ୍ କାଢି ସେଥିରେ ନିଆଁ ଲଗାଇ ନିଜର ରାଗକୁ କିଛି ମାତ୍ରାରେ ପ୍ରଶମିତ କଲେ l କିନ୍ତୁ ପୁଲିସ୍ ବିଭିନ୍ନ ଦଫା ଲଗାଇ ତାଙ୍କ ନାଁ ରେ କେସ୍ ରୁଜୁ କରିଛନ୍ତି l 


ଆମ ପଡୋଶୀ ରାଜ୍ୟ ଝଡଖଣ୍ତରେ ବାଇକ୍ ରେ ଯାଉଥିବା ଜଣେ ଟ୍ରାଫିକ୍ କନେଷ୍ଟେବଳ ଓ ତାଙ୍କ ପଛରେ ବସିଥିବା ଟ୍ରାଫିକ୍ ସବ-ଇନ୍ସପେକ୍ଟର ଉଭୟେ କେହି ହେଲମେଟ୍  ପିନ୍ଧି ନଥିଲେ l ବାଟରେ ଏସପିଙ୍କ ଦ୍ୱାରା ହେଉଥିବା ଚେକିଙ୍ଗ୍ ରେ ଧରିପଡିଗଲେ l ଦେଖାଗଲା ଯେ ଚାଳକଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ୍ , ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଓ ଅନ୍ୟାନ୍ୟ କାଗଜପତ୍ର ନଥିବାରୁ ୧୭ ହଜାର ଟଙ୍କାର ଜୋରିମାନା ହୋଇଥିଲା l କିନ୍ତୁ ନୂଆ ଆଇନ୍ ଅନୁଯାୟୀ ଜଣେ ଦାୟିତ୍ୱସମ୍ପନ୍ନ ବ୍ୟକ୍ତି ଯଦି ଟ୍ରାଫିକ୍ ନିୟମ ଉଲ୍ଲଘଂନ କଲେ ତେବେ ତାଙ୍କୁ ଦୁଇଗୁଣା ଜୋରିମାନା ଦେବାକୁ ହେବ ଆଉ ସେହି ଅନୁସାରେ ଉକ୍ତ ଟ୍ରାଫିକ୍ କନଷ୍ଟେବଳଙ୍କୁ ୩୪ ହଜାର ଟଙ୍କାର ଜୋରିମାନା ଦେବାକୁ ହେଲା ଏବଂ ତାହା ସହିତ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି l କିନ୍ତୁ ଏହି ଘଟଣା ନିଶ୍ଚୟ ଖୁବ୍ ବିରଳ l ସୋସିଆଲ୍ ମିଡିଆରେ ପ୍ରାୟ ପୁଲିସ୍ ଓ ଟ୍ରାଫିକ୍ ବିଭାଗର କର୍ମଚାରୀ ମାନେ ବିନା ହେଲମେଟ କିମ୍ୱା ପିସିଆର୍ ଭ୍ୟାନ୍ ରେ ସିଟ୍ ବେଲ୍ଟ୍ ନବାନ୍ଧି ଜାତାୟାତ କରୁଥିବାର ଭିଡିଓ ଭାଇରାଲ୍ ହେଉଛି l


ଆଉ ଏକ ଘଟଣା ଯାହା ଏବେ ଆଲୋଚନାର ଖୋରାକ୍ ଯୋଗାଉଛି ତାହା ହେଲା ଜୈନେକ ଟ୍ରାଫିକ୍ କର୍ମଚାରୀ ପାରାଦୀପ ପାଖରେ ଜଣେ ଟ୍ରକ ଚାଳକଙ୍କ ଠାରୁ କିଛି ଟଙ୍କା ନେଉଥିବା ଦୃଶ୍ଯକୁ କେହି ଭିଡିଓ କରି ଭାଇରାଲ୍ କରି ଦେଇଛି l ଫଳରେ ଜଗତସିଂହପୁରର ଏସ୍.ପି. ସେହି ଟ୍ରାଫିକ୍ କର୍ମଚାରୀ ଜଣଙ୍କୁ ସସ୍ ପେଣ୍ଡ୍ କରିବା ସହିତ ପାରାଦୀପଥାନା ଆଇ.ଆଇ.ସି. ଙ୍କୁ ତଦନ୍ତକରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି l କିନ୍ତୁ ପ୍ରକୃତରେ ସେଇ ଭିଡିଓ କୁଆଡେ ଛଅମାସ ତଳର l କିନ୍ତୁ ଏବେ କିଏ ତାକୁ ଭାଇରାଲ କରିଦେବାରୁ ବିଚରା ଟ୍ରାଫିକ୍ କର୍ମଚାରୀ ଜଣଙ୍କ ହରଡଘଣାରେ ପଡିଗଲେ l ସେଇ କର୍ମଚାରୀ ଜଣଙ୍କ କିନ୍ତୁ ଦୃଢ଼ ଭାବରେ କହୁଛନ୍ତି ଯେ ସେଇ ଲୋକଟି ତାଙ୍କୁ ପଇସା ଦେଉନି ବରଂ ସେ ତାକୁ ମାଛ ଆଣିବାକୁ ପଇସା ଦେଉଛନ୍ତି l


ତେବେ ଘଟଣା ଯାହା ହେଲେବି, ସାରା ଦେଶରେ ହାତଗୁଞ୍ଜାନେଇ କିଛି ପୁଲିସ୍ ବା ଟ୍ରାଫିକ୍ କର୍ମଚାରୀ ବେଆଇନ୍ ଭାବରେ ଗାଡି ଚଳାଉଥିବା ଚାଳକ ମାନଙ୍କୁ ଛାଡିଦେଇଥାନ୍ତି l ଏ କଥା ସବୁ ରାଜ୍ୟରେ ଘଟେ ଆଉ ଆମ ରାଜ୍ୟ ଓଡିଶା ବି ସେଥିରୁ ବ୍ୟତିକ୍ରମ ହୋଇନି l କିନ୍ତୁ କେତେବେଳେ କୋଉ କର୍ମଚାରୀଙ୍କର ବେଳା ଖରାପ ପଡିଗଲେ ଧରିପଡି ଯାଅନ୍ତି l ଖାଲି ରାସ୍ତା ଘାଟରେ ଏମିତି ଲାଞ୍ଚ କାରବାର ହୁଏନି l ବିଭିନ୍ନ ଅଫିସ୍ ଓ ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ସରକାରଙ୍କର ବିଭିନ୍ନ ବିଭାଗରେ ଏମିତି ଲାଞ୍ଚ କାରବାର କିଛି ଅଧିକାରୀ କରିଥାନ୍ତି l ଜାହା ବେଳା ଖରାପ ବା ଶନିଦଶା ପଡେ ସେମାନେ ଧରାପଡି ଯାଆନ୍ତି l ଆଉ କିଛି ଧରା ନପଡି ଖୁବ୍ ସଚ୍ଚୋଟ ଲୋକ ବୋଲି ନିଜର ଡିଣ୍ତିମ ପିଟନ୍ତି l


ଭୁବନେଶ୍ବରର କଳ୍ପନା ଛକରେ ଗାଡି ଯାଞ୍ଚ ହେଉଥିବା ବେଳେ ଜଣେ ଅଟୋ ଚାଳକକୁ ୧୦ ହଜାର ଟଙ୍କାର ଜୋରିମାନା ଦେବାକୁ ରସିଦ୍ କଟାଗଲା l ଏହାକୁ ନେଇ ସେଠାରେ ଉପସ୍ଥିତ ଥିବା ଲୋକ ମାନଙ୍କ ସହିତ ସବୁ ଅଟୋ ଚାଳକ ମେଳି ବାନ୍ଧି ପୁଲିସ୍ ଗାଡିର କାଗଜପତ୍ର ସହିତ ପ୍ରଦୂଷଣ ପ୍ରମାଣପତ୍ର ଦେଖାଇବାକୁ କହିବାରୁ ପୁଲିସ୍ ହଟହଟା ହୋଇ ସେଇ ସ୍ଥାନ ଛାଡି ପଳାଇଲା l 


ଏମିତି ପରିସ୍ଥିତି ଭିତରେ ଓଡିଶା ସରକାରରେ ମନ୍ତ୍ରୀଥିବା ଶ୍ରୀଯୁକ୍ତ ସୁଶାନ୍ତ ସିଂହ ଗଣ ମାଧ୍ୟମ ସାମ୍ନାରେ ଖୋଲାଖୋଲି କରି କହିଲେ ଯେ, ଲୋକ ମାନଙ୍କଠାରୁ ଏତେ ଅଧିକ ଟଙ୍କା ଆଦାୟ କରିବା ଅନୁଚିତ୍ l ଏଇ ଆଇନରେ ବହୁତ ଅସଙ୍ଗତି ରହିଛି l ବାଇକ୍ ଚାଳକଙ୍କ ଡିଏଲ୍ ନଥିଲେ ତାଙ୍କୁ ଯେତିକି ଜୋରିମାନା କରାଯାଉଛି, ୫୦ ଲକ୍ଷର ବଡ ଗାଡି ଚଳାଉଥିବା ଚାଳକଙ୍କଠାରୁ ମଧ୍ୟ ସେତିକି ଜୋରିମାନା ଆଦାୟ କରାଯାଉଛି l ତାପରେ ଏଥିପାଇଁ ଲୋକଙ୍କୁ ଯଥେଷ୍ଟ ସମୟ ଏବଂ ସଚେତନ ହେବାକୁ ସୁଯୋଗ ଦେବା ଉଚିତ୍ l"


 ପ୍ରାୟ ସବୁ ମିଡିଆ ଠାରୁ ଆରମ୍ଭ କରି ସେସିଆଲ୍ ମିଡିଆରେ ଏଇ କଠୋର ମୋଟର ଯାନ ଆଇନ ବିରୋଧରେ ସ୍ୱର ଉଠିବା ଆରମ୍ଭ ହେଲା l ବିଭିନ୍ନ ଯାଗାରେ ଲୋକମାନେ ଏକାଠି ହୋଇ ସାମାନ୍ୟ ଭୁଲ୍ ପାଇଁ ବହୁ ଅଧିକ ଜୋରିମାନା ଆଦାୟ କରାଯାଉଛି ବୋଲି ଖୋଲାଖୋଲି ଅଭିଯୋଗ କଲେ l ଜନ ଆକ୍ରୋଶ ଦିନକୁ ଦିନ ବଢିବାରେ ଲାଗିଲା l 


ସେଇପରି ଭଦ୍ରକର ଜଣେ ପରିବହନ ଅଧିକାରୀ ଜଣେ ସାବାଳକ କଲେଜ ଛାତ୍ରୀ ତାଙ୍କ ବାପାଙ୍କ ଗାଡି ଚଳାଉଥିବାରୁ ଅନଅଧିକୃତ ଗାଡି ବାବଦକୁ ୫ ହଜାର, ଡ୍ରାଇଭିଙ୍ଗ୍ ଲାଇସେନ୍ସ୍ ନଥିବାରୁ ୫ ହଜାର, ଇନ୍ସୁରାନ୍ସ୍ ବାବଦକୁ ୨ ହଜାର ଓ ବିନା ହେଲମେଟ୍ ପାଇଁ ୧ ହଜାର ଏମିତି ସର୍ବମୋଟ ୧୩ ହଜାର ଟଙ୍କାର ଜୋରିମାନା ରସିଦ୍ କାଟି ଧରାଇଦିଆଯାଇଛି l ଏଠି ପ୍ରଶ୍ନ ଉଠୁଛି - ପରିବାରର ସମସ୍ତଙ୍କର ତାହେଲେ ବାଇକ୍ ବା କାର୍ କିଣିବାକୁ ପଡିବ କି ? ପୁଅ ଝିଅ କଣ ନିଜ ପିତାଙ୍କ ଗାଡି ଚଳାଇଲେ ଅନଅଧିକୃତ ବୋଲି ବିବେଚନା କରାଯିବ କି ? ଝିଅଟି କହିଛି କି ସେ ଇନ୍ସୁରାନ୍ସ୍ ଓ ଡ୍ରାଇଭିଙ୍ଗ୍ ଲାଇସେନ୍ସ୍ ଆଣି ଦେଖାଇବି l କିନ୍ତୁ ତା' କଥା କେହି ଶୁଣିଲେ ନାହିଁ l ସେଇ ଚେକିଙ୍ଗ୍ ଟିମ୍ ରେ କୌଣସି ମହିଳା ପୁଲିସ୍ ମଧ୍ୟ ଉପସ୍ଥିତ ନଥିଲେ l ଏଇ ଘଟଣାରେ ଭଦ୍ରକର ପରିବହନ ଅଧିକାରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ , ଡ୍ରାଇଭିଙ୍ଗ୍ ଲାଇସେନ୍ସ୍ ନଥିବା ଲୋକକୁ ଯିଏ ଗାଡିଦେବ ସେଠି ଅନଅଧିକୃତ ନିୟମ ଲାଗୁହେବ ହିଁ ହେବ l 


କିନ୍ତୁ ସେଇ ଭଦ୍ରକରେ ଏଇ ଘଟଣାର ପୂର୍ବଦିନ ରାଜ୍ୟର ଆଇନ ମନ୍ତ୍ରୀ କି ତାଙ୍କ ଡ୍ରାଇଭର୍ କେହି ସିଟ୍ ବେଲ୍ଟ୍ ନବାନ୍ଧି କାର୍ ରେ ବସି ବାଇକ୍ ରାଲି ମଝିରେ ଯାଉଥିଲେ l ସେଇ ଭଦ୍ରକର ଶହଶହ ଯୁବକ ବାଇକ୍ ରେ ବିନା ହେଲମେଟ୍ ରେ ରାଲି କରି ମନ୍ତ୍ରୀଙ୍କୁ ସ୍ୱାଗତ କରୁଥିବା ବେଳେ ଏଇ ପରିବହନ ଅଧିକାରୀ କେଉଁଠି ଥିଲେ ବୋଲି ସୋସିଆଲ୍ ମିଡିଆରେ ବହୁ ଲୋକ ପ୍ରଶ୍ନ ପଚାରିଛନ୍ତି l କେହି କେହି କହିଛନ୍ତି ଯଦି ରାଜ୍ୟର ଆଇନ ମନ୍ତ୍ରୀ ଆଇନ ମାନୁନାହାନ୍ତି ତାହେଲେ ସାଧାରଣ ଜନତାଙ୍କୁ କାହିଁକି ଏହି ଆଇନକୁ ମାନିବାକୁ ବାଧ୍ୟ କରାଯାଇ ହଜାର ହଜାର ଟଙ୍କାର ଫାଇନ୍ କରାଯାଉଛି l


ଭୁବନେଶ୍ବରର ରାଜମହଲ ଛକରେ ତା ୦୭/୦୯/୨୦୧୯ ରିଖରେ ଅବସ୍ଥା ଏମିତି ହେଲା ଯେ, ସାଧାରଣ ଜନତା ଏକାଠି ହୋଇ ପୁଲିସ୍ ଗାଡି, ସରକାରୀ ଗାଡି , ଟାଉନବସ ଏ ସବୁର କାଗଜପତ୍ର ଦେଖିବାକୁ ଅଡି ବସିଲେ l କାହିଁକି ପିସିଆର୍ ଭ୍ୟାନ୍ ରେ ପୁଲିସ୍ ସିଟ୍ ବେଲ୍ଟ୍ ବାନ୍ଧି ବୁଲୁନାହାନ୍ତି l ପରିସ୍ଥିତି ଅଣାୟତ ହେବାରୁ ପୁଲିସ୍ କୁ ଲାଠି ଚାଳନା କରିବାକୁ ପଡିଲା l 


କଟକ - ଭୁବନେଶ୍ବର ଟୁଇନ୍ ସିଟି ପୁଲିସ୍ କମିସନର ଶ୍ରୀଯୁକ୍ତ ଡ.ସୁଧାଂଶୁ ଶେଖର ଷଡ଼ଙ୍ଗୀ ଶେଷକୁ ଲୋକମାନଙ୍କୁ ବୁଝାଇ କହିଲେ , " କୌଣସି ଗାଡିର କାଗଜପତ୍ର ଯାଞ୍ଚ ହେବନି l ଯେଉଁମାନେ ମଦ ପିଇ ଗାଡି ଚଳାଉଥିବେ, ମୁଣ୍ତରେ ହେଲମେଟ୍ ନଥିବ , ସିଟ୍ ବେଲ୍ଟ୍ ବାନ୍ଧି ନଥିବେ, ରାସ୍ତାର ରଙ୍ଗ୍ ସାଇଡ୍ ରେ ଯାଉଥିବେ, ମୋବାଇଲ୍ ରେ କଥାହୋଇ ଗାଡି ଚାଳନା କରୁଥିବେ ବା ୩ ଜଣ ବାଇକ୍ ରେ ବସି ଯାଉଥିବେ କେବଳ ସେଇମାନଙ୍କୁ ପୁଲିସ୍ ଧରି ଫାଇନ୍ କରିବ l ଅନାନ୍ୟ ବାବଦରେ କୌଣସି ଗୁଜବକୁ ନ ଶୁଣିବାକୁ ସେ ଲୋକମାନଙ୍କୁ ଅନୁରୋଧ ମଧ୍ୟ କଲେ l


ଏଥିରୁ ସ୍ପଷ୍ଟ ହୋଇଗଲା ଯେ ବିଗତ ୬ ଦିନ ଧରି ଯେଉଁ ଭାବରେ କଡାକଡି କରି ନୂତନ ମୋଟର ଯାନ ଆଇନକୁ କାର୍ଯ୍ୟକାରୀ କରାଯାଉଥିଲା ସେଥିରେ କିଛି ଢିଲା ଦେବାକୁ ନିଶ୍ଚୟ ପୁଲିସ୍ ଓ ପରିବହନ କର୍ମଚାରୀ ମାନଙ୍କ ପାଖକୁ ଉପରୁ ନିର୍ଦ୍ଦେଶ ଆସିଥିବ l


ତେବେ ସେ ଯାହା ବି ହେଉ, କେତେକ କ୍ଷେତ୍ରରେ ଗାଡି ଦାମ୍ ଠାରୁ ଆଦାୟ କରାଯାଉଥିବା ଜୋରିମାନା ବଳିଯାଉଥିଲା l ଗାଡି ଚାଳକ ମାନଙ୍କ ଭିତରେ ଏଇ ଆଇନକୁ ନେଇ ଯାହାକୁ କୁହନ୍ତି ପୁରା କୋକୁଆ ଭୟର ବାତାବରଣ ସୃଷ୍ଟି ହୋଇଛି l ସୋସିଆଲ୍ ମିଡିଆରେ ଏଇ କଠୋର ଆଇନକୁ ନେଇ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ପୋଷଣ କରୁଛନ୍ତି l ହାତଗଣତି କିଛି ଲୋକ ଏଇ ଆଇନ ସପକ୍ଷରେ ଯୁକ୍ତି କରୁଛନ୍ତି ତ ଆଉ କିଛି କହୁଛନ୍ତି, ପ୍ରଥମେ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାନଯାଇ ଏମିତି ତରବରିଆ ଭାବରେ ଲାଗୁ କରିବା ଆଦୌ ଠିକ୍ ହୋଇନି l


କିଛି ଲୋକ ଏଇ ଆଇନକୁ ବିରୋଧକରି ବିଭିନ୍ନ କଥା ସୋସିଆଲ୍ ମିଡିଆରେ ଲେଖି ନିଜର ମନୋଭାବକୁ ସାମ୍ନାକୁ ଆଣୁଛନ୍ତି l କିଏ ଲେଖିଲାଣି ପ୍ରଧାନମନ୍ତ୍ରୀ ମୋଦି ଦେଶର ଅର୍ଥନୀତି ଦୁର୍ଦ୍ଦଶାରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଏମିତି ଏକ କଠୋର ଆଇନ ଆଣି ସାରା ଦେଶରେ ହଟଚମଟ ସୃଷ୍ଟି କରିଛନ୍ତି l ଆଉ କିଏ ଲେଖିଲାଣି ରାସ୍ତାର ଅବସ୍ଥା ଯେଉଁଠି ଖରାପ୍ ସେଠି ସରକାର ଫାଇନ୍ ଦିଅନ୍ତୁ l ରାସ୍ତା ଘାଟରେ ଗାଇ , ଷଣ୍ଢ , ବୁଲା କୁକୁର ବୁଲିବା ଯୋଗୁ ଯେଉଁ ଦୁର୍ଘଟଣା ଘଟୁଛି ସେଥିପାଇଁ କିଏ ଦାୟୀ ? 


ଆଉ ଜଣେ ଭାଇ ଜଣେ ଉଲଗ୍ନ ନାଗା ବାବାଙ୍କ ମୁଣ୍ତରେ ହେଲମେଟ୍ ଦେଇ ବାଇକ୍ ଚାଳନା କରୁଥିବାର ଫଟୋ ଛାଡି ସେଇ ଭାଇ ଜଣଙ୍କ ଲେଖିଛନ୍ତି ," ନାଗାବାବା - ନଂଗା ବାବା -ସରକାର ନେ କିଳା - କି ଟାକ୍ସ୍ ଆଦାୟ କରୁଛ କର ? " 


କିଏ ଜଣେ ଲେଖିଛି , " ଭାବୁଛି ସାଇକେଲ୍ ଟିଏ କିଣିବି , ଏତେ ଡରିମରି କିଏ ବାଇକ୍ ଚଳାଇବ ମ ? " ଏମିତି କେତେ ପ୍ରକାରର ଅଦ୍ଭୁତ ମତସବୁ ସୋସିଆଲ୍ ମିଡିଆରେ ଘୁରିବୁଲୁଛି l


କେହିକେହି ଲେଖିଛନ୍ତି କେନ୍ଦ୍ରର ସ୍ୱାସ୍ଥ୍ୟ ସମ୍ୱନ୍ଧିୟ ଯୋଜନା ଆୟୁସ୍ମାନ୍ କୁ ଏ ଯାଏ ଆପଣାଇ ନଥିବା ରାଜ୍ୟ ସରକାର ଏଇ ସଂଶୋଧିତ ମୋଟର ଯାନ ଆଇନିକୁ କାହିଁକି ସଙ୍ଗେସଙ୍ଗେ ହଁ କଲେ ? କଣ କାଳିଆ ଯୋଜନାରେ ଯେଉଁସବୁ ଟଙ୍କା ବାଣ୍ଟିଥିଲେ ତାକୁ ଭରଣା କରିବାକୁ ଏଇ ଆଇନକୁ ମାଧ୍ୟମ କରିଛନ୍ତି କି ? ଯେଉଁଠି ବ୍ଲାକ୍ ରୋଜ ପରି ଜାହାଜ ବିନା କାଗଜ ପତ୍ରରେ କୋଟି କୋଟି ଟଙ୍କାର ଲୁହା ପଥର ନେଇଯାଏ, କାହା ଉପରେ ଫାଇନ୍ ହୁଏନି, କିନ୍ତୁ ଗୋଟିଏ ଅଟୋ ଉପରେ ୪୭,୫୦୦ ଟଙ୍କାର ଫାଇନ୍ କାଟିବାର ମାନେ କଣ ? 


ଆଉ କେହି ଲେଖିଛି - ଏଇ ଗରିବ ରାଜ୍ୟର ଜନତା ଟଙ୍କିକିଆ ଚାଉଳ ଏବଂ ପାଞ୍ଚ ଟଙ୍କିଆ ଡାଲମା ଭାତ ଉପରେ ନିର୍ଭର କରୁଥିବା ବେଳେ ତାଙ୍କ ଉପରେ ଏହି ନୂଆ ନିୟମ ଲଗାଇ ହଜାର ହଜାର ଟଙ୍କା ଆଦାୟ କରିବା କେତେଦୂର ଠିକ୍ ?


ସେମିତି ଆଉ କିଛି ପ୍ରଶ୍ନ ମଧ୍ୟ ଲୋକମାନେ କରିଛନ୍ତି ସରକାରଙ୍କୁ l ଯେଉଁ ସରକାର ୫ ହଜାର ଟଙ୍କିଆ ଚାକିରି ଖଣ୍ତେ ଶିକ୍ଷିତ ବେକାର ଯୁବକ ମାନଙ୍କୁ ଦେବାର କାଢ ରଖିପାରୁନି ସେଇ ସରକାର କେମିତି ସାଧାରଣ ଲୋକଙ୍କ ଠାରୁ ହଜାର ହଜାର ଟଙ୍କା ଜୋରିମାନା ଆଦାର କରୁଛି ? ମଦପିଇ ଗାଡି ଚଳାଇଲେ ୫ ହଜାର ଟଙ୍କା ଫାଇନ୍, ସେଇ ମଦ ନିଶାପାଇଁ କେତେ ହଣାକୁଟା ଗଣ୍ତଗୋଳ , ନାରୀଙ୍କ ସହିତ ଅସଦାଚରଣ ସହିତ ଦୁଷ୍କର୍ମ ଆଦି ଘଟଣା ଘଟୁଛି l ସେଇ ନିଶା ପାଇଁ କେତେ ପରିବାର୍ ବରବାଦ୍ ହେଇଯାଉଛି l ସରକାର ସେଥିପାଇଁ ସବୁ ମଦ ଦୋକାନ ବନ୍ଦକରି ନିଶାମୁକ୍ତ ଭାରତ କରିଦେଲେ କଥା ଶେଷ୍ l



Rate this content
Log in

Similar oriya story from Inspirational