STORYMIRROR

Lopamudra Parida

Inspirational

3  

Lopamudra Parida

Inspirational

ସଂପର୍କ

ସଂପର୍କ

2 mins
182

ଶୀତେଶ୍ ଫୋନ କରି ମତେ ସବୁ କହିଲା ଫ୍ଲରିଡାରୁ ।ସକାଳୁ କାଇଁ ତା ଘର ଫୋନ ଉତ୍ତର ଦେଉନି ବୋଲେ ଖୁବ୍ ବ୍ୟସ୍ତ ହେଲା । ତାକୁ ଆଶ୍ୱାସନା ଦେଇ ମୁଁ ସିଟୁ, ପିନୁ, ଅଙ୍କିତ, ମେଘାକୁ ଜଣେଇଲି ସାଙ୍ଗେ ସାଙ୍ଗେ । ଆମେ ସବୁ ପହଞ୍ଚିଲୁ ଅବିଳମ୍ବେ ବନ୍ଦନା ଆପାର୍ଟମେଣ୍ଟରେ ।ତଳେ ସିକ୍ୟୁରିଟି ସାଇନ୍ କରି ଲିଫ୍ଟରେ ଗଲୁ ଦ୍ୱିତୀୟ ତାଲା ଘର ନମ୍ବର ଦୁଇଶ ଚାରିକୁ ।ମଝି ମଝିଆ ଘରଟେ ।ଆଗରେ ପଛରେ କଡରେ ସବୁ ପଟେ ଅନେକ ଘର ।କବାଟ ଖଡ୍ ଖଡ୍ କରିବାର କିଛି କାରଣ ନଥିଲା ।ସିକ୍ୟୁରିଟି ପିଲାଟିକୁ ସାଙ୍ଗରେ ସବୁ କହି ଆଣିଥିଲୁ ।ମାଷ୍ଟର ଚାବିରେ ଘର ଦରଜା ଖୋଲି ଭିତରକୁ ଗଲୁ । ମେଡ୍ ଦୁଇଦିନରୁ ଆସି ନଥିଲା ବୋଲି ସିତେଶ୍ କହୁଥିଲା ।ସେଥିପାଇଁ ବୋଧହୁଏ ରୋଷେଇ ସିଙ୍କରୁ ଗଦା ଅମଜା ବାସନର ଗନ୍ଧ ଆସୁଥିଲା ।ଆମେ ଭିତର ପଟ ଘରକୁ ଗଲୁ ।ସବୁଆଡକୁ ଜଣେ ଜଣେ ।ଦୁଇ ବଖୁରିଆ ଫ୍ଲାଟ ।ଗୋଟେ ଘରେ ମାଉସୀ ଖଟ ଉପରେ ଶୋଇପଡିଥିଲେ ।ଅସୁସ୍ଥତା ନେଇ ସବୁବେଳେ ଥାଆନ୍ତି ।ନିଦ ଔଷଧରେ ବଞ୍ଚନ୍ତି ,ଖାଲି ପବନଟା ନାକଦେଇ ଚାଲେ ବୋଲି ।ଆମେ ମଉସାଙ୍କୁ ଖୋଜିଲୁ ।ସିଏ କୋଉଠି ଦିଶୁନଥିଲେ ।

ଏ ଘର ସେ ଘର ପରେ ହିଁ ଘରର ପରିଧି ଶେଷ ।ମେଘା କହିଲା, " ବାଥରୁମ ଦେଖ୍ " ।ଆମେ ବଡ ବଡ ସମସ୍ୟା ଆଗରେ ସାଧାରଣତଃ ଛୋଟ କଥା ସବୁକୁ ପାଶୋରି ଯାଉ ।ମୁଁ ଧାଇଁଲି ଆଉ ପେଲିଦେଲି ।ଭିତରୁ ବନ୍ଦ ଥିଲା ବାଥରୁମ ଦୁଆର ।କିଛି ଶବ୍ଦ ଫେରୁନଥିଲା ଆମେ ଯେତେ ଡାକିଲେ ବି ।ଭାଙ୍ଗିଦେଲୁ କବାଟ ।ଭିତରେ ଅଚେତ ଭାବେ ପାଇଲୁ ମଉସାଙ୍କୁ ।ତୁରନ୍ତ ମେଡିକାଲ ନେବା ବ୍ୟବସ୍ଥା କରି ବାହାରିଗଲୁ ଆମେ ତିନି ଜଣ ।ମେଘା ସେଠି ରହିଗଲା ମାଉସୀଙ୍କ ପାଖରେ ।ଘରକାମ ବି ଦେଖିବ ବୋଲି ।ସିକ୍ୟୁରିଟି ପିଲାଟି ଦୁନିଆ ସାହାଯ୍ୟ କଲା ।

ଏତେ ସବୁ ହୋ ହଲ୍ଲା ଭିତରେ ବି କେହି ଜଣେ ପଡୋଶୀ ଦିଶିଲେନି ।ଚାରିପଟର ଘର ସବୁ କାନ୍ଥକୁ କାନ୍ଥ ଲାଗିଥିଲେ ବି କାହାରି କାନ୍ଥ ଭେଦି ଶବ୍ଦ ଗଲାନି ।କେହି ଥରେ ଦୁଆର ଖୋଲି ଚାହିଁଲେନି ଯେ ଏକୁଟିଆ ରହୁଥିବା ଏ ବୟସ୍କ ରୁଗ୍ଣ ଦମ୍ପତିଙ୍କର ଘରେ କଣ ହେଉଛି ।ଆଶ୍ଚର୍ଯ୍ୟ ଥିଲୁ ଆମେ ।

ସହର କଣ ଗାଁ କଣ ।ମଣିଷ ଭିତରେ ଏବେ ଗୋଟେ କଥାର ଘୋର ଅଭାବ, " ସଂପର୍କ " ର, " ଆପଣାପଣ " ର " ଭଲପାଇବା " ର ମେଡିକାଲ ଦାଖଲ ସାରି ମୁଁ କିଛି ସଉଦା, ପରିବା ନେଇ ପୁଣି ସିତେଶ୍ ଘରକୁ ଫେରିଲି ।ହଠାତ୍ ତାଙ୍କ ଦୁଆରର ସାମ୍ନା ଦୁଆର ଖୋଲି ଆମରି ବୟସ ର ପିଲାଟିଏ ବାହାରକୁ ବାହାରୁଥିବା ଦିଶିଲା ।ମତେ ଏମିତି ଚାହିଁଲା ମୁଁ ଗୋଟେ ଏଲିଆନ ଯେମିତି ।ମଙ୍ଗଳାଗ୍ରହରୁ ଆସିଛି ।ଇଚ୍ଛା ତ ଥିଲା ପଚାରିବାକୁ, " ତମେ ସବୁ ମଣିଷ ତ ଏଇଠି ରୁହ ? " ହେଲେ ସିଏ ମତେ ଓଲଟା ପଚାରିଲା, " ଶେଷ ମାସେ ଉପରେ ହବ ଏଇ ଘରୁ ଜୋର୍ ଜୋର୍ କାଶ ଶବ୍ଦ ଶୁଭୁଥିଲା ।ଆଜି ସକାଳୁ ବନ୍ଦ ଅଛି ।ଓଃ ।ଶାନ୍ତି ।କାଶ ଠିକ୍ ହେଇଗଲା ମେ ବି ? "

ରାଗ ତ ଏତେ ଲାଗୁଥିଲା, କି ପଚାରିଥାନ୍ତି, " ଥରେ ଆଗରୁ କବାଟ ବାଡେଇ ପଚାରିଥିଲେ କଣ ଇଜ୍ଜତ ପଳେଇଥାନ୍ତା? ବେଦ ଅଶୁଦ୍ଧ ହେଇଯାଇଥାନ୍ତା? ଶୁଣୁଥିଲ ଯଦି କାଶ, ବୁଝିଲନି କିଏ ,କଣ ,କଷ୍ଟ କଣ ? କିଏ କଣ କାହାର କଷ୍ଟ ନେଇପାରେ, କିନ୍ତୁ ପାଖରେ ଠିଆ ହେଲେ ଭଲ କଥା ଦିପଦ କହିଲେ ପରା କେତେ ବଳ ।ଗଧ କୋଉଠିକାର । " କିନ୍ତୁ ଭାବିଲି, କାନ୍ଥରେ ମୁଣ୍ଡ ପିଟି କି ଲାଭ ଭଲା । ଜାଡା କାଲା ପରି ନିରୁତ୍ତର ପଶିଗଲି ।



Rate this content
Log in

Similar oriya story from Inspirational