ସଂଜୀବନୀ
ସଂଜୀବନୀ
ଚାରିଆଡେ ଖୋଜା ପଡିଛି ତାକୁ । ସମସ୍ତେ ଆତୁର ହୋଇ ଖୋଜୁଛନ୍ତି । ତା ବିନା ଅକାଳରେ ଚାଲି ଯାଉଛନ୍ତି ଶହ ଶହ ଅମୂଲ୍ୟ ଜୀବନ ।
କେତେ ଖୋଜିଲା ପରେ ତାକୁ ନ ପାଇ ମୁଁ ଥକି ପଡ଼ି ସବୁ ଆଶା ଛାଡି ଦେଲି ।
ନା ଆଉ ଖୋଜି ପାରିବିନି ।
ମୋ ଦେହରେ ବଳ କାଇଁ ଯେ ଖୋଜିବି । ଆଖି ମୁଦି ହୋଇ ଆସୁଛି । ସଂକ୍ରମିତ ଫୁସ୍ ଫୁସ୍ ଆଉ ବୋଧହୁଏ କେଇ ମିନିଟ ପରେ ବନ୍ଦ ହୋଇଯିବ । ଏ ସୁନ୍ଦର ଜୀବନ ମୋର ଶେଷ ହେବ । ମହା ଯାତ୍ରାରେ ମୁଁ ଚିର ବିଦାୟ ନେବି ।
ରହି ରହି ଶ୍ଵାସ କ୍ରିୟା ବହୁ କଷ୍ଟରେ ଚାଲୁଛି । ଅନ୍ଧାର ହୋଇ ଆସୁଛି ମୋ ଚାରି ପାଖ । ପୁଅ ଓ ସ୍ତ୍ରୀ ବି ସଂକ୍ରମଣ କବଳରେ ବନ୍ଦୀ । ସେମାନେ ଜୀବିତ କି ମୃତ ତା ବି ଜାଣିନି ।
କେତେ ସାବୁନ,ପରଫମ୍ୟୁ ଲଗାଇ ବାସୁଥିଲା ଏ ମୋ ଶରୀର । ସୁସ୍ୱାଦୁ ଭୋଜନ, ଦାମୀ ପୋଷାକରେ କି ସୁନ୍ଦର ଦିଶୁଥିଲା ମୋ ରୂପ । ଆଜି ଏମିତି ଅବସ୍ଥା ମୋର ଯେ କେହି ମୋ ପାଖ ମାଡୁ ନାହାନ୍ତି । ଅଛୁତ ପରି ଅପେକ୍ଷା କରିଛି ଭେଟିବାକୁ ମୃତ୍ୟୁକୁ ।
ଏବେ ଖୋଜୁଛି ତାକୁ । ଯାହାକୁ ଏଇ ହାତରେ ଲୋଭ ବଶବର୍ତ୍ତୀ ହୋଇ ନାଶ କରିଥିଲି । ବାପା ବାରଣ କରି କହିଥିଲେ, "ଏମିତି କରନି ରେ ଅଜୁ । ପଛରେ ପସ୍ତେଇବୁ । ମାଆ ବି କେତେ ନେହୁରା ହୋଇଥିଲା ନୃଶଂସ କାମ ନ କରିବାକୁ । କାହାର ବାରଣ କି ଅନୁରୋଧ ମୁଁ ଶୁଣିନଥିଲି । ନିଷ୍ଠୁର ଭାବେ କାଟି ଟିକ୍ ଟିକ୍ କରି ତଳେ ଗଡେଇ ଦେଇଥିଲି ସଭିଙ୍କୁ । ହା ହା ମୁଁ ଅଜୟ । ମୋ ଦ୍ୱାରା ସବୁ ସମ୍ଭବ । ଏଇ ଦେଖ କରିଦେଲି ଅସମ୍ଭବ କାମକୁ ସମ୍ଭବ ।
ସେଦିନ ଭାବିନଥିଲି ମୁଁ ଯା ପାଇଁ ବଞ୍ଚୁଛି ବା ବଂଛିବି ସେ ଏଇଠୁ ଆସେ, ଯାହାକୁ ନିର୍ଦ୍ଦୟ ଭାବେ ହତ୍ୟା କଲି । ସଫା କରିଦେଲି ସବୁ ।
ବାପାଙ୍କ ହାତ ଲଗା ଘର ପାଖ ଦୁଇ ଏକର ଜମି ଉପରେ ଠିଆ କେତୋଟି କୃତ୍ରିମ ଜଙ୍ଗଲ ଓ ଜଙ୍ଗଲିଆ ଅରମା ଗଛ ଗୁଡିକ ମଣିଷ ଲଗାଇ ଯନ୍ତ୍ର ଦ୍ୱାରା କଚ୍ କାଚ୍ କାଟି ଦେଇଗଲି । ଗଛ ଗୁଡିକ ଆର୍ତ୍ତନାଦ କରି ଅବେଳେ ଆଖି ବୁଜିଦେଲେ ମୋରି ଆଗରେ । ଦିନ କେଇଟାରେ ସବୁ ସଫା ହୋଇଗଲା । ଗୋଟିଏ ବି ଗଛ ରଖିଲି ନାହିଁ । ସେ ଜାଗାରେ ଠିଆ କରେଇଲି ମହଲା ପରେ ମହଲା କୋଠା । ଗୋଟେ ବ୍ୟାଙ୍କ, ଗୋଟେ ପାଉଁରୁଟି ଫାକ୍ଟ୍ରି,ଗୋଟେ ସପିଙ୍ଗ୍ ମଲ୍ ଓ ଛଅ ଜଣ ବଡ଼ ଅଫିସରଙ୍କୁ ଘର ତକ ଭଡାରେ ଦେଲି । ପ୍ରତି ମାସ ଶେଷରେ ମୋ ବ୍ୟାଙ୍କ ଖାତାକୁ ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ୍ ହୋଇ ଯାଉଥିଲା । ବ୍ୟାଙ୍କ ବାଲାନ୍ସ ବଢ଼ୁଥିଲା ସଞ୍ଜୟ ଖାତା ଅଙ୍କର ଡାହାଣ ପଟେ ଶୂନ ଗୋଟେ ଗୋଟେ ବଢ଼େଇ ।
ବାପାଙ୍କୁ ଦିନେ ପାସ୍ ବୁକ୍ ଦେଇ କହିଲି ଦେଖ ବାପା ଅରମା ଜଙ୍ଗଲ ହୋଇ ପଡ଼ିଥିବା ଜମି କେତେ ରୋଜଗାର ଦେଉଛି । ଏ ପାସ୍ ବୁକୄ ଏତେ ଟଙ୍କା ଦୁଇ ବର୍ଷ ଭିତରେ ଜମା ହେଲାଣି ଯେ ତୁମେ ହିସାବ କରି ପାରିବ ନାହିଁ । ତୁଚ୍ଛାଟାରେ ପଡିଥିବା ଜମିରୁ ଗଛବୃଛ କାଟିଦେଲା ପରେ କେତେ ମାଲାମାଲ୍ ହେଉଛି !!
ବାପା ଅତ୍ୟନ୍ତ କ୍ଷୋଭର ସହ କହିଥିଲେ, ଅଜୁରେ! ଆଜି ତୁ ଅର୍ଥାନ୍ଧ ହୋଇ ଯାଇଛୁ । ଭଲ କି ଭେଲ ବୁଝି ପାରୁନୁ । ଟଙ୍କା ଜୀବନ ବଞ୍ଚାଏନି ଧନ । ତୁ ଯାହାକୁ ତୁଚ୍ଛାଟାରେ ପଡିଥିଲା କହୁଛୁ ମୁଁ ସେଠି ଜୀବନ ପାଇଁ ଅମ୍ଳଜାନ ରୂପକ ପ୍ରାକୃତିକ ସଂଜୀବନୀ ସୃଷ୍ଟି କରୁଥିଲି । ଯାହାକୁ ଶ୍ୱାସକ୍ରିୟା କରି ଆମେ ବଞ୍ଚୁଛେ । ତୋ ଅପେକ୍ଷା ମୁଁ ଅଧିକ ରୋଜାଗର କରୁଥିଲି । ଫରକ୍ ଏତିକି ତୋ ରୋଜଗାର ମୋଟା ଅଙ୍କ ହୋଇ ଦିଶିଲା ବେଳେ ମୋ ରୋଜଗାର ପବନ ହୋଇ ଜୀବ ଓ ଜଗତର କଲ୍ୟାଣକାରୀ ହେଉଥିଲା । ଏବେ ସିନା ତୁ ବୁଝି ପାରୁ ନାହିଁ ସମୟ ଆସିବ ବୁଝି ପାରିବୁ ଯେ ନିଜ ଗୋଡ଼ରେ କେମିତି କୁରାଢ଼ି ମାରିଛୁ ।
ଏବେ ବାପା ନାହାନ୍ତି ସଶରୀରରେ କିନ୍ତୁ ତାଙ୍କ କଥା ମନେ ପଡୁଛି ଗୋଟି ଗୋଟି । ନିରାଟ ସତ କଥାଟିଏ କହିଥିଲେ ସେ । ବାପାଙ୍କ ହାତ ତିଆରି ଜଙ୍ଗଲ ଧ୍ୱଂସ କରି ମୁଁ ମୋ ସହିତ ସମଗ୍ର ଜୀଵ ଜଗତର ଅମଙ୍ଗଳ କଲି । ଅର୍ଥ ମୋହ ମୋତେ ବାଟ ବଣା କଲା । ଗଛ ମାନେ ସିନା ଲକ୍ଷ ଲକ୍ଷ ଟଙ୍କା ଦିଅନ୍ତି ନାହିଁ, କିନ୍ତୁ ବଞ୍ଚାନ୍ତି ଲକ୍ଷ ଲକ୍ଷ ଜୀବନ ଖାଦ୍ୟ, ବସ୍ତ୍ର, ବାସଗୃହ ଓ ବଞ୍ଚିବା ପାଇଁ ଅମ୍ଳଜାନ ଦେଇ । ମୁଁ କେତେ ମୂର୍ଖ ଥିଲି ସବୁଜ ଜଙ୍ଗଲ ଧ୍ୱଂସ ସ୍ତୁପ ଉପରେ କଂକ୍ରିଟ ଜଙ୍ଗଲ ଠିଆ କରେଇ ପୃଥିବୀ ମାଆକୁ ଶ୍ରୀହୀନ କରିଦେଲି !! ତା ସହ ନିଜ ଧ୍ୱଂସକୁ ବରଣ କଲି ! ଧିକ୍ ! ମୋ ମଣିଷ ଜନ୍ମ । କି ଅନ୍ଧାରରେ ଆଜି ଯାଏ ଥିଲି !
ବାପା ତୁମେ ସତ କହିଥିଲ, ଟଙ୍କା ଜୀବନ ବଂଚାଏନି । ବଂଚାଏ ଟିକେ ଅମ୍ଳଜାନ । ଏବେ ସଭିଙ୍କ ପାଖରେ ଟଙ୍କା ପ୍ରଚୁର ଅଛି କିନ୍ତୁ ଟଙ୍କା ବିନିମୟରେ ଅମ୍ଳଜାନ ଟିକେ ମିଳୁନି ।
ନିଜ ହାତରେ ତ ସବୁ ଶେଷ କରି ଦେଇଛି । ଏବେ ଯେତେ ମୁଣ୍ଡ କୋଡ଼ିଲେ କଣ ହେବ ? ଏ ମହାମାରୀ କବଳରୁ ବଞ୍ଚିଲେ ସିନା ନିଜ ଭୁଲର ପ୍ରାୟଶ୍ଚିତ କରିବି ! ପ୍ରଭୁ ମୋତେ ମୋ ଭୁଲ ସୁଧାରିବା ପାଇଁ ଗୋଟିଏ ମୌକା ଦିଅ ।
ଓଃ ଅମ୍ଳଜାନ ଟିକେ ଦିଅ । ଖୁବ୍ କଷ୍ଟ ନିଃଶ୍ୱାସ ନେବାରେ । ମରିଯିବି ଓଃ ରକ୍ଷା କର ।
ହେ ଅମ୍ଳଜାନ ତୁ ରାଗେନି । କୁଆଡେ ଅଛୁ ଆ । କଥା ଦେଉଛି ଗଛ ତ ଗଛ ପତ୍ରଟିଏ ବି ଛିଣ୍ଡେଇବିନି ଯଦି ବଞ୍ଚିଯାଏ ।
ଆଜି ଜୀବନ ମରଣ ସହ ଯୁଦ୍ଧ କଲା ବେଳେ ଅମ୍ଳଜାନ ଟିକେ ମିଳୁନି । ବାପା ତୁମେ ଖୁବ୍ ମନେ ପଡୁଛ । ମନେ ପଡୁଛି ତୁମ ପ୍ରତିଟି ନିରାଟ ସତ୍ୟ କଥା । ଏବେ ମୁଁ ମୋ ଭୁଲ ବୁଝି ପାରିଛି । ଯଦି ମୃତ୍ୟୁ ମୁହଁରୁ ବର୍ତ୍ତିଯାଏ ତେବେ କଥା ଦେଉଛି ବାପା ଏ ସୁନ୍ଦର ପୃଥିବୀକୁ ଓ ଏହାର ଜୀଵ ଜଗତ ପାଇଁ ମୁଁ ଗଛ ଲଗାଇବି, ଜଙ୍ଗଲ କରିବି ।
ଈଶ୍ୱର ବୋଧହୁଏ ମୋ ଡାକ ଶୁଣି ପାରିଲେ । ମୁଁ ସମ୍ଭାବ୍ୟ ମୃତ୍ୟୁ ମୁଖରୁ ବଞ୍ଚିଗଲି । ଏବେ ମୋର କେବଳ ଗୋଟିଏ ଲକ୍ଷ୍ୟ, ପୃଥିବୀକୁ ସବୁଜ କରିବି । ଯେତେ ଯୁଆଡେ ଖାଲି ଜାଗା ଅଛି ସବୁଠାରେ ଗଛ ହିଁ ଲଗାଇବି । ପ୍ରାକୃତିକ ଅମ୍ଳଜାନରେ ଭରିଯିବ ପୃଥିବୀ ଘର । ଜୀଵ ଜଗତ ଅମ୍ଳଜାନ ରୂପକ ସଂଜୀବନୀ ପାଇ ଖୁସିରେ ବଞ୍ଚିବେ ।
ଲୋକେ ମୋ କାମ ଦେଖି କହୁଥିଲେ ଅଜୟ ବାବୁଟା କରୋନାରୁ ବଂଚିଗଲେ ସିନା ହେଲେ ପାଗଳ ହୋଇ ଯାଇଛନ୍ତି । ଦେଖୁନ ଲକ୍ଷ ଲକ୍ଷ ଟଙ୍କାର ଗଛ ଆଣି ସବୁ ଫାଙ୍କା ଜାଗାରେ ଲଗାଉଛନ୍ତି । ମସ୍ତିଷ୍କ ବିକୃତ ହୋଇ ଯାଇଛି ଅଜୟ ବାବୁଙ୍କର । ନଚେତ୍ ଏତେ ଟଙ୍କା ପାଣିରେ ପକାନ୍ତେ!
ମୁଁ ଲୋକଙ୍କ କଥା ଶୁଣି ହସି କୁହେ, ହଁ ମୁଁ ପାଗଳ ହୋଇ ଯାଇଛି । ତୁମେମାନେ ବି ମୋ ପରି ପାଗଳ ହୁଅ । ନିଜକୁ ଧ୍ୱଂସ ମୁଖରୁ ବଞ୍ଚାଅ । ଅମ୍ଳଜାନ ରୂପି ସଂଜୀବନୀ ପାଇବାକୁ ହେଲେ ଯିଏ ଯୁଆଡେ ପାଉଛ ଗଛ ଲଗାଇ ଯାଅ ।
ଆରେ ସତେ ତ । ଅଜୟ ବାବୁ ସତ କହୁଛନ୍ତି । ଆସ ସଂଜୀବନୀ ଉତ୍ପାଦନ କରିବା ପାଇଁ ବୃକ୍ଷ ରୋପଣ କରିବା । ସବୁଜିମାରେ ଭରିଯିବ ପୃଥିବୀ ।
ଅଜୟ ବାବୁ ସମେତ ଅବୋଧ ମଣିଷ ମାନଙ୍କ ଜୀବନରେ ଫିଟି ଆସୁଥିଲା ନୂତନ ଚେତନାର ସୁନ୍ଦର ସକାଳଟିଏ ।
