Dharitri Das

Tragedy Inspirational

4.3  

Dharitri Das

Tragedy Inspirational

ସ୍ନେହିପୁତ୍ର

ସ୍ନେହିପୁତ୍ର

3 mins
203



      ଦୁଇ ବାପ ଦାଦି,ପାଞ୍ଚ ପିଉସୀ, ପାଞ୍ଚ ମାଉସୀଙ୍କର ପ୍ରଥମ ପୁତ୍ର ସନ୍ତାନ ଥିଲା ଜିତୁ। ସେଥିପାଇଁ ସିଏ ସମସ୍ତଙ୍କର ଅତିପ୍ରିୟ ସ୍ନେହିପୁତ୍ର ଥିଲା। କେହି ତା ଉପରେ ଧୂଳି ଟିକେ ପଡ଼ିବାକୁ ଦେଉନଥିଲେ। ସଭିଙ୍କର ସେ ଥିଲା ଗଳାର ମାଳି। ଦୁଃଖୀ ଶଙ୍ଖାଳି ଏମିତି ଯେତେ ଯାହା କହିଲେ ବି କମ ହେବ । 

    ଟିକେ ଟିକେ କଥାରେ ରାଗିଯିବାଟା ତାର ଅଭ୍ୟାସ ଥିଲା। ମାଆ ପାଖରେ ରାଗିଗଲେ ପିଉସୀ ପାଖକୁ ଚାଲି ଯାଉଥିଲା। ଆଜି ଏ ପିଉସୀ ତ କାଲି ସେ ପିଉସୀ। ତାପରେ ପୁଣି ଆଜି ଏ ମାଉସୀ ତ କାଲି ସେ ମାଉସୀ।ଏମିତି ସଭିଙ୍କ ପାଖରେ ତାର ଅଳି ଅର୍ଦ୍ଦଳି ଥିଲା। ଏତେ ସ୍ନେହୀ ହୋଇ ଯାଇଥିଲା ଯେ ପାଠ ଶାଠ ପଢିବା ତାଦ୍ୱାରା ସମ୍ଭବ ହୋଇନଥିଲା। ଖାଲି ଗେଲ ବସରରେ ଖାଇ ପିଇ ମସ୍ତି କରିବାରେ କଟିଥିଲା। ଏମିତି କି ବାପ ଦାଦି ବି ତାକୁ କୌଣସି କଥାରେ ଆକଟ କରୁ ନଥିଲେ।

      ପିଲାଟିକୁ ସ୍ନେହ କରୁ କରୁ ଯେ ତାର ଭବିଷ୍ୟତ ନଷ୍ଟ କରିଦିଆଗଲା ଏକଥା ସଭିଏଁ ଭୁଲି ଯାଇଥିଲେ। ସେଥିପ୍ରତି କାହାର ବି ନଜର ନଥିଲା। ଏହିପରି ଭାବେ ଜିତୁକୁ ତିରିଶ ବର୍ଷ ବୟସ ହେଲା ହେଲେ ସେ ସେହି ଭଳି ଗେଲ ବସରରେ ରହି କିଛି ରୋଜଗାର କରିବାକୁ ବି ପସନ୍ଦ କଲାନାହିଁ।ସେ ଏତେ ଜିଦିଆ ହୋଇ ଯାଇଥିଲା ଯେ ତାକୁ କେହି ବି କିଛି କହିବାକୁ ଡରୁଥିଲେ। 

      ତାର ସାନ ବାପା ଭାବିଲେ ଜିତୁକୁ ବିବାହ ବନ୍ଧନରେ ବାନ୍ଧିଦେଲେ ହୁଏତ ତାର କିଛିଟା ପରିବର୍ତ୍ତନ ହୋଇପାରେ। ତେଣୁ ସେ ଚିନ୍ତା କଲେ ଏକ ଦୁଃଖୀ ସୁଖୀ ମଧ୍ୟବିତ୍ତ ପରିବାରର ସୁଗୁଣ ସମ୍ପନ୍ନ ଝିଅ ଦେଖି ବିନା ଯୌତୁକରେ ତାର ବିବାହ କରାଇବେ ଏବଂ ସେ ଝିଅ ଯେପରି ଜିତୁକୁ ବେଖାତିରି ନକରି ତାକୁ ବାଟକୁ ଆଣିବାକୁ ଚେଷ୍ଟା କରିବ।

     ତାହାହିଁ ହେଲା । ଝିଅ ଖୋଜା ପର୍ବ ଚାଲିଲା। ଯୋଗକୁ ଇଚ୍ଛା ମୁତାବକ ଝିଅଟିଏ ପାଇଗଲେ। କିଛି ନ ଲୋଡ଼ି ଜିତୁକୁ ବିବାହ କରାଇ ଦେଲେ। ଜିତୁ ବି ସେ ଝିଅକୁ ପାଇ ବେଶ୍ ଖୁସି ଥିଲା। ଧୀରେ ଧୀରେ ନିଜକୁ ପରିବର୍ତ୍ତନ କରିବାକୁ ଚେଷ୍ଟା ମଧ୍ୟ କରୁଥିଲା। ହେଲେ ତାର ଜିଦଖୋର୍ ନିତି ଯାହାକି ଦୀର୍ଘ ତିରିଶ ବର୍ଷ ହେଲା ଅଭ୍ୟସ୍ତ ହୋଇ ସାରିଥିଲା ତାହାକୁ ସେ ଏତେ ଶୀଘ୍ର ତ୍ୟାଗ କରିପାରିବ ବା କିପରି?

       ହଠାତ୍ ବିବାହର ମାତ୍ର ଚାରିମାସ ଯାଇଛି କି ନାହିଁ କ'ଣ ଟିକିଏ କଥା କଟାକଟି ମାଆ ପୁଅଙ୍କ ମଧ୍ୟରେ ହେଲା ଯେ ଜିତୁ ସଙ୍ଗେ ସଙ୍ଗେ ଯାଇ ବିଷପାନ କରି ଦେଇଥିଲା। ଏକଥା ଦେଖି ତା ସ୍ତ୍ରୀ ଓ ପରିବାରର ଅନ୍ୟ ମାନେ ଅସ୍ତବ୍ୟସ୍ତ ହୋଇ ଡାକ୍ତରଙ୍କ ପାଖକୁ ତତକ୍ଷଣାତ୍ ନେଇଗଲେ। ଚିକିତ୍ସା ମଧ୍ୟ ଠିକ୍ ସମୟରେ ଚାଲିଲା।ହେଲେ ସମୟର ଖେଳ ବଡ଼ ବିଚିତ୍ର। କାଳ କେତେବେଳେ କେଉଁ ରୂପରେ କାହାକୁ ଛୁଇଁବ ସେ କଥା କିଏ କହି ପାରିବ।

      ଦୁଇଦିନ ପରେ ଭେଣ୍ଡା ପୁଅଟା ଶବ ପାଲଟି ଯିବା କଥା ଶୁଣି କାହାରି ବିଶ୍ୱାସ ହେଉ ନଥାଏ ।ମାତ୍ର କ'ଣ ବା କରାଯିବ ଯାହା ସତ ତାହାକୁ କିପରି ଅନ୍ୟଥା କରାଯିବ।ବାପ,ଦାଦି, ପିଉସୀ,ପିଉସା, ମାଉସୀ, ମଉସା ସଭିଙ୍କ ମୁଣ୍ଡରେ ବଜ୍ର ପଡିଗଲା।ଯେଉଁ ପୁଅ କାନ୍ଧରେ ସେମାନେ ବୁହା ହୋଇ ଶ୍ମଶାନକୁ ଯାଇଥାନ୍ତେ ଆଜି ସେହି ପୁଅକୁ କାନ୍ଧରେ ବହି ଶ୍ମଶାନକୁ ଯିବାକୁ ପଡିଥିଲା ସେମାନଙ୍କୁ।

     ବହିଗଲା ପାଣି ଉପରକୁ ଫେରି ଆସେନି। ସେହିପରି ଯିଏ ଗଲା ସେ ତ ଆଉ ଫେରିବନି । ମାତ୍ର ସଭିଏଁ ଆଜି ଅନୂତପ୍ତ କାରଣ ସଭିଏଁ ଏବେ ଚିନ୍ତା କରୁଛନ୍ତି ଯେ ସେମାନଙ୍କର ସ୍ନେହ ଏବଂ ତାର ଜିଦ୍ ଆଗରେ ହାର ମାନିବାର ଅଭ୍ୟାସ ହିଁ ଆଜି ତାକୁ ଏପରି ଏକ ବାଟ ବାଛିବାକୁ ବାଧ୍ୟ କରିଥିଲା।

      ବହୁ ଦୁଃଖ ଦୁର୍ଦ୍ଦିନ ମଧ୍ୟରେ ସଭିଏଁ ତାର କ୍ରିୟା କର୍ମ ଶେଷ କଲେ। କ'ଣ ବା କରିଥାନ୍ତେ।ବିଧିର ବିଧାନ ସାଙ୍ଗକୁ ସମାଜର ନିୟମ ତ ମାନିବାକୁ ପଡ଼ିଥିଲା।ଏଣୁ ସଦ୍ୟ ବିବାହିତା ବୋହୁଟିକୁ ବିଧବା ହେବାକୁ ପଡ଼ିଲା। ତେଣୁ ପରିବାରର ଦୁଃଖ ଦ୍ଵିଗୁଣିତ ହୋଇଗଲା। ଯିଏତ ଗଲା ଗଲା ଯିଏ ଅଛି ତା ପାଇଁ କ'ଣ କରାଯିବ ସେ ଚିନ୍ତା ସଭିଙ୍କ ହୃଦୟକୁ ଆନ୍ଦୋଳିତ କରୁଥିଲା।

     କିଛଦିନ ଗଲା ପରେ ସଭିଏଁ ତା ବାପଘର ଲୋକଙ୍କୁ ଡାକି ଆଲୋଚନା କଲେ ଯେହେତୁ ବୋହୁଟିକୁ ମାତ୍ର ଏକୋଇଶି ବର୍ଷ ବୟସ ତେଣୁ ସେ ତ ସାରା ଜୀବନ ଏକୁଟିଆ ରହିବନି। ତେଣୁ ତା ପାଇଁ କିଛି ବ୍ୟବସ୍ଥା କରିବାକୁ ହେବ। ସେଥିପାଇଁ ସେମାନେ ସ୍ଥିର କଲେ ଏକ ବର ପାତ୍ର ଦେଖି ତା'ର ବିବାହ କରାଇବାକୁ।

     ସତକୁ ସତ ଏକ ସୁନ୍ଦର ବରପାତ୍ର ଠିକ୍ ହେଲା। ଜିତୁର ବାପା ଓ ଦାଦା ଜିଦ୍ କଲେ ସେମାନେ ତାକୁ ବେଦୀରେ ବସି ବିବାହ କରାଇ ଦେବେ। ତାହାହିଁ ହେଲା। ଏକଥା ଶୁଣି ସାମ୍ବାଦିକ ମାନେ ଆସି ପହଞ୍ଚିଗଲେ।ଜିତୁର ବାପା ଓ ଦାଦାଙ୍କର ନାମ ଖବର କାଗଜର ପୃଷ୍ଠା ମଣ୍ଡନ କଲା। ସାରା ଦେଶରେ ସେହି ପରିବାରର ଭୂରି ଭୂରି ପ୍ରଶଂସା ଚାଲିଲା। ଯେଉଁ ପୁଅଟି ବିବାହ କଲା ତାର ମଧ୍ୟ ପ୍ରଶଂସା କରାଗଲା। ଏ ଘଟଣା ଓଡ଼ିଶା ଇତିହାସରେ ଲିପିବଦ୍ଧ ହୋଇ ରହିଗଲା।

     ସାମ୍ବାଦିକ ମାନଙ୍କ କ୍ୟାମେରା ସାମନାରେ ଛିଡା ହୋଇ ତାର ବାପା ଓ ଦାଦା କହିଥିଲେ" ହେ ଦୁନିଆର ବାପା, ମାଆ, ପିଉସୀ, ପିଉସା, ମାଉସୀ,ମଉସା ମାନେ ସଭିଙ୍କୁ ନିବେଦନ ପିଲାମାନଙ୍କୁ ସ୍ନେହ କର ମାତ୍ର ଭିତରେ ଉପରେ ନୁହଁ।ପିଲା ତା ଜୀବନରେ କାହାକୁ ନା କାହାକୁ ମନ ମଧ୍ୟରେ ଡରିବା ଉଚିତ୍, ମାନିବା ଉଚିତ, ସଭିଙ୍କୁ ଭକ୍ତି କରିବା ଉଚିତ୍,ନମ୍ର ହେବା ଉଚିତ୍ ଇତ୍ୟାଦି ଗୁଣକୁ ତାକୁ ଶିକ୍ଷା ଦେବା ନିହାତି ଜରୁରୀ। ଏସବୁ ପ୍ରତି ଧ୍ୟାନ ନଦେଲେ ଆପଣମାନଙ୍କୁ ମଧ୍ୟ ଆମ ପରି ପୁତ୍ରର କ୍ରିୟାକର୍ମ ନିଜ ହାତରେ କରିବାକୁ ହେବ"। ଏତିକି କହିବା ସଙ୍ଗେ ସଙ୍ଗେ ସେମାନଙ୍କ ଆଖିରୁ ଲୋତକ ବର୍ଷା ବହିଯାଇଥିଲା। ମୋ କଥାଟି ଏତିକି ଫୁଲ ଫୁଟେ କେତକୀ।


Rate this content
Log in

Similar oriya story from Tragedy