Biswaranjan Mohanty

Tragedy

4.0  

Biswaranjan Mohanty

Tragedy

ସମୟର ପଶାପାଲି

ସମୟର ପଶାପାଲି

5 mins
208



     

ସମୟର ପଶାପାଲି ବଡ଼ ବିଚିତ୍ର...... 

କେତେବେଳେ ମଣିଷ ସମୟର ପାଖୁଡାକୁ ହସଖୁସିରେ ନିଜ ଆଡକୁ ଟାଣି ଆଗକୁ ଆଗେଇ ଯାଏ... ତ ଆଉ କିଏ ସେଇ ପାଖୁଡା ଦେଖିଲେ ଡରିଯାଏ l କାଳେ ସେଇ ପାଖୁଡା ଭିତରେ ଛପି ରହିଥିବା ସମୟ..... ଓହଃ.... କି ଯନ୍ତ୍ରଣା.... ଆଉ ସେ ଭୟାବହ ସେ ପାଖୁଡାକୁ ଆଉ ସେ ସମୟ l ଆଜିର ଦିନ କାଲିକୁ ନଥାଏ l ସମୟ, ବୟସ, ଆଉ ମନ ରଥାରୁଢ଼ ଚକ୍ର ଭାବରେ ଗତି କରୁଥାଏ l ଆମେ ଭାବୁ ଆମେ ସବୁ କରିଦେବା କିନ୍ତୁ ସମୟ ସେୟା କରିବାକୁ ଦେଇ ନଥାଏ l ନିୟତିର ନିୟମାନୁଯାୟୀ ଆମେ କର୍ମ କରିଥାଉ l 


  ମନେପଡେ ସେଦିନର କଥା l ମଦନର ଅଭୁଲା ଅତୀତ, ମଦନ ରାଉରକେଲାରେ ତା ବାପା, ବୋଉଙ୍କ ପାଖରେ ଥାଏ l ଦଶମ ପରୀକ୍ଷା ଦେଇ ଗାଆଁ ରୁ ଫେରିଥାଏ l ମଦନ କୁ ପାଟିତୁଣ୍ଡ, ଗଣ୍ଡଗୋଳ ଭାରି ଡର l ସେ ସବୁକୁ ସହ୍ୟ କରିପାରେନି l ସ୍କୁଲ ଜୀବନ ଅତିବାହିତ ହେଲାପରେ ତା ପାଖରେ କିଛି କରିବାକୁ ନଥାଏ l ସମୟ ତ କଟିବା ଦରକାର ଘରେ ବସିକି ଭଲ ଲାଗେନି l କଣ ବା କରିବ ବାହାରେ ଯାଇ ବୁଲାବୁଲି କଲେ ତା ବାପା ପ୍ରାୟ ବିରକ୍ତି ପ୍ରକାଶ କରନ୍ତି l ତାଙ୍କର ସେ ବିରକ୍ତି ଭାବକୁ ମଦନ ସହଜରେ ଗ୍ରହଣ କରିପାରେନି, ମନରେ ବିତୁଷ୍ଣା ଭାବ ଜାଗ୍ରତ ହୁଏ l 

ମଦନ ମନରେ ଭାବେ ମୋତେ ବୋଧେ ବାପା ଭଲ ପାଉନାହାନ୍ତି ସେଥିପାଇଁ ମୋ ଉପରେ ସଦା ସର୍ବଦା ବିରକ୍ତି ହେଉଛନ୍ତି l କିନ୍ତୁ ମଦନର ବୁଝିବା ଭୁଲ ଥିଲା ତା ବାପାଙ୍କୁ, ତା ବାପା ଚାହୁଁଥିଲେ ସେ କେମିତି ସମାଜରେ ଭଲ ମଣିଷଟିଏ ହେବ l କିନ୍ତୁ ମଦନର ତା ବାପାଙ୍କ ଭାବନା ବୁଝିବା ତା ପକ୍ଷରେ ସହଜ ନଥିଲା l 


   ଦିନେ ଏମିତି ସମୟ ଆସିଲା ମଦନ ଘର ଛାଡି ପଳେଇଲା l ଘରେ ବାପାଙ୍କ ଉପରେ ବିତୁଷ୍ଣା ଭାବ, ଦେହରେ ଖଣ୍ଡିଏ ପ୍ୟାଣ୍ଟ ଶାର୍ଟ, ପକେଟରେ ୧ ଟଙ୍କା ବି ନଥାଏ l ଦୁଇପାଖରେ ଲାଗିଥିବା ଷ୍ଟ୍ରିଟ ଲାଇଟରେ ଝାପ୍ସା ଆଲୁଅର ଅଙ୍କାବଙ୍କା ରାସ୍ତାରେ ଚାଲିଚାଲି ପାଦ ଆଗକୁ ଦ୍ରୁତଗତିରେ ବଢା଼ଉଥାଏ l ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା କୁଆଡେ ଯିବି... କଣ କରିବି... ଇତ୍ୟାଦି ଇତ୍ୟାଦି.... 


ରାତ୍ରି ସମୟ....  

    ଚାଲିଚାଲି ଯାଇ ବସଷ୍ଟାଣ୍ଡ ରେ ପହଞ୍ଚିଲା l ଗମ ଗମ ଝାଳ ବୋହିଯାଉଥାଏ l ବସ ଷ୍ଟାଣ୍ଡ ର ପିଣ୍ଡି ଉପରେ ଥକା ମାରି ବସିପଡିଲା l କିଛି ସମୟ ପରେ ଜଣେ ବସ ହକର ତାକୁ ନିରୀକ୍ଷଣ କରି ଆସି ପଚାରିଲା ବାବୁ କୁଆଡେ ଯିବ, ଟିକଟ କରିଛ ନା କରିବ l ମଦନ ତା ମୁହଁକୁ ଚୁପଚାପ ଅନେଇ ରହିଲା ଓ କିଛି ସମୟ ପରେ କହିଲା ମୁଁ କଟକ ଯିବି l କିନ୍ତୁ ମୋ ପାଖରେ ପଇସା ନାହିଁ l ସେ ହକର କଣ କହିବ... କଣ କରିବ ଚିନ୍ତା କରି ଯାଇ ବସର  କଣ୍ଡକ୍ଟର କୁ କହିଲା l କଣ୍ଡକ୍ଟର ତା ପାଖକୁ ଆସି କହିଲେ ତୁମେ କଟକ ଯିବ କିନ୍ତୁ କଟକରୁ କେମିତି ଆସିଲ କଣ ପାଇଁ ଆସିଲ କଣ୍ଡକ୍ଟର ଙ୍କ ଏତେ ଗୁଡ଼ାଏ ପ୍ରଶ୍ନର ସାମ୍ନା କରିବାକୁ ମଦନର ସାହସ ନଥିଲା l 


  ତଥାପି ମଦନ ଲକ୍ଷ୍ୟ ଥିଲା କେମିତି ଯାଇ କଟକରେ ପହଞ୍ଚିବ, ସେ ମିଥ୍ୟାର ଆଶ୍ରୟ ନେଲା କହିଲା କଟକ ହେଉଛି ମୋ ଘର, ରାଗିକି ପଳେଇ ଆସିଛି l ଦୟାକରି ମୋତେ ଟିକେ କଟକରେ ପହଞ୍ଚାଇ ଦିଅ l ମୋର ଘର କଥା ଭାରି ମନେ ପଡୁଛି l କଣ୍ଡକ୍ଟର... କିଛି ସମୟ ପରେ କହିଲେ ଏଇଠି ବସିଥାଅ ବସ ଛାଡିଲେ ଡାକିଦେବି ଯିବ l କଟକ ଯିବା କଥା ଶୁଣି ମଦନ ମନରେ ନୂଆ ଆଶା, ଆକାଂକ୍ଷା, ଖୁସିର ଉନ୍ମାଦନା ର ଲହରୀ ଖେଳିଗଲା l ମନରେ ଅନେକ ସ୍ବପ୍ନ ଭାବିଦେଲା l କଟକରେ ରହିବ.... କାମ କରିବ..... ପଇସା ରୋଜଗାର କରିବ ମନରେ ଅନେକ ଆଶା ବାନ୍ଧିଥାଏ l ବସରେ ବସି ସ୍ୱପ୍ନରେ ବିଭୋର ହୋଇଗଲା l 


  ଭୋର ୫ଟା କଟକ ଭିତର କୁ ପ୍ରବେଶ କଲାବେଳେ ହେଲ୍ପର ଜୋର ପାଟିରେ ଚିତ୍କାର କରି ଡାକିବାକୁ ଲାଗିଲା କଟକ.... କଟକ... କଟକ... ବାଦାମବାଡ଼ି.... ଯିଏ ଓଲ୍ହେଇବ ଆସ l ହେଲ୍ପର ର ଚିତ୍କାରରେ ମଦନ ର ନିଦ ଭାଙ୍ଗିଗଲା l ବସ ରୁ ଓଲ୍ହାଇ ଚିନ୍ତା କଲା କୁଆଡେ ଯିବ l ମନରେ ଆସିଲା କଟକରେ ମଙ୍ଗଳାବାଗରେ ତାର ଦାଦା, ଖୁଡି ରହୁଥାନ୍ତି l ମଦନ ଠିଆ ହୋଇ ଭାବୁଥାଏ ଯିବ କି ନାହିଁ l ଭାବିଲା ସମୟରେ ଗୋଟେ ରିକ୍ସାଵାଲା ତା ରିକ୍ସା ଅଟକାଇ ପଚାରିଲା ବାବୁ କୁଆଡେ ଯିବ ଛାଡ଼ିଦେବି l ମଦନ ଏକ ଦୀର୍ଘନିଶ୍ବାସ ପକାଇ କହିଲା ମଙ୍ଗଳାବାଗ ଯିବ କେତେ ନେବ l ରିକ୍ସାଵାଲା କହିଲା ବାବୁ ୫ ଟଙ୍କା ଦେବ ମଦନ ହଉ ଚାଲ କହି ରିକ୍ସାରେ ବସିଗଲା l ରିକ୍ସା ତାର ଆଗକୁ ଆଗକୁ ଦୋଳମୁଣ୍ଡାଇ, ବଜ୍ରକବାଟି, ରାଣୀହାଟ ଦେଇ ଅତିକ୍ରମ କଲା l ଶେଷରେ ମଙ୍ଗଳାବାଗ ଦାଦାଙ୍କ ଘର ସାମ୍ନାରେ ଯାଇ ଅଟକିଲା l ଭୋରୁ ଭୋରୁ ଖୁଡି ଦାଣ୍ଡ ଓଳାଉଥାନ୍ତି, ଖୁଡି ମଦନ କୁ ଆଶ୍ଚର୍ଯ୍ୟ ଚକିତ ହୋଇ ପଚାରିଲେ ଆରେ ତୁ କୁଆଡେ କଣ ଏକା ଆସିଛୁ !

ମଦନ ଆଉ ଏକ ଦୀର୍ଘନିଶ୍ବାସ ପକାଇ କହିଲା ହଁ ମୁଁ ଘର ଛାଡି ପଳେଇ ଆସିଛି l ଏ କଥା ଶୁଣି ଖୁଡି କହିଲେ ହଉ ଘରକୁ ଯା l 


  ସେ ଘରକୁ ଆସିଲା, ଖୁଡି ରିକ୍ସାବାଲାକୁ ପଇସା ଦେଇ ପଠେଇଦେଲେ l 

ଏମିତି ସମୟ ୩ ଘଣ୍ଟା ଅତିବାହିତ ହୋଇଗଲା l ସକାଳ ୮ ଟା ହେବ ଦାଦା କହିଲେ ମଦନ ଯାଇ ସ୍ନାନ ସାରିଦେ ଭଲ ଲାଗିବ, ମଦନ ତାର ନିତ୍ୟକର୍ମ ସାରି ଠାକୁରଙ୍କ ନିକଟରେ ନତମସ୍ତକ କରି ପ୍ରଣିପାତ ହେଲା l ଦାଦା ମଦନ କୁ କହିଲେ ଆରେ ତୁ ଘର ଛାଡି ପଳେଇ ଆସିଲୁ ସେପଟେ ବାପା, ବୋଉ ଖୋଜୁଥିବେ ତା ପରେ ତୋର ପାଠ ପଢା କଣ କରିବୁ !ମଦନ ତାର ପ୍ରତିଉତ୍ତରରେ କହିଲା ମୁଁ କାମ କରିବି l ଆଉ ପାଠ ପଢ଼ିବି ନାହିଁ l 


 ଦାଦା ଆଉ କିଛି ନ କହି ଖୁଡିଙ୍କୁ କହିଲେ ଆରେ ମଦନ କୁ କଣ ଖାଇବାକୁ ଦିଅ ତାକୁ ଭୋକ ହବଣି ପରା 

ଖୁଡି ପଚାରିଲେ.... କଣ ଖାଇବୁ ? 

ମଦନ କହିଲା... ପଖାଳ ଅଛି 

ଖୁଡି କହିଲେ.... ହଁ ଅଛି,ମଦନ କହିଲା ତାହେଲେ ମୋତେ ପଖାଳ ଦିଅ ।

ଖୁଡି ଚିନ୍ତାକଲେ ପଖାଳ ସାଙ୍ଗରେ କଣ ଦେବେ, ଆଳୁ ସିଝାଇ ଆଳୁ ଭର୍ତ୍ତା,... ବଡ଼ିଚୁରା... ତା ସାଙ୍ଗରେ ବାଇଗଣ, ଟମାଟୋ ପୋଡା....  ମଦନ ଖାଇ ସାରି କହିଲା,ଓହଃ କି ଶାନ୍ତି ଆତ୍ମତୃପ୍ତି ହୋଇଗଲା l ତା ପରେ ପ୍ୟାଣ୍ଟ ଶାର୍ଟ ପିନ୍ଧି ମଦନ ତାର ଆରମ୍ଭ କଲା ସଂଘର୍ଷ ମୟ ଯାତ୍ରା l 

 

ଜୀବନ ସଂଘର୍ଷର ସମାହାର l ହାର ଜିତର ଖେଳ, ସଂଘର୍ଷ ବିନା ଜୀବନର ମାନେ କିଛି ନାହିଁ l ଯିଏ ସଂଘର୍ଷ କରିଛି ସେ ଜାଣିଛି ଜୀବନର ମୂଲ୍ୟ l କିଏ ସଂଘର୍ଷ କରେ ପେଟର କ୍ଷୁଧା ମେଣ୍ଟେଇବା ପାଇଁ ତ କିଏ ଧନ ସମ୍ପତ୍ତି ପାଇଁ l 

ଶିଶୁଟିଏ ମାତୃ ଗର୍ଭରେ ସଂଘର୍ଷ କରେ ଦୁନିଆର ନୂତନ ଆଲୋକର ସ୍ପର୍ଶ ପାଇଁ... ଜନ୍ମ ମାତ୍ରେ ହିଁ ସଂଘର୍ଷ  l

ଦାଦା ପଚାରିଲେ,କୁଆଡେ ଯାଉଛୁ... 

ମଦନ କହିଲା  ... କାମ ଅନ୍ୱେଷଣ କରିବା ପାଇଁ..... 


  ସମୟ ପ୍ରାୟ ସକାଳ ୯ ଟା ୩o ହେବ ମଙ୍ଗଳାବାଗ ରୁ ତାର ଯାତ୍ରା ଆରମ୍ଭ ହେଲା l ପକେଟରେ ଦଶ ଟଙ୍କା ନେଇକି ଯାଇଥାଏ l ପାଦରେ ତାର ସ୍ପଞ୍ଜ ସ୍ଲିପର ଥାଏ l କାମ କରିବାର ଇଛାଶକ୍ତି ଓ ଏକାଗ୍ରତା ପାଦ ବଢ଼େଇବାରେ ସହାୟକ ହୋଇଥାଏ l 

ମଙ୍ଗଳାବାଗ ରୁ ପ୍ରତ୍ୟେକ ଦୋକାନରେ ପଚାରି ବୁଝିଲା......... 

ଆଜ୍ଞା... କାମ ମିଳିବ ? 

      ସେପଟୁ ଉତ୍ତରରେ ଆସେ ନା କାମ ନାହିଁ.... 

ଆଗକୁ ବଢିଚାଲେ ତାର ପାଦ ମନରେ ଅସୁମାରୀ ସ୍ବପ୍ନ  !

ହାରିବାକୁ ପଛରେ ପକାଇ ଜିତିବାକୁ ଆଶା ବାନ୍ଧିଥାଏ ମନରେ l ଏମିତି ଚାଲୁଥାଏ ପ୍ରତ୍ୟେକ ଦୋକାନରେ ବୁଝୁଥାଏ........ 

   ଆଜ୍ଞା କାମ ମିଳିବ, ସେପଟୁ ସେଇ ସମାନ ଉତ୍ତର 

ମଙ୍ଗଳାବାଗ, ରାଣୀହାଟ, ବଜ୍ରକବାଟି, ଦୋଳମୁଣ୍ଡାଇ, ହରିପୁର, ବକ୍ସିବଜାର, ତିନିକୋଣିଆ ବଗିଚା, ଚୌଧୁରୀ ବଜାର, ନୟାସଡ଼କ, ନିମଚୌଡୀ ଇତ୍ୟାଦି ପ୍ରମୁଖ ସ୍ଥାନ l ସବୁଠିଁ ନିରାଶା ର ଚି଼ହ୍ନ !

 ନିଦାଘ ଗ୍ରୀଷ୍ମ ବେଳ, ରାସ୍ତାଘାଟ ପୁରା ଶୂନଶାନ, ନୀରବ, ନିସ୍ତବ୍ଦ l ସମୟ ପ୍ରାୟ ୨ ଟା ହେଲାଣି ଏପଟେ ଶୋଷ କୁ ତଣ୍ଟି ଶୁଖି ଅଠା ହୋଇଯାଉଛି l ଓହଃ ଜୀବନ ଜିଇଁବା କି କଷ୍ଟ ସେଦିନ ମଦନ ବୁଝିଲା, ତାକୁ ପ୍ରବଳ ଭାବରେ ଶୋଷ ହେଲାଣି ପାଣି ଖୋଜି ଖୋଜି ଗୋଟେ ଚାହା ଦୋକାନରେ ଯାଇ ପାଣି ପିଇଲା l ପାଣି ପିଇ ସାରି କିଛି ସମୟ ଛିଡାହେଲା ଓ ସେ ଚାହା ଦୋକାନୀ କୁ ପଚାରିଲା କିଛି କାମ ମିଳିବ l ସେପଟୁ ଆଶାର କିରଣ ବିଞ୍ଚି ହେଲା ଭଳି ଉତ୍ତର ମିଳିଲା କାମ ମିଳିବ ଯେ ହେଲେ ମୋ ପାଖରେ ନୁହେଁ, ଆଉ କିଛି ଦୂରରେ ଗୋଟେ ମସଜିଦ ପଡିବ ସେ ମସଜିଦ ସାମ୍ନାରେ ଜଣେ ବଙ୍ଗାଳୀବାବୁ ଅଫିସ କରିଛନ୍ତି ତାଙ୍କ ପାଖକୁ ଯାଅ l 


 ସେ ଚାହା ଵାଲାର କଥା ଶୁଣି ନିଃସଙ୍ଗବସ୍ଥାର ସତେ ଯେମିତି ପାଇଗଲା ତାର ଆଶାବାଡି l ମନରେ ଉତ୍ଜୀବିତ ହେଲା ନୂତନ ଆଶା ଆକାଂକ୍ଷା ର କିରଣ l ଆଉ ଡେରି ନ କରି ଆଗକୁ ପାଦ ବଢ଼ାଇଲା ଶେଷରେ ସେ ସ୍ଥାନରେ ପହଞ୍ଚିଲା l ମନରେ ଭାସି ଉଠୁଥିଲା ଅସରନ୍ତି ସ୍ବପ୍ନ ଓ ଆଶା l 


ବଙ୍ଗାଳୀ ବାବୁଙ୍କୁ ନତମସ୍ତକ ପ୍ରଣିପାତ କରି କହିଲା..... ଆଜ୍ଞା... ନମସ୍କାର !   କାମ ମିଳିବ ?

ହଠାତ ବଙ୍ଗାଳୀ ବାବୁ ଆଶ୍ଚର୍ଯ୍ୟ ଜନିତ ଚକ୍ଷୁରେ ଚାହିଁ ରହିଲେ ଓ ମଦନ କୁ ବସିବା ପାଇଁ କହିଲେ l ମଦନ ବସିଲା 

ବଙ୍ଗାଳୀ ବାବୁ ପଚାରିଲେ... କୋଉଠି  ରହୁଛ  ।

ମଦନ କହିଲା ..... ମଙ୍ଗଳା ବାଗ 

ବଙ୍ଗାଳୀ ବାବୁ ପଚାରିଲେ..... ଆଗରୁ କୋଉଠି କାମ କରିଛ 

ମଦନ କହିଲା..... ନା ଆଜ୍ଞା ମୁଁ ନୂଆ କରିବି 

ବଙ୍ଗାଳୀ ବାବୁ କହିଲେ..... କଣ କଣ କାମ କରିପାରିବ 

ମଦନ କହିଲା..... ସବୁ କାମ ପାରିବି ଆଜ୍ଞା 

ବଙ୍ଗାଳୀ ବାବୁ କହିଲେ....... ପିଅନ କାମ କରିପାରିବ 

ମଦନ କିଛି ଆଉ ନ ଭାବି ସଙ୍ଗେ ସଙ୍ଗେ କହିଲା ହଁ ଆଜ୍ଞା ପାରିବି l ବଙ୍ଗାଳୀ ବାବୁ କହିଲେ ପିଅନ କାମ କଣ ଜାଣିଛ, ଘର ଓଳେଇବ, ପାଣି ଆଣିବ, ଚାହା ଆଣିବ, ବ୍ୟାଙ୍କ ଯିବ.... ଇତ୍ୟାଦି ଇତ୍ୟାଦି... ପାରିବ କୁହ ପାରିବ ତ... ।

ମଦନ କହିଲା.....     ନିଶ୍ଚିତ ପାରିବି ଆଜ୍ଞା  ।

ବଙ୍ଗାଳୀ ବାବୁ ମଦନ ର କାମ କରିବାର ଇଛାଶକ୍ତି ଓ ଏକାଗ୍ରତା ଦେଖି ଏତେ ଖୁସି ହୋଇ ଗଲେ ଯେ କହିଲେ କେତେ ଟଙ୍କା ନେବ l ତାଙ୍କର ଏ ପ୍ରଶ୍ନ ଶୁଣି ମଦନ ବିଶ୍ୱାସ ବି କରିପାରିଲାନି ବିସ୍ମିତ ଚକ୍ଷୁରେ ଆନନ୍ଦରେ ବିଭୋର ହୋଇ କହିଲା ପାଞ୍ଚଶହ ଟଙ୍କା ଦେବେ l ଶେଷରେ ସେଦିନ ମଦନ କୁ ତା ଜୀବନର ସଂଘର୍ଷ ର ସ୍ୱାଦ ଖୁଵ ସୁମଧୁର ହୋଇଥିଲା l 


          


Rate this content
Log in

Similar oriya story from Tragedy