ସମୟ ହିଁ ସଫଳତାର ମାର୍ଗ
ସମୟ ହିଁ ସଫଳତାର ମାର୍ଗ


୧୯୯୭ ମସିହାର କଥା, ପ୍ରଶାନ୍ତ ର ସମସ୍ତ ଆବଶ୍ୟକ ପାଠପଢା ସରିସାରିଥାଏ । ପ୍ରଶାନ୍ତ ଶାନ୍ତ ସ୍ଵଭାବ ର ପିଲା ଟିଏ। ପ୍ରଶାନ୍ତ କାହାରିକୁ କେବେ କିଛି କହେନାହିଁ। ଘରେ ତାର ଆଉଜଣେ ବଡ଼ଭାଇ ଓ ଭଉଣୀ ଥାଆନ୍ତି। ସେ ତାଙ୍କ ପରିବାରର ସବୁଠାରୁ ସାନ। ବଡ଼ଭାଇ ତାଠାରୁ ୧୦ ବର୍ଷ ବଡ଼। ଭଉଣୀ ର ବାହାଘର ହୋଇସାରିଥାଏ। ଘରେ କେବଳ ପ୍ରଶାନ୍ତ ଚାକିରି କରି ନଥିଲା। ଚାକିରି ର ଅନୁସନ୍ଧାନ ରେ ଥିଲା। ସମୟର ବୟସ ଯେତେ ବଢୁଥାଏ ପ୍ରଶାନ୍ତ ପ୍ରତି ଘରର ବାପା ମା ଙ୍କର କଟୁଯୁକ୍ତ କଥାବାର୍ତ୍ତା ବଢିଚାଲିଥାଏ। ପି.ଜି ପାସ କରିବା ପରେ କ'ଣ ଯେ ସେ କରିବ, ନା ଆଉ ବେଶୀ ପଢି ପାରିବ? ପାଠ ପଢା ସରିଲା ପରେ ଜୀବନ ପ୍ରତି ବିପଦ ଆସିଗଲା ବୋଲି ପ୍ରଶାନ୍ତ ଭାବିନେଲା। ଜୀବନର ପ୍ରତିଟି ପାହାଚ ଦୋଳାୟମାନ, ଦୋଳାୟମାନ ନିରାଶର ଝୁଲଣରେ ଝୁଲି ଝୁଲି, କେବେ ଯେ ଆଶାର ସ୍ଥିରତାରେ ପହଞ୍ଚିବ ତାହା ତ ବିଶ୍ବାସର ବାହାରେ। ସମୁଦ୍ରର ଲହରୀରେ ବସି କେହି କେବେ ନିଜର ସ୍ଥିତିତ୍ବରେ ପହଞ୍ଚି ପାରିନାହିଁ। ସମାଜ ଓ ତାର ସମସ୍ତ ପାରିପାର୍ଶ୍ବିକକୁ ଆଖି ଆଗରେ ରଖି ପ୍ରଶାନ୍ତ ସ୍ଥିର କଲା ଯେ କମ୍ପିଟେଟିଭ ପରୀକ୍ଷା ପାଇଁ ପରିଶ୍ରମ କରିବ।
ହେଲେ କମ୍ପିଟେଟିଭ ପରୀକ୍ଷା ଏତେ ସହଜ ନୁହେଁ,ଯେ ଥରେ ଦେଇଦେଲେ ପାଇଯିବ। କିନ୍ତୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ ପାହାଡ଼ର ଶୀର୍ଷରେ ତପସ୍ୟା କରିବାକୁ ହିଁ ପଡ଼ିବ। ତେବେ ଯାଇ ନିଜ ଲକ୍ଷ୍ୟରେ ସଫଳତା ମିଳିବ। ନିଷ୍ପତ୍ତିର ଅତୁଟ ବନ୍ଧନରେ ବାନ୍ଧି ହୋଇ, ପ୍ରତିଜ୍ଞାର ଶୀର୍ଷରେ ପହଞ୍ଚି ବାକୁ ପଡିବ। ଏମିତି ଭାବୁ ଭାବୁ ଅନେକ ଦିନ ବିତିଗଲା, ହେଲେ କାହିଁ ସେ ପରିଶ୍ରମର ଫଳ, ଦିନ ଗୁଡିକ ଚଳଚ୍ଚିତ୍ରର ରଙ୍ଗିନ ପରଦା ପରି ଚାଲି ଯାଉଛି। ହେଲେ କିଛି ବି ସଫଳତାର ସୂଚନା ମିଳୁନାହିଁ। ମୋ ପିଲାଦିନ ତଥା ସ୍କୁଲ, କଲେଜର ସାଙ୍ଗସାଥୀ ମାନେ ପ୍ରାୟ କିଏ କୁଆଡେ଼ ଚାକିରି ପାଇସାରିଛନ୍ତି। ଅନେକ ସମୟରେ ସେମାନେ ମୋ ସହିତ ଭେଟ ବି ହୋଇଛନ୍ତି। ସେମାନେ ସବୁ ବେଳେ ପଚାରନ୍ତି , କ'ଣ କିଛି ଚାକିରି ପାଇନୁ କି? ଚେଷ୍ଟା ଜାରି ଅଛି, ଉତ୍ତରରେ ମୁଁ କହେ। ମନେ ମନେ ଭାବିଲା କ'ଣ ସେ କରିବ ଆଜି କାଲି ଚାକିରି ଖଣ୍ଡେ ପାଇବା ବଡ଼ କଠିନ ବ୍ୟାପାର। ଏପଟେ ପରିବାର ର ସହଯୋଗ , ସହାନୁଭୂତି ଓ ଉତ୍ସାହ କମିବାରେ ଲାଗିଛି। ବର୍ତ୍ତମାନ ସମୟରେ ବେକାରୀ ସମସ୍ୟା ଯୁବସମାଜ ପାଇଁ ଏକ ଅଭିଶାପ।
ଦିନେ ସକାଳୁ ପେପର ପଢୁପଢୁ ଦେଖିଲା ବେସରକାରୀ କଲେଜ ପାଇଁ ଅଧ୍ୟାପକ ପଦବୀ ଆବଶ୍ୟକ। ପ୍ରଶାନ୍ତ ମନେ ମନେ ଭାବିଲା ମୋର ତ ପଦାର୍ଥ ବିଜ୍ଞାନରେ ପି.ଜି ମୁଁ ଏହା ପାଇଁ ଆବେଦନ କରିବା ଠିକ୍ ହେବ। ସରକାରୀ ଚାକିରୀ ପାଇବା ଏତେ ସହଜ ନୁହେଁ। ମନେ ମନେ ସ୍ଥିର କଲା ସରକାରୀ ହେଉ କି ବେସରକାରୀ ପ୍ରଥମେ ଗୋଟାଏ ସ୍ଥାନ ସୁରକ୍ଷିତ କରିବା ନିତ୍ୟାନ୍ତ ଆବଶ୍ୟକ। ସ୍ଥାନ ସଂରକ୍ଷଣ ପ୍ରଥମେ ତାପରେ ଭଲ ମନ୍ଦ ବିଚାର। କିଛି ନହେଲେ ପିଲାଙ୍କୁ ଟିୟୁସନ କରି ନିଜକୁ ତ ସମାଜରେ ପ୍ରତିଷ୍ଠିତ କରିହେବ। ମୁଁ ଯାହା ଭାବୁଛି ସେ କଥା ତ ଠିକ୍ କିନ୍ତୁ ବେସରକାରୀ କଲେଜ ମାନଙ୍କରେ ଦାନ ( ଡୋନେସନ) ନଦେଲେ କ'ଣ ଚାକିରୀ କ'ଣ ହବକି? ଯାହା ହେଉ ପଛେ ସାକ୍ଷ (ଇଣ୍ଟରଭ୍ୟୁ) ପରୀକ୍ଷା ଦେବି ତାପରେ ଦେଖିବି କ'ଣ ହେଉଛି। ଇଛା ଥିଲେ ଉପାୟ ଆପେ ଆପେ ଆସେ। ଜୀବନୀ ତଥ୍ୟ (ବାଇଓଡାଟା) ପ୍ରସ୍ତୁତ କରି କଲେଜରେ ଆବେଦନ କରିଦିଏ ତାପରେ ଦେଖାଯିବ କ'ଣ ହେବ ନ ହେବ। ଯାହା ହେଉ କୋୖଣସି ପ୍ରକାରରେ ଫର୍ମ ଆବେଦନ କରିଦେଲା । ୧୫ ଦିନ ପରେ କଲେଜରୁ ଫୋନ ଆସିଲା ଯେ ପ୍ରଶାନ୍ତ ତମର ସାକ୍ଷାତ ପରୀକ୍ଷା ଆସନ୍ତା କାଲି ଦିନ ୧୦ଟାରେ ହେବ। ସମସ୍ତ ପ୍ରମାଣ ପତ୍ର ଓ ପାସପୋର୍ଟ ଫୋଟ ୨ କପି ଧରି କଲେଜରେ ପହଞ୍ଚିବ। ପ୍ରଶାନ୍ତ ମନେ ମନେ ଅନେକ କିଛି ଭାବିବା ପୂର୍ବରୁ ଫୋନ ସେମାନେ ରଖିଦେଲେ। ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ, କିଛି ଅନ୍ୟ ଉପାୟ ବି ପାଖରେ ନାହିଁ। ଆଶା ଓ ଆଶଙ୍କା ଭିତରେ ନିଜକୁ ପ୍ରସ୍ତୁତ କରି କଲେଜରେ ସକାଳ ୧୦ଟା ପୁର୍ବରୁ ପହଞ୍ଚି ଗଲା। ନିଜକୁ ଭଲ ଭାବରେ ପ୍ରସ୍ତୁତ କରି ସାରିଥିଲା ପ୍ରଶାନ୍ତ। ମନରେ ଭୟ ଥାଏ ପରୀକ୍ଷା ପରେ ଦାନ(ଡୋନେସନ) ପାଇଁ ଟଙ୍କା କୁଆଡେ଼ ମାଗିବେ କି? ସାକ୍ଷାତ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେଲା। ସମୟର ବିଚାରରେ ସେ ପ୍ରମାଣିତ ହେଲା ଯେ , ଏକମାତ୍ର ପାର୍ଥୀ ଯିଏ କି ଏ ପଦବୀ ପାଇଁ ଯୋଗ୍ୟ ବିବେଚିତ। କଲେଜ କମିଟି ସ୍ଥିର କଲା ଯେ ପ୍ରଶାନ୍ତ କୁମାର ସାହୁ ଏ ଅଧ୍ୟାପକ ପଦ ପାଇଁ ଯୋଗ୍ୟ ବିବେଚିତ। କମିଟି ତାପର ଦିନ ପ୍ରଶାନ୍ତକୁ କଲେଜ ଡ଼ାକିଲେ। ଅଧ୍ୟକ୍ଷ ସାର ପଚାରିଲେ ପ୍ରଶାନ୍ତ , ତମେ ଆମ କଲେଜରେ ରହିବାକୁ ଚାହୁଁଛ ତ? ପ୍ରଶାନ୍ତ କିଛି ନ ଭାବି ହଁ କହିଲା। ଆଜ୍ଞା ସାର ମୋର କୋୖଣସି ଆପତ୍ତି ନାହିଁ। କମିଟିରୁ ଜଣେ ସଦସ୍ୟ କହିଲେ , ଆମ କଲେଜ ପ୍ରାଇଭେଟ୍, ଦାନ ଦବାକୁ ପଡେ। କିନ୍ତୁ ତମ ପାଇଁ ଆମେ ଦାନ (ଡୋନେସନ) ନେବୁ ନାହିଁ। କିନ୍ତୁ ଦରମା ଗୋଟିଏ ବର୍ଷ ପାଇଁ ଦିଆଯିବ ନାହିଁ। ଏ ସର୍ତ୍ତରେ ରାଜିତ? ଆଜ୍ଞା ମୁଁ ରାଜି। ତେବେ ଆସନ୍ତା ମାସ ପହିଲାରେ କଲେଜରେ ଯୋଗଦାନ କରିବ। ପ୍ରଶାନ୍ତ ର ମନ ବହୁତ ଖୁସି ହୋଇଗଲା। ଏବେ ଆଉ ଆମ ଘରେ କେହି କିଛି କହିବେ ନାହିଁ। ସମୟ ଓ ସଫଳତା ସବୁବେଳେ ଏକା ସାଙ୍ଗରେ ଚାଲିଥାନ୍ତି। ସେହି ଦିନ ପରଠାରୁ ପ୍ରଶାନ୍ତ କେବେ ପଛକୁ ଫେରିଚାହିଁନି ଆଉ ଗୋଟେ ଗୋଟେ ସଫଳତାର ପାହାଚ ଚଢିବାର ରାସ୍ତା ମିଳିଗଲା। ନିଜର ସମୟ ଓ ସ୍ବପ୍ନ କୁ ସାକାର ରୁପ ଦେଇ ଆଗକୁ ଆଗ ମାଡ଼ି ଚାଲିଲା। ଇତିମଧ୍ୟରେ ଦୁଇ ବର୍ଷ ବିତି ସାରିଥାଏ। ସମୟତ କାହାକୁ ଅପେକ୍ଷା କରେ ନାହିଁ, ସେହି କେବଳ ସତ୍ୟତାର ମାର୍ଗରେ ଚାଲିଥାଏ। ସମୟ ସହିତ କେହି କେବେ କପଟ, ଛଳନା କରି ପାରନ୍ତି ନାହିଁ।
ସମୟର ମାର୍ଗରେ ପଥୀକ ହିଁ କେବଳ ସଫଳତା ପାଇଥାଏ।ସମୟକୁ ଚିହ୍ନିଲେ ମଣିଷ ର ସବୁ ଅଭିଳାଷ ପୁରଣ ହୋଇଥାଏ। ସେଥିପାଇଁ ପ୍ରଶାନ୍ତ ସେହି ଦିନ କୁ ନମସ୍କାର କରେ। ଆଜି ସମୟ ତା ପାଇଁ ମାର୍ଗ। ସେହି ଦିନ ଠାରୁ ସେ କେବଳ ସଫଳତା ହିଁ ପାଇଛି। ସେ ସେହି ସଫଳତାରେ ଅନ୍ୟ କୁ ସାହାଯ୍ୟ, ସ୍ନେହ କରିବାକୁ ଭୁଲି ଯାଇନଥିଲା। ସଫଳତାର ଶିଡି ଚଢିବାର ଅନୁଭୁତି ରେ ସେ କେବେ କାହାରିକୁ ହତାଦାର କରିନାହିଁ। ତେଣୁ ସମୟ ହିଁ ସଫଳତାର ଶ୍ରେଷ୍ଠ ମାର୍ଗ।