The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Kulamani Sarangi

Tragedy

3  

Kulamani Sarangi

Tragedy

ସମୟ ବଳବାନ

ସମୟ ବଳବାନ

5 mins
461


କାଳର କରାଳ ରୂପ ସବୁବେଳେ ଦୃଶ୍ୟମାନ ହୁଏନାହିଁ।କେତେବେଳେ ସୁନାମୀ ଓ ମହାବାତ୍ୟାର ଭୟଙ୍କର ରୂପ ଦେଖାଇ କାଳ ତାର ଧ୍ବଂସର ଚିହ୍ନ ଛାଡିଯାଏ ତ କେତେ ବେଳେ ଅଦୃଶ୍ୟ ସ୍ପେନୀୟ ଭୂତାଣୁ ବା କୋରୋନା ବିଷାଣୁ ରୂପରେ ମଡକର ଆତଙ୍କ ସୃଷ୍ଟି କରେ। ଏହି ଅଦୃଶ୍ୟ ଶକ୍ତି ସହିତ ମଣିଷର ସଂଗ୍ରାମର ଫଳାଫଳ ଯାହା ହେଉନା କାହିଁକି,ବହୁ ନିରିହ ପ୍ରାଣୀ ଏହାର ପ୍ରଥମ ଶିକାର ହୁଅନ୍ତି।


ସେ'ଦିନ ନିରିହ ନିଷ୍କପଟ ରଘୁନାଥ ବାବୁ ସ୍ବପ୍ନରେ ମଧ୍ୟ ଭାବି ନଥିଲେ ଯେ ସମୟ ଦିନେ ତାଙ୍କୁ ତାର ଏଭଳି ବିଭତ୍ସ ଚେହେରା ଦେଖାଇବ। ଲକ୍ ଡାଉନ୍'ର ଦୁଇଦିନ ପରର କଥା। ମୃତ୍ୟୁ ସହିତ ଲଢେ଼ଇ କରୁଥିବା ଝିଅକୁ ଆଡ଼ମିଶନ କରିବା ପାଇଁ ଡାକ୍ତର ଖାନାରୁ ଡାକ୍ତର ଖାନାକୁ ନେଇ, ସବୁଠାରୁ ନାସ୍ତି ବାକ୍ୟ ଶୁଣିବା ପରେ ନିରାଶ ହୋଇ ଘରକୁ ସେ ଫେରି ଆସି ଥିଲେ। ଅସହାୟ ହୋଇ ସେ ଶୂନ୍ୟ ଆକାଶକୁ ଚାହିଁ ରହିଲେ। ଆଖିରୁ ବହିଗଲା ଦିଧାର ତାତିଲା ଲୁହ। ତାଙ୍କ ଆଖି ଆଗରେ ସତେ କଣ ତାଙ୍କ ତିରିଶ ବର୍ଷର ଝିଅଟା ଶେଷ ନିଶ୍ବାସ ତ୍ୟାଗ କରିବ !! କି ଅସହାୟତା ସତେ !


 ଘରେ ପହଞ୍ଚି ଝିଅର ଅଚେତ ଶରୀରଟି ଶେଯରେ ଶୁଆଇ ଦେଇ ପାଖରେ ବସି ମଥାରେ ହାତ ବୁଲାଇଲେ ରଘୁନାଥ ।ସେ ଚିନ୍ତା କରିପାରୁନଥିଲେ କରୋନା ଯୋଗୁଁ ସବୁ ଡାକ୍ତରଖାନା ଝିଅକୁ ଆଡମିଟ୍ କରିବାକୁ ମନା କରିଦେବେ। ସବୁଠିଁ ସେଇ ଗୋଟିଏ କଥା.....ରୋଗୀ କରୋନା ପେସେଣ୍ଟ କି ନାହିଁ ଆମକୁ ଜଣାନାହିଁ।ଟେଷ୍ଟିଙ୍ଗ କିଟ୍ ମଧ୍ୟ ଆମ ପାଖରେ ନାହିଁ।ଅନ୍ୟ ରୋଗୀ ମାନଙ୍କର ସୁରକ୍ଷା ଦୃଷ୍ଟିରୁ ଆମେ ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି କରି ପାରିବୁ ନାହିଁ।


 ଝିଅ ଯେ ତାଙ୍କର ଡାଇରିଆ ଯୋଗୁଁ ଅତ୍ୟଧିକ ଜଳିୟ ଅଂଶ ହରାଇ ମୃତ୍ୟୁ ସହିତ ଲଢୁଛି , ଏକଥା ରଘୁନାଥ ବାବୁ ଯେତେ ବୁଝାଇଲେ ମଧ୍ୟ କୌଣସି ଡ଼ାକ୍ତର ଖାନା ଶୁଣିବା ପାଇଁ ପ୍ରସ୍ତୁତ ନଥିଲେ।ଭୂବନେଶ୍ବରରେ, ଏକାକି ଚେତାଶୂନ୍ୟ ଝିଅକୁ ଧରି ଦୁଇ ଘଣ୍ଟା ବୁଲିବା ପରେ ଘରକୁ ଫେରିଆସି ସେ ଝିଅ ପାଖରେ ବସି ଭାବୁଥିଲେ...ସତେ କଣ ସୁମିତା ତାଙ୍କ ଆଖି ଆଗରେ ଏମିତି ଚାଲିଯିବ !


ରଘୁନାଥ ବାବୁଙ୍କ ପତ୍ନୀ ଏବଂ ସାନ ଝିଅ ଭୋ ଭୋ ହୋଇ କାନ୍ଦିବା ଆରମ୍ଭ କରିଦେଲେ।କରୋନା ଲକଡାଉନ ପାଇଁ ରାଜରାସ୍ତା ଶୁନଶାନ୍।ଏ ସମୟରେ କିଏ ବା ଆସିବ ସାହାଯ୍ୟ କରିବାପାଇଁ ?


ରଘୁନାଥ ବାବୁ ଅବସରପ୍ରାପ୍ତ ବ୍ୟାଙ୍କ୍ କର୍ମଚାରୀ।ବୟସ ୭୦ ବର୍ଷ ପାଖାପାଖି। ସଂସାର ବୋଲି ତାଙ୍କର ଦୁଇଟି ଝିଅ,ସେ ଏବଂ ସ୍ତ୍ରୀ।ବଡ଼ ସୁମିତା ପ୍ରାଇଭେଟ୍ କମ୍ପାନୀରେ ଚାକିରୀ କରେ।ସାନ ଅଭିପ୍ସା ଏମ୍ ଏ ଶେଷ ବର୍ଷରେ ବାଣୀବିହାରରେ ପଢେ।


କାନ୍ଦି କାନ୍ଦି ରଘୁନାଥଙ୍କ ସ୍ତ୍ରୀ କହିଲେ...ଏମିତି ବସି ରହିଲେ କ'ଣ ଝିଅ ଭଲ ହେଇଯିବ ?କରୋନା ହେଇଚି ବୋଲି କଣ କେହି ଡାକ୍ତର ଖାନାରେ ଚିକିତ୍ସା ପାଇବେ ନାହିଁ?କିଛି କର।


ହଠାତ୍ ମନେ ପଡ଼ିଲା ରଘୁନାଥ ବାବୁଙ୍କର।ତାଙ୍କର ଜଣେ ବନ୍ଧୁଙ୍କର ପୁଅ ଏମସ୍ ରେ ଡାକ୍ତର ଅଛି।ବନ୍ଧୁଙ୍କ ପାଖକୁ ଫୋନ୍ ଲଗାଇଲେ। ବନ୍ଧୁ ତାଙ୍କ ଚେଷ୍ଟାରେ କୃତକାର୍ଯ୍ୟ ହେଲେ।ଶେଷରେ ଏକ ଘରୋଇ ଡ଼ାକ୍ତରଖାନାରେ ସୁମିତାକୁ ଭର୍ତ୍ତି କରିବାରେ ସଫଳ ହେଲେ ରଘୁନାଥ ବାବୁ।


ଡାକ୍ତର ଖାନାରେ ଭର୍ତ୍ତି କଲାବେଳକୁ ସୁମିତାର ଅବସ୍ଥା ଗୁରୁତର ହୋଇଯାଇଥିଲା।ସାଲାଇନ୍ ଦେବାପରେ ଅବସ୍ଥା ଟିକିଏ ସୁଧୁରିଲା।କିନ୍ତୁ ଡାକ୍ତର ଅନ୍ୟ ଏକ ଅଭିଯୋଗ ଆଣିଲେ।ଡାକ୍ତରଙ୍କ ମତରେ ଡାଇରିଆ ଯୋଗୁଁ ଜଳୀୟ ଅଂଶ ଦେହରେ କମ୍ ହେବା ସଙ୍ଗେ ସଙ୍ଗେ ଅଧିକ ନିଦ ବଟିକା ଖାଇବା ଯୋଗୁ ରୋଗୀର ସ୍ନାୟବିକ ଦୁର୍ବଳତା ଗୁରୁତର ହୋଇଯାଇଛି;ତେଣୁ ରୋଗୀର ସହଜରେ ଚେତା ଫେରିବା ସମ୍ଭବ ନୁହେଁ।


ରଘୁନାଥ ବାବୁଙ୍କ ମୁଣ୍ଡରେ ଆକାଶ ଖସିପଡିଲା। କାହିଁକି ସୁମିତା ନିଦ ବଟିକା ଖାଇଲା ! କଣ ତାର ସମସ୍ୟା ? କିଏ ତାର ଉତ୍ତର ଦେବ ?ଚେତାଶୂନ୍ୟ ହୋଇ ଶେଯରେ ପଡ଼ିଥିବା ଝିଅକୁ ଅନାଇଁ ରଘୁନାଥ ବାବୁଙ୍କ ନିରବ ଆଖି ପଚାରୁ ଥିଲା...କଣ ତୋର ସମସ୍ୟା ମାଆ ? କାହିଁକି ନିଜ ମନଭିତରେ ସବୁ ଯନ୍ତ୍ରଣା କୁ ପିଇବାକୁ ଚେଷ୍ଟା କଲୁ... କାହିଁକି ଭୁଲିଗଲୁ ତୋ ବାବା ମାମାଙ୍କୁ ? ସୁଖ ବାଣ୍ଟିଲେ ବଢ଼ିଥାଏ, ଦୁଃଖ ବାଣ୍ଟିଲେ କମ ହୁଏ ବୋଲି କେତେ ଥର ମୁଁ କହିଛି ତତେ ! 


ବାବାଙ୍କ ଆଖିର ନୀରବ ପ୍ରଶ୍ନର ଉତ୍ତର ଦେବାପାଇଁ ସଚେତନ ଅବସ୍ଥାରେ ନଥିଲା ସୁମିତା।


କାହିଁକି ଯେ ସମୟ ତାଙ୍କୁ ଏଭଳି ଦୁର୍ଦ୍ଦିନ ଦେଖାଉଛି,ବୁଝି ପାରୁନଥିଲେ ରଘୁନାଥ।ଆଖି ଆଗରେ ଭାସିଗଲା ପଚିଶି ବର୍ଷ ତଳର କଥା।ସେତେବେଳେ ପାଟନାରେ ପୋଷ୍ଟିଙ୍ଗ ହୋଇଥିଲା ତାଙ୍କର।

ପତ୍ନୀ, ଝିଅ ସୁମିତା ସହିତ ଓଡ଼ିଶାରେ ବାପଘରେ ଥାଆନ୍ତି। ରଘୁନାଥଙ୍କ ପାଖରେ ପୁଅ ପିଣ୍ଟୁ ଥାଏ। ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବାରୁ ପୁଅ ମାମା ସହିତ ଯାଇ ନଥାଏ। ରଘୁନାଥ ବାବୁ ଅଫିସ୍ ଯିବାପରେ ଘରେ ପିଣ୍ଟୁ ତା ସାଙ୍ଗ ସହିତ ଜଏଣ୍ଟ୍ ଷ୍ଟଡି କରୁଥାଏ।ଆଲୋଚନା ମୂଳକ ପ୍ରସ୍ତୁତି ଆବଶ୍ୟକ ଭାବି ରଘୁନାଥ ବାବୁ ସମ୍ମତି ଦେଇଥାନ୍ତି।


ଦି'ପହରରେ ଘରକୁ ମଧ୍ୟାହ୍ନ ଭୋଜନ ପାଇଁ ଆସନ୍ତି ରଘୁନାଥ ;ତାଛଡା ଅଫିସ୍'ରୁ ମଝିରେ ମଝିରେ ଫୋନ୍ କରି ପୁଅର ହାଲ୍ ଚାଲ୍ ବୁଝନ୍ତି। ମଧ୍ୟାହ୍ନ ଭୋଜନ ସମୟରେ ପୁଅର ସାଙ୍ଗଟି ମଧ୍ୟ ଭୋଜନରେ ଯୋଗଦିଏ।ଏଭଳି ସମୟ ଆନନ୍ଦରେ ବିତି ଯାଉଥିଲା।


ଦିନକର କଥା।ଅଫିସରୁ ବାରମ୍ବାର ଫୋନ୍ କରି ପୁଅ ଠାରୁ ସେଦିନ କୌଣସି ଉତ୍ତର ପାଇଲେ ନାହିଁ ରଘୁନାଥ ବାବୁ।ମନକୁ ପାପ ଛୁଇଁଲା। ଘରେ ପହଞ୍ଚି ଦେଖିଲେ ଦୁଆର ମେଲା।ପିଣ୍ଟୁ ପିଣ୍ଟୁ ଡାକିଡାକି ଘରର ସବୁଆଡେ ଖୋଜିଲେ, କେଉଁଠି ପାଇଲେ ନାହିଁ।ଘରେ ଜିନିଷପତ୍ର ଛିନଛତ୍ର ହୋଇ ପଡ଼ିଥିଲା।କପବୋର୍ଡ଼୍ ମେଲା।କୁଆଡେ ଗଲେ ପିଣ୍ଟୁ ଏବଂ ତା ସାଙ୍ଗ!!


ଶେଷରେ ପିଣ୍ଟୁ ର ରକ୍ତାକ୍ତ ଶରୀର ବାଥ୍ ରୁମରୂ ପାଇଲେ ରଘୁନାଥ ବାବୁ।ପଛରୁ ଛୁରୀ ମାରି ନିର୍ମମ ଭାବରେ ପିଣ୍ଟୁ କୁ ହତ୍ୟା କରି ଚାଲିଯାଇଥିଲା ଆତତାୟୀ।


ରଘୁନାଥ ବାବୁଙ୍କର ବୁଝିବାକୁ ବାକି ରହିଲା ନାହିଁ ଯେ ଏସବୁ ପିଣ୍ଟୁ ର ସାଙ୍ଗର କାରନାମା।


ଆଠଦିନ ପରେ ଆତତାୟୀର ଖୋଜ୍ ଖବର ପୁଲିସ ପାଇଲା।ଦଶବର୍ଷ କେଶ୍ ଚାଲିଲା।କିଛି ପ୍ରମାଣିତ ହୋଇ ପାରିଲା ନାହିଁ। ପୋଲିସ ଫାଇଲ୍ ଭିତରେ ରଘୁନାଥଙ୍କର ସବୁ ଯନ୍ତ୍ରଣା ବନ୍ଧା ହୋଇ ଚୀରଦିନ ପାଇଁ ରହିଗଲା।


ପିଣ୍ଟୁ'ର ସ୍ମୃତି ବହୁତ୍ କଷ୍ଟଦେଲା ପରିବାରର ସମସ୍ତଙ୍କୁ। ପାଟନା ରୁ ଟ୍ରାନସଫର୍ ନେଇ ଓଡ଼ିଶା ଚାଲିଆସିଲେ ରଘୁନାଥ।ପିଣ୍ଟୁ ବଞ୍ଚିଥିଲେ ଏବେ ଚାଳିଶ ବର୍ଷର ଯୁବକ ହୋଇଥାନ୍ତା... ରଘୁନାଥଙ୍କ ବାର୍ଦ୍ଧକ୍ୟର ଆଶାବାଡି ହୋଇଥାନ୍ତା ସେ।ପିଣ୍ଟୁ ଥିଲେ ଆଜି କ'ଣ ଏତେ ଅସହାୟ ଲାଗୁଥାନ୍ତା ତାଙ୍କୁ ??


ଭାବନା ରାଜ୍ୟରେ ହଜିଯାଇଥିଲେ ରଘୁନାଥ।କାନ୍ଧରେ କାହା ହାତର ସ୍ପର୍ଶରେ ଫେରି ଚାହିଁଲେ ସେ।ସାନ ଝିଅ ଅଭିପ୍ସା ପଚାରୁଛି ...କଣ ଏତେ ଚିନ୍ତା କରୁଚ ବାବା ?ସକାଳୁ କିଛି ଖାଇନ।କିଛି ଜଳଖିଆ ଆଣିଚି,ଆସ ଖାଇଦିଅ।ଆଇ ସି ୟୁ'କୁ ଡାକ୍ତର ଆସିବା ସମୟ ହେଲାଣି।ସେତେବେଳେ ସମୟ ମିଳିବନି, ତା'ପୂର୍ବରୁ କିଛି ଖାଇନିଅ।


ଅଭିପ୍ହା ମୁହଁକୁ ଗଭୀର ଦୃଷ୍ଟିରେ ଚାହିଁଲେ ରଘୁନାଥ...ଏଇ କୋଡପୋଛା ଝିଅଟି ତାଙ୍କର ସବୁ ଆଶା ଭରସା।ପିଣ୍ଟୁ ଚାଲିଯିବାର ଦୁଇ ବର୍ଷପରେ ତାର ଜନ୍ମ।ମା'ପେଟରେ ଥିଲାବେଳେ ଅନେକ ଆଶା କରିଥିଲେ ରଘୁନାଥ ପିଣ୍ଟୁକୁ ସନ୍ତାନ ରୂପରେ ପୁଣି ଥରେ ଫେରିପାଇବେ ବୋଲି।ତାର ଜନ୍ମ ସମୟରେ ନର୍ସ ଯେତେବେଳେ ଖବର ଦେଲା କନ୍ୟାରତ୍ନଟିଏ ହୋଇଛି ବୋଲି, ସହଧର୍ମିଣୀଙ୍କର ମନ ଟିକିଏ ଫିକା ପଡିଗଲା , କିନ୍ତୁ ରଘୁନାଥଙ୍କ ମନ ବହୁତ ଖୁସି ଥିଲା। ପତ୍ନୀଙ୍କୁ କହିଥିଲେ...ଏ ଅନ୍ୟ କେହି ନୁହେଁ, ମୋ ପିଣ୍ଟୁ ମୋ ପାଖକୁ ଆସିଛି।ପିଣ୍ଟୁ ର ଆଗମନ-ଆଶାକୁ ସମ୍ମାନ ଜଣାଇ ଝିଅ ନାଁ ସେ 'ଅଭିପ୍ସା' ରଖିଥିଲେ।ସେହି ଝିଅଟି ଆଜି ତାଙ୍କ ବାର୍ଦ୍ଧକ୍ୟର ଆଶ୍ରା ବାଡି।


ICU କୁ ଡାକ୍ତର ଆସି ସୁମିତାକୁ ପରୀକ୍ଷା ନିରୀକ୍ଷା କଲେ। ରଘୁନାଥଙ୍କୁ ପାଖକୁ ଡାକି କହିଲେ... ଅବସ୍ଥା ଅତ୍ୟନ୍ତ ଗୁରୁତର।କିଛି ଇନ୍ଟ୍ରାଭେନସ୍ ଇଞ୍ଜେକସନ ଦେବାକୁ ପଡ଼ିବ। ଇଞ୍ଜେକସନର ଦାମ୍ ଲକ୍ଷେ ଟଙ୍କା ପାଖାପାଖି ପଡ଼ିବ।ଏହା ଦେବାପରେ ଯଦି ଚେତା ନଫେରଲା ତାହେଲେ ଭଗବାନ ଭରସା।


ଭଗବାନଙ୍କୁ ସେଦିନ ଅନ୍ତର ଭିତରୁ କାକୁତି ମିନତି ହୋଇ ବହୁତ୍ ଡାକିଥିଲେ ରଘୁନାଥ।ସମୁଦ୍ର ଉତ୍ତାଳ ଲହଡିରେ ସୋଲ ପରି ଥିଲା ତାଙ୍କର ଅବସ୍ଥା। ଅସହାୟ ହୋଇ ନିଜକୁ ଭସାଇ ଦେଲେ ସେ ଲହଡିରେ।ସୁଦାମା'ର ସମର୍ପଣ ଭାବ ନେଇ ସେ ଡାକିଲେ...ହେ ପ୍ରଭୁ ! ରକ୍ଷ ମାମ୍ ବାସୁଦେବଃ।


କିନ୍ତୁ କାଳର କବଳରୁ ସୁମିତାକୁ ଛଡ଼ାଇ ଆଣିପାରିଲେ ନାହିଁ ରଘୁନାଥ।ସୁମିତା ସେଦିନ ରାତି ଅଧରେ ସମସ୍ତକୁ ଛାଡି ଚାଲିଗଲା।


ରଘୁନାଥଙ୍କ ଆଖିରୁ ଲୁହ ଶୁଖି ଯାଇଥିଲା।ଅଭିପ୍ସା ସମସ୍ତଙ୍କୁ ଶାନ୍ତ୍ବନା ଦେଉଥିଲା।


ସୁମିତାର ଶବ ସହଜରେ ମିଳିଲା ନାହିଁ।କରୋନା କାଳ ହୋଇଥିବାରୁ ପୋଷ୍ଟମର୍ଟମ କରି ଶବ ହସ୍ତାନ୍ତର କରିବା ପାଇଁ ଚବିଶଘଣ୍ଟା ଲାଗିଗଲା।ଏବେ ଶବ ଦାହ କରିବା କଥା। କିଛିଦିନ ତଳେ ସୁମିତା ଗାଁ'ଆଡେ ବୁଲିଯିବା ପାଇଁ ଯିଦ୍ କରୁଥିଲା।ତାର ସେ ଇଚ୍ଛାକୁ ସମ୍ମାନ ଦେବାପାଇଁ ରଘୁନାଥ ପୈତୃକ ଗ୍ରାମରେ ଦାହ ସଂସ୍କାର କରିବାପାଇଁ ଇଚ୍ଛା ପ୍ରକାଶ କଲେ। ରଘୁନାଥ ବାବୁଙ୍କ ଜଣେ ବନ୍ଧୁ ଏ ନିଷ୍ପତି ବିରୁଦ୍ଧରେ କହିଥିଲେ.... କରୋନା କାଳରେ ଗାଁ କୁ ଯାଇ କ୍ବାରାନ୍ଟାଇନ୍'ରେ ରହିବା ଭଳି ଝାମେଲା ଭୋଗିବାକୁ ପଡିବ,.କାହିକି ଏତେ ଅସୁବିଧା କୁ ଯିବେ?"


ରଘୁନାଥଙ୍କର ଉତ୍ତର ଥିଲା...ମୋ ଝିଅର ଇଚ୍ଛା ଆଗରେ ଏସବୁ ସୁବିଧା ଅସୁବିଧା ତୁଚ୍ଛ।କାଳ ମୋତେ ବହୁତ୍ କରାଳ ରୂପ ଦେଖାଇ ସାରିଲାଣି, ମୋର ଆଉ ମହାକାଳକୁ ମଧ୍ୟ ଡରିବାର ନାହିଁ।


Rate this content
Log in

Similar oriya story from Tragedy