ସ୍ମୃତିରେ ରାକ୍ଷୀ
ସ୍ମୃତିରେ ରାକ୍ଷୀ
ଦୀର୍ଘ ପାଞ୍ଚ ବର୍ଷ ପରେ ମୋ ସ୍ମୃତି ଯେମିତି ଆଉଥରେ ଉଜ୍ଜୀବିତ ହୋଇ ଉଠୁଥିଲା l ଟ୍ରେନରୁ ଓହ୍ଲେଇ ଦେଖିଲି ଭାଇ କେତେବେଳୁ ଆସି ଅପେକ୍ଷା କରିଛି ନିଜ କାରରେ l ଅନ୍ୟ ମନସ୍କ ହୋଇ ବସିପଡ଼ିଲି ମୁଁ ଗାଡିରେ l ସେ କେତେ କଣ ପଚାରୁଥାଏ ହେଲେ ମୁଁ କୋଉ ଦୁନିଆଁରେ ବିଚରଣ କରୁଥିଲି କେଜାଣେ l ମୋ ଭାବପ୍ରବଣତା ଦେଖି ବାଧ୍ୟ ହୋଇ ଚୁପ ରହିଲା ସେ l ଦଶବର୍ଷ ତଳକୁ ଯେମିତି ଖସିଗଲି ମୁଁ ଓ ମୋ ଭାବନା l ଏ କଳା ମଚ ମଚ ରାସ୍ତା ସେଦିନ ନ ଥିଲା କି ଏ ଅଭିଜାତ୍ୟ ପୂର୍ଣ୍ଣ ସହର ନ ଥିଲା l ଥିଲା ଏକ ଗୋଡି ମାଟିର ଛୋଟିଆ ରାସ୍ତା lଯେଉଁ ରାସ୍ତାରେ ବାବା ତାଙ୍କ ପୁରୁଣା ସାଇକେଲରେ ମୋତେ ନେବା ପାଇଁ ଆସୁଥିଲେ l ଭାଇ ଛୁଆଙ୍କୁ ତା ସାଇକେଲରେ ନେଇଯାଏ l ବାପା ସହିତ ବେଗ ସବୁ ସାଇକେଲରେ ନେଇ ଚାଲି ଚାଲି ଆସେ ସୁଖ ଦୁଃଖ ହେଇ ହେଇ l କେମିତି ରାସ୍ତା ସରିଯାଏ ଜଣା ପଡେ ନି l ଯୋଉ ରାସ୍ତାରେ ଆମେ ଭାଇ ଭଉଣୀ ସବୁଦିନ ସ୍କୁଲ ଯାଉଥିଲୁ l ଗଲା ବାଟରେ ସନା କକାର ଛୋଟିଆ ପାନ ଦୋକାନ ଯେଉଁଠି ପାନ ଠୁ ଆରମ୍ଭ କରି ଖାତା, ପେନ, କମ୍ପାସ ଭଳି କି ଭଳି ରବର, ପେନ୍ସିଲ ସବୁକିଛି ସହଜ ରେ ମିଳିଯାଏ ଆମକୁ l ଆମ ପାଇଁ ସେ ଛୋଟିଆ ଦୋକାନ କୋଉ ମଲ ଠୁ କମ ନ ଥିଲା l ରାକ୍ଷୀ ପୂର୍ଣ୍ଣିମାରେ କେତେ ରକମର ଜରି ଲଗା ରାକ୍ଷୀ l ଭାଇ ପାଇଁ ସବୁଦିନ ସେ ଦୋକାନରୁ ରାକ୍ଷୀ ନେଇ ବାନ୍ଧି ଦିଏ l ସେ ମୋତେ ଲୁଚେଇ ସାନ୍ତ୍ରା କୋଳିର ଚକଲେଟ ପୁଡିଆରେ ଗୁଡେଇ ଆଣି ଦିଏ l କାରଣ ସେ ଚକଲେଟ ଖାଇବାକୁ ମୁଁ ଖୁବ ଭଲ ପଉଥିଲି l ହେଲେ ବଦଳି ଯାଇଛି ଆଜି ସେ ସବୁ ବଦଳି ଯାଇଛି ଦୁନିଆ l ଆଜି ଚକଚକିଆ ରାସ୍ତା ହୋଇଯାଇଛି ଆଉ ସେ ଦୋକାନ ବଦଳରେ ଛିଡା ହୋଇଛି ବିରାଟ ମଲ l ଛକଟା ଯେମିତି କୋଉ ସିଟିର ଭ୍ରମ ସୃଷ୍ଟି କରୁଛି l ବିୟୁଟି ପାଲରରୁ ଚଷମା ଦୋକାନ ସବୁ କିଛି ଅଛି ଆଜି l ହେଲେ ସେ ସ୍ମୃତି ହଜି ଯାଇଛି ସମୟର କୋଉ କରାଳ ଗର୍ଭରେ l ସେଇ କଚ୍ଛା ଛୋଟିଆ ଘର ଆଜି ବିରାଟ ବଙ୍ଗଳାରେ ରୂପାନ୍ତରିତ ହୋଇ ସାରିଛି l
ମୋ ଆସିବା କଥା ବୋଧହୁଏ ସମସ୍ତେ ଜାଣି ସାରିଥିଲେ l ସେଥିପାଇଁ ଅପେକ୍ଷାର ଅନେକ ଆଖି ମୋତେ ସ୍ୱାଗତ ଜଣାଉଛି l କିଏ ମୋ ପାଦ ଛୁଇଁ ପ୍ରଣାମ କରୁଛି ତ କାହାକୁ ମୁଁ ନିଜେ ପାଦ ଛୁଇଁଛି l ଆଶ୍ରିବାଦ ଦେଇ କିଏ କୋଳେଇ ନେଉଛି ତ କିଏ ଆଲିଙ୍ଗନ କରି ମଥା ଚୁମି ଦେଉଛି l ସାରିଆ ଅଜା ଆଜି ବି ଦାଣ୍ଡ ପିଣ୍ଢାରେ ବସି ମୋତେ ଚିଡେଇ କହୁଛି "ମୋ ହିରୋଇନ କୁଆଡେ ଗଲୁ ଲୋ.... ତୋପାଇଁ ମୋ ବାଳ ପାଚି ଗଲାଣି ଆଉ କେତେ ଦିନ ଅପେକ୍ଷା କରିବି "ହସି ଦେଇ ପାଦ ଛୁଇଁ ଜୁହାର ହେଲି l ସବୁଦିନ ଭଳି ମୁଣ୍ଡରେ ଠଣାଟେ ମାରି କହିଲେ..
ମୋ ଘରଣୀ ସଦା ସୁଖୀ ରୁହ ପାଚିଲା ବାଳରେ ସିନ୍ଦୁର ଲଗାଅ l ହସି ହସି ସବୁ ସ୍ମୃତି ଯେମିତି ମୋ ମନ ଆଇନାରେ ଭାସିଯାଉଥିଲା l ଘରକୁ ପସୁ ପସୁ ଭାଉଜ ଦ୍ଵାର ପାଖରେ ଠିଆ ହୋଇଥିଲେ l ମୋତେ ଦେଖି ମୁଣ୍ଡିଆଟେ ମାରିଲେ l ହେଲେ ଆଖି ଖୋଜୁଥୁଲା ମା ର ସେ ଥକା ଥକା ଚେହେରା l କାମ କରି ଝାଳରେ ଭିଜି ଯାଇଥିବା ପଣତ ହେଲେ l ଯାହା କୋଉ ଦାମିକା ପାରଫ୍ୟୁମରେ ବି ଆଜି ନାହିଁ l ଭାଇ ସବୁ ଘର ବୁଲେଇ ଦେଖାଉ ଥାଏ l ହେଲେ ମୋ ମନ ଖୋଜୁଥିଲା ସେ ପୁରୁଣା ଅତୀତ l ଅତିଥି ଭାବେ ବୋହୁ ସାଙ୍ଗେ ସାଙ୍ଗେ ଚା ଜଳଖିଆ ବାଢ଼ିଦେଲା l ହେଲେ ଆସୁ ଆସୁ ସେ ରନ୍ଧା ଘରେ ପସି ମା ତିଆରି କରିଥିବା ରସବରା କଢେଇରୁ ଆଣି ଗିଳିଦେବା ଦିନ ଆଜି କାଇଁ ହଜି ଯାଇଛି l ଭାଇ ପୁଅ ଅପା ବୋଲି ସମ୍ବୋଧନ କରୁଛନ୍ତି l ବାପା ଭଳି ଆଜି କେହି ସେ ଆତ୍ମୀୟ ଡାକ "ମୁନୁ ମା 'ସତେ ଯେମିତି ହଜି ଯାଇଛି କୋଉ ବିସ୍ମୃତି ଗର୍ଭରେ l ଭାଇ ହାତ ଟାଣି ନେଇ କହୁଛି ଏ ହଲ..... ଏ ପିଲାଙ୍କ ପଢା ଘର l ସବୁ ଘର ଠୁ ଟିକେ ଦୂରେ l ଛୁଆଙ୍କୁ ପଡିବା ସମୟରେ ଅସୁବିଧା ହେବ ନି l ମୁଁ ପୁଣି ହଜି ଯାଉଛି ସେ ଅତୀତ ସ୍ମୃତିରେ l ଗୋଟେ ଲଣ୍ଠନରେ ଦି ଭାଇ ଭଉଣୀ ପଢ଼ୁଥିଲୁ l ମା ରୋଷେଇ ଘରେ ବାସନ ରଖି କେତେ ଶବ୍ଦ କରୁଥିଲା l ଦାଣ୍ଡରେ ଘୋ ଘା ଶବ୍ଦ...
ବାବା ରେଡ଼ିଓରେ ସମାଚାର ଶୁଣୁଥିଲେ l ତଥାପି ଆମେ ଏକାଗ୍ରତାର ସହିତ ପଢୁ ଥିଲୁ l ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରୁଥିଲୁ lପୁଣି ଭାଇ କଥାରେ ମୁଁ ପ୍ରକୃତିସ୍ଥ ହେଲି l ଦି ମୋ ପ୍ଲାନିଂ ଭଲ ଲାଗିଲା ତ l ତୁ ମୋ ନୁଆଁ ଘର ଦେଖି ନ ଥିଲୁ l ସ୍ତ୍ରୀ କଥା ମୋତେ ଶୁଭୁଥିଲା ସେ କହୁଥିଲେ ଘର କୋଉଠି ଦେଖୁଛନ୍ତି ସେ ଯେ.... ପଚାରୁଛ l ସତରେ ତ ମୁଁ ମୋ ସ୍ମୃତିରେ ବୁଡିଗଲି l ଏମିତି ଛୋଟିଆ ଘରରେ କଟିଗଲା ମୋ ମା ର ତିରିଶ ବର୍ଷ l ସପ୍ନ ହୋଇ ରହିଗଲା ସେ ନୁଆଁ ଘର l ଆଜି ସବୁ ଅଛି ହେଲେ ସେ ନାହିଁ.. Iସେ ସଠି ଘର କଥା ଏବେ ବି ମନେ ଅଛି ମୋର l କାନ୍ଥରେ ଖୁବ ସୁନ୍ଦର ଲାଗେ....
ମା କହେ ଗୋଟେ ତୋର ଗୋଟେ ଭାଇର l ହେଲେ ଆଜି ସେ ଜାଗାରେ ସୁନ୍ଦର ୱାଲ ପ୍ଲେଟ ଲାଗିଁସାରିଛି l ହଜି ଯାଇଛି ସେ ସଠି ଘର l
ଭାଉଜ ରାକ୍ଷୀ ଥାଳି ନେଇ ଆସିଗଲେ କହିଲେ ଝିଅ ଆସିଥିଲେ ଛୁଆଙ୍କୁ ରାକ୍ଷୀ ବାନ୍ଧି ଦେଇଥାନ୍ତେ l ହେଲେ ମୁଁ କହିଲି ତାର ପ୍ରାକ୍ଟିକେଲ ପରୀକ୍ଷା ଥିଲା ସେଥିପାଇଁ ଏକା ଆସିଲି l ରାକ୍ଷୀ ବାନ୍ଧି ଭାଇକୁ ବନ୍ଦାଇ ଦେଲି l ପୁଣି ମନେ ପଡିଗଲା ମା କଥା..... ରାକ୍ଷୀ ପିନ୍ଧେଇବା ଆଗରୁ ମିଠା ଆଣି ଠୁସି ଦିଏ ମୋ ପାଟିରେ l ଆଜି ସବୁ କେମିତି ବଦଳି ଯାଇଛି l ମୋ ନିଜ ଘରେ ବି ଆଜି ମୁଁ ଯେମିତି କୁଣିଆଁ ହୋଇ ଯାଇଛି.. ସତରେ ଗୋଟେ ଝିଅର ଜୀବନ କେତେ ବିଚିତ୍ର..... ନିଜ ଘର ଦିନେ ପର କରି ଆଉ କାହାଘରକୁ ନିଜର କହେ l ଭାଇ ବି ବଡ଼ ହୋଇ ବଡ଼ ଚାକିରୀଟେ କରୁଛି.... ସାନ୍ତ୍ରା ଚକଲେଟ ବଦଳରେ ବନାରସୀ ଶାଢ଼ୀଟେ ଉପହାର ଦେଉଛି l ହେଲେ ମୁଁ ଭାବୁଛି ସେ ଅତୀତର ସ୍ନେହ କୁଆଡେ ହଜି ଯାଇଛି l
ସ୍ମୃତିର ଝରକା ଫାଙ୍କରେ ଆଜି ବି ସବୁ ଝାସ୍ପା ଝାସ୍ପା ଦିଶୁଛି ll
