Sucharita Sena

Tragedy

4  

Sucharita Sena

Tragedy

ସ୍ମୃତିର ଆଇନା

ସ୍ମୃତିର ଆଇନା

6 mins
286


କୁହାଯାଏ ସମୟ କାହାକୁ ଅପେକ୍ଷା କରେନି, ସେ ବହିଯାଏ ନିଜ ବାଟରେ | କେବଳ ଛାଡିଯାଏ କିଛି ସ୍ମୃତି | ସେ ସ୍ମୃତି କାହାପାଇଁ ଆନନ୍ଦ ଆଣିଥାଏ ତ କାହାପାଇଁ ଆଣି ଦେଇଥାଏ ଦୁଃଖର ପସରା | ସୁଖର ସମୟ ଖୁବ୍ କ୍ଷଣ ମନେ ହୁଏ କିନ୍ତୁ ଯେଉଁ ପାଇଁ ହୃଦୟ କାନ୍ଦେ ସେ ସମୟ ଯେପରି ସ୍ଥିର ହୋଇଯାଏ | ଆଉ କିଛି ଦିନ ଅଥବା ମୁହୂର୍ତ୍ତ ମଧ୍ୟରେ ଏ ଚଳିତ ବର୍ଷଟି ରହିଯିବ ଇତିହାସ ପୃଷ୍ଠାରେ | ମୋର କିଛି ମର୍ମସ୍ପର୍ଶୀ ବେଦନାକୁ ବ୍ୟକ୍ତ କରିବାକୁ ଭାରି ଇଚ୍ଛା ହେଉଛି | ନେତ୍ର ଯୁଗଳରୁ ଅମାନିଆ ଲୁହ ଧାର ବହିଯାଉଛି କାନ ପାଖକୁ |

ମୁଁ ସବ୍ୟସଚି ମିଶ୍ର | ଏବେ ଗ୍ରାମ୍ୟ, ଅବା ମୋ ବାସସ୍ଥାନ ଠାରୁ ଢ଼େରେଦୂର ସୁଦୂର ବାଙ୍ଗାଲୋରରେ ରହୁଛି | ଚାକିରୀ ଜୀବନ ବିଗତ ସାତବର୍ଷ ହେଲାଣି ଆରମ୍ଭ କଲିଣି | ଘର, ନିଜଲୋକ, ଓ ସମ୍ପର୍କୀୟଙ୍କ ଠାରୁ ଦୂରରେ ରହିଲେବି ମୋ ମନ ପ୍ରତିମୁହୂର୍ତ୍ତରେ ସମସ୍ତଙ୍କୁ ଝୁରେ |

ବର୍ଷ ଆରମ୍ଭ ମୋ ପାଇଁ ଆଣିଦେଇଥିଲା ଖୁବ୍ ଆନନ୍ଦ | ଗେଲ୍ଲୀ ଭଉଣୀ "ଇତି " ର ବିବାହରେ ଯୋଗ ଦେବାକୁ ଗାଁକୁ ଯାଇଥିଲି | କୋଡିଏଦିନର ଛୁଟି ମୋ ହାତରେ ଥିଲା | ଭଉଣୀର ବିବାହ ସୁରୁଖୁରୁରେ ସମ୍ପନ୍ନ ହୋଇଗଲା |

ମୋ ପୂରୁଣା ବନ୍ଧୁ ମାନଙ୍କ ସହ ଦେଖା କରିବା ପରେ ସେମାନେ ଗୋଟେ ଭୋଜିର ଆୟୋଜନ କରିଥିଲେ | ଉକ୍ତଭୋଜିରେ ମୋ ସହପାଠୀ ଝିଅ - ପୁଅଙ୍କ ସହ ସମସ୍ତ ଶିକ୍ଷକ ମାନଙ୍କୁ ମଧ୍ୟ୍ୟ ନିମଂତ୍ରଣ କରିବାକୁ ନିଷ୍ପତି ନିଆଗଲା | ସମସ୍ତେ ଖୁସି ଥିଲେ ପୁରୁଣା ବନ୍ଧୁ ମାନଙ୍କୁ ଭେଟିବାକୁ, ମୁଁ କିନ୍ତୁ ଅଧିକ ଖୁସି ଥିଲି ମୋ ଶିକ୍ଷକ ମାନଙ୍କ ଗହଣରେ ସମୟ ଅତିବାହିତ କରିବାକୁ | ପଢିବା ସମୟରେ ମୁଁ ପ୍ରିୟ ଛାତ୍ର ହିସାବରେ ପରିଗଣିତ ହେଉଥିଲି ସମସ୍ତ ଶିକ୍ଷକବୃନ୍ଦଙ୍କ ପାଖରେ | ଅଧିକ ଭଲ ପାଉଥିଲେ ମୋ ଇତିହାସ ଶିକ୍ଷକ "ଦାମୋଦର ସାର୍ " |

ବିଦ୍ୟାଳୟରୁ ବିରତି ନେବା ଓ ପଢା ସରିବା ପରେ ମୁଁ ଆଉ ମୋ ଶିକ୍ଷକ ମାନଙ୍କ ସଂସ୍ପର୍ଶରେ ଆସିନଥିଲି | ବିଗତ ଦଶ - ବାର ବର୍ଷ ପରେ ସେମାନଂକୁ ଦେଖିବାର ସୁଯୋଗ ମିଳିଥିଲା | ଅଧିକତର ଶିକ୍ଷକ ଅବସରପ୍ରାପ୍ତ ଥିଲେ | ସେମାନଙ୍କ ଘରକୁ ଯାଇ, ଦେଖାକରି, ନିମଂତ୍ରଣ ଦେବାର ଥିଲା | ମୁଁ ଓ ମୋ ଦୁଇ ସାଙ୍ଗ ବାବୁ ଓ ଟୁନା ଏ କାର୍ଯ୍ୟ ସମ୍ପାଦନ ପାଇଁ ଗୁରୁ ଦାୟିତ୍ୱ ନିଜ କାନ୍ଧଉପରେ ନେଇଥିଲୁ |

ପ୍ରାୟତଃ ଶିକ୍ଷକ ଆମକୁ ଚିନ୍ହି ପାରିଥିଲେ, ଏହା ମୋ ପାଇଁ ସୌଭାଗ୍ୟର ବିଷୟ ଥିଲା | ସେ ଆନନ୍ଦକୁ ମୁଁ ବୟାନ କରିବାକୁ ମୋ ପାଖରେ ଭାଷାର ଅଭାବ ପଡିପାରେ | ସେଦିନ ଦୁଇ ସାଙ୍ଗଙ୍କ ସହିତ କଥା ହୋଇ ମୁଁ "ଦାମୋଦର ସାର୍ " ଙ୍କୁ ଭେଟିବାକୁ ଏକା ଯିବାକୁ ନିଷ୍ପତିନେଲି | ବୟସରେ ବଡ ସିନା ହୋଇସାରିଥିଲି କିନ୍ତୁ ସାର୍ ଙ୍କ ସ୍ନେହକୁ ଅନ୍ୟ ସାଙ୍ଗ ମାନଙ୍କ ସହ ବାଣ୍ଟିବାକୁ ଆଜିବି ଛୋଟପିଲା ପରି ଅନିଛୁକ ଥିଲି | ଠିକି ଦଶ - ବାର ବର୍ଷ ତଳର ସେଇ ଛୋଟପିଲା ଭଳି | କିପରି ଦାମୋଦର ସାର୍

ଗେଲ୍ହାରେ ମୁଣ୍ଡକୁ ଆଉଁଷି ଆଣି ପଚାରୁଥିଲେ " ସବ୍ୟ, ପଢାପଢି ଠିକି କରୁଛୁ | ମନ ଦେଇ ପଢ | ଯଦି କିଛି ସମସ୍ୟା ଉପୁଜେ ବିନା ଦ୍ୱିଧାରେ ପଚାରିବୁ |" ସବୁ ଗୋଟି ଗୋଟି ହୋଇ ମୋର ସବୁ ମନେ ପଡିଯାଉଥାଏ |

ଏପରି ଅନେକ କଥା ବିଗତ ଦିନର ସୁମଧୁର ସ୍ମୁତିକୁ ମାନସ ପଟରେ ତାଜା କରୁଥାଏ | ଆଜି ଅନେକ ଦିନପରେ ସାର୍ ଦେଖି କହିବେ ସବ୍ୟ "ଏତେ ଦିନର ଅବଧି ପରେ ଆଜି ମୋ କଥା ମନେ ପଡିଲା " |

ମୁଁ କଣ କହିବି | କାହିଁକି ମଝିରେ ମଝିରେ ଆସି ସାର୍ ଙ୍କୁ ଦେଖା କରୁନଥିଲି, ନିଜକୁ ଦୋଷୀ ଭଳି ଭାବି ସଂକୋଚ ଭାବ ଆସୁଥାଏ | ସାର୍ ଯଦି ଅଧିକ ଅଭିମାନ କରନ୍ତି ତାହେଲେ ଗୋଡ ଧରି ପଡିଯିବି | ନିଶ୍ଚୟ କ୍ଷମା ଦେଇ କୋଳେଇ ନେବେ | ଏପରି ଭାବି ଭାବି ପହଂଚିଗଲି ସାର୍ ଙ୍କ ଘର ଆଗରେ |

ସାର୍ ଙ୍କ ପୁଅ ଯିଏକି ମୋ ଠାରୁ ବୟସରେ ଛୋଟଥିଲା ପାଖକୁ ଆସି ନମସ୍କାର ଜଣାଇ ପାଛୋଟି ନେଇଗଲା ଘର ଭିତରକୁ | ମୁଁ ତାକୁ କିଛି ପଚାରିବା ପୂର୍ବରୁ ସାର୍ ଙ୍କ ପାଖରେ ନେଇ ଛିଡା କରାଇ ଦେଲା | ସାର୍ ମତେ ଚିନ୍ହିବାକୁ ତିଳେ ମାତ୍ର ହେଲା କରି ନଥିଲେ | କିନ୍ତୁ ଅତ୍ୟନ୍ତ ଅସୁସ୍ଥ ଅବସ୍ଥାରେ ଖଟିଆରେ ଶୋଇରହିଥିଲେ | ମୋ ଭିତରର ଖୁସି ଯେପରି ନିମିଷେକ ମଧ୍ୟରେ ଉଭେଇ ଗଲା | ବୟସର ଛାପ ବାରିହୋଇ ପଡୁଥିଲା ମୁଖରୁ | ଅସୁସ୍ଥତା ଦୃଷ୍ଟିରୁ ଅଧିକ ବୃଦ୍ଧ ଭଳି ଦୃଶ୍ୟମାନ ହେଉଥିଲେ ମୋ ପ୍ରିୟର ଗୁରୁ |

କଥା ପ୍ରସଙ୍ଗରେ ଜାଣିଲି କିଛି ଦିନ ପୂର୍ବରୁ ନିଜ ସହଧର୍ମିଣୀକୁ ହରାଇଛନ୍ତି | ସବୁକିଛି ଦେଇ ନେଇ ବଡଘରେ ବିବାହ ଦେଇଥିବା ଝିଅଟି ଶାଶୁଘର ଲୋକଙ୍କ ଦାଉ ସହି ପାରୁନି | ଏ ସବୁ ସମସ୍ୟା ପାଇଁ, ଖୁବ୍ ନିକଟରେ ସାର୍ ହୃଦଘାତର ବଶବର୍ତ୍ତୀ ହୋଇଛନ୍ତି | ଡାକ୍ତର ସମ୍ପୂର୍ଣ୍ଣ ଭାବରେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି |

ସାର୍ ଙ୍କ ବିଷୟରେ ଶୁଣିବା ପରେ ମନଟି ଯେପରି ମରିଗଲା | ବିବେକ ବାଧା ଦେଲା ଆସିବାର ଅଭିପ୍ରାୟ କହିବାକୁ | ସାର୍ ମତେ ଦେଖି ବହୁତ ଖୁସି ଥିଲେ | ଅତ୍ୟନ୍ତ ବାଧ୍ୟ କରିଥିଲେ ଖାଇକି ଯିବାକୁ | ମୁଁ ମନା କରିପାରି ନଥିଲି |

ସାର୍ ଙ୍କ ପୁଅ ଆମ ବ୍ୟାଚର ଫୋଟୋ ଆଣି ଦେଖାଇ କହିଥିଲା ସାବ୍ୟ ଭାଇ ଅପଣଂକ ଚେହେରାରେ କୌଣସି ପରିବର୍ତ୍ତନ ହୋଇନି | ସେଥିପାଇଁ ମୁଁ ଆପଣକୁ ଦେଖିବା ମାତ୍ରେ ଚିନ୍ହି ଦେଲି | ମୁଁ କାନ୍ଥକୁ ଚାହିଁଲି ଖାଲି ଆମ ବ୍ୟାଚର ଫୋଟୋ ନଥିଲା, ସାର୍ ଙ୍କ ଅବସର ପର୍ଯ୍ୟନ୍ତ ସମସ୍ତ ବ୍ୟାଚ ପିଲାଙ୍କ ଫୋଟୋ ସେ କାନ୍ଧରେ ଝୁଲୁଥିଲା | ସାର୍ ଙ୍କ ପୁଅ ପଛରୁ କରୁଥିଲା, : " ସବ୍ୟ ଭାଇ, ବାପା ଅନେକ ଥର ଅପଣଂକ କଥା କହିଛନ୍ତି, ଆପଣ କିପରି ଭଲ ଛାତ୍ର ଓ ଉତ୍ତମ ପିଲା ଥିଲେ ତାର ଉଦାହରଣ ନାନୀ ଓ ମତେ ଦିଆଯାଏ " |

ମୋ ଭିତରେ ଯେପରି କୋହ ଉଠୁଥିଲା, ଲାଗୁଥିଲା ମୁଁ ନିହାତି ଜଣେ ସ୍ଵର୍ଥପର ମଣିଷ | କିପରି ସାର୍ ଙ୍କୁ ଭୁଲିଗଲି |

ସେଦିନ ସାର୍ ଙ୍କ ସହ ସନ୍ଧ୍ୟା ପର୍ଯନ୍ତ ସମୟ କାଟିଥିଲି | ଲାଗୁଥିଲା ସାର୍ ବହୁତ ଖୁସି ଥିଲେ | ମୋ ଆସିବା ସମୟରେ ସାର୍ ଙ୍କ ସେ ଉଦାସମୁହଁ ମୋ ଛାତିରେ ଯନ୍ତ୍ରଣା ସୃଷ୍ଟି କରୁଥିଲା | ମୋ ନମ୍ବର ଦେଇ କହିଥିଲି ଯେବେବି ଖୋଜିବେ ନିଶ୍ଚୟ ଆସି ପହଂଚି ଯିବି | ବାଙ୍ଗାଲୋର ଆସିବା ପୂର୍ବଦିନ ମଧ୍ୟ୍ୟ ସାର୍ ଙ୍କ ସହ ପୁରାଦିନ ସମୟକାଟିଲି |

ମୁଁ ପ୍ରତି ସପ୍ତାହରେ ଫୋନ କରି ସାର୍ ଙ୍କ ସହ ବରାବର କଥା ହେଉଥିଲି | ସେଦିନ ମୁଁ ଅଫିସରେ ଥାଏ ସାର୍ ଙ୍କ ଫୋନ ଆସିଲା, ଦୁଇଦିନ ତଳେ କଥା ହୋଇଥିଲି , ଏପରି ଫୋନ ଆସିବାରୁ ଛାତିଟା ଧଡ଼କି ହେଲା | ଅବିଳମ୍ବେ ଉଠେଇ ଜାଣିଲି ସାର୍ କାନ୍ଦୁଛନ୍ତି | କଣ ହୋଇଛି ପଚାରିବାରୁ ସାର୍ ଖାଲି ଏତିକି କହିଲେ " ମୋ ଝିଅକୁ ସେମାନେ ମାରିଦେଲେ " | ମୁଁ ସାର୍ ଙ୍କ ପୁଅ ସହ କଥା ହୋଇ ସଙ୍ଗେ ସଙ୍ଗେ ପୋଲିସ ସହ ଯୋଗାଯୋଗ କଲି | କିନ୍ତୁ ସବୁ ଯେପରି ଓଲଟ ପାଲଟ ହୋଇ ସାରିଥଲା | ଝିଅଟି ଆତ୍ମହତ୍ୟା ପୂର୍ବରୁ ଚିଠି ଲେଖି ନିଜକୁ ପଙ୍ଖାର ଝୁଲାଇ ସାରିଥିଲା | ମତେ କେବଳ ସାର୍ ଙ୍କ ଅସହାୟ ଚେହେରା ଓ ଗୋଟେ ଛୋଟ ଭାଇର କଅଁଳ ମୁହଁ ଦେଖା ଯାଉଥିଲା | କଣ କରିବେ ଏମାନେ | ଅନେକ ବୁଝାଇ ଥିଲି ଫୋନରେ, ଧର୍ଯ୍ୟ ଧରିବାକୁ ଅନୁରୋଧ କଲି, ଆମେ ଲଢ଼ିବା ସେ ରାକ୍ଷସ ମାନଙ୍କୁ ସଜା ଦେବାର ପ୍ରତିଶୃତି ଦେଲି | ମୁଁ ଘରକୁ ଯିବାକୁ ଠିକି କଲି, ଯାହାବି ହୋଇଯାଉ ସେମାନଙ୍କ ପାଖରେ ମତେ ପହଂଚି ବାକୁ ପଡ଼ିବ | ମାନସିକ ସ୍ତରରେ ନିହାତି ସେମାନଙ୍କୁ ସହଯୋଗ ଦରକାର | କିନ୍ତୁ ମହାମାରୀ ପାଇଁ ସବୁ ଠପ ହୋଇଗଲା, ସମସ୍ତେ ଗୃହବନ୍ଦୀ | ଯିଏ ଯେଉଁଠି ସିଏ ସେଇଠି ହିଁ ରହିଗଲେ | ମୁଁ ଚାହିଁକିବି କିଛି କରି ପାରିଲିନାହିଁ | ନାଚାର, ହତାଶ, ଅସହାୟ ହୋଇ ରହିବା ଛଡା ଆଉ କିଛି ଉପାୟ ନଥିଲା ମୋ ପାଖରେ |

ଦୁଇଦିନ ପରେ ସାର୍ ଙ୍କ ଫୋନ ରୁ ଆଉ ଥରେ କଲ୍ ଆସିଲା, ସେପାଖରୁ ଶୁଭୁଥିଲା ବାଷ୍ପରୁଦ୍ଧ କଣ୍ଠରୁ ଶବ୍ଦ : " ସବ୍ୟ ଭାଇ, ବାପାଙ୍କୁ ପୁନଃ ହୃଦଘାତ ଆସିଛି, ବାପାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ | କୌଣସି ଗାଡି ପାଇଲି ନାହିଁ, ଆମ୍ବୁଲାନ୍ସବି ଆସିଲାନି ଡାକ୍ତରଖାନା ଆଣିବା ପାଇଁ | ଟ୍ରଲି ରିକ୍ସା ରେ ନିଜେ ନେଇ ଆସିଛି | ବାପା ଡାକ୍ତରଖାନା ବାରଣ୍ଡାରେ ଶୋଇଛନ୍ତି, କିଛି କଥା ହେଉ ନାହାନ୍ତି | କୌଣସି ଡାକ୍ତର ଦେଖିବାକୁ ଆସୁନାହାନ୍ତି | ମୁଁ କଣ କରିବି ଜାଣି ପାରୁନି | " |

ମୋର ଶୁଣିବାର ଧର୍ଯ୍ୟ ଯେପରି ତୁଟି ଯାଇଥିଲା, ଇଚ୍ଛା ହେଉଥିଲା ଡାକ୍ତରଖାନାକୁ ବାଡେଇ ଭାଙ୍ଗି ସବୁ ଛାରଖାର କରିଦେବାକୁ | ମୁଁ ଚିତ୍କାର କରି କହୁଥାଏ ..... : ତୁ ଦେଖେ ପାଖରେ କିଏ ଅଛି, ତାକୁ ଫୋନ ଦେ, ମୁଁ କିଛି କରୁଛି " |

ଅନେକ ସମୟ ପରେ ଜଣେ ସିଷ୍ଟର ଫୋନ ନେଲେ, ମୁଁ ତାଙ୍କ ଗୋଡ ଧରିବାକୁ କହିଲି, ଯେତେ ଟଙ୍କା ନେବା କଥା ଦେବାକୁ କହିଲି, ଥରେ ମୋ ଗୁରୁଙ୍କୁ ଦେଖି କେଉଁଠି ଟିକେ ଭର୍ତି କରିଦିଅନ୍ତୁ ବୋଲି ଅନୁରୋଧ କଲି | ତାଙ୍କୁ ଟିକେ ବଞ୍ଚାଇ ଦିଅନ୍ତୁ ବୋଲି ମୋର ବିନୀତ ଅନୁରୋଧ ଥିଲା | ସେ ନିଜର ମଣିଷ ପଣିଆ ଦେଖାଇ ସାର୍ ଙ୍କୁ ଦେଖିଲେ, କିନ୍ତୁ ସେତେବେଳେକୁ ସବୁ ବିଳମ୍ବ ହୋଇ ସରିଥାଏ | ମୋ ପ୍ରିୟ ଗୁରୁ, ମୋ ପ୍ରିୟ ମଣିଷ କାହିଁ କେଉଁ ଅଜଣା ଯାଗାକୁ ଚାଲିଯାଇଥିଲେ | କେବଳ ଫୋନରୁ ଶୁଣି ପାରୁଥିଲି ଗୋଟେ ଅସହାୟ ପୁଅର ବିକଳ କ୍ରନ୍ଦନ ସ୍ୱର | ମୋ ଛାତି ଫାଟି ଯାଉଥାଏ | କୋଳେଇ ନେବାକୁ ଇଚ୍ଛା ହେଉଥାଏ ସେ ପିତୃହରା ପୁତ୍ରକୁ | ଓ ଛାତିରେ ଜଡେଇ ଧରି କହିବାକୁ ଇଚ୍ଛା ହେଉଥାଏ " କାନ୍ଦେନି ମୁଁ ପରା ଅଛି " |



Rate this content
Log in

Similar oriya story from Tragedy