ସ୍ମୃତି
ସ୍ମୃତି


ଅଠାବନ ପୁରୀ ଅଣଷଠି ଚାଲିଛି,ବୁଢା ହେଲିଣି।ବେଳେ ବେଳେ ଭାବେ ବୁଢା ତ ହୋଇ ଗଲି, ବଡ଼ ହେବି କେବେ?ଆଜି ବି କଥାରେ କାମରେ ଆଚରଣରେ ସ୍ଥିରତା ନାହିଁ।ଯାହା ଭଲ ନ ଲାଗିଲା ରୋକ ଠୋକ କହି ଦିଏ । କେହି ଭଲ ପାଆନ୍ତି ନାହିଁ,କେବେ କେବେ କେହି କେହି ଚୁପ ରହନ୍ତି । ଅନ୍ୟ କେତେକ ମୁହାଁମୁହିଁ କହି ଦିଅନ୍ତି ଅପମାନିତ ବୋଧ ହୁଏ।ତଥାପି ବି ନିଜକୁ ବଦଳେଇ ପାରେନା ମୁଁ।ମୁଁ ନିଜେ ଜାଣେନା କାହିଁକି ମୁଁ ଏମିତି। ବେଳେ ବେଳେ ମୋତେ ଲାଗେ ମୋର ଅନ୍ତିମ ଯାତ୍ରାରେ ଛ ଖଣ୍ଡିଆରେ ଯଦି ସାତ ଖଣ୍ଡ ବାଉଁଶ ବାନ୍ଧି ଦେବେ କୋକେଇରୁ ମୁଣ୍ଡ ଟେକି ମୋ ଶବ ବି ବିରୋଧ କରି ପାରେ।
ପିଲାଦିନୁ ପାରିବାରିକ ପରିସ୍ଥିତି କିଛି ସେହି ଭଳି ଥିଲା। ଭାଇ ଭାଗାରିଆ ଘର ସବୁବେଳେ ଟଣା ଭିଡ଼ା।ଚାଖଣ୍ଡେ ମାଟି ପାଇଁ ହାଣ କାଟ,କଥା କଥାକେ ବାହୁବଳ ପ୍ରଦର୍ଶନ। ଅଶିଷ୍ଟ ଅଭଦ୍ର ଭାଷାରେ ଗାଳି ଗୁଲୋଜ କଥା କଥା କେ ଧମକ ଚମକ,ଏ ସବୁ ନିତି ଦିନିଆଁ କଥା।ବାପା ମୋର ଥିଲେ ଦୁର୍ବଳ ଶରୀର ଧାରୀ ଶାନ୍ତ ମଣିଷଟିଏ।ସଦା ସର୍ବଦା କାର୍ଯ୍ୟ ରତ।ସବୁ କାମରେ ପାରଙ୍ଗତ। ଶାରୀରିକ ଶକ୍ତି କ୍ଷୀଣ ମାତ୍ର ମାନସିକ ଶକ୍ତି ପ୍ରଚଣ୍ଡ।ଡରି ନ ଥିଲେ କେବେ ,ହାରି ନଥିଲେ କେବେ,ମାତ୍ର ଡରେଇବା ହାର ମାନି ବସିଯିବା ପାଇଁ ଅନେକ ଅସଫଳ ଘୃଣ୍ୟ ଚକ୍ରାନ୍ତ ର ସାମନା କରିବାକୁ ପଡୁଥାଏ ତାଙ୍କୁ ବାରମ୍ବାର।ସବୁ ଦେଖୁ ଥାଏ ବୁଝି ପାରୁ ଥାଏ ମୁଁ,ମାତ୍ର ଉପାୟ ଶୁନ୍ୟ।।କେବଳ ମୋର ବାଲ୍ୟ ହୃଦୟରେ ଘନୀଭୂତ ହୋଇ ରହି ଯାଉଥାଏ ପରତ ପରତ ଘୃଣା ଏବଂ ତିରଷ୍କାର । କିଛି କହିବାକୁ ଯୁ ନାହିଁ ।ସମାଜର ପୁରୋଧା ତଥା କଥିତ ମୁଖିଆ ର ମୂଖା ତଳେ ଘୃଣ୍ୟ ବିଭତ୍ସ ଚେହେରା।ସମୟକୁ ଆଡେଇ ଆଡେଇ ସନ୍ତର୍ପଣରେ ଦିନ କଟୁଥାଏ।ମାତ୍ର କେବେ ହେଲେ ଆମେ ଭାଇ ଭଉଣୀ ମାନଙ୍କ ଆଗରେ ନିଜକୁ ଦୁର୍ବଳ ସିଦ୍ଧ କରି ନଥିଲେ ବାପା। କେବଳ ସେହି ମାନସିକ ଶକ୍ତିର ପ୍ରତିରୋଧ କ୍ଷମତା ଆଗରେ ହାର ମାନିବାକୁ ଦେଖିଛି ମୁଁ ମୋ କକା ମାନଙ୍କର ବାହୁ ବଳ ସାମାଜିକ ପ୍ରତିଷ୍ଠା ତଥା ରାଜନୈତିକ ଶକ୍ତିକୁ ମଧ୍ୟ।
ଗାଁ ର ଅଧିକାଂଶ ଲୋକ ଏପରି ବି ସେମାନଙ୍କ ପରିବାରର କେତେକ ସଦସ୍ୟ ମଧ୍ୟ ଏକାନ୍ତରେ ସାନ୍ତ୍ୱନା ଦେଇ ଯାଆନ୍ତି । ବିଗଳିତ ହୃଦୟର ରକ୍ତ ସବୁ ଲୁହ ହୋଇ ବହି ଯାଆନ୍ତି। ସାନ୍ତ୍ୱନା ବି ବିରକ୍ତିକର ଏବଂ ଅସହ୍ୟ ବୋଧ ହୁଏ।ମାତ୍ର,ସମୟ ବଦଳେ ନାହିଁ ସେହି ଭଳି ଗତାନୁଗତିକ ରୀତି ରେ ସମୟ ଚାଲୁଥାଏ।
ଏବଂ ଦିନେ ଢଳି ପଡିଲା ସେ କ୍ଷୀଣ କାୟ ଦୃଢ଼ ମାନସିକ ଶକ୍ତି ସମ୍ପନ୍ନ ମଣିଷ ଟି।ଅନ୍ଧାର ଠାରୁ ଅନ୍ଧାରିଆ କିଟିମିଟି ଦିଶୁଥାଏ ଚତୁର୍ଦ୍ଦିଗ।ଲାଗୁଥିଲା ସତେ ଯେମିତି ସୂର୍ଯ୍ୟ ଚନ୍ଦ୍ର ତାରା ସମସ୍ତେ ହଜି ଯାଇଛନ୍ତି,ଜୁଳୁ ଜୁଳିଆ ପୋକଟେ ବି ନାହିଁ ଟିମ ଟିମ କରିବାକୁ।ବହୁତ ଜୋରରେ ଛାଟି ଫଟେଇ କୋହ ବାହାରିବାକୁ ଚାହୁଁ ଥାଆନ୍ତି,ମାତ୍ର କେଜାଣି କାହିଁକି ମୁଁ ଚିତ୍କାର କରି କାନ୍ଦି ପାରିଲିନି । ଆଜି ଯାଏ ମୁଁ ଜାଣି ନାହିଁ,ମନେ ନାହିଁ କେବେ ପାଟି କରି କାନ୍ଦିବାର।ଅନବରତ ଝରୁଥିବା ଲୁହ ଗୁଡାକ ଫୁଙ୍ଗୁଳା ଦେହ ଦେଇ ବହି ଯାଉଥାନ୍ତି।
ଆଜି ବି ବହୁତ ଇଛା ହୁଏ ମନେ ପକେଇବାକୁ ସେ ମୁହୂର୍ତ୍ତ ମାନଙ୍କୁ।କ୍ରୁର ହେଲେ ମଧ୍ୟ ସେ ସମସ୍ତ ମୁହୂର୍ତ୍ତ ଥିଲେ ନିହାତି ଆପଣାର।ନିଜ ଲୁହର ଲୁଣିଆଁ ସ୍ୱାଦ ନିଜ ଜିଭକୁ ବି ଆପଣାର।ସ୍ମୃତି ଯେତେ ନିଷ୍ଠୁର ନିର୍ମମ ହେଲେ ବି ସ୍ମୃତି ଚାରଣ ର ତୃପ୍ତି ଅପରିମିତ।ଲୁହ ଜକେଇ ଆସେ ଆଖି କୋଣେ କୋଣେ, ଏବଂ ଜୀବନ୍ତ ହୋଇ ଯାଆନ୍ତି ସମସ୍ତ ମୁହୂର୍ତ୍ତ ହଜିଲା ଅତୀତର।ଜାବୁଡି ଧରେ ମୁଁ ବାହୁ ପ୍ରସାରି ସେ ସମସ୍ତ ସ୍ମୃତି ମାନଙ୍କୁ।ଚାହେଁନା ମୁଁ ସେମାନେ ଫେରି ଯାଆନ୍ତୁ ପୁଣି ସ୍ମୃତିର ଇଲାକା କୁ।ମାତ୍ର ଜୀବନ ବଞ୍ଚିବାକୁ ହୁଏ ଛାଡି ଦେଇ ସ୍ମୃତି ସମସ୍ତଙ୍କୁ ସେଇମିତି କୁହୁଳିବା ପାଇଁ।
******