"ସ୍ମୃତି"
"ସ୍ମୃତି"
ଆଜି ବର୍ଷର ଶେଷ ଦିନ, ଏହି ୨୦୨୦ସାରା ବିଶ୍ୱରେ ମୃତ୍ୟୁର ତାଣ୍ଡବଲୀଳା ରଚିଛି, ସବୁଆଡେ ଦୁଃଖର ଛାୟା ଖେଳିଯାଇଛି, ପ୍ରତି ମୁହୁର୍ତ୍ତ ମନୁଷ୍ୟ ପାଇଁ ଏକ ବଞ୍ଚିବାର ପ୍ରଚେଷ୍ଟା,ହସ ଯେପରି ଏକ ପ୍ରକାର ଲିଭି ଗଲାଣି ।
ମୁଁ ଆଇନା ସାମ୍ନାରେ ଛିଡ଼ା ହୋଇ ମୁଣ୍ଡ କୁଣ୍ଡାଉଥିଲି, ନଜର ପଡିଲା କିଛିଟା ଧଳା ବାଳ ଉପରେ, କେତେ ଜଲଦି ସମୟ ଚାଲିଯାଉଛି । ସତେ ଯେମିତି ମୁଁ ଏବେ ସ୍କୁଲର ଛୁଟି କଟାଉଛି । ମୁଁ ଆନନ୍ଦରେ ସାଙ୍ଗମାନଙ୍କ ସହିତ ଖୋକୋ ଓ ବାସ୍କେଟବଲର ମଜା ନଉଛି, ମୋର ଖେଳ ଦିଦି ମୋତେ ସବୁବେଳେ ତାଗିଦ୍ କରୁଥାନ୍ତି ଖାଲି ନାଚ ଗୀତରେ ମାତୁଛୁ, ଖେଳ ମୋଟେ ପ୍ରାକଟିସ୍ କରୁନୁ । ମୁଁ ସବୁଥିରେ ପାଦ ଦେଇଥିବାରୁ ଖେଳ ଅପେକ୍ଷା ନାଚ ଗୀତରେ ଅଧିକ ଧ୍ୟାନ ଦଉଥିଲି । ତେଣୁ ଗାଳିଟା ଭଲକି ଶୁଣୁଥିଲି଼ । ସତରେ ସ୍କୁଲ ଜୀବନ କେତେ ଭଲ, ଆଜି ମୁଁ ଜୀବନର ଅଧାରେ ପହଞ୍ଚି ପଛକୁ ଅନାଇ ମୁଚୁକି ହସୁଛି ।
କଲେଜ ଜୀବନ, ବିବାହ ଓ ବୈବାହିକ ଜୀବନକୁ ସୂଚାରୁରୂପେ ସମ୍ପାଦାନ କରିବା ପାଇଁ
ଏକ ପ୍ରକାର ସଂଘର୍ଷ କରି କେତେବେଳେ ନିଜେ ବାର୍ଦ୍ଧକ୍ୟରେ ଉପନୀତ ହେଲିଣି ଜଣା ପଡୁନି ।
ଜୀବନ ନଉକା ଆଗକୁ ଚାଲିଛି, ବହୁତ ଆଶା ଜମାଟ ବାନ୍ଧିଛି ଏ ପର୍ଯ୍ୟନ୍ତ ସଫଳ ହୋଇନି, ବହୁ କିଛି କରିବାର ପ୍ରଚେଷ୍ଟା ମନରେ ଅଭିପ୍ରାୟ ସୃଷ୍ଟି କରିଛି, ଜୀବନ ଅନ୍ତ ପୂର୍ବରୁ ସଫଳ ନାରୀ ରୂପେ ରୂପାନ୍ତରିତ ହେବାକୁ ପ୍ରୟାସ ଅନବରତ ରହିଛି । ଏହି ୨୦୨୦ ଦୁଃଖର ପରଦା ଶିଘ୍ର ଅପସାରିତ ହେଉ, ସମସ୍ତଙ୍କର ଜୀବନରେ ଆଗାମୀ ବର୍ଷ ହସ, ନିରୋଗତା ଓ ସୁଖର ସ୍ୱାଦ ଭରିଦେଉ, ଏହି ମୋର ତରଫରୁ ଈଶ୍ଵରଙ୍କୁ ପ୍ରାର୍ଥନା ।