STORYMIRROR

Rajalaxmi Tripathy

Inspirational

3  

Rajalaxmi Tripathy

Inspirational

ସ୍ମୃତି ରେ ମୋ ବାପା

ସ୍ମୃତି ରେ ମୋ ବାପା

2 mins
824


ପିଲାଟି ଦିନରୁ ବାପାଙ୍କୁ ଅନ୍ୟ ସାଙ୍ଗ ସାଥି ପିଲା ମାନଙ୍କ ବାପା ପରି ବୁଝିଥିଲି।ବାଲ୍ୟକାଳ ଟିକୁ ମୋର ଭାଇ,ଭଉଣୀଙ୍କ ସହ ସରଳ,ସୁନ୍ଦର ଓ ଆନନ୍ଦମୟ କରିବାରେ ବାପାଙ୍କ ଭୂମିକା ଅତୁଳନୀୟ ଥିଲା।ବାପା ଓ ମା ଦୁହେଁ ଆମପାଇଁ ସ୍ନେହ ଓ ଭଲପାଇବାର ଦୁଇଟି ଉଜ୍ଜ୍ୱଳ ବର୍ତ୍ତିକା ଥିଲେ।ବୟସ ବଢ଼ିବା ସହିତ ବାପାଙ୍କୁ ଆହୁରି ବୁଝିଲି।ସେ ମଧ୍ୟ ବୁହାଇଦେଇଥିଲେ ବାତ୍ସଲ୍ୟର ମନ୍ଦାକିନୀ ଧାରା। ଅତି ଧିର, ଶାନ୍ତ ପ୍ରକୃତି। କାହାପ୍ରତି କ୍ରୋଧ ଆଚରଣ ତାଙ୍କ ପ୍ରକୃତିର ବାହାରେ।ପିଲାଟି ଦିନରୁ ସନ୍ତାନ ମାନଙ୍କୁ ଶିଖାଇଛନ୍ତି ନିଜ କାମ ନିଜେ ସଂପାଦନ କରିବା।ନିଜର ପୋଷାକ, ଶେଯ ଆଦିର ପରିଚ୍ଛନ୍ନତା ସହ ନିଜ ସ୍ବାସ୍ଥ୍ୟର ସୁରକ୍ଷା ଓ ଯତ୍ନ ନେବା କେବଳ କଥାରେ ନୁହେଁ ନିଜ ଆଚରଣରେ ଆଚରି ପରିବାର ଓ ବନ୍ଧୁ ବାନ୍ଧବଙ୍କୁ ମଧ୍ୟ ପ୍ରଭାବିତ କରିଛନ୍ତି।ଏସବୁର କାରଣ, ସେ ଜଣେ ଗଭୀର ,ନିଷ୍ଠାପର ଗାନ୍ଧୀବାଦୀ ମଣିଷ।


ପରାଧୀନ ଭାରତବର୍ଷରେ ତାଙ୍କର ଜନ୍ମ।ତେଣୁ ଦେଶର ସେ ସମୟର ଅବସ୍ଥାକୁ ହୃଦୟଙ୍ଗମ କରି ରେଭେନ୍ସା କଲେଜରେ ପଢ଼ିବା ସମୟରେ ଭାରତଛାଡ଼ ଆନ୍ଦୋଳନରେ ଯୋଗଦେଇ ଚାରିବର୍ଷ କାରାବରଣ କରିଥିଲେ। ଅତ୍ୟନ୍ତ ଗରୀବ ଥିବାରୁ ଜୀବନରେ ନାନା ପ୍ରକାର ଆର୍ଥିକ ଅନାଟନକୁ ଭୃକ୍ଷେପ ନକରି ଉଚ୍ଚ ଶିକ୍ଷିତ ହେବାପାଇଁ ଆକାଂକ୍ଷା କରିଥିଲେ।ତାଙ୍କ ସାଥି ମାନଙ୍କ ଠାରୁ ଶୁଣିଛି ମୋବାପା ଖୁବ୍ ମେଧାବୀ ଛାତ୍ର ଥିବା ଯୋଗୁଁ କଲେଜ ରେ ପ୍ରିନ୍ସିପାଲ ଚାହୁଁ ନଥିଲେ ତାଙ୍କ ପାଠ ପଢ଼ା ବ୍ୟାହତ ହେଉ। ତେଣୁ ସେ ନିଜେ ଏକ ଘରୋଇ ଟ୍ୟୁସନର ବ୍ୟବସ୍ଥା କରିଥିଲେ ବାପାଙ୍କ ପାଇଁ।ନିଜର ଶାନ୍ତ ବ୍ୟବହାର ଯୋଗୁଁ ସମସ୍ତେ ତାଙ୍କୁ ଭଲ ପାଉଥିଲେ।ପିଲା ଟି ଦିନରୁଦେଶ ସ୍ବାଧୀନତା ଆନ୍ଦୋଳନରେ ଯୋଗଦେବାର ସ୍ବପ୍ନ ତାଙ୍କର ରହିଥିଲା।ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଆହ୍ବାନରେ ସେସମୟରେ ଛାତ୍ର, ଯୁବକ ସମସ୍ତେ ଦେଶ ପାଇଁ କାରାବରଣ କରିବାକୁ ପଶ୍ଚାତପଦ୍ ହେଉନଥିଲେ।ଅନେକ ଉଚ୍ଚ ଶିକ୍ଷିତ ଯୁବକ ଓ ଛାତ୍ର ସେମାନଙ୍କ ଭବିଷ୍ୟତ ପାଇଁ କିଛି ଆଶା ନରଖି ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ।ବାପା ମଧ୍ୟ ଆନ୍ଦୋଳନରେ ଯୋଗ ଦେଇ କାରାବରଣ କଲେ।ପ୍ରଥମେ ବ୍ରହ୍ମପୁର ଜେଲ ଓ ପରେ ହଜାରିବାଗ ଜେଲରେ ସମୟ କାଟିଥିଲେ। ସେ ସମୟର କଥା ତାଙ୍କ ନିଜ ମୁହଁ ରୁ ଶୁଣିଛି ମୁଁ।ଅନ୍ୟ ସାଥି ସଂଗ୍ରାମୀ ମାନଙ୍କର ଜୀବନ ଓ ଦେଶ ପାଇଁ ସେମାନଙ୍କ ତ୍ୟାଗ ମୋ ମନକୁ ବହୁତ ଆନ୍ଦୋଳିତ କରେ।ସେମାନଙ୍କ ତ୍ୟାଗର ଫଳ ଆମେ ହିଁ ଭୋଗ କରୁଛୁ ଆଜି।


ସ୍ବାଧୀନତା ପରେ ଦେଶ ଅବସ୍ଥା ବଦଳିଲା। ବାପା ସରକାରୀ ଚାକିରୀ ନକରି ଜନସେବା ସହ ସାମ୍ବାଦିକତା ବୃତ୍ତିକୁ ଆପଣାଇ ନେଇଥଲେ।ଜଣେ ନିର୍ଭୀକ ସାମ୍ବାଦିକ ହିସାବରେ ତାଙ୍କର ସୁନାମ ମଧ୍ୟ ଥିଲା।ଇଂରାଜୀ ଓଡିଆ ଉଭୟ ଭାଷାରେ ସେ ଜଣେ ଭଲ ପ୍ରାବନ୍ଧିକ ଥିଲେ।ଯେତିକି ଲକ୍ଷ୍ୟ କରିଛି ତାଙ୍କୁ, ବୁଝିଛି ଯେ ମିଥ୍ଯା କହିବା ଓ ଆଚରଣ ତାଙ୍କର ଘୋର ବିରୋଧୀ।ସତ୍ୟକୁ ଅନୁସରଣ କରି ଦେଖିଛି ଜୀବନ ରେ ତାଙ୍କୁ ବହୁ ବାଧାବିଘ୍ନ ସହିବାକୁ ପଡ଼ିଛି।ବୋଉ ଓ ଆମ ପିଲାମାନଙ୍କୁ ଅତି ନିରାଡ଼ମ୍ବର ଜୀବନଯାପନ କରିବାକୁ ପଡିଛି।କିନ୍ତୁ ବାପାଙ୍କ ଉଚ୍ଚ ଆଦର୍ଶକୁ ଆମେ ସମର୍ଥନ କରିଆସିଛୁ ସବୁବେଳେ।

ବାପାଙ୍କ ବହୁବିଧ ବ୍ୟକ୍ତିତ୍ବ ମତେ ମୁଗ୍ଧ କରିଛି ଜୀବନ ସାରା।ସ୍ମୃତି ରେ ମୋର ସର୍ବଦା ସେ ରହିଛନ୍ତି।ଚେଷ୍ଟା କରିଛି ତାଙ୍କ ମହନୀୟ ଗୁଣ ଗୁଡିକ ଶିଖିବାପାଇଁ, ଆଚରିବା ପାଇଁ।


ସାରା ଜୀବନ ହସ ହସ ମୁହଁ ରେ ଦୁଃଖ କଷ୍ଟ କୁ ଆଦରିଛନ୍ତି।ଆମକୁ ପ୍ରେରଣା ଦେଇଛନ୍ତି ସବୁପ୍ରକାର ବାଧା କୁ କିପରି ଅତିକ୍ରମ କରିବାକୁ ହୁଏ।ଜୀବନ ଥିବା ପର୍ଯ୍ୟନ୍ତ କାହାକୁ ପର ଆପଣାର ଭାବିନାହାନ୍ତି ସେ।ଚିହ୍ନା ଅଚିହ୍ନା ସମସ୍ତେ ତାଙ୍କ ପାଇଁ ସମାନ।ଯାହାକୁ ଦେଖିବେ ,ତାକୁ ପଚାରିବେ 'କଣ ଭଲ ଅଛ',କି ଅମୃତ ବୋଳା କଥା! ତାଙ୍କ ନିଜ ସହରରେ ଏବେବି ଅନେକ ପରିଚିତ ବ୍ୟକ୍ତି ଝୁରନ୍ତି ତାଙ୍କୁ।ମାନବିକତା ଓ ସହୃଦୟତା ର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ମୋ ବାପା। ମୋ ବାପା ଙ୍କ ପରି ଅନେକ ବାପା ଓହ୍ଲାଇ ଆସନ୍ତୁ ଏ ପୃଥିବୀ କୁ,ଏହା ହିଁ ମୋର ପ୍ରାର୍ଥନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational