ସ୍ମୃତି ପୃଷ୍ଠା ର ସେ ଅଜଣା ଲୋକ।
ସ୍ମୃତି ପୃଷ୍ଠା ର ସେ ଅଜଣା ଲୋକ।


ଆଜି ଝିଅ ରୁମି ର ବାହାଘର। ସକାଳୁ ବିବାହ ମଣ୍ଡପ ରେ ସମସ୍ତେ କାର୍ଯ୍ୟରତ। ଅନିରୁଦ୍ଧ ବାବୁ ଓ ତାଙ୍କ ପତ୍ନୀ ମଂଜୁ ବିବାହ ର ସମସ୍ତ ଆୟୋଜନ କରିସାରିଛନ୍ତି। ପୁଅ ଟିଟୁ ତାର ଅଫିସ ଲୋକ ମାନଙ୍କ ସାହାଯ୍ୟ ନେଇ ସବୁ ବୁଝାବୁଝି କରୁଛି। ଅନିରୁଦ୍ଧ ବାବୁଙ୍କ ସ୍ବାସ୍ଥ୍ୟ ଗତ କାରଣରୁ ମଂଜୁ ତାଙ୍କୁ ଏତେଟା ଚାପଗ୍ରସ୍ତ କରନ୍ତି ନାହିଁ। ସତରେ ବଡ଼ ଭାଗ୍ୟବାନ ସେ ମଂଜୁ ଙ୍କୁ ସ୍ତ୍ରୀ ରୂପେ ପାଇ। ବାହାଘର ପରଠୁ ମାସ ଶେଷରେ କିରାଣୀ ଚାକିରୀ ର ଦରମା ଟି ବଢ଼ାଇ ଦିଅନ୍ତି ମଂଜୁ ଙ୍କ ହାତକୁ। କେବେ କୌଣସି ଜିନିଷ ପାଇଁ ଅଳି କରିନାହାଁନ୍ତି ତାଙ୍କ ପାଖରେ। ସେଇ ଦରମା ଟଙ୍କା ରେ ପିଲାଙ୍କ ପାଠପଢା,ଶାଶୁ ଶଶୁରଙ୍କ ଦାୟିତ୍ୱ ଇତ୍ୟାଦି ସବୁ ସୁରୁଖୁରୁରେ ତୁଲାଇଛନ୍ତି ମଂଜୁ। କେବଳ ଗୃହ ନିପୁଣା ନୁହେଁ ମଂଜୁ ଭାରି ଯୋଗାଡିଆ ସ୍ତ୍ରୀ ଲୋକ। ସେଥିପାଇଁ ତାଙ୍କ ଦୂର ସଂପର୍କୀୟ ଭାଇର ସାଙ୍ଗ ପୁଅ ସହ ଝିଅ ରୁମି ର ବିବାହ ହେବାକୁ ଯାଉଛି ।
-ଏ କଣ ଏତେ ଭାବୁଛ? ସେପଟେ ବରଯାତ୍ରୀ ଆସିବା ସମୟ ହୋଇଗଲାଣି। ଗେଟ ପାଖକୁ ଯାଅ। ମଂଜୁ ଙ୍କ କଥା ଶୁଣି ଗେଟ ଆଡ଼କୁ ଗଲେ ଅନିରୁଦ୍ଧ ବାବୁ। ଦୂର ରୁ ଦେଖିଲେ ବରଯାତ୍ରୀ ଙ୍କ ରୋଷଣୀ ଆସୁଛି। ବାଣ ଶବ୍ଦରେ ଚାରିଆଡ ଫାଟି ପଡୁଛି। ଏକ ଅହେତୁକ ଆନନ୍ଦ ଓ ଉତ୍କଣ୍ଠା ରେ ହୃଦୟ ଶିହରି ଉଠୁଛି ତାଙ୍କର। ଶ୍ରୀ ଜଗନ୍ନାଥ ଙ୍କୁ ମନେମନେ ପ୍ରାର୍ଥନା କଲେ ବାହାଘର ଟି ଭଲରେ ଅନୁଷ୍ଠିତ ହେବା ପାଇଁ। ବରଯାତ୍ରୀ ମାନେ ଗାଡ଼ି ରୁ ଓହ୍ଲାଇ ଧୀରେ ଧିରେ ଗେଟ ଭିତରକୁ ପଶିବା ଆରମ୍ଭ କଲେ। ସେମାନଙ୍କୁ ଯଥାବିଧି ସ୍ବାଗତ ଜଣାଉଥିଲେ ଅନିରୁଦ୍ଧ ବାବୁ । ହଠାତ୍ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ବାହାରି ଆସି ନମ୍ର ସ୍ବରରେ ତାଙ୍କୁ କହିଲା-ମଉସା, ଆପଣ ଭିତରକୁ ଯାନ୍ତୁ,ମୁଁ ଏଠି ବୁଝୁଛି ସମସ୍ତ କଥା । ଅନିରୁଦ୍ଧ ବାବୁ ସେ ଯୁବକ କୁ ପୁଅ ଟିଟୁ ର ଅଫିସ ସାଙ୍ଗ ଭାବି ଭିତରକୁ ଗଲେ । ସେପଟେ ବେଦୀ ରେ ଥିବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କୁ ସଂପାଦନ କଲେ । ସବୁ ଭିତରେ ସେ ଲକ୍ଷ୍ୟ କରୁଥାନ୍ତି ସେହି ଯୁବକ ଙ୍କ କାର୍ଯ୍ୟ କୁ । କେବଳ ବରଯାତ୍ରୀ ନୁହେଁ ଅନ୍ୟ ବନ୍ଧୁ ବାନ୍ଧବଙ୍କ କଥା ମଧ୍ୟ ସେ ବୁଝି ଚର୍ଚ୍ଚା କରୁଥାନ୍ତି। ମଂଜୁ ଙ୍କ ପାଖକୁ ଯାଇ ଅନିରୁଦ୍ଧ ବାବୁ କହିଲେ-ଦେଖିଲ ,ଆମ ଟିଟୁ ଅଫିସରସେଇ ପିଲାଟି ଆମପାଇଁ କେତେ କାମ କଲାଣି। ବାହାଘର ରେ ମୋ ଲୋକ ବଳ ଅଭାବ କୁ ସେ ପୁରଣ କରିଦେଇଛି।
ଯଥାରୀତି ରେ ବିବାହ କାର୍ଯ୍ୟ ସରିଲା। ନିମନ୍ତ୍ରିତ ଅତିଥି ମାନେ ଅନେକ ବେଳୁ ଗଲେଣି। ଅଳ୍ପ ସମୟ ଭିତରେ ବର କନ୍ୟା ବିଦାୟ ହେଲେ। ବର୍ତ୍ତମାନ ଅନିରୁଦ୍ଧ ବାବୁ ପତ୍ନୀ ମଂଜୁ ଙ୍କ ସହ ବିବାହ ମଣ୍ଡପ ଛାଡି ଗେଟ ଆଡ଼କୁ ଆସିଲେ। ହଠାତ୍ ସେହି ଯୁବକ ଜଣକ ଦୁହିଁଙ୍କ ପାଦଛୁଇଁ ପ୍ରଣାମ କଲା। କହିଲା- ମଉସା, ଏଇ ପର୍ସ ଟି ରଖନ୍ତୁ।
ଅନିରୁଦ୍ଧ ବାବୁ ଅତି ଆଶ୍ଚର୍ଯ୍ୟ ହୋଇ ପଚାରିଲେ-କି ପର୍ସ, ଏହା ଭିତରେ କଣ ଅଛି?
-ଆପଣଙ୍କ ର ଟଙ୍କା।
-ମୁଁ କିଛି ବୁଝିପାରୁନି। କଣ ଟିଟୁ ଦେଇଛି ମତେ ଦେବାପାଇଁ?
ନା,ମଉସା ଏ ଟଙ୍କା ଆପଣଙ୍କ ର।
ଟିକେ ପାଖକୁ ଆସି ଯୁବକ ଙ୍କ ହାତରୁ ପର୍ସ ଟିକୁ ନେଇ ଭଲଭାବେ ଲକ୍ଷ୍ୟ କଲେ ମଂଜୁ।କହିଲେ-ହଁ,ମନେପଡିଲା, ଏଟା ତ ତୁମ ପର୍ସ ପରି ଜଣାପଡୁଛି, ବହୁତ ଦିନ ତଳେ ତୁମେ ପୁରୀରେ ହଜାଇଥିଲ। ତୁମର ମନେଅଛି ଆମେ ଠାକୁରଙ୍କ ନବ ଯୌବନ ଦର୍ଶନ ଦେଖିବାକୁ ପୁରୀ ଯାଇଥିଲେ। ପ୍ରବଳ ଭିଡ଼ଥିଲା ମନ୍ଦିର ପାଖ। ଜନସମୁଦ୍ର ରେ ଶୋରିଷଟିଏ ପକାଇବାକୁ ଜାଗା ନଥିଲା। ତୁମେ ଚଫଲ ରଖିବା ସ୍ଥାନରେ ବେଳଟ ଖୋଲି ପର୍ସ ଖୋଜିଲା ବେଳକୁ ତୁମ ପର୍ସ ନଥିଲା। ସବୁ ଜଗନ୍ନାଥ ଙ୍କ ଇଛା କହି ଆମେ ମନ ଦୁଃଖ ରେ ଘରକୁ ଫେରିଲେ।
ଏଥର ସବୁ ମନେ ପଡ଼ିଲା ଅନିରୁଦ୍ଧ ବାବୁଙ୍କର। ଯୁବକଙ୍କୁ ଟିକିଏ ଚଢ଼ା ଗଳାରେ ପଚାରିଲେ-;ଏବେ ପୁଣି ସେ ପର୍ସ ଧରି କାହିଁକି ଆସିଛ?
-ନା,ମଉସା ମୁଁ ଆପଣଙ୍କ ପର୍ସ ସେଦିନ ଚୋରି କରିନଥିଲି। ଆପଣଙ୍କ ପଛରେ ଠିଆ ହୋଇ ଚୋରି କରିଥିବା କିଶୋର ଟିର ପିଛା କରିଥିଲି। କିଛି ଦୂରରେ ପୋଲିସ ଦେଖି ଭୟରେ ସେ ଏହି ପର୍ସଟି ମୋ ହାତ ରେ ଦେଇଦେଲା। ପର୍ସ ଟି ଭିତରେ ପନ୍ଦର ହଜାର ଟଙ୍କା ଛଡ଼ା କିଛି ନଥିଲା। ଦେଖିଲି ପର୍ସ ଉପରେ କାଳିରେ ଅନିରୁଦ୍ଧ ଦାସ,ଗୋପାଳ ପୁର, ଲେଖାଅଛି। ମନ୍ଦିର ଭିତର ଓ ବାହାର ଆପଣଙ୍କୁ ଖୋଜି ପାଈଲିନାହିଁ। ମୋର ଇଂଜିନିୟରିଂ ସାଥି ମାନଙ୍କ ସହ ସେଦିନ ଜଗନ୍ନାଥ ଦର୍ଶନ କରି ଫେରିଆସିଲି। ଛାତ୍ର ଅବସ୍ଥାର ମୋର ଅସ୍ବଚ୍ଛଳ ଅବସ୍ଥା ବାଧ୍ୟ କରିଥିଲା ପାଠପଢା ରେ ସେ ଟଙ୍କା ତକ ଖର୍ଚ୍ଚ କରିବାପାଇଁ। କିନ୍ତୁ ସ୍ମୃତି ସ୍ବରୂପ ସାଇତି ରଖିଲି ଏଇ ପର୍ସ ଟି। ମଂଜୁ ପର୍ସ ଟିକୁ ଖୋଲି ଦେଖିଲେ ବହୁତ କିଛି ଟଙ୍କା ତା ଭିତରେ।
ପୁଣି କହିଚାଲିଲେ ସେ ଯୁବକ: ଆପଣଙ୍କ ଟଙ୍କା ଦିନେ ନା ଦିନେ ମୁଁ ଫେରାଇବି ଏ ବିଶ୍ବାସ ମୋର ଥିଲା। ଯୋଗ କୁ ଆପଣଙ୍କ ଝିଅ ମୋର ଅନ୍ତରଙ୍ଗ ସାଙ୍ଗ କୁ ଆଜି ବାହାହୋଇଛି। ମୋ ପ୍ରିୟ ରଂଜନ ର ପତ୍ନୀ ହୋଇଛି। ଏତିକି କହି ଯୁବକ ଜଣକ ଦ୍ରୁତ ଗତିରେ ସେଠାରୁ ଚାଲିଗଲେ। ମଂଜୁ ଙ୍କ ହାତରେ ପର୍ସ।
ରାତିରେ ପର୍ସ ଟିକୁ କାଢ଼ି ଅନିରୁଦ୍ଧ ବାବୁ ଆଶ୍ଚର୍ଯ୍ୟ ହୋଇଗଲେ। ଭିତରେ ଥିଲା ପୁରା ଏକଲକ୍ଷ ଟଙ୍କା।ମଂଜୁ ଙ୍କ ହାତକୁ ପର୍ସ ଟି ବଢ଼ାଇ କହିଲେ-ଏମିତି ଅଚିହ୍ନା ଲୋକ ଟିଏ କେଉଁ ଅଦୃଶ୍ୟ ଶକ୍ତି ର ଇଙ୍ଗିତରେ ଆସି ଆମପାଖରେ ପରିଚିତ ଦେବଦୂତ ଟିଏ ହୋଇଗଲା। ଓଃ, ଆମକୁ ଟିକେ ସମୟ ଦେଲାନି କୃତଜ୍ଞତା ଜଣାଇବାକୁ!!
ମଂଜୁ ଚକିତ ହୋଇ ଚାହିଁଥିଲେ ଅନିରୁଦ୍ଧ ବାବୁଙ୍କୁ।