ସ୍ମୃତି (ହଷ୍ଟେଲ ଜୀବନ)
ସ୍ମୃତି (ହଷ୍ଟେଲ ଜୀବନ)
କାହିଁକି କେଜାଣି ଆଜିର ବିଷୟବସ୍ତୁ ଦେଖି ଅତୀତର ସେ ସ୍ମୃତି ହଠାତ ଆସି ସମ୍ମୁଖରେ ଦଣ୍ଡାୟମାନ । ବୁଝି ହୁଏନି ସେ ସମୟରେ ଖୁସି ଥିଲା ନା ଦୁଃଖ । ସେ ସମୟକୁ ବାଣ୍ଟିବା ପାଇଁ ପାଖରେ କେହି ନଥିଲେ । ଥିଲା ତ କେବଳ ନିଜର ମନ ଓ ନିସ୍ତେଜ ଶରୀର । ଆଜି ଶ୍ରାବଣୀ ମଖମଲ ଗଦି ଓ ଶୀତତାପ ନିୟନ୍ତ୍ରିତ କୋଠରୀରେ ରେଜେଇ ଘୋଡି ହୋଇ ଶୋଇ କେନ୍ଦୁଝର ଭଳି ପାହାଡି ଅଞ୍ଚଳର ହାଡଭଙ୍ଗା ଶୀତକୁ ଜିତି ପାରିବାର ଖୁସି ଅନୁଭବ କରୁଛି । ସେହି ସମୟରେ ଅତୀତର ହଷ୍ଟେଲ ସମୟର ସ୍ମୃତିକୁ ରୋମନ୍ଥନ କରୁଛି ।
ପାଠ ପଢି ଚାକିରୀ କରି ନିଜ ଗୋଡରେ ନିଜେ ଛିଡା ହେବାର ବାପା ମାଆଙ୍କ ସ୍ୱପ୍ନ ଓ ନିଜେ ସ୍ୱାବଲମ୍ବୀ ହେବାର ନିଶାରେ କଠିନ ପରିଶ୍ରମ କରି ଶ୍ରାବଣୀ ଶେଷରେ କୃତକାର୍ଯ୍ୟ ହେଲା । ଚାକିରୀରେ ଯୋଗଦେବା ପାଇଁ ଚିଠି ଆସିଲା ତାହା ପୁଣି କେନ୍ଦୁଝର ଭଳି ପାହାଡି ଓ ଦୂର ସ୍ଥାନ । ପିଲାଦିନରୁ ଭୁବନେଶ୍ୱର ଭଳି ସ୍ୱପ୍ନର ନଗରୀରେ ବଢି ଆସିଥିବା ଝିଅ କେମିତି ସେଠି ରହିବ ତା ନେଇ ଚିନ୍ତାର ଏକ ବାଦଲ ଛାଇ ଯାଇଥିଲା ପରିବାର ମଧ୍ୟରେ । ତଥାପି ଶ୍ରାବଣୀ ଦୃଢ ମନୋବଳ ସହ ଆଗେଇଲା ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ । ପିଲାଟି ଦିନରୁ ଘରୁ ପଦାକୁ ଗୋଡ କାଢି ନଥିବା ଝିଅ ସହ ମାଆ ବାପା ହେଲେ ସାଥି ।
ସେ ସମୟରେ ହୋଇଥାଏ ଅଗଷ୍ଟ ମାସର ଶେଷ ସମୟ । ଧରା ପୃଷ୍ଠ ମାଆଙ୍କୁ ଆବାହନ କରିବା ପାଇଁ ନିଜକୁ ସଜଉ ଥାଏ କାଶତଣ୍ଡୀରେ ।
ଆସି ପହଞ୍ଚି ହୋଟେଲରେ ରହି ଚାକିରୀରେ ଯୋଗଦାନ କଲା ଶ୍ରାବଣୀ । ତାପରେ ଉଠିଲା ରହିବା କଥା । ଅଫିସର କିଛି ସହୋଦୟ ବ୍ୟକ୍ତିଙ୍କ ସହାୟତାରେ ସେଠାରେ ଥିବା କର୍ମଜିବୀ ମହିଳା ହଷ୍ଟେଲର ସନ୍ଧାନ ମିଳିଲା । ତତକ୍ଷଣାତ ଯାଇ ସେଠାରେ ପହଞ୍ଚିଲେ । ସୁଦୂର ଭୁବନେଶ୍ୱର ଓ ପୁଣି ସରକାରୀ ଚାକିରୀ ଏହା ଶୁଣି ହଷ୍ଟେଲର ଦେଖାଶୁଣା ଦାୟିତ୍ୱରେ ଥିବା ମହିଳା ଜଣକ ଖୁସି ହେଲେ । ଯୋଗକୁ ସେ ସମୟରେ ଜଣେ ରହିବା ମୁତାବକ ଏକ ରୁମ ପ୍ରସ୍ତୁତ ହୋଇ ଥାଏ । ସଙ୍ଗେସଙ୍ଗେ ତାହା ମିଳିଗଲା ମାତ୍ର ମାସିକ ଭଡା କିଛି ଅଧିକ ଥିଲା । ଶ୍ରାବଣୀ ଶୁଣିଥିଲା ହଷ୍ଟେଲରେ ସାଙ୍ଗରେ ରହୁଥିବା ପିଲା ମାନଙ୍କ ମଧ୍ୟରେ ଭଲ ଖାପ ଖାଏନାହିଁ ତେଣୁ ସେହି ଡରରେ ଗୋଟିକିଆ ରୁମକୁ ପସନ୍ଦ କରିଥିଲା । ସମସ୍ତେ ଗଲେ ରୁମ ଦେଖିବା ପାଇଁ । ତୃତୀୟ ମହଲାରେ ଅବସ୍ଥିତ ସେହି ରୁମଟି ଭଲ ଲାଗିଲା ସମସ୍ତଙ୍କୁ । ତେଣୁ ସାଙ୍ଗରେ ଆଣିଥିବା କିଛି ମାତ୍ରାରେ ଜିନିଷ ସେଠି ରଖି ବାପା ମାଆଙ୍କୁ ବିଦାୟ ଦେଲା ଏଇ ଭରସାରେ କି ସେ ସବୁ ସମ୍ଭାଳି ନେବ । ସେମାନେ ଗଲେ । ରୁମକୁ ଫେରିଲା ଶ୍ରାବଣୀ । ଖାଁ ଖାଁ ଲାଗୁଥିଲା ତାକୁ । ନୂଆ ଜାଗି, ନୂଆ ପରିବେଶ ପୁଣି ବାପା ମାଆ ଙ୍କଠାରୁ ଅଲଗା ରହିବାର ଦୁଃଖ । ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା । କିଛି ସମୟ ପରେ ରୋଷେୟା ଆସି କହିଗଲା ଦିଦି, ରାତି ଆଠଟାରେ ଖାଇବା ନେଇ ଆସିବେ । ହଁ ଭରି ଜିନିଷକୁ ସଜାଡିବାରେ ଲାଗିଲା । ସେ ରୁମରେ ଗୋଟିଏ । ଲୁହା ଖଟ ଛଡା ଆଉ କିଛି ନଥିଲା । ସାଙ୍ଗରେ ଆଣିଥିବା ଏକ ବେଡସିଟକୁ ତା ଉପରେ ପକାଇ ନିଜର ଦୁଇ ତିନି ହଳ ଡ୍ରେସକୁ ତକିଆ କରି ରାତି ଖାଇବା ଖାଇ ଶୋଇଗଲା । ଥକ୍କା ଯୋଗୁଁ ନିଦ ବି ହେଇଗଲା । ମାତ୍ର ରାତି ଦୁଇଟା ପରେ ହଠାତ ଶରୀରର ରୋମ ଟାଙ୍କୁରି ଉଠିଲା ଓ ନିଦ ଚାଉଁ କରି ଭାଙ୍ଗିଗଲା । ତାହା ଥିଲା ପ୍ରଥମ ପାହାଡୀ ଥଣ୍ଡାର ପ୍ରଥମ ଅନୁଭୂତି । ଚାଦର ଖଣ୍ଡେ କାଢି ଘୋଡିହେଲା । ଯେନତେନ ପ୍ରକାରେଣ ରାତିଟି କଟିଲା । ତା ପର ଦିନ ଜିଲ୍ଲାସ୍ତରୀୟ ମିଟିଙ୍ଗ ପାଇଁ ବାହାରିଗଲା ଏକ ଅଟୋ ଧରି । ସେଠାରେ ସମସ୍ତଙ୍କ ସହ ପରିଚୟ ମଧ୍ୟରେ ଦେଖାହେଲା ସୌମ୍ୟା । ସେ ମଧ୍ୟ ଭୁବନେଶ୍ୱର ନିବାସୀ ଏବଂ ଯୋଗକୁ ସେଇ ହଷ୍ଟେଲରେ ପାଞ୍ଚଦିନ ହେବ ଆସି ରହିଥାଏ । ଶ୍ରାବଣୀ ଗୋଟିକିଆ ରୁମରେ ରହୁଛି ଜାଣି ତାସହ କଥା ହେଲା ରୁମ ଭାଗ କରିବାପାଇଁ ଓ ଭଡାର ଅଧା ଦେବାପାଇଁ କହିଲା । ଶ୍ରାବଣୀ ଏକଥା ଶୁଣି ଖୁସି ହେଲା କାରଣ ନିଜ ପ୍ରଫେସନର ଓ ପିଜ ସ୍ଥାନର ପିଲା ଜଦି ଅଜଣା ଜାଗାରେ ବାନ୍ଧବୀ ହୁଏ ତେବେ ତାଠୁ ଆଉ ଭଲ କଣ । ତାପରେ ପଇସାବି ଆଧା ଦେବ ତେଣୁ ରାଜି ହେଲା ।
ସେଦିନ ରାତିରେ ସୌମ୍ୟା ତାର ଆସବାବ ପତ୍ର ଧରି ଆସି ପହଞ୍ଚିଲା । ତାର ହାବଭାବରୁ ଓ ତା ଆସବାବ ପତ୍ରରୁ ସେ ଟିକେ ଅଧିକ ଧନୀ ଘରର ପିଲା ବୋଲି ଜଣାପଡୁଥାଏ । ଶ୍ରାବଣୀର ସାଧାରଣ ସ୍ୱଭାବ ସହ ଖାପଖାଇବକି ନାହିଁ ତାହା ଶ୍ରାବଣୀ ଭାବି ନଥିଲା । ଏକ ବାନ୍ଧବୀ ହେବା ଖୁସିରେ ଆତ୍ମହରା ହୋଇ ତାକୁ ସାହାଯ୍ୟ କଲା । ହଷ୍ଟେଲ ତରଫରୁ ଆଉ ଏକ ଖଟ ଦେଲେ । ପ୍ରଥମ ଦିନ ଦୁଇଟି ଖଟକୁ ଯୋଡି ସୌମ୍ୟା ପାଖରେ ଥିବା ଦୁଇଟି କନ୍ଥା ପକାଇ ନିଜ ନିଜର ବେଡସିଟ ପକାଇ ଶୋଇଲେ । ସେଦିନ ଶ୍ରାବଣୀକୁ ଆଉ ଥଣ୍ଡା ଲାଗିଲା ନାହିଁ । କାରଣ ଲୁହା ଖଟ ଉପରେ ଏକ କନ୍ଥା ଥିଲା । ମନେ ମନେ ଧନ୍ୟବାଦ ଦେଲା ସୌମ୍ୟାକୁ । କାରଣ ଘରର ଚଳଣୀ ଭଲ ହେଲେବି ହଠାତ ସେଠାକାର ଥଣ୍ଡା ପାଇଁ ଗଦି ଓ କମ୍ବଳ କିଣିବା ସହଜ ନଥିଲା ଏବଂ ସେ ମଧ୍ୟ ବାପାମାଆଙ୍କୁ ଆଉ ଖର୍ଚ୍ଚାନ୍ତ କରେଇବାକୁ ଚାହୁଁ ନଥିଲା । ନିଜ ଦରମାରେ ଧିରେ ଧିରେ କରିବ ଭାବିଥିଲା ।
ସମୟ ଗଡି ଚାଲିଲା । କଥାରେ ଗୋଟିଏ ସ୍ଥାନରେ ଦୁଇଟି ଖଣ୍ଡା ରହିବା ସମ୍ଭବ ନୁହେଁ । ତାହା ହିଁ ହେଲା । ଧିରେ ଧିରେ ଛୋଟ ଛୋଟ କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହେଲା । ମାତ୍ର ଶୀତଳ ଭାବରେ । ସେତେବେଳକୁ ପାହାଡି ଥଣ୍ଡା ତା ଚରମ ସୀମାରେ । ଖାଲି ଚାଦରଟି ଘୋଡି ହୋଇ ଶୋଇବା ସମ୍ଭବପର ନଥିଲା । ସୌମ୍ୟାର କମ୍ବଳ ଦେଖି ଇଛା ହେଉଥିଲା କିଛି ସମୟ ପାଇଁ ତାଭିତରେ ପଶିଯିବାକୁ । ଚାରି ମାସ ବିତିଥିଲେ ବି ପଇସାହେଉ ନ ଥିବାରୁ ଗଦି କି କମ୍ବଳ କିଣିପାରୁ ନଥାଏ । ମାତ୍ର କିଛି ପଇସା ଅଗ୍ରୀମ ଆକାରରେ ଦେଇଥାଏ ସେଇ ମାସ ଆଣିବ ବୋଲି । ଏବଂ ସେହି ମାସ ଦରମାରେ ପାଦକୁ ମୋଜା ଆଣିବ ବୋଲି ମଧ୍ୟ ମନସ୍ଥ କରିଥାଏ । ସେଇ ଶୀତରେ ଥରି ଥରି ଶୋଇ ଘର କଥା ମନେ ପଡୁଥିଲା ତାର । କେମିତି ଭାଇ ଭଉଣୀ ଗୋଟିଏ କମ୍ବଳ ଘୋଡି ହୋଇ ଉଭୟ ପଟରୁ ଟଣାଟଣି ଚଲେଇଥାନ୍ତି ନିଦ ନ ହେବା ପର୍ଯ୍ୟନ୍ତ । ନିଦ ହୋଇଗଲେ ମାଆ ଆସି ଭଲକି ଘୋଡେଇ ଦେଇ ଯାଏ କାଳେ ରାତିରେ ଶୀତ ହେବ ବୋଲି । ଏକଥା ମନେ ପଡିବାରୁ ଆଖିରୁ ଦୁଇଧାର ଲୁହ ଗଡିଆସେ ଯାହାକି ସେ ଥଣ୍ଡାରେ ଗାଲ ଦୁଇଟିକୁ ଗରମ କରିଦିଏ ।
ଦିନେ ଏପରି ପରିସ୍ଥିତି ହେଲା ଶ୍ରାବଣୀ ମିଟିଂ ସାରି ଆସି ରାତିରେ ଥରିଥରି ପହଞ୍ଚିବା ବେଳକୁ ସୌମ୍ୟା ଶୋଇଯାଇଛି । ଶ୍ରାବଣୀ ମଧ୍ୟ ଗୋଡ ହାତ ଧୋଇବାକୁ ଗଲା । ପାଣି ଦେହରେ ବାଜିବାରେ ଲାଗୁଥିଲା ଯେମିତି ସେ ସ୍ଥାନ ବଧିରା ହୋଇଯାଉଛି । ଏତେ ଥଣ୍ଡାର ଅନୁଭବ ସେ କେବେ କରି ନଥିଲା । ଯାହାବି ହେଉ ଆସିଲା ଶୋଇବାକୁ । ଚାଦରଟି କାଢି ଘୋଡିହେବାକୁ ଖଟରେ ବସି ପଡୁପଡୁ ଲାଗିଲା ଯେମିତି ଵରଫ ଉପରେ ବସିଗଲା । ହଠାତ କିଛି ବୁଝିପାରିଲା ନାହିଁ । ଉଠିପଡି ଦେଖେତ ତା ଖଟର ବେଡସିଟ ତଳେ କନ୍ଥା ନାହିଁ । ଶ୍ରାବଣୀର ବୁଝିବାକୁ ଆଉ ଡେରି ହେଲାନି ଯେ,ସୌମ୍ୟା ତା କନ୍ଥା ଟି ନେଇ ଯାଇଛି । କଣ କରିବ, କେମିତି ଶୋଇବ କିଛି ଜାଣିପାରିଲାନି । ତଥାପି ଶୋଇଲା ରାତି ଦଶଟା ବେଳକୁ ଶୀତର ଏକ ଲହରୀ ମାଡି ଆସିଲା ପରି ଲାଗିଲା । ତଳେ ଲୁହା ଖଟ ଓ ବେଡସିଟକୁ ଉପରେ ଏକ ବେଡସିଟ ଆଜିର ଆଧୁନିକ ସ୍ୟାଣ୍ଡଉଇଚ ପରି ଲାଗୁଥିଲା ମାତ୍ର ତାହା ଥିଲା ବରଫର । ଯେମିତି ଲାଗିଲା ଥଣ୍ଡା ବରଫ ପାଣି କିଏ ଉପରେ ଢାଳୁଛି । ଚାଦର ଦୁଇଟି ଥଣ୍ଡା ଯୋଗୁଁ ପୁରା ଓଦା ଲାଗୁଥିଲା । ହାଡ ଭିତର ବିନ୍ଧି ଉଠିଲା । ନାକର ରନ୍ଧ୍ର ଦୁଇଟି ବରଫର ଗଲା ଭଳି ଲାଗୁଥିଲା ତାକୁ । ସମ୍ପୂର୍ଣ୍ଣ ଶରୀର ଥରୁଥାଏ । ଆଖି ପତା ଶରୀରର ଶୀରାର କଥା ମାନିବାକୁ ଆଉ ପ୍ରସ୍ତୁତ ହେଉନଥାଏ । ଉଠି ବସିଲା ଶ୍ରାବଣୀ । ଗୋଡ ହାତ ଓଠ ସବୁ ଥରୁଥାଏ ବରଡାପତର ପରି । ଏମିତିକି ମୁଣ୍ଡର ଚୁଟି ମଧ୍ୟ ହେମାଳ ହୋଇଯାଇଥାଏ । ସାରା ରାତି ସେଇ ଶୀତସହ ଯୁଦ୍ଧ କରି କାଟିଲା ଶ୍ରାବଣୀ ମାତ୍ର ସୌମ୍ୟାକୁ କିଛି କହିନଥିଲା । ତାପର ଦିନ ଆଫିସରୁ ଫେରିଲା ବେଳେ ଜଣେ କର୍ମଚାରୀଙ୍କ ଠାରୁ କିଛି ଅର୍ଥ ଉଧାର ନେଇ କମ୍ବଳ ଓ ଗଦି ଧରି ଆସିଲା । ନିଜ ଖଟକୁ ଅଲଗା କରି ଗଦି ପକେଇ କମ୍ବଳ ଘୋଡି ହେଇ ସେଦିନ ଶୋଇଲା । କେତେ ଆରାମ ମନେ ମନେ ଭାବୁଥାଏ ଓ ସେଇ ଉଷୁମ ଭିତରେ ପୂର୍ବ ଦିନର ଥଣ୍ଡାକୁ ଭୁଲିବାର ଚେଷ୍ଟା କରୁଥାଏ ।