STORYMIRROR

Birakishore Nayak

Tragedy

3  

Birakishore Nayak

Tragedy

ସ୍ମୃତି ଅପା

ସ୍ମୃତି ଅପା

2 mins
221

  ଶେଷଶ୍ରାବଣର ଆକାଶରେ ଦୋଳାଦୋଳା ମେଘବାଦଲର ମେଳା |ବର୍ଷି ଯାଆନ୍ତା କି ଏବେ !

ଟିକେ ଶୀତଳ ହୋଇଯାଆନ୍ତା ମନଟା, ଦେହଟା |

ଉଦାସ ମନରେ ଆକାଶକୁ ଚାହିଁ ଭାବୁଥିଲା ଶୁଭେନ୍ଦୁ |ଆଜି ଶ୍ରାବଣ ପୁର୍ଣିମା, ରାକ୍ଷୀବନ୍ଧନର ଦିନ |ସବୁ ଭାଇଭଉଣୀଙ୍କ ମନରେ ଉଚ୍ଛ୍ୱସିତ ଉଲ୍ଲାସ |କିନ୍ତୁ ନିଜ ଘରର ବାଡ଼ିପଟ ବାରଣ୍ଡାରେ ଅବ୍ୟକ୍ତ ଯନ୍ତ୍ରଣାରେ ଛଟପଟ ହେଉଛି ଶୁଭେନ୍ଦୁ |ତା ସ୍ମୃତିଅପା ଆଜି ଯଦି ଥାଆନ୍ତା, ସକାଳୁ ସକାଳୁ ଆସି ତାଙ୍କ ଘରକୁ ଡାକି ତା' ହାତରେ ପୂଜା ରାକ୍ଷୀ ବାନ୍ଧି ସାରନ୍ତାଣି |କେତେ ଭଲ ସତେ ତା ସ୍ମୃତିଅପା |ନିଜର ନହେଲେବି ନିଜରଠୁ ଅଧିକ | 

    ଶୁଭେନ୍ଦୁ ତା ବାପାମାଆଙ୍କର ଏକମାତ୍ର ସନ୍ତାନ |ତାଙ୍କ ପଡୋଶୀଘରର ଝିଅ ହେଉଛି ସ୍ମୃତିଅପା, ତା ଠାରୁ ପାଞ୍ଚବର୍ଷ ବଡ, ସେ ବି ତା ବାପାମାଆଙ୍କର ଏକା |ପଡୋଶୀଭାବରେ ଦୁଇ ପରିବାରର ସମ୍ପର୍କ ଅତି ମଧୁର |ପିଲାଟି ଦିନରୁ ଦୁହିଁଙ୍କ ଭିତରେ ରକ୍ତସମ୍ପର୍କ ପରି ନିବିଡ଼ ଆତ୍ମୀୟତା |ସେ ତ ପିଲାଦିନେ ତାରି ପାଖରେ ସବୁବେଳେ |ପିଲାଦିନରୁ ହିଁ ତା ହାତରେ ରାକ୍ଷୀ ବାନ୍ଧି ଆସୁଥିଲା ସ୍ମୃତିଅପା, ତାର ମନେଅଛି, ସବୁବର୍ଷ ସକାଳୁ ସକାଳୁ ଆସି ଡାକିନିଏ ସେ ତାଙ୍କ ଘରକୁ ନିଜେ ତାକୁ ଗାଧୋଇଦେଇ ତା ମଥାରେ ଚନ୍ଦନର ଟିପା ଲଗାଇଦିଏ ମଥାସାରା |

ଠାକୁଘରକୁ ନେଇ ରାକ୍ଷୀପୂଜାପରେ ତା ହାତରେ ବାନ୍ଧିଦିଏ ରାକ୍ଷୀ, ହସିହସି ମାଗେ, ମୋ ପାଉଣା, ଶୁଭେନ୍ଦୁ ସ୍ମୃତିଅପାର ମଥାରେ ଦେଇଦିଏ ଚୁମାଟିଏ, ମନଖୋଲି ହସେ ସିଏ, ଏକ ସ୍ୱର୍ଗୀୟ ମମତାର ମୁହୂର୍ତ୍ତ ଯେମିତି ତା ପାଇଁ |

   ଆଜିକୁ ତିନି ବର୍ଷ ତଳେ ବାହାରକୁ ପାଠପଢିବାକୁ ଚାଲିଯାଇଥିଲା ଶୁଭେନ୍ଦୁ, ଫେରିନଥିଲା ସିଏ ଏଇ ତିନି ବର୍ଷ ଭିତରେ | ପ୍ରଥମ ବର୍ଷ ତା ସ୍ମୃତିଅପା ଡାକ ଯୋଗେ ତା ପାଇଁ ରାକ୍ଷୀ ପଠାଇଥିଲା, ଚିଠିଟିଏ ବି ଦେଇଥିଲା, ଲେଖିଥିଲା, "ଶୁଭ, ପୂଜା ରାକ୍ଷୀ ପଠାଇଲି, ନିଜେ ନିଜେ ପିନ୍ଧିନେବୁ, ମୋ ପାଉଣା ବାକିରହିଲା, ଯେବେ ଆସିବୁ ମୋ ମଥାରେ ଚୁମାଟିଏ ଦେବୁ |ମନଦେଇ ପାଠ ପଢୁଥିବୁ, ତୋ ଶୁଭମନାସି ରହୁଛି |"କେତେ ସ୍ନେହୀ ସତେ ତା ସ୍ମୃତିଅପା |ସେଦିନ ଦୂରରେ ଥାଇ ଝୁରିହୋଇଥିଲା ଶୁଭେନ୍ଦୁ ତାକୁ, ଆଖି ଛଳଛଳ ହୋଇଯାଇଥିଲା ତାର |ତା ପରବର୍ଷ କିନ୍ତୁ ଏଇ ରାକ୍ଷୀବନ୍ଧନ ତା ସ୍ମୃତିଅପା ଜୀବନରେ ଲଦିଦେଇଥିଲା ଦୁଃଖର ପାହାଡ଼, ବିଚାରି ସହିପାରିଲାନି ଏତେ ଦୁଃଖ, ମରିଗଲା |

   ଗଲlକାଲି ଘରକୁ ଫେରିବାପରେ ସବୁ ଶୁଣିଲା ଶୁଭେନ୍ଦୁ, ମରିବା ପୂର୍ବରୁ ତା ପାଇଁ, ଆଉ ତା ବୋଉକୁ ଚିଠି ଲେଖିଯାଇଥିଲା, ସେଇ ଚିଠିରେ ରାଣ ପକାଇ ତା ବୋଉକୁ ବାରଣ କରିଥିଲା ମୋତେ କିଛି ନଜଣାଇବା ପାଇଁ, କାଳେ ମୋର ପାଠପଢାରେ ବ୍ୟାଘାତ ହେବ, ମୋ ବାପାବୋଉଙ୍କୁ ତା ବୋଉ ମନକରିଥିଲେ ଜଣାଇବାକୁ |ସେଦିନ କୁଆଡେ, ରାକ୍ଷୀବନ୍ଧନର

ପଞ୍ଚାଛଅ ଦିନ ପୂର୍ବରୁ ତା ସ୍ମୃତିଅପା ତା ପାଖକୁ ରାକ୍ଷୀ ପଠାଇବାପାଇଁ ପାଖ ବଜାରକୁ ଯାଇଥିଲା ସିଏ, କହିଯାଇଥିଲା ତା ବୋଉକୁ, ରାକ୍ଷୀ କିଣିବାପରେ ଡାକଘରେ ଦେଇ ଫେରିବବୋଲି,

କିନ୍ତୁ ଫେରିବା ବେଳକୁ ଖରାବେଳ ହୋଇଯାଇଥାଏ, ନିଛାଟିଆ ଜମିରାସ୍ତାରେ ଫେରିବାବେଳେ ଏକ ମଦ୍ୟପଦ୍ୱାରା ବ୍ୟଭିଚାରର ଶିକାର ହୋଇଗଲା, କେହି ନଥିଲେ ତାକୁ ରକ୍ଷlକରିବାକୁ |ଯନ୍ତ୍ରଣାଜର୍ଜରିତ ଶରୀରକୁ ନେଇ ଫେରିଥିଲା ଘରକୁ |କହିନଥିଲା କାହାକୁ କିଛି, ଘର ଭିତରେ ଆତ୍ମହତ୍ୟା କରିଦେଲା, ଛାଡି ଯାଇଥିଲା ଏଇ ଶେଷ ଚିଠି ତା ପାଇଁ |ସେ ଆସି ପ୍ରଥମେ ଯେତେବେଳେ ତା ସ୍ମୃତିଅପାକୁ ଖୋଜିଲା, ତା ନିଜ ବୋଉ କାନ୍ଦିକାନ୍ଦି ସାଇତି ରଖିଥିବା ଚିଠିଟିକୁ ଧରାଇଦେଲା ତାକୁ |ଲେଖିଥିଲା, "ଶୁଭରେ,ରାକ୍ଷୀ ପଠାଇଲି, ତୁ ପିନ୍ଧିବୁ, ରାକ୍ଷୀପିନ୍ଧିବା ବେଳକୁ ମୁଁ ଏ ଦୁନିଆରେ ନଥିବି ଆଉ, ମୋ ଦୁଇବର୍ଷର ପାଉଣା ବାକିରହିଲା ତୋ ଉପରେ, ଅlରଜନ୍ମରେ ଶୁଝିବୁ,

ମନେରଖିବୁ ତୋ ସ୍ମୃତିଅପାକୁ ସବୁଦିନ |

ତୋ ଶୁଭମନlସୁଛି |"ଶୁଭେନ୍ଦୁ କାନ୍ଦିଥିଲା ବହୁତ |

   ଆଜି ପବିତ୍ର ରାକ୍ଷୀବନ୍ଧନର ଦିନ |ବାଡ଼ିପଟେ ଏକlଏକା ବସି ଝୁରୁଛି ଶୁଭେନ୍ଦୁ ତା ସ୍ମୃତିଅପାକୁ |ଆଖିରୁ ବହିଚାଲିଛି ଧାରଧାର ଲୁହ |

ଶ୍ରାବଣ ଆକାଶ ବି ବର୍ଷୁଥିଲା |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy