Birakishore Nayak

Tragedy

4.7  

Birakishore Nayak

Tragedy

ସମ୍ପର୍କର ତ୍ୟାଗ

ସମ୍ପର୍କର ତ୍ୟାଗ

5 mins
434



    ଶ୍ରାବଣର ଅବାରିତ ବର୍ଷା ବର୍ଷି ଚାଲିଛି ଦୁଇଦିନ ହେଲା, ଘରୁ ବାହାରକୁ ବାହାରି ହେଉନି ଘର ବାରଣ୍ଡାରେ ଛିଡ଼ାହୋଇ ଝିଅ ଦେବସ୍ମିତାକୁ ଅପେକ୍ଷା କରିଛନ୍ତି ଶ୍ୟାମ ମିଶ୍ରେ ରାତି ନଅଟା କି ଦଶଟା ହେବଣି, ଏ ପର୍ଯ୍ୟନ୍ତ ଝିଅଟା ଘରକୁ ଫେରିଲାନି । ମନେ ମନେ ବିରକ୍ତ ହେଉଥିଲେ, କି ଚାକିରୀ ଏମିତି କରିଛି ଯେ, ସବୁଦିନ ବିଳମ୍ବିତ ରାତ୍ରିରେ ଫେରୁଛି ।ପଚାରିଲେ କହୁଛି, ଅଫିସରେ ବହୁତ କାମ ଥିଲା, ତେଣୁ ଡେରି ହୋଇଗଲା । ଘରର ଯାହା ଆବଶ୍ୟକ ଅର୍ଥ, ସବୁ ତାରି ରୋଜଗାରରେ ଚଳୁଚି । ସେ ରୋଗଗ୍ରସ୍ତ ହେବା ଦିନଠାରୁ ତାଙ୍କର ରୋଜଗାରର ସବୁ ରାସ୍ତା ବନ୍ଦ ହୋଇଗଲା, ଭାସିଯାଇଥାନ୍ତା ପରିବାରଟା, ସେଇ ମାଆ ଛେଉଣ୍ଡ ଝିଅଟା ପାଇଁ ସେ ଅନ୍ତତଃ ଔଷଧ ଟିକେ ପାଉଛନ୍ତି, ପୁଅ ସୁବ୍ରତ ପାଠ ପଢୁଛି, ସର୍ବୋପରି ପରିବାରର ସମସ୍ତ ଖର୍ଚ୍ଚ ସେ ହିଁ ତୁଲାଉଛି ।ପରିବାର ବୋଲି ସେ ତିନିଜଣ ମାତ୍ର । ଦେବସ୍ମିତା ବଡ, ସୁବ୍ରତ ତା ତଳେ, ସୁବ୍ରତ ର ଜନ୍ମ ପରେ ପରେ ତା ବୋଉ କେଉଁ ଏକ ଅଜଣା ରୋଗରେ ପଡି ମରିଗଲେ ।ସେଇଦିନଠାରୁ ଶ୍ୟାମ ମିଶ୍ରେ ନିଜେ ରାନ୍ଧିବାଢି ଛୁଆଙ୍କୁ ପାଳି ଆସୁଥିଲେ । ଚାରିଖଣ୍ଡ ଗାଁର ପୁରୋହିତ ସିଏ, ଭଲ ରୋଜଗାର ବି ହେଉଥିଲା । ଭାବିଥିଲେ, ପିଲାଦୁଇଟାଙ୍କୁ ପାଠ ପଢାଇ ମଣିଷ କରିବେ । କିନ୍ତୁ ଦଇବ ଦଉଡି ମଣିଷ ଗାଈ, ଶ୍ୱାସ ରୋଗରେ ପୀଡିତ ହେଲେ ଶ୍ୟାମ ମିଶ୍ରେ ।ଆଉ ଆଗଭଳି ବ୍ରାହ୍ମଣିଆ କାମ କରିପାରିଲେନି |ରୋଗ ବି ଧୀରେ ଧୀରେ ବଢିଲା, ଆଉ ମନ୍ତ୍ରଟିଏ ବି ଠିକଭାବେ ଉଚ୍ଚାରଣ କରିପାରିଲେନି । ଲୋକମାନେ ବି ଆଉ କୌଣସି ପୂଜାପାର୍ବଣ ରେ

କି ବାହାସାହାଘର କାମରେ ଡାକିଲେ ନାହିଁ । କଥାରେ ଅଛି, ବସିଖାଇଲେ ନଈ ବାଲି ସରେ । ଯାହା ସଞ୍ଚିତ ଅର୍ଥ ଥିଲା, ତାଙ୍କ ଔଷଧ ଖର୍ଚ୍ଚ ଏବଂ ଘର ଖର୍ଚ୍ଚରେ ଧୀରେ ଧୀରେ ଶେଷ ହୋଇଗଲା । ଚଳିବା ଯେତେବେଳେ ଅସମ୍ଭବ ହେଲା, ଦେବସ୍ମିତା ସେତେବେଳେ ପଦାକୁ ଗୋଡ଼ କାଢ଼ିବାକୁ ବାଧ୍ୟ ହେଲା । 2 କଳା ପାସ କରିଛି ସେହି ବର୍ଷ, ଆଉ ତ ପଢିବା ସମ୍ଭବ ନୁହେଁ, ସୁବ୍ରତ ଟା ଏବର୍ଷ ମାଟ୍ରିକ ପରୀକ୍ଷା ଦେଇଛି, ତାକୁ ଅନ୍ତତଃ ପଢାଇବାକୁ ପଡିବ, ସେଥିରେ ବାପାଙ୍କର ଔଷଧ ଖର୍ଚ୍ଚ, ପରିବାର ପ୍ରତିପୋଷଣ,ତେଣୁ କିଛିଗୋଟାଏ ନିଜେ ଚାକିରୀ କରିବାକୁ ହିଁ ପଡିବ ।ନହେଲେ ନହୁଏ । ତେଣୁ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ଘୁରିବୁଲିଲା ଦେବସ୍ମିତା ଗୋଟେ ଚାକିରୀ ପାଇଁ । ବହୁ ଚେଷ୍ଟା ପରେ ଶେଷରେ ଏକ ବେସରକାରୀ ଗୋ ପାଳନ କେନ୍ଦ୍ରରେ ଚାକିରୀ ମିଳିଲା, ଅଫିସରେ ଲେଖାପଢ଼ା କାମ, ଦୈନିକ କ୍ଷୀର କେତେ ବିକ୍ରିହେଲା, କେଉଁଠିକୁ କେତେ ଯିବ, ଗାଇମାନଙ୍କ ପାଇଁ ଦାନା ଇତ୍ୟାଦି ସବୁକଥା ବୁଝିବାକୁ ପଡିବ । ମାସକୁ ମାତ୍ର ପlଞ୍ଚହଜାର ଟଙ୍କା ଦରମା । ସେ ଯାହାହେଉ ପଛେ କାମରେ ଯୋଗ ଦେଲା ଦେବସ୍ମିତା । ଅନ୍ୟ ବିକଳ୍ପ ମଧ୍ୟ ନାହିଁ ତା ପାଇଁ, ପରିବାରର ବୋଝ ତ ତା'ଉପରେ ଏବେ ।

     ବର୍ଷା ଅବାରିତ ଭାବେ ବର୍ଷି ଚାଲିଛି, ଏପର୍ଯ୍ୟନ୍ତ ଝିଅଟା ଫେରିନି । ରାତି କେତେ ହେବ କେଜାଣି, ଜଣେ ବାବୁ ତାଙ୍କ ଗାଡ଼ିରେ ଆଣି ତାଙ୍କ ଘରପାଖରେ ଛାଡିଦେଇଗଲେ ଦେବସ୍ମିତାକୁ । ବହୁତ ବିରକ୍ତ ହେଲେ ଶ୍ୟାମ ମିଶ୍ରେ, ହେଲେ ଦେବସ୍ମିତାର ସେଇ ଏକା ଉତ୍ତର, ଅଫିସରେ ବହୁତ କାମ ଥିଲା ବାପା ।

     ଏମିତି ବିତିଚାଲିଥିଲା ସମୟ । ସୁବ୍ରତର ଏବର୍ଷ ଇଞ୍ଜିନିଅରିଙ୍ଗ ପାଠପଢା ସରିଲା । ଶ୍ୟାମ ମିଶ୍ରେ ଭାବୁଥିଲେ, ପୁଅଟା ଚାକିରୀ ପାଇଗଲାପରେ କେଉଁଠି ହେଲେ, ଝିଅଟାର ବାହାଘର କରିଦେବେ, ବୟସ ତ ଅଧିକ ହୋଇଗଲାଣି, ତିରିଶ ପାଖାପାଖି ହେବ ବୋଧେ । ଏବେ ତ ନିରୁପାୟ ସିଏ, ଝିଅଟାର ରୋଜଗାର ବନ୍ଦ ହୋଇଗଲେ ସବୁ ଅଖ ଚକ ବନ୍ଦ ।ତେଣୁ ପୁଅର ଚାକିରୀ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହିଁ ପଡିବ । ଦେବସ୍ମିତା ବି ଭାବୁଥିଲା, ସୁବ୍ରତର ଚାକିରୀ ପରେ ସେ ଚାକିରୀ ଛାଡ଼ିଦେବ, ଘରେ ବାପା ଏକା ରହିପାରିବେନି, ସେ ଘରେ ରହି ତାଙ୍କ ସେବାଯତ୍ନ କରିବ ।

     ସେଦିନ ସକାଳୁ ରୋଷେଇବାସ କାମରେ ଲାଗିଥିଲା ଦେବସ୍ମିତା ।ଶୀଘ୍ର ରୋଷେଇ ସାରିଲେ, ବାପାଭାଇଙ୍କ ପାଇଁ ରଖି ସେ ଖାଇଲେ ଅଫିସ ଯିବ, ସବୁଦିନ ତାର ବିଳମ୍ବରେ ପହଁଚୁଛି । ରୋଷେଇ ଘର ଭିତରକୁ ଆସିଲା ସୁବ୍ରତ, କହିଲା ନାନୀ, ଗୋଟେ କଥା କହିଥାନ୍ତି ଯେ, ତୁ କଣ ଯୋଗାଡ଼ କରିପାରିବୁ ? ଦେଖ ନାନୀ, ଚାରିବର୍ଷ ହେଲାଣି, ଚାକିରୀ ପାଇଁ ଇଣ୍ଟରଭିୟୁ ଦେଇ ଦେଇ କେଉଁଠିବି ଚାକିରୀ ମିଳିଲାନି ।ଯେଉଁ ଶେଷ ଇଣ୍ଟରଭିୟୁ ଦେଇଥିଲି ଜାତୀୟ ରାଜପଥ ବିଭାଗରେ, ସେଥିରେ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି ଯେ,ସେମାନେ କହୁଛନ୍ତି, ଏକଲକ୍ଷ ଟଙ୍କା ଲାଞ୍ଚ ନେଲେ, ମୌଖିକ ପରୀକ୍ଷାରେ ପାସ କରେଇ ଚାକିରୀ ଦେବେ । ସୁବ୍ରତ ର କଥାଶୁଣି ଚମକି ପଡିଲା ଦେବସ୍ମିତା, କହିଲା, ଆମେ ଏତେ ଟଙ୍କା କେଉଁଠାରୁ ଆଣିବା ? କେବେ ବି ସମ୍ଭବ ହେବନି ମୋ ଦ୍ୱାରା ।

ସୁବ୍ରତ କହିଲା, ଦେଖ ନାନୀ, ଏଇଟା ମୋ ଭବିଷ୍ୟତର କଥା, ଯେମିତି ହେଲେ କେଉଁଠୁ ଯୋଗାଡ଼ କର, ନହେଲେ ମୋ ଚାକିରୀ ବୟସ ସୀମା ବି ଗଡ଼ିଯିବ, ଚାକିରୀ ଆଉ ମିଳିବନି ।ନିରୁତ୍ତର ଥିଲା ଦେବସ୍ମିତା ।

   ସେଦିନ ଅଫିସରେ ପହଞ୍ଚି ଦୁଇଚାରିଦିନ ତଳର ପୁରୁଣା ଖବରକାଗଜ ଖେଳେଇ ଚାଲିଥିଲା ଦେବସ୍ମିତା ।ଖବରକାଗଜରେ ସେ ଦୁଇଦିନ କି ତିନିଦିନ ତଳେ ଏକ ବିଜ୍ଞାପନ ଦେଖିଥିଲା, କିଡ଼ନୀ ଆବଶ୍ୟକ, ବଦଳରେ ଏକ ଲକ୍ଷ ଟଙ୍କା ଦିଆଯିବ । ଖୋଜୁଖୋଜୁ ମିଳିଗଲା ବିଜ୍ଞାପନଟା, ସେଥିରେ ଦିଆଯାଇଥିବା ମୋବାଇଲ ନମ୍ବର ରେ ସାଙ୍ଗେ ସାଙ୍ଗେ ଫୋନ କଲା ଏବଂ ନିଜ କିଡ଼ନୀ ବିକ୍ରିକରିବ ବୋଲି ମଧ୍ୟ କହିଲା । ସବୁ ଠିକଠାକ ହୋଇଗଲା, ଯଥାସମୟରେ ଏକସପ୍ତାହ ଛୁଟିନେଇ ଡାକ୍ତରଖାନାରେ ପହଞ୍ଚି ତାର ଗୋଟେ କିଡ଼ନୀ ବିକ୍ରିକରି ଏକଲକ୍ଷ ଟଙ୍କା ଆଣି ଘରକୁ ଫେରିଲା ।ସୁବ୍ରତକୁ ସେଇ ଟଙ୍କା ଦେଲା । ସୁବ୍ରତର ଚାକିରୀ ବି ହୋଇଗଲା । ସେଦିନ ବହୁତ ଖୁସିହୋଇଥିଲା ଦେବସ୍ମିତା ।

    ସୁବ୍ରତ ଚାକିରିକରିବା ମାସେ ହୋଇନଥାଏ । ସେଦିନ ଦେହ ଭଲଲାଗିଲା ନାହିଁ ବୋଲି ଶୀଘ୍ର ଘରକୁ ଫେରିଆସିଥାଏ ଦେବସ୍ମିତା । ତା କିଡ଼ନୀ ଅପରେସନ ପରଠାରୁ ତା ଦେହ ଆଗଭଳି ଭଲ ଲାଗୁନି ଆଉ । ବିଛଣାରେ ଗଡୁଥିଲା ଟିକେ ।ହଠାତ ଝଡଭଳି ଘରଭିତରକୁ ପଶିଆସିଲା ସୁବ୍ରତ, ବିବ୍ରତ ଜଣାପଡୁଥିଲା । ତାକୁ ଦେଖି ଦେବସ୍ମିତା କଣ ହେଇଛି କିରେ,ଏମିତି ବିବ୍ରତ ଭଳି ଲାଗୁଛୁ ? ସୁବ୍ରତ କ୍ଷୁବ୍ଧଭାବରେ କହିଲା, ଆଉ ତୁ କଅଁଳିଆ କଥାଗୁଡା କହନା, ତୋରିଯୋଗୁ ଆଜି ମୋତେ ମରିବାକୁ ପଡିବ, ତୁ ଚାକିରୀ କରିବା ନାଁରେ ବେଶ୍ୟାବୃତ୍ତି କରି ଟଙ୍କା ରୋଜଗାର କରୁଛୁ ? ଆଜିପର୍ଯ୍ୟନ୍ତ ଆମକୁ ଲୁଚାଇ ଅସୁଥିଲୁ । ବାହାରେ ସବୁଠି ତୋରି କଥା ଆଲୋଚନା ହେଉଛି, ଆଜି ଆମ ଅଫିସରେ ବି ତୋ ବିଷୟରେ କଟାକ୍ଷ ଶୁଣିବାକୁ ପଡିଲା ମୋତେ |ହତଚକିତ ଭାବେ ଛିଡ଼ାହୋଇପଡ଼ିଲା ଦେବସ୍ମିତା । ବାପା ଭୀଷଣଭାବେ ରାଗିଉଠିଲେ

ଦେବସ୍ମିତା ଉପରେ, ଶେଷରେ ତୁ ଏଇଆ କଲୁ, ଆମ ମୁହଁରେ ଚୂନକାଳୀ ବୋଲିଲୁ, ଚାରିଖଣ୍ଡ ଗାଁରେ ମୋର ଯେଉଁ ସମ୍ମାନ ଟିକକ ଥିଲା, ତାକୁ ପୋଡିଦେଲୁ, ଏମିତି କାମ କରିବା ଅପେକ୍ଷା ମରିଗଲୁନି କାହିଁକି ? ଦେବସ୍ମିତା କାନ୍ଦୁଥିଲା । ବାପା ଭାଇ ଗlଳିକରି ଚାଲିଥିଲେ ତାକୁ । ଶେଷରେ ମୁହଁ ଖୋଲିଲା ଦେବସ୍ମିତା, ହଁ, ମୁଁ ଗୋଟେ ବେଶ୍ୟା, ଏଇ ଘୃଣ୍ୟ କାମ କରିବାକୁ ବାଧ୍ୟ ହୋଇଛି ମୁଁ । ଘରର ପରିସ୍ଥିତିକୁ ସୁଧାରିବା ପାଇଁ ଯେତେବେଳେ ମୁଁ ଚାକିରୀ କରିବାକୁ ଗଲି,ଚାକିରୀର ପ୍ରଥମ ଦିନହିଁ ମୁଁ ମାଲିକଦ୍ୱାରା ଧର୍ଷଣର ଶିକାର ହେଲି, ସେଇଦିନ ହିଁ ସେ ଚାକିରୀ ଛାଡିଦେଇଥିଲି, ଦ୍ଵିତୀୟ ଚାକିରୀ ଏକ ପ୍ରାଇଭେଟ ପ୍ରେସରେ କାମକଲାବେଳେ ସେଠି ବି ସେଇ ଏକlକଥା । ସେ ଚାକିରୀ ବି ଛାଡ଼ିଥିଲି ସେଦିନ । ଆଜି ଭିତରେ ଆଠଟି ଘରୋଇ ସଂସ୍ଥାରେ କାମକରିସାରିଲିଣି, ସବୁଯାଗାରେ ରାକ୍ଷସମାନେ ମୋ ଦେହକୁ ଝୁଣିଝୁଣି ଖାଇଛନ୍ତି ।ନିରୁପାୟ ଥିଲି ମୁଁ, ତୋ ପାଠପଢା, ବାପାଙ୍କ ଔଷଧ ପାଇଁ ସବୁ ଯନ୍ତ୍ରଣାକୁ ମୁଁ ସହି ଯାଉଥିଲି । ତୁ ଜାଣିଛୁ ସୁବ୍ରତ, ତୋ ଚାକିରୀ ପାଇଁ ଯେଉଁ ଏକଲକ୍ଷ ଟଙ୍କା ଯୋଗାଡ଼ କଲି, କେଉଁଠୁ କେମିତି ଆଣିଲି, ସେଇ ଟଙ୍କାପାଇଁ ମୁଁ ମୋର ଗୋଟେ କିଡ଼ନୀ ବିକ୍ରି କରିଦେଇଛି । ମୋତେ କେବେ ପଚାରିଛୁ, ଏତେ ଟଙ୍କା କେଉଁଠାରୁ ଆଣିଲୁ ବୋଲି । ଏକା ନିଶ୍ୱାସରେ କହିଗଲା ଦେବସ୍ମିତା । ସୁବ୍ରତ କିନ୍ତୁ ଏଥିରେ ସନ୍ତୁଷ୍ଟ ହେଲାନି, କହିଲା, ତୁ ଯାହା କହ ନାନୀ, ତୋ ଯୋଗୁ ଆମେ ଆଉ ରାସ୍ତାରେ ବାଟ ଚାଲିପାରିବୁନି, ତୋତେ ନାନୀ ଡାକିବାକୁ ବି ମୋତେ ଏବେ ଘୃଣା ଲାଗୁଛି । ବାପା ବି କହିଲେ, ଏସବୁ ଶୁଣିବା ଆଗରୁ ମୋର ମରଣ କାହିଁକି ହେଲାନି ? ସେଠାରେ ଆଉ ରହିପାରିଲାନି ଦେବସ୍ମିତା, ଅନ୍ୟ ଏକ କୋଠରୀକୁ ଚାଲିଗଲା କାନ୍ଦିକାନ୍ଦି । ସେମିତି ଫଁ ଫଁ ହେଉଥାନ୍ତି ସୁବ୍ରତ ଓ ତାର ବାପା ।

     ସେଦିନ ରାତି କେତେ ହେବଣି କେଜାଣି । ଦେବସ୍ମିତା ଶୋଇନି କି ଖାଇ ପାରିନି ମଧ୍ୟ । କାନ୍ଦିକାନ୍ଦି ନୀରବ ହୋଇଗଲାଣି । କାହାକୁ କହିବ ତା ମନରକଥା । ଭଗବାନଙ୍କୁ ପ୍ରାର୍ଥନା କରୁଥିଲା, ଆଉ ସହିପାରୁନି ଠାକୁରେ, ମୁଁ ଆଉ ବଞ୍ଚିପାରିବିନି, ମୋତେ ତୁମ ପାଖକୁ ନେଇଯାଅ ପ୍ରଭୁ । ମୋ ବୋଉ, ମୋ ନାଁ ଦେଇଥିଲା ଦେବସ୍ମିତା, କାହିଁକି ଜାଣ ପ୍ରଭୁ, ମୋ ଓଠରେ ତୁମର ହସ ସବୁବେଳେ ରହିବ ବୋଲି । କିନ୍ତୁ ତୁମେ ମୋ ଓଠରେ କେବଳ କାନ୍ଦ ଭରିଦେଲ ।

ଏବେ ଆଉ ମୁଁ ବଞ୍ଚିପାରିବିନି ପ୍ରଭୁ, ମୋର ଶେଷ ଅଳି ତୁମପାଖରେ ମୋତେ ତୁମପାଖକୁ ନେଇଯାଅ |ହାତଯୋଡ଼ି ପ୍ରଣାମ ଜଣାଇଲା ଠାକୁରଙ୍କୁ ଦେବସ୍ମିତା । ତା ପରେ ଉଠି ଛିଡାହେଲା,ନିଜ ଶାଢୀରେ ରଶିଲଗାଇ ଝୁଲି ପଡିଲା ତଳକୁ, ଧୀରେ ଧୀରେ ନୀରବି ଆସୁଥିଲା ତାର ଦେହଟା । ରାତିଟା ନିଶବ୍ଦ ହୋଇଯାଉଥିଲା ଯେମିତି ।

     ସୁବ୍ରତ ଏବଂ ତାର ବାପା କ୍ରୋଧରେ ଅନ୍ଧହୋଇ ସିନା ଦେବସ୍ମିତାଙ୍କୁ ଗlଳିକରି ପକାଇଲେ । କିନ୍ତୁ ରାଗ ଶାନ୍ତହେବା ପରେ ଯାଇ ଦେବସ୍ମିତାର ମୃତ ଶରୀରକୁ ଦେଖି ଭାଙ୍ଗିପଡିଲେ ଦୁହେଁ । ସେମାନେ ଭାବିନଥିଲେ, ସେ ଏମିତି କରିବସିବ ବୋଲି । ଜୀବନରେ କେତେ ଦୁଃଖ ଯନ୍ତ୍ରଣା ଭୋଗି ଆମରି ଭଲ ଚିନ୍ତା କରୁଥିବା ଝିଅଟା ଆଜି ଆମକୁ ଛାଡି ଚାଲିଗଲା, ଦେବସ୍ମିତାର ଶବକୁ ଜାବୁଡ଼ିଧରି ଭୋ ଭୋ ହୋଇ କାନ୍ଦୁଥିଲେ ସୁବ୍ରତ ଓ ତାର ବାପା ।

    

   


Rate this content
Log in

Similar oriya story from Tragedy