ସମ୍ପର୍କର ସୂତା ଖିଅ
ସମ୍ପର୍କର ସୂତା ଖିଅ
ବେଳେ ବେଳେ ସମ୍ପର୍କ ସବୁ ବୋଝ ହୋଇଯାଏ ଜୀବନ ଚଲାପଥରେ l ଜଳିବାକୁ ହୁଏ ଏକ ନିଃସ୍ଵ ଦୀପ ଶିଖାର ମନ ନେଇ l ବଞ୍ଚିବାକୁ ହୁଏ ତିଳ ତିଳ ହୋଇ l ହୃଦୟରେ ବଞ୍ଚିବାର ଅସରନ୍ତି ଉତ୍ତାପ ଯେମିତି ବେଦନାର ଅସହଣି ଜ୍ୱଳନର ଦାଗ ସୃଷ୍ଟି କରି ଚାଲିଛି l କେତେ ଜୀବନ ଆଲୋକିତ କରିଛି ନିଜ ଜୀବନକୁ ଜାଳି ଜାଳି ସେଇ ଅଭାବ ଅନଟନ ଭିତରେ l ସାଲିସ କରିଛି ବଞ୍ଚିବା ପାଇଁ l ବେଳେ ବେଳେ ସ୍ୱାର୍ଥପର ହୋଇ ପଡିଛି ସେଇ ସମ୍ପର୍କର ସୂତାଖିଅ ପାଇଁ l କିନ୍ତୁ ଆଜି ସମ୍ପୂର୍ଣ୍ଣ ନିଃସ୍ଵ ହୋଇ ପଡିଛି ଦୁନିଆରେ l ବଞ୍ଚିବାର ସ୍ପୃହା ନ ଥାଇ ବି ବଞ୍ଚିଛି ଚେନାଏ ପ୍ରତିଶୃତିର ସାହାରାରେ l ନିରବରେ ଢାଳୁଛି ଖାଲି ତତଲା ଲୁହ l ଭୁଲ କେଉଁଠି ହେଲା ମୋ ଗଢିବାରେ ତାକୁ ଆଜି ବାରମ୍ବାର ଅନ୍ୱେଷଣ କରୁଛି ନିଜ ଭିତରେ ଏମିତି କେତେ କଣ ଭାବୁଛନ୍ତି ଦୀନ ମାଷ୍ଟ୍ରେ.... ବୟସର ସାୟଂ କାଳେ ଯେମିତି ଅସହାୟ ପ୍ରାୟ ଆଜି.....
ସେଦିନ ଥିଲା ଗୁରୁ ଦିବସ l ଡ଼କ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନ l ଏ ଦିନକୁ ସମସ୍ତେ ଗୁରୁ ଦିବସ ରୂପେ ପାଳନ କରନ୍ତି ହେଲେ ଆଜିକାଲି ଯୁଗରେ ନାହିଁ ଆଉ ସେ ଗୁରୁ ଶିଷ୍ୟ ପରମ୍ପରା l ମୋବଇଲ ପାଠରେ ନମସ୍କାର ଜାଗା ନେଇଛି ହାଏ... ହେଲୋ...l ଆଉ ଗୁରୁ ବି ଠିକ ସେମିତି ବଦଳି ଗଲେଣି ଆଧୁନିକତାର ପ୍ରଲେପରେ l କୋଉଠି ଗୁରୁ ଅଶ୍ଳୀଳ ଭିଡିଓ ଦେଖାଇ ଛାତ୍ରୀକୁ ଗିରଫ ତ ଆଉ କେଉଛି ଛାତ୍ରୀଙ୍କୁ ଅନ୍ତଃସତ୍ତ୍ୱା କରି ଫେରାର l ସତରେ ସମାଜରେ ଏବେ ସେ ନିଆରା ସମ୍ପର୍କଟା ଏବେ ପ୍ରହସନ ପାଲଟିଗଲାଣି l ଏମିତି ଅନେକ ଖବର ନେଇ ଖାଲି ଖବର କାଗଜ ପୃଷ୍ଠା ମଣ୍ଡନ କରୁଛି l
ସେଦିନ ଏମିତି ଏକ ସକାଳରେ ଜିଲ୍ଲାପାଳ ମହୋଦୟ ପାଖରେ ଥିବା ଜରାନିବାସରେ ଗୁରୁଦିବସ ପାଳନ ଅବସରରେ ଯୋଗ ଦେବା କାର୍ଯ୍ୟକ୍ରମ ଥିଲା l ଖୁବ ଆଗରୁ ସବୁ ରେଡି ହୋଇ ସାରିଥିଲା l ମଧୁର ଗୀତର ସ୍ୱର ଭାସି ଆସୁଥିଲା ମଞ୍ଚ ଉପରୁ l ଯଥା ସମୟରେ ଅତିଥି ଆସିଲେ l ତାଙ୍କୁ ଫୁଲତୋଡ଼ା ଦେଇ ସମ୍ମାନିତ କରାଗଲା l ଏଇ ଅବସରରେ ସେ ସମସ୍ତ ଜରାନିବାସୀଙ୍କୁ ସୁନ୍ଦର ସୁନ୍ଦର ଉପହାର ଦେଲେ ଷ୍ଟେଜ୍ ଉପରକୁ ଡ଼ାକି l ସମସ୍ତେ କହୁଥାନ୍ତି ଆମ ଜିଲ୍ଲାପାଳ ବହୁତ ଭଲ l ଏମିତି ଜଣେ ଜଣେ ଆସି ନେଇଯାଉଥାନ୍ତି ଉପହାର ସବୁ l ଶେଷରେ ଥିଲେ ଦୀନ ମାଷ୍ଟ୍ରେ....
ହଠାତ ତାଙ୍କୁ ଦେଖି ମଥା ନତ କରି ପାଦ ସ୍ପର୍ଶ କଲେ ଜିଲ୍ଲାପାଳ ମହୋଦୟ l ସେ କହିଲେ ମୋତେ ଚିହ୍ନି ପାରିଲେ ସାର l ମୁଁ ଆପଣଙ୍କ ବିଜୁ.... ବିଜୟ ପଧାନ... I ନାଁଟା ଶୁଣିଲା ପରେ କୁଣ୍ଢେଇ ଧରିଲେ ଦୀନ ମାଷ୍ଟ୍ରେ.... ଆରେ ବିଜୁ ତୁ ଏତେ ବଡ଼ ହେଇଗଲୁଣି l ଆଉ କଣ ଚିହ୍ନି ହେଉଛି କାହାକୁ l ଚଷମା ଟେକି ଲୁହ ପୋଛୁ ପୋଛୁ କହିଲେ l
ସବୁ ପର୍ବ ସରିଗଲା l ଜିଲ୍ଲlପାଳ ଦୀନ ମାଷ୍ଟ୍ରେଙ୍କ ସହ ଏକାନ୍ତରେ ଦେଖା କରିବା ପାଇଁ ନିଜ ପିଏଙ୍କୁ କହିଲେ l ଏକ କୋଠରୀକୁ ଡକାଗଲା ଦୀନ ମାଷ୍ଟ୍ରେଙ୍କୁ l ବିଜୁ କହିଲେ ସାର ଆପଣ ପୁଣି ଏ ଜରା ନିବାସରେ l ମୁଁ ଯାହା ଜାଣିଛି ଆପଣଙ୍କ ପୁଅ ଏରୋଟିକ ଇଞ୍ଜିନିୟର l ସେ ଆମେରିକାରେ ରୁହନ୍ତି l ମୋ ସହିତ ଏକା ସାଥିରେ ପଡୁଥିଲେ l
ଲୁହରେ ଭିଜିଗଲା ଆଖି ଦୀନ ମାଷ୍ଟ୍ରେଙ୍କର l ଭାସି ଆସିଲା ସେ ଅତୀତ କାହାଣୀ l ଖୁବ ଭଲ ପାଉଥିଲେ ସେ ବିଦ୍ୟାପୁରର ବିଦ୍ୟାଳୟକୁ l ବିଦ୍ୟାଳୟ ନ ଥିଲା ସେ ଥିଲା ମଣିଷ ତିଆରି ଗୋଟେ କାରଖାନା l
ଆଖ ପାଖ ଚାରି ଖଣ୍ଡ ଗାଆଁରେ ଦୀନ ମାଷ୍ଟେଙ୍କୁ ସମସ୍ତେ ଜାଣନ୍ତି l କେତେ ଚାନ୍ଦା କରି ଖୁବ କଷ୍ଟରେ ହାଇସ୍କୁଲ ପ୍ରତିଷ୍ଠା କରିଥିଲେ l ନିଜେ ଦୀର୍ଘ ଦାସବର୍ଷ ପାରିଶ୍ରମିକ ନେଇ ନ ଥିଲେ l ସେଥିପାଇଁ ଗାଆଁ ଲୋକ ଯାହା ଘରେ ଯାହା ହୁଏ ଦୀନ ମାଷ୍ଟ୍ରେଙ୍କୁ ଦିଅନ୍ତି ଅକୁଣ୍ଠ ଚିତ୍ତରେ l ପରିବାର କହିଲେ ସ୍ତ୍ରୀ ସୁମତି ପୁଅ ସୁରଜ ଓ ଝିଅ ବନଜା l ଦୁଃଖେ କଷ୍ଟେ ଚଳିଯାଏ ପରିବାର l ଟିଉସନ କରି ଖୁବ କଷ୍ଟରେ ଛୁଆ ଦି ଟାଙ୍କୁ ମଣିଷ କରିଛନ୍ତି l ତାଙ୍କର ଠିକ ମନେଅଛି l ପୁଅ ଖୁବ ଭଲ ପଢେ l
ସବୁ ଶ୍ରେଣୀରେ ପ୍ରଥମ ହୁଏ ସେଥିପାଇଁ ଟିକେ ସ୍ୱାର୍ଥପର ହୁଅନ୍ତି ପୁଅ ପାଇଁ l ବିଜୁ ଖୁବ ଗରିବ ଘରର ପିଲା l ଖୁବ ମେଧାବୀ l ହେଲେ ନିଜ ରକ୍ତ ସମ୍ପର୍କ ପାଇଁ ମାଷ୍ଟ୍ରେ ବେଳେ ବେଳେ ଟିକେ ପକ୍ଷପାତିତା କରନ୍ତି l
ସବୁ ଥର ପୁଅ ହିଁ ପ୍ରଥମ ହୁଏ l ବିଜୁ ପାଖରେ ପଇସା ନଥିଲା ଟିଉସନ ଫିଜ୍ ଦେବା ପାଇଁ l
ହେଲେ ଅନେକ ଗରିବ ଛୁଆଙ୍କୁ ଦୀନେ ମାଷ୍ଟ୍ରେ ଵିନା ପଇସାରେ ପଢ଼lନ୍ତି l ସେଦିନ ବିଜୁଙ୍କୁ ମନା କରିଦେଲେ l ପଇସା ପାଇଁ ନୁହଁ ନିଜ ପୁଅ ପାଇଁ.... କାଳେ ସେ ପ୍ରଥମ ହୋଇଯିବ l ସେଦିନ ବେଶି ଛାତ୍ର ହେଉଛନ୍ତି ଆଉ ସମୟ ମିଳୁନି କହି ମନା କଲେ l
ହେଲେ ଅସଲ କଥାଟା ଥିଲା ତାଙ୍କ ପୁତ୍ର ମୋହ l ଯେଉଁଥିପାଇଁ ସେ ବିଜୁକୁ ମନା କଲେ l ହେଲେ ସେ ବିଜୁ ଆଜି ପର ହେଇ ବି ସୁଖ ଦୁଃଖ ବୁଝିବା ପାଇଁ ଡାକିଲା l ଯେଉଁ ପୁଅକୁ ଏତେ ସଂସ୍କାର ଦେଇ ଗଢିଲେ ସେ ବଡ଼ ମଣିଷ ସିନା ହେଲା l ହେଲେ ଭଲ ମଣିଷଟେ ହୋଇ ପାରିଲାନି l ଆଜି ପଶ୍ଚାତାପର ବହ୍ନିରେ ତିଳ ତିଳ ହୋଇ ଜଳୁଛନ୍ତି ଦୀନ ମାଷ୍ଟ୍ରେ llବନଜାକୁ ବହୁତ ଭଲ ପାଉଥିଲା ବିଜୁ l ବାହା ହେବା ପାଇଁ ଦୀନ ମାଷ୍ଟ୍ରେଙ୍କୁ ଆସି ନିଜ ମନ କଥା କହିଥିଲା l ହେଲେ ସେଦିନ ନିଜ ସ୍ୱାଭିମାନକୁ ହରେଇବା ଭୟରେ ମନା କରିଦେଲେ ତାକୁ l ଆଉ କେବେ ଏ ପ୍ରସ୍ତାବ ନେଇ ଆସିବୁନି ବୋଲି ତାଗିଦ୍ କରି କହିଥିଲେ l କଥା ରଖି ବିଜୁ ସବୁଦିନ ପାଇଁ ଗାଆଁ ଚାଲିଗଲା ସହର l ନିଜ ଅଯୋଗ୍ୟପଣ ପାଇଁ ବୋଧହୁଏ ଦୀନ ମାଷ୍ଟ୍ରେ ଝିଅକୁ ବାହା ଦେବା ପାଇଁ ମନା କଲେ ଭାବି ନିଜ ଲକ୍ଷ୍ୟ ପଥରେ ଆଗେଇ ଗଲା l ୟୁ.ପି.ଏସ୍.ସି. ପରୀକ୍ଷାରେ ଟପର ହୋଇ ଜିଲ୍ଲାପାଳ ହେଲା l ଦୀନ ମାଷ୍ଟେଙ୍କ ଝିଅ ନିଜ ଇଚ୍ଛାରେ ବାହା ହୋଇ କାନାଡ଼ା ଗଲା ନିଜ ସ୍ୱାମୀ ସହିତ l କେବେ ବାବା ମାଆ କଥା ବୁଝିଲାନି l ସବୁ ଦେଖି ସୁମତି ସହ୍ୟ କରି ପାରିଲେନି l ଚାଲିଗଲେ ଆରପାରିକି l ଏକା ହୋଇଗଲେ ଦୀନ ମାଷ୍ଟ୍ରେ l ପୁଅ ଜନ୍ମ ମାଟି ଭୁଲିଗଲା l ଆମେରିକାର ନାଗରିକତ୍ୱ ଗ୍ରହଣ କରି ସେଇଠି ବାହା ହୋଇ ରହିଗଲା l ଧୀରେ ଧୀରେ ଦୀନ ମାଷ୍ଟ୍ରେ ନିଜ କାମ ବି କରିପାରିଲେ ନାହିଁ l ବହୁତ ଥର ପୁଅକୁ ଫୋନ କଲେ ହେଲେ କାମ ବାହାନା ଦେଖେଇ କେବେ ଆସେନି l ଆଖି ଦିଶୁନି ମୋତିଆ ବିନ୍ଦୁ ପାଇଁ l ହେଲେ ଅପରେସନ ପାଇଁ କହିବାରୁ ଶୁଣିଲାନି l
କେତେ ନେହୁରା ହେଲେ ହେଲେ ତା ହୃଦୟ କେବେ ତରଳିଲାନି l ସେଥିପାଇଁ ସେ ଆଜି ଏ ଜରାନିବାସକୁ ଆପଣେଇ ନେଲେ.....
ସବୁ ଦୁଃଖ ଶୁଣି ବିଜୟ ଆଖିରେ ଲୁହ ଆସିଗଲା l ସାଙ୍ଗେ ସାଙ୍ଗେ ସାରଙ୍କୁ ଗୋଟେ ଭଲ ହସ୍ପିଟାଲରେ ଏଡମିଟ କରି ଅପରେସନ କରେଇଲେ l ସୁସ୍ଥ ହେବା ପର୍ଯ୍ୟନ୍ତ ନିଜେ ଘରେ ରଖି ସେବା କଲେ l
ଖୁବ ଲଜ୍ଜା ବୋଧ କଲେ ଦୀନ ମାଷ୍ଟ୍ରେ ନିଜକୁ ନିଜେ l କେତେ ଅନ୍ୟାୟ କଲେ ଏ ବିଜୁ ଉପରେ l ଏକଲବ୍ୟ ଭଳି ଗୁରୁ ଦକ୍ଷିଣା ମାଗି ନେଲେ ନିଜ ସ୍ୱାର୍ଥ ପାଇଁ l କିନ୍ତୁ କେବେ ହତାଦର କରିନି ସେ l କାଲି ଯେମିତି ସମ୍ମାନ ଦେଉଥିଲା ଆଜି ବି ଦେଉଛି l ଦୀନ ମାଷ୍ଟ୍ରେ ସେଦିନ ବିଜୁକୁ ଡ଼ାକି କହିଲେ "ମୋତେ ଖୁବ ଛୋଟ କରିଦେଲୁରେ ବିଜୁ” ତୁ l ତୋ ଗୁରୁ ଦକ୍ଷିଣା ଆଗରେ ଆଜି ମୁଁ ସବୁଦିନ ପାଇଁ ୠଣୀ ହୋଇଗଲି "ସବୁ ଶୁଣି ସାରି ବିଜୟ କହିଲେ "ସେମିତି ଭାବନ୍ତୁନି ସାର ଆଜି ଯାହା ବି ହୋଇଛି ଆପଣଙ୍କ ଦୟାରୁ ହୋଇଛି l ସେଥିପାଇଁ ମୋ ଉପରେ ଆପଣଙ୍କ ସମ୍ପୂର୍ଣ୍ଣ ଅଧିକାର ଅଛି l ଆପଣଙ୍କ ସେବା କରି ନିଜକୁ ଧନ୍ୟ ମନେ କରିବି l ଯେତେବେଳେ ଯାହା ଦରକାର କହିବେ l ସେମିତି ବି ମୋ ବାପା ମାଆ କେହି ନାହାନ୍ତି l ଆପଣ ଚାହିଁଲେ ମୋ ସହିତ ରହିପାରିବେ l ବିଜୁର ଏମିତି କଥା ଶୁଣି ଦି ଧାର ତତଲା ଅଶ୍ରୁ ବହିଆସିଲା ଦୀନ ମାଷ୍ଟ୍ରେଙ୍କ ଆଖିରେ...ll
