Aravinda Das

Tragedy

1.0  

Aravinda Das

Tragedy

ସମ୍ପର୍କର ସମୀକରଣ

ସମ୍ପର୍କର ସମୀକରଣ

5 mins
7.9K


ସତ୍ୟ ବାରମ୍ବାର ଓଲଟାଇ ଦେଖୁଥିଲା କ୍ୟାଲେଣ୍ଡରକୁ ।

ପାଞ୍ଚ ଦିନ ପରେ ରାକ୍ଷୀ ପୂର୍ଣ୍ଣିମା । ନିଜ ହାତକୁ ଅନାଇଲା ସତ୍ୟ ।

ଦୀର୍ଘ ନିଶ୍ବାସଟେ ଛାତି ଥରାଇ ବାହାରିଗଲା । ଗୋଟାଏ ପ୍ରଶ୍ନ ବାରମ୍ବାର ତା ମନକୁ ଆସୁଥିଲା ଏବର୍ଷ କଣ ମିଲି ଆସିବ ରାକ୍ଷୀ ବାନ୍ଧିବାକୁ ?

"କ୍ୟାଲେଣ୍ଡର ଟାକୁ ସକାଳୁ ଏତେଥର ଓଲଟାଇ କଣ ଦେଖୁଛ ?"

ସ୍ତ୍ରୀ ନିଳୀମା ପ୍ରଶ୍ନ ଶୁଣି ଚମକି ପଡ଼ିଲା ସତ୍ୟ ; ତା ପାଟିରୁ ବାହାରିପଡ଼ିଲା,"କାର୍ତ୍ତିକ ପୂର୍ଣ୍ଣିମା ଓ ଦୋଳ ପୂର୍ଣ୍ଣିମା କେବେ ପଡୁଛି ଦେଖୁଥିଲି । ଏଥର ଟିକେ ଡେରିରେ ପଡୁଛି ନା ?"

ଏଥର ଆଶ୍ଚର୍ଯ୍ୟ ହେବାର ପାଳିଥିଲା ନିଳୀମାର । ନିଜ ହସକୁ ଚାପିରଖି କହିଲା,"ଅଗଷ୍ଟ ମାସରୁ ତମେ ଦୋଳପୁର୍ଣ୍ଣିମା ଖୋଜୁଛ ?କିଛି ସ୍ପେଶାଲ ?ତାଛଡା ଏବର୍ଷ ଦୋମାସି ବା ମଳ ମାସ ତ ପଡିନି ଯେ ପୁନେଇ,ଅମାବାସ୍ୟା ଘୁଞ୍ଚିଯିବ । ସତ କୁହ ,ତମେ ରାକ୍ଷୀ ପୂର୍ଣ୍ଣମୀ କେବେ ପଡୁଛି ଦେଖୁଥିଲ ନା ?"

ନିଜ ଅଭିନୟ ଧରାପଡିଯାଇଛି ଜାଣି ସତ୍ୟର ପାଟି ଆଫୁଆଫୁ ହୋଇଗଲା । ଚୁପ୍ ଚାପ ବାଥରୁମକୁ ପଶିଗଲା ସତ୍ୟ । ସାୱାରଟା ଖୋଲିଦେଇ ପାଣିତଳେ ଠିଆ ହୋଇ ଭାବନାରେ ମଜିଗଲା ।

ସ୍ମୃତିର ଆଲବମ ,ଆଖି ସାମ୍ନାରେ ଯେମିତି ଧୀରେ ଧୀରେ ପୃଷ୍ଠା ଓଲଟାଉ ଥିଲା । ପ୍ରତିବର୍ଷ ଭଳି ଗତବର୍ଷ ରାକ୍ଷୀ ପୂର୍ଣ୍ଣିମା ଦିନ ବି, ସାନ ଭଉଣୀ ମିଲି, ଭିଣୋଇ ମନୋଜ ଓ ଦୁଇ ଭଣଜା ଭାଣିଜି ଆସି ପହଞ୍ଚିଥିଲେ ହାଇଦ୍ରାବାଦରୁ । ଆଗରୁ ଓଡ଼ିଶାରେ ଥିଲାବେଳେ ମିଲି ଆସେ । ତେବେ ସରପ୍ରାଇଜ ଦେଇ ଏତେ ଦୂରରୁ ଆସିଥିବା ଦେଖି ଖୁସିହୋଇଯାଇଥିଲା ସତ୍ୟ ।

ଭାଣିଜି ସୋନି ମଧ୍ୟ ଖୁସିରେ ରାକ୍ଷୀ ବାନ୍ଧୁଥିଲା ମାମୁ ପୁଅ ଭାଇ ମିଲନ ହାତରେ । ଘରଟା ଭରି ଉଠିଥିଲା ଖୁସି,ଆନନ୍ଦର କୋଳାହଳରେ ।

ନିଳୀମା ରୋଷେଇ ଘରକୁ ଯାଇ ବନେଇବାରେ ଲାଗିଗଲା ନଣନ୍ଦଙ୍କ ପସନ୍ଦ'ର ଓଉ ସାରୁ ପାଣିକଖାରୁ ମୁଗଯାଇ ଡାଲମା,କଖାରୁ ଫୁଲ ଭଜା,ଛତୁ ରାଇ, ଆମ୍ବୁଲ ରାଇ ।

ମିଲି ଦୁଇଟା ମିଠା ଭାଇ ପାଟିରେ ପୁରାଇଦେଇ କହିଲା ,'ମୋ ପାଉଣା ଆଗେ ବାହାର କର ।"

"ଇୟେ ତ ପୁରା ଆତଙ୍କବାଦୀଙ୍କ ଡିମାଣ୍ଡ ଭଳି କଥା । ରାକ୍ଷୀ ବାନ୍ଧିବା ଭଉଣୀଙ୍କ କର୍ତ୍ତବ୍ୟ ଓ ଭଉଣୀଙ୍କ ସୁରକ୍ଷା ଭାଇର କର୍ତ୍ତବ୍ୟ ।ଏଥିରେ ଦବା ନବା କୁଆଡେ ଆସିଲା ?ଠିକ୍ ଅଛି ଗୋଟେ କ୍ୟାଡବରୀଜ ଚକୋଲେଟ ଦେବି।ଟିଭିରେ ଦେଖାଉଛି ପରା, ଖୁସି କା ପଲ, କ୍ୟାଡ଼ବରିଜ କେ ସାଥ । କଣ ମନୋଜ ଠିକ୍ କହିଲି ତ ?"

ମୋବାଇଲ ବନ୍ଦ କରି ଭିଣୋଇ ମନୋଜ କହିଲା,"ଆମ ଆଡ଼େ ଗାଁରେ ପିଲାବେଳେ ବ୍ରାହ୍ମଣ ଆସି ପଇତା ପିନ୍ଧାଉଥିଲେ।ମା,ଜେଜେମା, ନନାଙ୍କୁ ଛଞ୍ଚା କିମ୍ବା କିଛି ପଇସା ଦେଉଥିଲେ।"

" ପାଟି ଚୁପ୍ କର ତୁମେ । ତୁମର ତ ଭଉଣୀ ନଥିଲେ । ରାକ୍ଷୀ କଣ ଜାଣିବ ତମେ । ସ୍କୁଲ ପଢିଲାବେଳେ ନିଜ ଟିଫିନ୍ ଓ ହାତ ଖର୍ଚ୍ଚ ପଇସା ସଞ୍ଚି ଭାଇ ମୋ ପାଇଁ ଚୁଡ଼ି,ଟିକିଲି,ନେଲପାଲିସ ,କଲମ ଇତ୍ୟାଦି କିଣି ଦେଉଥିଲା । ମୁଁ ବି ଗୋଟାଏ ବଦଳରେ ଦୁଇ ତିନିଟା ରାକ୍ଷୀ ବାନ୍ଧୁଥିଲି ଭାଇକୁ ।ହେଲେ ବଡ଼ ହେଲାପରେ ଏ ଭାଇଟା ମୋର କାମ୍ପି ହୋଇଗଲାଣି।"

ଦହି ସର୍ବତ୍ ଓ ମିଠା ଆଣି ଟି ପୟ ଉପରେ ଥୋଇଦେଇ ନିଳୀମା କହିଲା, "ତମେ କାହିଁକି ଶୁଣୁଛ ତମ ଭାଇଙ୍କ କଥା ?ହଳେ କାନ ଫୁଲ ତୁମ ପାଇଁ କଲିକତାରୁ ଆଣି ଛମାସ ହେଲା ରଖିଛନ୍ତି । ମୋତେ ବି ଲୁଚାଇଥିଲେ । ତୁମକୁ କେତେ ଭଲ ପାଆନ୍ତି ତା କଣ ଜାଣିନ ?ଆଉ ମୋ ତରଫରୁ ଗୋଟେ ଶାଢ଼ୀ । ଏଥର ଖୁସି ତ ?"

ସମସ୍ତେ ହସୁଥିଲେ । ସେଦିନ ରାତିରେ ଡାଇନିଂ ଟେବୁଲରେ ଡିନର କଲାବେଳେ ମିଲି କହିଲା, "ଭାଇ,ଆମେ ହାଇଦ୍ରାବାଦରେ ଗୋଟେ ଫ୍ଲାଟ ନେବାକୁ ଭାବିଛୁ । ଅଧିକ ଦାମ ଟିକେ । ତେଣୁ ଭାବୁଛି ବାପାଙ୍କ ଏ ଜାଗାଟାରୁ ମୋ ଶେୟାରଟା ବିକିଦେବି ; ତୁ ଯଦି କିଣିବାକୁ ଚାହୁଁ ତେବେ ଭଲ । ମାର୍କେଟ ରେଟ ତ ନିଶ୍ଚୟ ଭଲ ଥିବ, ରାସ୍ତା କଡ଼ ଘର,ଜାଗା ।"

ସତ୍ୟ ନିଜ କାନକୁ ବିଶ୍ବାସ କରିପାରୁ ନଥିଲା । ସ୍ନେହର ସାନଭଉଣୀ ଆଜିପରି ଦିନରେ ନିଜ ଭାଗ ମାଗୁଛି ? ବାପାଙ୍କ ସମ୍ପତ୍ତିରୁ ?ସତରେ କଣ ମିଲି ର ଏତେ ଅଭାଵ ?ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରେ ମନୋଜ । ତାଛଡା ବାପା ତିଆରି କରିଥିବା ସେଇ ଏକମହଲା ଘରେ ରହୁଛି ସତ୍ୟ । ନିଜ ପାଇଁ ଅନ୍ୟ ଫ୍ଲାଟ କିମ୍ବା ପ୍ଲଟ ବି କିଣିନଥିଲା ଆଜିଯାଏଁ ।

ନିଳୀମା ବି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ମନଟା ତାର ବି କ୍ଷୋଭରେ ଭରି ଯାଇଥିଲା । କିଛି ଘଂଟା ପୂର୍ବରୁ ଖୁସିରେ ଫାଟିପଡୁଥିବା ଘରଟାରେ ନିରବତା ବିରାଜୁଥିଲା ।

ପରିସ୍ଥିତିକୁ ସହଜ କରିବାକୁ ଯାଇଁ ନିଳୀମା କହିଲା, "ମିଲି ମଜାରେ ଏମିତି କହୁଛନ୍ତି ।"

"ନା, ଭାଉଜ ମୁଁ ସିରିଅସ । ମୁଁ କଣ କିଛି ଅନ୍ୟାୟ କଥା କହିଛି ?ଝିଅ ହିସାବରେ ମୋର କଣ ଭାଗ ନାହିଁ ?"

କ୍ରୋଧରେ ଫାଟିପଡ଼ିଲା ସତ୍ୟ ।" ତୁ ଏଡ଼େ ଛୋଟଲୋକ?ଏତେ ଦିନର ସ୍ନେହ ,ଶ୍ରଦ୍ଧାର ଏଇ ଉପହାର ?ଭାଗ ମାଗିବାକୁ ଆସିଛୁ ? ଏ ଜାଗା ବିକିଲେ ମୁଁ ,ତୋ ଭାଉଜ କେଉଁଠି ରହିବୁି ଭାବିଛୁ ?ତା ଛଡ଼ା ତୋର କଣ ମନେନାହିଁ ବାପା ମଲା ପୂର୍ବରୁ ବାରମ୍ବାର କହିଥିଲେ ତାଙ୍କ ତିଆରି ଘରକୁ ନଭାଙ୍ଗିବା ପାଇଁ । ତୁ କଣ ଭୁଲିଗଲୁଣି ?ସେଇଥିପାଇଁ ପରା ମୁଁ ଘରକୁ ବଢ଼ାଇପାରୁନି।"

ଛୋଟଲୋକ କିଏ ?ତୁ ନା ମୁଁ ?ଏତେ ବର୍ଷ ହେଲାଣି ଏକୁଟିଆ ସବୁ ଏଞ୍ଜୟ କରୁଛ, ଆଜି ମୁଁ ଅଧେ ମାଗିଦେଲି ବୋଲି ଛୋଟଲୋକ ହୋଇଗଲି ?"

ସମ୍ପର୍କର ହଳାହଳ,ତିକ୍ତତା ଯେମିତି କାୟାବିସ୍ତାର କରୁଥିଲା,ନିଜ ସ୍ବାଡପରତାର ଡେଣା ମେଲାଇ । ବଳୀ ପଡୁଥିଲା ସମ୍ପର୍କର ଅମୃତମୟ ଚେତନା,ଭାବନା ।

ରାଗରେ ପିତ୍ତ ଚଢ଼ିଗଲା ସତ୍ୟ ମୁଣ୍ଡକୁ । ଢୋ କରି ଦୁଇ ଚଟକଣା କସିଦେଲା ମିଲି ଗାଲକୁ ।

"ବାହାର ଏ ଘରୁ । ତୋର ଟଙ୍କା ଦରକାର ତ ? ଯୋଗାଡ଼ କରି ତୋ ମୁହଁରେ ଫୋପାଡ଼ିଦେଇ ଆସିବି । ମଲା ଯାଏଁ ତୋ ସହିତ କଥା ହେବିନି ।"

ଥମଥମ ହୋଇ ଘରୁ ବାହାରି ଯାଇଥିଲା ମିଲି ,ସାଙ୍ଗରେ ସ୍ୱାମୀ ଓ ପିଲାଙ୍କୁ ନେଇ । ନିଳୀମା ଯେତେବୁଝାଇଲେ ବି ବୁଝିଲା ନାହିଁ । ମନୋଜ ବି ଚୁପଚାପ ଥିଲେ ; ପରୋକ୍ଷରେ ଯେମିତି ମିଲିିକୁ ସମର୍ଥନ କରୁଥିଲେ । ସତରେ କଣ ଏଇ ହେଉଛି ସମ୍ପର୍କର ପରିଭାଷା ?ସାମାନ୍ୟ କଥାରେ ଏତେ ନିବିଡ଼ ବନ୍ଧନ ଭାଙ୍ଗିଯାଇ ଚୂରମାର ହୋଇଯାଏ?ବୁଝାମଣା ର ଏତେ ଅଭାବ ?

ନିଳୀମା ଅନେକ ବୁଝାଇଥିଲା ସତ୍ୟଙ୍କୁ ।"ରାଗ ବେଳେ ସବୁ ମଣିଷ ନିଜ ହୋସ ଭୁଲିଯାଆନ୍ତି । ତମେ ଥଣ୍ଡା ଦିମାଗରେ କଥା ହୁଅ ମିଲିଙ୍କ ସାଙ୍ଗରେ ।ମୋତେ ଲାଗୁଛି ସେ ବୁଝିଯିବେ।"

"ତମେ କଣ ଚାହଁ ଆମେ ଏ ଘର ଛାଡି ଦେବା ?"

ସେଇ କଥାକୁ ବର୍ଷେ ପୁରିଯିବ । ମିଲି ହାଇଦ୍ରାବାଦରେ ଫ୍ଲାଟ କିଣିଛି ବୋଲି ସତ୍ୟ ଶୁଣିଛି କିଛିଦିନ ହେଲାଣି । ଗୃହ ପ୍ରବେଶ କେବେ କରିବ ଜେଜାଣି ?

ସେଇଦିନରୁ ଆଉ କାହାର କଥାବାର୍ତା ନାହିଁ । ନିଳୀମା ଫୋନ୍ ର ଉତ୍ତରରେ ମିଲି କହିଥିଲା, "ଭାଇ ଫୋନ୍ କରି ଭୁଲ ମାଗୁ ଆଗେ ।"

ବାସ୍,ଅଭିମାନର କୁହୁଡ଼ି ଯେମିତି ଲୁହାର ପାଚେରୀ ବନି ଠିଆ ହୋଇଥିଲା ଦୁଇ ପରିବାର ମଧ୍ୟରେ ।

ଆଜି ବାଥରୁମରୁ ବାହାରିଆସି ସତ୍ୟ, ଆଲମାରୀ ଭିତରୁ ପୁରୁଣା ଫଟ ସବୁ ଦେଖୁଥିଲା । ମିଲି ଓ ତା ନିଜର ଛୋଟବେଳ ଫଟ । କେଉଁଠି ମିଲି ତା ପିଠିରେ ନାଉ ହେଇଛି ତ କେଉଁଠି କାନ୍ଧରେ ବସିଛି । କେଉଁଠି ତା ହାତ ଧରି ଚାଲୁଛି ତ କେଣ୍ଠି ନିଜ ହାତରେ ଭଉଣୀକୁ ସଜାଇ ଦେଉଛି ସତ୍ୟ । ପୁରୁଣା ରାକ୍ଷୀ ବନ୍ଧା ଫଟ ଦେଖି ଆଖିରେ ପାଣି ଜକେଇ ଆସିଲା ।

ବୋଉ କଥା ମନେପଡ଼ିଲା,"ମୋ ଅନ୍ତେ ତମେ ଦୁହେଁ ମିଲିର ବାପା,ମା।ତା ଆଖିରେ ଲୁହ ଆସିବାକୁ ଦେବୁନି । ସବୁବେଳେ ତା ଅଳି ଅଝଟ ମାନିନେବୁ ।ଆକାଶରେ ଥାଇ ମୁଁ ତୁମ ଦୁହିଁଙ୍କୁ ସବୁବେଳେ ଏକାଠି ଦେଖୁଥିବି ।

ଚମକିପଡି ଉପରକୁ ଅନାଇଲା ସତ୍ୟ । ତାକୁ ଲାଗିଲା, ବୋଉ ଯେମିତି ତାକୁ ଦେଖୁଛି ।

ରୁମ ଭିତରକୁ ନିଳିମାକୁ ପଶିଆସିବାର ଦେଖି ସତ୍ୟ କହିଲା,"ଆମେ ଏ ଘର ଛାଡି ଭଡା ଘରକୁ ଚାଲିଯିବା । ତମେ ଫୋନ୍ କରି ମିଲିିକୁ କହିଦିଅ । ତାର ବି ହକ ଅଛି ଏ ଜାଗା ଓ ଘର ଉପରେ ।"

ଗମ୍ଭୀର ସ୍ୱରରେ ନିଳୀମା କହିଲା, "ତୁମ ଭାଇ ଭଉଣୀଙ୍କ ଝମେଳାରେ ମୋତେ ପଶାଅନି । ଯାହା କହିବା କଥା ନିଜେ କହିଦିଅ ।"

ମନେମନେ ଏକ ନିଷ୍ପତ୍ତି ନେଇସାରିଥିଲା ସତ୍ୟ । ଓକିଲ ଡକାଇ କିଛି କାଗଜପତ୍ର କରାଇ ମିଲି ପାଖକୁ ପଠାଇଦେଲା ।

ଦୁଇଦିନ ପରେ ଭିଡିଓକଲ୍ କଲା ସତ୍ୟ । ତା ପାଟିରୁ କଥା ବାହାରୁ ନଥିଲା । ଆରପଟୁ ମିଲି ଦେଖୁଥିଲା ଭାଇର ଲୁହ ଭର୍ତ୍ତି ମୁହଁକୁ ।

ନିଶବ୍ଦରେ ବି ମଣିଷ ଅନେକ କଥା କହିଦିଏ ବୋଧେ ।

"ତୁ ନିଜକୁ କଣ ମହାପୁରୁଷ ବୋଲି ଭାବି ଏମିତି ତ୍ୟାଗ କରିଛୁ ନା କଣ ?ବର୍ଷେ ହେଲା କଥା ହେଉନୁ ?ଠିକ୍ ଅଛି ମୁଁ ଭୁଲ କଥା କହିଦେଇଥିଲି ; ହେଲେ ତୁ ସେ ଘର ଓ ଜାଗାକୁ ମୋ ନାଁରେ ଉଇଲ କରିଦେଇ ଭାବୁଛୁ ଠିକ୍ କରିଛୁ ବୋଲି ?ବେଶୀ ବଡ଼ ଲୋକି ଦେଖାଉଛୁ ? ନେ ତୋ ଉଇଲ", କହି ମୋବାଇଲ କ୍ୟାମେରା ସାମ୍ନାରେ ସେ ଦସ୍ତାବିଜ ଚିରିଦେଲା ମିଲି ଓ ଭେଁ ଭେଁ ହୋଇ କାନ୍ଦୁଥିଲା ।

"କାଲି ରାକ୍ଷୀ ପାଇଁ ମୁଁ ଆସି ପହଁଚୁଛି । କ୍ୟାଡ଼ବେରୀଜ୍ ପୁଣି ଦେବୁ ?"

ଲୁହ ଛଳଛଳ ଆଖିରେ ନିଜ ହାତରେ ଧରିଥିବା ପୁରୁଣା ଫଟ ସବୁ ମୋବାଇଲ ସ୍କ୍ରିନରେ ଦେଖାଉଥିଲା ସତ୍ୟ ।

ଭାଇ ଭାଉଣୀଙ୍କ ଆଖିରୁ ଲୁହ ଯେମିତି ଥମିବାର ନାଁ ନେଉନଥିଲା ।

ସ୍ମୃତିର ରୂପା ଫରୁଆରେ ବର୍ଷେ ହେଲା ବନ୍ଦ, କୁହୁକ ଭଅଁରଟା ଯେମିତି ମୁକ୍ତ ହୋଇ ଗୀତ ବୋଲିବାରେ ଲାଗିଥିଲା ।

(ଅରବିନ୍ଦ ଦାସ)


Rate this content
Log in

Similar oriya story from Tragedy