Priyadarshini Mishra

Tragedy

4.5  

Priyadarshini Mishra

Tragedy

ସମ୍ପର୍କ

ସମ୍ପର୍କ

3 mins
295



     " ଆଇ.ଏ.ଏସ ପ୍ରଶାନ୍ତ ପାଢ଼ୀଙ୍କ ଆତ୍ମହତ୍ୟା"। ଏହି ଖବର ଟିଭିରୁ ପାଇଲା ଅଜୟ। ନିଜ କାର୍ଯ୍ୟ କୁଶଳତା ପାଇଁ ସବୁଠାରେ ନାଁ କରିଥିବା ପ୍ରଶାନ୍ତ କାହିଁକି ଆତ୍ମହତ୍ୟା କଲା ?ଏହି ପ୍ରଶ୍ନଟି ବାରମ୍ବାର ଆନ୍ଦୋଳିତ କରୁଥିଲା ଅଜୟକୁ। ଅଜୟ ଓ ପ୍ରଶାନ୍ତ ପିଲାଦିନରୁ ସାଙ୍ଗ ଥିଲେ। ସ୍ନାତ୍ତକ ସରିବା ପରେ ଦୁହେଁ ସିଭିଲ ସର୍ଭିସେସ ପାଇଁ ଏକାଠି ପ୍ରସ୍ତୁତି ଚଳାଇଥିଲେ। ଦୁହେଁ ସେଥିରେ କୃତକାର୍ଯ୍ୟ ହୋଇଥିଲେ। ପ୍ରଶାନ୍ତ ପଞ୍ଜାବ କ୍ୟାଡ଼ରର ଓ ଅଜୟ ଓଡିଶା କ୍ୟାଡ଼ରର ଆଇ.ଏ.ଏସ ହୋଇଥିଲେ। ଏହାପରେ ଦୁହେଁ ବିବାହ କରି ଘର ସଂସାର କରିଥିଲେ। ଅଜୟ ମାଆ ବାପା ବାଛିଥିବା ଅଳକାକୁ ବିବାହ କରିଥିଲା ବେଳେ ପ୍ରଶାନ୍ତ ମାଆ ବାପାଙ୍କ ଇଛା ବିରୁଦ୍ଧରେ ବିବାହ କରିଥିଲା ଡକ୍ଟର ବର୍ଷା କୌରଙ୍କୁ। ବର୍ଷାଙ୍କୁ ବିବାହ କରି ନିଜ ପରିବାର ସହ ସବୁ ସମ୍ପର୍କ କାଟି ଦେଇଥିଲା ପ୍ରଶାନ୍ତ। ଥରେ କନଫେରେନ୍ସରେ ଅଜୟ ଭେଟିଥିଲା ପ୍ରଶାନ୍ତକୁ। ପ୍ରଶାନ୍ତ ସେହିଦିନ ସନ୍ଧ୍ୟାରେ ଅଜୟର ହୋଟେଲ ରୁମକୁ ଆସିଥିଲା। ବହୁତ ଦିନ ପରେ ଦୁଇ ବନ୍ଧୁ ଅନେକ ସମୟ ଯାଏଁ ସୁଖ ଦୁଃଖ ହୋଇଥିଲେ। ସେହିଦିନ ହିଁ ପ୍ରଶାନ୍ତ ଜୀବନରେ ଉଠିଥିବା ଝଡ଼ ସମ୍ପର୍କରେ ଅବଗତ ହୋଇଥିଲା ଅଜୟ। ବାହାରୁ ଖୁସି ଦେଖାଯାଉଥିବା ପ୍ରଶାନ୍ତ ଭିତରୁ ବହୁତ ଦୁଃଖୀ ଥିଲା। ବାପା ମାଆ ଙ୍କ କଥା ନମାନି ବର୍ଷାକୁ ବିବାହ କରି ସେ ଅନୁତପ୍ତ ବୋଲି ପ୍ରକାଶ କରିଥିଲା।


     ପଞ୍ଜାବରେ ପୋଷ୍ଟିଂ ପରେ ଏକ ପାର୍ଟିରେ ପ୍ରଥମେ ପ୍ରଶାନ୍ତର ଦେଖାହୋଇଥିଲା ବର୍ଷା ସହ। ପ୍ରଥମ ଦେଖାରେ ହିଁ ବର୍ଷାକୁ ଭଲ ପାଇ ବସିଥିଲା ପ୍ରଶାନ୍ତ। ବର୍ଷା ନିଜେ ଜଣେ ଡକ୍ଟର ଥିଲା। ବାପା ମାଆ ଙ୍କର ଏକମାତ୍ର ସନ୍ତାନ ଥିବାରୁ ମାତ୍ରାଧିକ ସ୍ବେଚ୍ଛାଚାରୀ ମଧ୍ୟ ଥିଲା। କିନ୍ତୁ ବର୍ଷାର ରୂପ ଓ ତା'ବାପାଙ୍କ ପ୍ରଚୁର ଧନ ସମ୍ପତ୍ତି ଆଗରେ ବର୍ଷାର ସବୁ ବଦଗୁଣ ପ୍ରଶାନ୍ତକୁ ତୁଚ୍ଛ ମନେ ହୋଇଥିଲା। ସେ ନିଜ ବାପା ମାଆଙ୍କ କଥା ଶୁଣି ନଥିଲା। ପରିଶେଷରେ ପ୍ରଶାନ୍ତ ଓ ବର୍ଷାର ବିବାହ ହୋଇଥିଲା। ବିବାହ ପରେ ବର୍ଷା ପ୍ରଶାନ୍ତର ବାପା ମାଆଙ୍କ ସହ ରହିପାରିବ ନାହିଁ କହିବାରୁ ମଉସା ମାଉସୀ ପୁଅ ବୋହୁଙ୍କୁ ସୁଖୀ କରାଇବା ପାଇଁ ଗାଁକୁ ଚାଲି ଆସିଲେ। ପ୍ରଶାନ୍ତ ଓ ବର୍ଷା ପରସ୍ପରକୁ ଭଲ ପାଇ ବିବାହ କରିଥିଲେ। ତେଣୁ ସେମାନଙ୍କ ଖୁସି ପାଇଁ ମଉସା ଓ ମାଉସୀ ନିଜ ପୁଅ ଠାରୁ ଦୂରେଇ ରହିବାର କଷ୍ଟ ମଧ୍ୟ ସହିଗଲେ।


ତେବେ ପ୍ରଶାନ୍ତ ସୁଖରେ ବଞ୍ଚିବା ବଦଳରେ ଦୁନିଆରୁ ଚାଲିଗଲା। ଅଜୟର ମନ ଦୁଃଖରେ ଭରିଯାଇଥିଲା। ତେଣୁ ସେ ମଉସା ଓ ମାଉସୀଙ୍କୁ ଦେଖା କରିବାପାଇଁ ଯିବ ବୋଲି ନିଷ୍ପତ୍ତି ନେଲା। ତା ପରଦିନ ସେ ପ୍ରଶାନ୍ତର ପୈତୃକ ଗାଁ ଅଭିମୁଖେ ବାହାରିଲା ଯେଉଁ ଠାରେ ମଉସା ମାଉସୀ ରହୁଥିଲେ। ଗାଁରେ ପହଁଚିଥିବା ଅଜୟକୁ ଦେଖି ଉଭୟେ ବହୁତ କାନ୍ଦିଥିଲେ। ପ୍ରଶାନ୍ତ ମୃତ୍ୟୁ ପରେ ଶେଷ ଥର ପାଇଁ ପ୍ରଶାନ୍ତକୁ ଦେଖିବାକୁ ଯାଇଥିବା ମଉସା ମାଉସୀଙ୍କୁ ପ୍ରଶାନ୍ତ ପାଖକୁ ବର୍ଷା ଛାଡି ନଥିଲା। ପ୍ରଶାନ୍ତର ବିବାହର ଛଅ ମାସ ପରେ ପ୍ରଶାନ୍ତର ମୃତ୍ୟ ହୋଇଥିଲା ସତ କିନ୍ତୁ ଛଅ ମାସ ଭିତରେ ପ୍ରଶାନ୍ତ ଛଅ ଲକ୍ଷ୍ୟ ଥର ମରିସାରିଥିଲା। ସହିବାର ସବୁ ସୀମା ପାର ହୋଇଯିବା ପରେ ସେ ନିଜକୁ ଶେଷ କରିଦେଲା। ଏତକ କହୁ କହୁ ମଉସା ଭୋ ଭୋ ହୋଇ କାନ୍ଦି ଉଠିଲେ। ଅଜୟ ତାଙ୍କୁ ଶାନ୍ତ୍ୱନା ଦେବା ସଙ୍ଗେ ସଙ୍ଗେ ଧୈର୍ଯ୍ୟ ଧରିବା ପାଇଁ କହିଲା। ପ୍ରଶାନ୍ତ ତ ନାହିଁ କାହାକୁ ଚାହିଁ ଧୈର୍ଯ୍ୟ ଧରିବି ବୋଲି ମଉସା କହିଥିଲେ। ନିଜେ ଆଇ.ଏ.ଏସ ଥାଇ ଅଧିକ ଟଙ୍କା ଲୋଭରେ, ବର୍ଷାର ସବୁ ବଦଗୁଣ ଜାଣି ମଧ୍ୟ ତାକୁ ପ୍ରଶାନ୍ତ ବିବାହ କରିଥିଲା। ଆମେ ବିରୋଧ କରିବାରୁ ତାକୁ ବିବାହ କରିବା ପାଇଁ ଆମ ସହ ସମ୍ପର୍କ କାଟିଦେବ ବୋଲି କହିବାକୁ ମଧ୍ୟ ପଛାଇନଥିଲା। କେତେବେଳେ ସିଏ ଟଙ୍କା ପାଇଁ ଏତେ ପାଗଳ ହୋଇ ଉଠିଲା ଆମେ ମଧ୍ୟ ଜାଣିପାରିଲୁ ନାହିଁ।ଟଙ୍କା ଓ ସମ୍ପର୍କ ମଧ୍ୟରୁ ସେ ଟଙ୍କାକୁ ବାଛିଥିଲା।ସେହି ଟଙ୍କା ଲୋଭ ଯୋଗୁଁ ସେ ଆଜି ଆମ ଗହଣରେ ନାହିଁ।ଏସବୁ କହୁ କହୁ ମଉସା ପୁଣି ଥରେ ଛୁଆଙ୍କ ଭଳି କାନ୍ଦିଥିଲେ। ଅଜୟକୁ ସେଠାରେ ଆଉ କ୍ଷଣେ ମଧ୍ୟ ରହିବାର ଇଚ୍ଛା ନଥିଲା। ତେଣୁ ମଉସାଙ୍କୁ ବୋଧ ଦେଉ ଦେଉ ତାଙ୍କ ଠାରୁ ବିଦାୟ ନେଇ ସେ ସେଠାରୁ ଚାଲି ଆସିଲା।


Rate this content
Log in

Similar oriya story from Tragedy