Lokanath Rath

Tragedy Inspirational

4  

Lokanath Rath

Tragedy Inspirational

ସମ୍ପର୍କ

ସମ୍ପର୍କ

5 mins
203



ରବୀନ୍ଦ୍ର ଆଜି ଡାକ୍ତରଖାନାରେ ଶଯ୍ୟାଶାୟୀ । ସେଠି ଦିନ ରାତି ଜଗି ବସିଛନ୍ତି ପତ୍ନୀ ପ୍ରମିଳା । ଆଜିକୁ ତିନି ଦିନ ହେବ ରବୀନ୍ଦ୍ର ଡାକ୍ତରଖାନାରେ ଭର୍ତି ହେଇଛନ୍ତି । ଏ ପର୍ଯ୍ୟନ୍ତ ତାଙ୍କର ଚେତା ଫେରି ନାହିଁ । ସତୁରି ବର୍ଷ ବୟସରେ ବି ସେ ସବୁବେଳେ ସକ୍ରିୟ ଥିଲେ । ତିନି ପୁଅ ଅଜୟ ,ବିଜୟ ଓ ସଞ୍ଜୟ ସମସ୍ତଙ୍କୁ ପାଠ ପଢାଇ ଯୋଗ୍ୟ କରି ପାରିଛନ୍ତି । ତିନି ପୁଅ ତାଙ୍କ ପତ୍ନୀ ଓ ପିଲାମାନଙ୍କ ସହିତ ନିଜ ନିଜ କାର୍ଯ୍ୟସ୍ଥଳରେ ରହୁଛନ୍ତି । ବଡ ପୁଅ ଅଜୟ ତା ପତ୍ନୀ ଆରତୀ ଓ ତାଙ୍କ ପୁଅ ସହିତ ଆଜି ସକାଳେ ଆସି ପହଞ୍ଚିଲା। ମଝିଆ ପୁଅ ବିଜୟ ତା ପତ୍ନୀ ବିନତି ଓ ଝିଅ ସହିତ ଆଜି ପହଂଚିବ ବୋଲି ପ୍ରମିଳାଙ୍କ ଖବର ଦେଇଛି । ସାନ ପୁଅ ସଞ୍ଜୟ ପତ୍ନୀ ଶର୍ମିଲା ସହିତ ଆସି ଆସନ୍ତା କାଲି ପହଂଚିବ । ତିନି ପୁଅ ଯନ୍ତ୍ରୀ ଓ ବଡ଼ ବଡ଼ କମ୍ପାନୀରେ ଚାକିରୀ କରୁଛନ୍ତି । ବହୁତ କାର୍ଯ୍ୟ ବ୍ୟସ୍ତ ରହୁଛନ୍ତି । କିନ୍ତୁ ରବୀନ୍ଦ୍ରଙ୍କ ବନ୍ଧୁ ଇସ୍ମାଇଲ ର ପୁଅ ସମିମ ତାଙ୍କୁ ଆଣି ଡାକ୍ତରଖାନାରେ ଭର୍ତି କରିଛନ୍ତି ଓ ସବୁବେଳେ ପ୍ରମିଳାଙ୍କ ପାଖରେ ଜଗି ରହିଛି ।


ରବିନ୍ଦ୍ରନାଥ ଦାସ ସହର ର ଜଣେ ନାମୀ ଠିକାଦାର । ସେ ତାଙ୍କର ତିନି ପୁଅ ଓ ପତ୍ନୀ ସହିତ ବହୁତ ଖୁସିରେ ରହୁଥିଲେ । ପିଲାମାନଙ୍କୁ ଭଲ ଶିକ୍ଷା ଦେଇ ବଡ କଲେ ଓ ତାଙ୍କୁ ତାଙ୍କର ଜୀବନ କୁ ଆଗକୁ ବଢାଇବାର ସମ୍ପୂର୍ଣ୍ଣ ସ୍ୱାଧୀନତା ବି ଦେଇଛନ୍ତି । ଏବେ ବି ପିଲାମାନଙ୍କୁ ସେ କିଛି କେବେ ମାଗି ନାହାନ୍ତି । ନିଜର ଉପାର୍ଜ୍ଜନ ରେ ସେ ସହର ରେ ଚାରୋଟି କୋଠା ଓ ଅନେକ ସମ୍ପତି କରି ପାରିଛନ୍ତି । ତା ସହିତ ରବୀନ୍ଦ୍ର ନିଜକୁ ସମାଜ ସେବାରେ ବି ସାମିଲ କରିବାକୁ ଭଲ ପାଆନ୍ତି ଓ ଏବେବି କରୁଛନ୍ତି । ତାଙ୍କର ବାଲ୍ୟ ବନ୍ଧୁ ଇସ୍ମାଇଲ ର ଏଇ ସହର ରେ ଗୋଟିଏ ଗ୍ୟାରେଜ ଅଛି । ପ୍ରଥମେ ଯେତେବେଳେ ରବୀନ୍ଦ୍ର ସହରକୁ ଆସି ଠିକାଦାରୀ କାମ ଆରମ୍ଭ କଲେ ,ସେତେବେଳେ ଇସ୍ମାଇଲ ତାଙ୍କୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ବହୁତ ସାହାଯ୍ୟ କରିଥିଲା । କହିବାକୁ ଗଲେ ରବୀନ୍ଦ୍ରଙ୍କ ପରିବାରକୁ ସେ ଏକପ୍ରକାର ଚଳାଇଥିଲା । ସବୁବେଳେ ସେ ରବୀନ୍ଦ୍ର କୁ ସାହସ ମଧ୍ୟ ଦେଉଥିଲା । ଦୁଇଜଣଙ୍କର ଧର୍ମ ଅଲଗା ହେଲେବି ଦୁହେଁ ଦୁଇ ଭାଇ ପରି ଚଳୁଥିଲେ । ବାହାର ଲୋକମାନଙ୍କର କଥାକୁ କେବେ ଶୁଣୁ ନ ଥିଲେ । ଇସ୍ମାଇଲ ର ଏକ ମାତ୍ର ପୁଅ ସମିମ । ସେ ଟିକେ ଡେରିରେ ବାହା ହୋଇଥିଲା ତେଣୁ ତାର ପୁଅ ରବୀନ୍ଦ୍ରଙ୍କ ସାନ ପୁଅ ର ସମ ବୟସ୍କ ।


ଯେତେବେଳେ ସମିମ ଦଶମ ଶ୍ରେଣୀର ଛାତ୍ର ,ସେତେବେଳେ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଇସ୍ମାଇଲ ର ଦେହାନ୍ତ ହୋଇଗଲା । ଯାହା କିଛି ସେ ସଞ୍ଚୟ କରି ରଖିଥିଲା ,ସବୁ ତା ଚିକିତ୍ସା ରେ ସାରି ଯାଇଥିଲା । ସେତେବେଳେ ରବୀନ୍ଦ୍ର ହିଁ ତା ପରିବାର ର ସାହାରାହେଲେ । ସମିମ କୁ ତା ପାଠ ପଢ଼ାରେ ସାହାଯ୍ୟ କଲେ ଓ ଇସ୍ମାଇଲ ର ଗ୍ୟାରେଜ କୁ ସଜାଡି ଦେଖଭାଲ ବି କଲେ । କିଛି ଦିନ ପରେ ଗ୍ୟାରେଜ ର ଆମଦାନୀ ଭଲ ହେବାକୁ ଲାଗିଲା ଓ ସମିମ ବି ଦଶମ ପରେ ଅଟୋମୋବାଇଲ ରେ ଡିପ୍ଲୋମା ସାରି ନିଜେ ଗ୍ୟାରେଜ କୁ ଦେଖିବାରେ ଲାଗିଲା ଓ ଆଜି ସେ ଗ୍ୟାରେଜ ସହର ର ସବୁଠାରୁ ବଡ ଗ୍ୟାରେଜ । ସବୁ ପ୍ରକାର ଗାଡିର ମରାମତି ସେଠାରେ ହୁଏ । ତା ସହିତ ସବୁ ଗାଡିର ଯନ୍ତ୍ରାଂଶ ର ଖୁଚୁରା ବ୍ୟବସାୟ ବି ସମିମ କରୁଛି । ଏବେବି ସେ ରବୀନ୍ଦ୍ର ଙ୍କୁ ନିଜ ବାପା ଭଳି ସମ୍ମାନ ଦିଏ । ଯେତେବେଳେ ରବୀନ୍ଦ୍ରଙ୍କ ପିଲାମାନେ ବାହା ହୋଇ ନିଜ ନିଜ ପରିବାର ସହିତ ବାହାରକୁ ଚାଲିଗଲେ ,ସେବେଠାରୁ ସମିମ ରବୀନ୍ଦ୍ର ଓ ପ୍ରମିଳା ଙ୍କର ସବୁ ଭଲ ମନ୍ଦ ଖବର ବୁଝେ । ଏଇ ଗୋଟିଏ ବର୍ଷ ଆଗରୁ ତାର ବାହାଘର ହୋଇଛି । ତା ପତ୍ନୀ ବି ପ୍ରମିଳାଙ୍କ ଦେହ ଖରାପ ହେଲେ ଆସି ବହୁତ ସେବା କରେ । ଆଜି ରବୀନ୍ଦ୍ର ଙ୍କୁ ଡାକ୍ତରଖାନା ରେ ଭର୍ତି କରିବା ପରଠାରୁ ସେ ସବୁ କଥା ନିଜେ ବୁଝୁଚି । ତାର ପତ୍ନୀ ଓ ମା ଆସି ପ୍ରମିଳାଙ୍କ ପାଖରେ ଛାଇ ପରି ରହୁଛନ୍ତି ।


ଏବେ ଚତୁର୍ଥ ଦିନ ରବୀନ୍ଦ୍ରଙ୍କ ତିନି ପୁଅ ଆସି ପହଞ୍ଚିଗଲେ। ସେମାନେ ପ୍ରମିଳାଠାରୁ ସବୁ ବୁଝିଲେ । ଡାକ୍ତର ଙ୍କୁ ପଚାରିବାରୁ ସେ କହିଲେ ଏବେ କିଛି କହି ହେବ ନାହିଁ ,ରବୀନ୍ଦ୍ରଙ୍କ ଅବସ୍ଥାର ଉନ୍ନତି ସମୟ ଲାଗିବ । ତିନି ପୁଅ ପାଳି କରି ଡାକ୍ତରଖାନା ଯାଉଥାନ୍ତି ,କିନ୍ତୁ ରାତିରେ କେବଳ ସମିମ ଓ ତା ପତ୍ନୀ ପ୍ରମିଳାଙ୍କ ପାଖରେ ରହନ୍ତି । ତିନି ପୁଅ ଘରେ ବସି ଚର୍ଚ୍ଚା କଲେ ,କେତେ ଖର୍ଚ୍ଚ ହେବ ?କିଏ କେତେ ଦେବ?ବାପାଙ୍କ ବ୍ୟାଙ୍କ ଖାତାରେ କେତେ ଅଛି ?ଘରଭଡା କେତେ ଆସୁଛି? ଇତ୍ୟାଦି ଇତ୍ୟାଦି । ଶେଷରେ ସ୍ଥିର ହେଲା ପ୍ରମିଳା ଙ୍କୁ ପଚାରି ବୁଝିବେ ଓ ସବୁ ଠିକ ଠିକ ହିସାବ କରିଦେବେ ।


ତା ପରଦିନ ତିନି ପୁଅ ଡାକ୍ତରଖାନା ଏକ ସାଙ୍ଗରେ ଗଲେ ଓ ମଉକା ଦେଖି ଅଜୟ ପ୍ରମିଳାଙ୍କୁ କହିଲା ,''ମା ତୁମ ସାଙ୍ଗରେ ଟିକେ କଥା ଥିଲା ''। ପ୍ରମିଳା ଟିକେ ଡରିଗଲେ ,ତଥାପି କହିଲା ,''କଣ କହୁନୁ । ବାପାଙ୍କର କିଛି ବେଶୀ ଅସୁବିଧା ହେଇନି ତ । ଡାକ୍ତର କଣ କିଛି କହିଲେ ?''ଅଜୟ କହିଲା ,''ନା ସେ ସବୁ କିଛି ନୁହେଁ । ଆମେ ଭାବୁଥିଲୁ ବାପାଙ୍କର ଚିକିତ୍ସା ରେ କେତେ କଣ ଖର୍ଚ୍ଚ ହେବ ଜଣା ନାହିଁ । ଯଦି ବାପାଙ୍କ ବ୍ୟାଙ୍କ ଖାତା ବା ଏ ଟି ଏମ କାର୍ଡ ତୁମ ପାଖରେ ଥିବା ,ଦେଲେ ସୁବିଧା ହୁଅନ୍ତା । ଆମେ ସବୁ ତରବର ହୋଇ ଆସିଲୁ ,ସେଥିପାଇଁ ଯୋଗାଡ଼ କରି ପାରିନୁ । ଆଉ ଘର ଭଡା ସବୁ ଭାବୁଚୁ ଏବେ ଆମେ ଆଦାୟ କରିବୁ ,ସେଥିରେ ବି ଖର୍ଚ୍ଚ କରିହେବ । '' ଏତିକି ଶୁଣି ପ୍ରମିଳା ଚମକି ପଡିଲେ । ଏଇ ବେଳେ ତାଙ୍କ ନିଜ ପିଲାମାନେ ଖାଲି ତାଙ୍କ କଥା ଭାବୁଛନ୍ତି ,ନିଜ ବାପାର ଭଲ ହେବାର ଚିନ୍ତା ନାହିଁ । ତାଙ୍କ ଆଖିରୁ ଲୁହ ବହିବାରେ ଲାଗିଲା । ଦୂରରୁ ସମିମ ଦେଖି ପ୍ରମିଳାଙ୍କୁ ପାଖକୁ ଆସିଲା ଓ କହିଲା ,''ଆଣ୍ଟି କାନ୍ଦୁଛନ୍ତି କାହିଁକି ?ଡାକ୍ତର ବାବୁ କହିଲେ ଏବେ ମଉସା ଟିକେ ସୁସ୍ଥ ହେଲେଣି ଓ କାଲି ଠାରୁ ତାଙ୍କୁ ଆଉ ଜଣେ ବଡ ଡାକ୍ତର ଦେଖିବାକୁ ଆସିବେ । ମୁଁ କଥା ହେଇଥିଲି ସେ ଡାକ୍ତର ଦିଲ୍ଲୀରୁ କାଲି ଆସି ପହଞ୍ଚିବେ। ସବୁ ଉପରୱାଲା ଠିକ କରିଦେବ। କିଛି ଚିନ୍ତା କରନ୍ତୁ ନାହିଁ । ଆଉ ଏବେ ତୁମର ସବୁ ପୁଅ ତ ଆସି ଗଲେଣି । ମୁଁ ବି ଅଛି । ''ଏ ସବୁ ଶୁଣି ବିଜୟ କହିଲା ,''ସମିମ ତୁ ଏ ବିଷୟରେ ଆମକୁ ତ କିଛି କହଇନୁ । ଏବେ କେତେ ଖର୍ଚ୍ଚ ହେବ ତାର ବ୍ୟବସ୍ଥା ତ କରିବାକୁ ହେବ ନା । ''ସମିମ ଉତ୍ତର ଦେଲା ,''ମୁଁ ଭାବିଲି ଆପଣମାନେ ପଚାରି ବୁଝିଥିବେ । ଆଉ ଖର୍ଚ୍ଚ ଯାହା ହେବ କିଛି ଚିନ୍ତା କରିବାର ନାହିଁ । ତୁମର ଏଇ ଭାଇ ଅଛି । କିନ୍ତୁ ମୋ ମଉସା ଙ୍କୁ ଭଲ କରିବାର ଅଛି । '' ଏତିକି କହି ସମିମ ପ୍ରମିଳାଙ୍କ ନେଇ ଚୌକିରେ ବସାଇ ଦେଲା ।


ଚୌକିରେ ବସି ପ୍ରମିଳା ଭାବିବାକୁ ଲାଗିଲେ । ନିଜର ଜନ୍ମ କଲା ପୁଅ ଏବେ ଧନ ସମ୍ପତି ଚିନ୍ତାରେ ବ୍ୟସ୍ତ । ନିଜ ବାପା କେମିତି ଭଲ ହେବ ସେ ଚିନ୍ତା ନାହିଁ । ଯେଉଁ ବାପା ତାଙ୍କ ପାଇଁ ସବୁକିଛି କରିଛନ୍ତି । ନିଜ ରକ୍ତ କୁ ପାଣି କରି ଖଟାଇଛନ୍ତି ସେମାନଙ୍କୁ ବଡ କରିବା ପାଇଁ । ଅଥଚ ସମିମ , ନିଜ ରକ୍ତର ନୁହେଁ,ନିଜ ଧର୍ମ ର ନୁହେଁ ,କିନ୍ତୁ ନିସ୍ଵାର୍ଥପର ଭାବେ ସେବା କରି ଚାଲିଛି । ସେ ପର ର ପୁଅ ହୋଇ ବି ଯେମିତି ନିଜର ସମ୍ପର୍କ ଥିବାର କାମ କରି ଚାଲୁଛି। ଭଗବାନ ଙ୍କୁ ମାନେ ମାନେ ପଚାରିଥିଲେ ,''ହେ ପ୍ରଭୁ ,ଏଇ କଣ ? ସମ୍ପର୍କ ର ପ୍ରକୁତ ପରିଚୟ ଏବେ ବୁଝିଲି । ସମିମ ମୋ ପୁଅ ନୁହେଁ ,କିନ୍ତୁ ସେ ପୁଅ ର କର୍ତ୍ତବ୍ୟ କରି ଚାଲିଛି । ମୋର ନିଜର ପୁଅ ଖାଲି ଅର୍ଥ ର ହିସାବ କରିବାରେ ବ୍ୟସ୍ତ । '' ପ୍ରମିଳା ଙ୍କ ଆଖିରୁ ଲୁହ ବୋହି ଯାଉଥିଲା । ସେ ସମିମ କୁ ଜାବୁଡି ଧରି କହିଲେ ,'' ବାବୁ ରେ ତୋ ମଉସା ଠିକ ହେଇଯିବେ । ତୁ ଅଛୁ ନା ଆମ ପାଖରେ । ତୁ ତ ମୋର ଅତି ନିଜର । ତତେ ସିନା ଜନ୍ମ ଦେଇନି ,କିନ୍ତୁ ତୁ ମୋର ସବୁ କିଛି । ତୋର ମୋର ସମ୍ପର୍କ ଲାଗୁଛି ଜନ୍ମ ଜନ୍ମାନ୍ତର ର । ''ସେତିକିବେଳେ ଡାକ୍ତର ଆସି କହିଲେ ରବୀନ୍ଦ୍ର ଙ୍କର ଚେତା ଆସିଗଲାଣି । ଏବେ ଆଉ ଭୟ କରିବାର ନାହିଁ । ସମସ୍ତେ ଖୁସି ହୋଇଗଲେ ।



Rate this content
Log in

Similar oriya story from Tragedy