Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Ranjit Sahu

Inspirational

3.9  

Ranjit Sahu

Inspirational

ସ୍ମାର୍ଟ ବୟସ୍

ସ୍ମାର୍ଟ ବୟସ୍

6 mins
12.3K


ଅଫିସରେ ଆଜି କାମ ସାରିବା ପରେ ସବୁ ଦିନ ଭଳି ଉଲ୍ଲାସ ନଥିଲା କିମ୍ବା ହାଇୱଏ ପାଖର ଢ଼ାବାକୁ ଯାଇକି ଦୁଇ ତିନି ଘଣ୍ଟା ବସି ମଉଜ ମଜଲିସ କରିବାର ମୁଡ଼ ନ ଥିଲା ଯାହା ପ୍ରତି ଦିନ ରାତି ସାଢ଼େ ଦଶଟାରେ ହୋଇଥାଏ I ଥିଲା ଏକ ଗମ୍ଭୀର ବାତାବରଣ I ଛଅ ଜଣଙ୍କୁ ଭୁଆଁ ବୁଲେଇଦେଇ ପାରିଲା ଜଣେ? କେଡେ ଆଶ୍ଚର୍ଯ୍ୟର କଥା ! ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ, ଏମିତି ଫସି ଗଲେ କେମିତି ନିଜ ଅଜାଣତରେ, ଚିକଣିଆ କଥାରେ? ଏଇଟା ତ ଆଉ ହାଇସ୍କୁଲ ପରୀକ୍ଷା ହଲ ନୁହଁ ଯେଉଁଠି, ଦୁଇ ମାର୍କର ଉତ୍ତରକୁ ଧୀରେ କୁହା ଯାଇଛି କିମ୍ବା ଥିରି କିନା କପି ଦିଆ ଯାଇଛି ଆଉ ଜଣେ ଅଧିକ ମାର୍କ ରଖିକି ଶ୍ରେଣୀରେ ପ୍ରଥମ ହୋଇ ଯାଇଛି ! ପୁରା ପ୍ରୋମୋସନଟା ହାତରୁ ଚାଲି ଯାଇଛି, ମାନେ ବର୍ଷକର ସବୁ ମେହେନତରେ ପାଣି ପଡିଯାଇଛି ! ଚାରୁଲତାଟା ଏଡିକି ସିଆଣିଆ ଝିଅଟିଏ?ଛଅ ଛଅଟା ଟୋକାଙ୍କୁ ଏଡ଼େଇ ଦେଇ ବାଜି ମାରି ପ୍ରୋମସନ ନେଇଗଲା ?

"ଆମ୍ଭେମାନେ ଦିନ ରାତି ଏଠି ଖଟୁଛେ, ରାତି ଘରକୁ ଫେରିଲାବେଳେ କେଉଁ ଦିନ ଦଶଟା ପୂର୍ବରୁ ନୁହଁ I ଯେତେ ସବୁ କାମ ଆମକୁ ଦିଆ ଯାଉଛି କରିବାକୁ, ଅଥଚ  ପ୍ରୋମୋସ ପାଇଲା ଚାରୁଲତା ! ଭାଇ ଆର ଜନ୍ମରେ ଭଗବାନ ମୋତେ ନାରୀଟିଏ କରନ୍ତୁ ସବୁ ସୁବିଧା ମିଳିବ," ହେମନ୍ତ କହିଲା I 

 "ଆଜି ମନଟା ଖରାପ ହେଇଗଲା I ଏତେ ସବୁ ପରିଶ୍ରମ କରି କିଛି ଫାଇଦା ହେଲାନି I ମୋର ଭାଇ ଆଜି ଆଉ କିଛି କହିବାର ନାହିଁ, ରାତିରେ ଦୁଇ ପାନ ନ ହେଲେ ଆଉ ନିଦ ହବନି I ଆଜି ମୋତେ କେହି ଅଟକେଇବ ନାହିଁ ପ୍ଲିଜ ମୁଁ ଯଦି ଡିନରରେ କିଛି ଅଧିକ ଡ୍ରିଂକ୍ସ ଅର୍ଡର କରେ, " ସୁରଜ କହିଲା I 

"ତୁମ୍ଭେ ମାନେ ତ ତୁମର ରିପୋର୍ଟରେ ଲେଖିଥିଲ ଚାରୁଲତାକୁ ତୁମର ସବୁଠାରୁ ଭଲ କଲିଗ ବୋଲି ଯେତେବେଳେ ଗ୍ରୁପର ସର୍ଭେ କରା ଯାଇଥିଲା I ଅନ୍ୟ କାହାକୁ କଲ ନାହିଁ? ସେଥିରେ ମଧ୍ୟ ତ ତାହାର କ୍ରେଡେଂସିଏଲ ବଢିଥିବ," ସୁବ୍ରତ କହିଲା I 

"ସେଥିରେ ବିଶେଷ କିଛି ଫରକ ପଡ଼େନି, ମୁଁ ଜାଣେ ଗିରିଧାରୀ ବାବୁ ଚାରୁଲତାକୁ ବହୁତ ପସନ୍ଦ କରନ୍ତି I ସିଏ ତାଙ୍କ ଅଫିସରେ ଥିଲା ବେଳେ ସବୁ ବେଳେ ଫୁସୁର ଫାସୁରୁ କଥା ହେଉଥାଆନ୍ତି ! ଆମ୍ଭେ କଣ ଚାରୁଲତା କରିବା କାମ କରି ପାରିବୁନି କି? ଆମର ତାହାର ତ ଗୋଟିଏ ପ୍ରକାରର ଶିକ୍ଷା ଏବଂ ଯୋଗ୍ୟତା I ତାହାକୁ ଭଲ କହିଲେ ଗିରିଧାରୀ ବାବୁ ହୁଏତ ମୋତେ  ଟିକେ ଭଲ ଦୃଷ୍ଟିରେ ଦେଖିବେ Iସେଥି ଲାଗି ତା ନାଆଁ ଦେଇଥିଲି I ଅନ୍ୟ କିଛି କାରଣ ନାହିଁ ବୁଝିଲୁ I ତୋ ଭଳି ଦିନ ସାରା ଲ୍ୟାପଟପରେ ମୁଣ୍ଡ ଗୁଞ୍ଜିକି, କଣେଇ କଣେଇ କି ଜଣେ ବିବାହିତା ସ୍ତ୍ରୀକୁ ଦେଖିବାର ମୋର କୌଣସି ଶୌକ ନାହିଁ I ମୋର ଦି ଦିଟା ଗାର୍ଲଫ୍ରେଣ୍ଡ ଅଛନ୍ତି,ବୁଝିଲୁ ସୁବ୍ରତ, " ମାନସ କହିଲା I 

"ତୁମେ ମାନେ ଏବେ ପରସ୍ପର ଭିତରେ ଏମିତି ଲଢ଼ିଲେ ହବ? ପରବର୍ତ୍ତୀ ପଦକ୍ଷେପ କଣ ନିଆଯିବ ସେ କଥା ଭାବ, ନ ହେଲେ ପୁଣି ଆର ବର୍ଷ ମାର୍ଚ୍ଚରେ ଏହି ଅବସ୍ଥା ହେବ," ରୀତିକ କହିଲା I

 "ବୋଧହୁଏ ଗିରିଧାରୀ ସାର ଭାବୁଛନ୍ତି ଆମର କିଛି କହିବାର ଶକ୍ତି ନାହିଁ, ତେଣୁ ଏଭଳି ଫାୟଦା ନେଉଛନ୍ତି I ଭୁଲି ଯାଇଛନ୍ତି ତାଙ୍କ ଉପରେ ବି ଜଣେ ଅଛନ୍ତି I ମୁଁ କାଲି ପଚାରିବି ଯାଇକି କୋଉ ଆଧାରରେ ପ୍ରମୋସନ ଦିଆ ଯାଉଛି ଚାରୁଲତାକୁ? ଛଅଟାରେ ତାହାର ସ୍ଵାମୀ ସହ ଫେରାର ହେଉଥିବାରୁ ନା, ଶନିବାର ଦିନ ଅଧା ଦିନ କାମ କରିବ ବୋଲି ଅଧା ଦିନର ଲିଭ ନେଇ ତାହାର ପୁରୁଣା ବୟଫ୍ରେଣ୍ଡ ସହ ପୁରୀ ବୁଲି ଯାଇଥିବାରୁ?" ଅଂଶୁମାନ କହିଲା I 

"ଭାଇ ମୋର  ସାହସ ନାହିଁ ଗିରିଧାରୀ ବାବୁଙ୍କୁ କିଛି ପଚାରିବାର I ଏହି ଚାକିରୀ ଅଛି ବୋଲି ଖାଇବାକୁ ପାଉଛି, ନ ହେଲେ ପେଟରେ ଓଦା ଗାମୁଛା ଦେଇକି ଶୋଇବାକୁ ପଡିବ ମୋତେ I ତୁମେ ମାନେ ଯାହା କରିବ କର କିନ୍ତୁ ମୋତେ ଗିରଧାରୀ ବାବୁଙ୍କ ସାମ୍ନାକୁ ଆସିବାକୁ କହିବନି I ମାନୁଛି ମୁଁ ଚାରୁଲତା ସବୁଠାରୁ ଭଲ ବୋଲି ଲେଖିଥିଲି ମୋ ରିପୋର୍ଟରେ I ଭୁଲ ହେଇଗଲା I ଆର ଥରକୁ ତୁମ ଭିତରୁ ଜଣଙ୍କର ନାଆଁ ଦେଇଦେବି I କିଏ ଜଣାଇଥିଲା, ଅଫିସ ପ୍ରମୋସନ ମଧ୍ୟ ଆଜି କାଲିକା ଭୋଟିଂଗ ଢଙ୍ଗରେ ନିର୍ଣ୍ଣୟ ହେବ ବୋଲି," ନିଖିଳ କହିଲା I 

"କେହି କିଛି କହିବା ଦରକାର ନାହିଁ ମୁଁ କହିବି, ପାଞ୍ଚ ବର୍ଷ ହେଇଗଲାଣି ଏହି ଏକା ପୋଜିସନରେ ଅଛି, ଖାଲି ମୋତେ ତୁମର ସପୋର୍ଟ ଦରକାର," ଅଂଶୁମାନ କହିଲା I

 "ତୁ ଯଦି ସତରେ କହିବୁ ଆମ୍ଭେ ତୋ ପଛରେ ଅଛୁ କିନ୍ତୁ ତୁ କହି ପାରିବୁ ତ? " ଶେଖର ପଚାରିଲା I 

"ଆଜି ଭାଇ ଚ୍ୟାଲେଞ୍ଜ ରହିଲା, କାଲି ସକାଳୁ ନିଶ୍ଚୟ ଯାଇକି ପଚାରିବି ପ୍ରମୋସନର ଆଧାର I ଦିଅ ମୋର ସାଥ," ଅଂଶୁମାନ କହିଲା I ସମସ୍ତଙ୍କର ହାତ ପଡି ସାରିଥିଲା ତାହାର ହାତ ଉପରେ ! 

 "ଅଂଶୁମାନ ଭାଇ ଜିନ୍ଦାବାଦ,କାହାର ତ ସାହସ ଅଛି, ବିଲେଇ ବେକରେ ଘଣ୍ଟି ବାନ୍ଧିବାକୁ I ଚାରି ବର୍ଷ ଭିତରେ ଚାରୁଲତା ଚାରିଥର ପ୍ରମୋସନ ପାଇଛି ଆଉ ଆମେ ସମସ୍ତେ ଯୋଉ ପୋଜିସନରେ ଥିଲେ ସେହି ପୋଜିସନରେ ! ଏତିକି ଅନ୍ୟାୟ କେହି କେମିତି ସହିବ? ମୁଁ  ସିନା ବେଳେ ବେଳେ ଚାହା ପିଇବାକୁ  କି ପାନ ଖଣ୍ଡେ ଖାଇବାକୁ ଚାଲି ଯାଏ ତୁମ୍ଭେ ମାନେ ତ ସକାଳୁ ରାତି ଯାଏଁ ଖଟିଛ ," ହେମନ୍ତ କହିଲା I

"ହଉ ଚାଲ ଏବେ, ନ ହେଲେ କାଲି ପୁଣି ଡେରିରେ ଉଠିବ ସବୁ ଆଉ ଝୁଲି ଝୁଲି ଦିନ ଏଗାରଟାରେ ପହଞ୍ଚିବ I ଅତି କମ ରେ କାଲି ଟିକେ ଶୀଘ୍ର ଆସିବା, ବୁଢାକୁ କହିବାକୁ ତ ପୁଣି ଘଂଟାଏ ଯିବ !" କୁମୁଦ କହିଲା I "ହଉ କାଲି ଅଂଶୁମାନ ନାଲିଶ କରିବା ଖୁସିରେ ଆଜିର ଡ୍ରିଂକ୍ସ ମୋ ତରଫରୁ," ଶେଖର କହିଲା I ବାହାରିଗଲେ ସମସ୍ତେ ରାତ୍ରି ଭୋଜନ ପାଇଁ I 

——-

"କଣ ଖବର ଅଂଶୁମାନ, ଆଜି ସକାଳୁ ଚାଲି ଆସିଛ ଅଫିସ? ଘରେ ସବୁ ଠିକ ଅଛି ତ? ତୁମର ସବୁ ଛୁଟି ସରି ଯାଇଛି I ସେମିତି ଜରୁରୀ କାଳୀନ ସ୍ଥିତି ନ ହେଲେ ଆଉ ଛୁଟି ଦେଇ ପାରିବିନି ତାହା ମଧ୍ୟ ଦିନେ ଦୁଇ ଦିନରୁ ଅଧିକ," ଗିରିଧାରୀ ବାବୁ କହିଲେ I 

"ହଁ ସାର ଘରେ ସମସ୍ତେ ଭଲ ଅଛନ୍ତି I ଗୋଟିଏ ବିଷୟରେ ପରାମର୍ଶ ନେବାର ଥିଲା I ଭାବିଲି ବରିଷ୍ଠ ହିସାବରେ ଆପଣଙ୍କୁ ପଚାରିବି," ଅଂଶୁମାନ କହିଲା I 

"ନିଶ୍ଚିତ, କୁହ କଣ ହେଲା?' ଗିରିଧାରୀ ବାବୁ ପଚାରିଲେ I 

"ସାର ମୋର କାମ କଣ କିଛି ଠିକ ଲାଗୁନି କି?" ଅଂଶୁମାନ ପଚାରିଲା I

 "ଠିକ କରୁଛ ବୋଲି  ଚାକିରୀରେ ରହିଛ," ଗିରଧାରୀ ବାବୁ କହିଲେ ନଚେତ କେବେଠାରୁ ଅନ୍ୟ କାହାକୁ ରଖିଥାଆନ୍ତି I

 "ସାର କଥା କଣ କି ଅଫିସରେ ସବୁ କଥାବାର୍ତ୍ତା ହେଉଥିଲେ," ଅଂଶୁମାନ କହିଲା I

 "କେଉଁ ବିଷୟରେ?" ଗିରିଧାରୀ ବାବୁ ପଚାରିଲେ I 

“ସାର ପ୍ରମୋସନ ବିଷୟରେ," ଅଂଶୁମାନ କହିଲା I 

"ଯେଉଁ ମାନେ ପ୍ରମୋସନ ପାଇବା କଥା ପାଇଛନ୍ତି I ତୁମେ ଆଉ ଟିକେ ଅଧିକ ନିଷ୍ଠା ଦେଖାଓ ତୁମର ମଧ୍ୟ ହେବ I ମୁଁ ତ ଚାହୁଁଛି ତୁମେ ସମସ୍ତେ ଭଲ କର ଜୀବନରେ I ତୁମର ଉନ୍ନତିରେ ମୋର ମଧ୍ୟ ତ ଉନ୍ନତି ଅଛି," ଗିରଧାରୀ ବାବୁ କହିଲେ I 

"ନା ସାର କଥା କଣ କି ସମସ୍ତେ କହୁଥିଲେ, ଚାରୁଲତା ସ୍ତ୍ରୀ ବୋଲି ପ୍ରମୋସନ ପାଇଁ ଯାଉଛି ଆମ ଭଳି ଡେରି ପର୍ଯ୍ୟନ୍ତ କାମ ନ କରି ମଧ୍ୟ," ଅଂଶୁମାନ କହିଲା I 

ନିଜ ଟେବୁଲ ଉପରେ ଥୁଆ ହୋଇଥିବା ଶର୍କରା ବିହୀନ ବ୍ଲାକଟିରୁ ଗୋଟାଏ ଚୁସ୍କି ନେଇକି ଗିରଧାରୀ ବାବୁ ଚାହିଁଲେ ଅଂଶୁମାନ ଆଡ଼କୁ I "ଆଜି ମୁଁ କେଉଁ ପେରଫ୍ୟୁମ ଲଗେଇଛି କହି ପାରିବ?" ଗିରିଧାରୀ ବାବୁ ପଚାରିଲେ I 

"ହଁ ସାର ଏଇଟା ମୋର ବି ପସନ୍ଦ I "ଜିଓ ଦି ଆର୍ମାନି" ର ଏହି ପେରଫ୍ୟୁମ ଟା ଆପଣ ସବୁ ସପ୍ତାହରେ ସୋମବାର ମିଟିଙ୍ଗ ସମୟରେ ଲଗେଇଥାଆନ୍ତି I କିନ୍ତୁ ସାର ଆଜି ତ ବୁଧବାର I ଆଜି କିଛି ମିଟିଂ ଅଛି କି ସାର?' ଅଂଶୁମାନ କହିଲା I 

"ତୁମ ପୂର୍ବରୁ ଏଠିକି ଚାରୁଲତା ଆସିଥିଲା, ତାକୁ ଏହି ପ୍ରଶ୍ନ ପଚାରିଥିଲି ଆଉ ସିଏ କହିଥିଲା, ସେ ଜାଣିନି ଆଉ ତାହାର ସେ ପ୍ରତି ଧ୍ୟାନ ନାହିଁ I ସେ ଅଫିସ କୁ ଆସେ କାମ ସାରି ଦିଏ ଆଉ ଚାଲି ଯାଏ, ଗିରିଧାରୀ ବାବୁ କହିଲେ I

 "ସେହି କଥା ତ ସାର I ତାହାର ଦୁନିୟା ବିଷୟରେ କିଛି ଧାରଣା ନାହିଁ, ନିଜ କାମ ବ୍ୟତୀତ ଆଉ କିଛି ଜାଣି ନାହିଁ I ଲଂଞ୍ଚ ଟାଇମ ବ୍ୟତୀତ ଅନ୍ୟ ସମୟରେ କଥାବାର୍ତ୍ତା ମଧ୍ୟ ହୁଏ ନାହିଁ ଦରକାର ନଥିଲେ I ସାମସ୍ତେ ତ ସେହି କଥା କହୁଛନ୍ତି, ଏମିତି କମ ଆଉଟଲୁକ ଥିବା ଝିଅଟିଏ କେମିତି ବାରମ୍ବାର ପ୍ରମୋସନ ପାଇ ଯାଉଛି ? ଖାଲି ଚେହେରା ଯୋଗୁଁ କି?" ଅଂଶୁମାନ କହିଲା I 

"ନିଜ ଚଷମାକୁ ଠିକ କଲେ ଗିରିଧାରୀ ବାବୁ I "ଟିକେ ଡୋର କ୍ଲୋଜ କରିକି ଆସ ଆଉ ବସ," ସାମ୍ନାରେ ଥିବା ଚଉକିକି ଦେଖେଇ ଗିରିଧାରୀ ବାବୁ କହିଲେ I ଅଂଶୁମାନ ଆସିଗଲା ଆଉ ବସି ଗଲା I

 "ମୁଁ ଅନେକ ଥର ପଚାରିଛି ଏହି ପ୍ରଶ୍ନଟି ଚାରୁଲତାକୁ, ଆଉ ସିଏ କେବେ ମଧ୍ୟ ସଠିକ ଉତ୍ତର ଦେଇ ପାରିନି I କିନ୍ତୁ ତୁମର ସବୁ ବନ୍ଧୁ ମାନେ ସବୁ ବେଳେ ଠିକ ଉତ୍ତର ଦେଇଛନ୍ତି ଆଉ ତୁମେ ମଧ୍ୟ ," ଗିରିଧାରୀ ବାବୁ କହିଲେ I 

ଖୁସି ହୋଇ କହିଲା ଅଂଶୁମାନ ," ମୋର ସବୁ ସାଙ୍ଗ ସ୍ମାର୍ଟ ବୟ ସାର!”

"ହଁ, ସ୍ମାର୍ଟ ନିଶ୍ଚୟ କିନ୍ତୁ ଅଫିସ ତୁମ ସ୍ମାର୍ଟନେସ ନୁହେଁ ତୁମର କାମକୁ ଦେଖି ପ୍ରମୋସନ ଦିଏ I  ନାରୀ ଆଉ ପୁରୁଷ ଉଭୟେ କର୍ମ କ୍ଷେତ୍ରରେ ସମାନ ଅଟନ୍ତି ଏବଂ କାର୍ଯ୍ୟକୁ ନେଇ ସେମାନଙ୍କର ପ୍ରମୋସନ ହୁଏ ଅନ୍ୟ କୌଣସି ବ୍ୟକ୍ତିଗତ କାରଣରୁ ନୁହେଁ I ତୁମ୍ଭେ ମାନେ ସବୁ ଚାରୁଲତା ଉପରେ ସବୁ ବେଳେ ନଜର ରଖୁଥିଲ, କାହା ସହିତ କଣ କଥା ହେଉଛି, କେତେ ଥର ମୋ ରୁମ କୁ ଆସୁଛି, କେଉଁ ଡ୍ରେସ ପିନ୍ଧିଥିଲା କେଉଁ ଦିନ ଇତ୍ୟାଦି ଇତ୍ୟାଦି I କିନ୍ତୁ ଚାରୁଲତା ଠିକ ସାଢେ ଆଠଟାରେ ଆସେ ଏବଂ ସାଢେ ପାଞ୍ଚଟାରେ ଚାଲି ଯାଏ I ବିବାହିତା ମହିଳା, ଘରେ ପୁଣି କାମ ଥିବ I ଯେତିକି ତାହାର କାମ ସେତିକି କରିକି ଚାଲି ଯାଏ, କୌଣସି ଯୁକ୍ତି ତର୍କ କରେନି କି ଅଯଥା ବାର୍ତ୍ତାଳାପ କରେନି I ସବୁଠାରୁ ଗୁରତ୍ବପୂର୍ଣ୍ଣ କାମ ତାକୁ ହିଁ ଦିଏ ମୁଁ, ସେତିକି ବିଶ୍ଵସ୍ତ ଆଉ ସକ୍ଷମ ବୋଲି ସିଏ I ଅଫିସ ବାହାରେ ସିଏ କଣ କରେ ମୋର ସେଥିରେ ମୁଣ୍ଡ ଖେଳେଇବାର ନାହିଁ I ତୁମେ ମଧ୍ୟ ଚାରୁଲତା ଭଳି ଠିକ୍ ରେ କାମ କର ଆଗାମୀ ବର୍ଷ ପ୍ରମୋସନ କୁ କେହି ଅଟକେଇବେ ନାହିଁ I କାଲିଠାରୁ ଯେମିତି ତୁମ କାମ ସରି ଯାଏ ସାଢେ ପାଞ୍ଚଟା ସୁଦ୍ଧା I ମୁଁ କେଉଁ ପେରଫ୍ୟୁମ ଲଗେଇଛି ସେଥିରେ ଧ୍ୟାନ ନ ଦେଇକି ମୁଁ ଦିନର କେଉଁ କାମଟା ଗୁରତ୍ବ ଦେଇକି ଆଗ ସାରିବାକୁ ଚାହିଁବି ସେହି କଥା ଭାବ, " ଗିରଧାରୀ ବାବୁ କହିଲେ I "ଆଜ୍ଞା ସାର," ଅଂଶୁମାନ କହିଲା ଆଉ ବାହାରିଗଲା ଅଫିସରୁ I ସମସ୍ତେ କାନ ପାତି ଶୁଣୁଥିଲେ ଗିରିଧାରୀ ବାବୁଙ୍କ ରୁମ ଭିତରର ବାର୍ତ୍ତାଳାପ I ଗିରିଧାରୀ ସାର ରାଗିଗଲେ, ତାଙ୍କ ସ୍ଵର କାଚ କବାଟ ଡ଼େଇଁକି ଚାଲି ଆସେ !ଅଂଶୁମାନ ଚାହିଁଲା ତାହାର ସହବୃନ୍ଦଙ୍କ ଆଡେ, ସମସ୍ତେ ନିଜ ନିଜର ଲ୍ୟାପ ଟୋପରେ ମୁଣ୍ଡ ପୋତି ସାରିଥିଲେ !



Rate this content
Log in

More oriya story from Ranjit Sahu

Similar oriya story from Inspirational