Titi Sarangi

Abstract Others

3  

Titi Sarangi

Abstract Others

ସମାଜ ଦେବତା

ସମାଜ ଦେବତା

3 mins
7.3K


ଶୀତ ସକାଳରେ ଛୁଟିଟେ ମିଳିଲେ ଭାରି ଭଲଲାଗେ । ସବୁ ଦିନିଆ ଧାଁ ଦୌଡରୁ ବିରତି ନେଇ ନିଜ ପସନ୍ଦରେ ସମୟକୁ କାଟି ହୁଏ । ସେ ଦିନ ବି ସେମିତି ଦିନଟିଏ ଥିଲା । ଖରା ପିଠିଆ ହେଇ ବସିକି ଖବର କାଗଜ ଉପରେ ଆଖି ବୁଲଉ ଥିଲି । ସେଇ ଚିରାଚରିତ ଖବରଗୁଡାକ ଉପରେ ଆଖି ପହଁରେଇ ସମ୍ପାଦକୀୟ ଆଉ ସ୍ଥମ୍ଭକାରମାନଙ୍କ ଲେଖା ଆଡକୁ ପୃଷ୍ଠା ଓଲଟେଇଲି । ପୁରାଟା କାଗଜରେ ସେତିକି ତ ଆକର୍ଷଣ ଥାଏ । ମୋ ଅଳସପଣକୁ ଭାଙ୍ଗି ଦେଇ ବାହାରେ ଡୋର ବେଲ୍ ବାଜିଲା । ବୋଧେ ଲାବନ ଆସିଲା । ମୋ ଘରେ ଠିକା କାମ କରେ।

"ତମେ ବହୁତ ବର୍ଷ ବଞ୍ଚିବ । ଏବେ ତ ତମ କଥା ଭାବୁଥିଲି ଆଉ ତମେ ଆସିକି ପହଞ୍ଚିଲ।"

"ବହୁତ ଆଇଷ ମୋର କଣ ହବ ଦିଦି ?ନିଉଛୁଣା ଜୀବନ ଚାଲିଗଲେ ଭଲ ।"

ଜୀବନକୁ ଏତେ ନୀଚ ଆଖିରେ ସେ କାହିଁକି ଦେଖୁଛି ମୁଁ ଜାଣିଛି । ଯାହା ରୋଜଗାର କରେ ସବୁ ତା ବର ନିଏ। ନ ଦେଲେ ଗାଳିଗୁଲଜ କରେ ।"ତୋତେ ପୋଷି ପାରିବିନି ,ତୋ ବାପ ଘରକୁ ଯା "ବୋଲି ଧମକାଏ । ସେ ନିଜେ ବି ଯାହା ରୋଜଗାର ସେ ପଇସା ବି ଲାବନକୁ ଦିଏନି । ତାର ସବୁଯାକ ଦର୍କାର । ହେଲେ ତା ହେନଟେନ୍ ଖର୍ଚକୁ ପଇସା ନିଅଣ୍ଟ ପଡେ।ସବୁ ମାସରେ ବାକି । ଏଗୁଡା ଲାବନକୁ ପସନ୍ଦ ହୁଏନି । ଯେତିକି ରୋଜଗାର ସେତିକିରେ ଚଳିବା ଆଉ ,ପିଲା ଦିଟିଙ୍କ ଭବିଷ୍ୟତ ପାଇଁ କିଛି ସଞ୍ଚିବାକୁ ତାର ଭାରି ଇଛା । କିନ୍ତୁ ତା ଇଛା ଅନିଛାର କିଛି ବି ମୂଲ୍ୟ ନାଇଁ ତା ବର ପାଖରେ । ସେଇଥି ପାଇଁ ତା ମନଦୁଃଖ ।

ମୁଁ ଜାଣିଛି ଆଜି ବି କିଛି ନୂଆ କାଣ୍ଡ କରିଛି ସିଏ।ଯେତେ ଚେଷ୍ଟାକଲେ ବି ତା ମୁହଁରେ ହସଟିକେ ମୁଁ ଦେଖି ପାରେନି । ଏତେ ଖଟୁଛି ଲାବନ । ଚାହିଁଲେ ବି ସେ ହସି ପାରେନି । ତା ବରର ଖୁସି ପାଇଁ ତା ଖୁସି କି ସତେ ଅବା ସିଏ ବନ୍ଧା ପକେଇ ଦେଇଛି । ମୋତେ ଚା କପଟିଏ ଦେଇ ଲାବନ ଫେରି ଯାଉଥିଲା ତା କାମ କରିବାକୁ । ମୋ ପାଖେ ଟିକେ ବସ ବୋଲି ତାକୁ ଅନୁରୋଧ କଲି । ଭାବିଲି ଟିକେ ନିଜକୁ ପରିବର୍ତ୍ତନ କରିବାକୁ ତାକୁ ବୁଝେଇବି ।ସେ ବି ମାସକୁ କିଛି ହଜାର ରୋଜଗାର କରୁଛି ।ଚାହିଁଲେ ନିଜ ଖୁସିରେ ସେ ଚଳି ପାରନ୍ତା । ଜଣେ ଯଦି ନବୁଝୁଛି ତା ପାଇଁ ଉପାୟ କଣ ଅଛି ?ଭଲ କଣ ଖରାପ କଣ ସେ ବୁଝୁଛି । ତା ବରର ଭୁଲ୍ ପାଇଁ ସେ କଷ୍ଟ ପାଇବ କାହିଁକି ? ମୋ କଥାମାନି ବସିଲା ଆଉ ସବୁ ଶୁଣିଲା ବି । କିନ୍ତୁ ସେମାନଙ୍କ ଜୀବନ ଏଭଳି ଗତାନୁଗତିକତା ଭିତରେ ଗଡେ ଯେ ଏଗୁଡାକ ତାକୁ ବିଚିତ୍ର ଲାଗିଲା ।'ଏମିତି କଲେ ତା ବର କଣ ବୁଝିବ ? ଲୋକେ କଣ କହିବେ ? ତା ବରଠୁ ଦୂରେଇ ସେ ଚଳିବ କେମିତି ?

ଯଦି ସିଏ ବୁଝି ନପାରି କରଜ କରୁଛି କି ପଇସା ଉଡେଇ ଦଉଛି ତେବେ ଏଇଟା ତା ଭାଗ୍ୟ ।' ଏମିତି ଅନେକ ଦୃଢ ଯୁକ୍ତି ତା ପାଖରେ ଅଛି । ନାଳିଆରେ ଯେତେ ସଫା ପାଣି ଢାଳିଲେ ବି ତଳେ କିଛି ନା କିଛି ମଇଳା ରହିଗଲା ଭଳି ଏମାନଙ୍କ ମନ ବି ବୋଧେ ସେଇଆ । ଯୁଗର ପରିବର୍ତ୍ତନ ହାଵା ଯେତେ ବୋହିଲେ ବି ତଳେ ଏଇଭଳି କିଛି ଅମୂଳକ ବଦ୍ଧ ଧାରଣା ସେମିତି ରହିଯାଏ । ସମାଜ କଣ କହିବ ଭାବିଭାବି ତାକୁ ସେମାନେ ଦେବତା ସଜେଇ ଦିଅନ୍ତି। ସେଇ ଦେବତାର ତୁଷ୍ଟି ପାଇଁ କେବଳ ଲାବନ ନୁହଁ ଆହୁରି ଅନେକ ତଥାକଥିତ ଶିକ୍ଷିତ ଗୋଷ୍ଠୀ ବି ମୁହଁ ମାଡି ପଡିଥାନ୍ତି ପାଟିବୁଜି ସହି ଯିବାର ଜୀବନ ଭିତରେ। ନା ସମାଜ ନା ଦୁନିଆ କାହାର କଣ ଯାଏ ? ଯାହା ଦୁଃଖ ଯାହାର । ତେବେ କିଏ କଣ ଭାବିବ ଭାବିଭାବି ଜଣେ ଏତେ କଷ୍ଟ ପାଏ କାହିଁକି ? ସ୍ବେଛାଚାରୀ ନହେଇ ସ୍ବାଧୀନ ଭାବରେ ଜୀବନଟେ ଜୀଇଁବାକୁ ସମାଜ ଦେବତା ଚିରକାଳ ଅନୁମତି ଦେଇଛି । ଲାବନ ଏତିକି ବୁଝିପାରୁ ବୋଲି ମନରେ ଦୃଢ ଆଶାଟିଏ ବାନ୍ଧି ମୁଁ ଖବରକାଗଜ ଆଡକୁ ମନ ଫେରେଇଲି । ତରତରରେ ଆଖି ପହଁରେଇ ଆଣୁଥିବା ସ୍ତମ୍ଭଗୁଡାକ ମୁଁ ଆଜି ମନଦେଇ ପଢୁଥିଲି ଆଉ ଶୀତ ସକାଳକୁ ଅନୁରୋଧ କରୁଥିଲି ଧୀରେ ଧୀରେ ସରିବାକୁ।


Rate this content
Log in

Similar oriya story from Abstract