Titi Sarangi

Inspirational Others

2  

Titi Sarangi

Inspirational Others

ଗଛ ପତ୍ରଙ୍କର ବି ଅନୁଭବ ଅଛି

ଗଛ ପତ୍ରଙ୍କର ବି ଅନୁଭବ ଅଛି

2 mins
7.2K


"ଗଛ ପତ୍ରଙ୍କର ବି ଅନୁଭବ ଅଛି ।ସେମାନେ ବି ସୁଖ ଦୁଃଖ ବୁଝି ପାରନ୍ତି" । ପ୍ରଖ୍ୟାତ ବୈଜ୍ଞାନିକ ସାର୍ ଜଗଦୀଶ ଚନ୍ଦ୍ର ବସୁଙ୍କର ଏହା ଏକ ଯୁଗାନ୍ତକାରୀ ବକ୍ତବ୍ୟ ।ଥରେ ଶ୍ରେଣୀ ଗୃହରେ ଅନ୍ୟମନସ୍କ ଭାବେ ଶୁଣିଥିଲି ଏକଥା ।ବିଶ୍ଵାସ ହେଇ ନଥିଲା ।ହଃ ଭାବନାଟେ କେବଳ ଆସିଥିଲା ସେତେବେଳେ ।ଗଛର ପୁଣି ସୁଖଦୁଃଖ କ'ଣ ?ଏବେ କିନ୍ତୁ ଜାଣୁଛି ଗଛ ଵି କିଛି କମ୍ ସମ୍ବେଦନଶୀଳ ନୁହେଁ ।ସକାଳୁ ଭେଟିଲେ ଅନ୍ତରଙ୍ଗ ବନ୍ଧୁ ଭଳି ହସିହସି ସ୍ବାଗତ କରନ୍ତି ।ପ୍ରଥମେ ଭାବୁଥିଲି ଏଇଟା ମୋ ମନର ଭ୍ରମ ।କିନ୍ତୁ କାଳକ୍ରମେ ଜାଣିଲି ଏହା ଯଦି ଭ୍ରମ ହେଇଥାନ୍ତା ତେବେ ମୋ ମନ ଭଲ ନଥିଲା ଦିନ ବି ଗଛମାନଙ୍କ ଗହଣରେ ବୁଲି ଆସିଲେ ଏତେ ପ୍ରଫୁଲ୍ଲିତ କାହିଁକି ଲାଗେ ।କିଛି ତ କହନ୍ତିନି ସେମାନେ !! ସତରେ କିନ୍ତୁ କିଛି କହନ୍ତି ବୋଧେ ।

ପିଲା ଦିନେ ଗାଁ ଘର ବାଡି ପଟେ ନଡିଆ ଗଛର ସରୁ ପତ୍ର ସନ୍ଧିରେ ସକାଳ ଖରାର ଛାଇ ଆଲୁଅ ଖେଳ ଦେଖିବାକୁ ଭାରୀ ଭଲ ଲାଗୁଥିଲା ।ଏମିତି କେତେ ମିଠା ଅନୁଭବ ଖାଲି ମୋର ନୁହେଁ ଆମ ସମସ୍ତଙ୍କର ଥିବ ।ନିରୋଳା ପ୍ରକୃତି କୋଳରେ ବଢିଥିବା ମଣିଷ ନିଶ୍ଚୟ ବୁଝିଛି ଗଛଲତାଙ୍କର ଆମ ଜୀବନରେ କ'ଣ ଭୂମିକା ! ଜୀବନର ସମସ୍ତ ସୁଖ ସେଇ ପ୍ରକୃତି ହିଁ ଯୋଗାଇ ଦିଏ ।କିନ୍ତୁ ଅତ୍ୟଧିକ ବିଳାସୀ ମନୋବୃତି ବଢି ଯିବାରୁ ବୋଧହୁଏ ଆମେ ବସ୍ତୁବାଦୀ ସୁଖ ଭିତରକୁ ଚାଲି ଆସିଛୁ ।ତଥାପି ଗଛଟିଏ ଲଗେଇ ପାଳିଲେ କେତେ ତୃପ୍ତି ମିଳେ ସେକଥା ଅନୁଭବୀ ଜାଣେ ।ଏଇ ପରସ୍ପର ନିର୍ଭରଶୀଳ ଜଗତରେ

ଗଛଟିଏ ହିଁ ସ୍ଵୟଂ ସଂପୂର୍ଣ୍ଣ ।ମୁଠାଏ ଖାଦ୍ୟପାଇଁ ସେ କେବେ ମରେନି ।ସେ କେବଳ ମରିଯାଏ ସ୍ଵାର୍ଥୀ ମଣିଷ ପାଇଁ ଅକାଳରେ ।ହଁ ଦୈବୀ ଦୁର୍ବିପାକ ତ ଅଲଗା କଥା ।କିନ୍ତୁ ପ୍ରାଣୀ ଜଗତ ତିଷ୍ଠି ରହିବା ପାଇଁ ବୃକ୍ଷ ଜଗତର ଅବଦାନ ଅତୁଳ ।ତଥାପି ବୃକ୍ଷ ବଳି ପଡେ ।ଅଶିକ୍ଷିତ ମାନଙ୍କ ଯୋଗୁ ନୁହେଁ ,ସମ୍ପୂର୍ଣ୍ଣ ଶିକ୍ଷିତ ମାନେ ହିଁ ଏ କାମ କରନ୍ତି ।ଅନେକ ଆଳ ଅନେକ ବାହାନା ।ଗଛ ମରିଯାଏ ଚୁପଚାପ ।ତା ଅନୁଭବ ଶକ୍ତି ହଜିଯାଏ ଇଥରରେ ।ସେକଥା ସେମାନେ ବୁଝନ୍ତି କି ନାହିଁ କେଜାଣି ।କିନ୍ତୁ ନୂଆ ଗଛଟିଏ ଲଗେଇ ତା ସ୍ଥାନ ପୂରଣ କରିବା କଥା କେହି ଭାବନ୍ତିନି ।

ଆପଣମାନେ ସମସ୍ତେ ଶିକ୍ଷିତ ।ତେଣୁ ବୃକ୍ଷ ଜଗତର ନିବିଡ଼ତା ନିଶ୍ଚୟ ବୁଝୁଥିବେ ।ପରିବେଶ ସୁରକ୍ଷା ପାଇଁ ସେମାନଙ୍କ ଭୂମିକା କେତେ ଶ୍ରେଷ୍ଠ ତର ଜାଣୁଥିବେ ।ତା ଛଡା ଗଛ ସାଙ୍ଗରେ ବନ୍ଧୁତା କେତେ ସୁଖକର ଅନୁଭବି ଥିବେ ।କେବଳ ଗଛର ଅବଦାନ ହିଁ ଯଥେଷ୍ଟ ।କାମଧେନୁ ଭଳି ଗଛ ଅଜାଡି ଦିଏ ସ୍ଵର୍ଗୀୟ ଆନନ୍ଦ ।କିଛି ବି ନିଏନି ।ସେ ଅନୁଭବ କରି ପାରେ ।ତେଣୁ ଆମ ଭଳି ହୁଏତ ତାର ମନଟେ ବି ଅଛି ।ତା ପ୍ରତି କିଛି ବି ପଦକ୍ଷେପ ନେବାବେଳେ ଏତିକି ମନେ ପକାନ୍ତୁ କେମିତି ଲାଗୁଥିବ ତାକୁ ।ବାସ୍ ସେତିକି ହେଲେ ବହୁତ କିଛି ବୁଝିପାରିବେ ।"ଆମକୁ ନେଇ ଆମ ପରିବେଶ ।ଆମରି ଯୋଗୁ ନହେଉ ନାଶ ।"

(ମୁଁ କେବଳ ଗଛ କଥା କହିଛି ।ପରିବେଶ ଵହୁତ ବ୍ୟାପକ ଶବ୍ଦଟିଏ ନିଶ୍ଚୟ ।କିନ୍ତୁ ଗଛ ହିଁ ଆମକୁ ଆମେ ଚାହୁଁଥିବା ସୁରକ୍ଷା ଦେଇପାରିବ ।)


Rate this content
Log in

Similar oriya story from Inspirational