Titi Sarangi

Others

2  

Titi Sarangi

Others

ଆଉ ସେଦିନ କାଇଁ

ଆଉ ସେଦିନ କାଇଁ

2 mins
7.2K


କହନ୍ତି ଆମ୍ବର ଗୋଟେ ନିଶା ଅଛି ।ଆମ୍ବ ଖାଅ କି ନଖାଅ ଆମ୍ବ ନିଶା ଘାରେ ।ଦିପହରେ ବୋଉ ଜେଜେମା ଏଇ ଦିନେ ଟିକେ ଶୁଅନ୍ତି ।ନହେଲେ ସେତେବେଳେ ଯେତେ ଘର କାମ ସେମାନେ ଦିନବେଳା ଶୋଇବାକୁ ସମୟ କୋଉ ପାଆନ୍ତି ।ପଇସା ପକେଇଲେ ସବୁ ମିଳେ ଯୁଗରେ ଆମେ ପହଞ୍ଚି ଗଲେଣି ।ତେଣୁ କିଣା ଆମ୍ବ ଆଉ ସେଭଳି ଖିଆ ହେଇ ପାରୁନି ।ଯାହା ହେଲେ ବି ସେଇଟା କିଣି ଖିଆ ପଦବାଚ୍ୟ । ସେତେବେଳେ ଝୁଡିଝୁଡି ଆମ୍ବ ଦିନକ ଭିତରେ ଉଡିଯାଏ ।କିଏ କେତେ ଖାଇଲା ତାର କିଛି ଠିକଣା ନଥାଏ ।ଖାସ୍ ସେଇଥିପାଇଁ ଆମ୍ବ ଲୋଭଟା ଲୋଭରେ ଯାଏ ।

ସବୁଠାରୁ ବଡ ଆମ୍ବ ତୋଟା ଜମିଦାର ଘରର ।ମାଆ ତାଙ୍କର ତୀର୍ଥ କରି ଯାଇଥିଲେ ଯେ ଆମ୍ବ ଛାଡି ଆସିଲେ ।ମାଆଙ୍କୁ ବହୁତ ଭଲପାଉଥିବା ଜମିଦାର ପୁଅ ଆମ୍ବତୋଟା ବିକିବାକୁ ବସିଲେ ।"ମାଆ ଯଦି ଆମ୍ବ ନଖାଇବ ତୋଟା ଥାଇ ଲାଭ କଣ ?"

ମାଆ ମନା କଲେ ।

"ଏତେ ଦିନ ଆମ୍ବ ଖାଇଖାଇ ଲୋଭ ଛାଡି ପାରିଲିନି ଯେ ତୀର୍ଥ ରେ ଛାଡିବାକୁ ପଡିଲା ।ଏତେ ଭଲ ଜିନିଷ ତୋ ପିଲେ ଖାଇବେ, ଥାଉ ।"

ଏମିତି କେତେ କଥା ଶୁଣିବାକୁ ମିଳେ ।ଆମେ ଦେଖିଲା ବେଳକୁ ସେ ଜମିଦାର ବୁଢା ହେଲେଣି ।

ପ୍ରକୃତି ମାଆ କାବ୍ୟଗ୍ରନ୍ଥ ମେଲି ଦେଇଛି ।ପୃଷ୍ଠା ପରେ ପୃଷ୍ଠା ଲେଉଟାଇ ଖଣ୍ଡକୁ ଖଣ୍ଡ ପଢି ସାରି ଦେଉଛି ।'ଗ୍ରୀଷ୍ମ ଖଣ୍ଡ 'ସରି ଆସୁଛି ଆଉ 'ବର୍ଷା ଖଣ୍ଡର' ଆଦ୍ୟ ବନ୍ଦନା ଚାଲିଛି ।କାଁ ଭାଁ କୋଉଠି କୋଇଲି ଗାଉଛି ଉଦାସୀ ସ୍ଵରରେ ।

"କୁ ......ଜୀଇଥିଲେ ଯାଇ ବରଷେ ......"

କିଏ ଶୁଣୁ କି ନଶୁଣୁ ।ସରିସରି ଯିବ କୋଇଲି ଗୀତ ।ତା ଆସିବା ନେଇ କେତେ ଉନ୍ମାଦନା !!ଭୁଲାମନ ସେକଥା ଭୁଲିଯିବ । ଭୁଲେଇ ଦବ ବର୍ଷା ।ପ୍ରକୃତିର ସେଇ କାବ୍ୟ ପଠନ ଚାଲିଛି କୋଉ ଅନନ୍ତ ସମୟରୁ ।ଥରେ ବି ଚିଟା ଲାଗୁନି ସେଇ ସମାନ କାବ୍ୟଖଣ୍ଡ ଗୁଡିକୁ ପଢିଲା ବେଳେ ।ବରଂ ପ୍ରତି ଥର କିଛି ନା କିଛି ନୂଆ ଲାଗୁଛି ।

ସେଇ ଆଦ୍ୟ ମୌସୁମୀ ଆଉ ଶେଷ ନିଦାଘର ମଝି ଖଣ୍ଡରେ ଫଳମାନଙ୍କର ରାଜା ଆମ୍ବ ରାଜୁତି କରନ୍ତି ।ଯେତେ ଖାଇଲେ ବି ମନ ବୁଝେନି ।ତୋଟା ପରା ଆମ୍ବ ଭଣ୍ଡାର ଘରେ ବାଲି ବସା ହେଇଥିବ । ଗୋଟେ ଛେକ ସରିଲା ବେଳକୁ ଆଉ ଛେକେ ଆସୁଥିବ !! ଆମ୍ବ ଖାଇ ଖାଇ ନିଶା ଧରିଯାଏ ବୋଲି କହନ୍ତି ।ଆମ୍ବ କ୍ଷୀରି ,ଆମ୍ବ ମୁଢି ,ଆମ୍ବ ଆଚାର ....ସବୁଠି ଆମ୍ବର ପସରା ।କେତେ ନାଆଁ ଆମ୍ବର ।ରାଜ ଭୋଗ,ଜଗନ୍ନାଥ ବଲ୍ଲଭ ,ସୁନ୍ଦରୀ, ମହୁ ଗିରିଡି ।

ହଁ ବଦଳି ଯାଉଛି ବହୁତ କିଛି ।ବଦଳିଯିବା ତ ନିୟମ ।ଘୁରୁଥିବା ଗୋଟେ ବସ୍ତୁ ଉପରେ ରହୁଛେ ପରା !! ଆମେ ସ୍ଥାୟୀ କେମିତି ହୁଆନ୍ତେ ଯେ !! ତଥାପି ଆଉ ସେ ଦିନ କାଇଁ .....ଏ ପଦକ ଆମ ବଡ ମାନେ କହିବା ଆମେ ଶୁଣିଛେ ।ଆମେ କହିବା ଆମ ପିଲେ ଶୁଣିବେ ଆଉ ସେମାନେ କହିବେ ତାଙ୍କ ପିଲେ ବି ଶୁଣିବେ ।କାରଣ ଦିନ ବଦଳେନି ବଦଳି ଯାଉଛେ ଆମେ ।ପିଲାରୁ ଯୁବକ ,ଯୁବକରୁ ବୁଢା .....।ସତରେ ଆଉ ସେ ଦିନ କାହିଁ ? ଆଜି ଆମ୍ବ କିଣିଲା ବେଳେ ଏମିତି କିଛି କଥା ମୋର ମନେ ପଡୁଥିଲା ।


Rate this content
Log in