Titi Sarangi

Others

2.5  

Titi Sarangi

Others

ଜଗନ୍ନାଥ ହୋ

ଜଗନ୍ନାଥ ହୋ

3 mins
7.4K


ବର୍ଷା ଜୋର୍ ଛେଚୁଥାଏ ।ଭୂବନେଶ୍ୱରରେ ପିଲାଙ୍କୁ ଭେଟି ପୁରୀରେ ନବମୀ ସାନ୍ଧ୍ୟ ଦର୍ଶନ କରିବା ଆମ ଲକ୍ଷ୍ୟ ଥାଏ ।ହେଲେ ବର୍ଷା ଯୋଗୁ ଗାଡି ସ୍ଳୋ ହଉଥାଏ ।ତଥାପି ଭୂବନେଶ୍ୱର ଛାଡିଲା ବେଳକୁ ପାଞ୍ଚଟା ବାଜିଲାଣି ।ପରଦିନ ବିଜୟାଦଶମୀ ବାହୁଡାଯାତ୍ରା ।ତେଣୁ ସନ୍ଧ୍ଯା ସାତଟା ପରଠୁ ଗୁଣ୍ଡିଚା ମନ୍ଦିରରେ ଦର୍ଶନ ବନ୍ଦ ହେଇଯିବ ବୋଲି ଆଗରୁ ପ୍ରଶାସନ ସୂଚନା ଦେଇଥାଏ ।ହାତରେ ମାତ୍ର ଦି ଘଣ୍ଟା ।କେତେ ଜଲଦି ପହଞ୍ଚିବୁ ଆଉ ଦର୍ଶନ କରିବୁ ?ସେତେବେଳଠୁ ମନ ମରି ଯାଇଥାଏ । ତା ଉପରେ ପୁଣି ଅସରା ଅସରା ବର୍ଷା ମାଡ ।ପ୍ରାୟ ଛ'ପନ୍ଦର ବେଳକୁ ଗାଡି ପୁରୀ ଛୁଇଁଲା ।କିନ୍ତୁ ବାହୁଡାଯାତ୍ରା ପୁଣି ନବକଳେବର ଯୋଗୁଁ ସେବର୍ଷ ଅନେକ ଭକ୍ତଙ୍କ ସମାଗମ ପୁରୀରେ ।ବୁଲିବୁଲି ଷ୍ଟେସନ ବାଟ ଦେଇ ସହର ଭିତରକୁ ଗାଡି ପଶିବ ବୋଲି ପୋଲିସ ସୂଚନା ଦେଲା ।ହେଲେ ଶେଷ ଆଶାଟି ମନରୁ ଲିଭିଗଲା ଯେତେବେଳେ ଦେଖିଲୁ ଷ୍ଟେସନରେ ବାଟବନ୍ଦ ।ଟ୍ରେନ ଟାଇମ ହେଇଯାଇଥାଏ ।ଅଗତ୍ଯା ଅଟକିଲୁ । ସେଇଠି ବାଜିଲାଣି ସାତ ।ନବମୀ ସାନ୍ଧ୍ୟ ଦର୍ଶନର ସୌଭାଗ୍ୟ ଆଉ ନାହିଁ ଭାବି କେବଳ ଗୁଣ୍ଡିଚା ମନ୍ଦିର ପାଖରେ ମୁଣ୍ଡିଆ ମାରି ଆସିବୁ ଭାବି ଗଲୁ ।କିନ୍ତୁ ଏ କ'ଣ ? ମନ୍ଦିର ବନ୍ଦ ହେଇ ନଥାଏ ।ଦର୍ଶନ ସମୟ ଆଉ ଅଧଘଣ୍ଟା ବଢେଇ ଦେଇଥିଲା ପ୍ରଶାସନ ।ବିଶ୍ୱାସ ହଉ ନଥାଏ ।କେତେ ସୁନ୍ଦର ଭାବେ ଆମେ ଦର୍ଶନ କଲୁ ।ପୁଣି ଦର୍ଶନ ସାରି ଆସିଲା ପରେ ଗୁଣ୍ଡିଚା ମନ୍ଦିରର ଗରମ ଅଭଡା ଭୋଗ ।ଆହା !! ମନ ପୁରି ଉଠୁଥାଏ କୃତଜ୍ଞତା ରେ ।ମୋତେ ଲାଗୁଥିଲା ସତେ ଅବା କାଳିଆ ଠାକୁର ମୋ ପାଇଁ ଏ ଵ୍ଯଵସ୍ଥା କରିଦେଲେ କି ।ଏତେ ବାଟ ଆସି ଦର୍ଶନ କରିପାରି ନଥିଲେ ଭାରୀ ମନଦୁଃଖ ହେଇଥାନ୍ତା ।ସମ୍ପୂର୍ଣ୍ଣ ଆଶା ହରାଇ ତାଙ୍କ ପ୍ରତି ସମର୍ପିତ ଭାବଟିଏ ଦୃଢ କରି ପାରିଲେ ଅନେକ ସମସ୍ୟା ର ସମାଧାନ ହୋଇ ପାରିବ ବୋଲି ବିଶ୍ଵାସଟିଏ ମୋ ଭିତରେ ଜମାଟ ବାନ୍ଧି ଗଲା ସେଇ ଦିନ ।

ଏମିତି କେତେ ଅନୁଭବ ଆମ ସମସ୍ତଙ୍କର ନିଶ୍ଚୟ ଥିବ ।ଓଡ଼ିଶାର ପ୍ରତିଟି ମଣିଷ ଯାହାକୁ ନେଇ ଗୌରବ ଅନୁଭବ କରେ ସେ ଆମ କାଳିଆ ଠାକୁର ।ସତେ କି ଘରର ମୂରବୀ ।କିନ୍ତୁ ମନ୍ଦିର ଭିତରେ ଆଜି ଅନେକ ଅବ୍ଯବସ୍ଥା ଯୋଗୁଁ କେତେ ଅଶାନ୍ତି । ସେବାୟତମାନଙ୍କ ମନମୁଖୀତାର ଶୀକାର ପ୍ରାୟ ସମସ୍ତେ ଭୋଗୁଛନ୍ତି ।ଆମର ତ ଅଭ୍ଯାସ ହେଇ ଗଲାଣି ।କିନ୍ତୁ ବାହାର ରାଜ୍ୟର ଲୋକ ଆସିଲେ ଆଉ ଏଭଳି ବ୍ୟବହାର ପାଇଲେ ନିନ୍ଦିତ ଆମେ ସମସ୍ତେ ହେଉଛେ ।ଆଜି ବିଶିଷ୍ଟ ଲେଖିକା ଶ୍ରୀମତି ପ୍ରତିଭା ରାୟ ଯଥାର୍ଥ ଆହ୍ବାନଟିଏ କରିଛନ୍ତି ମନ୍ଦିର ଭିତରକୁ ଯାଅନି ।ବାହାରୁ ପତିତପାବନ ଦର୍ଶନ କରି ଫେରି ଆସ ।

ତାଙ୍କ ଭାଷାରେ "ଶ୍ରୀମନ୍ଦିରର ଶ୍ରୀ ଫେରେଇ ଆଣିବା ପାଇଁ ଏହା ଜରୁରୀ ।"ଅନେକ ଲୋକ ବିରୋଧ କରିପାରନ୍ତି ।କିନ୍ତୁ ପରିସ୍ଥିତି ଯେତେବେଳେ ଆୟତରେ ନଥାଏ ଏଭଳି କିଛି ଅସହଯୋଗ ପଦକ୍ଷେପ ନେବା ନିହାତି ଜରୁରୀ ହେଇପଡେ ।ଆମ ନିଜର କେହି ଅବୁଝା ହେଲେ ଆମେ ବି ସେଇଆ କରୁ ।ଭଲ ହଉ ମନ୍ଦ ହଉ ସବୁକିଛି ଚଳେଇ ନେଲେ କେବେ କୌଣସି ସମସ୍ୟାର ସମାଧାନ ହୁଏନି ।ଆଉ ମନ୍ଦିର ଭିତରର ସମସ୍ୟା ଏବେ ଏତେ ବଢି ଚାଲିଛି ଯେ ଆମ ସମସ୍ତଙ୍କ ପାଇଁ ଏହା ଦୁଃଖର କାରଣ ହେଇଯାଉଛି ଦିନକୁ ଦିନ ।ଜଗନ୍ନାଥ ଆମ ରକ୍ତ ମଜ୍ଜାରେ ଗୋଳି ହେଇଯାଇଥିବା ଠାକୁର ।ଭକ୍ତର ଦୃଢ କଳ୍ପନା ପ୍ରସୂତ ସୃଷ୍ଟି ଭଗବାନ ।ଆଉ ଭଗବାନଙ୍କ ସୃଷ୍ଟି ଏ ଜଗତ ।କାରଣ ଏ ସୃଷ୍ଟିର ରହସ୍ୟ ଆଉ ଭଗବାନଙ୍କ ରହସ୍ୟ ଏ ପର୍ଯ୍ଯନ୍ତ ରହସ୍ୟମୟ ।ସେଇ ରହସ୍ୟ ଭିତରେ ଦୃଢ ଏକ ବିଶ୍ବାସର ପ୍ରତୀକ ହେଉଛନ୍ତି ଜଗନ୍ନାଥ ।ନିଜ ନାମ ଆଉ ରୂପର ବିଶେଷତା ଯୋଗୁଁ ଆମର ଏଇ ଠାକୁର ବିଶ୍ବବନ୍ଦିତ ।ଅନେକ ନାହିଁ ନାହିଁ ଭିତରେ ସେ ଏକାନ୍ତ ଭାବେ ଆମର ହୋଇ ଆମକୁ ପୂର୍ଣ୍ଣ କରିଛନ୍ତି ।ତେଣୁ ନିଜ ଗୌରବ ବଜାୟ ରଖିବା ପାଇଁ ଏଭଳି କିଛି ପଦକ୍ଷେପ ନେଲେ କିଛି କ୍ଷତି ନାହିଁ ।ଭକ୍ତ ଯୋଉଠି ସିଏ ସେଇଠି ।ବାଙ୍କୀ ମୁହାଣରେ ବାଲିରେ ବି କରିବେ ରଥଯାତ୍ରା ।ତେଣୁ ନିଜ ଲୋକ ପ୍ରତି ଆମେ ଯେଉଁ ଭଳି ଅଭିମାନ କରୁ ଜଗନ୍ନାଥଙ୍କ ପ୍ରତି ବି କରିପାରିଵା ।କାରଣ ସେ ଆମଠୁ ଭିନ୍ନ ନୁହନ୍ତି ।ନିଜକୁ ପତିତଟିଏ ଭାବି ପତିତପାବନ ଦର୍ଶନ କରି ଆସିଲେ ବି କିଛି କ୍ଷତିନାହିଁ ।କେବଳ ଆପଣଙ୍କ ଭାବଟି ନିରୁତା ଭକ୍ତିରେ ସିକ୍ତ ହୋଇ ଥିବା ଆବଶ୍ୟକ ।ଯଥାଶୀଘ୍ର ମନ୍ଦିରରେ ଶ୍ରୀ ଫେରି ଆସୁ ।ଶ୍ରୀମନ୍ଦିର ପାଇଁ କାହାରି ମନରେ କୌଣସି ଆବିଳତା ନରହୁ ।

ଜୟଜୟ ଜଗନ୍ନାଥ ।


Rate this content
Log in