Titi Sarangi

Inspirational Others

2  

Titi Sarangi

Inspirational Others

ଵହି ଆଉ ମୁଁ

ଵହି ଆଉ ମୁଁ

2 mins
1.7K


ଆଜି ମୁଁ ମନେ ପକେଇବାକୁ ଚାହୁଁଛି ସେଇ ବହିଟି ଆଉ ଥରେ ମିଳନ୍ତା କି ପଢିବାକୁ ଯେଉଁଟି ମୁଁ ପଢିଥିଲି ପ୍ରଥମ କରି ।ହେଲେ ସମୟର ବହଳ ଆସ୍ତରଣ ତଳେ ଅନେକ କିଛି ହଜିଯାଇଛି ଯେତେବେଳେ ତାକୁ ଵା କାହିଁକି ଖୋଜିବି ?ବହିଟି ଥିଲା ଗୋଟେ ମାସିକ ପତ୍ରିକା "ଶିଶୁ ଲେଖା ।"ସେଇ ବହିର ଗୋଟେ ଗପରେ ମୁଁ ପହଞ୍ଚି ଯାଇଥିଲି ରୁଷ୍ ଦେଶରେ ।ସେଠିକାର ଲୋକ କଥାଟିଏ ।ମନେ ପଡେ ମନପବନରେ ପଢିଥିବା ବାବନା ଭୂତ ଗପଟି ।ଗାଁକୁ ନୂଆ ଲାଇନ୍ ତାର ଟଣା ହେଇଛି ଆଉ ଏକଥା ଜାଣି ନଥିବା ମଦନ ଅଜା ଝିଅ ଘରେ ଆଠଦିନ ରହି ଫେରିଲା ବେଳକୁ ବାଟରେ ବସ୍ ଫେଲ୍ ହୋଇ ସନ୍ଧ୍ୟା ହେଲାଣି ।ଭଲ ଦିନ ବାର ନାଇଁ ଆଉ ଦିନଟେ ରହି ଯା ବୋଲି କହୁଥିବା ସମୁଦୁଣୀଙ୍କୁ ଅମାନ୍ୟ କରି ଆସିଛନ୍ତି ।ଗାଁ ବାଟରେ ପୁଣି ଏ ଗଛ ଭଳି ବାବନାଭୂତ(ଲାଇନ୍ ଖୁଣ୍ଟି)ଗୁଡାକ ଠିଆ ।ହେ ଭଗବାନ୍ ଦିନ ବାର ନମାନିଲେ ଭୂତଗୁଡାକ ବାହାରିବେ ତ! ତାପରେ ଅଜାଙ୍କର ଯୋଉ ଅବସ୍ଥା ପଢିଲେ ହସିହସି ପେଟରେ ଭାତ ରହିବନି ।

ବିଶ୍ଵାସ ଆଉ ଅନ୍ଧବିଶ୍ଵାସର ଫରକ୍ ବୁଝଉଥିଲା ଗପଟି ।ଏମିତି କେତେ କାହାଣୀ ଆଉ କଳ୍ପନାରେ ଘୂରି ବୁଲିବାର ରୋମାଞ୍ଚ ଦେଉଥିଲେ ସେଇ ଶିଶୁ ଗଳ୍ପ ସମ୍ବଳିତ ବହି ଆଉ ପତ୍ରିକାଗୁଡିକ ।ଏମିତି ଏମିତି ପଢିବାର ନିଶା ଘାରେ ।ଆଠ ଦଶଟି ପତ୍ରିକା ସେତେବେଳେ ଆମ ଘରକୁ ଆସେ ।ସଵୁ ଗୁଡାକ ଇଣ୍ଟରେଷ୍ଟିଙ୍ଗ ।ଡାକବାଲା ହାତରେ ଆସୁଥିବାରୁ ଆମେ ଭାଇ ଭଉଣୀ ମାସର ପ୍ରଥମ ସପ୍ତାହ ତାଙ୍କୁ ଅପେକ୍ଷା କରି ରହୁଥିଲୁ ।ଯାହା ହାତରେ ପଡିଲା ସିଏ ଜାଣ ଗଡ ଜିତିଲା ।ସେ ପଢି ସାରିଲେ ଅନ୍ୟକୁ ଦବ ।ବାପା କରିଥିବା ଏ ନିୟମରେ ବ୍ୟତିକ୍ରମ ହବାର ନାଇଁ ।ଭାରୀ ଡହଳ ବିକଳ ଲାଗେ ଧାରାବାହିକ ଗପଗୁଡାକ ପଢିବାକୁ ।ପ୍ରିୟ ମନୋଜଙ୍କର ଜହ୍ନ ମାମୁଁରେ ବାହାରୁଥିଲା ପଗଟିଏ କନକ ଉପତ୍ୟକାର କାହାଣୀ ।ଆହୁରି କେତେ ମନ ଛୁଆଁ ଗପ ସବୁ ସେତେବେଳେ କିଶୋର ମନକୁ ଛୁଇଁ ଯାଉଥିଲା ଆଜି କେବଳ ସ୍ମୃତି ହେଇ ରହି ଯାଇଛି ।

ଭାରୀ ମନେ ପଡୁଛି ବହି ଲୁଚେଇ ପଢିବାର କେତେ ମଜାଳିଆ କଥା ।ମୋ ହାତରେ ବହି ପଡିଲେ ମୁଁ ଖୋଜେ କେହି ନପାଇବା ଭଳି ଯା’ଗାଟେ ।କାହିଁକି ନା ନିଜର ଖାଇବା ପିଇଵା କି ବାଥରୁମ ଯିବା କାମ ତ ଅଛି ନା ।ସେତେବେଳେ ସଉପ ଭିତରେ ଲୁଚେଇକି ମୁଁ ଗୁଡେଇ ଦିଏ ପତ୍ରିକାଟି ।ମୋ ଭାଇ ଭଉଣୀ ଖୋଜିଲେ ବି ପାଆନ୍ତିନି ।ଭାଇ ଵି ଆହୁରି ଚାଲାକ ।ଭାତ ଖାଇଲା ବେଳେ ପିଢା ତଳେ ଲୁଚେଇ ଦିଏ ।ଯେତେ ଡହଳ ବିକଳ ହେଇ ଖୋଜିଲେ ଵି ବହି ଆଉ ମିଳେନି ।ଏବେ ସେସବୁ ମଧୁର ସ୍ମୃତି କେବଳ ।

ବହିର ସ୍ପନ୍ଦନ ଟିଏ ଥାଏ ,ଏତିକି ମୁଁ କାହିଁକି ସଵୁ ବହିପ୍ରେମୀ ନିଶ୍ଚୟ ଶୁଣିଥିବେ ।ସେ ଅନୁଭବ ଟି ଲେଖକ କିମ୍ବା କବିଙ୍କର ଏକାନ୍ତ ନିଜସ୍ଵ ।ତାଆରି ଭିତରେ ମଜ୍ଜି ଯିବାକୁ କେତେ ଯେ ସୁଖ ଲାଗେ ସେକଥା ବହି ପଢୁଥିଵା ସବୁ ମଣିଷ ନିଶ୍ଚୟ ସ୍ଵୀକାର କରିବେ ।ଦୁନିଆରେ କେତେ ବହି କେତେ କଵି ଲେଖକ !!ସଵୁ ବହି ପଢିବା ଆଉ ଲେଖକଙ୍କୁ ବୁଝିବା ସମ୍ଭବ ହୁଏନି ଗୋଟିଏ ଜନ୍ମରେ ।ତଥାପି ଯେତିକି ସମ୍ଭବ ସେତିକି ପଢିପାରିଲେ ଵି ଜୀବନ ସାର୍ଥକ ଲାଗେ ।

ଵିଶ୍ଵ ପୁସ୍ତକ ଦିବସରେ ଆପଣମାନଙ୍କ ପଠନୀୟତାକୁ ଅନେକ ଶୁଭେଚ୍ଛା ।


Rate this content
Log in

Similar oriya story from Inspirational