ସଜା
ସଜା
ଏକୋଇଶ ବର୍ଷ ବୟସରେ ବାପା ମା ଇରାକୁ ବିବାହ ଦେଇଦେଲେ ।ଚାକିରୀ କରିବା କଥା କହିବାରୁ କହିଲେ , ବରଟିଏ ମିଳିବାପାଇଁ ଯେତିକି ପାଠ ଦରକାର ଥିଲା ହୋଇଗଲା । ଏବେ ଚାକିରୀ କରିବା ନକରିବା ତୋ ଭାବିସ୍ଵାମୀଙ୍କ ଉପରେ ନିର୍ଭର କରେ । ବାଇଶି ବର୍ଷରେ ଇରା ଗର୍ଭବତୀ ହେଲା ।ପେଟରେ ଛୁଆ ଥିଲା ଝିଅ ।ଝିଅ ଜନ୍ମରେ ପରିବାରର ସଦସ୍ୟ କାହାରି ମନରେ ଖୁସି ନଥିଲା । ଏମିତିକି ଝିଅର ବାପାଙ୍କର ବି ।
ଚବିଶ ବର୍ଷରେ ପୁଣିଥରେ ଇରା ଗର୍ଭବତୀ ହେଲା ।ଏତେ ଜଲଦି ଆଉ ଗୋଟିଏ ଛୁଆର ମା ହେବାକୁ ଚାହୁଁ ନଥିଲା ସିଏ ।କିନ୍ତୁ ଶାଶୁଘର ପରିବାରକୁ ଲୋଡାଥିଲା ପୁଅଟିଏ । ଅଲ୍ଟ୍ରାସାଉଣ୍ଡ ରିପୋର୍ଟରୁ ଜଣାପଡିଲା ଗର୍ଭରେ ଥିବା ଛୁଆଟି ଝିଅ । ଇରାକୁ ବାଧ୍ୟକରାଗଲା ଆବର୍ଶନ କରିବାକୁ ।
ହୃଦୟରୁ ଭାଙ୍ଗିପଡ଼ିଲା ଇରା ।ମାନସିକ ଅବସାଦରେ କାଳାତିପାତ କଲା । ତା ପ୍ରତି କରାଯାଉଥିବା ଅନ୍ୟାୟ ପ୍ରତି ସ୍ୱର ଉତ୍ତୋଳନ କଲା । ବାପାମା କହିଲେ ପରିବାରର ଉତ୍ତରାଧିକାରୀ ଭାବେ ପୁଅଟିଏ ତ ଦରକାର । ଜଣକର ଦରମାରେ ଦୁଇ ଦୁଇଟା ଝିଅଙ୍କୁ ବାହାଦେବା କଣ ସମ୍ଭବ ? ସ୍ୱାମୀ ସୁରେନ୍ଦ୍ର କହିଲେ ମୋର ଝିଅ ଦରକାର ନାହିଁ ।ପାଠ ପଢିଛ ବୋଲି ନ୍ୟାୟ ଅନ୍ୟାୟର ପାଠ ମୋତେ ଶିଖାଅନି। ଇରା ବାଧ୍ୟହୋଇ ଆବର୍ଶନ କରିଦେଲା ତା ପେଟର ଛୁଆକୁ ।
ତାପରଠୁ ଆରମ୍ଭ ହେଲା ସ୍ୱାମୀ ସ୍ତ୍ରୀ ଭିତରେ ଝଗଡା । ଯୁକ୍ତିତର୍କ ଅଧିକାଂଶ ସମୟରେ ଏତେ ଭୟଙ୍କର ହେଲା ଯେ ସ୍ୱାମୀ ହାତ ଉଠେଇବାକୁ ପଛେଇଲେ ନାହିଁ । ଅପମାନ ସହି ନପାରି ମରିଯିବାର ନିଷ୍ପତି ନେଇଥିଲା ଇରା । ଯେତେଥର ଏମିତି ନିଷ୍ପତିରେ ଆଗେଇବାକୁ ଯାଉଥିଲା ଆଖି ଆଗରେ ନାଚି ଉଠୁଥିଲା ନିଜର ଛୋଟ ଝିଅ ହୀରା ଆଉ ଚୁପରହିଲେ ପଡୁଥିଲା ସ୍ୱାମୀଙ୍କ ଜିଦ ସାମ୍ନାରେ । ମାନସିକ ଅବସାଦରେ ଇରା ବେଳକୁ ବେଳ ବିବ୍ରତ ହେଉଥିବା ବେଳେ ପୁଣିଥରେ ଗର୍ଭବତୀ ହୋଇଥିଲା ଆଉ ପରୀକ୍ଷାରୁ ଜଣାପଡିଲା ଏଥର ବି ଛୁଆଟି ଝିଅ ।
ଶାଶୁ କହିଲେ ଘରେ ପଶୁଣୁ ମୁଁ କହିଛି ନାଁ ୟାର ଲକ୍ଷଣ ସବୁ ଝିଅ ମାର । ପୁଅ ହବନି ୟାର । ମୋର ଗୋଟିଏ ବୋଲି ପୁଅ କଣ ପୁଅ ଆଣ୍ଠୁକୁଡ଼ା ହୋଇ ରହିଯିବ ? ଏଥର ବି ଆବର୍ଶନ କରିଦିଅ ।ପ୍ରଥମ ଥର ପାଇଁ ଇରା ଶାଶୁ ମୁହଁରେ ଜବାବ ଦେଇ କହିଲା , ମୁଁ ଆଵର୍ଶନ କରିବିନି । ମୋ ପେଟର ଝିଅ ଦୁନିଆ ଦେଖିବ ।
ବସିଥିବା ଜାଗାରୁ ଉଠିଆସି ଢାଇ କରି ଚାପୁଡାଟେ କସିଦେଲେ ସ୍ୱାମୀ । ଗର୍ଜନ କରି କହିଲେ ତୋର ଏଡ଼େ ସାହସ ମୋ ଆଖି ସାମ୍ନାରେ ତୁ ମୋ ମାକୁ ଜବାବ ଦେବୁ ? ଯା ବାହାରିଯା ମୋ ଘରୁ ।
ଝିଅକୁ ଧରି ସେଇଦିନ ଇରା ବାପଘରକୁ ଚାଲିଆସିଲା । ଦ୍ଵିତୀୟ ଝିଅକୁ ଜନ୍ମଦେଲା ଆଉ ଦୁଇ ଝିଅଙ୍କ ଭରଣପୋଷଣ ପାଇଁ ଚାକିରୀ ଖୋଜିଲା ।ଅଳ୍ପଦିନରେ ଚାକିରୀଟିଏ ବି ପାଇଗଲା ସିଏ ।
ସ୍ୱାମୀ ଡିଭର୍ସ ଦେବାକୁ ଧମକାଉଥାନ୍ତି । ବେଳେବେଳେ ବାପା ମା ବି କହୁଥାନ୍ତି ,ହଉ ଯାହା ହେବାକଥା ହୋଇଗଲା । ହାତଧରି ବାହା ହୋଇଛୁ ଯେତେବେଳେ କଣ ସତରେ ପୁରା ଛାଡ଼ିଦେବୁ ନା କଣ ? ଇରା କିନ୍ତୁ ଆଉ କାହା କଥାରେ ପ୍ରଭାବିତ ହୋଇନଥିଲା ।
ସ୍ୱାମୀ ଆଉ ଅପେକ୍ଷା କଲେନି ।ତାକୁ ଡିଭୋରସ ଦେଇ ଦ୍ଵିତୀୟ ବିବାହ କରିଲେ । ଦ୍ଵିତୀୟ ସ୍ତ୍ରୀ ଆଡୁ ତାଙ୍କର ପୁଅଟିଏ ବି ହେଲା ।
ତିରିଶ ବର୍ଷ ପରେ..............
ଦିନେ ହସ୍ପିଟାଲରେ ଡାକ୍ତର ନିଳୋତ୍ପଳାର ରୁମକୁ ଆସି ଦୁଇଜଣ ସ୍ୱାମୀ ସ୍ତ୍ରୀ ଛୁଆର ଲିଙ୍ଗ ପରୀକ୍ଷା କରିବାକୁ ଅନୁରୋଧ କରିଥିଲେ । ନୀଳା ସେମାନଙ୍କୁ ବୁଝେଇଥିଲା ଏସବୁ ଆଇନ ସିଦ୍ଧ ନୁହେଁ । ହସିହସି ଏକଥା ବି କହିଲା ଆଉ କଣ ସେ ଯୁଗ ଅଛି ଜଣକୁ ଝିଅ କହି ତୁମେ ହତାଦର କରିବ । ଏବେ ତ ଝିଅ ପୁଅ ସମାନ ।
ଟେବୁଲ ଦେହରେ ହାତ ବାଡେଇ ସ୍ୱାମୀଟି କହିଲା , ଏସବୁ ଆପଣମାନଙ୍କ ଭଳି ବଡ଼ ଲୋକଙ୍କ ଘରେ ହେଉଥିବ । ଆମେ ହେଲୁ ମଧ୍ୟବିତ୍ତ ପରିବାରର ଲୋକ । ଆମର ବର୍ତମାନ ଓ ଭବିଷ୍ୟତ ପାଇଁ ପୁଅଟିଏ ଦରକାର ଯିଏ ଆମ ବଂଶ ଆଗକୁ ନେବ । ନୀଳା କହିଲା , ମୁଁ ଏକଥା କରିବିନି । ପିଲାଟି ପକେଟରୁ ପାଞ୍ଚ ହଜାର ଟଙ୍କା କାଢି ଟେବୁଲ ଉପରେ ଥୋଇ କହିଲା , ଏତିକି ଚଳିବ ନା ଆଉ ଦେବି ?
ସର୍ବାଙ୍ଗ ତାତି ଉଠିଲା ନୀଳାର । ଚେୟାରରୁ ଉଠିପଡ଼ି ପାଟିକରି କହିଲା , ଉଠାଅ ଏ ଟଙ୍କା ଆଉ ବାହାର ମୋ ରୁମରୁ । ନହେଲେ ମୁଁ ପୋଲିସକୁ ଡାକିବି । ଲୋକଟି ଟଙ୍କା ହାତରେ ଧରି ବାହାରକୁ ବାହାରି ଆସିଲା । ବାହାରେ ବେଞ୍ଚରେ ବସିଥିବା ଜଣେ ପ୍ରୌଢ ବ୍ୟକ୍ତିଙ୍କ ପାଖକୁ ଯାଇ କହିଲା , ତମେ ବି ନା ବାପା କାହାଠୁ କଣ ଶୁଣିଦେଲ ଏଇ ଡ଼ାକ୍ତରାଣୀ ଟା ଭଲ କହି ଆମକୁ ଭିଡି ଆଣିଲ ଏଠିକୁ । ସହରରେ କଣ ନର୍ସିଂହୋମର ଅଭାବ ଅଛି ? ପଇସା ପକେଇଲେ ୟା ଭଳି ଗୋଟା ଗୋଟା ଡାକ୍ତର ଆସି କାମ କରିବେ । ଏ ମାଇକିନିଆ ଛୁଆଟା ଏମିତି କି ପାଠ ପଢି ପକେଇଛି ଯେ ଇନ୍ଦ୍ରଚନ୍ଦ୍ର ମାନୁନି ।
ବେକରେ ଷ୍ଟେଥୋସ୍କୋପ ପକେଇ ରୁମ ଭିତରୁ ବାହାରି ଆସିଲା ବେଳେ ନୀଳା ଦେଖିଲା ବେଂଚ ଉପରେ କେବଳ ପ୍ରୌଢବ୍ୟକ୍ତି ଜଣେ ବସିଛନ୍ତି । ପାଖକୁ ଯାଇ ପଚାରିଲା ,ଅଙ୍କଲ ଏଇଟା ସ୍ତ୍ରୀ ଆଉ ପ୍ରସୂତି ବିଭାଗ । ଆପଣଙ୍କର ରୋଗୀକୁ ନେଇ କାଲି ଆସନ୍ତୁ ।
ପ୍ରୌଢ଼ବ୍ୟକ୍ତି ଜଣକ କହିଲେ , ମା ମୁଁ ତୋତେ ଟିକେ ଦେଖିବାକୁ କେତେବେଳୁ ଏଠି ବସି ରହିଛି ।
କିନ୍ତୁ କାହିଁକି ଅଙ୍କଲ ?
ଖାଲି ତୋତେ କହିବାକୁ ଯେ ତିରିଶି ବର୍ଷ ତଳେ ଯେଉଁ ଭୁଲ ମୁଁ କରିଥିଲି ଆଜି ସେଇ ଭୁଲ ପୁଣିଥରେ ମୋ ପୁଅ କରିବାକୁ ଯାଉଛି । ଯେଉଁ ପୁଅ ଲୋଭରେ ମୁଁ ମୋ ସ୍ତ୍ରୀ ଆଉ ଝିଅ ମାନଙ୍କୁ ହତାଦର କରିଥିଲି ଆଜି ସେଇ ପୁଅର ଦୌରାତ୍ମ ସହିବା ମୋ ପାଇଁ କଷ୍ଟ ହୋଇ ପଡୁଛି ।
ଅଙ୍କଲ ଆପଣ କାହା କଥା କହୁଛନ୍ତି ?
କିଛି ସମୟ ତଳେ ଯେଉଁ ପିଲାଟି ତୁମ ସହିତ ପାଟିତୁଣ୍ଡ କରୁଥିଲା ସେ ମୋରି ପୁଅ । ତାକୁ ବୁଝେଇ ବୁଝେଇ ଥକିଗଲିଣି । କହିଲି ବାପା ପେଟରେ ବଢୁଥିବା ଝିଅଟି ଗୋଟିଏ ଦେବୀ । ଦେବୀକୁ ଅବମାନନା କରେନା । ହେଲେ ତାର ଏକା ଜିଦ ତାକୁ ପୁଅ ଦରକାର । ତାକୁ ଟିକିଏ ବୁଝେଇ ଦେ ମା ,ପାରିବୁ ଯଦି କିଛି ବି କହି ତାକୁ ଡରେଇଦେ । ମୁଁ ପୁଅ ବୋହୂଙ୍କୁ ଧରି ପୁଣି କାଲି ଆସିବି ।
ଅଙ୍କଲଙ୍କୁ ହଁ କହି ନୀଳା ଘରକୁ ଚାଲିଆସିଲା । ଘରେ ଇରାକୁ ପୁରା ଘଟଣା ବୁଝେଇ କହିଲା , ମାମା , ରୁଗ୍ଣ ମାନସିକତାରୁ ମଣିଷ କେବେ ଆଉ ଉପରକୁ ଉଠିବ ? ଆମ ସମୟର ପିଲାଟିଏ ହୋଇ ଏ ବୟସରେ କହୁଛି ଯେମିତି ବି ହେଉ ତାକୁ ପୁଅ ଦରକାର । କିନ୍ତୁ ସେ ପିଲାର ବାପାକୁ ଦେଖି ଭାରି ଦୁଃଖ ଲାଗିଲା ମାମା। ବୟସ ବେଳେ ନିଜେ କରିଥିବା ଦୁଃଖର ସଜା ଭୋଗୁଛନ୍ତି ସିଏ ।
କିଏ ସେ ? ତୁ ତାକୁ ଚିହ୍ନିଛୁ ? କେମିତି ଦେଖିବାକୁ କହିଲ- ପତଳା , ଲମ୍ବା , ଗୋରା ଆଉ ଦାଢିବାଲା ମଣିଷଟିଏ ?
ତାଙ୍କ ବାମପଟ ଆଖିତଳେ ଗୋଟେ ବଡ଼ ନାଲିଜାଇ ଥିଲା କି ? ସାମ୍ନାପଟ ଟିକିଏ ଚନ୍ଦା …….
ମାମା , ଏତେ କଥା ତ ମୁଁ ନଜର କରିନି ! କିନ୍ତୁ ତୁମର କିଛି କଥା ତ ମିଶୁଛି । ତମେ କଣ ତାଙ୍କୁ ଚିନ୍ହିଛ ?
ଇରା କହିଲା , ମୁଁ କେମିତି ଚିହ୍ନିବି ? ଲୋକଟିକୁ ତ ମୁଁ ଦେଖିନି ।କେମିତି କହିବି ତାକୁ ଚିହ୍ନିଛି ବୋଲି । ତୋ କହିବାନୁସାରେ ଏମିତି ଜଣଙ୍କୁ ମୁଁ ଜାଣେ ଯାହାଙ୍କ ପୁଅ ମୋର ଗୋଟେ ଦୁର ବନ୍ଧୁର ଝିଅ ଝିଲିକାକୁ ବାହା ହୋଇଛି ।
ମାମା , ସେ ବୋହୂଟିର ନାଁ ତ ଝିଲିକା । ଏମିତି ନାଁ ମୁଁ ଆଗରୁ ଶୁଣିନଥିଲି । ଝିଅଟି ଭାରି ସରଳ । କାଲି ସେ ଅଙ୍କଲ ତାଙ୍କ ପୁଅ ବୋହୂକୁ ନେଇକରି ଆସିବେ କହିଛନ୍ତି । କାଲି ତୁମେ ମୋ ସହିତ ଚାଲ ମା । ତମ କଥାରେ ପ୍ରଭାବିତ ହୋଇ ହୁଏତ ସେ ବୋହୂଟି ତାର ନିଷ୍ପତି ବଦଳାଇଦେଇପାରେ । ଯେଉଁ ଦୁଃଖ ଦେଇ ତୁମେ ଦିନେ ସମୟ କାଟିଥିଲ ଅନ୍ତତଃ ସେ ଦୁଃଖ ତୁମର ଜଣେ ଚିହ୍ନ। ଲୋକ ତ ନ ପାଉ ।
--- କିନ୍ତୁ ସେ ଆଉ କେଉଁ ଝିଲିକା ବି ତ ହୋଇଥାଇପାରେ ?
ହୋଇଥାଇପାରେ ମାମା । ତୁମର କଥାରେ ଯଦି ମଣିଷଟିଏ ଭୁଲରାସ୍ତାରୁ ଓହରିଆସିବ ତାହା କଣ କମ ଗର୍ବର କଥା ହେବ ତୁମପାଇଁ ? ପ୍ଲିଜ ମାମା ....ମନା କରନି ।
ପରଦିନ ଇରା ହସ୍ପିଟାଲ ଗଲା । ଝିଅର କହିବାନୁସାରେ ବାହାର ବେଞ୍ଚରେ ଅପେକ୍ଷାରେ ବସିଥିବା କିଛି ରୋଗୀଙ୍କ ଗହଣରେ ବସିଗଲା ।
ଏପଟ ସେପଟ ହୋଇ ସବୁ ବୟସ୍କ ବ୍ୟକ୍ତିଙ୍କ ମୁହଁକୁ ଅନେଇ ହତାଶ ହୋଇପଡୁଥିଲା ସିଏ । ମନରେ ଶଙ୍କା ଉଠୁଥିଲା ଲୋକଟି ଯଦି ଆଉ କିଏ ହୋଇଥିବ ? ଲକ୍ଷ ଲକ୍ଷ ଲୋକଙ୍କ ଭିତରେ ଝିଲିକା ନାଁ କେତେ ଝିଅଙ୍କର ଥିବ । ଅଚିହ୍ନଆ ଲୋକଟିଏକୁ ଉପଦେଶ ଦେଲେ ସେ ବା ଇରା କଥାକୁ କାହିଁକି ଶୁଣିବାକୁ ଯିବ ଯେ ! ବରଂ ବିରକ୍ତ ହୋଇ ଏ କଥା କହିପାରେ , ଆମ କଥାରେ ତୁମେ କାହିଁକି ମୁଣ୍ଡ ପୁରାଉଛ ?
ଆଉ ରହିଲା ସେ ଜାଣିଥିବା ଝିଲିକା କଥା । ଯଦି ବୋହୂଟି ସେଇ ଝିଲିକା ହୋଇଥିବ ତେବେ ଇରା ଆଜି ଯେଉଁ ପ୍ରୌଢ଼ ବ୍ୟକ୍ତିଙ୍କୁ ଭେଟିବାକୁ ଯାଉଛି ସେ ତା ସ୍ବାମୀ ବ୍ୟତୀତ ଆଉ କେହି ନୁହଁ । ଏତେ ବର୍ଷ ପରେ ତାଙ୍କ ସହିତ ଇରାର ଦେଖାହେଲେ ଜାଣେନି ତାକୁ ଦେଖି ସେ କେମିତି ବ୍ୟବହାର କରିବେ । ତାକୁ ଚିହ୍ନିଛନ୍ତି ବୋଲି ମାନିବେ କି ନାହିଁ ?ତମେ କିଏ ମୁଁ ଚିହ୍ନିନି ବି କହିପାରନ୍ତି । ବସିରହି ଏମିତି ଅନେକ କିଛି ଭାବିବା ଅବସ୍ଥାରେ ହଠାତ ଇରା ଲକ୍ଷ୍ୟ କଲା ଲୋକଟିଏ ତା ଦୁଇପାପୁଲିରେ ମୁଣ୍ଡକୁ ଭରାଦେଇ ବେଞ୍ଚର ଗୋଟିଏ କଡରେ ମୁହଁ ତଳକୁ କରି ବସିଛି । ଇରା ପାଦ ଚିପିଚିପି ଲୋକଟିର ପାଖକୁ ଯାଇ ପଚାରିଲା , କେମିତି ଅଛ ? ଗାଇନିକ ୱାର୍ଡ ରେ କଣ କରୁଛ ?
ନିଜ ଆଖିକୁ ଵିଶ୍ଵାସ କରିପାରୁ ନଥିଲେ ସୁରେନ୍ଦ୍ର । ଟିକେ ଦୋ ଦୋ ଚିହ୍ନଆ ହୋଇ କହିଲେ , ଇରା , ତମେ ଏଇଠି ? କଣ ହେଇଛି ତୁମର ?
-- ନା ମୋର କିଛି ହୋଇନି । ତୁମେ କୁହ କଣ ପାଇଁ ତୁମେ ଏଠି ?
ପୁଅ ବୋହୂଙ୍କୁ ନେଇ ଆସିବାର ଥିଲା । ହେଲେ ପୁଅ ମନା କରିଦେଲା । ଡାକ୍ତରଙ୍କୁ କାଲି କହିଥିଲି ତ ସେମାନଙ୍କୁ ଆଣିବି ବୋଲି ...ଆଜି ଝିଅକୁ ସେଇକଥା କହିବା ପାଇଁ ଆସିଥିଲି ।
ଝିଅ ? କୋଉ ଝିଅ ? ତୁମେ କଣ ଜାଣିଛ ସେ….......
ଆମ ଡାକ୍ତର ଝିଅ ମ ...ଭାରି ଭଲ ପିଲାଟିଏ । ପାଞ୍ଚ ହଜ଼ାର ଟଙ୍କାକୁ ହାତରେ ଆଡେଇଦେଲା । ଆଉ କିଏ ହୋଇଥିଲେ ....
ହୀରା କେତେ ବଡ଼ ହୋଇଯିବଣି ତ ? କଣ କରୁଛି ?
ତହସିଲଦାର ହୋଇଛି । ତା ପୋଷ୍ଟିଂଗ ଦୂରରେ । ମାସକୁ ଥରେ ଦୁଇଥର ଆସୁଛି ।
ହୀରା ଆଉ ମୋତେ ମନେ ରଖିନଥିବ ? ଭୁଲିସାରିବଣି ମୋତେ ।ସାନଝିଅର ନାଁ କଣ ଦେଲ ? ତାକୁ ତ ମୁଁ ମୂଳରୁ ଦେଖିନି ।
ନୀଳୋତ୍ପଳା । ଡାକ ନାଁ ନୀଳା....
ଆମ ଡାକ୍ତର ଝିଅର ନାଁ ବି ନିଳୋତ୍ପଳା ।
ହୁଁ.......
ସାନ ଝିଅକୁ ନଷ୍ଟ କରିଦେବା ପାଇଁ ମୁଁ ତୁମ ଉପରେ ହାତ ଉଠେଇଲି । ଜିଦ ଆଉ ରାଗରେ ଡିଭର୍ସ କରିଲି । ସେତେବେଳେ ମୁଣ୍ଡ ଆଉ କୋଉ କାମ କରୁଥିଲା କି ? ପୁଅ ନିଶାରେ ତ ଅନ୍ଧ ପାଲଟି ଯାଇଥିଲି ମୁଁ । ବୟସ ଆଉ ପୁରୁଷର ଗର୍ବରେ ଏମିତି କର୍ମ କରି ବସିଲି ଯେ ଏବେ ମୋ ଝିଅ ମାନଙ୍କୁ ମୁଁ ମୋର କହିପାରୁନି । ତମକୁ ମୋ ରାଣ ଇରା , ଏ ଅଧମ ବୁଢାଟା ଏଇ ଦେବୀ ଦୁଇଟିର ବାପା ବୋଲି କେବେ ପରିଚୟ ଦେବନି । ଯଦି କେବେ ବାପାଙ୍କ କଥା ସେମାନେ ପଚାରିବେ କହିଦେବ ତାଙ୍କ ବାପା ଆଉ ଏ ଦୁନିଆରେ ନାହାନ୍ତି ।
ସୁରେନ୍ଦ୍ରଙ୍କର ଆଖି ଛଳଛଳ ହୋଇ ଉଠିଥିଲା । ଇରା କହିଲା ,
ଏତେ ବଡ଼ କଥା ମୁଁ କହିବି ବୋଲି କେମିତି ଭାବି ପାରିଲ ତୁମେ ? ମୋ ହୃଦୟରେ ଆଜିଯାଏଁ ତୁମ ଛଡା ଆଉ କେହି ନାହାନ୍ତି । ତୁମେ ସିନା ମୋତେ ଭୁଲିଗଲ କିନ୍ତୁ ଏମିତି ଗୋଟିଏ ଦିନ ନାହିଁ ଯେଉଁଦିନ ମୁଁ ତୁମକୁ ମନେ ପକେଇନି । ପୁରୁଷ ଯେତେବେଳେ ଭୁଲ ପଦକ୍ଷେପ ନିଏ ସେତେବେଳେ ତା ସ୍ତ୍ରୀକୁ ଦୁର୍ଗା ଆଉ କାଳୀ ର ରୂପ ନେଇ ଠିକ ପଦକ୍ଷେପ କଣ ଦେଖେଇ ଦେବା ଦରକାର ପଡେ । ମୁଁ କେବଳ ସେତିକି କରିଥିଲି ଆଉ ତୁମ ଘରେ ଦୁଷ୍ଟା , ଅମାନିଆଁ ଆଉ ପୁଅ ଆଣ୍ଠୁକୁଡି ପାଲଟିଗଲି । ଅନ୍ୟ ମାନଙ୍କ କଥା ଛାଡ ତୁମେ ବି ଏମିତି ଭୁଲିଗଲ ଯେ ଥରକ ପାଇଁ ଜାଣିବାକୁ ଚାହିଁଲନି ମୁଁ କେମିତି ଅଛି , କୋଉଠି ଅଛି , କଣ କରୁଛି , କେମିତି ବଞ୍ଚିଛି । ହଁ , ତମକୁ ତ ସ୍ତ୍ରୀ ,ପୁଅ ସବୁ ମିଳିଗଲା ...........।
ପୁଅର ନାଁ କଣ ? କଣ କରୁଛି ସିଏ ।
ନାଁ ଧରନି ସେ ଚଣ୍ଡାଳର । ଗୋଟେ ଅଯୋଗ୍ୟ ବାପର ଅଯୋଗ୍ୟ ସନ୍ତାନ ସିଏ ।
କିଏ ଅଯୋଗ୍ୟ ବାପା ? ମୁଁ ନାଁ ତୁମେ ? ଭାବିଛ ଆମେ କିଛି ଜାଣିପାରିବୁନି ? ନିଜର ଏକ୍ସ ବାଇଫ ସହିତ ମିଶିବା ପାଇଁ ଭଲ ଖେଳ ଖେଳିଲ ? ହସ୍ପିଟାଲରେ ବି ପ୍ରେମ ଖେଳ ହୋଇପାରେ ଏକଥା ତ କେହି କେବେ ବି ସନ୍ଦେହ କରିବେନି । ଶାଶୁ ମା ଆଜି ମୋ ସାଙ୍ଗରେ ଆସିବାରୁ ସିନା କଥାଟା ଧରା ପଡିଲା ।
କଣ ଏସବୁ କହିଚାଲିଛୁ ତୁ ? କାହାକୁ କଣ କହୁଛୁ ତୁ ? ବୋହୂ ଗର୍ଭର କନ୍ୟା ଭ୍ରୁଣକୁ ନଷ୍ଟ ନ କରିବା କଥା ବୁଝେଇବାକୁ ସେ ଏଠିକୁ ଆସିଛି । ଡାକ୍ତର ଝିଅର କଥାରେ ସେ ଆସିଛି । ଏଇଠି ଅକସ୍ମାତ ଆମର ଦେଖା ।
ଅକସ୍ମାତ ଦେଖା ? ହା ହା ହା
ହଁ ପୁଅ ....ନୀଳା ମୋତେ କହିଲା ତୋ ସ୍ୱାମୀ ଭଳି ଆଉ ଗୋଟିଏ ମୂର୍ଖ, ଦୁରଦୃଷ୍ଟିହୀନ ଜିଦଖୋର ପୁରୁଷ ପୁଣି ଗୋଟିଏ ସରଳ ନିରୀହ ବୋହୂର ଭବିଷ୍ୟତ ନଷ୍ଟ କରିବାକୁ ବସିଛି ମାମା । ତୁ ତାକୁ ଟିକେ ବୁଝେଇ ବାଟକୁ ନେଇଆ ନଚେତ ସେ ବୋହୂ ଦେହରେ କିଛି ଶକ୍ତି ଭରିଦେ ଯାହା ଫଳରେ ସେ ତା ନହ୍ନିପରୀକୁ ବଞ୍ଚେଇ ରଖିବ ।
--- ଏ ନୀଳା କିଏ ? ଡ଼ାକତରାଣୀ ମାଡାମ ? ତାଙ୍କ ସହିତ ତମର କଣ ସମ୍ପର୍କ ?
ଇରା କିଛି ନ କହି ଚୁପ ରହିଲା ।
ତାହେଲେ ଶାଶୁ ମା ଠିକ କହିଛନ୍ତି ମୋତେ । ଡାକ୍ତର ନିଲୋତ୍ପଳା ଜଣେ ଜାରଜ ସନ୍ତାନ ଆଉ ତା ମା ଗୋଟେ ବେଶ୍ୟା ।
ମୁହଁ ସମ୍ଭାଳି କଥାବାର୍ତା କର କହି ସୁରେନ୍ଦ୍ର ବସିଥିବା ଜାଗାରୁ ଉଠିଆସିବା ମାତ୍ରେ ବାପାର ହାତକୁ ଧରିନେଇ ପୁଅ କହିଲା , କେବେଠୁ ଚାଲିଛି ଏ ଲୀଳା ? ମମି ଜାଣିଛି ଏ କଥା ?
---ଆଗ ଭୁଲ ମାଗେ ତୁ ?
ଏ ବେଶ୍ୟାକୁ ମୁଁ ଭୁଲ ମାଗିବି ?
ସୁରେନ୍ଦ୍ର ଢାଏ କରି ପୁଅର ଗାଲରେ ଶକ୍ତ ଚଟକଣାଟିଏ ପକେଇଦେଇ କହିଲେ , ବେଶ୍ୟା ନୁହେଁରେ ଦେବୀଟିଏ ସେ ।
ପୁଅ ରାଗରେ ବାପାଙ୍କ ଆଡ଼କୁ ମାଡ଼ିଆସି କହିଲା ତମର ସାହସ ତ କିଛି କମ ନୁହେଁ ? ମୁଁ ଯଦି ଚାହିଁବି ମା କୁ କହି ଗୋଟିଏ ମୁହୂର୍ତ୍ତରେ ତୁମକୁ ଘରୁ ବାହାର କରିଦେବି । ଦାଣ୍ଡରେ ବୁଲିଲେ ଜାଣିବ ପୁଅ କଣ ?
ପଛରୁ ଦୁଇଥର ତାଳିମାରି ନୀଳା କହିଲା , ଆଛା ମୋ ବାପାକୁ ତୁ ଦାଣ୍ଡକୁ କାଢ଼ିଦେବୁ ? ଆଉ ଏ ନୀଳା ମହାନ୍ତି ଥାଉଥାଉ ? ହାତ ଲଗେଇ ଥରେ ଦେଖା ତ ...ତୋତେ ଯଦି ମାମୁଁଘର ଦେଖେଇ ନ ଦେବି ତାହେଲେ ମୋ ନାଁ ନିଲୋତ୍ପଳା ନୁହେଁ ।
ହୁଙ୍କାର ରଡି ଛାଡି ନୀଳା ଆଡକୁ ମାଡ଼ିଆସିବା ବେଳେ ସୁରେନ୍ଦ୍ର ସାମ୍ନାରେ ଠିଆହୋଇ କହିଲେ , ତୋତେ ପାଇବା ଲୋଭରେ ଯାହା ଭୁଲ କରିଦେଲି । କିନ୍ତୁ ଆଉ ନୁହେଁ । ମୋ ବଞ୍ଚିଥିବାଠି ମୋ କନ୍ୟାରତ୍ନ ଦେହରେ କେହି ବି ହାତ ଲଗେଇଲେ ତା ହାତ କାଟି ଖଣ୍ଡଖଣ୍ଡ କରିଦେବି ମୁଁ ।
ସିକୁରୀଟି ଗାର୍ଡ ଆସି ସୁରେନ୍ଦ୍ରଙ୍କ ପୁଅକୁ କବଜାକୁ ନେଇସାରିଥିଲା ସେତେବେଳକୁ । ନୀଳା କହୁଥିଲା , ଗେଟ ବାହାରକୁ ନେଇ ଭଲରେ ଭଲରେ ଛାଡିଦିଅ ତାକୁ ।
ସୁରେନ୍ଦ୍ର ଇରାକୁ ଚାହିଁ କହିଲେ , ଇଏ ତୁମର ଦ୍ଵିତୀୟ ଝିଅ ? ତୁମର ନୁହେଁ ଆମର ।
ସୁନ୍ଦର ନାଁଟିଏ ,ନୀଳା । ତୁମକୁ ଜଣାଥିଲା ଝିଅ ନୁହେଁ ତୁମେ ଦୁଇଟି ରତ୍ନ ଜନ୍ମ କରିଛ ବୋଲି ? ହୀରା ଆଉ ନୀଳା ଆମର ଦୁଇ କନ୍ୟାରତ୍ନ ।
ନୀଳାର ମୁଣ୍ଡ ଉପରେ ହାତ ବୁଲେଇଆଣି ସୁରେନ୍ଦ୍ର କହିଲେ , ମୋତେ କ୍ଷମା କରିଦେ ମା । ମୋ ପାପର ପ୍ରାୟଶ୍ଚିତ ନାହିଁ । ମୋ ଲାଗି ତୋ ମା ଖୁବ ଦୁଃଖ ପାଇଲା । ତା ଆଞ୍ଜୁଳିରେ ସରଗ ଭର୍ତି ସୁଖ ଆଜାଡ଼ିଦେ ।
ବାପାକୁ କୋଳେଇ ଧରି ନୀଳା କହିଲା , ହୀରା ଦିଦିକୁ ଦେଖିବାକୁ ଚାହିଁବନି ବାବା ?
କ୍ଷଣିକ ପାଇଁ ସୁରେନ୍ଦ୍ରଙ୍କ ଆଖି ଦୁଇଟି ସୁନେଲି ସ୍ୱପ୍ନର ଛୁଆଁରେ ବିଭୋର ହୋଇଉଠିଥିଲା ।ପୁଣି କଣ ଭାବିନେଇ ମୁହଁରେ କରୁଣ ହସ ଟିଏ ଖେଳାଇଦେଇଥିଲେ ସିଏ । କହିଲେ , ଆଗ ମୋ ପାପର ସଜା ମୁଁ ଭୋଗିସାରେ ଝିଅ । ପକେଟରୁ ନିଜର କାର୍ଡ ଟିକୁ କାଢି ଝିଅ ହାତରେ ତାକୁ ଧରାଇ ଦେଇ ମନ୍ଥର ଗତିରେ ସେ ତାଙ୍କ ଘରଆଡ଼େ ମୁହାଁଇଥିଲେ ।