Pramod Kumar Jena

Tragedy

3  

Pramod Kumar Jena

Tragedy

ସିଫନ୍ ଶାଢୀ

ସିଫନ୍ ଶାଢୀ

3 mins
431



       ବ୍ୟସ୍ତ ବହୁଳ ସହର ଠାରୁ ଟିକେ ଗାଆଁ ଆଡେ ବୁଲି ଆସିଲେ ମନଟା ଟିକେ ହାଲୁକା ଲାଗେ l ଏଥର ଆସିଛନ୍ତି ପୂଜା ଛୁଟିରେ l ଘରେ ପହଞ୍ଚିବା ପରେ ସାନ ଭଉଣୀ ଟୁନୀ ଗାଆଁଯାକର ସମ୍ପୂର୍ଣ୍ଣ ବିବରଣୀ ଭାଇଙ୍କ ଆଗରେ ଗାଇ ଚାଲେ l ପ୍ରଧାନ ଘର ଗାଈ ବାଛୁରୀ ଦେବା ଠାରୁ ଆରମ୍ଭ କରି ପଟ୍ଟନାୟକ ଘର ପୁଅ ଚାକିରି ପାଇବା ପର୍ଯ୍ୟନ୍ତ ସବୁ କଥା ଏକା ନିଃଶ୍ୱାସରେ ଗାଇ ଯାଏ l ସାନଭଉଣୀର ଏହି ଦକ୍ଷତାଟିକୁ ହେମନ୍ତ ପ୍ରଶଂସା ନ କରି ରହି ପାରନ୍ତି ନାହିଁ l ବୁଝିଲୁ ଟୁନୀ ! ତୁ ରେଡିଓ ଷ୍ଟେସନରେ ଜକି ହୋଇଯାଆ l ପାଠ ପଢାରୁ ତ୍ରାହି ମିଳିଯିବ, ଆଉ ଚାକିରି ବି ମିଳିଯିବ l ଟୁନୀ କି ଛାଡିବା ଝିଅ l

       : ହଁ........... ମୋ ପାଠ ପଢାରେ ତୁମ ପୁରା ଦରମା ପଳୋଉଛି ତ.............

       ହଠାତ୍ ଘର ସାମ୍ନା ଦାଣ୍ଡରେ ଗୋଟେ ଝିଅ ରଙ୍ଗୀନ୍ ସିଫନ୍ ଶାଢୀ ପିନ୍ଧି କାନି ହଲେଇ ଚାଲି ଯାଉଥିଲେ l ହେମନ୍ତ ପଚାରିଲେ, ‘ଟୁନୀ ! ଇଏ କିଏ ରେ ?’

       : ସିଏ ପରା ହରି ସାହୁ ଘର ଝିଅ l ଆର ଥର ତା’ କଥା କହୁ ନ ଥିଲି ? ମନେ ପକେଇଲେ ହେମନ୍ତ, ହରି ସାହୁ ଆଉ ତା’ ଝିଅ କଥା l ଦେଖିବାକୁ ଅସୁନ୍ଦର ନ ହେଲେ ବି ରଙ୍ଗ ପୁରା କଳା l ପଇସା ପତ୍ର ଅଭାବ ଯୋଗୁଁ ଝିଅ ବାହା କରେଇ ପାରି ନ ଥିଲେ l ସମସ୍ତେ ଭାବିଥିଲେ ଚାରି ଚାରିଟା ଝିଅ l କେମିତି ବାହା ଦେବ ? ପାଖରେ ଜମି ବାଡି, ବେପାର ବଣିଜ ନାହିଁ l ମୂଲ ଲାଗିଲେ ଚଳିବା କଥା l ବଡ ଝିଅ ଅହଲି (ଅହଲ୍ୟା) l ବାହାଘର କେଉଁଠି ହେଲେ ଠିକ୍ ହେଉ ନ ଥିଲା l ଆର ଥର ଟୁନୀ କହୁଥିଲା, ତା’ ବାହାଘର ହୋଇ ସାରିଛି l ବାହାରୁ କିଛି ବେପାରୀ ଆସିଥିଲେ l ତାଙ୍କର ରାଜ୍ୟରେ କୁଆଡେ ଝିଅ ନାହାନ୍ତି l ବିନା ଯୌତୁକରେ ବାହା ହୋଇ ନେଇଗଲେ l ଗଲା ଦିନ ସେ ଯିବାକୁ ଆଦୌ ରାଜି ନ ଥିଲା l ଜବରଦସ୍ତି ତା’କୁ ପଠେଇ ଦେଇଥିଲେ l ଗାଆଁ ବାଲା କହିଲେ, ଝିଅକୁ କଂସେଇ ହାତରେ ଟେକି ଦେଲା l ତା’କୁ ଆଜି ଗାଆଁରେ ଦେଖି ଖୁସି ଲାଗିଲା ହେମନ୍ତକୁ l କିନ୍ତୁ ମନ ଭିତରେ ପୂର୍ବ ଆଶଙ୍କା ଏବେ ବି ତାଙ୍କର ଥିଲା l ଟୁନୀ ଆରମ୍ଭ କଲା, ‘ଏବେ ଗାଆଁକୁ ଆସିଛି l ସବୁ ଦିନେ ନୂଆ ଶାଢୀ l ସକାଳୁ ଗୋଟେ, ସନ୍ଧ୍ୟାରେ ଗୋଟେ l ଗାଆଁ ସାରା ତାକୁ ଦେକି ଆଖି ତରାଟି ଚାହୁଁଛନ୍ତି l ଅହଲି ମାଆ କୁଆଡେ ଗାଆଁ ସ୍ତ୍ରୀ ଲୋକମାନଙ୍କୁ କହୁଥିଲା, ମଝିରେ ତା’ ଦେହ ବହୁତ ଖରାପ ହୋଇ ଯାଇଥିଲା l ଜ୍ୱାଇଁ ବୋଝେ ଟଙ୍କା ଖର୍ଚ୍ଚ କରି ତା’କୁ ଭଲ କଲେ l ଏତେ ଟଙ୍କା ଗାଆଁରେ ଥିଲେ, କେଉଁଠୁ ଆଣିଥାଆନ୍ତେ ?’

       ହେମନ୍ତ ଟୁନିକୁ ପଚାରିଲେ, ‘ତା’ ଦେହ ଖରାପ ବୋଲି ତୋତେ କିଏ କହିଲା ?’ 

: ହରି ସାହୁ ସ୍ତ୍ରୀ l ନହେଲେ ଆଉ କିଏ କହିବ? ଅପରେସନ୍ କରି ବଞ୍ଚେଇ ଦେଲେ ପରା?

ସେତେବେଳକୁ ଖାଇବା ବେଳ ହୋଇଗଲାଣି l ବୋଉ ଡାକିବାରୁ ଭାଇ ଭଉଣୀ ଦୁହେଁ ଖାଇବାକୁ ଗଲେ l


ତା’ ପର ଦିନ ସକାଳୁ ସକାଳୁ ବାହାରି ପଡିଲେ ହେମନ୍ତ l ଅଫିସ୍ ଠିକ୍ ସମୟରେ ପହଞ୍ଚିବାର ଅଛି l ଭୁବନେଶ୍ୱର ପାଇଁ ବସ୍ ଧରିବା ପୂର୍ବରୁ ଥାନା ଆଡେ ଟିକେ ବୁଲି ଆସିଲେ l ସେଠି ତାଙ୍କ ପଢା ସାଙ୍ଗ ଶୁଭେନ୍ଦୁ ସବ୍ ଇନସ୍ପେକ୍ଟର୍ ଅଛି l

***   ***   ***   ***   ***

କିଛି ଦିନ ଗଲା ପରେ ହଠାତ୍ ଅଫିସରୁ ଫେରିବା ବେଳେ ଗୋଟେ ଫୋନ୍ ଆସିଲା l ସାଙ୍ଗ ଶୁଭେନ୍ଦୁ ଫୋନ୍ କରିଥିଲା l


: ହାଲୋ ହେମନ୍ତ ! ତୋ’ ଅନୁମାନ ଠିକ୍ ଥିଲା l ମେଡିକାଲ୍ ଚେକ୍ ଅପ୍ ପରେ ଜଣାଗଲା, କିଡନୀ ରାକେଟର କାମ l ଭାରି ଦୁଃଖ ଲାଗିଲା l କ’ଣ କରାଯିବ ? ଆମକୁ ଆଗରୁ ତ କେହି କିଛି ଖବର ଦେଲେନି l ଯା’ ହେଉ ମୁଁ ହେଡ୍ କ୍ୱାର୍ଟରକୁ ପୁରା ଇନଫର୍ମେସନ୍ ଦେଇ ଦେଇଛି l ଆଶା କରୁଛି ଜଲଦି ସେମାନଙ୍କୁ ଟ୍ରାପ୍ କରିବୁ l ଥ୍ୟାଙ୍କସ୍ l ତୁ ଖବର ଦେଇ ନ ଥିଲେ, ସମସ୍ତେ ତ ଅନ୍ଧାରେ ଥାଆନ୍ତେ l ବିଚାରୀ ଅହଲ୍ୟା l ଫୋନ୍ ରଖି ଦୀର୍ଘଶ୍ୱାସ ଛାଡିଲେ ହେମନ୍ତ l ଭାବିଲେ ଗରୀବ ଝିଅର କିଡନୀର ଦାମ୍ କେତୋଟି ଶସ୍ତା ସିଫନ୍ ଶାଢୀ l

***            ***            ***



Rate this content
Log in

Similar oriya story from Tragedy