STORYMIRROR

Sambit Srikumar

Tragedy Classics Inspirational

4  

Sambit Srikumar

Tragedy Classics Inspirational

ସିନ୍ଦୁକ

ସିନ୍ଦୁକ

5 mins
377


"ଗୋଟିଏ ମଣିଷର ପ୍ରକୃତ ଚରିତ୍ରକୁ ଚିହ୍ନିବାକୁ ହୁଏତଃ କିଛି କ୍ଷଣର ସମୟ ଲାଗି ପାରେ ଅଥବା ସଂପୂର୍ଣ୍ଣ ଜନ୍ମଟିଏ ମଧ୍ୟ ସକ୍ଷମ ହୁଏ ନାହିଁ।" ବେଳେ ବେଳେ ଏମିତି କିଛି ଘଟଣା ଘଟିଥାଏ ଏଇ ଦୁନିଆରେ ଯେ, ଆଖି ଦେଖା କାନ ଶୁଣା କଥା ବି ବିଶ୍ୱାସ ହୁଏ ନାହିଁ। ଏଇ ଯେମିତି ସଭ୍ୟ ଶିକ୍ଷିତ ମଧୁପୁର ଗାଁର ଲୋକେ ଆପଣାର ହିତାହତ ଜ୍ଞାନ ଭୁଲି ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଅନ୍ଧ ବିଶ୍ବାସର ବଶୀଭୂତ ହୋଇ ଜଘନ୍ଯ କାଣ୍ଡଟିଏ ଘଟାଇ ଦେଲେ।

କଳିଙ୍ଗ ସାଗର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରାୟ ଦୁଇ ହଜାର ଜନ ସଂଖ୍ୟା ବିଶିଷ୍ଟ ଗାଁଟିଏ, ନାଁ ତାର ମଧୁପୁର। ମହାନଦୀର ମଧୁର ଜଳର ନାମ ଅନୁସାରେ ନାମିତ ହୋଇଛି ଗାଁଟି। ଗାଁର ଶେଷ ମୁଣ୍ଡରେ ଥିବା ପ୍ରଧାନଘର ବୁଢ଼ୀକୁ ସଭିଏଁ ଅଲଗା ନଜରରେ ଦେଖନ୍ତି। ଏପରିକି ନିଜ ପରିବାର ଲୋକେ ବି ଏଥିରୁ ବାଦ୍ ପଡନ୍ତି ନାହିଁ। କାହିଁକିନା ବୁଢ଼ୀର ହାବଭାବ ଆଦବକାଇଦା କିଛି ସେମିତି ଅଲଗା ପ୍ରକାରର। କିଛି ବର୍ଷ ପୂର୍ବେ ସେ ବୁଢ଼ୀ ଏମିତି ନଥିଲା, କିନ୍ତୁ ଏବେ କେମିତି ଅଲଗା ଅଲଗା ଲାଗୁଛି ବୁଢ଼ୀ। ଏଥିପାଇଁ ସଭିଏଁ ଟିକେ ଦୂରେଇ ଦୂରେଇ ରହନ୍ତି ପ୍ରଧାନଘରଠୁ। ଅତି ଆବଶ୍ୟକ ନହେଲେ ମିଳାମିଶା କରନ୍ତି ନାହିଁ।

ଏଇ ପ୍ରଧାନଘର ବୁଢ଼ୀଟି ଗୋଟେ ବିଚିତ୍ର ପ୍ରାଣୀ। ଘର ଛାଡ଼ି ବାହାରକୁ କୁଆଡ଼େ ବି ଯାଏ ନାହିଁ। ଯଦିବା କୌଣସି ଜରୁରୀ କାମରେ ଯିବାକୁ ହୁଏ ତେବେ ସଞ୍ଜ ବୁଡୁ ବୁଡୁ ଘରେ ଆସି ହାଜର ହୋଇଯିବ ଯେମିତି ହେଲେ। ନଗଲେ ନଚଳେ ପରିସ୍ଥିତିରେ ବନ୍ଧୁବାନ୍ଧବ ଘରକୁ ବାହାବ୍ରତରେ ସଭିଏଁ ଗଲେ ଘରେ କାହାକୁ ଜଗାଇ କରି ଯିବ କାଳେ ଚୋର ପଶିଯିବ ଭାବି। କାମ ସରିଗଲେ ସହଳ ଫେରି ଆସିବ।

ବଡ଼ ରହସ୍ୟମୟ ମନେହୁଏ ବୁଢ଼ୀ। ଅନ୍ଯ ମହିଳାଙ୍କ ପରି ବାହାର ଲୋକଙ୍କ ସହିତ କଥାଭାଷା ଆଦୌ ହୁଏ ନାହିଁ କହିଲେ ଚଳେ। କେହି କିଛି ପଚାରିଲେ ହୁଁ ହାଁ ଅବା ଠାରରେ ଯାହା ଉତ୍ତର ଦିଏ ସେ। ଆଗରୁ ଏମିତି ନଥିଲା ସିଏ। ଏଇ କେତେ ବର୍ଷ ହେବ ସିଧାସଳଖ କଥା କହୁନାହିଁ। ବୁଢ଼ୀର ଏପରି ଅସ୍ବାଭାବିକ ଆଚରଣ ଯୋଗୁଁ ଘର ଲୋକେ ବିବ୍ରତ ଏବଂ କିଛି ମାତ୍ରାରେ ଆତଙ୍କିତ ମଧ୍ୟ। ଗାଁ ସାରା ଲୋକେ କେତେ କଥା ଲଗେଇ ଯୁଟେଇ ଟୁପୁରୁଟାପର ହୁଅନ୍ତି ବୁଢ଼ୀ ବାବଦରେ। ଏସବୁ କଥା କିଛି କିଛି ଅତିରଞ୍ଜିତ ହୋଇ ସମ୍ପର୍କୀୟଙ୍କ କାନରେ ପଡେ। କିନ୍ତୁ କାହାର ଟିକିଏ ବି ସାହାସ ହୁଏ ନାହିଁ ବୁଢ଼ୀକୁ କିଛି ପଚାରିବାକୁ।

ବୁଢ଼ୀର ଶୋଇବା ଘର ଭିତରେ ଥାଏ ସିନ୍ଦୁକଟିଏ, ମରହଟ୍ଟା ଅମଳର ହେବ ବୋଲି ଆମର ଅନୁମାନ। ଶାଳ କାଠର ସିନ୍ଦୁକଟିରେ ଅତି ଚମତ୍କାର କମକୁଟ କାମ ହୋଇଥାଏ। ପୁଲାଙ୍ଗ ତେଲରେ ମାଲିସ୍ ହୋଇ ସବୁବେଳେ ଚମକୁଥାଏ। ବଡ଼ ତାଲାଟିଏ ପଡିଥାଏ ସେଥିରେ। ତା' ଭିତରେ କଣ ଅଛି, ବୁଢ଼ୀ ବିନା ଆଉ କାହାକୁ ବି ଜଣା ନାହିଁ। ଏପରିକି ପ୍ରଧାନ ବୁଢ଼ା ବି ଜାଣିବାକୁ କେବେ ଈଛା କିମ୍ବା ସାହାସ କରି ନାହିଁ ବୁଢ଼ୀକୁ ଡରି। ଆଉ କାହା କଥା କଣ କହିବା?

ପ୍ରଧାନ ବୁଢ଼ାବୁଢ଼ୀଙ୍କର ପାଞ୍ଚଟି ପିଲାପିଲି। ଏକକ ପରିବାର ହୋଇଥିଲେ ବି ବଡ଼ ଗହଳିଆ। ଝିଅ ତିନୋଟି ଗାଁ ପାଖରେ ବାହା ତୋଳା ହୋଇଛନ୍ତି, ପ୍ରାୟ ସମୟରେ ବାପ ଘରକୁ ବୁଲିବା ପାଇଁ ଆସି ଯାଆନ୍ତି। ଦି'ଟା ଯାକ ପୁଅ ବି ବାହା ହୋଇ ଘରକୁ ବୋହୂ ଆଣିଛନ୍ତି। ନାତିନାତୁଣୀ ହୋଇକି ସମୁଦାୟ ଆଠ କି ଦଶ। କେହିବି କେବେ ସାହାସ କରି ପଚାରି ପାରନ୍ତି ନାହିଁ ବୁଢ଼ୀକୁ ସେ ସିନ୍ଦୁକ ଭିତରେ "କଣ ଅଛି?" ବୋଲି।

ବୁଢ଼ୀ କିନ୍ତୁ ସବୁଦିନ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ନିରୋଳାରେ ତା ଶୋଇବା ଘରର ସବୁ ଝରକା କବାଟ କିଳି ସିନ୍ଦୁକକୁ ଖୋଲେ। ବହୁ ସମୟ ଧରି ଫିସ୍ ଫିସ୍ ହୋଇ କାହା ସହିତ କଥା ହୁଏ। ସେ କଥା ସବୁ କାହାକୁ ବି କେବେ ଶୁଣାଯାଏନି। ଏଣୁ ପୁଅ ବୋହୂ ଝିଅ ଜ୍ବାଇଁ ନାତିନାତୁଣୀ ସଭିଏଁ ସନ୍ଦେହ କରନ୍ତି କାଳେ ବୁଢ଼ୀ ସେଇ ସିନ୍ଦୁକରେ କିଛି ଗୁପ୍ତଧନ ଲୁଚାଇ କରି ରଖିଛି। କେହି କେହି କହନ୍ତି ଯେ, ସେଇ ସିନ୍ଦୁକ ଭିତରେ ବୁଢ଼ୀର ଜୀବନ ସାଇତା ହୋଇ ରହିଛି। କିଛି ଅନୁସନ୍ଧିତ୍ସୁ କୁହନ୍ତି, ସେଇ ସିନ୍ଦୁକଟି ପାଇଁ ହିଁ ରାତାରାତି ଧନୀ ପାଲଟିଗଲେ ପ୍ରଧାନଘର।

ଅଚାନକ ଦିନେ ଗାଁରେ ଅଜଣା ରୋଗ ବ୍ଯାପିଲା। ଚାରି ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ତାର ଶିକାର ବନାଇଲା। କୋମଳମତି ଶିଶୁମାନେ ଆକ୍ରାନ୍ତ ହୋଇ ପୋକମାଛି ପରି ମରିବାକୁ ଲାଗିଲେ। ପ୍ରତି ସପ୍ତାହରେ ଅନ୍ଯୁନ ଗୋଟିଏ ପିଲାର ମୁଣ୍ଡ ଗଡିଚାଲିଲା। କୌଣସି ଡାକ୍ତର କବିରାଜ କେହି ବି କିଛି ବି କାରଣ ପାଇଲେ ନାହିଁ ଏହି ନୁଆ ରୋଗର, ନିରାକରଣ କରିବା ତ ଦୂରର କଥା।

କାଳେ ଦେବୀ ଦେବତା ରୁଷ୍ଟ ହୋଇ ଏପରି କରୁଛନ୍ତି ଭାବି, ଗାଁ ଲୋକେ ଗ୍ରାମ ଦେବତୀଙ୍କ ପାଖରେ ଭୋଗରାଗ ଯଜ୍ଞ ହୋମ ଆଦି କଲେ। କିନ୍ତୁ କିଛି ସୁଫଳ ମିଳିଲା ନାହିଁ। ବାଧ୍ଯ ହୋଇ ଗୁଣିଆ ଡାକି ପିଲାମାନଙ୍କୁ ଝଡ଼ାଫୁଙ୍କା କରାଇଲେ। ମୋଟାଅଙ୍କର ପାଉଣା ହାତେଇ ଫେରିବା ବେଳକୁ ଗୁଣିଆ କହିଲା, "ଗାଁରେ କେହି ଜଣେ ଡାହାଣୀ ଆତଙ୍କ ଖେଳେଇଛି। ଗୁଣି ଗାରେଡ଼ି ଏବଂ ତନ୍ତ୍ରମନ୍ତ୍ର କରି ପିଲାଙ୍କୁ ବଳି ଚଢାଉଚି ନିଜର ସିଦ୍ଧି ପ୍ରାପ୍ତି ପାଇଁ। ଏହାର ପ୍ରତିକାର କରିବା ପାଇଁ ମୁଁ ଚେଷ୍ଟା କରିବି ମୋ ଗୁରୁଜୀଙ୍କ ସହିତ ମିଶି। ଏଥିପାଇଁ ମୋତେ ହିମାଳୟ ଯିବାକୁ ହେବ।"

ଆଉ ବା କିଏ ରୋକିବ ଗାଁ ଲୋକଙ୍କୁ ଅନୁମାନ ଅଭିଯୋଗ କରିବାକୁ। ସଭିଙ୍କର ଆଙ୍ଗୁଳି ଉଠିଲା ପ୍ରଧାନଘର ବୁଢ଼ୀ ଆଡ଼କୁ। ଗାଁରେ ନିଶାପ ବସିଲା। ବିନା ବିଚାର ଆଲୋଚନାରେ ଏକପାଖିଆ ଭାବେ ପ୍ରଧାନଘର ବୁଢ଼ୀକୁ ଦୋଷୀ ସାବ୍ୟସ୍ତ କରି ତାଙ୍କ ପରିବାରକୁ ନିଆଁ ପାଣି ବାଛନ୍ଦ କରାଗଲା। ସେମାନଙ୍କର ଛାଇ ସୁଦ୍ଧା ପଡିଲା ନାହିଁ ଗାଁର ଲୋକମାନଙ୍କ ଉପରେ। ସାମାଜିକ ଗତିରୋଧ ହେତୁ ଦୁର୍ବିସହ ହୋଇପଡିଲା ପ୍ରଧାନଘର ଲୋକଙ୍କ ଜୀବନ। ତଥାପି ଶିଶୁମଡକ ଥମିବାର ନାଁ ଧରୁନଥିଲା। ଅସନ୍ତୋଷର ବହ୍ନି କୁହୁଳୁଥିଲା ଗ୍ରାମବାସୀଙ୍କ ମଧ୍ୟରେ।

ଏମିତି ଅବସ୍ଥାରେ ଅପ୍ରିତିକର ଘଟଣାଟିଏ ଘଟିଗଲା, କୁହୁଳୁଥିବା ନିଆଁ ବିସ୍ଫୋରଣ ଘଟାଇଲା। ଗାଁର କିଛି ଦୁଷ୍ଟ ପ୍ରକୃତିର ଲୋକ ପ୍ରଧାନଘର ବୁଢ଼ୀକୁ ଘରୁ ଘୋଷାରି ଘୋଷାରି ନେଇ ଗାଁ ଦାଣ୍ଡରେ ଗାଳି ଗୁଲଜ କରିବା ସହ ମାରଧର କଲେ। ବିବସ୍ତ୍ର କରି ଗାଁ ଦାଣ୍ଡରେ ଚଲାଇଲେ। ବୁଢ଼ୀ ବିକଳ ହୋଇ କେବଳ କାନ୍ଦୁଥିଲା କିନ୍ତୁ କିଛି ବି କାହାକୁ କହୁନଥିଲା ପ୍ରତିବାଦ କରି। ଏଥିରେ ସଭିଙ୍କ ସନ୍ଦେହ ଆହୁରି ଦୃଢ ହେଲା ଯେ, ବୁଢ଼ୀ ହିଁ ଗୁଣି ଗାରେଡ଼ି କରୁଛି ବୋଲି। "ମୂଳୁ ମାରିଲେ ଯିବ ସରି, ଦେବଙ୍କ ସହ କିମ୍ପା କଳି?" ନ୍ଯାୟରେ ଅଗତ୍ୟା ସେମାନେ ଠେଙ୍ଗାରେ ପିଟି ପିଟି ମାରି ଦେଲେ ବୁଢ଼ୀକୁ। ବୁଢ଼ୀର ଶରୀରଟି ପ୍ରାଣଶୂନ୍ଯ ହୋଇ ଲୋଟି ପଡିଲା ଭୂଇଁରେ। ସେଇଠି ହିଁ ଅଗ୍ନି ସଂଯୋଗ କରି ଦେଲେ ଦୁବୃର୍ତ୍ତମାନେ।

ଏତିକିରେ ସନ୍ତୁଷ୍ଟ ନ ହୋଇ ସେମାନେ ପରେ ପରେ ବୁଢ଼ୀର ଘରେ ପଶି ସିନ୍ଦୁକଟିର ତାଲାକୁ ଭାଙ୍ଗି ଦେଲେ। ଆଗରୁ ସମସ୍ତଙ୍କୁ ବୁଢ଼ୀର ଗୁପ୍ତ ସିନ୍ଦୁକଟି ବାବଦରେ ଅଳ୍ପ ବହୁତ ଜଣା ଥିଲା। ସେଥିରୁ ନିଶ୍ଚିତ ଭାବେ ଗୁଣି ଗାରେଡ଼ି ଏବଂ ତନ୍ତ୍ରମନ୍ତ୍ର ସମ୍ବନ୍ଧୀୟ ପ୍ରମାଣ ମିଳିବ ବୋଲି ଆଶା ଥିଲା। କିନ୍ତୁ ସିନ୍ଦୁକ ଖୋଲିବା ପରେ ରକ୍ତମୁଖା ଗାଁ ଲୋକଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ହୋଶ୍ ଉଡିଯାଇଥିଲା ସଭିଙ୍କର। ବୁଢ଼ୀକୁ ସନ୍ଦେହ କରୁଥିବା ନିଜ ପରିବାର ଲୋକେ ବି ଏକବାରକେ ହତବାକ୍।

ଅତି ସନ୍ତର୍ପଣରେ ସାଇତି ରଖି ଥିବା ସିନ୍ଦୁକ ଭିତରେ ନା ଥିଲା ଗୁଣି ଗାରେଡ଼ି ବା ତନ୍ତ୍ର ମନ୍ତ୍ର ସହିତ ଜଡ଼ିତ କିଛି ଜିନିଷ ନା ଥିଲା ପରିବାରବର୍ଗଙ୍କ ଅନୁମାନ ମୁତାବକ କୌଣସି ଗୁପ୍ତଧନ ଅଥବା କେଉଁ ଦୂର୍ଲଭ ଦୂର୍ମୂଲ୍ଯ ଦ୍ରବ୍ଯ। ସଭିଏଁ ଜଳୁଥିଲେ ଗଭୀର ଅନୁତାପ ଓ ହତାଶାବୋଧର ଅନଳରେ। ସିନ୍ଦୁକ ଭିତରେ କେବଳ ଥିଲା ଗଣ୍ଠିଲିଟିଏ। ନାଲି ରଙ୍ଗର କପଡ଼ା ଗୁଡାଇ ହୋଇ ରହିଥାଏ ଗଣ୍ଠିଲିଟି। ପରସ୍ତ ପରସ୍ତ ଖୋଲିବା ପରେ ବାହାରି ଥିଲା ତାଳ ପତ୍ରର ପୋଥିଟିଏ ମାତ୍ର। ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ବିରଚିତ ଭବିଷ୍ୟବାଣୀ ସମ୍ବଳିତ "ମାଳିକା" ର ପ୍ରତିଲିପିଟିଏ ଥିଲା ପୋଥିଟି।

ବହୁବର୍ଷ ପୂର୍ବେ ମହାନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଭାସି ଆସିଥିଲା ପୋଥିଟିଏ। ସ୍ନାନ କରିବାକୁ ନଦୀକୁ ଯାଇଥିବା ବେଳେ ନଦୀପଠାରେ ଅଳ୍ପ ବାଲିରେ ପୋତି ହୋଇ ରହିଥିଲା ପୋଥିଟି। ସତେ ଯେପରି କାହାର ଅପେକ୍ଷାରେ ଥିଲା ସେଇଟି। ବୁଢ଼ୀର ନଜର ପଡିବା କ୍ଷଣି ନଦୀପଠାରୁ ପୋଥିଟିକୁ ଆଣି ଘରେ ଅତି ଯତ୍ନପୂର୍ବକ ସାଇତି ରଖିଥିଲା। ସବୁଦିନ ଅନ୍ୟମାନଙ୍କ ଦୃଷ୍ଟି ଆଢୁଆଳରେ ପୂଜାର୍ଚ୍ଚନା କରୁଥିଲା ପୋଥିର। ନିଜର ସୁଖ ଦୁଃଖ ସବୁ ସେଇ ପୋଥି ସହିତ ହେଉଥିଲା। ପୋଥିଟି ପାଇଁ ଦୁନିଆକୁ ପୁରାପୁରି ଭୁଲି ଯାଇଥିଲା ବୁଢ଼ୀ। ନିଜ ପରିବାରରେ ଆସିଥିବା ସମସ୍ତ ସୁଖ ଶାନ୍ତି ସମୃଦ୍ଧି ନିମନ୍ତେ ପୋଥିଟି ଏକମାତ୍ର କାରଣ ବୋଲି ବୁଢ଼ୀର ଅଖଣ୍ଡ ବିଶ୍ବାସ ଥିଲା। ସେଥିପାଇଁ କାଳେ କିଏ ତାକୁ ଚୋରେଇ ନେବ ଚିନ୍ତା କରି ବୁଢ଼ୀ ପୋଥି ଥିବା ସିନ୍ଦୁକଟିକୁ ଛାଡ଼ି କେଉଁ ଆଡେ ବି ଯାଏନାହିଁ।

ଜଗତସିଂହପୁର ସଦର ଥାନାର ପୋଲିସ୍ ଆସି ଡାହାଣୀ ସନ୍ଦେହରେ ହତ୍ୟା ଆରୋପରେ କିଛି ଗ୍ରାମବାସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ନିଜର କର୍ତ୍ତବ୍ୟ ସମ୍ପାଦନ କରି ଦେଇଥିଲା। ସେ କେସ୍ ଏବେ ବି ଗଡୁଛି କୋର୍ଟରେ। ଶିଶୁମଡକର ପ୍ରତିକାର ପାଇଁ ସରକାର ବିଶେଷଜ୍ଞ ଡାକ୍ତରୀ ଦଳ ପଠାଇ ଯାଞ୍ଚ କରାଇଲେ। ଅପପୁଷ୍ଟି କାରଣରୁ ଶିଶୁମାନଙ୍କ ମୃତ୍ୟୁ ଘଟିଛି ବୋଲି ରିପୋର୍ଟରେ ଦର୍ଶାଇଥିଲେ କମିଟିର ସଦସ୍ୟଗଣ। ଏହି ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶାସନ ତତ୍ପର ହୋଇ ଉଠିଲା। କିଛିଦିନ ପରେ ଆଉ କାହାର ଅକାଳରେ ମୃତ୍ୟୁ ଘଟିଲା ନାହିଁ।

ରହସ୍ୟମୟ ସିନ୍ଦୁକଟି ପାଇଁ ଯାହା ବିଚରା ପ୍ରଧାନଘର ବୁଢ଼ୀ ବଳି ପଡ଼ିଗଲା ବିନା ଅପରାଧରେ।



Rate this content
Log in

Similar oriya story from Tragedy