shibaram dalai

Drama

3  

shibaram dalai

Drama

ସିଜୁଖୀର

ସିଜୁଖୀର

4 mins
102


ଅନେକ ବର୍ଷ ତଳର କଥା ,ଗୋଟିଏ ଗାଁରେ ଗୋପିଆ ନାଁ ରେ ଜଣେ ଗରିବ ରହୁଥିଲା । ପୁଅ ବକଟେ କୁ ଚାହିଁ ଚାହିଁ ଗୋପିଆ ଆଉ ତାରା ଚାରି ଚାରିଟା ଝିଅ ର ଵାପା ମାଆ ହେଲେ । ତାହାର ସମ୍ପତ୍ତି କହିଲେ କୁଡ଼ିଆ ଖଣ୍ଡେ ଆଉ ଶଗଡ଼ ଟାଏ । ଦିନେ ଶଗଡ଼ ନ ଗଡ଼ିଲେ ହାଣ୍ଡି ଚୁଲି ଉପରକୁ ଯାଏ ନାହିଁ । ପ୍ରତିଦିନ ଶଗଡ଼ ଟାଣି ଯେଉଁ ଦୁଇ ପଇସା ରୋଜଗାର କରେ ସେଥିରେ ଛଅ ପ୍ରାଣୀ ବହୁତ କଷ୍ଟରେ ଚାଲିଯାନ୍ତି ।

      

     ଦିନକର କଥା ଗୋପିଆ ର କିଛି ରୋଜଗାର ହେଇନଥାଏ । ବେଳ ବୁଡିବାକୁ ବସିଲାଣି ଗୋପିଆ ନିରାଶ ରେ ଘରକୁ ଫେରୁଥାଏ । ହଠାତ ଦଳେ ଲୋକ ବାଟରେ ତାକୁ ଅଟକାଇ କହିଲେ "ତୁମେ ତ ଆଗ ମଶାଣି ବାଟ ଦେଇ ଯିବ ,ତୁମେ ଆମର ଗୋଟେ କାମ କରିଦେବ ବଦଳରେ ଆମେ ତୁମକୁ ପାଞ୍ଚ ପଇସା ଦେବୁ " । ପ୍ରତିଦିନ ଦୁଇ ପଇସା ରୋଜଗାର କରୁଥିବା ଗୋପିଆ, ଆଉ ଆଜି ନିରାଶରେ ଫେରୁଥିବା ଗୋପିଆ ପାଞ୍ଚ ପଇସା କଥା ଶୁଣି ମନେ ମନେ ବହୁତ ଖୁସି ହେଲା। ଗୋପିଆ ସଙ୍ଗେ ସଙ୍ଗେ ପଚାରିଲା ତେବେ ମୋତେ କଣ କରିବାକୁ ପଡ଼ିବ ? ସେମାନଙ୍କ ଭିତରୁ ଜଣେ କହିଲା ଆମ ଗାଁ ପାଖରେ ଜଣେ ସାଧୁ (ବାବାଜୀ) ରହୁଥିଲେ। କିଛି ସମୟ ପୂର୍ବରୁ ତାଙ୍କର ମୃତ୍ୟୁ ହେଇଗଲା । ବାସ ତାଙ୍କ ଶବକୁ ମଶାଣିରେ ଫୋପାଡ଼ି ଦେବ ।


   ଗୋପିଆ ଟିକିଏ ଚିନ୍ତା କଲା । ଭାବିଲା ମୋତେ ତ ସେହି ବାଟ ଦେଇ ଯିବାର ଅଛି ତେବେ ଏ ସୁଯୋଗ କାହିଁ ଛାଡ଼ିବି । ତେଣୁ ସେମାନଙ୍କ କଥାରେ ରାଜି ହୋଇ ସାଧୁଟିର ଶବକୁ ଶଗଡ଼ ରେ ଲଦିଲା । ଲୋକମାନେ ସାଧୁଟିର ଶବକୁ ଶଗଡ଼ ରେ ଲଦି ସାରିବା ପରେ ଗୋପିଆ କୁ ତା ପାରିଶ୍ରମିକ ଧରେଇ ନିଜ ନିଜ ବାଟରେ ଚାଲିଗଲେ । ସେହି ଠାରୁ ମଶାଣି ଦେଢ଼ କିଲୋମିଟର ଥିଲେ ବି ରାସ୍ତା ସମ୍ପୂର୍ଣ୍ଣ ଆବଡା ଖାବଡା ଥିବାରୁ ଯିବାଟା ଏତେ ସହଜ ହେଉ ନଥିଲା । ତଥାପି ଗୋପିଆ ର ଶଗଡ଼ ଆଗକୁଆଗକୁ ମାଡିଚାଲିଥାଏ ।

     ଶଗଡ଼ ପ୍ରାୟ ଏକ କିଲୋମିଟର ଅତିକ୍ରମ କରି ସାରିଥାଏ । ହଠାତ ଝୁଣଝାଣ ଶବ୍ଦ ଶୁଣି ଗୋପିଆ ଚାରି ଆଡକୁ ଚାହିଁଲା। କେଉଁ ଦିଗରେ କାହାକୁ ନ ପାଇ ପୁଣି ଶଗଡ଼କୁ ଆଗକୁ ବଢ଼ାଇଲା । ଶଗଡ଼ ଗୋଟେ ହାତ ଯାଇଛି କି ନାହିଁ ପୁଣି ସେହି ଶବ୍ଦ ଶୁଣି ପାରିଲା ।ଏଥର ଗୋପିଆ ମନରେ ଭୟ ସୃଷ୍ଟି ହେଲା । ଏବେ ସେ ମୃତ ସାଧୁ ଆଡ଼କୁ ଚାହିଁଲା ।

   ଗୋପିଆ ଦେଖିଲା ସେହି ଧକଡ଼ଚକଡ଼ ରାସ୍ତା ଯୋଗୁଁ ମୃତ ସାଧୁଟିର ଜଟା ଖୋଲି ତଳକୁ ଲମ୍ବି ଯାଇଛି । ଗୋପିଆ ସାଧୁଟିର ଜଟାକୁ ଶଗଡ଼ ଉପରକୁ ଟେକିବା କ୍ଷଣି ମୃତ ସାଧୁ ର ଜଟା ରୁ ସୁନା ରୁପା ର ମୁଦ୍ରା ତଳେ ପଡି ଝୁଣୁଝାଣ ଶବ୍ଦ ହେଲା ।ଗୋପିଆ ସବୁତକ ମୁଦ୍ରା ନିଜ ଗାମୁଛା ରେ ରଖିଲା ଏବଂ ସାଧୁର ଜଟାକୁ ତନତନ କରି ଖେଳେଇ ସବୁ ସୁନା ରୁପା ର ମୁଦ୍ରା କାଢ଼ି ନେଲା । ଟିକିଏ ପଛକୁ ଚାଲିଯାଇ ପୂର୍ବରୁ ଖସି ପଡିଥିବା ସ୍ବର୍ଣ୍ଣ ମୁଦ୍ରା କୁ ଉଠାଇ ଆଣିଲା । ଶେଷରେ ସାଧୁଟିର ମୃତ ଦେହକୁ ମଶାଣି ରେ ପକେଇ ଦେଇ ନିଜ ବାଟରେ ଚାଲିଗଲା ।

    କିଛି ଦିନ ଚାଲିଗଲା ଗୋପିଆ ଭଲ ଘରଟିଏ ତିଆରି କଲା । ସ୍ତ୍ରୀ ତାରା ପାଇଁ ଗହଣାଗାଁଠି ତିଆରି କଲା । ଭଲ ଘର ଭଲ ବର ଦେଖି ଏକା ସାଙ୍ଗରେ ଦୁଇ ଝିଅକୁ ବାହା ଦେଲା । ଗାଁ ଲୋକେ ଗୋପିଆ ବିଷୟରେ ଟୁପୁରଟାପର ହେବାରେ ଲାଗିଲେ ।

  ଦିନକର କଥା ଗୋପିଆ ର ସ୍ତ୍ରୀ ତାରା, ପଡୋଶୀ ସ୍ତ୍ରୀ ଲୋକଙ୍କ ସହ ପୋଖରୀ ତୁଠକୁ ଗାଧୋଇ ଯାଇଥାଏ । ସେମାନେ ତାରାକୁ ଗୋପିଆ ର ଉନ୍ନତି ବିଷୟରେ ପଚାରିଲେ ।

ତାରା:-ମୁଁ ଜାଣିନି ଲୋ ଆପା ସେ କଣ ମୋତେ କିଛି କୁହନ୍ତି । ଯେ କୌଣସି କଥା ପଚାରିଲେ ପରା ଖାଲି ଗାରୁ ଗାରୁ ହୁଅନ୍ତି ।

ସେମାନଙ୍କ ଭିତରୁ ଜଣେ କହିଲା :- କଣ...... " ମଲା ତୁ ଚାହିଁଲେ ସେ ପୁଣି କହିବ ନାହିଁ "। ସେ ତାଲା ହେଲେ ତୁ ପରା ଚାବି ।

ତାରା ପଚାରିଲା ତେବେ କଣ କରିବାକୁ ପଡିବ ଅପା ।

ସେ କହିଲା ତୁ ଶୁଣ ଯଦି ଘିଅ ସିଧା ଆଙ୍ଗୁଠି ରେ ନ ବାହାରୁଛି ତେବେ ଟିକିଏ ଟେଢା କରି ଦେଉନୁ ।

ତାରା :- ମାନେ ?

ସେ କହିଲେ ଶୁଣୁ ତାରା ତୁ ଆଜି ରାତିରେ ରୋଷେଇ ବାସ ନକରି ମୁଁହ ପୋତି ଶୋଇଯା ଦେଖିବୁ ଗୋପିଆ ତୋତେ ସବୁ ସତକଥା କହିଦେବ ।

    ସେଦିନ ରାତିରେ ତାରା ପଡୋଶୀ ଅପା କହିବା ମୁତାବକ ସେହିପରି କଲା।ଗୋପିଆ ପଚାରିବାରୁ ତାରା ର ଅସଲ ଉଦେଶ୍ୟ ଜାଣିଲା ।

  ଗୋପିଆ କହିଲା ଏହି କଥା ପାଇଁ ତୁମେ ମୁହଁ ପୋତି ସୋଇଛ । ତେବେ କହୁଛି ଶୁଣ ,ତୁମେ ଯେତେବେଳେ ରାତିରେ ଖାଇପିଇ ଶୋଇପଡ ସେତେବେଳେ ମୁଁ ଆମ ବାଡିକଡ଼ ସିଜୁ ଗଛରୁ ଗିଲାସେ ସିଜୁ ଖୀର ପିଇନିଏ । ଆଉ ପରଦିନ ଯେଉଁ ଝାଡା ହୁଏ ସେଥିରେ ଦୁଇ ତିନିଟା ସ୍ବର୍ଣ୍ଣ ମୁଦ୍ରା ଗଳି ପଡେ । ଏଇ ଦେଖୁନ ଆଜିର ଝାଡାରେ ଦୁଇଟା ପଡିଥିଲା । ଏତକ ଶୁଣି ସାରିବା ପରେ ସେଦିନ ରାତିରେ ତାରା ଆଖିକୁ ନିଦ ଆସିଲା ନାହିଁ । କେମିତି ସକାଳ ପାହିବ ସେ ପଡ଼ୋଶୀ ଅପା ସାଥିରେ ଗାଧୋଇ ଯିବ । ଆଉ ତାଙ୍କୁ ଗୋପିଆ କହିଥିବା କଥା ସବୁ କହିବ ।

     ପରଦିନ ତାରା ପୋଖରୀ ତୁଠରେ ପଡ଼ୋଶୀ ଘର ଅପାମାନଙ୍କୁ ଗୋପିଆ କହିଥିବା କଥା ସବୁ କହିଲା । ସମସ୍ତେ କହିଲେ ଦେଖିଲୁଲୋ ତାରା କେମିତି ଗେରସ୍ତ ମାନଙ୍କ ଠାରୁ କଥା ଆଦାୟ କରାଯାଏ । ସେଦିନ ରାତିରେ ପଡୋଶୀ ଘର ସ୍ତ୍ରୀ ଲୋକ ମାନଙ୍କ ଆଖିକୁ ନିଦ ଆସୁନଥାଏ । କେମିତି ରାତି ଅଧ ହେବ ନିଜ ଗେରସ୍ତ ମାନଙ୍କୁ ସିଜୁ ଖୀର ପିଆଇବେ ।

    ସେଦିନ ରାତ୍ରି ଅଧ ରେ ନିଜ ନିଜ ଗେରସ୍ତ ଙ୍କୁ ସ୍ବର୍ଣ୍ଣ, ରୋପ୍ୟ ମୁଦ୍ରା ପାଇବା ଆଶାରେ ଜୋର ଜବରଦସ୍ତ ସିଜୁଖୀର ପିଆଇ ଦେଲେ । ପରଦିନ ସକାଳ ପାହିଲା ନିଜ ନିଜ ଗେରସ୍ତ ମାନଙ୍କୁ ଡାକିଲା ବେଳକୁ ସମସ୍ତେ ମରି କଳା କାଠ ପଡିଯାଇଥିଲେ ।

   ଖବର ରାଜ୍ୟ ସାରା ପ୍ରଘଟ ହେଇ ଶେଷରେ ରାଜାଙ୍କ କାନରେ ପଡ଼ିଲା । ରାଜଦୂତ ଆସି ଗୋପିଆ କୁ ରାଜ ଦରବାର କୁ ନେଇଗଲେ । ଗୋପିଆ ରାଜାଙ୍କ ସମ୍ମୁଖରେ ସବୁ ସତକଥା କହିଦେଲା । ଗୋପିଆ ସତକଥା କହୁଥିବା ରୁ ଗୋପିଆ କୁ ଗୋଟିଏ ସ୍ବର୍ଣ୍ଣମୁଦ୍ରା ପୁରସ୍କାର ଦିଆଗଲା । ପଡୋଶୀ ସ୍ତ୍ରୀ ଲୋକମାନଙ୍କୁ ଉପଦେଶ ଦେଲେ କି "କଣ ସିଜୁଖୀର ପିଇ କିଏ ସ୍ବର୍ଣ୍ଣମୁଦ୍ରା ଝାଡା କଲେଣି । ତୁମେ ଏସବୁ ଭୂଲ ଚିନ୍ତା ଛାଡିଦିଅ ଏବଂ ଭବିଷ୍ୟତରେ କାହାକୁ ତାରାକୁ ଦେବା ଭଳି ମନ୍ଦ ଉପଦେଶ ଦେବ ନାହିଁ । ସେଦିନର ଟିକିଏ ମନ୍ଦ ବୃଦ୍ଧି ପାଇଁ ପଡୋଶୀ ସ୍ତ୍ରୀ ଲୋକ ସାରା ଜୀବନ ବିଧବା ରେ ଦିନ କାଟିଲେ

         


Rate this content
Log in

Similar oriya story from Drama